Unknown

 

 

 

 

 

 

 

 

 

 

 

ଅଗଷ୍ଟ ବିପ୍ଳବ

ସୁରେନ୍ଦ୍ରନାଥ ଦ୍ଵିବେଦୀ

 

 

 

 

 

 

 

 

 

 

 

ପଣ୍ଡିତ ଆକୁଳ ମିଶ୍ର ଓ ଡାକ୍ତର କୁଳମଣି ମିଶ୍ର ମୋର ଦୁଇ ମାମୁ, ତାଙ୍କ ଲାଗି ମୁଁ ମଣିଷ । ସେମାନେ ଆଉ ଏ ସଂସାରରେ ନାହାନ୍ତି । କେଡ଼େ ଖୁସି ହୋଇ ନଥାନ୍ତେ ବହିଟି ଦେଖି ! ତାଙ୍କ ନିକଟରେ ଏ ମୋର ଶ୍ରଦ୍ଧାଞ୍ଜଳି ।

 

ଏ ପୁସ୍ତକ କାହିଁକି ଓ କିପରି?

 

ଏହି କ୍ଷୁଦ୍ର ପୁସ୍ତକଟି ଭାରତ କିମ୍ବା ଓଡ଼ିଶାର ଅଗଷ୍ଟ ବିପ୍ଳବର ପୂର୍ଣ୍ଣ ବିବରଣୀ ନୁହେଁ । ଏକେତ ଘଟଣାଗୁଡ଼ିକ ୩୦ ବର୍ଷ ତଳର ହୋଇଗଲାଣି‚ ଦ୍ଵିତୀୟରେ ସେ ସମ୍ୱନ୍ଧରେ ସମସ୍ତ ତଥ୍ୟ ମୋ ପାଖରେ ନାହିଁ କହିଲେ ଚଳେ । ପୁସ୍ତକଟି ହେଉଛି ଏକପ୍ରକାର ଅଗଷ୍ଟ ବିପ୍ଳବବେଳର ମୋର ସ୍ମୃତି ।

 

ବାସ୍ତବିକ ନିଜର ଜୀବନୀ ବା ‘ଅଗଷ୍ଟ ବିପ୍ଳବ’ର କାହାଣୀ ଲେଖିବାର ଅଭିପ୍ରାୟ କେବେହେଲେ ମୋର ନଥିଲା‚ ନଚେତ୍ ୧୯୪୨ ଆନ୍ଦୋଳନରେ ଗିରଫ୍‍ ହେଲାପରେ ମୁଁ ଯେଉଁ ସାଢ଼େ ୩ ବର୍ଷ ଜେଲରେ ରହିଥିଲି ସେତେବେଳେ ଲେଖିପାରିଥାନ୍ତି; ସେ ସଂକ୍ରାନ୍ତୀୟ ତଥ୍ୟ ସଂଗ୍ରହ କରି ରଖିଥାଆନ୍ତି । ଗଲା ଦଶବର୍ଷ ହେଲା ବହୁ ବନ୍ଧୁଙ୍କଠାରୁ ଅନୁରୋଧ ପାଇଛି ନିଜର ଜୀବନକାହାଣୀ ଲେଖିବା ନିମନ୍ତେ । ସେମାନଙ୍କର ବକ୍ତବ୍ୟ ହେଲା–ମୋର ରାଜନୈତିକ ଜୀବନରେ ବହୁ ଘଟଣା ଘଟିଥିବ ଯାହା ମୋ ଛଡ଼ା ଆଉ କାହାରିକି ଗୋଚର ନଥିବ । ତେଣୁ ମୁଁ ଆତ୍ମକାହାଣୀ ଲେଖିଲେ ସେଥିରେ ସେ ସବୁ ଆପେଆପେ ଆସିଯିବ ଏବଂ ଭବିଷ୍ୟତ ଇତିହାସକାରଙ୍କ ଲାଗି ତଥ୍ୟରୂପେ ରହିଯିବ । ଏହାର ଯଥାର୍ଥତା ମୁଁ ଅନୁଭବ କରୁଥିଲେ ସୁଦ୍ଧା ସେଭଳି ଏକ ପ୍ରଚେଷ୍ଟାରେ ହାତ ଦେବା ଭଳି ସାହସ ଓ ସମୟ ମୋର ନଥିଲା ।

 

କିନ୍ତୁ ଏ ଲେଖାଟି ଏକ ବିଚିତ୍ର ଅବସ୍ଥାରେ ଆରମ୍ଭ ହୋଇଗଲା । ଔପନ୍ୟାସିକ ବିଭୂତି ପଟ୍ଟନାୟକ ଅଗଷ୍ଟ ଆନ୍ଦୋଳନ ପରବର୍ତ୍ତୀ କାଳର ଯୁବକ । ସେ ଛାତ୍ରାବସ୍ଥାରୁ ସୋସଲିଷ୍ଟ ଆନ୍ଦୋଳନ ସହ ସମ୍ପୃକ୍ତ ଥିଲେ । ସେ ମୋ ମୁହଁରୁ ‘ଅଗଷ୍ଟ ବିପ୍ଳବ’ର ବୃତ୍ତାନ୍ତ ଶୁଣିବାକୁ ଏକାନ୍ତ ଆଗ୍ରହୀ ଥିଲେ । ମୋ ପାଖରେ କୌଣସି ତଥ୍ୟ ନଥିବାରୁ ମୁଁ ଏଡ଼େ ବଡ଼ ଦାୟିତ୍ଵ ନେବାକୁ ପ୍ରସ୍ତୁତ ହେଉ ନଥିଲି । ଅଗଷ୍ଟ ବିପ୍ଳବ କାହାଣୀ କଲିକତାରୁ ପ୍ରକାଶିତ ‘ନବରବି’ରେ ପ୍ରତି ମାସରେ ଲେଖିବା ନିମନ୍ତେ ବିଭୂତି ମତେ ରାଜିକରାଇଦେଲେ । ମାସକୁ ଗୋଟିଏ ଲେଖା–ବେଶୀ ଅସୁବିଧା ହେବ ନାହିଁ ଭାବି ମୁଁ ରାଜିହୋଇଗଲି । ସ୍ଥିର କଲି କେବଳ ମୁଁ ନିଜେ ଜାଣିଥିବା ବିଷୟଗୁଡ଼ିକହିଁ ଲେଖିବି ଏବଂ ମୋ ଜୀବନର ସ୍ମୃତି ଭାବରେ ଲେଖିଲେ ଠିକ୍ ହେବ । ସେମାନଙ୍କର ମଧ୍ୟ ତାହାହିଁ ପ୍ରସ୍ତାବ ଥିଲା ।

 

ଏହି ପୁସ୍ତକର ପ୍ରଥମ କେତୋଟି ଅଧ୍ୟାୟ ‘ନବରବି’ର କେତେକ ସଂଖ୍ୟାରେ ପ୍ରକାଶିତ ହୋଇସାରିଥିଲା । ଏହା ପଢ଼ି ବହୁ ବ୍ୟକ୍ତି ମୋ ଲେଖାପ୍ରତି ଆଗ୍ରହ ଦେଖାଇଲେ ଏବଂ ମୁଁ ଯେମିତି ପୂରା ବିବରଣୀଟି ଲେଖେ, ସେଥିଲାଗି ଉତ୍ସାହିତ କଲେ । ଅଗଷ୍ଟ ଆନ୍ଦୋଳନର କେତେକ ସାଥୀ ମଧ୍ୟ ଏହା ପଢ଼ି ଆହୁରି ବିସ୍ତୃତ ଭାବରେ ଲେଖିବା ନିମନ୍ତେ କହିଲେ ।

 

ଏଥି ଭିତରେ ସ୍ୱାଧୀନତା ସଂଗ୍ରାମର ରଜତ ଜୟନ୍ତୀ ଉତ୍ସବ ପାଳନର ଘୋଷଣା ହୋଇଗଲା । ଏହି ଅବସରରେ ‘ଅଗଷ୍ଟ ବିପ୍ଳବ’ର କାହାଣୀ ପୁସ୍ତକ ଆକାରରେ ପ୍ରକାଶ କରିବା ସମୟୋପଯୋଗୀ ହେବ ଏଭଳି ବିଚାର ହେଲା । ବର୍ତ୍ତମାନ ପ୍ରଜାତନ୍ତ୍ରର ମୁଖ୍ୟ ସହ–ସମ୍ପାଦକ ଶ୍ରୀ ଗୋରାଚାନ୍ଦ ମିଶ୍ର ମୋର ପୁତ୍ରସଦୃଶ । ସେ ଆଗରୁ ‘କୃଷକ’ ପତ୍ରିକା ସମ୍ପାଦନା କରୁଥିଲା । ସେ ବହୁଦିନୁ ଏଭଳି ଖଣ୍ଡିଏ ବହି ଲେଖିବାପାଇଁ ମୋ ସାଙ୍ଗରେ ଲାଗିଥିଲା । ସେ ‘ଗ୍ରନ୍ଥମନ୍ଦିର’ର ଯୁବକ ପ୍ରକାଶକ ଶ୍ରୀ ଅଭିରାମ ମହାପାତ୍ରଙ୍କୁ ଧରି ମୋ ପାଖରେ ପହଞ୍ଚିଲା । ଏ ଦୁହେଁ ଯେକୌଣସିମତେ ଅଗଷ୍ଟ ୧୫ ପୂର୍ବରୁ ଲେଖା ଶେଷ କରିବା ନିମନ୍ତେ ମତେ ଏକପ୍ରକାର ବାଧ୍ୟ କଲେ । ମୁଁ ଲେଖା ଆରମ୍ଭ କଲି । ଏହାକୁ ପୁସ୍ତକ ଆକାରରେ ରୂପଦେବାର ଶ୍ରେୟଃ ସେହି ଦୁଇଜଣଙ୍କର । ମୋ ସାଙ୍ଗରେ ବାରମ୍ବାର ପାଣ୍ଡୁଲିପି ପଢ଼ିଛନ୍ତି, ବିଭିନ୍ନ ପରାମର୍ଶ ଦେଇଛନ୍ତି ଓ କଷ୍ଟ ସ୍ଵୀକାର କରି ହାତଲେଖାଠାରୁ ପ୍ରୁଫ୍ ପର୍ଯ୍ୟନ୍ତ ସଂଶୋଧନ କରିଛନ୍ତି । ଗୋରାଚାନ୍ଦ ଯଦି ଶେଷ କେତେଦିନ ମୋ ସାଙ୍ଗରେ ଜୋକଭଳି ଲାଗି ନଥାନ୍ତା ଓ ନିଜେ ବସି ମୋଠାରୁ ଡିକ୍‍ଟେସନ୍ ନେବାକୁ ପ୍ରସ୍ତୁତ ହୋଇ ନଥାନ୍ତା, ତେବେ ଏତେ ଅଳ୍ପ ସମୟ ଭିତରେ ଏହା ପ୍ରସ୍ତୁତ ହୋଇପାରି ନଥାନ୍ତା ।

 

ତିରିଶବର୍ଷ ତଳର ଘଟଣା–ସ୍ମୃତିଶକ୍ତି ଯେତେ ପ୍ରଖର ହେଲେ ସୁଦ୍ଧା କେତେକ ଘଟଣା ବର୍ଣ୍ଣନା କଲାବେଳେ ଏକଡ଼ ସେକଡ଼ ଓ ପୁନରୁକ୍ତି ହୋଇଯାଇଥାଇପାରେ ।

 

‘ଅଗଷ୍ଟ ବିପ୍ଳବ’ର କେତେକ ସାଥୀ ପ୍ରାଣତ୍ୟାଗ କଲେଣି । ସମ୍ପୃକ୍ତ ବ୍ୟକ୍ତି ଓଡ଼ିଶାର ସାମାଜିକ ଓ ରାଜନୀତିକ ଜୀବନରେ ବିଭିନ୍ନ ସ୍ତରରେ ରହିଛନ୍ତି । ସେମାନଙ୍କୁ ସମସ୍ତିଙ୍କି ଭେଟି ତାଙ୍କ ପୂର୍ବସ୍ମୃତି ଜାଗ୍ରତ କରାଇବାର ସମୟ ଓ ସୁଯୋଗ ନଥିଲା । ତେଣୁ ଯଥାସମ୍ଭବ ମୁଁ ଯେଉଁସବୁଥିରେ ପ୍ରତ୍ୟକ୍ଷଭାବରେ ସମ୍ପୃକ୍ତ ଓ ଯେଉଁ ଘଟଣାଗୁଡ଼ିକ ବିଷୟରେ ମୋର ଜ୍ଞାନ ଥିଲା, ସେଇଥିରେ ଏହାକୁ ସୀମାବଦ୍ଧ ରଖିଛି ।

 

ଏହା ମୋ ଜୀବନର ଏକ ଅଧ୍ୟାୟ–ମୋ ମନରେ ଏଥିଲାଗି ଗର୍ବ ଓ ଅଭିମାନ ରହିଛି । ଅଗଷ୍ଟ ବିପ୍ଳବହିଁ ଭାରତର ଶେଷ ସ୍ୱାଧୀନତା ସଂଗ୍ରାମ । ଏହାପରେହିଁ ଦେଶ ସ୍ୱାଧୀନ ହେଲା । ମୁଁ ଏଥିରେ ଏକ ସକ୍ରିୟ ଓ ଉଲ୍ଲେଖଯୋଗ୍ୟ ଅଂଶଗ୍ରହଣ କରିଥିବାରୁ ଏବଂ ଜୀବନରେ ସାର୍ଥକତା ଲାଭ କରିଥିବାରୁ ମୋ ପ୍ରାଣରେ ତୃପ୍ତି ପାଇଛି । ଏହି ତୃପ୍ତି ମତେ ଆହୁରି ଅଧିକ ବିପଦ ବରଣ କରିବାଲାଗି ପ୍ରେରଣା ଦେଇଛି ଏବଂ ଅବିରତ ସଂଗ୍ରାମଶୀଳ ମନୋବୃତ୍ତି ମୋଠାରେ ଜାଗରୁକ ରଖିଛି ।

 

ଏତେ ପୁରୁଣା ଘଟନାବଳି ହୁଏତ ଇତିହାସର ବସ୍ତୁ ହୋଇଗଲାଣି । ଏହି ପୁସ୍ତକ କେତେଦୂର ଆଦୃତ ହେଉଛି ତାହା ଜାଣିବା ପରେ ମୋ ଜୀବନର ଅନ୍ୟ ସ୍ମୃତିଗାଥା ଲେଖିବି କି ନାହିଁ ସ୍ଥିର କରିବି ।

 

‘ନବରବି’ର ପରିଚାଳକ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ଏଥିରେ ସନ୍ନିବଦ୍ଧ କରିବାରେ କୌଣସି ଆପତ୍ତି ଉଠାଇ ନଥିବାରୁ ମୁଁ ତାଙ୍କୁ ଏବଂ ଅତି ଅଳ୍ପ ସମୟ ଭିତରେ ‘ଗ୍ରନ୍ଥମନ୍ଦିର’ ଏହା ପ୍ରକାଶ କରିପାରିଥିବାରୁ ଏହି ପ୍ରକାଶନ ସଂସ୍ଥାକୁ ଧନ୍ୟବାଦ ଜଣାଉଛି ।

 

ମୁଁ ଦୁଃଖିତ ଯେ ପୁସ୍ତକ ଭିତରେ ଆମ ‘ଅଗଷ୍ଟ ବିପ୍ଳବ’ର ଅଭିଯୁକ୍ତ ସାଥୀମାନଙ୍କ ମଧ୍ୟରୁ କେବଳ ଶ୍ରୀ ପ୍ୟାରୀମୋହନ ଦାସଙ୍କ ଫଟୋଟି ଦିଆଯାଇପାରିନାହିଁ । ପାରିବାରିକ ଅସୁବିଧା ଯୋଗୁଁ ସେ ଫଟୋ ଉଠାଇବାବେଳେ ଉପସ୍ଥିତ ହୋଇପାରି ନଥିଲେ । ସେ ତାଙ୍କ ଫଟୋଟି ମଧ୍ୟ ଠିକ୍ ସମୟକୁ ପଠାଇ ପାରିଲେନାହିଁ ।

 

ସୁରେନ୍ଦ୍ରନାଥ ଦ୍ଵିବେଦୀ

ତା ୯ । ୮ । ୭୨

☆☆☆

 

ସୂଚିପତ୍ର

 

୧.

ଅକିଞ୍ଚନର ଜୀବନ

୨.

ଓଡ଼ିଆ ଲୋକ ! ସେ ପୁଣି କ’ଣ ?

୩.

୧୯୪୨ ଆନ୍ଦୋଳନର ପୂର୍ବାଭାସ

୪.

ବିଭିନ୍ନ ନେତାଙ୍କ ମତିଗତି

୫.

ଗାନ୍ଧିଜୀଙ୍କ ସହ ସାକ୍ଷାତ ଓ ଆଲୋଚନା

୬.

କମ୍ୟୁନିଷ୍ଟ ପାର୍ଟି ବିରୋଧ କଲା

୭.

ବମ୍ବେ ଯାତ୍ରା ଓ ପରବର୍ତ୍ତୀ ଘଟଣା

୮.

ଭୁବନେଶ୍ୱରରୁ କଟକ

୯.

ଓଡ଼ିଶାରେ ଆନ୍ଦୋଳନର ପରିସର ଓ ସ୍ୱରୂପ

୧୦.

ଅଲିସାବଜାର ଓ ନନ୍ଦି ସାହୁ

୧୧.

ଅରକ୍ଷିତକୁ ଦଇବ ସାହା

୧୨.

ରାମନନ୍ଦନ ମିଶ୍ର ଓ ଏଲ୍. ପି. ସିଂହ

୧୩.

“ରକ୍ତନନ୍ଦୀ ବୁହାଇଦିଅ”

୧୪.

ଇରମ ଗୁଳିକାଣ୍ଡ

୧୫.

ଢେଙ୍କାନାଳ ଓ ତାଳଚେର

୧୬.

ରକ୍ତଦାନରେ ମାଆର ମୁକ୍ତି

୧୭.

ଅଲିସା ବଜାର କେନ୍ଦ୍ର ଉପରେ ସନ୍ଦେହ

୧୮.

ରେନର୍ ସାହେବଙ୍କ କୋପ

୧୯.

“ମୁଁ ଫାଶୀ ଲାଗି ପ୍ରସ୍ତୁତ”

୨୦.

ବ୍ରହ୍ମପୁର ଜେଲ କାନ୍ଥ ପଡ଼ିଲା

୨୧.

ଷଡ଼ଯନ୍ତ୍ର ମକଦ୍ଦମାର ରାୟ

୨୨.

ଜେଲ ଜୀବନ ଓ କଟକଣା

୨୩.

କୋରାପୁଟ ଜେଲରେ ନିର୍ଜନବାସ ଓ ସ୍ଵାସ୍ଥ୍ୟଭଙ୍ଗ

୨୪.

ମୁକ୍ତ ଗଗନତଳେ

୨୫.

ବନ୍ଦୀର ଭାବନା

☆☆☆

 

ଅକିଞ୍ଚନର ଜୀବନ

 

ମୋର ଜୀବନବୃତ୍ତାନ୍ତରେ କୌଣସି ରୋମାଞ୍ଚକର ରହସ୍ୟ ନାହିଁ କିମ୍ବା କୌତୂହଳୀ ମନର ତୃପ୍ତି ମେଣ୍ଟିବା ଭଳି ସେପରି କୌଣସି ଉପାଦାନ ନାହିଁ ।

 

ଏହା ଏକ ଅକିଞ୍ଚନର ଜୀବନୀ ।

 

ଭାରତର ଅଗଣିତ ମୂକ ଦରିଦ୍ର ଜନସାଧାରଣଙ୍କ ମଧ୍ୟରୁ ମୁଁ ଜଣେ । ଏହି ଜୀବନଗାଥାରେ କାହାର ଆଗ୍ରହ କାହିଁକି ବା ସୃଷ୍ଟି ହେବ ! ସମାଜ, ସାହିତ୍ୟ ବା ଭବିଷ୍ୟତ ଲାଗି ଏହା କିଭଳି ବା ସାହାଯ୍ୟ କରିବ !

 

ମୋ ରାଜନୀତିକ ଜୀବନ ଚାଳିଶବର୍ଷରୁ ଅଧିକ ହୋଇଗଲାଣି । ନିରବଚ୍ଛିନ୍ନ ଭାବରେ କର୍ମନିୟୋଗ–ଏବେବି ସେ ଜୀବନ ଶେଷ ହୋଇନାହିଁ । ବ୍ୟକ୍ତିଗତ ଜୀବନ କିଛି ନାହିଁ କହିଲେ ଚଳେ । ସାଂସାରିକ, ବୈଷୟିକ ଓ ଅନ୍ୟ ସକଳ ପ୍ରକାରର ଜଞ୍ଜାଳରେ ଜଡ଼ିତ ନ ହୋଇ ଦେଶ ଓ ସମାଜ ସେବାକୁହିଁ ନିଜର ବ୍ରତ ବା ଦୀକ୍ଷାରୂପେ ଗ୍ରହଣ କରିଥିଲି ଅତି ତରୁଣ ବୟସରୁ–ମହାତ୍ମାଗାନ୍ଧୀଙ୍କ ଆହ୍ଵାନ କ୍ରମେ । ଯଥାସମ୍ଭବ ବ୍ୟକ୍ତିଗତ ଜୀବନରେ ସେହି ଆଦର୍ଶକୁ ପାଳନ କରିବା ଲାଗି ଚେଷ୍ଟା କରିଛି–ଆମ ଦେଶରେ ଏମିତି ବହୁ ଲୋକ ଥିବେ ଓ ଅଛନ୍ତି । ଅଗଣିତ ସ୍ଵାଧୀନତାସଂଗ୍ରାମୀ ଯୁବକଯୁବତୀ କେଉଁ ଅତଳ ଗର୍ଭରେ ଲୀନ ହୋଇଯାଇଛନ୍ତି ସତ, ମାତ୍ର ସେମାନଙ୍କର ମହାନ୍ ତ୍ୟାଗ ଓ କଷ୍ଟବରଣଦ୍ୱାରା ଆମ ଦେଶର ମୁକ୍ତିସଂଗ୍ରାମ ସଫଳ ହୋଇପାରିଛି-। ସେମାନଙ୍କ ଜୀବନୀ ସଂଗ୍ରହ ନ ହେଉ ପଛକେ, ସେମାନଙ୍କ ଜୀବନରେ ଘଟିଥିବା କେତେକ ଘଟଣାର ଯଦି ସଙ୍କଳନ କରାଯାଇପାରନ୍ତା । ତାହାହେଲେ ଭାରତର ସାହିତ୍ୟଭଣ୍ଡାରରେ ଏକ ଉଜ୍ଜ୍ୱଳ ଇତିହାସର ବୃତ୍ତାନ୍ତ ରହିପାରନ୍ତା । ଭାରତ ସରକାରଙ୍କ ପକ୍ଷରୁ କ୍ଷୀଣ ଉଦ୍ୟମ ହୋଇଥିଲା । ପ୍ରଥମ ଖଣ୍ଡ ପ୍ରକାଶ ପାଇଥିଲା । ମାତ୍ର ତାହା ଏପରି ସଂକ୍ଷିପ୍ତ ଓ ପ୍ରମାଦପୂର୍ଣ୍ଣ ଯେ ଏହାକୁ ଜେଲ୍‍ଖାନାର ରୋଲ୍ କଲ୍ କହିଲେ ଚଳିବ ।

 

ମୋ ରାଜନୀତିକ ଜୀବନରେ ବହୁ ଘଟଣା ଘଟିଛି ଏବଂ ଊଣା ଅଧିକେ ମୁଁ ବହୁ କାର୍ଯ୍ୟରେ ଗୁଣ୍ଡୁଚି ମୂଷା ପରି କିଛି କିଛି ଅଂଶଗ୍ରହଣ କରିଛି । ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛି; କେତେକ ଘଟଣାର କେନ୍ଦ୍ର ରଣାଙ୍ଗନ ଭିତରେ ରହିବାର ସୁଯୋଗ ଲାଭ କରିଛି ।

 

ମୋର କାଲି ଭଳି ମନେଅଛି । ସେତେବେଳକୁ ବୟସ ମୋଟେ ସତର । ରେଭେନ୍‍ସା କଲେଜିଏଟ୍ ସ୍କୁଲ୍‍ର ଦଶମ ଶ୍ରେଣୀରେ ପାଠ ପଢ଼ୁଥାଏ । ନା ଥିଲା ରାଜନୀତିକ ଶିକ୍ଷା, ନା ଦୁନିଆର ଗତିବିଧି ସମ୍ପର୍କରେ ସେପରି କୌଣସି ବଦ୍ଧ ଧାରଣା । ଦୂର ମଫସଲ ଗ୍ରାମର ଏକ ଅତି ଦରିଦ୍ର ପରିବାରରୁ ଆସିଥାଏ କଟକ ପାଠ ପଢ଼ିବା ସକାଶେ । ପାଠ ପଢ଼ି ଚାକିରି କଲେ ପେଟ ପୋଷିବି, ବାପମାଆଙ୍କ ଦୁଃଖ ଲାଘବ କରିବି । ଆମର କିଛି ଧନସମ୍ପତ୍ତି ନଥିଲା, ଏବେବି ନାହିଁ । ନଅ ଦଶବର୍ଷ ହେବା ପର୍ଯ୍ୟନ୍ତ ଖଣ୍ଡିଏ ଜାମା ପିନ୍ଧିବାକୁ ପାଇ ନଥିଲି। ମନେଅଛି ପ୍ରଥମେ କୁର୍ତ୍ତା ଖଣ୍ଡେ ପିନ୍ଧିଲି ଯେଉଁଦିନ ବାପା ରଙ୍ଗପୁରରୁ ଫେରିଲେ । ରଙ୍ଗପୁର ବର୍ତ୍ତମାନ ବାଂଲାଦେଶରେ । ସେତେବେଳେ ବଙ୍ଗଳା ଭିତରେ ଥିଲା ।

 

ଆମର ଜମି ଯାହା ଥିଲା ସେଥିରେ ଖାଇବାକୁ ଅଣ୍ଟେ ନାହିଁ । ଅନ୍ୟର ଭାଗଚାଷ କରି ମଧ୍ୟ ଅଣ୍ଟୁ ନଥିଲା । ତେଣୁ ଯେମିତି ବହୁ ଓଡ଼ିଆ ସେ କାଳରେ ବିଦେଶକୁ ଯାଉଥିଲେ ରୋଜଗାର କରିବା ନିମନ୍ତେ, ସେମିତି ମୋ ବାପା ପୂଝାରି କାମ କରିବା ଲାଗି ରଙ୍ଗପୁର, ମୁର୍ଶିଦାବାଦ ଆଦି ସ୍ଥାନକୁ ଯାଉଥିଲେ । ଛୁଟିରେ ଆସନ୍ତି । କୌଣସି ମେସ୍‍ରେ କାମ କରୁଥାଆନ୍ତି । ସେଠୁ ପିଲାମାନେ ଛୁଟିରେ ନିଜ ନିଜ ଘରକୁ ଗଲାବେଳେ ଯେଉଁସବୁ ପୁରୁଣା ଜାମା ଚାଦର ଆଦି ଦିଅନ୍ତି, ତାକୁ ସେ ଗୋଟିଆଗୋଟି କରି ଆଣନ୍ତି । ସେହିଭଳି କୁର୍ତ୍ତାଟିଏ ଥିଲା ମୋର ପରିଧାନ । ଯାହା କହନ୍ତି ଚରମ ଦାରିଦ୍ର୍ୟ । ଯେଉଁମାନଙ୍କର ଘରେ ଦି’ବେଳା ଚୁଲି ଜଳେ ନାହିଁ–ଆମ ପରିବାର ଥିଲା ସେହି ପର୍ଯ୍ୟାୟର । ଗୋଟିଏ ବେଳାହିଁ ରୋଷେଇ ହୁଏ । ପଖାଳ, ଟିକିଏ ଶାଗ, ନଚେତ୍ ଲୁଣ ଲଙ୍କା ସୋରିଷତେଲ ଦେଇ ପ୍ରାୟ ତିନିବେଳା ଖିଆଯାଏ । ଏଭଳି ଦାରିଦ୍ର୍ୟ ଭିତରେ ଜୀବନ କଟିଛି । ତେଣୁ ସମାଜ ଓ ଶୋଷଣର ଚିତ୍ର କିମ୍ବା ଦୁଃଖସୁଖ ଯାହାକୁ କହନ୍ତି, ତାହା କୌଣସି ପୁସ୍ତକ ଅଧ୍ୟୟନ କରି ମତେ ଶିଖିବାକୁ ପଡ଼ିନାହିଁ–ସବୁ ନିଜର ବାସ୍ତବ ଜୀବନର ଅନୁଭୂତି । ମାମୁ ମତେ ଆଣିଥାଆନ୍ତି କଟକରେ ପାଠ ପଢ଼େଇ ମଣିଷ କରିଦେବେ; ମୁଁ ବାପମାଆଙ୍କ ଦୁଃଖ ମୋଚନ କରିପାରିବି । ସେଥିଲାଗି କଟକ ସହରକୁ ଆସିଲି । ଆଜି ମୁଁ ଯେଉଁ ମାମୁଘରେ ବାସ କରୁଛି, ୧୯୨୮ ମସିହାରେ ପ୍ରଥମେ କଟକ ଆସି ସେହି ଘରେ ରହିଥିଲି ।

 

୧୯୩୦ ମସିହା ଜାନୁଆରୀ ୩୦ ତାରିଖ । କାଠଯୋଡ଼ି ନଦୀକୂଳକୁ ବୁଲିବାକୁ ଯାଏଁ ସଞ୍ଜବେଳେ । ସେ ଦିନ ସନ୍‍ସାଇନ୍ ପଡ଼ିଆରେ ଖେଳୁଥିଲୁ । ହଠାତ୍ ପାଚିରି ସେ କଡ଼ରେ ଗୋପବନ୍ଧୁ ଚୌଧୁରୀଙ୍କ ଘର ହତା ଭିତରେ ପାଟିତୁଣ୍ଡ ଶୁଭିଲା । ଥୋକେ ଲୋକ ବସି କ’ଣ ଗୋଟାଏ ଶପଥ ଗ୍ରହଣ କରୁଥାଆନ୍ତି । ଜଣେ ପାଠ କରିବା ପରେ ଅନ୍ୟମାନେ ତାକୁ ଏକା ସାଙ୍ଗରେ ପଢ଼ୁଥାଆନ୍ତି । ଯେମିତି ସ୍କୁଲ୍‍ମାନଙ୍କରେ ପାଠ ଆରମ୍ଭ ପୂର୍ବରୁ ପ୍ରାର୍ଥନା କରାଯାଏ, ସେମିତି ଶୁଭିଲା । ଆମେ କେତେ ପିଲା ଖେଳ ଛାଡ଼ିଦେଇ ସେଇ ଘର ସାମନା ସନ୍‍ସାଇନ୍ ପଡ଼ିଆ ପାଚିରି ଉପରେ ଯାଇ ବସିଲୁ ଶୁଣିବାଲାଗି । ଆମ ସାଙ୍ଗସାଥୀଙ୍କ ଭିତରୁ କେହି କେହି ପରିହାସ କରି ଖତେଇ ହେଲାପରି ସେଠି ବାହାରେ ବସି ପଦେପଦେ କରି କହୁଥାଆନ୍ତି ।

 

ପରେ ଜାଣିଲି, ଏହା ଥିଲା ୧୯୩୦ର ଜାନୁଆରୀ ୨୬ ତାରିଖର ପୂର୍ଣ୍ଣ–ସ୍ଵାଧୀନତା ଶପଥ ପତ୍ର । ଭାରତର ଚାରିଆଡ଼େ ସେ ଦିନ ଏହି ଶପଥ ଗ୍ରହଣ କରାଯାଉଥାଏ । ତା’ ପୂର୍ବରୁ, ଭାରତ ଆଉ ବ୍ରିଟିଶ କବଳରେ ରହିବ ନାହିଁ, ଆମର ଲୋଡ଼ା ପୂର୍ଣ୍ଣ ସ୍ଵାଧୀନତା–ଏମିତିକା ଏକ ପ୍ରସ୍ତାବ ଲାହୋର କଂଗ୍ରେସ ଅଧିବେଶନରେ ଗୃହୀତ ହୋଇ ସାରିଥାଏ । ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହା ଥିଲା ପ୍ରଥମ ପଦକ୍ଷେପ । ଏହାର ସାରମର୍ମ ହେଲା–ଲୋକେ ସଂକଳ୍ପବଦ୍ଧ ହେବେ ବ୍ରିଟିଶ ସରକାର ଓ ସାମ୍ରାଜ୍ୟବାଦୀ ଶାସନକୁ ଲୋପ କରିବା ନିମନ୍ତେ । ଏହା ଥିଲା ପୂର୍ଣ୍ଣ ସ୍ଵରାଜ୍ୟ ଲାଗି ଲଢ଼ାଇର ଅୟମାରମ୍ଭ । ତା’ ଆଗରୁ ଥିଲା ଅସହଯୋଗ ଆନ୍ଦୋଳନ–ମାତ୍ର ତାକୁ ବିଦ୍ରୋହ କୁହାଯାଇ ନ ପାରେ । ସେଇଥିଲାଗି ଏହି ଦିନଟିର ଗୁରୁତ୍ୱ ଏତେ ବେଶି । ଏହି ପ୍ରତିଜ୍ଞା ନେବାର କୋଡ଼ିଏବର୍ଷ ପରେ, ୧୯୫୦ ମସିହାରେ, ଭାରତରେ ପ୍ରଜାତନ୍ତ୍ର ସମ୍ବିଧାନ ପ୍ରଚଳନ କରାଗଲା ଏହି ଜାନୁଆରୀ ମାସରେ । ଜାନୁଆରୀ ୨୬କୁ ସେଇଥିଲାଗି ସାଧାରଣତନ୍ତ୍ର ଦିବସରୂପେ ପାଳନ କରାଯାଉଛି । ସେହି ଯେଉଁ ଶପଥ ପତ୍ର ସେଥିର ଗୋଟିଏ ଜାଗାରେ ଥିଲା–‘‘ବ୍ରିଟିଶ ସରକାର କେବଳ ଭାରତୀୟମାନଙ୍କର ସ୍ଵାଧୀନତା ଅପହରଣ କରିନାହିଁ, ଏହି ସରକାର ପ୍ରତିଷ୍ଠିତ ହୋଇଛି ଜନତାର ଶୋଷଣ ଉପରେ । ଏହା ଶୋଷଣ କରିଚି ଭାରତକୁ–ଆର୍ଥନୀତିକ, ରାଜନୀତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସକଳ ଦିଗରୁ । ତେଣୁ ଆମେ ବିଶ୍ଵାସ କରୁ ଯେ ଭାରତକୁ ବ୍ରିଟିଶଠାରୁ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ ଏବଂ ପୂର୍ଣ୍ଣ ସ୍ଵରାଜ୍ୟ ହାସଲ କରିବାକୁ ପଡ଼ିବ ।

 

ଅପରିଣତ ବୟସର ଯୁବକ ମୁଁ । ତେଣୁ ସନ୍‍ସାଇନ୍ ପଡ଼ିଆ ଆରପଟେ ଯେତେବେଳେ ଏହି ବାକ୍ୟ କେତୋଟିର ପୁନରାବୃତ୍ତି ହେଲା ସେତେବେଳେ ମୁଁ ଏହାର ତାତ୍ପର୍ଯ୍ୟ କିଛି ବୁଝିପାରିଲି କି ନା ଜାଣେନା । ବୁଝି ନ ପାରିବାର ସମ୍ଭାବନା ବେଶି । ମାତ୍ର ଏହି ବାକ୍ୟଗୁଡ଼ିକ ମୋ ପ୍ରାଣରେ ଏକ ଅଦ୍ଭୁତ ସ୍ପନ୍ଦନ ଜାଗ୍ରତ କରାଇଥିଲା । ସାଙ୍ଗସାଥୀମାନେ ଚାଲିଗଲେ । ମୋ ସମ୍ମୁଖରେ ବସି ଯେଉଁ ଲୋକେ ଶପଥ ନେଉଥିଲେ, ସେମାନେ ସେ ସ୍ଥାନ ନ ଛାଡ଼ିବା ପର୍ଯ୍ୟନ୍ତ ମୁଁ ଖେଳପଡ଼ିଆ ପାଚିରି ଉପରେ ସେମିତି ବସିରହିଥିଲି ।

 

ଟିକିଏ ଡେରିରେ ଘରକୁ ଫେରିବାରୁ ପଢ଼ା ଉଛୁର ହୋଇଗଲା । ଗାଳି ଶୁଣିଲି । ପ୍ରକୃତରେ ସେଦିନ ରାତିରେ ଆଉ ସ୍କୁଲ୍‍ପଢ଼ା କରିପାରିଲି ନାହିଁ । ବହୁରାତି ପର୍ଯ୍ୟନ୍ତ ନିଦ ଆସିଲା ନାହିଁ । ସେହି ଦି’ଧାଡ଼ି ବାରମ୍ବାର ତୁଣ୍ଡକୁ ଆସିଯାଉଥାଏ । ତାହାହିଁ ହେଲା ମୋ ଜୀବନରେ ଦେଶପ୍ରେମର ପ୍ରଥମ ରେଖାପାତ । ପାଠପଢ଼ା ତ ଚାଲିଥାଏ–ତା’ ସଙ୍ଗେ ସଙ୍ଗେ ମନ ବ୍ୟାକୁଳ ହେଉଥାଏ ସେଇ ଶପଥ ପତ୍ର ଲାଗି କ’ଣ ସବୁ ହେଉଛି ଜାଣିବା ନିମନ୍ତେ । କଟକରୁ କୌଣସି ଦୈନିକ ସମ୍ବାଦପତ୍ର ବାହାରୁ ନଥାଏ । କେବଳ ‘‘ସାପ୍ତାହିକ ସମାଜ” ପ୍ରକାଶ ପାଉଥାଏ । ମାତ୍ର ତାକୁ ମୁଁ ସେଭଳି ବିଧିବଦ୍ଧ ଭାବରେ ପଢ଼ୁ ନଥିଲି । ଇଂରେଜୀ ଜ୍ଞାନ ତ ହୋଇ ନଥାଏ କହିଲେ ଚଳେ । ମୋର ବଡ଼ମାମୁ ପଣ୍ଡିତ ଆକୁଳ ମିଶ୍ର ଥିଲେ ଜଣେ ଦେଶହିତୈଷୀ । ସେ ଦୈନିକ ଇଂରେଜୀ ‘ଅମୃତବଜାର ପତ୍ରିକା’ ଏବଂ ମାସିକ ବଙ୍ଗଳା ‘ବସୁମତୀ’ ଆଦି ଆଣୁଥାଆନ୍ତି । ମୁଁ ରାତିରେ ତାଙ୍କ ରହିବା ଘରୁ ଲୁଚେଇ ପତ୍ରିକା ଆଣି ରଖିଦିଏ ଏବଂ ଫୁରୁସତ୍‍ବେଳେ ଅନ୍ୟମାନଙ୍କ ଅଗୋଚରରେ ଇଂରେଜୀ ଡିକ୍ସନାରୀ ଧରି ତାହା ପଢ଼ି ବୁଝିବା ଲାଗି ଚେଷ୍ଟା କରେ । କେତେକ ବୁଝେ, କେତେକ ପାରେ ନାହିଁ । ମାତ୍ର ସମ୍ବାଦପତ୍ର ପଢ଼ା ଅଭ୍ୟାସ କ୍ରମେ ଏହି କୌତୂହଳ ଯୋଗୁଁ ଆରମ୍ଭ ହୋଇଗଲା । ବ୍ରିଟିଶଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ହେବ ଏ ଶପଥ ଅବଶ୍ୟ ମୁଁ ସେଦିନ ନେଇ ନଥିଲି, ମାତ୍ର ସମ୍ପର୍କ ତୁଟାଇବାର କଳ୍ପନା ମୋ ମନରେ ସେହିଦିନ ଖେଳିଯାଇଥିଲା-। କ୍ରମେ ପରବର୍ତ୍ତୀ ଘଟନାବଳି ଏଭଳି ଗତି ଧାରଣ କଲା ଯେ ମୁଁ ସେହି ବର୍ଷ ଇଂରେଜୀ ସ୍କୁଲ୍‍ରେ ଆଉ ପଢ଼ିବି ନାହିଁ ବୋଲି ମନସ୍ଥ କରି ସ୍କୁଲ୍‍ ତ୍ୟାଗ କରି ବାହାରିଆସିଲି । ସେଇ ଯେ ଆସିଚି, ଆଉ ଫେରିନାହିଁ କି ପଛକୁ ଅନାଇ ନାହିଁ । ଇଂରେଜରାଜ ଲୋପ ନ ହେବାଯାଏଁ ଦେହର କ୍ଳାନ୍ତି କ୍ଳାନ୍ତି ନୁହେଁ; ଜୀବନରେ ବିରାମ ନାହିଁ, ସ୍ୱଚ୍ଛନ୍ଦ ଜୀବନଯାପନର ପ୍ରଶ୍ନ ଉଠୁନାହିଁ ।

☆☆☆

 

ଓଡ଼ିଆ ଲୋକ ! ସେ ପୁଣି କ’ଣ ?

 

ସ୍ଥୂଳତଃ ମୋ ରାଜନୀତିକ ଜୀବନକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମତଃ ସ୍ଵାଧୀନତା ସଂଗ୍ରାମ, ଦ୍ଵିତୀୟରେ ପାର୍ଲିଆମେଣ୍ଟାରୀ କାର୍ଯ୍ୟ, ତୃତୀୟରେ ସମାଜବାଦ ସ୍ଥାପନ ଲାଗି ସାଧନା । ଶେଷୋକ୍ତ ସଂଗ୍ରାମର ପରିସମାପ୍ତି ଘଟିନାହିଁ । ନିଜର ଶକ୍ତି ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ ଚାଲିବ ।

 

ଏଥିରେ ସନ୍ଦେହ ନାହିଁ ଯେ ଆମ ଦେଶ ସ୍ଵାଧୀନ ହେବାର ପରବର୍ତ୍ତୀ ଘଟନାବଳି ଏବେ ସୁଦ୍ଧା ଲୋକଲୋଚନ ଅଗୋଚରରେ ରହିଛି । ପୃଥିବୀର ଅନ୍ୟ ଦେଶମାନଙ୍କରେ ଯେଭଳି ସ୍ଵାଧୀନତା–ବିପ୍ଳବର ଇତିହାସ ଅଧ୍ୟୟନ କରିବାକୁ ମିଳେ, ସେଭଳି କୌଣସି ପୁସ୍ତକ ବା ଲେଖା ଧାରାବାହିକ ଭାବରେ ଆମର ପ୍ରକାଶିତ ହୋଇନାହିଁ । ଓଡ଼ିଆ ସାହିତ୍ୟରେ ସେଭଳି କିଛି ନାହିଁ କହିଲେ ଚଳେ । ସ୍ୱାଧୀନୋତ୍ତର ଯୁବକଯୁବତୀଙ୍କ ପକ୍ଷରେ ସେତେବେଳକାର ନିର୍ଯାତନା, ଲାଞ୍ଛନା, ଉତ୍ପୀଡ଼ନ, ତଥା ସାମ୍ରାଜ୍ୟବାଦୀ ଶୋଷଣ ବିରୁଦ୍ଧରେ ଅଭିଯାନର ମର୍ମ ଉପଲବ୍ଧି କରିବା କଷ୍ଟକର । ହିଂସାମୂଳକ ବିପ୍ଳବ ବା ବିଦ୍ରୋହକୁ ବୁଝିବା ସହଜ । ଇତିହାସରେ ତା’ର ବହୁ ଦୃଷ୍ଟାନ୍ତ ମିଳେ । ମାତ୍ର ଶାନ୍ତିପୂର୍ଣ୍ଣ ବିଦ୍ରୋହ ବା ବିପ୍ଳବ ଏକ ଅଭିନବ ରଣକୌଶଳ । ଭାରତରେ ଏହାର ସଫଳ ସେନାନାୟକ ଥିଲେ ମହାତ୍ମା ଗାନ୍ଧୀ । ସେ ଖାଲି ନବୀନ ଭାରତର ଜନକ ନୁହନ୍ତି, ନିଜ ଜୀବଦ୍ଦଶାରେ ଭାରତର କୋଟି କୋଟି ନିରସ୍ତ୍ର ଜନଶକ୍ତିକୁ ସେ ଯେଭଳି ସଂଗଠିତ କରି ଏକ ମହାନ୍ ବିପ୍ଳବ ସୃଷ୍ଟି କଲେ, ଦେଶକୁ ସାମ୍ରାଜ୍ୟବାଦୀ ଶୃଙ୍ଖଳରୁ ମୁକ୍ତ କରାଇଲେ, ତାହା ସମଗ୍ର ଏସିଆ ଭୂଖଣ୍ଡରେ ଉପନିବେଶୀ ରାଜ୍ୟରୂପେ ଶୋଷିତ ହେଉଥିବା ବହୁ ଦେଶରେ ନୂତନ ପ୍ରେରଣା ଜାଗ୍ରତ କରାଇଲା ଏବଂ ସାମ୍ରାଜ୍ୟବାଦର ଶେଷ କବର ଦେବା କାର୍ଯ୍ୟ ଭାରତଭୂମିରୁ ଆରମ୍ଭ ହେଲା । ତେଣୁ ଏହାର ଗୁରୁତ୍ଵ ଓ ମହତ୍ତ୍ଵ ଚିରଦିନ ଲାଗି ଅନୁଭୂତ ହେଉଥିବ ।

 

ଏହି ମହାନ୍ ବିପ୍ଳବରେ ଓଡ଼ିଶାର ଦାନ କିଛି ଊଣା ନୁହେଁ । ଅପେକ୍ଷାକୃତ ଅବହେଳିତ ଓ ଅନୁନ୍ନତ ରାଜ୍ୟ ହୋଇଥିବାରୁ ଭାରତର ଚାରିଆଡ଼େ ଏହାର ପ୍ରଚାର ହୋଇପାରି ନଥିଲା ସତ; ମାତ୍ର ଏହା ସ୍ଵୀକାର୍ଯ୍ୟ ଯେ, ଅସହଯୋଗ ଆନ୍ଦୋଳନଠାରୁ ଆରମ୍ଭ କରି ୧୯୪୨ ମସିହାର ଅଗଷ୍ଟ ବିପ୍ଳବ ପର୍ଯ୍ୟନ୍ତ ସବୁଥିରେ ଓଡ଼ିଶାରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ହୋଇଥିଲା । ସେହିଭଳି ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ଓଡ଼ିଶାରେ ଅଭୂତପୂର୍ବ ସାଫଲ୍ୟ ଲାଭ କରିଥିଲେ ସୁଦ୍ଧା ସେତେବେଳକାର ବିବରଣୀରେ ଏହାର ସମୁଚିତ ଉଲ୍ଲେଖ ନଥିଲା, କାରଣ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହୋଇ ନଥାଏ । ବିହାର–ଓଡ଼ିଶା ଏକ ପ୍ରାନ୍ତ ଥିଲା । ଏକ ଡିଭିଜନାଲ କମିଶନର ଅଧୀନରେ ଓଡ଼ିଶା ପଡ଼ିଥାଏ ଏକ କୋଣରେ । ପାଟନା ଥାଏ ଏହାର ରାଜଧାନୀ । ତେଣୁ ଯେତେ ସମ୍ବାଦ ପ୍ରକାଶପାଉଥାଏ ତାହା ବିହାର ପ୍ରଦେଶରେ ଘଟୁଚି ବୋଲି ପରିଗଣିତ ହେଉଥାଏ । ମୋର ସ୍ମରଣ ଅଛି–୧୯୩୦ ନଭେମ୍ବର ବା ଡିସେମ୍ବର ମାସବେଳକୁ ଆମେ ସବୁ କଟକରୁ ପାଟନା କ୍ୟାମ୍ପ୍ ଜେଲକୁ ବଦଳି ହେଲୁ ଏବଂ ସେଠାରେ ପ୍ରାୟ ଚାରିହଜାର ରାଜବନ୍ଦୀଙ୍କ ଭିତରେ ଏକ ସ୍ଵତନ୍ତ୍ର ଓଡ଼ିଶା–ୱାର୍ଡ଼ରେ ଏକାଠି ରହିଲୁ । ବିହାରୀ ବନ୍ଦୀ ଭାଇ ଓ ଜେଲ କର୍ମଚାରୀଙ୍କ ଭିତରେ କୌତୂହଳ ଜାତ ହୋଇଥିଲା ଯେ, ଓଡ଼ିଆ ଲୋକ ପୁଣି କ’ଣ ? ସେମାନେ ଆମମାନଙ୍କ ଜାତୀୟ ସଙ୍ଗୀତ ଓ କଥାବାର୍ତ୍ତା ଅତି ଆଗ୍ରହର ସହିତ ଶୁଣୁଥାଆନ୍ତି । ମାସ ମାସ ଧରି ଜେଲ ଭିତରେ ରହିଲୁ, ତଥାପି କେତେକ ଲୋକ ଆମକୁ ଶେଷ ପର୍ଯ୍ୟନ୍ତ ବଙ୍ଗାଳୀବାବୁ ବୋଲି କହିବା ଛାଡ଼ିଲେ ନାହିଁ । ତେଣୁ ସ୍ଵାଧୀନତା ଆନ୍ଦୋଳନରେ ଯାହାସବୁ ଘଟିଯାଇଛି ତାହା ବାହାରକୁ ଯେଭଳି ଅଜଣା ରହିଛି ପ୍ରଦେଶ ଭିତରେବି ତା’ର ସଠିକ୍ ବିବରଣୀ ସଂଗ୍ରହ କରିବା କଷ୍ଟକର । ୧୯୩୧ ମସିହାରେ ଗାନ୍ଧୀ–ଇରଉଇନ ଚୁକ୍ତି ପରେ ଜାତୀୟ କଂଗ୍ରେସର ଯେଉଁ ଅଧିବେଶନ କରାଚିଠାରେ ହେଲା ସେଥିରେ ଓଡ଼ିଶାରେ ଆନ୍ଦୋଳନର ଗୁରୁତ୍ଵ ବୁଝି ପ୍ରଥମ ଥରପାଇଁ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଶ୍ରୀ ଗୋପବନ୍ଧୁ ଚୌଧୁରୀଙ୍କୁ କଂଗ୍ରେସ କାର୍ଯ୍ୟକାରୀ ସମିତିର ଏକ ନିମନ୍ତ୍ରିତ ସଦସ୍ୟରୂପେ ଗ୍ରହଣ କରାଗଲା । ସେତେବେଳେ ଜାତୀୟ କଂଗ୍ରେସ ଥିଲା ଭାରତର ସର୍ବୋତ୍ତମ ରାଜନୀତିକ ସଙ୍ଗଠନ । ସେଥିରେ କୌଣସି ଆସନ ଲାଭ କରିବା ଏକ ଗର୍ବ ଓ ଗୌରବ ବୋଲି ଗଣ୍ୟ କରାଯାଉଥିଲା ।

 

ତେଣୁ ଆମ ଦେଶର ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ତିନିଭାଗରେ ବିଭକ୍ତ କରାଯାଇପାରେ । (୧) ଅସହଯୋଗ ଆନ୍ଦୋଳନ, (୨) ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନ, (୩) ‘କର ବା ମର’ ବା ଅଗଷ୍ଟ ବିପ୍ଳବ । ଅଗଷ୍ଟ ବିପ୍ଳବ ନାମକରଣ ହୋଇଛି ୧୯୪୨ ମସିହା ଅଗଷ୍ଟ ନଅ ତାରିଖରେ, ମହାତ୍ମାଗାନ୍ଧୀ ଓ ଅନ୍ୟମାନଙ୍କୁ ଇଂରେଜ ସରକାର ଗିରଫ୍‍ କରି ଏକପ୍ରକାରର ଯୁଦ୍ଧ ଘୋଷଣା କରିଦେଲା ବୋଲି । ମାତ୍ର ବାସ୍ତବିକ ଏହି ବିପ୍ଳବର ସୂତ୍ରପାତ ଆହୁରି ଆଗରୁ ହୋଇଥିଲା ।

 

ତରୁଣ ବୟସରେ ଶ୍ରୀ ସୁରେନ୍ଦ୍ରନାଥ ଦ୍ଵିବେଦୀ, ଶ୍ରୀ ମନମୋହନ ଚୌଧୁରୀ, ଶ୍ରୀ ଗୌରଚନ୍ଦ୍ର ଦାସ ଓ ଶ୍ରୀ ଗୌରାଙ୍ଗ ଦାସ ।

☆☆☆

 

୧୯୪୨ ଆନ୍ଦୋଳନର ପୂର୍ବାଭାସ

 

୧୯୪୨ ମସିହା ଅଗଷ୍ଟବେଳକୁ ଭାରତର ରାଜନୀତିକ ଆକାଶ ସରଗରମ ହୋଇ ଉଠିଥାଏ । ଏଡ଼େ ବଡ଼ ଯୁଦ୍ଧ ପରେ ସୁଦ୍ଧା ବ୍ରିଟିଶ ସରକାରଙ୍କ ମତିଗତିର କୌଣସି ପରିବର୍ତ୍ତନ ହୋଇ ନଥାଏ । କେହି ନ୍ୟାୟବିଚାର କରି ଯେ ଭାରତକୁ ସ୍ୱାଧୀନତା ଦେବ ଏ ଆଶା ମଉଳି ଯାଇଥାଏ । ଗାନ୍ଧିଜୀଙ୍କ ମନର ଦୃଢ଼ତା ଆହୁରି ବଢ଼ିଯାଇଥାଏ । ମୌଲାନା ଅବୁଲକାଲାମ ଆଜାଦ ତାଙ୍କ ପୁସ୍ତକ “India Wins Freedom”ରେ ଲେଖିଛନ୍ତି–ଗାନ୍ଧିଜୀଙ୍କ ମତ ଥିଲା, ଯୁଦ୍ଧ ଆସି ଯେତେବେଳେ ଭାରତର ସୀମାନ୍ତରେ ପହଞ୍ଚିଲାଣି, ଏତେବେଳେ ଆମେ ଆନ୍ଦୋଳନ ଆରମ୍ଭ କରିଦେଲେ ଇଂରେଜମାନେ ଅତି ଶୀଘ୍ର ଆସି ସନ୍ଧି କରିବେ, ମିଳାମିଶା ଲାଗି କଥାବାର୍ତ୍ତା ଚଳାଇବେ । ଧର ଏହା ନ ହେଲା, ଗାନ୍ଧିଜୀଙ୍କ ବିଶ୍ଵାସ ଥିଲା ଯେ ଜାପାନ ଯେତେବେଳେ ଆସି ଦୁଆରମୁହଁରେ, ସେତେବେଳେ ଇଂରେଜ ସରକାର ମିଳାମିଶା ନ କଲେ ସୁଦ୍ଧା ଆନ୍ଦୋଳନକୁ ଦବାଇବା ଲାଗି କୌଣସି କଠୋରତା ପ୍ରୟୋଗ କରିପାରିବ ନାହିଁ । ତେଣୁ ଗାନ୍ଧିଜୀଙ୍କ ମତ ହେଲା, ଗୋଟାଏ ଶକ୍ତିଶାଳୀ ବିଦ୍ରୋହ କରିବା ନିମନ୍ତେ କଂଗ୍ରେସ ପକ୍ଷରେ ଏହା ଅନୁକୂଳ ମୁହୂର୍ତ୍ତ ଓ ସୁଯୋଗ । ମୌଲାନା ଆଜାଦ ଲେଖିଛନ୍ତି–ଏଥିରେ ଗାନ୍ଧିଜୀଙ୍କ ସହ ତାଙ୍କର ମତଭେଦ ହେଲା-। ପୂର୍ବରୁ ଦ୍ଵିତୀୟ ମହାସମର ଲାଗିଲା ପରେ ଯାହାସବୁ ରାଜନୀତିକ ଘଟନାବଳି ଘଟିଥିଲା ସେଥିରେ ଗାନ୍ଧିଜୀଙ୍କ ସହ ତାଙ୍କର ଅନେକ କଥାରେ ମତଭେଦ ରହିଥିଲା । ଏଥର ଜୁଲାଇ ୫ ତାରିଖରେ ଏହି ମତଭେଦ ଆହୁରି ବଢ଼ିଗଲା । ଶେଷକୁ ଆଲୋଚନା ପରେ ଯେଉଁ ପ୍ରସ୍ତାବ ପାସ୍ କରାଗଲା, ସେଥିରେ ଘୋଷଣା କରାଗଲା ଯେ ଏଣିକି ପ୍ରକାଶ୍ୟ ବିଦ୍ରୋହ ହେବ । ଅବଶେଷରେ ଅଗଷ୍ଟ ମାସରେ ବମ୍ବେରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଯେଉଁ ‘ଭାରତଛାଡ଼’ ପ୍ରସ୍ତାବ ଗୃହୀତ ହେଲା, ଏ ସବୁ ହେଉଛି ତା’ର ପୂର୍ବବର୍ତ୍ତୀ ଘଟଣା ।

 

କଂଗ୍ରେସ ନେତାମାନଙ୍କ ଭିତରେ ଏପରି ମତଭେଦ କିଛି ନୂଆ କଥା ନଥିଲା । ମାତ୍ର ଆମେ ସୋସଲିଷ୍ଟମାନେ ସେଥିଲାଗି ଅନ୍ୟ ସବୁ କଂଗ୍ରେସ ଲୋକଙ୍କ ଅପେକ୍ଷା ଗାନ୍ଧିଜୀଙ୍କ ଉପରେହିଁ ଭରସା ରଖିଥାଉ । ଗାନ୍ଧିଜୀଙ୍କ ସହିତ ଆମମାନଙ୍କର ଅବଶ୍ୟ ଭୀଷଣ ମତପାର୍ଥକ୍ୟ ରହିଥାଏ । କଂଗ୍ରେସ ସୋସଲିଷ୍ଟ ପାର୍ଟି ଶ୍ରେଣୀ ସଂଗ୍ରାମ ଭିତ୍ତିରେ ସମାଜବାଦ ଆଣିବାକୁ ଚାହେଁ ବୋଲି ଘୋଷଣା କରିଥିବାରୁ ଗାନ୍ଧିଜୀ ଏହାର ତୀବ୍ର ବିରୋଧ କଲେ । ଏପରି କି, କହିଲେ ଯେ, ଏଭଳି ଚିନ୍ତାଧାରା କଂଗ୍ରେସରେ ଗୃହୀତ ହେଲେ ସେ କଂଗ୍ରେସ ପରିତ୍ୟାଗ କରିବେ । ୧୯୩୪ ମସିହାଠାରୁ ସେ କଂଗ୍ରେସର ପ୍ରାଥମିକ ସଭ୍ୟପଦ ତ୍ୟାଗ କଲେ । ମାତ୍ର ଆମର ବିଶ୍ଵାସ ଥାଏ ଗାନ୍ଧିଜୀ ଲୋକଙ୍କ ନାଡ଼ି ଚିପିଛନ୍ତି, ସେ ଲୋକଙ୍କ ମନ ବୁଝନ୍ତି, ସେ ଲୋକଙ୍କ ଭାଷାରେ କଥା କହି ସେମାନଙ୍କୁ ପ୍ରଭାବିତ କରିପାରନ୍ତି । ଯେକୌଣସି ବିଦ୍ରୋହ ବା ବିପ୍ଳବ ତାଙ୍କ ନେତୃତ୍ୱରେହିଁ ହୋଇପାରିବ । ଇଂରେଜ ରାଜୁତିକୁ ଏ ଦେଶରୁ ହଟାଇବାକୁ ହେଲେ ଗାନ୍ଧିଜୀଙ୍କ ନେତୃତ୍ୱ ଲୋଡ଼ା-। ଆଗ ଦେଶ ସ୍ଵାଧୀନ ହେଲେ ତେବେ ଯାଇ ସମାଜବାଦ । ପରାଧୀନତାର ଶୃଙ୍ଖଳ ଛିନ୍ନ କରିବାକୁ ପଡ଼ିବ । ସ୍ୱାଧୀନତା ଆନ୍ଦୋଳନହିଁ ପରାଧୀନ ଦେଶ ପକ୍ଷରେ ସବୁଠାରୁ ପ୍ରଥମ ବିପ୍ଳବ-। ଆମର ଏଇଠି କମ୍ୟୁନିଷ୍ଟଙ୍କ ସହ ମତଭେଦ ଥିଲା । ସେମାନେ ଏହାକୁ ବୁର୍ଜୋୟା ଆନ୍ଦୋଳନ କହି ତାଚ୍ଛଲ୍ୟ କରୁଥିଲେ । ମାତ୍ର ଆମ ଯୁବପ୍ରାଣ ବିଦ୍ରୋହ ତଥା ବିପ୍ଳବ ଲାଗି ଅସ୍ଥିର ହେଉଥିଲା-। କୌଣସି ପ୍ରକାରର ଆପୋସ ସମାଧାନକୁ ଆମେ ପସନ୍ଦ କରୁ ନଥିଲୁ । ମୋ ଭଳି ବହୁ ଯୁବକ ଚାହୁଁଥିଲେ ପ୍ରତ୍ୟକ୍ଷ ଆନ୍ଦୋଳନ । ତେଣୁ ମୌଲାନା ଆଜାଦଙ୍କ ପରି ଯେଉଁମାନେ ଗାନ୍ଧିଜୀଙ୍କ ସହିତ ଏହିସବୁ ବିଷୟରେ ଭିନ୍ନ ମତ ପ୍ରକାଶ କରୁଥିଲେ, ସେମାନଙ୍କ ପ୍ରତି ଆମର ଆଦୌ ସହାନୁଭୂତି ନଥିଲା ।

 

ଆମେ ସବୁ ପୂର୍ଣ୍ଣ ଅହିଂସାବାଦୀ ଥିଲୁ ବୋଲି କହିବା ଭୁଲ ହେବ । ଗାନ୍ଧିବାଦୀମାନେ ଅହିଂସାକୁ ଧର୍ମଭାବରେ ଗ୍ରହଣ କରୁଥିଲେ । ଆମେ ଅବଶ୍ୟ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପକ୍ଷପାତୀ ଥିଲୁ, ହିଂସାରେ ବିଶ୍ଵାସ କରୁ ନଥିଲୁ; ମାତ୍ର ଏହା ବୋଲି ଯଦି ଆନ୍ଦୋଳନ ହେଉ ହେଉ ଏକ ଗଣବିପ୍ଳବରେ କୌଣସିଠାରେ ତା’ର ବ୍ୟତିକ୍ରମ ଘଟିଗଲା, ସେଥିଲାଗି ପ୍ରଚଣ୍ଡ ଦୋଷ ହୋଇଗଲା ଏବଂ ଏହା ସ୍ଥଗିତ ରଖାଯିବା ଉଚିତ ବୋଲି ଆମେ ଭାବୁ ନଥିଲୁ । ତଥାପି ଗାନ୍ଧିଜୀଙ୍କ ନେତୃତ୍ୱ ଉପରେ ପୂର୍ଣ୍ଣ ଆସ୍ଥା ଥିଲା ଏବଂ ସେ ବିଦ୍ରୋହର ନାୟକ ବା ଚାଳକ ହେବେ–ଏ ବିଶ୍ଵାସ ଆମର ଥିଲା । ଗାନ୍ଧିଜୀ କିପରି ଦୁରଦ୍ରଷ୍ଟା ଥିଲେ ଏବଂ ଆଗକୁ ଭାବି ନିଜର କର୍ମପନ୍ଥା ସ୍ଥିର କରୁଥିଲେ, ତା’ର ବହୁ ପ୍ରମାଣ ରହିଛି ।

 

ଗାନ୍ଧିଜୀ ୧୯୩୩ ମସିହାରେ ଯେତେବେଳେ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନ ବନ୍ଦ କରିଦେଲେ, ସେତେବେଳେ ମୋ ପରି କ୍ଷୁଦ୍ର ସଂଗ୍ରାମୀମାନେ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଲେ । ସେ ବର୍ଷକ ଲାଗି ହରିଜନ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ସାରା ଭାରତରେ ପଦଯାତ୍ରା ଆରମ୍ଭ କରିଦେବାରେ ଆମ ମନରେ ଆଘାତ ଲାଗିଲା । ଆମେ ଭାବିଲୁ, ଏତେ ବଡ଼ ବୈପ୍ଳବିକ ପରିସ୍ଥିତିକୁ ଶେଷରେ କ’ଣ ଏକ ସଂସ୍କାରମୂଳକ ଆନ୍ଦୋଳନରେ ପରିଣତ କରାଯିବ ? ଏହା ବିପ୍ଳବର ପରିପନ୍ଥୀ ହେବ । ବିପ୍ଳବୀମାନଙ୍କୁ ଉତ୍ସାହ ଦେଇପାରିବ ନାହିଁ । ଗାନ୍ଧିଜୀ ଓଡ଼ିଶାରେ ହରିଜନ ଉଦ୍ଧାର ଲାଗି ପଦଯାତ୍ରା କରୁଥାଆନ୍ତି । ଆମେ କେତେଜଣ ସେଥିରେ ଯୋଗଦେଇଥିଲୁ ସମାଲୋଚକ ଭାବରେ, ଅନୁଗାମୀ ଭାବରେ ନୁହେଁ ।

 

ଭଦ୍ରକର ତତ୍କାଳୀନ ଜଣେ ଓଡ଼ିଆ ଏସ୍.ଡ଼ି.ଓ. ସରକାରଙ୍କ “ସଚ୍ଚା ଯୋ ହୁକୁମ” ବୋଲି ପରିଚୟ ଦେବା ଲାଗି ଗାନ୍ଧିଜୀଙ୍କ ଉପରେ ମଧ୍ୟ ୧୪୪ ଧାରା ଜାରି କରିଥିଲେ । ଶହ ଶହ ନର–ନାରୀ ଗାନ୍ଧିଜୀଙ୍କ କଥା ଶୁଣିବା ଲାଗି ଓ ତାଙ୍କୁ ଦେଖିବା ଲାଗି ଜମା ହେଉଥାଆନ୍ତି । ଏହି ୧୪୪ ଧାରା ଫଳରେ ସେମାନେ ସେଥିରୁ ବଞ୍ଚିତ ହେଲେ । ବାହାରେ ସଭା ହୋଇ ପାରିଲା ନାହିଁ । ଓଡ଼ିଶା ଛଡ଼ା ଅନ୍ୟ କୌଣସିଠାରେ ଗାନ୍ଧିଜୀଙ୍କ ପ୍ରତି କେହି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରି ନଥିଲେ । ମାତ୍ର ଓଡ଼ିଶାରେ ଏହା ଘଟିଲା । ସବୁଠାରୁ ଦୁଃଖଦାୟକ କଥା ହେଉଛି, ୧୯୩୭ ମସିହାରେ ଯେତେବେଳେ ଶ୍ରୀ ବିଶ୍ଵନାଥ ଦାସଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ସ୍ଥାପିତ ହେଲା, ସେତେବେଳେ ଏହି ଅଫିସର ଜଣଙ୍କୁ ଶାସ୍ତି ଦେବା ପରିବର୍ତ୍ତେ ଜିଲ୍ଲା ମାଜିଷ୍ଟ୍ରେଟ ପଦକୁ ଉନ୍ନୀତ କରାଗଲା । ନିମକହାରାମିର ପୁରସ୍କାର ମିଳିଲା–ପୁଣି ଜଣେ ଜାତୀୟତାବାଦୀଙ୍କଠାରୁ !

 

୧୪୪ ଧାରା ଜାରିଥିବା ଫଳରେ ଗାନ୍ଧିଜୀ ସାଧାରଣ ସ୍ଥାନରେ ସଭାସମିତି କରି ପାରିଲେ ନାହିଁ । ଭଦ୍ରକରେ ଜୀବନରାମଜୀ କଲ୍ୟାଣଜୀଙ୍କ ଆଶ୍ରମ ଭିତରେ ଆମେ ସମସ୍ତେ ଏକାଠି ହେଲୁ ଏବଂ ସେହିଠାରେ ଗାନ୍ଧିଜୀଙ୍କ ସହ ଆଳାପ ଆଲୋଚନା କରିବାର ସୁଯୋଗ ମିଳିଥିଲା । ଆମେ ସବୁ କ୍ରୋଧାନ୍ୱିତ ହୋଇ ଗାନ୍ଧିଜୀଙ୍କୁ ‘ଆପଣ ସତ୍ୟାଗ୍ରହ ବନ୍ଦ କଲେ କାହିଁକି, ‘ଆନ୍ଦୋଳନ ବିଫଳ ହୋଇଗଲା କି’ ବୋଲି ପଚାରିଲୁ ସେତେବେଳେ ଗାନ୍ଧିଜୀ ଯେଉଁ ଉତ୍ତର ଦେଲେ ସେଥିରୁ ସ୍ପଷ୍ଟ ହୋଇଗଲା ଯେ ଗାନ୍ଧିଜୀ ଲଢ଼େଇର ପଥ ଛାଡ଼ିଲେଣି ବୋଲି ଆମେ ଯାହା ଭାବୁଥିଲୁ ତାହା ଭୁଲ । ନେପୋଲିଅନ ଯେମିତି କହିଥିଲେ, ଗାନ୍ଧିଜୀ ଆମକୁ ସେହିଭଳି ବୁଝାଇଦେଲେ–‘‘ମୋର ଆନ୍ଦୋଳନ ବିଫଳ ହୋଇନାହିଁ, ମୁଁ ଗନ୍ତବ୍ୟ ପଥରୁ ହଟିନାହିଁ । ମୋ ଆଗରେ ମୋ ଲକ୍ଷ୍ୟପଥ ରହିଛି ବହୁଦୂରରେ; ମୁଁ ସେଠି ପହଞ୍ଚିବାକୁ ଚାହେଁ । ଘରୁ ବାହାରି ପଡ଼ିଛି, ମାତ୍ର ବାଟରେ ହାବୁଡ଼ିଲି ନଦୀ । ମତେ ସେ ନଦୀ ପାରହେବାକୁ ପଡ଼ିବ । ଯଦି ପହଁରି ପହଁରି ଯିବି ମତେ କୁମ୍ଭୀର ଖାଇଯିବ । ତେଣୁ ଲକ୍ଷ୍ୟସ୍ଥଳରେ ପହଁଚି ପାରିବି ନାହିଁ । ମୋ ପକ୍ଷରେ ଏକମାତ୍ର ପନ୍ଥା ହେଉଛି ନୌକା ସାହାଯ୍ୟରେ ନଦୀ ଅତିକ୍ରମ କରିବା । ସେ ନୌକାଟି ମୋ ପାଖରେ ନାହିଁ । ତେଣୁ ସେଥିରୁ ଗୋଟିଏ ଯୋଗାଡ଼ କରି କିମ୍ଵା ତିଆରି କରି ନଦୀ ପାର ହେବାକୁ ମତେ ସମୟ ଲାଗିବ । ଏବେ ମୁଁ ସେମିତିକା ପରିସ୍ଥିତି ଭିତରେ ରହିଚି । ଅନ୍ୟ ପ୍ରସ୍ତୁତି ଚାଲିଚି । ନୌକା ମିଳିଗଲେ ନଦୀ ପାରହୋଇ ପୁଣି ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇ ଯିବା । ତେଣୁ ଆନ୍ଦୋଳନ ବିଫଳ ହୋଇନାହିଁ କି ବନ୍ଦ ହୋଇନାହିଁ ।”

 

ବାସ୍ତବିକ ଏହା ଥିଲା ଆନ୍ଦୋଳନ ବନ୍ଦ ଓ ଆରମ୍ଭ କରିବା ବିଷୟରେ ଗାନ୍ଧିଜୀଙ୍କ ମନୋବୃତ୍ତି । ସେହି ଅନୁସାରେ ସେ ଯୋଜନା କରୁଥିଲେ ଏବଂ ଶହ ଶହ ବିଦ୍ରୋହୀଙ୍କୁ ତିଆରି କରୁଥିଲେ । ନେତାମାନଙ୍କ ଭିତରେ ମତଭେଦ ଘଟିଥିବା ସତ୍ତ୍ଵେ ୧୯୪୨ ଜୁଲାଇ ମାସରେ ପ୍ରକାଶ୍ୟ ବିଦ୍ରୋହ ସକାଶେ ଅବଶ୍ୟ କଂଗ୍ରେସ କାର୍ଯ୍ୟକାରୀ ସମିତି ପ୍ରସ୍ତାବ ପାସ୍ କଲେ; ମାତ୍ର ତା’ର ଆଗରୁ ୧୯୪୨ ମେ–ଜୁନ୍ ମାସରେ ମୁଁ ଗାନ୍ଧିଜୀଙ୍କ ସହିତ ନିଭୃତରେ ଆଲୋଚନା କଲାବେଳେ ସେ ଝଲକ ପାଇଥିଲି ।

☆☆☆

 

ବିଭିନ୍ନ ନେତାଙ୍କ ମତିଗତି

 

୧୯୪୨ ଅଗଷ୍ଟ ବିପ୍ଳବର ପରିକଳ୍ପନା ଗାନ୍ଧିଜୀଙ୍କର । ସେ ଯଦି ଦୃଢ଼ତା ଦେଖାଇ ନଥାନ୍ତେ, ତେବେ ସେତେବେଳକାର କଂଗ୍ରେସ ନେତୃତ୍ଵ ଯେଉଁ ଦ୍ଵିଧାରେ ପଡ଼ିଥିଲେ ସେମାନେ କେବେହେଁ ଏପରି ଏକ ଶେଷ ସଂଗ୍ରାମ ଡାକରା ଦେବା ଲାଗି ସାହାସ କରି ନଥାନ୍ତେ । ଦେଶର ପୂର୍ଣ୍ଣ ସ୍ଵାଧୀନତା ଲାଭ ହୁଏତ ଆହୁରି ପଛାଇ ଯାଇଥାନ୍ତା । ଗାନ୍ଧିଜୀଙ୍କୁ ଅନେକେ କେବଳ ଭଗବାନଙ୍କ ଅବତାର ବୋଲି ବିଚାରି ତାଙ୍କର ବୈପ୍ଳବିକ ଚିନ୍ତା ଓ ମନର ଗତିକୁ ଗୁରୁତ୍ଵ ଦିଅନ୍ତି ନାହିଁ । ଗାନ୍ଧିଜୀ ଯେ ଚରମ ଭଗବତ୍‍ବିଶ୍ଵାସୀ ଏବଂ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ‘ଅନ୍ତର–ପ୍ରେରଣା’ଦ୍ଵାରା ପରିଚାଳିତ ହେଉଥିଲା, ଏହା ସାଧାରଣ ଭାବରେ ବିଶ୍ୱାସ କରାଯାଇଥାଏ । ମାତ୍ର ଗାନ୍ଧିଜୀ ବାସ୍ତବିକ ଥିଲେ ଅତି ବିଚକ୍ଷଣ ରଣକୌଶଳୀ । ପ୍ରତ୍ୟେକ କାର୍ଯ୍ୟ ଓ ନିଷ୍ପତ୍ତି ପଛରେ ତାଙ୍କର ରହିଥିଲା ସୁଚିନ୍ତିତ କଳ୍ପନା ଓ ପ୍ରସ୍ତୁତି । ଆମେମାନେ ବମ୍ବେରେ ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ଅଗଷ୍ଟ ୯ ତାରିଖ ସକାଳେ ଗାନ୍ଧିଜୀଙ୍କୁ ଭେଟିବା ଲାଗି ‘ବିରଳାଭବନ’କୁ ଗଲୁ ସତ, ମାତ୍ର ଗାନ୍ଧିଜୀ ନଥିଲେ; ରାତିପାହାନ୍ତିଆରୁ ତାଙ୍କୁ ପୁଲିସ ନେଇଯାଇଥିଲେ ପୁନାର ଆଗା ଖାଁ ପ୍ରାସାଦକୁ ବନ୍ଦୀ କରି । ଆମେ ତାଙ୍କଠୁଁ କିଛି ପ୍ରତ୍ୟକ୍ଷ ନିର୍ଦ୍ଦେଶ ପାଇବାରୁ ବଞ୍ଚିତ ହେଲୁ; ମାତ୍ର ଭେଟିଲୁ ତାଙ୍କ ସେକ୍ରେଟାରି ପିଆରିଲାଲଙ୍କୁ । ସେ ଆମକୁ ଇଂରେଜୀରେ ଟାଇପ୍ ହୋଇଥିବା ଏକ ଛୋଟ ନିର୍ଦ୍ଦେଶନାମା ଦେଲେ । ସେଥିରେ ଉଲ୍ଲେଖ ଥିଲା, “ଦେଶ ଆଜିଠୁଁ ସ୍ଵାଧୀନ–ଇଂରେଜ ସତ୍ତା ଲୋପ କରିବା ନିମନ୍ତେ ଏବଂ ଭାରତର ସ୍ଵାଧୀନତା ପ୍ରତିଷ୍ଠାଲାଗି ସମସ୍ତ ପ୍ରକାର ଶାନ୍ତିପୂର୍ଣ୍ଣ ଉପାୟ ଅବଲମ୍ବନ କର । ସରକାରକୁ ଅଚଳ କର; ନିଜେ ନିଜର ନେତା ହୁଅ–ଏ ଯୁଦ୍ଧ ଶେଷଥର ଲାଗି; ଏଥିରେ ନାହିଁ ମିଳାମିଶା କିମ୍ବା କଥାବାର୍ତ୍ତା ।” ଶେଷକଥାଟି ବୋଧହୁଏ ଉଲ୍ଲେଖ ରହିଥିଲା ଲୋକଙ୍କ ମନରେ ପୂର୍ଣ୍ଣ ବିଶ୍ୱାସ ଜନ୍ମାଇବା ଲାଗି ଯେ ଏଥରକ ବ୍ରିଟିଶ ସରକାର ସହ ଗାନ୍ଧିଜୀ ଆଉ କଥାବାର୍ତ୍ତା ବା ସନ୍ଧି କରିବେ ନାହିଁ ।

 

ଏ ଛୋଟ ନିର୍ଦ୍ଦେଶନାମାଟିର ଶେଷ ପଂକ୍ତି ବାସ୍ତବିକ ତାତ୍ପର୍ଯ୍ୟପୂର୍ଣ୍ଣ ପରି ମନେହେଲା । କାରଣ ଅଗଷ୍ଟ ୮ ତାରିଖରେ ନିଖିଳ ଭାରତ କଂଗ୍ରେସ କମିଟିରେ ‘ଭାରତ ଛାଡ଼’ ପ୍ରସ୍ତାବ ଗୃହୀତ ହେବାପରେ ଗାନ୍ଧିଜୀ ଯେଉଁ ଭାଷଣ ଦେଇଥିଲେ ସେଥିରେ ସେ ସ୍ପଷ୍ଟ ସୂଚନା ଦେଇଥିଲେ ଯେ ତତ୍କାଳୀନ ଭାଇସ୍‍ରାୟଙ୍କୁ ଲେଖିବେ; ଆବଶ୍ୟକ ହେଲେ ତାଙ୍କୁ ଭେଟିବେ । ତେଣୁ ପ୍ରସ୍ତାବ ପାସ୍ ହୋଇଗଲା ପରେ ତତ୍‍କ୍ଷଣାତ୍ ପ୍ରତ୍ୟକ୍ଷ ସଂଗ୍ରାମ ଆରମ୍ଭ ହୋଇଗଲା ବୋଲି କେହି ବିଚାରିବ ନାହିଁ-। ଯେକୌଣସି ମୁହୂର୍ତ୍ତରେ ଡାକରା ଦିଆଯିବ ବୋଲି ପ୍ରସ୍ତୁତ ହୋଇ ରହିଥିବ; ତେଣୁ ନେତାଙ୍କ ଆଡ଼ୁ ନିର୍ଦ୍ଦେଶ ପହଞ୍ଚିବାର ଆଶା ରହିଥିଲା । ଆମେ କେତେକ ଜାଣିଥିଲୁ ସେ ଏପରି ମଉକା ମିଳିବ ନାହିଁ ।

 

ସେତେବେଳକୁ ୟୁସୁଫ ମେହେରଲୀ ଥାଆନ୍ତି ବମ୍ବେର ମେୟର । ସେ ଥିଲେ ମୋର ପରମ ବନ୍ଧୁ ଏବଂ ଜଣେ ବିଖ୍ୟାତ ସୋସଲିଷ୍ଟ । ତାଙ୍କର ଅଲୌକିକ ଗୁଣ ଥିଲା । ଯୁବକ–ଉଗ୍ର ଚିନ୍ତାର ପରିପୋଷକ ସତ–ତଥାପି ଲୋକଙ୍କୁ ଆପଣାର କରିବାର ଅଦ୍ଭୁତ ଶକ୍ତି ତାଙ୍କର ରହିଥିଲା । ସରକାର କେମିତି ଆଗରୁ ପ୍ରସ୍ତୁତ ହେଉଛନ୍ତି ଏବଂ ନେତାମାନଙ୍କୁ ଗିରଫ୍‍ କରିନେଇ ଆନ୍ଦୋଳନ ଦବାଇ ଦେବାର ଚକ୍ରାନ୍ତ କରୁଛନ୍ତି, ସେଥିରେ କେତେକ ଭିତିରି ଖବର ତାଙ୍କୁ ଜଣାଥିଲା । ସେଥିଲାଗି ସେ ପୂର୍ବରୁ ‘ହରିଜନ’ରେ ପ୍ରକାଶିତ ଗାନ୍ଧିଜୀଙ୍କର ଲେଖା ଓ କଂଗ୍ରେସର ପ୍ରସ୍ତାବଗୁଡ଼ିକୁ ଏକାଠି କରି ‘Quit India’ ନାମକ ପୁସ୍ତକ ଛପାଇଥିଲେ । କଂଗ୍ରେସ ବୈଠକବେଳେ ସେ ବହି ପ୍ରାୟ ସମସ୍ତେ କିଣିଲେ । ପୁସ୍ତକଟି ଖୁବ୍ ସମୟୋପଯୋଗୀ ହୋଇଥିଲା ଏବଂ ମୁଁ ଯେତେବେଳେ ବହୁଦିନ ଆତ୍ମଗୋପନ କରି ଓଡ଼ିଶାରେ ଅଗଷ୍ଟ ଆନ୍ଦୋଳନ ପରିଚାଳନା କଲି, ସେତେବେଳେ ବୁଲେଟିନ୍ ଆଦି ବାହାର କଲାବେଳେ ଏହି ପୁସ୍ତକରୁ ବହୁ ସାହାଯ୍ୟ ମିଳିଥିଲା । ପରେ ମୋର ୧୦ । ୧୨ ବର୍ଷର ସଞ୍ଚିତ ରାଜନୀତିକ ଲେଖା, ପୁସ୍ତକ ସବୁକୁ ଯେତେବେଳେ ଅଗି ଲଗାଇଲା ଭଳି ଜାଳିପୋଡ଼ି ଦିଆଗଲା, ତାହା ସହ ଏହାବି ପୋଡ଼ି ପାଉଁଶ ହୋଇଗଲା । ସଂଗ୍ରାମୀ ରାଜନୀତିକ କର୍ମୀଙ୍କର ଏହା ଥିଲା ଏକ ଦୁର୍ଦ୍ଦଶା; ଠିକ୍ ଯାଯାବରଙ୍କ ପରି ଅବସ୍ଥା–ଅନିଶ୍ଚୟତା ଭିତରେ ସର୍ବଦା ଗତି । ମୋର ପୁସ୍ତକ ଓ କାଗଜପତ୍ରର ଏହି ଯେ ବନ୍‍ଫାୟାର କରାଗଲା, ତାହା ପରେ ଆଉ ଧାରାବାହିକ ଭାବରେ କିଛି ବିବରଣ ବା କାଗଜପତ୍ର ସାଇତି ରଖିବା ସମ୍ଭବ ହୋଇନାହିଁ । ମୁଁ ଏବେ ଯାହା ଲେଖୁଛି, ସେଥିରୁ ଅଧିକାଂଶ ନିଜ ସ୍ମୃତିରୁ । ନିଜ ବ୍ୟକ୍ତିଗତ ଅନୁଭୂତିର ଘଟନାବଳି ହୋଇଥିବାରୁ ବହୁ ବିଷୟ ସ୍ମରଣକୁ ଆସିଯାଉଛି–ହୁଏତ ତାରିଖ ଓ ସମୟ ଆଦି କିଛି କେଉଁଠି ଏକଡ଼ ସେକଡ଼ ହୋଇଯାଇପାରେ ।

 

ମେହେରଲି ଖବର ପାଇଥିଲେ ଯେ ଅଧିକାଂଶ ବଡ଼ ନେତାଙ୍କୁ ଅଚାନକ ଗିରଫ୍‍ କରି ନିଆଯିବ । ମାତ୍ର ଏକଥା କେହି ସାହସ କରି ଗାନ୍ଧିଜୀଙ୍କୁ କହୁ ନଥାନ୍ତି; କାରଣ ସେ ଶତ୍ରୁ ପକ୍ଷକୁ ସୁଦ୍ଧା ସନ୍ଦେହ ଚକ୍ଷୁରେ ଦେଖନ୍ତି ନାହିଁ । କଂଗ୍ରେସର ଦକ୍ଷିଣପନ୍ଥୀ କହନ୍ତି ନେତୃବର୍ଗଙ୍କୁ ଏ ବିଷୟ କହିଲେ ସେମାନେ ହସରେ ଉଡ଼ାଇ ଦିଅନ୍ତି–ଏସବୁ ସୋସଲିଷ୍ଟଙ୍କ ଫିକର; ସେମାନେ ଗାନ୍ଧିଜୀଙ୍କ ଉପରେ ପୂର୍ଣ୍ଣ ନିର୍ଭର କରି ରହିଥାନ୍ତି । ଅନେକ ନେତା ତ ଶେଷପର୍ଯ୍ୟନ୍ତ ବିଶ୍ୱାସ କରୁଥିଲେ ଯେ, କୌଣସି ପ୍ରତ୍ୟକ୍ଷ ସଂଗ୍ରାମର ଆବଶ୍ୟକତା ପଡ଼ିବ ନାହିଁ । ଯେଉଁ ବିରାଟ କଂଗ୍ରେସ ନେତାମାନେ ତ୍ୟାଗୀ ବୋଲି ସୁବିଧା ଉଠାଇବାକୁ କେବେ ପଶ୍ଚାତ୍‍ପଦ ହୁଅନ୍ତି ନାହିଁ, ସେମାନଙ୍କର ଯିଏ ଅସଲ ରୂପ ଓ ମତିଗତି ଜାଣିଥିବ, ସେ ଏ ଭେଳିକି ଦେଖିଲେ ହସିବ ସିନା !

 

ମେହେରଲି ସବୁ ସୋସଲିଷ୍ଟଙ୍କର ଏକ ଗୁପ୍ତ ବୈଠକ ତାଙ୍କ ଘରକୁ ଡକାଇଲେ । ସେ କ’ଣ ସମ୍ବାଦ ପାଇଛନ୍ତି ତାହାର ସୂଚନା ଦେଲେ । ଏହି ବୈଠକରେ ବାସ୍ତବିକ କହିବାକୁ ଗଲେ ଅଗଷ୍ଟ ଆନ୍ଦୋଳନର ସମସ୍ତ ଯୋଜନା ଏକପ୍ରକାର ହୋଇଥିଲା । ଏଠାରେ ଜୟପ୍ରକାଶ ନାରାୟଣ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ରାମମନୋହର ଲୋହିଆ, ରାମନନ୍ଦନ ମିଶ୍ର, ଅଶୋକ ମେହତା ଆଦି ଉପସ୍ଥିତ ଥାଆନ୍ତି । ଅଶୋକ ମେହତାହିଁ ଆମ ସମସ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗୋଟାଇ ତାଙ୍କ ଛୋଟ ଗାଡ଼ିଟିରେ ବୋହି ନେଇଥିଲେ ଏହି ଗୋପନ ବୈଠକକୁ । ସେଠି ସ୍ଥିର ହେଲା ଯେ କେତେକ ବଡ଼ ନେତାଙ୍କୁ ପ୍ରକାଶ୍ୟ ଭାବରେ ସିଧାସଳଖ ଧରାହୋଇ ଯିବାକୁ ପଡ଼ିବ; ମାତ୍ର ଆଉ କେତେକ ଆତ୍ମଗୋପନ କରି ରହି ଭାରତସାରା ଆନ୍ଦୋଳନ ଚଳାଇବା ଉଦ୍ୟମ ନ କଲେ ଇଂରେଜ ସରକାର ଜିତିଯିବ । ମୁଁ ଲୁଚି ରହି ଅଗଷ୍ଟ ବିପ୍ଳବ ଚଳାଇବି ବୋଲି ସେହିଠାରେ ମୋଟାମୋଟି ନିଷ୍ପତ୍ତି ହୋଇଥିଲା ।

 

ସେତେବେଳେ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ମୁଁ–ଆମେ ସମସ୍ତେ କଂଗ୍ରେସ ସୋସଲିଷ୍ଟ ପାର୍ଟିରେ ଥାଉ । ନବବାବୁ ଥିଲେ ଆମ ଓଡ଼ିଆ ସୋସଲିଷ୍ଟଙ୍କ ଚାଳକ । ସେ କିନ୍ତୁ ବମ୍ବେ ବୈଠକକୁ ଯାଇ ନଥିଲେ । ମୋ ହାତରେ ଡକ୍ଟର ଲୋହିଆଙ୍କ ନିକଟକୁ ଏକ ପତ୍ର ଦେଇଥିଲେ ପ୍ରତ୍ୟକ୍ଷ ସଂଗ୍ରାମ ନିଷ୍ପତ୍ତିର ସପକ୍ଷରେ । ମାତ୍ର କେମିତି ସବୁ ଘଟଣା ହୋଇଯାଇଛି କିମ୍ବା ବମ୍ବେ ବୈଠକରେ କିଭଳି ନିଷ୍ପତ୍ତି ନିଆଯିବ, ତାଙ୍କୁ ଜଣା ନଥିଲା । ମାଳତୀ ଚୌଧୁରୀ ମୋ ସହିତ ଏହି ବୈଠକରେ ରହିଥିଲେ ଏବଂ ସେଠା ନିଷ୍ପତ୍ତିର ପୂର୍ଣ୍ଣ ସମର୍ଥକ ଥିଲେ; ମାତ୍ର ତାଙ୍କଭଳି ମହିଳାଙ୍କ ପକ୍ଷରେ ଗିରଫ୍‍ ହୋଇଯିବାଦ୍ଵାରା ଇଂରେଜ ସରକାର ବିରୁଦ୍ଧରେ ଲୋକଙ୍କ ମନରେ ଅଧିକ କ୍ରୋଧ ଓ ବିରକ୍ତି ଜାଗ୍ରତ ହେବ ବୋଲି ବିଚାର କରାଗଲା । ତା’ପରେ ଆମେ ଦି’ଜଣ ଏକାଠି ଆସିଲୁ; ମୁଁ ଛପି ରହିଲି ପୁଲିସର ଅଜାଣତରେ; ମାଳତୀ ଦେବୀଙ୍କୁ ପୁଲିସ କଟକ ଷ୍ଟେସନ୍‍ରେ ଗିରଫ୍‍ କରି ପାରିଲା ନାହିଁ । ଆମେ ଦୁହେଁ ଭୁବନେଶ୍ଵରରେ ଓହ୍ଲାଇ ଅନ୍ୟ ରାସ୍ତା ଦେଇ ଚାଲିଆସିଲୁ । ସେ ବିଷୟ ପରେ ଲେଖିବି । ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ଆମେ ଯେତେବେଳେ ଏସବୁ କଥା ଜାଣିଲୁ, ସିଧା ଗଲୁ ହରେକୃଷ୍ଣ ମହତାବଙ୍କ ପାଖକୁ । ସେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକରେ ଯୋଗ ଦେଇଥାନ୍ତି । ଗାନ୍ଧିଜୀଙ୍କ ମତିଗତି ସମ୍ବନ୍ଧରେ ହୁଏତ ସେ ଜାଣିଥିବେ । ସେମାନଙ୍କ ଭିତରେ ହୁଏତ ଭବିଷ୍ୟତ୍ କାର୍ଯ୍ୟକ୍ରମ ବିଷୟରେ କିଛି ବିଚାର ହୋଇଥିବ । ଗାନ୍ଧିଜୀ ଅବଶ୍ୟ କହିଲେ ଯେ, ଯେ ଯାହାର ନେତା ହେବ, କେହି କାହାରିକୁ ନିର୍ଦ୍ଦେଶ ଦେବାକୁ ହୁଏତ ନଥିବ । ମାତ୍ର ବିପ୍ଳବକୁ ସଫଳ କରିବାକୁ ହେଲେ କେମିତି କ’ଣ କରିବାକୁ ହେବ ସେ ସମ୍ବନ୍ଧରେ ତ ସେ ନିଶ୍ଚୟ କିଛି ସୂଚନା ଦେଇଥିବେ । ଆମେ ଯେତେବେଳେ ମହତାବବାବୁଙ୍କ ପାଖରେ ଏ ସବୁ କଥାର ଉଲ୍ଲେଖ କଲୁ, ସେ ଘୋର ବିରକ୍ତି ପ୍ରକାଶ କଲେ । ହଠାତ୍ କିଛି ହୋଇଯିବ ବୋଲି ଗାନ୍ଧିଜୀ ମୋଟେ ଭାବୁନାହାନ୍ତି, ଆପଣମାନେ ଯାହା ଚିନ୍ତା କରୁଛନ୍ତି ତାହା ଭୁଲ ବୋଲି ଭର୍ତ୍ସନା ମଧ୍ୟ କଲେ । ଦେଶ ଏକ ବୈପ୍ଳବିକ ପରିସ୍ଥିତିର ସମ୍ମୁଖୀନ ହେଉଥିଲାବେଳେ ଏଭଳି ମନୋଭାବ ଦେଖି ମୁଁ ବିସ୍ମିତ ହେଲି । ମୁଁ ଆଶା କରୁଥିଲି ଓଡ଼ିଶାରେ ଆମେ ଏଭଳି ଆନ୍ଦୋଳନ ଜାରି ରଖିବାର ସାହସ କରୁଛୁ ଏବଂ ଜୀବନକୁ ପାଣି ଛଡ଼ାଇ କାର୍ଯ୍ୟ କରିବାର ଶପଥ ନେଇ ଯାଉଛୁ ଜାଣି ସେ ଉଲ୍ଲସିତ ହେବେ ।

 

କଂଗ୍ରେସ ଭିତରେ ତ ବିଭିନ୍ନ ମତ ଓ ଧରଣର ଲୋକ ରହିଥାଆନ୍ତି । ଦଳେ ପ୍ରତ୍ୟକ୍ଷ ସଂଘର୍ଷର ପକ୍ଷପାତୀ ନୁହନ୍ତି । ଶେଷ ପର୍ଯ୍ୟନ୍ତ ତା’ର ବିରୋଧ କରନ୍ତି; ଶେଷକୁ ସଂଘର୍ଷ ଆରମ୍ଭ ହେବାକ୍ଷଣି ଅଲଗା ହୋଇ ରହିଯାଆନ୍ତି । ଆଉ ଥୋକେ–ସଂଘର୍ଷର ବିରୋଧୀ ବୋଲି କହିବା ଠିକ୍ ହେବ ନାହିଁ–ସେମାନେ ସଂଘର୍ଷ ନହେଲେ ଖୁସି ହୁଅନ୍ତେ, ସଂଘର୍ଷର ଭୟାବହ ପରିଣତି ଚିନ୍ତା କରି ବିଚଳିତ ହୋଇ ପଡ଼ନ୍ତି; ସଂଘର୍ଷରୁ ବିରତ ହୁଅନ୍ତି ନାହିଁ । ମାତ୍ର ଏଥିରେ ଦେଶର ସ୍ୱାଧୀନତା ଲାଭ ଆଗୋଉଛି ବୋଲି ସେମାନଙ୍କର ବିଶ୍ଵାସ ନଥାଏ । ତେବେ ଗାନ୍ଧିଜୀଙ୍କ ପ୍ରତି ଏ ସମସ୍ତଙ୍କର ଅନୁରକ୍ତି ରହିଥିବାରୁ ଶେଷରେ ସମସ୍ତେ ତାଙ୍କୁ ଅନୁସରଣ କରନ୍ତି । ୧୯୪୨ ଆନ୍ଦୋଳନରେ ଅରୁଣା ଆସଫ ଅଲ୍ଲୀ ଯେଭଳି ଗୌରବମୟ ଭୂମିକା ନେଇଥିଲେ, ତାହା କିଏ ନ ଜାଣେ ? ସାରା ଭାରତରେ ତାଙ୍କର କାର୍ଯ୍ୟ ମହାଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗାନ୍ଧିଜୀ, ଜବାହରଲାଲ ଓ ଅନ୍ୟ ସମସ୍ତ ନେତା ଜେଲରୁ ଖଲାସ ହେବାପରେ ତାଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କର ଅପୂର୍ବ ଗୋପନ ସଂଗଠନ ଶକ୍ତିର ପରିଚୟ ମୋରି ଘଟଣାରୁ ମୁଁ ଜାଣେ । ଅଗଷ୍ଟ ଆନ୍ଦୋଳନ ପୂର୍ବରୁ ମୋର ତାଙ୍କ ସହ ପରିଚୟ ନଥିଲା । ବୋଧହୁଏ ଦିଲ୍ଲୀ ବା ଭାରତର ବହୁ ଉଚ୍ଚ ସାମାଜିକ ସ୍ତର ଛଡ଼ା ଆଉ କାହାରି ପାଖରେ ସେ ବିଶେଷ ଜଣାଶୁଣା ନଥିଲେ, କାରଣ ସେ ଥିଲେ ଜଣେ ଉଚ୍ଚ ସୋସାଇଟି ଲେଡ଼ି । ନେତାମାନେ ଗିରଫ୍‍ ହେବାପରେ ସେ ବାହାରିପଡ଼ିଲେ ଗୁପ୍ତ ସଂଗଠନ ଚଳାଇବାଲାଗି । ମୁଁ କଟକରେ ଆତ୍ମଗୋପନ କରି ରହିଥାଏ । ପୁଲିସ ଏଇଠି ଆଖିତଳେ ଥାଇ ସୁଦ୍ଧା ଆଖିପଲକ ଦିନରାତି ଉଜାଗର ରଖି ମୋର ସନ୍ଧାନ ପାଇ ପାରୁ ନଥାନ୍ତି; ମାତ୍ର ଅରୁଣା ପାଇଲେ ସମ୍ବାଦ ଏବଂ ମୋ ପାଖକୁ ବାର୍ତ୍ତା ଆସିଗଲା ଆବଶ୍ୟକୀୟ ସାହିତ୍ୟ, ଅନ୍ୟ ପ୍ରଚାରପତ୍ର ଓ ଯୋଗାଯୋଗ ଆଣିବା ଓ ରଖିବା ନିମନ୍ତେ । ମୁଁ ତ ଆଗରୁ ଗିରଫ୍‍ ହୋଇଗଲି; ଯେଉଁ ସମ୍ପର୍କ ସ୍ଥାପନ କରିପାରିଥିଲି, ତାହା ମୋ ଗିରଫ୍‍ ପରେ କିଛିଦିନ ଲାଗି ଚଳିଲା ଏବଂ ଯେଉଁମାନେ ଜେଲ ଭିତରୁ ମୋ ନିର୍ଦ୍ଦେଶ ନେଇ ଚଳାଉଥିଲେ, ସେମାନଙ୍କ ମଧ୍ୟରେ ଅରୁଣାଙ୍କ ସଂଗଠନ ସହ ଯୋଗାଯୋଗ ରଖିବାରେ କୌଣସି ଅସୁବିଧା ହୋଇ ନଥିଲା, ଇଂରେଜ ପୁଲିସଙ୍କର ଶତ କଟକଣା ସତ୍ତ୍ୱେ । ଏଣେ ଅରୁଣାଙ୍କର ଏପରି ବିପ୍ଳବାତ୍ମକ ଭୂମିକା; ତେଣେ ତାଙ୍କ ସ୍ୱାମୀ ଆସଫ୍ ଅଲ୍ଲୀଙ୍କର ମତ ଥିଲା ଠିକ୍ ଭିନ୍ନ । ଆସଫ୍ ଅଲ୍ଲୀ ଜଣେ ପୁରୁଣା ନେତା । ଅହମଦନଗର ଜେଲରେ ମୌଲାନା ଆଜାଦ ଓ ପଣ୍ଡିତ ନେହେରୁ ଆଦିଙ୍କ ସହ ରହିଥିଲେ । ଅସହଯୋଗ ଅମଳର ଜଣେ ବ୍ୟକ୍ତି । ସ୍ୱାଧୀନତାଲାଭ ପୂର୍ବରୁ ଏବଂ ପରେ ବହୁ ଉଚ୍ଚ ପଦବୀରେ ରହିଥିଲେ । ସେ ଓଡ଼ିଶାର ଗଭର୍ଣ୍ଣର ହୋଇ ଆସିଲା ପରେ ମୁଁ ଅନେକେ ଥର ଯା-ଆସ କରିଛି ତତ୍କାଳୀନ ‘ଲାଟଭବନ’କୁ । ଆଜକାଲି ଏହାର ନାମ ‘ରାଜଭବନ’ ହୋଇଗଲାଣି । ସେତେବେଳେ ଏହି ଲାଟଭବନ କଟକରେ ଥାଏ–ଆଜିକାଲି ଯେଉଁଠି ଶିଶୁଭବନ ହସ୍‍ପିଟାଲ ହୋଇଛି । ଅରୁଣା ଥିଲେ ଆମର ସାଙ୍ଗ । ସୋସଲିଷ୍ଟ ପାର୍ଟିରେ ବହୁକାଳ ରହିଲେ । ମୁଁ ଯାଏଁ ତାଙ୍କ ସହ ଆଲୋଚନା କରିବା ନିମନ୍ତେ । ଯେତେବେଳେ ଆସଫ୍ ଅଲ୍ଲୀଙ୍କ ସହ କିଛି ରାଜନୀତିକ ଆଲୋଚନା କରିବାର ସୁଯୋଗ ଘଟେ, ବରାବର ସେ ଆମ ଉଗ୍ରପନ୍ଥୀଙ୍କ କାର୍ଯ୍ୟର ସମାଲୋଚନା କରୁଥିଲେ । ଥରେ ତ ଉତ୍ତେଜିତ ହୋଇ କହିପକାଇଲେ–ତୁମ ସୋସଲିଷ୍ଟମାନଙ୍କ ଯୋଗୁଁ ଭାରତର ସ୍ୱାଧୀନତା ଲାଭ ବହୁତ ବିଳମ୍ବ ହୋଇଗଲା । ଗାନ୍ଧିଜୀ ତୁମମାନଙ୍କର ତାଡ଼ନାରେ ଅଧିକରୁ ଅଧିକ ଭାବରେ ପ୍ରତ୍ୟକ୍ଷ ସଂଗ୍ରାମ ଆଡ଼କୁ ଗତି କଲେ । ଅନ୍ୟପ୍ରକାର ବାୟୁମଣ୍ଡଳ ସୃଷ୍ଟି ହୋଇ ଅସହଯୋଗମୂଳକ ପନ୍ଥାକୁ ମୂଳରୁ ପ୍ରୟୋଗ କରିବାର ମଉକା ମିଳିଲା ନାହିଁ । ନଚେତ୍ ଆହୁରି କେତେ ଆଗରୁ ବହୁତ କିଛି ହୋଇ ପାରିଥାନ୍ତା । ଏହିଭଳି ବହୁ ଭିନ୍ନ ମତର ବ୍ୟକ୍ତି କଂଗ୍ରେସର ପୁରୋଭାଗରେ ଥାନ୍ତି । ସେମାନେ ବିପ୍ଳବର ପରିପନ୍ଥୀ ନୁହନ୍ତି; ମାତ୍ର ଏପରି ବିପ୍ଳବ ବା ସଂଘର୍ଷକୁ ଖୁବ୍ ବେଶି ପସନ୍ଦ କରୁ ନଥାନ୍ତି । ସେତେବେଳେ ମୁଁ ସିନା ମହତାବବାବୁଙ୍କ ମତିଗତି ଦେଖି ବିସ୍ମିତ ହୋଇପଡ଼ିଥିଲି; ମାତ୍ର ପରବର୍ତ୍ତୀ ଘଟନାବଳିରୁ ଜଣାପଡ଼ିଲା ଯେ କଂଗ୍ରେସ ଭିତରେ ବହୁ ଲୋକ ୧୯୪୨ ଅଗଷ୍ଟ ଆନ୍ଦୋଳନକୁ ବିଶେଷ ପସନ୍ଦ କରୁ ନଥିଲେ ।–ମୋର ଗିରଫ୍‍ ପରେ ଇଂରେଜ ସରକାର ଷଡ଼ଯନ୍ତ୍ର ଅଭିଯୋଗରେ ଭାରତ ରକ୍ଷା ଆଇନ ଓ ଅନ୍ୟାନ ଅତି ମାରାତ୍ମକ ଦଫାମାନ ଖଞ୍ଜି ମୋତେ ଫାଶୀଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ଉଦ୍ୟମ କରୁଥିଲେ । ବିଚାର ଚାଲିଥାଏ–ପରିଣତି ବିଚାର କରି ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଯାଇଥାଏ । ଆମେ କେତେକ ପ୍ରତିଦିନ ହାତକଡ଼ା ପଡ଼ି କଡ଼ା ସଶସ୍ତ୍ର ପୁଲିସଙ୍କ ପହରା ଭିତରେ ଜଜ୍‍ଙ୍କ ମିଶଲକୁ ଦୌରାବିଚାର ଲାଗି ଯାଉଥାଉ । ଦେଶରେ ଆମ ପ୍ରତି ଭୀଷଣ ସହାନୁଭୂତି, ଅନ୍ୟ ରାଜନୀତିକ ବନ୍ଦୀଭାଇଙ୍କ ଭିତରେ ଅପୂର୍ବ ଉତ୍ତେଜନା–ମାତ୍ର ମୁଁ ଜେଲସାଥୀମାନଙ୍କଠୁଁ ପରେ ଶୁଣିଲି ଯେ ଆମ ଓଡ଼ିଶାର ଥକିପଡ଼ିଥିବା କଂଗ୍ରେସ ନେତା ମୋର କିମ୍ବା ଅଗଷ୍ଟ ବିପ୍ଳବୀଙ୍କର କାର୍ଯ୍ୟକୁ ଆଦୌ ପସନ୍ଦ କରୁ ନଥାନ୍ତି । ମୋ ପଶ୍ଚାତ୍‍ରେ ବରାବର ସମାଲୋଚନା କରନ୍ତି । ଆଗରୁ ଏସବୁ କାମ ସହଜରେ ହୋଇଯାଉଥିଲା । ସେମାନେ ୬।୭ ମାସ କିମ୍ବା ବର୍ଷେ ଜେଲ ଭୋଗି ପଦାକୁ ଚାଲି ଆସି ପାରୁଥିଲେ । ମାତ୍ର ୧୯୪୨ ଆନ୍ଦୋଳନ ବେଶି ଦିନ ଚାଲିଲା । ତିନିବର୍ଷରୁ ବେଶି କାଳ ଜେଲ ଭିତରେ ଅଟକି ରହିବାକୁ ପଡ଼ିଲା । ବିଷୟ ସମ୍ପତ୍ତି ଥିବା ବ୍ୟକ୍ତିମାନଙ୍କର ପ୍ରଭୂତ କ୍ଷତି ହେଲା ସେମାନେ ଏଥିଲାଗି ମନକୁ ପ୍ରସ୍ତୁତ କରି ନଥିଲେ । ଯେମିତି ରାତିପାହାନ୍ତିଆ ମହାତ୍ମାଗାନ୍ଧୀ ପ୍ରମୁଖଙ୍କୁ ବମ୍ବେଠାରେ ଗିରଫ୍‍ କରାଗଲା, ସେମିତି ସାରା ଦେଶରେ ଅଚାନକ ଦମନାସ୍ତ୍ର ପ୍ରୟୋଗ କରି ଜଣା ଅଜଣା ପ୍ରସ୍ତୁତ ଅପ୍ରସ୍ତୁତ ଶହ ଶହ ବ୍ୟକ୍ତିଙ୍କୁ କାରାଗାରରେ ଆବଦ୍ଧ କରିଦିଆଗଲା । କଥାରେ ଅଛି–ଯୁଦ୍ଧରେ ପ୍ରଥମେ ଯେ ଆକ୍ରମଣ କରେ, ସେ ଅପେକ୍ଷାକୃତ ସୁବିଧାଜନକ ପରିସ୍ଥିତି ଭିତରେ ରହିଥାଏ । ଏହା ହେଲା ଶାନ୍ତିପୂର୍ଣ୍ଣ ଲଢ଼ାଇ; ତଥାପି ଇଂରେଜ ସରକାର ଜିତାପଟ ନେଇ ପାରିଲା ନାହିଁ । ଗାନ୍ଧିଜୀ ଓ ନେତାଜୀ ବହୁ ଆଗରୁ ଲୋକମାନଙ୍କୁ ଚରମ ତ୍ୟାଗ ଓ କଷ୍ଟ ସ୍ଵୀକାର ଲାଗି ପ୍ରସ୍ତୁତ କରିସାରିଥିଲେ ।

☆☆☆

 

Unknown

ଗାନ୍ଧିଜୀଙ୍କ ସହ ସାକ୍ଷାତ୍ ଓ ଆଲୋଚନା

 

୧୯୪୨ ମେ–ଜୁନ୍ ମାସ ହେବ । ମୋର ଠିକ୍ ତାରିଖ ମନେ ନାହିଁ । ୧୯୪୧ ନଭେମ୍ବର ମାସରେ ଏକବର୍ଷ ଚାରିମାସ କାରାଦଣ୍ଡ ଭୋଗ କରି ମୁଁ ଖଲାସ ହେବାପରେ ପୁଣି ଇଉନାଇଟେଡ଼୍ ପ୍ରେସ୍‍ର ପରିଚାଳନା ଭାର ନେଇଥାଏ । ଆଜି ଯେମିତି ପି.ଟି.ଆଇ. ଓ ୟୁ.ଏନ୍.ଆଇ. ସମ୍ବାଦ ଏଜେନ୍‍ସିମାନ ରହିଛି, ଏହା ସେହିପରି ଏକ ସମ୍ବାଦ ସରବରାହ ଏଜେନ୍‍ସିରୂପେ କାର୍ଯ୍ୟ କରୁଥିଲା । ଇଂରେଜ ସରକାର ଅମଳରେ ଏହି ୟୁନାଇଟେଡ଼୍ ପ୍ରେସ୍ ଜାତୀୟତାବାଦୀ ସ୍ଵାଧୀନ ସମ୍ବାଦ ପରିବେଷଣରେ ଦେଶରେ ଖୁବ୍ କାର୍ଯ୍ୟ କରିଥିଲା । ମୁଁ ଏହାର ସ୍ଥାପନାରେ ମୂଳରୁ ସମ୍ପୃକ୍ତ ଥିଲି ଏବଂ ସମ୍ପାଦକରୂପେ କାର୍ଯ୍ୟ କରୁଥିଲି । ମୋର ରାଜନୀତିକ କାର୍ଯ୍ୟ କରିବାରେ ଏହା ଅନ୍ତରାୟ ନଥିଲା । ମୋ ସର୍ତ୍ତରେ କର୍ତ୍ତୃପକ୍ଷ ରାଜି ଥିବାରୁ ମୁଁ ଏହାର ସଂଗଠନ କରାଇଥିଲି । ତେଣୁ କାରାଗାରରେ ୧୬ମାସ ରହିବା ସତ୍ତ୍ଵେ ସେମାନେ ଅନ୍ୟ କାହାରିକୁ ନିଯୁକ୍ତ ନ କରି ସାମୟିକ ବ୍ୟବସ୍ଥା କରିଥିଲେ ଏବଂ ମୁଁ ଜେଲରୁ ଫେରିବା ସାଙ୍ଗେ ସାଙ୍ଗେ ପୁଣି ମତେ ପୁରୁଣା ଦାୟିତ୍ଵ ମିଳିଲା । ଏଥିରେ କାର୍ଯ୍ୟ କରିବାଦ୍ୱାରା ମତେ ଟିକିଏ ସୁବିଧା ମିଳୁଥିଲା ବହୁ ଲୋକଙ୍କ ସାଙ୍ଗରେ ମିଶିବା ଲାଗି । ସରକାରୀ ସୂତ୍ରରୁ ବହୁ ଭିତିରିଆ ସମ୍ବାଦବି ମିଳିପାରୁଥିଲା ।

 

ବ୍ୟକ୍ତିଗତ ସତ୍ୟାଗ୍ରହ ସେତେବେଳକୁ ପ୍ରାୟ ମଉଳି ଆସିଥିଲା । ଗାନ୍ଧିଜୀ ସୈନିକମାନଙ୍କୁ ଜେଲରେ ପୂରାଇ ପୁଣି ବଡ଼ ତ୍ୟାଗ ଲାଗି ସେମାନେ ପ୍ରସ୍ତୁତ କି ନା ପରଖିନେଲେ-। ଏଥିରେ କାହାରିକି ସ୍ୱେଚ୍ଛାରେ ଆଇନ ଅମାନ୍ୟ କରିବା ଲାଗି ଦିଆଯାଉ ନଥିଲା-। ପ୍ରତ୍ୟେକ ସତ୍ୟାଗ୍ରହୀର ନାମକୁ ଗାନ୍ଧିଜୀ ଅନୁମୋଦନ କରିବେ, ଏହା ଥିଲା ବିଧି । ଏଥିଲାଗି ପ୍ରଥମ ସତ୍ୟାଗ୍ରହରୂପେ ଗାନ୍ଧିଜୀ ବିନୋବା ବାଭେଙ୍କୁ ବାଛିଲେ; ଜବାହରଲାଲଜୀ ହେଲେ ଦ୍ଵିତୀୟ । ବିନୋବାଙ୍କ ବିଷୟରେ ସେତେବେଳକୁ ବାହାରେ କେହି ବିଶେଷ କିଛି ଜାଣି ନଥିଲେ–ବିନୋବା ଯେ ଗାନ୍ଧିଜୀଙ୍କର ପରମ ଅନୁଚର, ତାହା ଏଥିରୁ ଜଣାଗଲା । ଗଣଯୁଦ୍ଧ ଡାକରା ହୋଇ ନଥିବାରୁ ଦୁର୍ଦ୍ଦାନ୍ତ ବ୍ରିଟିଶ ସରକାର ଉପରେ ବ୍ୟକ୍ତିଗତ ସତ୍ୟାଗ୍ରହର ବିଶେଷ ପ୍ରଭାବ ପଡ଼ିପାରି ନଥିଲା । ମାତ୍ର ଭାରତବାସୀ ଯେ ଯୁଦ୍ଧର ବିରୋଧୀ ଏବଂ ଇଂରେଜ ସରକାର ସହ ଅସହଯୋଗ କରୁଛନ୍ତି, ଏହା ଦେଖାଇ ଦେବା ଥିଲା ଏଭଳି ସତ୍ୟାଗ୍ରହର ମୂଳ ଉଦ୍ଦେଶ୍ୟ । କିନ୍ତୁ ଏଣେ ଯୁଦ୍ଧ ଆହୁରି ଭୀଷଣ ଆକାର ଧାରଣ କରୁଥାଏ । ଜାପାନ ଯୁଦ୍ଧକ୍ଷେତ୍ରରେ ପ୍ରବଳ ବେଗରେ ଆସି ପ୍ରବେଶ କରିଥାଏ । ଯେଭଳି ଭାବରେ ଜାପାନ ପର୍ଲ ହାର୍ବର ଆକ୍ରମଣ କଲା, ସେଥିରେ ବିଶ୍ଵ ଚମତ୍କୃତ ହୋଇଗଲା । ପ୍ରବଳ ପରାକ୍ରମୀ ଆମେରିକା ଉପରେ ଏହା ପ୍ରତ୍ୟକ୍ଷ ପ୍ରହାର ବୋଲି ଲୋକେ ବିଚାରିଲେ । ଏସିଆ ଭୂଖଣ୍ଡ ଦୋହଲିଗଲା । ତା’ପରେ ଜାପାନ କେମିତି କ୍ରମେ ଦକ୍ଷିଣ ଏସିଆର ଗୋଟିକ ପରେ ଗୋଟିଏ ରାଜ୍ୟରୁ ଇଂରେଜମାନଙ୍କୁ ହଟାଇଲା, ତାହା ଊଣା ଅଧିକେ ସମସ୍ତଙ୍କୁ ଜଣା । ଚାରିଆଡ଼େ ସେଥିଲାଗି ଆତଙ୍କ ଖେଳିଯାଇଥାଏ ।

 

୧୯୪୨ ମେ–ଜୁନ୍‍ବେଳକୁ ଓଡ଼ିଶାର କୁଜଙ୍ଗ ଉପକୂଳରେ ବଙ୍ଗୋପସାଗରରେ ଏକ ଅଲୌକିକ କାଣ୍ଡ ଘଟିଲା । କେତେକ ବ୍ରିଟିଶ ପୋତ କିଛି ମାଲ୍ ନେଇ ଏହି ବାଟେ ଯାଉଥିଲା । ଯୁଦ୍ଧ ସମୟ–ନିଶ୍ଚୟ ଯୁଦ୍ଧ ସରଞ୍ଜାମ ନେଇ ଯାଉଥିବ । ବଙ୍ଗୋପସାଗରର ଏ ଅଞ୍ଚଳଟି ଅପେକ୍ଷାକୃତ ନିରାପଦ ବୋଲି ବିଚାର କରାଯାଉଥିଲା । ପ୍ରାୟ ୫।୬ଟି ଯୁଦ୍ଧ ସରଞ୍ଜାମବାହୀ ବ୍ରିଟିଶ ବାଣିଜ୍ୟ ପୋତକୁ ଜାପାନୀ ବୁଡ଼ାଜାହାଜ ଅଚାନକ ଆକ୍ରମଣ କରି ଏହି କୁଜଙ୍ଗ ଉପକୂଳରେ ଡୁବାଇଦେଲା । ଇଂରେଜ ସରକାରର ଆଖି ଖୋଲିଗଲା । ସାରା ବଙ୍ଗୋପସାଗରର ପୂର୍ବାଞ୍ଚଳ ଉପକୂଳ ଆସନ୍ନ ଆକ୍ରମଣର ଶିକାର ହେବ ବୋଲି ଆଶଙ୍କା ଜାତ ହେଲା । ଶତ୍ରୁପକ୍ଷକୁ ଅପଦସ୍ଥ କରିବା ନିମନ୍ତେ ସରକାରୀ ହେଡ଼୍‍କ୍ୱାଟର୍‍ ଉପରେ ଅଚାନକ ଆକ୍ରମଣ ହେଲା ଏକ ଜଣାଶୁଣା ରଣକୌଶଳ । ଅନ୍ୟ କୌଣସି ପ୍ରସ୍ତୁତିର, ଏଭଳି କି କଲିକତା ଉପରେ ଆକାଶ କିମ୍ବା ଜଳପଥ କୌଣସି ଦିଗରୁ କୌଣସି ପ୍ରକାର ଆକ୍ରମଣର ପୂର୍ବସୂଚନା ନ ମିଳୁଥିବାବେଳେ, ବ୍ରିଟିଶ କର୍ତ୍ତୃପକ୍ଷ ବିଚାର କଲେ ଯେ ଅପେକ୍ଷାକୃତ ଦୁର୍ବଳ ସ୍ଥାନରେ ବୋଧହୁଏ ଜାପାନ ପ୍ରବେଶ କରିପାରେ । ଏଡ଼େ ବଡ଼ ଉପକୂଳ–ଏହାକୁ ଜଗିବା କଷ୍ଟସାଧ୍ୟ; ତେଣୁ ଅନ୍ତତଃ ପ୍ରଧାନ ସରକାରୀ ଦପ୍ତରଗୁଡ଼ିକ ରକ୍ଷା ହୋଇଯିବା ଉଚିତ । ତାହା ହୋଇପାରିଲେ ସମ୍ପୃକ୍ତ କର୍ମଚାରୀମାନଙ୍କର ମନୋବଳ ଭାଙ୍ଗିବ ନାହିଁ ।

 

ଏହି ନୀତି ଧାର୍ଯ୍ୟ କରି କଟକଠାରେ ଓଡ଼ିଶାର ଯେଉଁ ସରକାରୀ ଅଫିସ୍‍ଗୁଡ଼ିକ ଥିଲା, ତାହା ସମ୍ବଲପୁରକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ହୋଇଗଲା । ଠିକ୍ ଯୁଦ୍ଧକାଳୀନ ଭିତ୍ତିରେ ଏହା ହେଲା–ଅଳ୍ପ କେତେଦିନ ଭିତରେ ଅତି ତତ୍ପରତା ସହିତ ଏହି କାର୍ଯ୍ୟ ସମ୍ପନ୍ନ ହେଲା । ଏ ସମ୍ବାଦ ବିଜୁଳିବେଗରେ ଲୋକଙ୍କ ଭିତରେ ପ୍ରଚାରିତ ହେଲା । ଲୋକଙ୍କ ମନ ଆନ୍ଦୋଳିତ ହେଲା । ଯେକୌଣସି ମୁହୂର୍ତ୍ତରେ ଜାପାନ ଆସି ପହଞ୍ଚିଯାଇପାରେ ବୋଲି ଲୋକଙ୍କ ମନରେ ଧାରଣା ପଶିଲା । କଟକ ସହରକୁ ସେତେବେଳେ ଯେ ନ ଦେଖିଛି, ସେ ପରିସ୍ଥିତିର ଭୟାବହତା ଅନୁଭବ କରିପାରିବ ନାହିଁ । କି ଚଞ୍ଚଳ ମନ; କିଭଳି ବ୍ୟାକୁଳତା ଓ ବ୍ୟଗ୍ରତା ! ଅନେକେ ସହର ଛାଡ଼ି ପଳାଇଗଲେ । ଅକାଳ ମହାମାରୀ ପଡ଼ିଲେ ଯେମିତି ଲୋକେ ବିକଳ ହୋଇ ସ୍ଥାନ ଛାଡ଼ି ପଳାଇଯାଆନ୍ତି, ସେମିତିକା ଦୃଶ୍ୟ । ସମ୍ବାଦପତ୍ର ଉପରେ ତ କଟକଣା ଜାରି ଥିବାରୁ ସଠିକ୍ ସମ୍ବାଦ ପ୍ରକାଶ ପାଉ ନଥାଏ–ତେଣୁ ନାନାପ୍ରକାର ଗୁଜବ ଓ ଲୋକମୁଖରୁ ଶୁଣିବା ବିବରଣୀକୁ ଲୋକେ ବେଶି ବିଶ୍ୱାସ କରୁଥାଆନ୍ତି । ଜାପାନୀମାନଙ୍କର ଅଦ୍ଭୁତ ରଣକୌଶଳ କାହାଣୀ ପ୍ରଚାରିତ ହେଉଥାଏ । ଲୋକେ ଥିଲେ ଇଂରେଜବିରୋଧୀ; ଏଣେ ଜାପାନ ହେଲା ଏସିଆ ମହାଦେଶର ଏକ ରାଷ୍ଟ୍ର । ତା’ର ବିଜୟଗାଥା ଲୋକଙ୍କ ଭିତରେ ସେମାନଙ୍କ ପ୍ରତି ଘୃଣା ବା ବିରୋଧଭାବ ଜାଗ୍ରତ ନ କରି ବରଂ ଉଲ୍ଲାସ ଜାତ କରାଉଥିଲା । ଏହାକୁ ବୃହତ୍ ଜାତୀୟତାବାଦ କୁହାଯାଇପାରେ-। ୧୯୦୫ରେ ଜାପାନର ରୁଷ ସହିତ ସଂଘର୍ଷ ଯେମିତି ସମଗ୍ର ଏସିଆ ଭୂଖଣ୍ଡରେ ଏକ ନୂତନ ଜାତୀୟତାବାଦର ସ୍ରୋତ ଖେଳାଇ ଦେଇଥିଲା, ଅଲକ୍ଷ୍ୟ ଭାବରେ ଲୋକଙ୍କ ଭିତରେ ଏହା ସେହିଭଳି ଏକପ୍ରକାର ଉତ୍ତେଜନା । ଜାପାନୀଙ୍କ ପ୍ରତି ଲୋକଙ୍କର ଯେତେ ଭୟ ନଥାଏ, ଯୁଦ୍ଧ ଲାଗିଗଲେ ଦୁଇପକ୍ଷର ସଂଘର୍ଷରେ ବୋମା ଓ ଗୁଳି ବର୍ଷଣ ଫଳରେ ଧନଜୀବନ କ୍ଷୟ ହେବ, ଧ୍ଵଂସଲୀଳା ହୋଇଯିବ, ଏହା ଭାବି ଲୋକେ ଆତଙ୍କିତ ହେଉଥାଆନ୍ତି । ଯେଉଁ ସରକାର ନିଜର ଦପ୍ତରକୁ ରକ୍ଷା କରିପାରିବ ନାହିଁ ବୋଲି ସମ୍ବଲପୁର ପଳାଇଯାଉଛି, ସେ ସାଧାରଣଙ୍କୁ ରକ୍ଷା କରିପାରିବାର ଭରସା କେମିତି ଲୋକେ ପାଆନ୍ତେ ! ଏଣେ ସରକାରୀ କର୍ମଚାରୀମାନେ ଆଜ୍ଞାବହ ଭୃତ୍ୟ ହିସାବରେ କାର୍ଯ୍ୟ କରୁଥିଲେ ସୁଦ୍ଧା ଜାପାନୀଙ୍କ ପ୍ରତି ସେମାନଙ୍କର ସ୍ୱାଭାବିକ ସହାନୁଭୂତି ରହିଥାଏ । ଏପରି ସାମାଜିକ ପରିବେଷ୍ଟନୀ ଭିତରେ ଜାପାନ ଯଦି ବାସ୍ତବିକ ଆସି ପ୍ରବେଶ କରେ, ତେବେ ପରିସ୍ଥିତି କି ଆକାର ଧାରଣ କରନ୍ତା ତାହା ସହଜରେ ଅନୁମାନ କରାଯାଇପାରେ । ଆମେ କଂଗ୍ରେସ ଲୋକେ ଏଥିରେ ବେଶି ଦ୍ଵିଧାରେ ପଡ଼ିଲୁ । ଏମିତିକା ଅବସ୍ଥାର କେହି କେବେହେଲେ ସମ୍ମୁଖୀନ ହୋଇ ନାହାନ୍ତି–ଇଂରେଜ ସରକାର ବିରୁଦ୍ଧରେ ଲଢ଼ାଇ; ଏଣେ ଏକ ଶକ୍ତି ସେହି ଇଂରେଜମାନଙ୍କୁ ତଡ଼ିବାକୁ ଆସୁଛି । ନୀତିଗତ ଦୃଷ୍ଟିରୁ ଜାପାନ–ଜର୍ମାନୀ ଫାସିଷ୍ଟବାଦର ପରିପୋଷକ; ତେଣୁ ଆମେ ସମର୍ଥନ କରି ନ ପାରୁ । ମାତ୍ର ଘଟଣାସ୍ଥଳରେ ଆମରି ଆଖିଆଗରେ ଆମର ଶତ୍ରୁକୁ କେହି ଯଦି ଅଧିକ ବଳପ୍ରୟୋଗ କରି ନିପାତ କରେ ଏବଂ ଆମ ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରାଏ, ସେତେବେଳେ ଆମେ କିଭଳି ପନ୍ଥା ଗ୍ରହଣ କରିବୁ–ଏହା ହେଲା ଆମ ଆଗରେ ବିରାଟ ପ୍ରଶ୍ନ । ଅନ୍ୟମାନଙ୍କ ପରି କଂଗ୍ରେସ ଲୋକେ ଯଦି ଭୟ କରି କଟକ ସହର ଛାଡ଼ି ପଳାଇ ଯାଆନ୍ତି, ତେବେ ତାହା ହେବ ଭୀରୁତା । ତେଣୁ କର୍ତ୍ତବ୍ୟ କ’ଣ ?

 

ଏକମାତ୍ର ଗାନ୍ଧିଜୀ ଏ ବିଷୟରେ ମାର୍ଗ ନିର୍ଦ୍ଦେଶ କରିପାରିବେ । ଗାନ୍ଧିଜୀ ଥାଆନ୍ତି ୱାର୍ଦ୍ଧାରେ । ଚିଠିପତ୍ରରେ କିଛି ଲେଖିବା ସମ୍ଭବ ନୁହେଁ–ହୁଏତ ପହଞ୍ଚିବ ନାହିଁ, ବରଂ ଯେ ଲେଖିବ ତା’ର ଗିରଫ୍‍ ହୋଇଯିବାର ଆଶଙ୍କା । କଟକରୁ କେହି ସିଧାସଳଖ ଟିକେଟ କାଟି ରେଳରେ ବା ବସ୍‍ରେ ଗାନ୍ଧିଜୀଙ୍କ ପାଖକୁ ଯିବାବି ସମ୍ଭବ ନଥିଲା । ସେଭଳି ଲୋକକୁ ସନ୍ଦେହରେ ଗିରଫ୍‍ କରାଯାଇଥାନ୍ତା । ମାତ୍ର ଘଟଣା ସବୁ ଅତି ତ୍ୱରିତ ବେଗରେ ଘଟିଯାଉଥାଏ । କିଛି ସ୍ପଷ୍ଟ ନିର୍ଦ୍ଦେଶ ନ ପାଇଲେ ଲୋକଙ୍କୁ ସମ୍ଭାଳିବା ବା ନେତୃତ୍ୱ ଦେବା ପରିବର୍ତ୍ତେ କଂଗ୍ରେସ ଲୋକେହିଁ ପଥଭ୍ରଷ୍ଟ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଥାଏ । ତେଣୁ ଗାନ୍ଧିଜୀଙ୍କ ସହ ତୁରନ୍ତ ସମ୍ପର୍କ ପ୍ରତିଷ୍ଠା ଲାଗି ମୁଁ ବାହାରିଲି ।

 

ମୁଁ ୟୁନାଇଟେଡ଼୍ ପ୍ରେସ୍ ସହ ସମ୍ପୃକ୍ତ ଥିବାରୁ ଏହାର ଅଫିସ୍ ସମ୍ବଲପୁରକୁ ନେଇଯିବାକୁ ହେବ ଓ ଏଥିଲାଗି ସମ୍ବଲପୁରରେ ଏକ ସ୍ଥାନ ଦିଆଯାଉ ବୋଲି ସରକାରୀ କର୍ତ୍ତୃପକ୍ଷଙ୍କୁ ନିବେଦନ କଲି ଏବଂ ସେହି ସ୍ଥାନର ଅନ୍ୱେଷଣରେ ମୁଁ କଟକ ଛାଡ଼ିଲି । ତେଣୁ ମୋର କଟକ ପରିତ୍ୟାଗକୁ ପୁଲିସ କର୍ତ୍ତୃପକ୍ଷ ସନ୍ଦେହଚକ୍ଷୁରେ ଦେଖିଲେ ନାହିଁ । ୧୯୪୨ରେ ପୁଲିସ ଆଖିରେ ଧୂଳି ଦେଇ ଅଜ୍ଞାତ ଭାବରେ ମୁଁ ଯେଉଁ କାର୍ଯ୍ୟ ସବୁ ପରବର୍ତ୍ତୀ ସମୟରେ କଲି, ତା’ର ଏହା ଅୟମାରମ୍ଭ କହିଲେ ହେବ । ଏଥିରେ ମୁଁ ସଫଳ ହେବାରୁ ସରକାରଙ୍କ ଗୁଇନ୍ଦା ବିଭାଗ ଅପେକ୍ଷା ମୁଁ ଅଧିକ ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରିପାରିବି ବୋଲି ମୋର ବିଶ୍ଵାସ ହେଲା । ସମ୍ବଲପୁରରେ ପହଞ୍ଚି ନିରାଲମ୍ବ ଭାବରେ ଜିଲା କର୍ତ୍ତୃପକ୍ଷଙ୍କୁ ଭେଟିଲି ଏବଂ ସାହାଯ୍ୟ ମାଗିଲି । ଜଣେ ସରକାରୀ କର୍ମଚାରୀଙ୍କ ଘରେ ଅତିଥି ହେଲି । କୌଣସି କଂଗ୍ରେସ ଲୋକଙ୍କୁ ସାକ୍ଷାତ୍ କଲି ନାହିଁ କିମ୍ଵା ଅନ୍ୟ କୌଣସି କାର୍ଯ୍ୟକ୍ରମ ରଖିଲି ନାହିଁ । କିଛି ବ୍ୟବସ୍ଥା ହେବାଲାଗି ଏକ ସପ୍ତାହ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ବୋଲି ଜିଲା କର୍ତ୍ତୃପକ୍ଷ ମଧ୍ୟ ମତ ପ୍ରକାଶ କଲେ । ମୋଟାମୋଟି ସପ୍ତାହକ ଆଗରୁ ମୁଁ କଟକ ଫେରି ପାରିବି ନାହିଁ ବୋଲି ସ୍ଥିର ହେଲା । ମୋର ବିଶ୍ୱାସ, ସେହି ଅନୁସାରେ ମୋ ବିଷୟରେ ପୁଲିସ୍ ରିପୋର୍ଟ ମଧ୍ୟ ହୋଇଯାଇଥିବ । କାରଣ ମୁଁ ସମ୍ବଲପୁର ବସ୍ ଷ୍ଟାଣ୍ଡ୍‍ରେ ଓହ୍ଲାଇବାକ୍ଷଣି ମତେ ପୁଲିସ କର୍ତ୍ତୃପକ୍ଷ ଦେଖା କଲେ ଏବଂ ଆଗମନର ଉଦ୍ଦେଶ୍ୟ ପଚାରି ବୁଝିଥିଲେ । ମୋର ଧାରଣା, ମୁଁ ଯେ ବସ୍‍ଯୋଗେ କଟକରୁ ସମ୍ବଲପୁର ଯାତ୍ରା କରିଛି, ଏ ସମ୍ବାଦ କଟକରୁ ସେଠାକୁ ପଠାଯାଇଥିବ ଏବଂ ମୋର ଗତିବିଧି ଲକ୍ଷ୍ୟ କରି ରିପୋର୍ଟ ଦେବା ନିମନ୍ତେ ନିର୍ଦ୍ଦେଶ ଥିବ । ମାତ୍ର ମୁଁ ସମ୍ବଲପୁରରେ ପହଞ୍ଚି ଏପରି ନିରୀହ ଆଚରଣ ଦେଖାଇଲି ଯେ ମୋର ସମ୍ବଲପୁର ଗସ୍ତରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ ବୋଲି ସେଠା କର୍ତ୍ତୃପକ୍ଷଙ୍କର ହୃଦ୍‍ବୋଧ ହୋଇଗଲା ଏବଂ ମୁଁ ତାଙ୍କ ନିଘାରେ ଆଉ ରହିଲି ନାହିଁ ।

 

ଏହି ମଉକାରେ ମୁଁ ଝାରସୁଗୁଡ଼ା ଆଡ଼େ ବୁଲି ଯିବାର ବାହାନା କରି ବସ୍‍ରେ ସେଠିକି ଗଲି । ସେଠାରୁ ଟ୍ରେନ୍‍ରେ ଯାଇ ନାଗପୁରରେ ଓହ୍ଲାଇଲି । ନାଗପୁରରୁ ବସ୍‍ରେ ଗଲି ୱାର୍ଦ୍ଧା । ଏମିତି ଭାବରେ ସାରା ଯାତ୍ରାଟି ଶେଷ କଲି । ଗାନ୍ଧିଜୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଯାଉଛି ବୋଲି କେହି ସନ୍ଦେହ କରି ପାରିଲେ ନାହିଁ ।

 

ୱାର୍ଦ୍ଧାରେ ନିର୍ଧୂମ ଖରାବେଳେ ପହଞ୍ଚି ଗାନ୍ଧିଜୀଙ୍କ ସହ ସାକ୍ଷାତ୍‍ର ବ୍ୟବସ୍ଥା କଲି । ନିଖିଳ ଭାରତ ଖଦି ଆସୋସିଏସନ୍‍ର ସମ୍ପାଦକ ଶ୍ରୀ ଧୋତ୍ରେଙ୍କ ସହ ମୋର ସାମାନ୍ୟ ପରିଚୟ ଥାଏ । ତାଙ୍କରି ଘରେ ଯାଇ ପହଞ୍ଚିଲି । ତାଙ୍କୁ ୱାର୍ଦ୍ଧାରୁ ଧରି ସେବାଗ୍ରାମ ଚାଲିଲି ଗାନ୍ଧିଜୀଙ୍କୁ ଭେଟିବା ନିମନ୍ତେ । ଗାନ୍ଧିଜୀଙ୍କୁ ପୂର୍ବରୁ ଭେଟିଥିଲି ସତ, ମାତ୍ର ଏମିତି ପ୍ରତ୍ୟକ୍ଷ ଭାବରେ ଗହନ ରାଜନୀତିକ ଆଲୋଚନା ଏକାକୀ କରିବାର ସୁଯୋଗ ପୂର୍ବରୁ କେବେ ଘଟି ନଥିଲା । ମନରେ ନାନା କଳ୍ପନା ଉଠୁଥିଲା । ତାହା ଛଡ଼ା ଭାଷାବି ଆହୁରି ଏକ ଅସୁବିଧା । ଗାନ୍ଧିଜୀ ବୋଧହୁଏ ହିନ୍ଦୀରେ କଥାବାର୍ତ୍ତା ଅଧିକ ପସନ୍ଦ କରିବେ । ମୁଁ ହିନ୍ଦୀ ନ ଜାଣିଥାଏ–ଏପରି ନୁହେଁ । ସ୍ଵାଧୀନତା ସଂଗ୍ରାମର ଏକ ପ୍ରଧାନ କାର୍ଯ୍ୟକ୍ରମ ଥିଲା ଇଂରେଜୀ ଭାଷା ବଦଳରେ ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚଳନ-। ତେଣୁ ଯେଉଁମାନେ ସତ୍ୟାଗ୍ରହୀ ଶ୍ରେଣୀଭୁକ୍ତ ହୋଇ ଉପଯୁକ୍ତ ସ୍ୱରାଜ୍ୟ–ସୈନିକ ହେବାର ଆକାଂକ୍ଷା ପୋଷଣ କରିଥିଲେ, ସେମାନେ ହିନ୍ଦୀ ଶିକ୍ଷା ଆରମ୍ଭ କରି ଦେଇଥିଲେ । ମୁଁ ଅନ୍ୟ କେତେକ ବନ୍ଧୁଙ୍କ ସହ ସାମାନ୍ୟ ପରିଶ୍ରମ କରି ୧୯୩୪ ମସିହାରେ ଓଡ଼ିଶାରେ ଯେତେବେଳେ ପ୍ରଥମ ହିନ୍ଦୀ ପରୀକ୍ଷା ଦେବାର ବ୍ୟବସ୍ଥା ହୁଏ ସେଥିରେ ପ୍ରାଥମିକ ଓ ପ୍ରବେଶ ପରୀକ୍ଷା ଦେଇଥିଲି ଏବଂ ପାସ୍‍ବି କରିଥିଲି । ଆମର ସୌଭାଗ୍ୟକୁ ଓଡ଼ିଶାରେ ଗାନ୍ଧିଜୀଙ୍କର ହରିଜନ ପଦଯାତ୍ରା ସେହି ବର୍ଷ ହୋଇଗଲା । କଟକର କାଠଯୋଡ଼ି ନଦୀବାଲିରେ ହୋଇଥିବା ବିରାଟ ସାଧାରଣସଭାରେ ଗାନ୍ଧିଜୀଙ୍କ ହାତରୁ ଆମମାନଙ୍କୁ ହିନ୍ଦୀ ପାସ୍‍ର ସାଟିଫିକେଟ୍ ମିଳିଲା । କି ଆନନ୍ଦ ମନରେ–ଗାନ୍ଧିଜୀ ସାଟିଫିକେଟ୍ ପ୍ରଦାନ କଲେ ! ପ୍ରବେଶ ପରୀକ୍ଷାରେ ପାସ୍ ହେଲା ସତ୍ୟ, ମାତ୍ର ତା’ପରେ ଆଉ ଏହା ଅଧ୍ୟୟନ କରି ଶୁଦ୍ଧ ହିନ୍ଦୀ କହିବା ବା ଲେଖିବା ଦକ୍ଷତା ଅର୍ଜନ କଲାଭଳି ଉଦ୍ୟମ କରି ନଥିଲି-। ବରଂ ଇଂରେଜୀ ସାମ୍ବାଦିକତା କରୁଥିବାରୁ ଇଂରେଜୀଜ୍ଞାନ ଟିକିଏ ବୄଦ୍ଧିପାଉଥାଏ । ପୂର୍ଣ୍ଣ ନିର୍ଭୁଲ ନହେଲେ ସୁଦ୍ଧା ଚଳନ୍ତି ଇଂରେଜୀ କହିବା ଓ ଲେଖିବାର ଅଭ୍ୟାସ ହୋଇଯାଇଥାଏ । ଗାନ୍ଧିଜୀଙ୍କ ସହ ଭେଟ ହେବାମାତ୍ରେ ତାଙ୍କର ପ୍ରଥମ ପ୍ରଶ୍ନ ହେଲା–ହିନ୍ଦୀ ଜାଣେ କି ନାହିଁ । ମୁଁ ନିଃସଙ୍କୋଚରେ କହିଲି–ସାମାନ୍ୟ ଜାଣେ–ଭଲ ବୁଝିପାରେ । ମାତ୍ର ଇଂରେଜୀରେ ବୋଧହୁଏ ମନକଥା ଖୋଲାଭାବରେ କହିପାରିବି । ଗାନ୍ଧିଜୀ ହିନ୍ଦୀ ପ୍ରଚାରର ପକ୍ଷପାତୀ ଏବଂ ଯଥାସମ୍ଭବ ତା’ର ପ୍ରଚାର ଚାହୁଁଥିଲେ, ତେବେ ହିନ୍ଦୀ ଭାଷା କାହା ଉପରେ ଜବରଦସ୍ତି ଲଦି ଦେବାର ସେ ବିରୋଧୀ ଥିଲେ । ପରବର୍ତ୍ତୀ କାଳରେ ଆମର ଡକ୍ଟର ଲୋହିଆଙ୍କ ପରି କେତେକ ସୋସଲିଷ୍ଟ ହିନ୍ଦୀ ପ୍ରସାର ନାମରେ ଯେପରି ଇଂରେଜୀ–ବିରୋଧୀ ଆନ୍ଦୋଳନ ଚଳାଇଲେ, ସେଥିରେ ହିନ୍ଦୀଭାଷା ପ୍ରଚଳନରେ ବାଧା ଉପୁଜିଲା । ଅଣହିନ୍ଦୀ ଭାଷୀଙ୍କ ମନରେ ସ୍ଵତଃ ଭୟ ଜାତ ହେଲା ଏବଂ ହିନ୍ଦୀ ପ୍ରଚଳନର ତୀବ୍ର ବିରୋଧ ସଂଗଠିତ ଭାବରେ ଏ ଦେଶରେ ଦେଖିବାକୁ ମିଳିଲା ।

 

ଗାନ୍ଧିଜୀଙ୍କ ସମ୍ମୁଖରେ ଏଠାକାର ପରିସ୍ଥିତି ଏବଂ ସରକାରୀ ଓ ଲୋକମହଲର ପ୍ରତିକ୍ରିୟା ମୁଁ ବର୍ଣ୍ଣନା କଲି । ଗାନ୍ଧିଜୀ ସବୁ ଶୁଣି ମତେ କହିଲେ–“କଂଗ୍ରେସଲୋକ ଜାପାନୀଙ୍କ ପ୍ରତିରୋଧ ନ କରିପାରନ୍ତି, ମାତ୍ର ତାଙ୍କର ବଶ୍ୟତା ସ୍ଵୀକାର କରିବେ ନାହିଁ । ତାଙ୍କୁ ପରିଷ୍କାର କହିଦେବେ, ଆମ ମାତୃଭୂମିରେ ଆମେ କୌଣସି ଦେଶର ଆଧିପତ୍ୟକୁ ମାନିବୁ ନାହିଁ । ଇଂରେଜଙ୍କୁ ତଡ଼ିବା ଆମର ଧର୍ମ; ତୁମେ ମଧ୍ୟ ଆମ ଦେଶ ଛାଡ଼ି ଚାଲିଯାଅ; ତୁମକୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ଆମେ କରି ନ ପାରୁ । ଏଥିରେ ଜାପାନୀମାନେ ଜୁଲମ କଲେ ଠିକ୍ ସତ୍ୟାଗ୍ରହୀଭାବେ ତାହା ବରଣ କରିବାକୁ ପ୍ରସ୍ତୁତ ହୋଇଯିବା ଉଚିତ । ମାତ୍ର କଂଗ୍ରେସ ଲୋକେ ସ୍ଥାନ ଛାଡ଼ି ଆସିବା ଉଚିତ ନୁହେଁ କିମ୍ବା ଜାପାନୀଙ୍କ ପାଖରେ ମୁଣ୍ଡ ନୁଆଁଇବା ଠିକ୍ ନୁହେଁ । ସେପରି ଯଦି କେହି ଭୟାଳୁ କଂଗ୍ରେସ ଲୋକ ରହିଛନ୍ତି ସେମାନଙ୍କୁ ଏଠିକି ପଠାଇ ଦିଅ, ମୁଁ ସେବାଗ୍ରାମରେ ଆଶ୍ରୟ ଦେବି ।”

 

ଗାନ୍ଧିଜୀଙ୍କର ଏଭଳି ନିର୍ଦ୍ଦେଶ ମୋ ମନରେ ଆନନ୍ଦ ଦେଲା । ଆମେ ଯଦି ପ୍ରକୃତରେ ଗଣତନ୍ତ୍ରବାଦୀ ଏବଂ ସଂକୀର୍ଣ୍ଣ ଜାତୀୟତାବାଦ ଆମକୁ କଳୁଷିତ କରିନାହିଁ, ତେବେ ଫାସିଷ୍ଟବାଦ ଆଗରେ ଆମର ଆତ୍ମସମର୍ପଣ କଦାପି ସମ୍ଭବ ନୁହେଁ । ଏହା ପ୍ରକୃତରେ ପରୀକ୍ଷାବେଳ । ଆମେ ଏଭଳି ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେବୁ ବୋଲି ମୁଁ ଗାନ୍ଧିଜୀଙ୍କି ଜବାବ ଦେଇ ଫେରିଲି । ଏହି ମଉକାରେ ଆଉ କେତେକ ପ୍ରଶ୍ନ ଗାନ୍ଧିଜୀଙ୍କୁ ପଚାରି ତା’ର ଲିଖିତ ଜବାବବି ନେଇଆସିଲି । ଗାନ୍ଧିଜୀ ମୋର ପ୍ରଶ୍ନ ଶୁଣନ୍ତି ଏବଂ ସେ ଯାହା କହନ୍ତି ରାଜକୁମାରୀ ଅମୃତ କୌର ତାହା ମୋ ନୋଟ୍‍ବୁକ୍‍ରେ ଲେଖିଦିଅନ୍ତି । ଆଗରୁ କହିଛି ଗାନ୍ଧିଜୀ, ନେତାଜୀ ସୁଭାଷ ବୋଷ ଏବଂ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାଙ୍ଗରେ ମୋର ଯେତେବେଳେ ଯାହା ଆଲୋଚନା ହୋଇଥିଲା ଏବଂ ସେମାନେ ଯାହା ସବୁ ଲିଖିତ ବା ମୌଖିକ ଜବାବ ଦେଇଥିଲେ, ସେଗୁଡ଼ିକ ଲିପିବଦ୍ଧ କରି ରଖିଥିବା କାଗଜସବୁ କିଭଳି ପୋଡ଼ି ଧ୍ଵଂସ କରିଦିଆଗଲା । ଏହି ସଂକ୍ରାନ୍ତରେ ଗାନ୍ଧିଜୀଙ୍କୁ ପଚାରିଥିବା ବିଭିନ୍ନ ପ୍ରଶ୍ନ ଭିତରେ ମୁଁ ପଚାରିଥିଲି–ଇଂରେଜମାନେ ବର୍ମା ଓ ଅନ୍ୟ ଦେଶରେ ଜାପାନୀ ଆଗମନ ଆଶଙ୍କାରେ ଶତ୍ରୁ ହାତରେ ଖାଦ୍ୟପଦାର୍ଥ ପଡ଼ିବ ନାହିଁ ବୋଲି ଜାଳିପୋଡ଼ି ନଷ୍ଟ କରିଦେଉଛନ୍ତି । ଆମ ଗାଁଲୋକେ ମହାଜନ ଅମାରରୁ ଧାନ କରଜ ନେଇ ଚଳନ୍ତି । ସେଗୁଡ଼ିକ ନଷ୍ଟ ହୋଇଗଲେ ଲୋକେ ଦୁଃଖରେ ହନ୍ତସନ୍ତ ହେବେ । ଆମେ କଂଗ୍ରେସଲୋକେ ଯଦି ଜମିଦାର ମହାଜନଙ୍କ ଧାନ ଅମାର ଦଖଲ କରି ଧାନସବୁ ସ୍ଥାନୀୟ ଲୋକଙ୍କ ଭିତରେ ବାଣ୍ଟି ଦେଇ ତାହାକୁ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଆକ୍ରମଣ ଓ ହିଂସା ହେଲା ବୋଲି ଆପଣ ନିନ୍ଦା କରିବେ କି ? ଗାନ୍ଧିଜୀଙ୍କର ସ୍ପଷ୍ଟ ଜବାବ ଥିଲା–ଏପରି କାର୍ଯ୍ୟ ବୀରୋଚିତ ହେବ । ଗାନ୍ଧିଜୀଙ୍କୁ ପୁଣି ପଚାରିଥିଲି ଗଡ଼ଜାତ ରାଜାମାନଙ୍କୁ ଜାପାନୀଙ୍କ ପାଖରେ ଆତ୍ମସମର୍ପଣରୁ ରୋକିବା ନିମନ୍ତେ ଯଦି ପ୍ରଜାମଣ୍ଡଳଗୁଡ଼ିକ ସେମାନଙ୍କ ମହଲ ଦଖଲ କରି ନିଜକୁ ସ୍ଵାଧୀନ ବୋଲି ଘୋଷଣା କରନ୍ତି ଏବଂ ସମୁଦ୍ର ଉପକୂଳ ଅଞ୍ଚଳରେ କଂଗ୍ରେସ ପ୍ରାଥମିକ କମିଟିଗୁଡ଼ିକ ଇଂରେଜ ସତ୍ତାକୁ ଲୋପ କରି ସେ ଅଞ୍ଚଳରେ ସମାନ୍ତରାଳ ସ୍ୱାଧୀନ ସରକାର ଘୋଷଣାକରନ୍ତି, ଆପଣ ଏଭଳି କାର୍ଯ୍ୟକୁ ପସନ୍ଦ କରିବେ କି ? ଗାନ୍ଧିଜୀ ମତେ ଅଭୟ ଦେଇ କହିଲେ–“This will be another feather in the Congress cap.”–ଏହା କଂଗ୍ରେସ ପକ୍ଷରେ ଆଉ ଏକ ଗୌରବମୟ କାର୍ଯ୍ୟ ହେବ-

 

ଗାନ୍ଧିଜୀଙ୍କର ମନ ସେଥିଲାଗି ଶେଷ ସ୍ୱାଧୀନତା ସଂଗ୍ରାମକୁ ସମ୍ପୂର୍ଣ୍ଣ ବୈପ୍ଳବିକ ରୂପ ଦେବା ଲାଗି ବହୁ ଆଗରୁ ପ୍ରସ୍ତୁତ ହୋଇଥିଲା; ଅନ୍ୟମାନଙ୍କ କଥା କହିପାରିବି ନାହିଁ । ମୁଁ ଯେତେବେଳେ ‘ଭାରତ ଛାଡ଼’ ଆନ୍ଦୋଳନବେଳେ ସରକାରୀ କଳକୁ ଅଚଳ କରାଇବା ନିମନ୍ତେ ଯାବତୀୟ ପନ୍ଥାର ଆଶ୍ରୟ ନେଲି, ସେଥିରେ ମହାତ୍ମା ଗାନ୍ଧୀଙ୍କର ଚିନ୍ତା ବା କଳ୍ପନାର ବିରୋଧ କିଛି ରହିଥିଲା ବୋଲି ବିଚାର କରୁ ନଥିଲି ।

☆☆☆

 

କମ୍ୟୁନିଷ୍ଟ ପାର୍ଟି ବିରୋଧ କଲା

 

ସେହି ରାତ୍ରିରେ ପ୍ରାର୍ଥନାସଭା ପରେ ଗାନ୍ଧିଜୀଙ୍କଠାରୁ ବିଦାୟ ନେଇ ଆସିଲି । ପ୍ରାର୍ଥନା ଥିଲା ଗାନ୍ଧିଜୀଙ୍କର ନିତ୍ୟନୈମିତ୍ତିକ କାର୍ଯ୍ୟ । ସନ୍ଧ୍ୟାବେଳର ପ୍ରାର୍ଥନା ତାଙ୍କର ଶେଷକାଳକୁ ଏକପ୍ରକାର ବିରାଟ ସାଧାରଣସଭାରେ ପରିଣତ ହୋଇ ଯାଇଥିଲା । ସହସ୍ର ସଂଖ୍ୟାରେ ଲୋକ ସାମୂହିକ ପ୍ରାର୍ଥନାରେ ଯୋଗ ଦେଉଥିଲେ–ଗାନ୍ଧିଜୀଙ୍କ ଦର୍ଶନ ଲାଭ କରୁଥିଲେ ଏବଂ ଗାନ୍ଧିଜୀଙ୍କ ବାଣୀବି ଶୁଣି ପାରୁଥିଲେ । ଗାନ୍ଧିଜୀ ବହୁତ ବଡ଼ବଡ଼ ରାଜନୀତିକ ଘୋଷଣା ଶେଷକୁ ଏହି ପ୍ରାର୍ଥନା ସଭାରେ କରୁଥିଲେ । ସେବାଗ୍ରାମର ବିଭିନ୍ନ ବିଭାଗରେ କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ପ୍ରାର୍ଥନା ଲାଗି ଠୁଳ ହୁଅନ୍ତି ଏବଂ ସମବେତ ପ୍ରାର୍ଥନା ହୁଏ । ଠିକ୍ ପ୍ରାର୍ଥନାକୁ ଯିବା ପୂର୍ବରୁ ମୋର ପ୍ରଶ୍ନର ଜବାବ ଦେବା ଶେଷ ହୋଇଗଲା ଏବଂ ମୁଁ ବିଦାୟ ନେବାକୁ ଚାହିଁଲି । ସେବାଗ୍ରାମରେ ଅଧିକ ସମୟ ରହି କାହାରି ଦୃଷ୍ଟି ଆକର୍ଷଣ କରିବାକୁ ମୁଁ ଚାହୁଁ ନଥିଲି । ବେଶି ଲୋକ ଜାଣିଲେ ମୋର ଯିବା ଉଦ୍ଦେଶ୍ୟଟି ପ୍ରକାଶିତ ହୋଇଗଲେ ମୁଁ ଅଡ଼ୁଆରେ ପଡ଼ିଯିବି । ଗାନ୍ଧିଜୀଙ୍କ ସହିତ ମୋର ଯେ ଏଭଳି ଏକ ନିଗୂଢ଼ ରାଜନୀତିକ ଆଲୋଚନା ହେଲା, ଏହା କିଶୋରଲାଲ ମଶ୍ରୁୱାଲା ଏବଂ ରାଜକୁମାରୀ ଅମୃତ କୌରଙ୍କ ଛଡ଼ା ଆଉ କାହାରିକି ଗୋଚର ନଥିଲା । ଗାନ୍ଧିଜୀ ସାଧାରଣତଃ ଅପରାହ୍ନରେ ଭୋଜନ ପରେ ଯେତେବେଳେ ସାନ୍ଧ୍ୟାଭ୍ରମଣ ଲାଗି ଯାଆନ୍ତି, ସେତେବେଳେ ବହୁ ବିଦେଶୀ ଓ ସ୍ୱଦେଶୀ ବ୍ୟକ୍ତିଙ୍କୁ ଆଲୋଚନା ଲାଗି ସାଙ୍ଗରେ ଡାକି ନିଅନ୍ତି ଏବଂ ସେମାନଙ୍କ କାନ୍ଧରେ ହାତ ପକାଇ ଚାଲନ୍ତି ଓ ଚାଲିବା ସାଙ୍ଗେ ସାଙ୍ଗେ ବିଚାର ଆଲୋଚନା ହୁଏ । ଖାଇବା ପରେ ମତେ ସେମିତି ତାଙ୍କ ସହ ବୁଲିଯିବାଲାଗି ଗାନ୍ଧିଜୀ କହିଲେ । ମାତ୍ର ମୋତେ ଶୀଘ୍ର ଫେରିଯିବାକୁ ହେବ ଏବଂ ତା’ ପୂର୍ବରୁ କିଛି ଲେଖିବାର ପ୍ରୟୋଜନ ଥାଏ । ତେଣୁ ମୁଁ ଗାନ୍ଧିଜୀଙ୍କ ଭ୍ରମଣ ସମୟ ଭିତରେ ସେଗୁଡ଼ିକ ଏଠାରେ ବସି ଶେଷ କରିବି ଏବଂ ସେ ଫେରିଲେ ଶେଷ କଥାବାର୍ତ୍ତା ହୋଇ ଚାଲିଯିବି କହି କ୍ଷମା ମାଗିଲି । ଗାନ୍ଧିଜୀ କଥାଟିକି ପସନ୍ଦ କଲେ । କିନ୍ତୁ ସାଙ୍ଗେ ସାଙ୍ଗେ ପରିହାସ କରି କହିଲେ–“ଯୁବକ ହେଲେ କ’ଣ ହେବ–ବୁଢ଼ା ସହିତ ଚାଲିପାରିବ ନାହିଁ ବୋଲି ଭୟ କରି ଆସୁନାହଁ ।” ଏହା କହି ସେ ବାହାରିଗଲେ; ମାତ୍ର ମୁଁ ଗଲି ନାହିଁ ଅନ୍ୟ କାରଣରୁ । ମୁଁ ବୁଲିଲାବେଳେ ଗାନ୍ଧିଜୀଙ୍କ ସହ ଆଲୋଚନା କରିଥିଲେ ନିଶ୍ଚୟ ପୁଲିସ ବା ସନ୍ଦେହୀ ଲୋକଙ୍କର ଦୃଷ୍ଟି ପଡ଼ିଥାନ୍ତା ଓ ମୋର ଆଗମନ ଗୋପନୀୟ ହୋଇ ରହି ନଥାନ୍ତା । ତେଣୁ ଏକ ବାହାନା କରି ମୁଁ ରହିଗଲି । ଗାନ୍ଧିଜୀ କହିବାରୁ ପ୍ରାର୍ଥନାସଭାରେ ମୁଁ ଯୋଗ ଦେଲି । ସେଦିନ ପ୍ରାର୍ଥନା ସଭାରେ ମତେ ସବୁଠୁ ଭଲଲାଗିଲା ଯେତେବେଳେ ଶେଷକୁ ସେବା–ଗ୍ରାମବାସୀ ଜଣେ ଓଡ଼ିଆ “ଅନୁସରିତ, ପ୍ରଭୁ କାଳଯାକ ଗଲା ସରିତ !” ଗୀତଟି ଗାଇଲେ ।

 

କୌଣସି ପ୍ରକାରେ ଅଜଣାଭାବରେ ଯଥାଶୀଘ୍ର ଆସି ରାତି ବିତାଇଲି ନାଗପୁରର ଏକ ହୋଟେଲରେ । ନିଶ୍ଚିନ୍ତ ନିଃଶ୍ୱାସ ପକାଇଲି; ମନରେ ଭରସା ପଶିଲା–ମତେ କେହି ଚିହ୍ନି ନାହାନ୍ତି କିମ୍ବା ଗାନ୍ଧିଜୀଙ୍କ ସହ ଏଭଳି ଆଲୋଚନା ହୋଇଛି ବୋଲି କାହାରି ପକ୍ଷରେ ଜାଣିବା ସମ୍ଭବ ହୋଇନାହିଁ । ତେଣିକି ମୋ ବାଟରେ ମୁଁ ଫେରିଲି ସମ୍ବଲପୁର ଓ ସେଠାରୁ କଟକ ।

 

ଫେରିବା ପଥରେ ମନ ବହୁଆଡ଼େ ଘୂରିଲା । ଗାନ୍ଧିଜୀ ଅହିଂସାକୁ ବ୍ରତ କରିଥାଆନ୍ତି । ତାଙ୍କ ପକ୍ଷରେ ଲକ୍ଷ୍ୟପ୍ରାପ୍ତି ନିମନ୍ତେ ଅସତ୍‍ପନ୍ଥା ଗ୍ରହଣ କେବେ ସମ୍ଭବ ନୁହେଁ । ଏଇଆ ଥିଲା ଗାନ୍ଧିଜୀଙ୍କର ଅନ୍ୟ ବିପ୍ଳବୀମାନଙ୍କଠାରୁ ବିଶେଷତ୍ଵ । ସାଧନ ଶୁଦ୍ଧ ହେଲେ ଯାଇ ଲକ୍ଷ୍ୟ ହାସଲ ସମ୍ପୂର୍ଣ୍ଣ ହେବ–ଏହି ମାପକାଠିରେ ଗାନ୍ଧିଜୀଙ୍କ ଅନୁଚରମାନେ ତାଙ୍କର ବ୍ୟାଖ୍ୟା କରି ନାନା ଟୀକା ଟିପ୍ପଣୀ କରନ୍ତି । ଓଡ଼ିଶା ଗଡ଼ଜାତରେ ପ୍ରଜା ଆନ୍ଦୋଳନବେଳେ ନିର୍ମମ ପ୍ରହାର ଓ ଅତ୍ୟାଚାର ବିରୁଦ୍ଧରେ କଦବା କେଉଁଠି ଲୋକଙ୍କ ଆଡ଼ୁ ହୋଇଥିବା ବିଚ୍ୟୁତିକୁ ଗାନ୍ଧୀବାଦୀମାନେ ନିନ୍ଦା କରିଥିଲେ–ଏପରି କି ଏପରି ଏକ ବିଦ୍ରୋହାତ୍ମକ ଆନ୍ଦୋଳନରେ ସେମାନଙ୍କର ପୂର୍ଣ୍ଣ ସହଯୋଗ ମିଳୁ ନଥିଲା । ମୋର ନିଜର ବିଶ୍ୱାସ, ଗାନ୍ଧିଜୀ ମହାଜନ ଜମିଦାରଙ୍କ ଗଚ୍ଛିତ ଧାନକୁ ନଷ୍ଟ କରିଦେବା ପରିବର୍ତ୍ତେ ଜବରଦସ୍ତି ଦଖଲ କରି ଗରିବଙ୍କ ଭିତରେ ବାଣ୍ଟିଦେବା ନ୍ୟାୟୋଚିତ ହେବ ବୋଲି ଯେଉଁ କଥା କହିଲେ, କାମରେ ଆମର ଏଠି ଘୋର ଆପତ୍ତି ଉଠିଥାଆନ୍ତା ।

 

ଗାନ୍ଧିଜୀଙ୍କର କ୍ରିୟାତ୍ମକ ଅହିଂସାରେ ମୋର ବିଶ୍ୱାସ ବଢ଼ିଲା । ଆମେ ବରାବର ଅନୁଭବ କରୁଥିଲୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ହିଂସାର ସ୍ଥାନ ନାହିଁ ସତ୍ୟ, ମାତ୍ର ଏହା ସକ୍ରିୟ ଓ ଫଳପ୍ରଦ ହେବାକୁ ହେଲେ ସଂକୀର୍ଣ୍ଣ ସୀମାର ବାହାରକୁ ଯିବାକୁ ବାଧ୍ୟ । ଅଗଷ୍ଟ ବିପ୍ଳବକୁ ଇଂରେଜ ସରକାର ମଧ୍ୟ ହିଂସା–ଆନ୍ଦୋଳନ ବୋଲି ଚାରିଆଡ଼େ ପ୍ରଚାର କଲା । ଗାନ୍ଧିଜୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏବଂ କଠୋର ଦମନାସ୍ତ୍ର ପ୍ରୟୋଗ କରିବା ଲାଗି ଏଭଳି ଉପାୟ ଅବଲମ୍ବନ କରାଯାଇଥିଲା । ଏହି କାରଣରୁ ଯଦି ଆମେ ପୁଲିସର ଅନ୍ତରାଳରେ ଛପି ରହି ଆନ୍ଦୋଳନଟି ଚଳାଇ ନେବାର ପ୍ରଚେଷ୍ଟା କରି ନଥାନ୍ତୁ, ତେବେ ୧୯୩୨–୩୩ ମସିହା ପରି ଘୋର ଦମନଫଳରେ ଆନ୍ଦୋଳନ ଦବି ଯାଇଥାନ୍ତା । ଏହିପରି ବହୁ କଂଗ୍ରେସ ଲୋକଙ୍କ ଭିତରେ ଏହାର ସ୍ୱରୂପ ବିଷୟରେ ଏକ ପୂର୍ଣ୍ଣ ଧାରଣା ଥିବାରୁ ଅଗଷ୍ଟ ବିପ୍ଳବ ସଫଳ ହେଲା । ଶେଷ ସଂଗ୍ରାମ ଚଳାଇବାକୁ ହେବ । କୌଣସି ପ୍ରକାର ଏହା ବନ୍ଦ ହେବ ନାହିଁ । କେବଳ ସୋସଲିଷ୍ଟମାନେ ଯେ ଆତ୍ମଗୋପନ କରି ରହିଲେ ତାହା ନୁହେଁ, ବହୁ ଗାନ୍ଧୀବାଦୀ–ଯଥା ସ୍ୱର୍ଗୀୟ ଅନ୍ନଦା ପ୍ରସାଦ ଚୌଧୁରୀ, ଶ୍ରୀ ଆର୍. ଆର୍. ଦିବାକର ଏବଂ ଶ୍ରୀମତୀ ସୁଚେତା କୃପାଳିନୀ ପ୍ରମୁଖବି ବହୁଦିନ ଲୁକ୍କାୟିତ ଭାବରେ ଏହି ଆନ୍ଦୋଳନ ସହ ସମ୍ପୃକ୍ତ ଥିଲେ । ମୁଁ ଏଠାରେ ଯେ କେତେ ମାସ ଗୋପନ ସଙ୍ଗଠନ ଚଳାଇଲି, ସେଥିରେ କଲିକତାର ଅନ୍ନଦା ପ୍ରସାଦ ଚୌଧୁରୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ହୋଇପାରିଥିଲା ।

 

ଗାନ୍ଧିଜୀଙ୍କ ସହ ଏହି ଆଲୋଚନା ବାସ୍ତବିକ ମୋ ହୃଦୟରେ ଏକ ନୂଆ ଭାବ ସୃଷ୍ଟି କଲା ଏବଂ ଏକ ପ୍ରତ୍ୟକ୍ଷ ସଂଗ୍ରାମର ସମ୍ମୁଖୀନ ହେବା ନିମନ୍ତେ ମନରେ ବ୍ୟାକୁଳତା ଜାଗ୍ରତ ହେଲା । ‘ଭାରତ ଛାଡ଼’ ପ୍ରସ୍ତାବ ପାସ୍ ହେବ କି ନାହିଁ ଜଣା ନଥିଲା କିମ୍ବା ଅବଶେଷରେ କୌଣସି ସଂଗ୍ରାମ ହେବ କି ନାହିଁ ତା’ର କୌଣସି ନିଶ୍ଚୟତା ନଥିଲା । କେତୋଟି ବିଷୟ ମନରେ ଆନ୍ଦୋଳିତ ହେଉଥିଲା । ଆମେ ସବୁ ଯେତେବେଳେ ୧୯୪୦ରେ ଗାନ୍ଧିଜୀଙ୍କର “ବ୍ୟକ୍ତିଗତ ସତ୍ୟାଗ୍ରହ” ଅର୍ଥାତ୍ କେବଳ ଯୁଦ୍ଧବିରୋଧୀ ଧ୍ଵନିକୁ ସମର୍ଥନ ଦେଲୁ, ସେତେବେଳେ କମ୍ୟୁନିଷ୍ଟମାନେ ଆମକୁ ଉପହାସ କରୁଥିଲେ । ସେମାନେ ଗାନ୍ଧିଜୀଙ୍କୁ ‘ବୁର୍ଜୋୟା ଶ୍ରେଣୀର ରକ୍ଷକ’ ବୋଲି ବରାବର ସମାଲୋଚନା କରୁଥିଲେ । ସେମାନେ କହୁଥିଲେ ଯେ ସେଇଥିସକାଶେ ଗାନ୍ଧିଜୀ ଗଣ–ସତ୍ୟାଗ୍ରହର ଆହ୍ୱାନ ନ ଦେଇ କେବଳ ବ୍ୟକ୍ତିଗତ ସତ୍ୟାଗ୍ରହ କରାଉଛନ୍ତି–ଏପରି ଆନ୍ଦୋଳନରେ ସାମ୍ରାଜ୍ୟବାଦୀ ଶାସନର କୌଣସି କ୍ଷତି ହେବ ନାହିଁ କିମ୍ବା ସାମ୍ରାଜ୍ୟବାଦୀ ଶକ୍ତି ଉପରେ ପ୍ରଚଣ୍ତ ଆଘାତ ଲାଗିବ ନାହିଁ । ତେଣୁ ସେମାନେ ଏହାର ବିରୋଧ କରୁଥିଲେ । ବାସ୍ତବିକ ଏହାପରେ ଯେଉଁ ପଦକ୍ଷେପ ନିଆଗଲା, ତାହା ଯଦି ହୋଇ ନଥାନ୍ତା, ତେବେ କମ୍ୟୁନିଷ୍ଟଙ୍କ ଅଭିଯୋଗର ସତ୍ୟତା କିୟତ୍ ପରିମାଣରେ ଯଥାର୍ଥ ବୋଲି କୁହାହୋଇଥାନ୍ତା । କିନ୍ତୁ ଆଗରୁ ଯାହା କହିଛି, ଗାନ୍ଧିଜୀ ଏହାକୁ ଏକ ବିରାଟ ବିପ୍ଳବର ପ୍ରସ୍ତୁତି କାର୍ଯ୍ୟରୂପେ ଆରମ୍ଭ କରିଥିଲେ । ଅଗଷ୍ଟ ବିପ୍ଳବର ରୂପ ଓ ପରିସର କ’ଣ ହେବ ସେ ମୋତେ ଦେଇଥିବା ମୋ ପ୍ରଶ୍ନର ଉତ୍ତରରୁ ପରିଷ୍କାର ଜଣାପଡ଼ୁଥିଲା । ସବୁଠାରୁ ରହସ୍ୟଜନକ ଏବଂ ଲଜ୍ଜାଜନକ ବିଷୟ ହେଉଛି–କମ୍ୟୁନିଷ୍ଟମାନଙ୍କ କାର୍ଯ୍ୟକଳାପ । ସେମାନେ ଗଣବିପ୍ଳବ ନ ହେବାରୁ ଗାନ୍ଧିଜୀଙ୍କ ଉପରେ ଦୋଷାରୋପ କରୁଥିଲେ-। ମାତ୍ର ଯେତେବେଳେ ଅଗଷ୍ଟ ଆନ୍ଦୋଳନ ସ୍ଵତଃସ୍ଫୂର୍ତ୍ତ ଏକ ଜନବିଦ୍ରୋହ ଭାବରେ ସାରା ଭାରତରେ ଆତ୍ମପ୍ରକାଶ କଲା, ସେତେବେଳକୁ କମ୍ୟୁନିଷ୍ଟମାନେ ପଶ୍ଚାତ୍‍ପଦ ହେଲେ । ବ୍ୟକ୍ତିଗତ ଭାବରେ ପୁଲିସର ଭୁଲ ରିପୋର୍ଟ ଯୋଗୁଁ ସ୍ଥଳବିଶେଷରେ କମ୍ୟୁନିଷ୍ଟ ଗିରଫ୍‍ ହେଲେ; ମାତ୍ର କମ୍ୟୁନିଷ୍ଟପାର୍ଟି ଏହି ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମର ପ୍ରକାଶ୍ୟ ବିରୋଧ କଲା ଏବଂ ବ୍ରିଟିଶ ସରକାର ସହ ହାତ ମିଳାଇ ଏହି ଆନ୍ଦୋଳନ ବିରୁଦ୍ଧରେ ନାନା ଅପପ୍ରଚାର ଆରମ୍ଭ କରିଦେଲା-। ରୁଷ ସହ ବ୍ରିଟେନର ଚୁକ୍ତି ହୋଇଯିବା ଯୋଗୁଁ ବ୍ରିଟିଶ ସହ ଲଢ଼ାଇ କରିବା ଜନ–ବିରୋଧୀ କାର୍ଯ୍ୟ ହେବ ବୋଲି ସେମାନେ ମତ ପ୍ରକାଶ କଲେ । ରୁଷସ୍ୱାର୍ଥ ପାଇଁ ଭାରତ ନିଜର ସ୍ଵାଧୀନତା ଲାଗି ଲଢ଼ାଇ କରିବ ନାହିଁ–ଏହା ଏକ ଅଦ୍ଭୁତ ଯୁକ୍ତି ! ଖାଲି ତାତ୍ତ୍ଵିକ ବିରୋଧ କରିଥିଲେ ହୁଏତ ଏଭଳି ଆଚରଣ ସହ୍ୟ କରାଯାଇପାରିଥାନ୍ତା; ମାତ୍ର ସଂଗଠିତ ଭାବରେ ଅଗଷ୍ଟ ବିପ୍ଳବକୁ ପଣ୍ଡ କରିବା ନିମନ୍ତେ କମ୍ୟୁନିଷ୍ଟ ପାର୍ଟି ସକଳ ପ୍ରକାର ଉଦ୍ୟମ କଲା । ମୁଁ ଯେତେବେଳେ କଟକ ସହରରେ ଆତ୍ମଗୋପନ କରି ଓଡ଼ିଶାରେ ଅଗଷ୍ଟ ଆନ୍ଦୋଳନ ପରିଚାଳନା କରୁଥିଲି, ସେତେବେଳେ କମ୍ୟୁନିଷ୍ଟମାନେ ମୋର ସମାଲୋଚନା ଆରମ୍ଭ କରିଦେଲେ । ବହୁଦିନ ପର୍ଯ୍ୟନ୍ତ ପୁଲିସ ପକ୍ଷରେ ଜାଣିବା ସମ୍ଭବ ହେଲା ନାହିଁ, ମୁଁ କଟକରେ ଅଛି ନା ଆଉ କେଉଁଠି ରହି ଆନ୍ଦୋଳନର ପରିଚାଳନା କରୁଛି । ଅବଶ୍ୟ ଅଳ୍ପ ଦିନ ପରେ ଏହା ଜଣାଗଲା ଯେ ମୁଁ ଆନ୍ଦୋଳନ ଚଳାଉଛି । କିନ୍ତୁ କେଉଁଠି ରହିଛି, କେମିତି ଚଳାଉଛି, କିଛି ସନ୍ଧାନ ପାଉ ନଥିଲେ । ମୁଁ ବି ପୁଲିସ ମନରେ ଟିକିଏ ସନ୍ଦେହ ସୃଷ୍ଟି କରିବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲି ।

 

ବହୁଦିନ ବହୁ ନୂତନ ଧରଣର ପନ୍ଥା ବାହାର କରି ପୁଲିସକୁ ଗୋଲକଧନ୍ଦାରେ ପକାଉଥିଲି । ମୋ ନିଜ ହାତଲେଖା ଚିଠିସବୁ କେବେ ଖୋର୍ଦ୍ଧାରୋଡ଼୍, କେବେ ଖଡ଼ଗପୁର ପରି ସ୍ଥାନରୁ ଡାକରେ ପଠାଉଥିଲି । ଅନ୍ୟ ଲୋକ ଯାଇ ତାହା ସେଠା ଡାକଘରେ ପକେଇଦେଇ ଆସୁଥିଲେ । ପୁଲିସ ସାଧାରଣ ଭାବରେ ମୋ ଅକ୍ଷର କିମ୍ବା ମୋ ଅକ୍ଷର ସହିତ ସାମଞ୍ଜସ୍ୟ ଥିଲାଭଳି ଚିଠିପତ୍ର ଡାକଘରେ ଯାଞ୍ଚ କରୁଥିଲେ । ମୁଁ ଖୋଲା ଚିଠିସବୁ ପରିଚିତ ବିଭିନ୍ନ କଂଗ୍ରେସ ଲୋକଙ୍କ ନାମରେ ପଠାଉଥିଲି । ସେଥିରେ ମୋଟାମୋଟି ଇଙ୍ଗିତ ଥାଏ ଯେ ମୁଁ ଏକ ଅଞ୍ଚଳର କାର୍ଯ୍ୟ ଶେଷ କରିଛି ଓ ଅତି ଶୀଘ୍ର ତାଙ୍କ ସହରକୁ ଯିବି ଏବଂ ସେତେବେଳେ ଯେମିତି ମୁଁ ତାଙ୍କଠାରୁ ପୂର୍ଣ୍ଣ ସାହାଯ୍ୟ ପାଏ । ଏଥିରେ ଆହୁରି ମଜା ହୁଏ । ମୋ ସହିତ କେହି ସମ୍ପର୍କ ରଖିଲେ କିମ୍ବା ସାହାଯ୍ୟ କଲେ ଯାବଜ୍ଜୀବନ କାରାଦଣ୍ଡ ହେବାର ଆଶଙ୍କା ରହିଛି ବୋଲି ସରକାର ତରଫରୁ ପ୍ରଚାର କରାଯାଇଥିଲା । କେତେକ କଂଗ୍ରେସ ଲୋକ ୧୯୪୨ ଆନ୍ଦୋଳନରେ ଯୋଗ ନ ଦେଇ ନୀରବ ହୋଇ ବସିଥିଲେ । ଏକ ପକ୍ଷରେ ସେମାନଙ୍କ ମନରେ ଭୟ ଜାତ ହୋଇଥାଏ ଏବଂ ଦ୍ୱିତୀୟରେ କେତେକଙ୍କର ଆଉ ଆନ୍ଦୋଳନ କରିବାର ସ୍ପୃହା ନଥାଏ–ସେମାନେ ଜେଲ, ନିର୍ଯାତନା କିମ୍ଵା ଅନ୍ୟ କୌଣସି ପ୍ରକାର କଷ୍ଟ ବରଣ କରିବା ନିମନ୍ତେ ପ୍ରସ୍ତୁତ ନଥିଲେ । ମୁଁ ସେହିଭଳି କଂଗ୍ରେସ ଲୋକଙ୍କ ନାମରେ ଚିଠି ପଠାଉଥିଲି । ବହୁ ସ୍ଥଳରେ ପୁଲିସ ଚିଠି ଡାକଘରୁ ନେଇଥିଲେ ଏବଂ ମୁଁ ସେଠି କେବେ ପହଞ୍ଚିବି ବୋଲି ଗିରଫ୍‍ କରିବା ନିମନ୍ତେ ନାନା ସତର୍କତା ଅବଲମ୍ବନ କରିଥାଆନ୍ତି । ଆଉ କେତେକ ସ୍ଥଳରେ ସେଭଳି ଭୟାଳୁ କଂଗ୍ରେସଲୋକେ ଚିଠି ନେଇ ପୁଲିସ ପାଖରେ ପହଞ୍ଚାନ୍ତି । ନିଜର ଏଥିରେ କିଛି ସମ୍ପର୍କ ନାହିଁ ଏବଂ ସେମାନଙ୍କୁ ସନ୍ଦେହ କରିବା ଉଚିତ ନୁହେଁ ବୋଲି ଆଗରୁ ପୁଲିସ ଆଗରେ ଭଲେଇ ହୁଅନ୍ତି । ତେଣୁ ଯେଉଁଠି କୌଣସି ଚିଠି ପୁଲିସର ନଜରରେ ପଡ଼ି ନଥାଏ, ତାହା ଏଭଳି ଲୋକଙ୍କଠାରୁ ମିଳିଯାଏ । ମୁଁ ଚିଠିରେ ସେଠି ପହଞ୍ଚିବାର ଗୋଟିଏ ପ୍ରକାର ତାରିଖ ଉଲ୍ଲେଖ କରିଥାଏ । ତେଣୁ ପୁଲିସ ତ ଅନ୍ୟ ସମସ୍ତେ ବ୍ୟସ୍ତ ରହିଯାଆନ୍ତି ଜାଣିବାକୁ ମୁଁ କେତେବେଳେ କେଉଁ ବାଟେ କେମିତି ଆସି ପହଞ୍ଚିବି । ଡରକୁଳା କଂଗ୍ରେସ ଲୋକେ ମଧ୍ୟ ତ୍ରସ୍ତ ହୋଇ ଚାରିଆଡ଼େ ପଚାର କରିଦିଅନ୍ତି–ଦ୍ୱିବେଦୀ ଏଠିକି ଆସୁଛି, ବିପ୍ଳବ ସଙ୍ଗଠନ କରିବ; ସାବଧାନ ରୁହ । କେହି କେହି କଂଗ୍ରେସଲୋକ ଉକ୍ତ ସମୟରେ ଭୟରେ ସହର ଛାଡ଼ି ଯାଇ ଗ୍ରାମ ଅଞ୍ଚଳରେ ରହିଯାଉଥିଲେ । ଏହି କୌଶଳ ପ୍ରୟୋଗଦ୍ୱାରା ମୋର କଟକରେ କାମ କରିବାର ସୁଯୋଗ ଟିକିଏ ବଢ଼ିଯାଉଥିଲା । କାରଣ କଟକ ପୁଲିସର ଦୃଷ୍ଟି ମୋ ଉପରେ ବେଶି ରହେ ନାହିଁ । ମୁଁ ବିଭିନ୍ନ ସ୍ଥାନକୁ ଯାତାୟାତ କରିବାର ସୁଯୋଗ ପାଏ । ସେତେବେଳେ ଅଗଷ୍ଟ ସେପ୍‍ଟେମ୍ବର ମାସ, ଘୋର ବର୍ଷାକାଳ । ପୁଲିସ ମତେ ଧରିବା ଲାଗି ନାନା କୌଶଳ ପ୍ରୟୋଗ କରୁଥିଲେ । ସେଥିରୁ ଗୋଟିଏ ହେଲା ରିକ୍ସାଗୁଡ଼ିକ ମଝିରେ ମଝିରେ ଅଟକାଇ କେହି ଦାଢ଼ି ଥିବା ବ୍ୟକ୍ତି ଅଛି କି ନାହିଁ ଦେଖିବା । ଏ ସମ୍ବାଦ ଯେତେବେଳେ ମୋ ପାଖରେ ପହଞ୍ଚିଲା, ମୁଁ ଦାଢ଼ି କାଟିଦେଇ ନିଶ ରଖିଲି ଏବଂ ନିଜର ମୁସଲମାନୀ ବେଶକୁ ଛାଡ଼ିଦେଇ ପୂରା ମାରୁଆଡ଼ି ପୋଷାକ ପିନ୍ଧି ରିକ୍ସା ବଦଳରେ ପାଦରେ ଚାଲି ବୁଲିଲି । କି ସାହସ ଉତ୍ସାହ ସେତେବେଳେ ! କଟକର ଏମୁଣ୍ଡରୁ ସେମୁଣ୍ଡ ପାଦରେ ବୁଲି ବୁଲି କେବେ ଥକ୍କା ଲାଗିଛି ବୋଲି ମୋର ମନେପଡ଼ୁନାହିଁ ।

 

ପରେ ଯେତେବେଳେ ଆମର ଷଡ଼ଯନ୍ତ୍ର ମକଦ୍ଦମାର ବିଚାରହେଲା, ସେଥିରେ ପୁଲିସ କିପରି ମତେ ଗିରଫ୍‍ କରି ନ ପାରି ବ୍ୟସ୍ତ ହେଉଥିଲେ ଏବଂ ଉପରିସ୍ଥ ପୁଲିସ କର୍ମଚାରୀ କିପରି ସେମାନଙ୍କ ଉପରେ ବିରକ୍ତ ହେଉଥିଲେ, ସେହି କାଗଜପତ୍ରରୁ ଜଣାପଡ଼ିଲା । ମୁଁ ସେହି ପୂର୍ବ କୌଶଳ ପ୍ରୟୋଗ କରି ଖଣ୍ଡେ ଚିଠି ପୁରୀରେ ଡାକଘରେ ପକାଇବା ନିମନ୍ତେ ଜଣେ ସହକର୍ମୀଙ୍କି ଦେଇଥିଲି । ସେ କିନ୍ତୁ ନିଜର ନିର୍ବୋଧତା ଯୋଗୁଁ ହେଉ କିମ୍ବା ଆଳସ୍ୟ କାରଣରୁ ହେଉ, ଏହି ଚିଠିଟି କଟକ ଚାନ୍ଦିନୀଚୌକରେ ପୋଷ୍ଟ୍ କରିଦେଲେ । ସେଥିରେ ପୁରୀ ଠିକଣା ଓ ତାରିଖ ଆରଦିନର ରହିଥିଲା । ସେହି ଚିଠିଟି ପୁଲିସ ଯେତେବେଳେ ପାଇଲେ, ସେମାନଙ୍କ ମନରେ ଦୃଢ଼ବିଶ୍ୱାସ ହୋଇଗଲା ଯେ ମୁଁ କଟକରେହିଁ ରହିଛି–ସେମାନଙ୍କୁ ଭୁଆଁ ବୁଲାଉଥିଲି । ଏହି ଚିଠି ଧରାପଡ଼ିଲା ପରେ ତା’ ଉପରେ କଡ଼ା ମନ୍ତବ୍ୟ ଲେଖି ସେତେବେଳକାର ସ୍ପେଶାଲ୍ ବ୍ରାଞ୍ଚ ସୁପରିଣ୍ଟେଣ୍ଡେଣ୍ଟେ ରେନର ସାହେବ ଭାରି ବିରକ୍ତି ପ୍ରକାଶ କଲେ ଏବଂ ନିଜ କର୍ମଚାରୀମାନଙ୍କୁ ଭର୍ତ୍ସନା କଲେ । ଏହାପରେ କଟକର ଚାରିଆଡ଼େ କର୍ଡ଼ନ କରାଗଲା–ଗୁଇନ୍ଦା ବିଭାଗ ଲାଗିପଡ଼ିଲେ-। ଦ୍ଵିବେଦୀ ମିଳିଲେ ପୁରସ୍କାର ମିଳିବ–ସରକାର ତରଫରୁ ଘୋଷଣା ହେଲା । ଯେ ଧରାଇଦେବ ପୁରସ୍କାର ପାଇବ । ଯେ ଆଶ୍ରା ଦେବ ବା ଲୁଚାଇ ରଖିଥିବ, ସେ ପାଇବ ଭୀଷଣ ଶାସ୍ତି । ମୁଁ କଟକରେ ରହିଛି ବୋଲି ଜଣାଯିବାରୁ ମୋତେ ଧରିବା ସେମାନଙ୍କ ପକ୍ଷରେ ଅପେକ୍ଷାକୃତ ସହଜ ହୋଇଗଲା । କିନ୍ତୁ ଏଭଳି ଏକ ବ୍ୟତିକ୍ରମ ଘଟିଛି ବୋଲି ମୁଁ ଜାଣି ନଥିଲି । ଏପରି ଏକ ଭୁଲ ଆମ ନିଜର ଲୋକ ଯିଏ କରିଛି ସେ ମଧ୍ୟ କହିଲା ନାହିଁ । ବିପ୍ଳବୀମାନଙ୍କର ଜୀବନରେ ଏମିତିକା ସାମାନ୍ୟ ତ୍ରୁଟିରେ ବଡ଼ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଯାଏ । ଗୋପନୀୟ ବିପ୍ଳବ କଲାବେଳେ ପ୍ରତ୍ୟେକ ଛୋଟ ଛୋଟ କାର୍ଯ୍ୟର ଗୁରୁତ୍ଵ ରହିଥାଏ । ଭାରତର ଯେଉଁ ସନ୍ତ୍ରାସବାଦୀମାନେ ହିଂସା ଆନ୍ଦୋଳନରେ ବିଶ୍ୱାସ ପୋଷଣ କରୁଥିଲେ ଏବଂ ଇଂରେଜମାନଙ୍କୁ ହତ୍ୟା କରିବାଲାଗି ପଣ ନେଇ ନାନା କଠୋର ସାଧନା ଭିତରେ ବହୁ କଷ୍ଟ ସହି ନିଜର ଶରୀର ଓ ମନକୁ ଚରମ ତ୍ୟାଗଲାଗି ପ୍ରସ୍ତୁତ କରୁଥିଲେ, ସେମାନଙ୍କର ସମସ୍ତ ସଙ୍ଗଠନ ବେଳେବେଳେ ପଣ୍ଡ ହୋଇଯାଏ, କୌଣସି ସମ୍ପୃକ୍ତ ବ୍ୟକ୍ତିଙ୍କ ଭିତରେ ଅତର୍କିତ ଭାବରେ କଥାବାର୍ତ୍ତା କରୁ କରୁ । ମୁଁ ଗୋପନ ସଙ୍ଗଠନ କରୁଥିଲାବେଳେ କେତେକ ଯୁବକ ଓ ଛାତ୍ର ମତେ ସାହାଯ୍ୟ କରୁଥିଲେ, ନାନା ଭାବରେ ନାନା କାର୍ଯ୍ୟ କରୁଥିଲେ । ମାତ୍ର କିଏ କେଉଁ କାର୍ଯ୍ୟ କରୁଛି, ପରସ୍ପର ଭିତରେ ସେମାନଙ୍କର ଜାଣିବାର ଉପାୟ ନଥିଲା, କିମ୍ୱା ସମସ୍ତେ ଏକ ସମୟରେ ମୋ ପାଖରେ ପହଞ୍ଚି ନଥିଲେ । ଜେଲ୍‍ଖାନାରେ ଯେତେବେଳେ ମିଳିତ ହେଲେ, ଯେତେବେଳେ ପରସ୍ପରକୁ ସମସ୍ତେ ଜାଣିଲେ । ତେଣୁ ମୋ ମନରେ ଯେତେବେଳେ ସନ୍ଦେହ ହେଲା, ମୁଁ ଅନ୍ୟ କାହାରିକୁ ପଚାରି ପାରିଲି ନାହିଁ । ପୁଲିସ ମହଲରୁ ସେମାନଙ୍କ ଗତିବିଧି ବିଷୟରେ ଯାହାବି ଟିକିଏ ସମ୍ବାଦ ପାଇବାକୁ ଚେଷ୍ଟା କରୁଥିଲି, ତାହା ମଧ୍ୟ ଛିନ୍ନ ହୋଇଯାଇଥିଲା । ସବୁ ଦେଶର ବିପ୍ଳବର ଇତିହାସ ପଢ଼ିଥିଲି । ରୁଷର ବିପ୍ଳବୀମାନେ କେମିତି କାମ କରୁଥିଲେ, ତାକୁ ଟିକିଏ ଆହୁରି ବିସ୍ତୃତ ଭାବରେ ଜାଣିଥିଲି । ବଙ୍ଗଳାର କେତେକ ସନ୍ତ୍ରାସବାଦୀ ଫେରାରଙ୍କ ସମ୍ପର୍କରେ ଆସି ସେମାନଙ୍କର ବ୍ୟକ୍ତିଗତ ଜୀବନ ଓ କ୍ରିୟାକଳାପ ବିଷୟରେ ସମ୍ୟକ୍ ଧାରଣା ଥିଲା । ମାତ୍ର ଆମର ଏ ସଂଗ୍ରାମ ସମ୍ପୂର୍ଣ୍ଣ ଭିନ୍ନ ଧରଣର–ପରିସ୍ଥିତିବି ବିପରୀତ । ସେପରି ଗୁପ୍ତ ସଂଗଠନ ପଛରେ ବହୁ ବର୍ଷର ସାଧନା ଓ ଶୃଙ୍ଖଳା ରହିଥାଏ-। ମାତ୍ର ଆମର ତ ପ୍ରକୃତରେ ଗୁପ୍ତ ସଂଗଠନ ନଥିଲା କିମ୍ବା କୌଣସି ବ୍ୟକ୍ତି ପ୍ରାଣନାଶ କରିବାର ଉଦ୍ଦେଶ୍ୟ ନଥିଲା । ସରକାର ପ୍ରକାଶ୍ୟ ସଂଗଠନକୁ ବେଆଇନ ଘୋଷଣା କରିଦେଇଥିବାରୁ ପୁଲିସର ଅଜାଣତରେ ରହି ଆମେ କାର୍ଯ୍ୟ କରୁଥାଉ । ଏଥିଲାଗି କିଛି ଆଗରୁ ତାଲିମ ପାଇଥିବା କର୍ମୀ ନଥାନ୍ତି । ନୂଆ ନୂଆ ଯୁବକଙ୍କୁ ଏତିକିବେଳେ ଏ ଲଢ଼ାଇ ଭିତରକୁ ଟାଣିଆଣିବାର ଚେଷ୍ଟା ହୁଏ । ସେଥିରେ ବିପଦ ରହିଥାଏ; ମାତ୍ର ଯେଉଁ ବାୟୁମଣ୍ଡଳ ଭିତରେ ଏହି କାର୍ଯ୍ୟ ହେଉଥାଏ, ସେଥିରେ ନୂତନ ଯୁବକ ପ୍ରଭାବିତ ହୋଇଯାଏ । ପରିସ୍ଥିତିହିଁ ବିପ୍ଳବୀଙ୍କୁ ସୃଷ୍ଟି କରେ ଏବଂ ଶିଖାଏ–ପୋଥିପାଠରୁ ହୁଏନାହିଁ । ସେତେବେଳେ ଯେଉଁ କେତୋଟି ଯୁବକ ଓ ଛାତ୍ର ଏହି ଗୁପ୍ତ ସଂଗଠନ ସହ ସମ୍ପୃକ୍ତ ହୋଇ ମୋ ସଙ୍ଗେ କାର୍ଯ୍ୟ କରୁଥିଲେ, ସେମାନଙ୍କର ମନର ଦୃଢ଼ତାରେ ମୁଁ ବି ଚକିତ ହୋଇଛି । ଲୋକ ଅଭାବରୁ କାର୍ଯ୍ୟ ଅଟକେ ନାହିଁ କିମ୍ବା ବିଦ୍ରୋହାତ୍ମକ କାର୍ଯ୍ୟ ଲାଗି ଅର୍ଥ ପ୍ରତିବନ୍ଧକ ହୁଏନା ।

 

ଯାହାହେଉ, ଆମେ ଯେଭଳି ଭାବରେ ଗତି କରୁଥିଲୁ ଏବଂ ସାରା ପ୍ରଦେଶର ଚାରିଆଡ଼େ ସଙ୍ଗଠନ ଛିଡ଼ା ହୋଇଯାଇଥିଲା, ସେଥିରେ ବିପ୍ଳବକୁ ଆହୁରି ବହୁକାଳ ଚଳାଇବାରେ ବିଶେଷ ଅସୁବିଧା ହୋଇ ନଥାନ୍ତା । କଟକ ସହରରେ ନିର୍ଦ୍ଦିଷ୍ଟ ଭାବରେ ମୋର ହାତଗୋଡ଼ ଡେଣା କାଟିଦେଇ ସାଙ୍ଗସାଥୀଙ୍କି ଗୋଟିକ ପରେ ଗୋଟିଏ ଗିରଫ୍‍ କରି ନିଆଗଲା ସତ, ତଥାପି ମତେ ଗିରଫ୍‍ କରିବା କଷ୍ଟକର ହୋଇଥାଆନ୍ତା । ମାତ୍ର ଏହା ସମ୍ଭବ ହେଲା କୌଣସି କମ୍ୟୁନିଷ୍ଟ ଯୁବକଙ୍କ ଯୋଗୁଁ ଯେ ମୋର ଗୁପ୍ତ ବାସସ୍ଥାନର ସନ୍ଧାନ ପାଇ ଗୁଇନ୍ଦା ପୁଲିସଙ୍କୁ ଜଣାଇଦେଲେ ଏବଂ ଦିନ ଦିପହରେ ମୋ ବାସସ୍ଥାନ ଉପରେ ସଶସ୍ତ୍ର ପୁଲିସର ଆକ୍ରମଣ ହେଲା । ବ୍ରିଟିଶ ସରକାର ପିଙ୍ଗଳକୋଡ଼୍‍ର ୩୦୨ ଦଫାରେ ମତେ ପକାଇ ଫାଶୀଦଣ୍ଡର ଯେ ଉଦ୍ୟମ କରିଥିଲେ ସେଥିରେ ଯଦି ସଫଳ ହୋଇଥାଆନ୍ତେ, ତେବେ କମ୍ୟୁନିଷ୍ଟଙ୍କର ଗଣବିପ୍ଳବ ଓ ଦେଶପ୍ରୀତିର ନିକୃଷ୍ଟ ପରିଚୟ ମିଳିଥାଆନ୍ତା । ତାହା ହେଲା ନାହିଁ; ମାତ୍ର ସମ୍ବାଦ ଦେଇଥିବା କମ୍ୟୁନିଷ୍ଟ ଓ ପୁଲିସ କର୍ମଚାରୀ ଏଥିଲାଗି ପୁରସ୍କୃତ ହେଲେ । କମ୍ୟୁନିଷ୍ଟ ପାର୍ଟି ତାଙ୍କ ସଭ୍ୟଙ୍କୁ ଅଭିନନ୍ଦିତ କଲେ କି ନାହିଁ ମତେ ଜଣାନାହିଁ ।

☆☆☆

 

ବମ୍ୱେ ଯାତ୍ରା ଓ ପରବର୍ତ୍ତୀ ଘଟଣା

 

ମୋର ଗିରଫ୍‍ ପରେ ସରକାର ତରଫରୁ ଯେଉଁ “ଦ୍ୱିବେଦୀ ଷଡ଼ଯନ୍ତ୍ର ମକଦ୍ଦମା” ଦାଏର କରାଗଲା, ସେଥିରେ ନିମ୍ନଲିଖିତ ପ୍ରକାରେ ବର୍ଣ୍ଣନା କରାଯାଇଥିଲା–‘‘ଓଡ଼ିଶା ଗେଜେଟ୍‍ର ୧୯୪୨ ଅଗଷ୍ଟ ନଅ ସଂଖ୍ୟାରେ ଏକ ସରକାରୀ ଘୋଷଣାପତ୍ର ପ୍ରକାଶ ପାଇଥିଲା । ସେଥିରେ ନିଖିଳ ଭାରତ କଂଗ୍ରେସ କମିଟି ଓ ତା’ର ଅଧୀନସ୍ଥ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ଏବଂ ପ୍ରଦେଶର ବିଭିନ୍ନ ଜିଲା କଂଗ୍ରେସ କମିଟିଗୁଡ଼ିକୁ ବେଆଇନ ଘୋଷଣା କରାଯାଇଥିଲା । ଏହି ମକଦ୍ଦମାର ପ୍ରଥମ ଅପରାଧୀ ସୁରେନ୍ଦ୍ରନାଥ ଦ୍ଵିବେଦୀ ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟ ଥିଲେ । ଉପରଲିଖିତ କଂଗ୍ରେସ ସଙ୍ଗଠନଗୁଡ଼ିକ ବେଆଇନ ଘୋଷିତ ହେବାପରେ ସୁରେନ୍ଦ୍ରନାଥ ଦ୍ଵିବେଦୀ ଏକ ଗୁପ୍ତ ସଙ୍ଗଠନର ଯୋଜନା କଲେ । ଏହାର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥିଲା ଏବଂ ପ୍ରଦେଶର ବିଭିନ୍ନ ସ୍ଥାନରେ ଶାଖା ଦପ୍ତର ରହିଲା । ଦ୍ଵିବେଦୀଙ୍କର ନାମକରଣ ହେଲା ସି. ଓ. ଅର୍ଥାତ୍ କେନ୍ଦ୍ର ବା ମୁଖ୍ୟ ପରିଚାଳକ ଏବଂ ଶାଖା ଅଫିସ୍‍ର ନାମ ହେଲା ବି. ଓ ଅର୍ଥାତ୍ ଶାଖା ଅଫିସ୍ ବା ଶାଖା ପରିଚାଳକ । ସେମାନେ କେତେକ ବ୍ୟକ୍ତିଙ୍କ ନାମ ବାଛିଲେ ସୁବିଧାରେ ଚିଠିପତ୍ର ତାଙ୍କ ଠିକଣାରେ ପଠାଇବା ଲାଗି, ଅର୍ଥାତ୍ ବେଆଇନ କଂଗ୍ରେସ ସଂଗଠନର ସେମାନେ ସଭ୍ୟ ହୋଇ ନଥିବେ ଏବଂ ତାଙ୍କ ପ୍ରତି ପୁଲିସଙ୍କର ସନ୍ଦେହ ନଥିବ–ଏମିତିକା ନାମ ସବୁ ସ୍ଥିରକଲେ । ତା’ପରେ ତାଙ୍କର କର୍ମୀଙ୍କଦ୍ୱାରା ସେମାନଙ୍କ ଜରିଆରେ ବୁଲେଟିନ୍ ପଠାଇଲେ ଓ ବଣ୍ଟନ କରାଗଲା । ପ୍ରଦେଶର ବିଭିନ୍ନ ସ୍ଥାନର ଘଟନାବଳିର ରିପୋର୍ଟ ବି.ଓ. ମାନେ ସି.ଓ.ଙ୍କ ପାଖକୁ ପଠାଉଥିଲେ ଏବଂ ସି. ଓ. ସେହି ରିପୋର୍ଟଗୁଡ଼ିକୁ ବୁଲେଟିନ୍‍ରେ ପ୍ରକାଶ କରୁଥିଲେ । ତା’ପରେ ସେଗୁଡ଼ିକ ଶାଖା ଅଫିସ୍ ଜରିଆରେ ପ୍ରଚାରିତ ହେଉଥିଲା । ଏଭଳି ସଙ୍ଗଠନର ଅସଲ ଉଦ୍ଦେଶ୍ୟ ହେଲା ବିଭିନ୍ନ ଧ୍ଵଂସମୂଳକ କାର୍ଯ୍ୟ କରିବାଲାଗି ଲୋକଙ୍କୁ ମତାଇବା; ଯଥା–ସ୍କୁଲ୍‍କଲେଜରେ ଧର୍ମଘଟ, ସରକାରୀ କର୍ମଚାରୀଙ୍କୁ ଚାକିରି ଛାଡ଼ିବାଲାଗି ନିବେଦନ, ପୁଲିସ ଥାନା ଦଖଲ, ଥାନା, ରେଜିଷ୍ଟ୍ରି ଅଫିସ୍ ଏବଂ ରେଳ ଷ୍ଟେସନ୍‍ମାନଙ୍କରେ ପ୍ରବେଶ କରି ଦପ୍ତରର କାଗଜପତ୍ର ଓ ରେକର୍ଡ଼ ପୋଡ଼ିବା, ଟ୍ରେନ୍ ଚଳାଚଳ ବନ୍ଦ କରିଦେବା ଉଦ୍ଦେଶ୍ୟରେ କିମ୍ବା ଯାତାୟାତ ପଥ ରୋକିବା ଲାଗି ରେଳଲାଇନ୍ ଓ ଫିସପ୍ଲେଟ୍‍ସବୁ ଉଖାଡ଼ି ଦେବା ଇତ୍ୟାଦି । ଯାହା ରିପୋର୍ଟ ସଂଗ୍ରହ କରାଯାଇପାରିଛି, ସେଥିରୁ ଅଭିଯୋଗ ଯେ ବିରାଟ ଜନତାସବୁ ଆସି ପୁଲିସ ଥାନାଗୁଡ଼ିକରେ ଆକ୍ରମଣ କରିଛନ୍ତି । କଲେଜ ରେକର୍ଡ଼ ସବୁ ପୋଡ଼ିଦେଇଛନ୍ତି, ପୁଲିସ ଫାଣ୍ଡି ଓ ଡାକବଙ୍ଗଳା ଆଦି ଜଳାଇ ଦିଆଯାଇଛି ଏବଂ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ରେଳ ଲାଇନ୍‍ରୁ ଫିସପ୍ଲେଟ୍ ଆଦି ଉଠାଇ ନିଆ ଯାଇଛି ।”

 

ଏହା ହେଲା ମୁଁ ଓ ମୋର ସହକର୍ମୀଙ୍କ ବିରୁଦ୍ଧରେ ମୂଳ ଅଭିଯୋଗ । ଭାରତ ଫିଙ୍ଗଳକୋଡ଼୍‍ର ୧୨୦ (ଖ) ଦଫାରେ ବ୍ରିଟିଶ ସରକାରକୁ ଧ୍ଵଂସ କରିବା ନିମନ୍ତେ ଷଡ଼ଯନ୍ତ୍ର କରୁଥିବାର ତଥ୍ୟ ପୁଲିସ ସଂଗ୍ରହ କରି ଦାଖଲ କରିଥିଲେ । ପ୍ରଥମେ ଘରପୋଡ଼ି, ହତ୍ୟା ଆଦି ଅଭିଯୋଗରେ ଫାଶୀଦଣ୍ଡ ଦେବା ନିମନ୍ତେ ଚେଷ୍ଟା ହୋଇଥିଲା; ମାତ୍ର ପରେ ବିଶେଷ ବିଚାରପତି ମାହର ସାହେବ ଏସବୁ ଦଫା ଗ୍ରହଣ ନ କରି କେବଳ ଷଡ଼ଯନ୍ତ୍ରମୂଳକ ଦଫାରେ ମକଦ୍ଦମାର ବିଚାର କଲେ ।

 

ଉପର ଅଭିଯୋଗଗୁଡ଼ିକ ମିଥ୍ୟା ନୁହେଁ–ନିରାଟ ସତ୍ୟ । ଆମେ ଇଂରେଜ ସରକାରକୁ ହଟାଇବା ଲାଗି ଏସବୁ କାର୍ଯ୍ୟରେ ଲିପ୍ତ ଥିଲୁ । ମକଦ୍ଦମା ଲଢ଼ିବା ନିରର୍ଥକ ଭାବି ଆମେ ଓକିଲଙ୍କୁ କଚେରିରୁ ଉଠାଇ ଆଣିଲୁ ଏବଂ ସେଥିରେ ମୁଁ ପରିଷ୍କାର ଭାବରେ ବିଚାରପତିଙ୍କି ଜଣାଇଦେଇଥିଲି–ଆମର ବ୍ରିଟିଶ ସରକାର ଉପରେ ବିଶ୍ୱାସ ନାହିଁ–ତାଙ୍କୁ ତଡ଼ିବାଲାଗି ଆମେ ଶପଥ ନେଇଛୁ ଏବଂ ବିଦ୍ରୋହ କରିଛୁ । ଆପଣ ତ ବ୍ରିଟିଶ ସରକାରଦ୍ଵାରା ନିଯୁକ୍ତ; ତେଣୁ ଆପଣଙ୍କଠାରୁ ନ୍ୟାୟ ପାଇବା ନିରର୍ଥକ । ଆପଣ ଇଂରେଜ ଆଇନରେ ଥିବା ସର୍ବାଧିକ ଦଣ୍ଡବିଧାନ କରିପାରନ୍ତି–ଆମେ ଖୁସିରେ ତାହା ବରଣ କରିବୁ ।

 

ଏହା ଥିଲା ଆମର ଦମ୍ଭୋକ୍ତି ବିଚାରପତିଙ୍କ ଆଗରେ । ଚହଳ ପଡ଼ିଗଲା ଚାରିଆଡ଼େ; ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ ବିବ୍ରତ ହୋଇ ପଡ଼ିଲେ । ସେହିମାନେହିଁ ବିକଳ ହୋଇ ଆମମାନଙ୍କୁ ଫାଶୀଦଣ୍ଡରୁ ରକ୍ଷା କରିବା ନିମନ୍ତେ ଆମ ଅଗୋଚରରେ ଓକିଲ ନିଯୁକ୍ତି କରିଥିଲେ ବହୁ ଖର୍ଚ୍ଚାନ୍ତ ହୋଇ । ମାତ୍ର ସେତେବେଳେ ତ ଆମ ମନରେ ଅନ୍ୟ କିଛି ଭାବନା ନଥିଲା; କେବଳ ବିଶ୍ଵାସ ଥିଲା ଚରମ ତ୍ୟାଗ ଓ କଷ୍ଟ ବରଣ କଲେ ଦେଶ ସ୍ଵାଧୀନ ହେବ । ତେଣୁ ସଚ୍ଚା ଦେଶସେବକଙ୍କ ଭିତରେ ପ୍ରତିଯୋଗିତା ଚାଲୁଥିଲା କିଏ କେତେ ବେଶି ଶାସ୍ତି ପାଇବ, ଲାଠି ଗୁଳି ସହିବ ଓ ଦୀର୍ଘ ଜେଲଦଣ୍ଡ ଭୋଗିବ । ମୋର ସ୍ମରଣ ଅଛି, ୧୯୩୦ ମସିହାରେ ମୁଁ ପ୍ରଥମେ ଯୋଗଦେଲାପରେ ମତେ ଲବଣ ସତ୍ୟାଗ୍ରହକୁ ପଠାଗଲା ନାହିଁ; କଟକ ସହରରେ ନାରୀମହଲରେ ଚାଲୁଥିବା ଚରଖାଗୁଡ଼ିକ ଦେଖିବାର ଭାର ମୋ ଉପରେ ଦିଆଗଲା । ସତ୍ୟାଗ୍ରହୀର ପ୍ରଥମ କାମ ହେଉଛି ସୂତାକଟା । କାର୍ଯ୍ୟଦୃଷ୍ଟିରୁ ମହତ୍; ମାତ୍ର ଏଥିରେ ହଠାତ୍ ଜେଲ ହେବାର ସମ୍ଭାବନା ନଥିବାରୁ ମୋ ମନରେ ଅଶାନ୍ତି ଥାଏ । କେମିତି ଜେଲ୍ ଯାଆନ୍ତି ! ମାତ୍ର ଏଥରକ ତ ଶେଷ ସଂଗ୍ରାମ । ଜେଲ, ଗୁଳି, ଫାଶୀ ବରଣମାଳା ହେବା ଉଚିତ–ଏହାହିଁ ବିପ୍ଳବୀର ଶ୍ରେଷ୍ଠ ପରିଚୟ । ଫାଶୀ ପାଇବାରେ ବା ଫାଶୀ ଦେବାର ଆଶଙ୍କାରେ ମନ ବ୍ୟାକୁଳିତ ହେଉ ନଥିଲା; ହେଉ ବୋଲି କାମନା ଥିଲା । ଅସ୍ତିଚମୁର କେସ୍‍ରେ ଲୋକେ ଫାଶୀ ପାଇଲେ; ଆମର ଏଠି ଲକ୍ଷ୍ମଣ ନାୟକଙ୍କୁ ଫାଶୀଦଣ୍ଡ ମିଳିଲା–ମାତ୍ର ଆମମାନଙ୍କ ଭାଗ୍ୟରେ ତାହା ଜୁଟିଲା ନାହିଁ ।

 

ଗାନ୍ଧିଜୀଙ୍କର ଅହିଂସା ଆନ୍ଦୋଳନ ଯେ ଏଭଳି ତ୍ୟାଗ ଓ କଷ୍ଟ ଭୋଗ କରିବାଲାଗି ସ୍ଵତଃସ୍ଫୂର୍ତ୍ତ ଆକାଂକ୍ଷା ଲୋକ ମନରେ ଜାଗ୍ରତ କରାଇପାରିଥିଲା, ତାହା ବାସ୍ତବିକ ଅନୁପମ । ହିଂସା ଆନ୍ଦୋଳନରେ ତ ମଣିଷ ସାଙ୍ଗେ ସାଙ୍ଗେ ପ୍ରତିହିଂସା ନେଇପାରିବ; ଏଥିରେ ପ୍ରତିହିଂସାର ପ୍ରଶ୍ନ ନାହିଁ । ଆମର ଇଂରେଜ ଜାତି ବା ଇଂରେଜ ଲୋକଙ୍କ ସହିତ ବୈର ନାହିଁ–ସାମ୍ରାଜ୍ୟବାଦ ଓ ଶୋଷଣ ବିରୁଦ୍ଧରେ ଆମର ଲଢ଼ାଇ । ୧୯୪୨ର ସେ ଲଢ଼ାଇର ସ୍ଵରୂପ କିଞ୍ଚିତ୍ ପରିମାଣରେ ସରକାରୀ ମକଦ୍ଦମା ରେକର୍ଡ଼ରେ ଉଲ୍ଲେଖ ରହିଛି । ଏଥିରେ କେତେକ କାର୍ଯ୍ୟର ବର୍ଣ୍ଣନା ରହିଛି; ମାତ୍ର ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ଉଲ୍ଲେଖ କରାଯାଇନାହିଁ ।

 

ସେହି ସରକାରୀ ରେକର୍ଡ଼ ଅନୁସାରେ ମୁଁ ଅଗଷ୍ଟ ୩ ତାରିଖରେ କଟକରୁ ଟିକଟ କାଟି ବମ୍ୱେ ଗଲି ବମ୍ବେରେ ୧୯୪୨ ଅଗଷ୍ଟ ୬ ତାରିଖରେ ହେଉଥିବା ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଯୋଗ ଦେବାଲାଗି । ଏହା କ’ଣ ଏକ ଅପରାଧ ! ଏହି ଯେ ଗଲି ସରକାର ଆଉ ଗିରଫ୍‍ କରିପାରିଲେ ନାହିଁ । ୧୯୪୨ ଅଗଷ୍ଟ ୯ ତାରିଖରେ ‘ବେଆଇନ ଅର୍ଡ଼ିନାନ୍‍ସ ଜାରି ହୋଇଗଲା । ମୋ ପରି ଶହ ଶହ ଲୋକଙ୍କ ନାମରେ, ୱାରଣ୍ଟ୍ ଜାରିହେଲା ଅଟକବନ୍ଦୀ କରି ରଖିବା ନିମନ୍ତେ । ୬ ରୁ ୯–ଏ ତିନିଦିନ ବମ୍ବେରେ କି ଉତ୍ତେଜନା ! ଏହା ପରେ ପରେ ଯେ ଏଭଳି ଏକ ଅଭୂତପୂର୍ବ ବିପ୍ଳବ ଦେଶରେ ଜାଗିଉଠିବ, ଏହା ଅନେକେ କଳ୍ପନା କରି ନଥିଲେ । ଯେଉଁମାନେ ନାଟକରେ ନିଜେ ଭାଗ ନିଅନ୍ତି, ସେମାନଙ୍କ ପକ୍ଷରେ ସବୁବେଳେ ଦେଖଣାହାରିଙ୍କ ପ୍ରତିକ୍ରିୟା ଜାଣିବା ସମ୍ଭବ ହୁଏନା । ତା’ ସାଙ୍ଗେ ସାଙ୍ଗେ ଏହା ମଧ୍ୟ ସତ୍ୟ ଯେ, ଦେଖଣାହାରିଙ୍କ ମନ ଘେନିଲା ଭଳି ଅଭିନୟ ନହେଲେ ରୋମାଞ୍ଚ ସୃଷ୍ଟି ହୋଇ ପାରେନା ।

 

ବମ୍ୱେରେ ତିନିଦିନ କାଳ ଯାହାକୁ ଇଂରେଜୀରେ କହନ୍ତି bectic political activity ଚାଲିଲା । ଆମେମାନେ ଗୁପ୍ତ ମନ୍ତ୍ରଣା କରି ନିଜକୁ ପ୍ରସ୍ତୁତ କରୁଥିଲୁ ଗୋପନୀୟ କାର୍ଯ୍ୟ କରିବା ନିମନ୍ତେ । ଅଗଷ୍ଟ ୮ ତାରିଖ ମଧ୍ୟରାତ୍ରିରେ “ଭାରତ ଛାଡ଼” ପ୍ରସ୍ତାବ ପାସ୍ ହେଲା । ଯେକୌଣସି ମୁହୂର୍ତ୍ତରେ ଯାହା କିଛି ହୋଇଯାଇପାରେ ବୋଲି ଆମକୁ ମେହେରାଲିଙ୍କଦ୍ଵାରା ସତର୍କ କରିଦିଆଯାଇଥାଏ; ମାତ୍ର ପ୍ରସ୍ତାବ ପାସ୍ ହେବାପରେବି ଗାନ୍ଧିଜୀ ସେତେବେଳେ କହିଲେ ଯେ ସେ ପୁଣି ଥରେ ଭାଇସ୍‍ରାୟଙ୍କୁ ସାକ୍ଷାତ୍ କରିପାରନ୍ତି, ସେଥିରେ କେତେକଙ୍କ ମନରେ ଏକପ୍ରକାର ଧାରଣା ଜନ୍ମିଥିଲା ଯେ ହୁଏତ ଆନ୍ଦୋଳନ ଆରମ୍ଭ ହେବାକୁ କିଛିଦିନ ଲାଗିବ ।

 

ଅଗଷ୍ଟ ୯ ତାରିଖ–ଭୋର ୫ଟା । ଆମେ ହୋଟେଲରେ ଉଠି ଦେଖୁ ତ ବିଜୁଳି ବନ୍ଦ–ଟେଲିଫୋନ୍ ବନ୍ଦ । ହୋଟେଲ ମେନେଜରବି କହିପାରୁ ନଥାଏ କାହିଁକି ଓ କିଏ ଏମିତି କରିଛି । ରେଡ଼ିଓବି ଚାଲୁ ନଥାଏ । ସବୁଠି ଗୋଟାଏ କିଛି ଘଟିଯାଇଛି ବୋଲି ଧାରଣା । ପ୍ରଥମେ ସନ୍ଦେହ ହେଲା ମହାତ୍ମା ଗାନ୍ଧୀଙ୍କି ବୋଧହୁଏ ହତ୍ୟା କରାଯାଇଛି ଏବଂ ବ୍ରିଟିଶ ସୈନ୍ୟବାହିନୀ ଆସି ବମ୍ବେ ସହର ଦଖଲ କରିଗଲେଣି । ଏହିପରି ଉତ୍କଣ୍ଠା ଓ ଆଶଙ୍କା ଭିତରେ ଆମେ ଥାଉଁ । ବଡ଼ କଷ୍ଟରେ ତରବରରେ ନିତ୍ୟକର୍ମ ଶେଷ କଲୁ । ସକାଳ ସାଢ଼େ ୬ ଘଣ୍ଟାବେଳେ ମାଲବାର୍ ହିଲ୍‍ସରେ ଗାନ୍ଧିଜୀଙ୍କୁ ଭେଟିବାର ପ୍ରୋଗ୍ରାମ୍ ଥାଏ । ଆମ ଭାଗ୍ୟକୁ ବଡ଼ିସକାଳୁ ଯେଉଁ ବସ୍‍ଟି ଆମକୁ ସେଠାକୁ ନେବାଲାଗି ଆଗରୁ ସ୍ଥିର ହୋଇଯାଇଥିଲା, ତାହା ଆସି ପହଞ୍ଚିଗଲା । ତେଣୁ ଆମେ ବିଚାରିଲୁ ତାହାହେଲେ ଗାନ୍ଧିଜୀ ଅଛନ୍ତି । କିନ୍ତୁ ବାସ୍ତବ କଥା ହେଉଛି–ରାତିରେ ବସ୍‍ରେ ବରାଦ ହୋଇଥିଲା । ଚାରିଆଡ଼େ ଟେଲିଫୋନ୍ କାଟି ଦିଆଯାଇଥିବାରୁ ବସ୍ ପରିଚାଳକଙ୍କୁ ଆଉ କିଛି ଜଣା ନଥିଲା । ସେ ଆସି ନିର୍ଦ୍ଧାରିତ ସମୟରେ ପହଞ୍ଚିଲେ ।

 

ଆମେ ସେଥିରେ ଚାଲିଲୁ ମହାତ୍ମାଗାନ୍ଧୀଙ୍କଠାରୁ ଶେଷ ନିର୍ଦ୍ଦେଶ ଆଣିବା ଆଶାରେ । ମାତ୍ର ଅଳ୍ପ ଦୂର ଯାଇଛୁ କି ନାହିଁ ଦେଖିଲୁ ବମ୍ଵେର ରାସ୍ତା ଗଳିମାନଙ୍କରେ ଶହ ଶହ ପୁରୁଷ ସ୍ତ୍ରୀ । ବହୁ ସଂଖ୍ୟାରେ ଲୋକ ରୁଣ୍ଡହୋଇଛନ୍ତି । ଆମ ବସ୍‍କୁ ଅଟକାଇ ଚିତ୍କାର କରୁଛନ୍ତି–‘‘ଗାନ୍ଧିଜୀ ମରଣ ପର ହୈ; ଔର୍ ଆପ୍ ବସ୍‍ମେ ଚଲ୍‍ତେ ହୈଁ ?” ଚାରିଆଡ଼େ ବସ୍ ଟ୍ରାମ୍ ବନ୍ଦ, ଦୋକାନ ବଜାର ଦରଜା ଖୋଲିନାହିଁ–ଖାଲି ଲୋକ ମାଳମାଳ; ପୁଲିସ ଓ ଫୌଜ କେଉଁଠି କେମିତି ପଇଁତରା ମାରୁଥାଆନ୍ତି । ସେତେବେଳକୁ ବମ୍ବେ ସହରରେ କିଛି ଭଙ୍ଗାରୁଜା କାମ ଆରମ୍ଭ ହୋଇ ନଥାଏ । ଲୋକେ ମହାତ୍ମାଗାନ୍ଧୀ ଓ ଅନ୍ୟ ନେତୃବୃନ୍ଦଙ୍କ ଗିରଫ୍‍ ଖବର ସମ୍ପୂର୍ଣ୍ଣରୂପେ ପାଇ ନଥାନ୍ତି–ଗୁଜବ ହୋଇଥାଏ ଯେ ମହାତ୍ମାଗାନ୍ଧୀ ଆମରଣ ଅନଶନ କରିଛନ୍ତି । ଆମେ ଯେଉଁ ବାଟ ଦେଇଗଲୁ, ସେଠାରେ ମଧ୍ୟ ଦେଖିଲୁ ସଡ଼କ ଉପରେ ଚକ୍‍ଖଡ଼ିରେ ଏଇଭଳି ସବୁ ଲେଖାଯାଇଛି । ଆମେମାନେ କଂଗ୍ରେସ ଲୋକ ଏବଂ ମହାତ୍ମାଗାନ୍ଧୀଙ୍କ ବାସସ୍ଥାନକୁ ଯାଉଛୁ, ବାଟ ଦେଖିନାହୁଁ, ଏହିଭଳି କହିବାରୁ ଗୋଟିଏ ଦୁଇଟି ସ୍ଥାନ ଅତିକ୍ରମ କରି ଆସିଲୁ । ମାତ୍ର ଅବସ୍ଥା ଏଭଳି ଅସମ୍ଭାଳ ହେଲା ଯେ ଶେଷକୁ ବସ୍ ଛାଡ଼ିଦେଇ ଚାଲି ଚାଲି ଆସି ବିରଳା–ଭବନରେ ପହଞ୍ଚିଲୁ । ସେଇଠାରେ ମହାତ୍ମାଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥାଏ । ଗାନ୍ଧିଜୀ ତ ନଥିଲେ; ଭେଟିଲୁ ତାଙ୍କ ସେକ୍ରେଟାରି ପିଆରିଲାଲଙ୍କୁ । ନିଜେ ନିଜର ନେତା; ବର୍ତ୍ତମାନଠୁଁ ଆମେ ପୂରା ସ୍ଵାଧୀନ–ସବୁ ଅଚଳ କରିଦିଅ–ଏମିତି ଧରଣର ବାର୍ତ୍ତା ଧରି ଆମେ ଫେରିଲୁ । ବମ୍ବେ ସହରରେ ସତେ କି ଏକ ଭୂକମ୍ପ ହୋଇଯାଇଥାଏ । ଏହିପରି ଏକ ଭାବନା ଖେଳୁଥାଏ ଆଉ କେଉଁଆଡ଼କୁ ଯିବା ସମ୍ଭବ ନଥାଏ । ମନ ଉଚ୍ଚାଟ ହେଉଥାଏ କେମିତି ବମ୍ବେ ଛାଡ଼ି ପଳାଇଯିବୁ, କାରଣ ସେତେବେଳକୁ ଖବର ମିଳିଲାଣି ଯେ ଚାରିଆଡ଼େ ଗିରଫ୍‍ ଚାଲିଛି । ଆମ ପାଳି କାଳେ ପଡ଼ିଯିବ ଏବଂ ଓଡ଼ିଶାକୁ ଫେରିଆସି ଯେଉଁ ବିଦ୍ରୋହ କରିବାର ପରିକଳ୍ପନା ଥିଲା ତାହା ପଣ୍ଡ ହୋଇଯିବ–ଏହା ଥିଲା ମନରେ ଆଶଙ୍କା । ହୋଟେଲକୁ ଫେରି ମୁଁ ସାଙ୍ଗେ ସାଙ୍ଗେ ବାର୍ତ୍ତାଟିର ବିଷୟବସ୍ତୁକୁ ଓଡ଼ିଆରେ ଲେଖି ସବୁ ଜିଲ୍ଲା କଂଗ୍ରେସ କମିଟି ଅଫିସ୍‍କୁ ଡାକରେ ପଠାଇଦେଲି । ଅନ୍ୟ କେଉଁଠି ଏ ଚିଟାଉ ପହଞ୍ଚିଲା କି ନାହିଁ କହିପାରିବି ନାହିଁ, ମାତ୍ର କୋରାପୁଟ ଜିଲ୍ଲା କଂଗ୍ରେସ ଅଫିସ୍‍ରେ ଏହା ପହଞ୍ଚିଥିଲା ଏବଂ ଗାନ୍ଧିଜୀଙ୍କ ପାଖରୁ ଚିଟାଉ ଆସିଛି ବୋଲି ସେମାନେ ବିଚାରିଲେ । ବୀର ଲକ୍ଷ୍ମଣ ନାୟକ ଯେ ନିବିଡ଼ ଅରଣ୍ୟ ପରିବେଷ୍ଟିତ ଆଦିବାସୀ ଅଞ୍ଚଳରେ ଇଂରେଜ ସତ୍ତା ଲୋପ କରିବା ନିମନ୍ତେ ମାତିଲି ଥାନା ଅଫିସ୍ ଉପରେ ଚଢ଼ଉକଲେ, ତାହା ଏହି ନିର୍ଦ୍ଦେଶନାମାର ଫଳସ୍ଵରୂପ । ଲକ୍ଷ୍ମଣ ନାୟକଙ୍କର ଏହି ବୀରୋଚିତ କାର୍ଯ୍ୟ ଯୋଗୁଁ ସ୍ଵାଧୀନତା ଲାଗି ଫାଶୀ ପାଇବାର ସମ୍ମାନ ତାଙ୍କୁ ମିଳିଥିଲା । ଅଗଷ୍ଟ ୨୧ ତାରିଖରେ ଦଳବଳ ନେଇ ବୀର ଲକ୍ଷ୍ମଣ ନାୟକ ମାତିଲି ଥାନାରେ ପହଞ୍ଚିଲେ । ସେମାନଙ୍କ ମୁହଁରେ ଧ୍ଵନି ଥିଲା–

 

“ଆମେ ସବୁ ସୈନିକ । ଇଂରେଜ ସରକାର ଆଉ ନାହିଁ । ଆମର ରଜା ହେଉଛନ୍ତି ମହାତ୍ମାଗାନ୍ଧୀ । ଜୟପୁର ମହାରାଜାବି ଗଲାଣି । ବ୍ରିଟିଶ ରାଜବି ମୃତ । ଏ ଦେଶ ଆମର; ଆମେ ସ୍ଵାଧୀନ ହୋଇଛେ । ଉଠ ଜାଗ ଭାଇଭଉଣୀ ! ଆସ ସମସ୍ତେ ଏ ଯୁଦ୍ଧରେ ନିଜକୁ ଝାସଦେବା । ମହାତ୍ମାଗାନ୍ଧୀକି ଜୟ !”

 

ଏହା ଥିଲା ସର୍ବଶ୍ରେଷ୍ଠ ରାଜଦ୍ରୋହ ଅପରାଧ । ମାତିଲି ଥାନା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଗୁଳି ହେଲା । ୫ ଜଣ ବିପ୍ଳବୀ ସେଇଠି ପୁଲିସ ଗୁଳିରେ ମରିଗଲେ; ୧୭ ଜଣ ଆଘାତ ପାଇଲେ । ବୀର ଲକ୍ଷ୍ମଣବି ଆହତ ହେଲେ । ଜଣେ ଫରେଷ୍ଟ ଗାର୍ଡ଼୍ ଏହି ସଂଘର୍ଷରେ ପ୍ରାଣ ହରାଇଲା–ଦୋଷ ଲଦାହେଲା ଲକ୍ଷ୍ମଣ ନାୟକଙ୍କ ଉପରେ । ଇଂରେଜ ସରକାର ଜଣେ ଆଇ.ସି.ଏସ୍ . ଅଫିସରଙ୍କୁ ସ୍ପେଶାଲ ଜଜ୍ ଭାବରେ ନିଯୁକ୍ତ କଲେ । ଏକ ବିଚାର ପ୍ରହସନ ହେଲା ଏବଂ ତାଙ୍କୁ ଫାଶୀ ଆଦେଶ ମିଳିଲା । ବ୍ରହ୍ମପୁର ଜେଲରେ ୧୪ ନମ୍ବର ସେଲ୍‍ରେ ତାଙ୍କୁ ଆଣି ୧୯୪୨ ମସିହା ନଭେମ୍ବର ୧୬ ତାରିଖରୁ ରଖାଗଲା ଏବଂ ୧୯୪୩ ମସିହା ଅଗଷ୍ଟ ୨୯ ତାରିଖ ସକାଳ ସାଢ଼େ ୫ଟାରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା । ଜେଲ ଭିତରେ ତାଙ୍କର ଶେଷକୃତ୍ୟ ହେଲା । ଏବେ ସୁଦ୍ଧା ବ୍ରହ୍ମପୁର ଜେଲରେ ଗୋଟିଏ ପଥର ସ୍ମୃତିସ୍ଵରୂପ ସେ ସ୍ଥାନରେ ରହିଛି ।

 

ଅନ୍ୟ କିଏ କେଉଁବାଟେ ବମ୍ବେରୁ ଗଲେ ସ୍ମରଣ ନାହିଁ । ମୁଁ ଓ ଶ୍ରୀମତୀ ମାଳତୀ ଚୌଧୁରୀ ଅଗଷ୍ଟ ୯ ତାରିଖ ସନ୍ଧ୍ୟାରେ ବମ୍ବେ ମେଲ୍‍ରେ ଆସିଲୁ । ଦେଖିଲୁ ବହୁ ରାଜନୀତିକ ନେତା ସେହି ଗାଡ଼ିରେ ନିଜ ନିଜ ଜାଗାକୁ ଚାଲିଛନ୍ତି । ମାତ୍ର ଦେଖାଗଲା ମେଲ୍‍ଗାଡ଼ିଟି ସ୍ଥାନେ ସ୍ଥାନେ ଅଟକୁଛି ଓ କଂଗ୍ରେସ ପ୍ରତିନିଧିମାନେ ଗିରଫ୍‍ ହେଉଛନ୍ତି । ନାଗପୁରରେ ପହଞ୍ଚି ଦେଖିଲୁ ପଣ୍ଡିତ ରବିଶଙ୍କର ଶୁକ୍ଳ ଆଦିଙ୍କୁ ଷ୍ଟେସନ୍‍ରେ ଗିରଫ୍‍ କରି ନିଆଗଲା । ସେ ଥିଲେ ମଧ୍ୟପ୍ରଦେଶର ଜଣେ ବଡ଼ କଂଗ୍ରେସ ନେତା ଏବଂ ପରେ ବହୁବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ଆମ ମନରେ ସନ୍ଦେହ ହେଲା ଯେ ଆମେ ଖଡ଼ଗପୁର ବାଟେ ଗଲେ ଗିରଫ୍‍ ହୋଇଯିବୁ । ତେଣୁ ଆମେ ଦି’ଜଣ ରାୟପୁରଠାରେ ଗାଡ଼ି ବଦଳାଇ ବିଜୟନଗରମ୍ ଦେଇ ଆସିବା ସ୍ଥିରକଲୁ ।

 

ମନରେ ଏକମାତ୍ର ଚିନ୍ତା କେମିତି ଯାଇ ଗୁପ୍ତସଂଗଠନ କରିବା; ବିଭିନ୍ନ ଲୋକଙ୍କ ସାଙ୍ଗରେ ସମ୍ପର୍କ ଥାପନ କରିବା । ବିଜୟନଗରମ୍‍ଠାରେ ଅନେକ ସମୟ ଅପେକ୍ଷା କରିବାକୁ ପଡ଼େ ମାନ୍ଦ୍ରାଜ ମେଲ୍ ଧରି କଟକ ଆସିବା ନିମନ୍ତେ । ମୁଁ ଇତ୍ୟବସରରେ ସେଠା ଖଦିଭଣ୍ଡାରକୁ ଯାଇ ଦୁଇଟି ମାଟିଆ ରଙ୍ଗର ଗାମୁଛା ଓ ଲୁଙ୍ଗି କିଣିଲି, ଯାହା ପିନ୍ଧିଲେ ମତେ ଚିହ୍ନି ହେବ ନାହିଁ । ଠିକ୍ ସମୟରେ ଗାଡ଼ିରେ ଉଠିଲୁ; ମାତ୍ର ପ୍ରତି ମୁହୂର୍ତ୍ତରେ ବିପଦ ମାଡ଼ିଆସୁଥାଏ । ଓଡ଼ିଶା ସୀମା ଭିତରେ ଟ୍ରେନ୍ ପହଞ୍ଚିଲା ପରେ ମାଳତୀଦେବୀଙ୍କୁ ଚିହ୍ନିବା ସହଜ ହୋଇଯିବ ଏବଂ ଆମର ସବୁ ଉଦ୍ୟମ ପଣ୍ଡ ହୋଇଯିବ । ଆମର ସୌଭାଗ୍ୟକୁ ବ୍ରହ୍ମପୁରରେ ଗାଡ଼ି ଆସି ପ୍ରାୟ ରାତି ଦଶଟାରେ ପହଞ୍ଚିଲା । ପୁଲିସ ବା ବଡ଼ ଅଫିସର କେହି ଆମ ଥାର୍ଡ଼କ୍ଲାସ ଡବାରେ ଉଠିଲେ ନାହିଁ । ଆମେ ସ୍ଥିର କଲୁ କଟକ ନ ଯାଇ ଭୁବନେଶ୍ୱରରେ ରାତି ପ୍ରାୟ ଗୋଟାଏବେଳେ ଓହ୍ଲାଇଯିବା; କେହି ଜାଣିପାରିବେ ନାହିଁ । କଟକ ଗଲେ ଗିରଫ୍‍ ହୋଇଯିବା । ପରେ ଜାଣିଲୁ ଅଗଷ୍ଟ ୯ ତାରିଖରୁ ୱାରଣ୍ଟ୍ ବାହାର କରି ପୁଲିସ ବରାବର କଟକ ଷ୍ଟେସନ୍‍ରେ ସବୁ ଟ୍ରେନ୍ ଦେଖୁଥାଆନ୍ତି ଆମ ଦି’ଜଣଙ୍କୁ ଗିରଫ୍‍ କରିବା ନିମନ୍ତେ । ଆସିଥିଲେ ସେହିଦିନ ଜେଲରେ ପଶିଥାଆନ୍ତୁ ।

 

ଭୁବନେଶ୍ୱର ସେତେବେଳକୁ ଛୋଟ, ତୀର୍ଥଯାତ୍ରୀଙ୍କ ସ୍ଥାନ ଥାଏ । ବେଳେବେଳେ ବଙ୍ଗଳାର ସନ୍ତ୍ରାସବାଦୀ ଆସିଥିବାର ଆଶଙ୍କା କରି ପୁଲିସ ଦୃଷ୍ଟି ଦିଏ; ନଚେତ୍ ସେ ସ୍ଥାନରେ ବିଶେଷ କିଛି ରାଜନୀତିକ ଗୁରୁତ୍ଵ ନଥାଏ । ସ୍ୱାସ୍ଥ୍ୟନିବାସ ଭାବରେ ଲୋକେ ସେଠି ରହୁଥିଲେ । ଷ୍ଟେସନ୍‍ରେ ଆଲୁଅ ନଥାଏ କିମ୍ବା ଯିବା ଲାଗି ବସ୍ ବା ଘୋଡ଼ାଗାଡ଼ି ଆଦି ନଥାଏ । ଯାନ ବୋଲି ଥାଏ କେତୋଟି ବଳଦଗାଡ଼ି ଏବଂ ଖଣ୍ଡିଏ ମାତ୍ର ହାତଟଣା ରିକ୍ସା । ଅଗଷ୍ଟ ମାସ; ଅନ୍ଧାର ରାତି; ଆକାଶ ମେଘାଚ୍ଛନ୍ନ–ଆମେ ନିରାପଦରେ ଓହ୍ଲାଇଗଲୁ ବିନା ସନ୍ଦେହରେ । କିନ୍ତୁ ଟିକିଏ ଆଗେଇଛୁ କି ନାହିଁ ବିପଦ ଦେଖାଗଲା । ଷ୍ଟେସନ୍ ବାହାରକୁ ଆସି ଦେଖିଲି ଜଣେ ପୁଲିସ ଅଫିସର ଷ୍ଟେସନ୍ ଆଡ଼କୁ ଯାଉଛନ୍ତି । ମୁଁ ଅନ୍ଧାରରେ ତାଙ୍କୁ ଦେଖିଲି–ସେ ଆମକୁ ଦେଖି ପାରିଲେ ନାହିଁ । କେମିତି ଶୀଘ୍ର ପଳାଇଯିବୁ ଆମକୁ ତର ସହିଲା ନାହିଁ । ମୁଁ ଆସି ରିକ୍ସା ପାଖରେ ପହଞ୍ଚିଲାବେଳକୁ ସେ କହିଲା ଦାରୋଗା (ଇନ୍‍ସପେକ୍ଟର) ଆସିଛନ୍ତି, ଫେରିବେ । ଆମ ହାଲୁକ ଶୁଖିଲା । ସେ ବୋଧହୁଏ ଟ୍ରେନ୍ ଦେଖିବାକୁ ଆସିଥିଲେ–ପହଞ୍ଚିବାରେ ବିଳମ୍ବ ହେଲା । ଟ୍ରେନ୍ ଚାଲି ଯାଇଥିଲା । ଆମେ ପୁଣି କେମିତି ଯାଉ ! ଗୋଟିଏ ଗୋରୁଗାଡ଼ି ସ୍ଥିରକଲି । ମାଳତୀ ଦେବୀ ଭିତରେ ଶୋଇଲେ–ମୁଁ ଠିକ୍ ଗାଡ଼ିବାଲା ପଛକୁ ବସିଲି । ତୀର୍ଥଯାତ୍ରୀ–ବଙ୍ଗଳାରୁ ଆସିଛୁ–ମାଆ ପୁଅ । ମାଳତୀ ଦେବୀ ବଙ୍ଗଳାରେ କହିବାରୁ ଗାଡ଼ିବାଲା ମନରେ ଆଉ ସନ୍ଦେହ ରହିଲା ନାହିଁ । ଅନ୍ଧାର ମେଘୁଆ ରାତିରେ ସେଠା ଜଙ୍ଗଲିଆ ଗଳିବାଟ ଦେଇ ଆମେ ଧର୍ମଶାଳା ଆଡ଼େ ଚାଲିଲୁ । ଅଳ୍ପ ଦୂର ଯାଇଛୁ କି ନାହିଁ ପଛକୁ ଆସିଲା ଇନ୍‍ସ୍ପେକ୍ଟର ସାହେବଙ୍କ ରିକ୍ସା । ଏକ ଧମକ–ଗାଡ଼ିବାଲା ପିଳେହି ପାଣି । ଗାଡ଼ିରେ କିଏ ? ବଙ୍ଗଳା ଯାତ୍ରୀ ଆଜ୍ଞା–ବେମାର ମାଆ । ପୁଅକୁ ଧରି ଆସିଛି ଭୁବନେଶ୍ୱର । ଅନ୍ଧାର ତ ହୋଇଥାଏ–ଆମକୁ ଅତିକ୍ରମ କରି ରିକ୍ସା ଚାଲିଲା । ଆମେ ଗାଡ଼ିବାଲାକୁ କହିଲୁ ଧୀରେ ଧୀରେ ଯିବାଲାଗି–ଦାରୋଗାବାବୁ ଚାଲିଯାଆନ୍ତୁ–ଭଲ ହେବ । ଗାଡ଼ିବାଲା କେଁକଟର ହୋଇ ଚାଲୁଥିବା ଶଗଡ଼କୁ ଆହୁରି ଧିମା କରିଦେଲା । ଗୋରୁଙ୍କୁ ବାଡ଼ାଉ ନଥାଏ; ମାତ୍ର ଏମିତି ଜୋରରେ ପାଟି କରୁଥାଏ ଯେମିତି ଦାରୋଗାବାବୁଙ୍କ ଧାରଣା ହେଉଥିବ ବଡ଼ ମଠୁଆ ବଳଦ–ଗାଡ଼ି ଟାଣୁ ନାହାନ୍ତି । ଖଣ୍ଡେ ଦୂର ଯାଇଛୁ–ଆମ ନଜର ବାହାରକୁ ଯାଇନାହିଁ–ଇନ୍‍ସ୍ପେକ୍ଟରବାବୁ ଦୁଇଜଣ ପିଲାଙ୍କୁ ଅଟକାଇଲେ । ଆମେବି ଗାଡ଼ିବାଲାକୁ କହି ରୋକିଗଲୁ ଦେଖିବାଲାଗି କ’ଣ ହେଉଛି । ଆମେ ଟିକିଏ ବାଙ୍କରେ ଅଣଆଡ଼ିଆ ହୋଇ ରହିଥାଉ । ସେତେବେଳେ ପୁଲିସର ବଡ଼ ସନ୍ଦେହ ଖଦଡ଼ପିନ୍ଧାଳି ଓ କଲେଜ ଛାତ୍ରଙ୍କ ଉପରେ । ଏ ଦୁଇଟି ଯୁବକ ଥିଲେ ଜଣେ କଲେଜ ଓ ଆଉ ଜଣେ ସ୍କୁଲ୍‍ ଛାତ୍ର । ରେଭେନ୍‍ସା କଲେଜରେ ଗୋଳମାଳ ଲାଗିଯାଇଥାଏ–ଏମାନେ ପକାଇଯାଇଥାନ୍ତି । ଦୁଇଜଣଙ୍କ ଘର ନିମାପଡ଼ା ଓ ଗୋପରେ । ଜଣେ ବର୍ତ୍ତମାନ ଓଡ଼ିଶାର ଏକ ମୁଖ୍ୟ ରାଜନୀତିକ କର୍ମୀ–ଶ୍ରୀ ଉପେନ୍ଦ୍ର ମହାନ୍ତି । କଂଗ୍ରେସ ଟିକଟର ଏମ୍.ଏଲ୍.ଏ.ବି ହୋଇଥିଲେ । ଅନ୍ୟ ଜଣକ ହେଲେ ଲୋକନାଥ ସେନାପତି । ତାଙ୍କ ଖବର ରଖିନାହିଁ । ବେଳେବେଳେ ମନେପଡ଼ିଲେ ନିଜକୁ ଧିକ୍‍କାର ଲାଗେ, କାରଣ ସେ ହେଲେ ଆମର ଷଡ଼ଯନ୍ତ୍ରୀ ରାଜନୀତିକ ଆନ୍ଦୋଳନର ପ୍ରଥମ ବାର୍ତ୍ତାବହ ।

 

ଇନ୍‍ସ୍ପେକ୍ଟର ତାଙ୍କୁ ଧମକାଇ ଆଉ ଭୁବନେଶ୍ୱର ଫେରିବ ନାହିଁ ବୋଲି ପ୍ରତିଶ୍ରୁତି ନେଇ ସିଧା ଷ୍ଟେସନ୍‍ପଥରେ ବିଦାୟ କରିଦେଲେ । ଆମେ ଆଢ଼ୁଆଳରେ ଥାଇ ଏ ଦୃଶ୍ୟ ଦେଖୁଥାଉ । ସେମାନେ ଯେମିତି ଗାଡ଼ି ପାଖକୁ ଆସିଛନ୍ତି ମୁଁ ସେମାନଙ୍କୁ ଡାକି ଗାଡ଼ିରେ ବସାଇଲି । ନିଜର ପରିଚୟ ଦେଲୁ ଏବଂ ତାଙ୍କ ଭିତରୁ ଜଣଙ୍କୁ ସାଙ୍ଗରେ ନେଇ ଆସିଲୁ ବିଭିନ୍ନ ସ୍ଥାନକୁ ତାଙ୍କ ଜରିଆରେ ସମ୍ବାଦ ପଠାଇବାଲାଗି ।

 

ଓଡ଼ିଶାର ଜଣେ ଲବ୍ଧପ୍ରତିଷ୍ଠ ରାଜନୀତିଜ୍ଞ ଭୁବନାନନ୍ଦ ଦାସ ଆଉ ନାହାନ୍ତି । ସେ କେବେ ଜେଲ ବରଣ କରି ନଥିଲେ; ମାତ୍ର ଥିଲେ ଏକ ଉଗ୍ର ଜାତୀୟତାବାଦୀ । ଭୁବନେଶ୍ୱର ତାଙ୍କର ଘର ଥାଏ, ସେଠାରେ ରହୁଥାଆନ୍ତି । ଆମେ ରାତିଅଧରେ ଯାଇ ତାଙ୍କରି ଘରେ ଡାକରା ଛାଡ଼ିଲୁ । ଦ୍ଵାର ଖୋଲାହେଲା । ତାଙ୍କ ଘରର ଯେଉଁ ପାଖରେ ବାହାର ଲୋକମାନେ ରହନ୍ତି, ସେଇଠି ଆମକୁ ରଖାଇଦେଲେ ଯେମିତି ଘରେ କାରବାର ହେଉଥିବା କେହି ଜାଣି ନ ପାରନ୍ତି ବା ସନ୍ଦେହ ନ କରନ୍ତି । ବାସ୍ତବିକ ସେ ଦିନ ରାତିରେ ଯଦି ଆମେ ତାଙ୍କ ଘରେ ଆଶ୍ରା ପାଇ ନଥାଆନ୍ତୁ, ତେବେ ଓଡ଼ିଶାରେ ଅଗଷ୍ଟ ଆନ୍ଦୋଳନର ଇତିହାସ ଅନ୍ୟ ପ୍ରକାର ହୋଇଯାଇଥାନ୍ତା । ଭୁବନାନନ୍ଦବାବୁଙ୍କର ସ୍ଵାସ୍ଥ୍ୟବି ଖୁବ୍ ଭଲ ନଥିଲା । ଜେଲବରଣ ତାଙ୍କୁ ଦୁଃଖରେ ପକାଇଥାନ୍ତା । ଅର୍ଡ଼ିନାନ୍‍ସ ଅନୁସାରେ ଏମିତି ରାଜନୀତିକ ପଳାତକମାନଙ୍କୁ ଆଶ୍ରା ଦେବାବି ସେତେବେଳେ ଥିଲା ଏକ ଅପରାଧ । ସେଠା ପୁଲିସଙ୍କ ଗତିବିଧିର ଖବର ଭୁବନାନନ୍ଦବାବୁ ରଖିଥାଆନ୍ତି । ଉଚ୍ଚକୋଟିର ବ୍ୟବସ୍ଥାପକ ଥିଲେ ସିଏ । ସ୍ଥାନୀୟ ପୁଲିସର ଟିକିଏ ଭୟବି ଥାଏ । ତାଙ୍କଠାରୁ କିଛି ସାମାନ୍ୟ ସମ୍ବାଦ ମିଳିଲା । ସେଇଠି ରହି ଆମେ କଟକ ଓ ଅନ୍ୟ ସ୍ଥାନମାନଙ୍କୁ ଚିଠିପତ୍ର ଦେଲୁ ଏବଂ ମାଳତୀ ଦେବୀ କିଭଳି ଅତିଶୀଘ୍ର ଭୁବନେଶ୍ୱର ଛାଡ଼ି ଆସିବେ ତା’ର ବ୍ୟବସ୍ଥା କରାଗଲା । ବଳଦଗାଡ଼ିରେ ପୁଣି ସେହି ମାଆପୁଅ ବାହାନା କରି, ଲୋକନାଥଙ୍କୁ ସାମନାରେ ବସାଇ, ସେ ବାହାରି ଆସିଲେ ।

 

ବି. ଦାସଙ୍କଠାରୁ ଜାଣିପାରିଲି ଆଉ ଜଣେ କଂଗ୍ରେସ ବ୍ୟକ୍ତି ଭୁବନେଶ୍ୱରରେ ଅଛନ୍ତି କେଦାର–ଗୌରୀ ପାଖରେ । ସେ ଯେକୌଣସି ମୁହୂର୍ତ୍ତରେ ଗିରଫ୍‍ ହୋଇଯାଇପାରନ୍ତି । ମାତ୍ର ସେ ଗିରଫ୍‍ ହେବା ପୂର୍ବରୁ ତାଙ୍କ ଅଞ୍ଚଳର କିଛି ସମ୍ବାଦ ଆଣିବି–ଏଥିଲାଗି ମୁଁ କେଦାର–ଗୌରୀକି ବାହାରିଗଲି ଗାଧୋଇବା ଲାଗି । ବିପଜ୍ଜନକ ଉଦ୍ୟମ–କେହି ଚିହ୍ନିନେଲେ ସବୁ ପଣ୍ଡ ହୋଇଯାଇଥାନ୍ତା । ଯାହାହେଉ ତାଙ୍କ ସହ କଥାବାର୍ତ୍ତା ହୋଇ ଓ କେଦାରଗୌରୀରେ ସ୍ନାନ କରି ମୁଁ ଚାଲି ଚାଲି ଫେରିବାବେଳକୁ ଦେଖିଲି ସାଇକେଲ୍‍ରେ ପୁଲିସ ଚାଲିଥାଆନ୍ତି । ସେମାନଙ୍କ ଭିତରୁ ଦୁଇଜଣ ମତେ ଖୁବ୍ ଭଲଭାବରେ ଜାଣନ୍ତି–ମାତ୍ର ମୁଁ ଯେଉଁ ମାଟିଆ ଗାମୁଛା ଓ ଲୁଙ୍ଗି ବିଜୟନଗରରେ କିଣିଥିଲି, ତାହା ଏଥିରେ ମତେ ସାହାଯ୍ୟ କଲା । ମଇଳା ଗାମୁଛା ପିନ୍ଧି ଓ ମଇଳା ଲୁଙ୍ଗି ଘୋଡ଼ାଇ ହୋଇ ଆସିବା ଲୋକକୁ ସେମାନେ କାହିଁକି ନଜର ଦିଅନ୍ତେ ? ମୋର ଆସିବା ସମ୍ବାଦବି କିଛି ଜଣା ନଥାଏ; ତେଣୁ ସନ୍ଦେହ କରିବାର କୌଣସି କାରଣ ନଥିଲା । ସେମାନେ ମୋଟାମୋଟି ମତେ ଲକ୍ଷ୍ୟ କରିପାରି ନଥିଲେ । ମୁଁ ସେଠୁ ଆସି, ବିନ୍ଦୁସାଗର ଓ ମନ୍ଦିର ପାର ହୋଇ, ଆଉ ସିଧା ରାସ୍ତାରେ ନ ଯାଇ ହାଟବାଟେ ପଛଦୁଆରେ ବି. ଦାସଙ୍କ ଘରକୁ ଯାଉଥିଲି । ବେଶ୍ ଦିନ ହୋଇଯାଇଥାଏ । ପୁଣି ଏକ ଅପ୍ରତ୍ୟାଶିତ ଅନ୍ତରାୟର ସମ୍ମୁଖୀନ ହେଲି । ପୁଲିସକୁ ବୋଧହୁଏ ସାଧାରଣ ନିର୍ଦ୍ଦେଶ ଥାଏ ଖଦଡ଼ପିନ୍ଧା ଲୋକଙ୍କୁ ଗିରଫ୍‍ କରିବ ବା ତାଙ୍କ ପିଛା କରି ଗତିବିଧି ଲକ୍ଷ୍ୟ କରିବ । ମୁଁ ହଠାତ୍ ଟିକିଏ ବେଗି ଯାଉଛି–ମୋ ସାମନାରେ ହାବୁଡ଼ିଲା ଏକ ଚୌକିଦାର । ପୂରା ପୋଷାକ ପିନ୍ଧିଛି । ମୋ ମଇଳା ଖଦଡ଼କୁ ସେ କେମିତି ଚିହ୍ନିଲା କେଜାଣି, ଆଗରେ ଠିଆହୋଇ ବାଡ଼ିଖଣ୍ଡକ ଟେକି ବାଟ ଓଗାଳିଲା । ମୁଁ ବଡ଼ ମୁସ୍କିଲ୍‍ରେ ପଡ଼ିଲି । ଯଦି ସେ ବା ମୁଁ କେହି ପାଟିକରୁଛୁ କିମ୍ବା ସଂଘର୍ଷ ଲାଗୁଛି, ତେବେ ଲୋକ ଜମାହୋଇଯିବେ–ସବୁ ଜଣାପଡ଼ିଯିବ । ମୁଁ ଆଉ କାଳବିଳମ୍ବ ନ କରି ଏକ ଶକ୍ତ ଚାପୁଡ଼ା ମାରିଲି ସେ ଚୌକିଦାରକୁ । ପାଟି କରି କହିଲି–ମୁଁ ବ୍ରାହ୍ମଣ ଲୋକ, କେଦାରଗୌରୀ ସ୍ନାନ କରି ଆସିଛି । ତୁ ଅଜାତିଆ ମତେ ଛୁଇଁଦେଲୁ ? ଚୌକିଦାର ବିଚରା ଏପରି ଅବସ୍ଥା ଘଟିବ ବୋଲି ପ୍ରସ୍ତୁତ ନଥିଲା ଏବଂ କ’ଣ କହିବ ହଠାତ୍ କିଛି ଭାବି ପାରିଲା ନାହିଁ । ମୁଁ ମୁହୂର୍ତ୍ତେ ସୁଦ୍ଧା ତାକୁ ଫୁରୁସତ୍ ନ ଦେଇ ଏକାଦୌଡ଼ାକେ ପଳାଇ ଆସିଲି ବି.ଦାସଙ୍କ ଘରକୁ । ପରେ ଲୋକ ପଠାଇ ଦେଖାଗଲା ଲୋକେ ତାକୁ ଗାଳିଦେଉଛନ୍ତି ସେ କାହିଁକି ଏମିତି ଅବିବେକୀ କାମ କଲା ବୋଲି; କିନ୍ତୁ ସେ ବାରମ୍ବାର କହୁଥାଏ ଯେ ନିଶ୍ଚିତ ଭାବରେ ଜଣେ କେହି ଖଦଡ଼ିଆ ଏଇଠି କେଉଁଠି ରହିଛି । ଏ ସମ୍ବାଦ ପାଇଲା ପରେ ଭୁବନେଶ୍ୱରରେ ଆଉ ରହିବା ନିରାପଦ ମନେ ନ କରି ମୁଁ ଭୁବନେଶ୍ୱର ଛାଡ଼ିଲି । ମାଳତୀ ଦେବୀ ତ ମୋ ଆଗରୁ ଆସିଯାଇଥିଲେ ।

☆☆☆

 

ଭୁବନେଶ୍ୱରରୁ କଟକ

 

ଭୁବନେଶ୍ଵର ଛାଡ଼ିଲାବେଳକୁ ମନ ଭିତରେ ଭୀଷଣ ଉଦ୍‍ବେଗ ଓ ଉତ୍କଣ୍ଠା । ବାସ୍ତବିକ ଗୁପ୍ତ ବିଦ୍ରୋହ ଆରମ୍ଭ ହେଲାଭଳି ଅନୁଭବ କରୁଥାଏ । ପୂର୍ବରୁ ୧୯୩୨–୩୩ର ଆଇନଅମାନ୍ୟ ଆନ୍ଦୋଳନବେଳେ ପୁଲିସ ଆଖିରେ ଧୂଳି ଦେଇ ମୁଁ ବହୁଦିନ ‘ବିଦ୍ରୋହୀ’ ଓ ‘ବିପ୍ଳବୀ’ ନାମକ ଦୁଇଟି ବୁଲେଟିନ୍ ପ୍ରକାଶ କରୁଥିଲି ଏବଂ ମୁଁ ତୃତୀୟ ଥର ଲାଗି ଗିରଫ୍‍ ହେବା ପର୍ଯ୍ୟନ୍ତ ଏହା ରୀତିମତ ବାହାରୁଥିଲା–କଟକ ସହରରେ ବିକ୍ରି ହେଉଥିଲା, ଓଡ଼ିଶାର କେତେକ ସ୍ଥଳକୁ ମଧ୍ୟ ଯାଉଥିଲା । ସେତେବେଳର ଓଡ଼ିଶା ଥିଲା ଖୁବ୍ ଛୋଟ ଏବଂ ଆଇନ ଅମାନ୍ୟ ଆନ୍ଦୋଳନ ମୁଖ୍ୟ ଭାବରେ କଟକ, ବାଲେଶ୍ଵର, ପୁରୀ ଓ ଗଞ୍ଜାମରେ ଚାଲିଥାଏ । ମୁଁ ଏହି ଅବସରରେ ଗୋଟିଏ ଗୁପ୍ତ ଡାକ ସରବରାହ ବ୍ୟବସ୍ଥା ସଂଗଠନ କରିପାରିଥିଲି । ସେଥିଲାଗି ଇଂଲଣ୍ଡର ‘ଇଣ୍ଡିଆ ଲିଗ୍’ ତରଫରୁ ବ୍ରିଟିଶ ପାର୍ଲିଆମେଣ୍ଟ୍‍ର ଯେଉଁ ପ୍ରତିନିଧି ଦଳ ଆସିଥିଲେ, ସେମାନଙ୍କ ସମ୍ମୁଖରେ ମତେ ଓଡ଼ିଶାର ‘ପି.ଏମ୍.ଜି.’ ବୋଲି କୁହାଯାଇଥିଲା । ମାତ୍ର ସେତେବେଳକାର ପରିସ୍ଥିତି ସ୍ଵତନ୍ତ୍ର । କଂଗ୍ରେସ ବେଆଇନ ଥିଲା, ଆର୍ଡ଼ିନାନ୍‍ସ ବଳରେ ଆଇନ ଅମାନ୍ୟ ଆନ୍ଦୋଳନକୁ ସାହାଯ୍ୟ କରିବା ଗୁରୁତର ଅପରାଧ ବୋଲି ଶାସ୍ତି ମିଳୁଥିଲା । ମାତ୍ର ଆମେ ସବୁ ଜେଲରୁ ଖଲାସ ହୋଇ ଆସି ପୁଣି କାର୍ଯ୍ୟ କରିବାକୁ ସୁଯୋଗ ପାଉଥିଲୁ । ପ୍ରତ୍ୟକ୍ଷ ଭାବରେ ପିକେଟିଂ ବା ଅନ୍ୟ ନିଷିଦ୍ଧ କାର୍ଯ୍ୟରେ ବ୍ରତୀ ନ ହେବା ପର୍ଯ୍ୟନ୍ତ ଗିରଫ୍‍ ହେଉ ନଥିଲୁ । ତେଣୁ ବାହାରକୁ ଆସି ସାଧାରଣ ନାଗରିକ ପରି ମୁକ୍ତ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ମିଳୁଥିଲା । ପୁଲିସର କଡ଼ା ନଜର ଥିଲା କୌଣସି ବେଆଇନ କାର୍ଯ୍ୟ କିମ୍ଵା କାର୍ଯ୍ୟସ୍ଥଳୀ ଉପରେ । କଂଗ୍ରେସ କର୍ମୀ ବା ବ୍ୟକ୍ତିବିଶେଷଙ୍କ ଉପରେ ସେପରି ତୀକ୍ଷ୍ଣଦୃଷ୍ଟି ନଥିଲା ।

 

୧୯୪୨ର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ପୂର୍ବେ ଆମେ ଗାନ୍ଧିଜୀଙ୍କର ନିର୍ଦ୍ଦେଶ ଅନୁସାରେ ଗିରଫ୍‍ ପରୁଆନା ବାହାରିଲାମାତ୍ରେ ବିନା ପ୍ରତିରୋଧରେ ହାଜର ହୋଇଯାଉଥିଲୁ । ଜେଲ ଭରିବା ଥିଲା ପ୍ରଧାନ ଲକ୍ଷ୍ୟ । ସେଥିଲାଗି ଜେଲ ନ ଯାଇ ପାରିଲେ ମନଦୁଃଖ ହୁଏ । କେହି ଥରେ ପଦାକୁ ଆସିଲେ ପୁଣି ଯେତେ ଶୀଘ୍ର ସମ୍ଭବ ଆଇନ ଅମାନ୍ୟ କାର୍ଯ୍ୟରେ ଲିପ୍ତ ହୋଇ ଜେଲ ବରଣ କରନ୍ତି-। ଏହି ହିସାବରେ ମୋର ତିନିଥର ଜେଲ ହୋଇ ଯାଇଥିଲା । ଏଥରକ ଜେଲ ନ ଯିବାର ଚେଷ୍ଟା–ଇଂରେଜ ସରକାରକୁ ପୂରାପୂରି ନ ହଟାଇଲା ପର୍ଯ୍ୟନ୍ତ ବିରାମ ନାହିଁ । ଭୁବନେଶ୍ଵରରୁ ଆମେ ଆସୁଛୁ ପଳାତକ (absconder) ହିସାବରେ । ଏଭଳି ଅଭିଜ୍ଞତା କେବେ ନଥିଲା–ମନରେ ଚରମ ତ୍ୟାଗ ଲାଗି ପରମ ପ୍ରତିଜ୍ଞା ରହିଥିଲେ ସୁଦ୍ଧା, ସାରା ପ୍ରଦେଶରେ ସଙ୍ଗଠନ ଛିଡ଼ା କରାଇପାରିବି କି ନାହିଁ ଏହିଭଳି ଆଶଙ୍କା ଓ ସନ୍ଦେହ ଭିତରେ ମନ ଅସ୍ଥିର ହେଉଥାଏ ।

 

ଆମେ ଆଗରୁ ମୁରଲୀଧର ଆଚାର୍ଯ୍ୟଙ୍କ ହାତରେ କଟକର ଗହଣାଦୋକାନୀ ଦୁଃଖିଶ୍ୟାମ ମହାନ୍ତିଙ୍କ ପାଖକୁ ଖବର ପଠାଇଥାଉ । ତାଙ୍କ ଘର କାଠଯୋଡ଼ି ନଈ ସେକଡ଼ ଉରାଳୀ ଗ୍ରାମରେ । ସେଇଠି ମାଳତୀ ଦେବୀ ଓ ମୁଁ ଭେଟ ହେବୁ ଏବଂ ସେଠାରୁ କଟକ ଯାତ୍ରା କରିବୁ । ମୁରଲୀଧର ଆଚାର୍ଯ୍ୟ ଓ ଦୁଃଖିଶ୍ୟାମ ମହାନ୍ତି ଉଭୟେ ମୃତ । ସେମାନେ ଥିଲେ କଂଗ୍ରେସପ୍ରେମୀ । ଏଭଳି ଆନ୍ଦୋଳନକୁ ସାହାଯ୍ୟ କରିବା ହେତୁ ଯଦି କିଛି କଷ୍ଟ, ତ୍ୟାଗ ବା ଜେଲ ବରଣ କରିବାକୁ ପଡ଼େ, ସେଥିପାଇଁ ସେମାନେ ପ୍ରସ୍ତୁତ ଥିଲେ । ପ୍ରକୃତରେ ଏ ଦୁଇଜଣଙ୍କର ଅକୁଣ୍ଠ ସାହାଯ୍ୟ ସେତେବେଳେ ଯଦି ମିଳି ନଥାନ୍ତା, ତେବେ ଆମେ ମହାଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତୁ । ଦୁଃଖିଶ୍ୟାମବାବୁ ସମ୍ବାଦ ପାଇବାମାତ୍ରେ ନିଜ ଗ୍ରାମକୁ ଯାଇ ରହିଥାନ୍ତି ଆମର ଚର୍ଚ୍ଚା କରିବା ନିମନ୍ତେ । ମାଳତୀ ଦେବୀ ମୋ ଆଗରୁ ଆସି ସେଠି ପହଞ୍ଚିଥିଲେ ।

 

ମୁଁ ସେଦିନଟି କୌଣସି ପ୍ରକାରେ ଭୁବନେଶ୍ଵରରେ କଟାଇ ଅତି ଭୋରରୁ ବାହାରି ଆସିଲି ନିଜର ବିଛଣାଟି ମୁଣ୍ଡରେ ଥୋଇ । ରାତି ପାହିଲା ବାଲିଅନ୍ତା ନଈକୂଳେ । ନଈରେ ପାଣି ଅଥଳ–ଡଙ୍ଗା ବିନା ଅନ୍ୟ ଗତି ନାହିଁ । ନଦୀରେ ଏମିତି ସ୍ରୋତ ଥାଏ ଯେ କୂଳରେ ଗଡ଼ି ନିତ୍ୟକର୍ମ ସାରିବା ଲାଗି ମତେ ଭୟ ଲାଗୁଥାଏ । ବଡ଼ ନଦୀ ନୁହେଁ, ମାତ୍ର ବଡ଼ ପ୍ରଖର ଗତି । ଡଙ୍ଗା ଥାଏ ଆରପାରିରେ । ଡାକ ଛାଡ଼ିଲି ଡଙ୍ଗାବାଲାକୁ । ସାଙ୍ଗେ ସାଙ୍ଗେ ଜବାବ ମିଳିଲା । ମାତ୍ର ନାଉରିମାନେ ସେ କୂଳରେ ଯାହା କଥାବାର୍ତ୍ତା ହେଲେ ସେଥିରେ ମୋ ହାଲୁକ ଶୁଖିଗଲା । ବଢ଼ିଲା ନଈରେ ତାଙ୍କ କଥା ଏ କୂଳକୁ ସ୍ପଷ୍ଟ ଶୁଭୁଥାଏ । ସାଙ୍ଗ ନାଉରିକି ଡାକ ଦେଇ ନାଉରି କହିଲା–‘ହେ, ଜଲଦି ଆ ! ମୁନ୍‍ସିବାବୁ କାଲି ଭୁବନେଶ୍ଵର ଯାଇଥିଲେ । ଆସି ଡାକ ଦେଲେଣି । ଏହା ଶୁଣି ମୁଁ ବଡ଼ ଦୋଘାଇରେ ପଡ଼ିଲି । ଭାବିଲି ସେଠାରୁ ପଳାଇ ଯିବି; ଅନ୍ୟ କେଉଁ ରାସ୍ତା ଦେଖିବି କିମ୍ବା ଖରାବେଳେ ଆସି ପାରି ହେବି; ପାଖ ଗାଁକୁ ଯାଇ ରହିଯିବି । ସେ ଅଞ୍ଚଳରେ ମୋର ସେପରି କେହି ପରିଚିତ ନଥାଆନ୍ତି । ଏଭଳି ଦୋଦୋପାଞ୍ଚ ହୋଇ ପଛକୁ ଚାହିଁ ଦେଖେ ତ ଗୋଟିଏ ବଳଦଗାଡ଼ିରୁ ଜଣେ ଓହ୍ଲାଇ ଚାଲି ଚାଲି ଆସୁଛନ୍ତି । ରାସ୍ତାଟି ନଈତୁଠରୁ ଟିକିଏ ଦୂରରେ ସରିଥାଏ ଏବଂ କୂଳ ପର୍ଯ୍ୟନ୍ତ ଗାଡ଼ି ଆସି ପାରେନା । ଏଇଠି ମୋର କାମ ଶେଷ ହୋଇଗଲା ବୋଲି ଭାବିଲି । ମାତ୍ର ମୁନ୍‍ସିବାବୁଙ୍କ ପରିବର୍ତ୍ତେ ଆସି ପହଞ୍ଚିଲେ ଗୌରାଙ୍ଗ ଚରଣ ଦାସ–ଜଣେ ନିର୍ଭୀକ, ତ୍ୟାଗୀ ଓ ବିଦ୍ରୋହୀ ଯୋଦ୍ଧା । ଏକ ସାଙ୍ଗରେ କାମ କରିଛୁ । ୧୯୩୩ ମସିହାରେ ଆମେ ଯେ କେତେଜଣ କୌଣସି ବ୍ୟକ୍ତିଗତ ସମ୍ପତ୍ତି ନ କରି ସମାଜବାଦୀ ଆନ୍ଦୋଳନରେ ଝାସ ଦେବାର ଦୃଢ଼ ଶପଥ ନେଇଥିଲୁ ଏବଂ ସମାଜବାଦୀ ଦଳର ଅୟମାରମ୍ଭ କରିଥିଲୁ, ସେଥିରେ ଗୌରଙ୍ଗବାବୁ ଥିଲେ ଜଣେ ଆଗ୍ରହୀ ସାଥୀ । ଯେତେ ଆଗୁଆ ଆନ୍ଦୋଳନ ହୋଇଛି, ସେଥିରେ ସେ ଥିଲେ କର୍ଣ୍ଣଧାର । ସେବକାଳରେ ଗାଁଗହଳରେ ପ୍ରବେଶ କରି ଶ୍ରେଣୀ ସଂଗ୍ରାମର ବାର୍ତ୍ତା କୃଷକଙ୍କ ଭିତରେ ପ୍ରଚାର କରିବାରେ ସେ ଥିଲେ ଅଦ୍ଵିତୀୟ । ଜମିଦାରି ନିର୍ଯାତନା ଓ ଗରିବ ହରିଜନଙ୍କ ଶୋଷଣର ସେ ଥିଲେ ପରମ ଶତ୍ରୁ । ବହୁ କ୍ଳେଶ ଲଭିଛନ୍ତି । ଆମେ ସବୁ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧ ସତ୍ତ୍ଵେ ଯେଉଁ ଗଡ଼ଜାତ ପ୍ରଜା ଆନ୍ଦୋଳନ କରୁଥିଲୁ ଏବଂ ଢେଙ୍କାନାଳରେ ଯେ ସତ୍ୟାଗ୍ରହ ଚାଲିଥିଲା, ସେଥିରେ ସେ ଯୋଗଦାନ କରି ସେ କାଳର ଢେଙ୍କାନାଳୀ ଶାସନର ନିର୍ମମ ପ୍ରହାର ସହ୍ୟ କରିଥିଲେ । ତାଙ୍କୁ ଦେଖି ମନରେ ଭରସା ପଶିଲା ଏବଂ ମୋ ମନରେ ଯେଉଁ ନିଃସଙ୍ଗ ଭାବ ଜାତ ହେଉଥିଲା, ତାହା ଦୂର ହେଲା । ଏ ବାଟରେ ମୁଁ ନୂଆ; ମାତ୍ର ଗୌରାଙ୍ଗବାବୁ ବହୁବାର ଯିବା ଆସିବା କରିଛନ୍ତି । ସୁବିଧାରେ ନଦୀ ପାରି ହୋଇ ଆମେ ଆସି ଅରିଲୋ ଗ୍ରାମରେ ଖରାବେଳ କଟାଇଲୁ । ଗୌରାଙ୍ଗବାବୁଙ୍କ ସହିତ ଯୋଜନା ହୋଇଗଲା,–ସେ କିପରି ଗୋବିନ୍ଦପୁର, ଜଗତସିଂହପୁର ଅଞ୍ଚଳରେ ଗୋପନୀୟ ଆନ୍ଦୋଳନ ସଂଗଠନ କରିବେ–ପୁଲିସ ଥାନା ପ୍ରଭୃତି ଉପରେ ଆକ୍ରମଣ ବ୍ୟବସ୍ଥା କରିବେ ଇତ୍ୟାଦି । ସେ ବହୁଦିନ ଏପରି କାର୍ଯ୍ୟ କଲେ, ମାତ୍ର ପରେ ଗିରଫ୍‍ ହୋଇଗଲେ ।

 

ମୁଁ ଆସି ମାଳତୀ ଦେବୀଙ୍କି ଭେଟିଲି ଉରାଳୀ ଗ୍ରାମରେ । ସେହି ରାତ୍ରିରେ ନଦୀ ପାରହୋଇ କଟକ ଆସିବାକୁ ପଡ଼ିବ; ନଚେତ୍ ଏମିତି ରହିବା ନିରାପଦ ନୁହେଁ । ଦୁଃଖିଶ୍ୟାମବାବୁ ଡଙ୍ଗା ବ୍ୟବସ୍ଥା କରିଦେଲେ–ମାତ୍ର ଯାଉ କେମିତି ? ଦିନରେ ଯିବା ମଧ୍ୟ ସମ୍ଭବ ନୁହେଁ–ରାତିରେ କ’ଣ ଯାଇହବ ! ଭରା ନଦୀ, ପ୍ରବଳ ବନ୍ୟା; ତୋଫାନୀ ହାଉଆ ବହି ନଦୀର ଲହରି କୂଳ ଖାଉଛି-। ଅନ୍ଧକାର ରାତ୍ରି । ପୁଣି ବଡ଼ ନାଆ ମିଳିଲା ନାହିଁ । ଏକ ଛୋଟ ହୁଲିଡ଼ଙ୍ଗାରେ କୌଣସିମତେ କାଠଯୋଡ଼ି ପାର ହେବାକୁ ପଡ଼ିଲା । ସେତେବେଳକୁ କାଠଯୋଡ଼ି ପୋଲ ହୋଇ ନଥାଏ; କେବଳ ରେଳ ପୋଲଟି ଥାଏ । ସେଥିରେ ଲୋକ ଯିବା ଆସିବା କରନ୍ତି; ମାତ୍ର ଯୁଦ୍ଧ ଲାଗିବାଦିନୁ କଡ଼ା ସଶସ୍ତ୍ର ପୁଲିସ ପ୍ରହରୀ ଦୁଇପାଖରେ ରହୁଛନ୍ତି । ଦିନରେ କେତେବେଳେ କାହାକୁ ହୁଏତ ଛାଡ଼ୁଥିବେ–ସୂର୍ଯ୍ୟାସ୍ତ ପରେ କେହି ଯାଇ ପାରିବେ ନାହିଁ ବୋଲି କଡ଼ା ହୁକୁମ । ମାଳତୀ ଦେବୀ ଏପରି ଛୋଟ ହୁଲିରେ ନ ଯାଇ ପୁଲିସକୁ କହି ରେଳ ପୋଲରେ ଯିବାର ପ୍ରସ୍ତାବ କଲେ । ଏହା ନିରାପଦ ହେବନାହିଁ ଏବଂ ଆମେ ସବୁ ଚିହ୍ନା ପଡ଼ିଯିବାର ଆଶଙ୍କା ଥିବାରୁ ବାଧ୍ୟ ହୋଇ ସେହି ଡଙ୍ଗାରେ ପାରହେଲୁ । ଡଙ୍ଗାଟି ବେଳେବେଳେ ଦୋହଲି ଗୋଟିଏ ପାଖ ପାଣି ଭିତରେ ବୁଡ଼ିଗଲା ପରି ଲାଗୁଥାଏ । କିନ୍ତୁ ମାଳତୀ ଦେବୀ ଏହି ଡଙ୍ଗାରେ ବସି ଆରମ୍ଭ କରିଦେଲେ କବି ନଜରୁଲ୍‍ଙ୍କର ଅମର ବୈପ୍ଳବିକ ଗାନ–“ଦୁର୍ଗମଗିରି କାନ୍ତାର ମରୁ ଦୁସ୍ତର ପାରାବାରହେ, ଲଙ୍ଘିତେ ହବେ ରାତ୍ରି ନିଶୀଥେ ଯାତ୍ରୀର ହୁସିଆରହେ, ଯାତ୍ରୀର ହୁସିଆର !” କିଭଳି ସମୟୋପଯୋଗୀ ଓ ରୋମାଞ୍ଚକାରୀ ସଙ୍ଗୀତ !

 

କଟକରେ ପହଞ୍ଚିଲାବେଳକୁ ବେଶ୍ ରାତି । ଏଣେ ଝିପିରି ଝିପିରି ପାଣି ପଡ଼ୁଥାଏ । ସେତେବେଳେ କିଛି ମଧୁପାଟଣା ହୋଇ ନଥାଏ । ରେଳ ପୋଲ ତଳେ ନିଛାଟିଆରେ ଓହ୍ଲାଇଲୁ । କେହି ଜାଣିବାର କିଛି ଉପାୟ ନାହିଁ । ନଈ ବନ୍ଧେ ବନ୍ଧେ ମାଳତୀ ଦେବୀ ଚାଲିଲେ ତାଙ୍କ ବାଖରାବାଦ ଘରକୁ ।

 

ଆଗରୁ ବ୍ୟବସ୍ଥା ହୋଇଥାଏ–ଆଉ କାଳବିଳମ୍ବ ନ କରି ତା’ ପରଦିନ ମାଳତୀ ଦେବୀ ସଭା କରି ଗିରଫ୍‍ ହେବେ । ତାଙ୍କ ପକ୍ଷରେ ଲୁଚି ରହି କାମ କରିବା ସମ୍ଭବ ନୁହେଁ । କଟକ ବଡ଼ ଛୋଟିଆ ଜାଗା । ସେଥିରେ ଆତ୍ମଗୋପନ କରି ରହିବା କେଡ଼େ କଷ୍ଟସାଧ୍ୟ, ସେ କଥା ମୁଁ ପରେ ଅନୁଭବ କଲି । ମାଳତୀ ଦେବୀଙ୍କ ପରି ଅତି ପରିଚିତ ମହିଳାଙ୍କ ପକ୍ଷରେ ତାହା ବଡ଼ ମୁସ୍କିଲ୍ ହୋଇଥାଆନ୍ତା ଏବଂ ଆମର ସାରା ସଂଗଠନ ଭୁଷୁଡ଼ି ପଡ଼ିଥାଆନ୍ତା । ସେ ଇଚ୍ଛା କରୁଥିଲେ ଅନ୍ୟ ବାହାର ପ୍ରଦେଶରେ ଆତ୍ମଗୋପନ କରିବାକୁ; ମାତ୍ର ତାଙ୍କ ପରି ଜଣେ ନେତୃସ୍ଥାନୀୟ ବ୍ୟକ୍ତି ଓଡ଼ିଶାରେ ଗିରଫ୍‍ ହେଲେ ଅଧିକ ପ୍ରଭାବ ପଡ଼ିବ ଏବଂ ଉତ୍ତେଜନା ସୃଷ୍ଟି ହେବ–ସେଥିଲାଗି ଏଠାରେ ସେ ଗିରଫ୍‍ ହେବାର ଆବଶ୍ୟକତା ଥିଲା ।

 

କିନ୍ତୁ ଏ ଗିରଫ୍‍ କିଛି ମାମୁଲି ଢଙ୍ଗରେ ହେଲା ନାହିଁ । କଟକ ସହରରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଆଗରୁ ଘୋଷଣା କରାଯାଇଥିଲା ଯେ କଲେଜ ଛକରେ ସଭା ହେବ ଏବଂ ମାଳତୀ ଦେବୀ ଭାଷଣ ଦେବେ । ପୁଲିସ ସେ ପର୍ଯ୍ୟନ୍ତ ଜାଣିପାରି ନଥାନ୍ତି ସେ ଆସି ଯାଇଛନ୍ତି କି ସଭାବେଳକୁ ଆସି ପହଞ୍ଚିବେ । ସଭା ଆରମ୍ଭ କରିଦେଇ ମାଳତୀ ଦେବୀଙ୍କୁ ଡାକିନେବା ଲାଗି ଯେଉଁ ଯୁବକ ଆସିଲେ, ସେ ଟିକିଏ ବିଳମ୍ବ କରିଦେଲେ । ପୁଲିସ ଜାଣିଗଲେ ଯେ ସେ ବାଖରାବାଦରୁ ଯିବେ । ତେଣୁ ମାଳତୀ ଦେବୀ ଯାଉ ଯାଉ ପୁଲିସ ଲୋକଙ୍କୁ ଘଉଡ଼ାଇଦେଲେ । ଏହା ଶୁଣି ମାଳତୀ ଦେବୀ ଖଣ୍ଡେ ଦୂରରୁ ଘରକୁ ଫେରିଲେ ଏବଂ ତତ୍‍କ୍ଷଣାତ୍ ପୁଲିସ ଆସି ପହଞ୍ଚିଗଲା ତାଙ୍କୁ ଗିରଫ୍‍ କରିବା ଲାଗି । ସେ କ’ଣ ସହଜେ ଯାଆନ୍ତି ! ଅବଶ୍ୟ ଅଗଷ୍ଟ ନ’ ତାରିଖରୁ ୱାରଣ୍ଟ୍ ବାହାରିଥିଲା, ପୁଲିସ ବରାବର ନିରାଶ ହୋଇ ରେଳ ଷ୍ଟେସନ୍‍ରୁ ଫେରି ଆସୁଥିଲେ । ମାଳତୀଦେବୀ ପରିଷ୍କାର ମନାକରିଦେଲେ–ନାରୀ ପୁଲିସ ଆଣ–ମତେ ଆଉ କେହି ଗିରଫ୍‍ କରିପାରିବ ନାହିଁ । ସରକାରୀ ପକ୍ଷଙ୍କର ଆଗଠୁଁ ଅଭ୍ୟାସ–ପୁଲିସ କହିବାମାତ୍ରେ ଗାନ୍ଧୀବାଲା ଚାଲନ୍ତି–ଏମିତି ନୂଆ ପରିସ୍ଥିତି ଲାଗି ସେମାନେ ପ୍ରସ୍ତୁତ ନଥିଲେ । ବଡ଼ ଅଡ଼ୁଆରେ ପଡ଼ିଲେ । ଲୋକ ଜମା ହୋଇଗଲେ । ମାଳତୀ ଦେବୀଙ୍କ ଗିରଫ୍‍ ସମ୍ବାଦ କ୍ରମେ ଚାରିଆଡ଼େ ପ୍ରଚାର ହୋଇଗଲା । ମାଜିଷ୍ଟ୍ରେଟ ଆସି ବହୁତ ବୁଝାଇବା ପରେ ସେ ସମ୍ମତ ହୋଇ ଜେଲ ଗଲେ-

 

ଆମ କଳ୍ପିତ ଅଗଷ୍ଟ ଆନ୍ଦୋଳନର ଶୁଭ ଦେଲେ ମାଳତୀଦେବୀ । ଓଡ଼ିଶାରେ ଯେତେ ବିପ୍ଳବାତ୍ମକ ଓ ସଂଘର୍ଷମୂଳକ ଆନ୍ଦୋଳନ ହୋଇଛି, ସେଥିରେ ମାଳତୀ ଦେବୀ ହେଉଛନ୍ତି ପ୍ରେରଣାଦାୟିନୀ । ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଆମେ କେତେକ ଯୁବକ ଯେତେବେଳେ ଶପଥ ନେଲୁ ସମାଜବାଦ ଆଦର୍ଶ ଲାଗି ନିଜର ସର୍ବସ୍ଵ ତ୍ୟାଗ କରି ପ୍ରାଣପାତ କରିବୁ ବୋଲି, ସେତେବେଳେ ମାଳତୀ ଦେବୀ ନିଜର ସମସ୍ତ ଗହଣା ଦାନ କରିଦେଲେ ଏବଂ ସେଇଆକୁ ପାଣ୍ଠି କରି ସମାଜବାଦୀ ଆନ୍ଦୋଳନର ମୂଳଦୁଆ ସ୍ଥାପନ କରାଗଲା । ଗାଁଗହଳିରେ ନାନା ଅସୁବିଧା ଓ ଦୁଃଖ ସହ୍ୟ କରି ଦରିଦ୍ର କୃଷକଙ୍କ ଭିତରେ ସମାଜବାଦ ଓ ଶ୍ରେଣୀସଂଗ୍ରାମର ବାର୍ତ୍ତା ପହଞ୍ଚାଇବାରେ ସେ ହେଲେ ଅଗ୍ରଣୀ । କଂଗ୍ରେସର ମୁଖ୍ୟ ନେତାମାନଙ୍କର ବିରୋଧ ସତ୍ତ୍ଵେ ଉତ୍କଳ ପ୍ରାଦେଶିକ କୃଷକ ସଂଘ ଗଢ଼ାହେଲା ଏବଂ ସେ ହେଲେ ତା’ର ଯୁଗ୍ମ ସମ୍ପାଦକ । ସେ କାଳର କଥା–ପୁଲିସ, ଜମିଦାରର ଡର–ଲୋକେ ପାଖକୁ ଆସିବାକୁ ଭୟ କରୁଥାଆନ୍ତି । କିଭଳି ପ୍ରତିକୂଳ ପରିସ୍ଥିତି ଭିତରେ କାମ କରିବାକୁ ପଡ଼ିଛି, ତାହା ଆଜିକାଲି କଳ୍ପନା କରିବା ଅସମ୍ଭବ ।

 

ସେ କାଳର ଗୋଟିଏ ଘଟଣା । କଟକ ଜିଲ୍ଲାର ଗୋବିନ୍ଦପୁର ଥାନାର ପୋହଳ ଗ୍ରାମ । ନୂଆ ହୋଇ କୃଷକସଂଘ ଗଢ଼ାହୋଇଥାଏ । ସେତେବେଳେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହୋଇ ନଥାଏ–ବିହାର ସାଙ୍ଗରେ ଥାଏ । ପୁଲିସ ଡରରେ ଲୋକେ ସଭାକୁ ଆସନ୍ତି ନାହିଁ । ଆମେ ଲୋକଙ୍କ ଭିତରେ ପ୍ରବେଶ କରିବାର ଗୋଟିଏ ପନ୍ଥା ବାହାର କଲୁ । ବିହାର–ଓଡ଼ିଶା ଆଇନରେ ଏକ ବ୍ୟବସ୍ଥା ଥାଏ–ଫସଲ ହାନି ହୋଇଥିଲେ ଖଜଣା ହ୍ରାସ ହେବ । ମାତ୍ର ସେଥିଲାଗି ସରକାର ପାଖରେ ଦରଖାସ୍ତ କରିବାକୁ ପଡ଼ିବ । ଆମେ ଏହି କାମଟି ହାତକୁ ନେଲୁ । ଏହା କିଛି ସରକାରବିରୋଧୀ କାର୍ଯ୍ୟ ନୁହେଁ । ଚାଷୀମାନେ ଆଗ୍ରହରେ ସମର୍ଥନ ଦେବା କଥା । ସ୍ଥାନେ ସ୍ଥାନେ ଚାଷୀସଭା ଓ ଚାଷୀଙ୍କ ବୈଠକୀ କରି, ସେମାନଙ୍କୁ ବୁଝାଇ ଏହା କରାଉଥିଲୁ । ଏହି କାମ ସଂକ୍ରାନ୍ତରେ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ମୁଁ ଓ କେତେକ ସାଥୀ ଯାଇ ପୋହଳ ଗ୍ରାମରେ ଲୋକଙ୍କୁ ଏକାଠି କରିଥାଉ । ଅଳ୍ପ କେତୋଟି ଲୋକ ବାରଣ୍ଡାରେ ବସି ଥାଆନ୍ତି । ଆମେ ତାଙ୍କୁ ବୁଝାଉଥାଉ କାହିଁକି ଦରଖାସ୍ତରେ ଦସ୍ତଖତ କରିବାକୁ ପଡ଼ିବ । ଆମର କାର୍ଯ୍ୟ ଅଧା ହୋଇଛି; ଏତିକିବେଳକୁ ଜଣେ ଚୌକିଦାର କାଗଜକଲମ ଧରି ସେଠି ହାଜର ହେଲା । ସେ ପର୍ଯ୍ୟନ୍ତ ଲୋକ ଆଗ୍ରହରେ ଶୁଣୁଥିଲେ–ଯେମିତି ଚୌକିଦାରକୁ ଦେଖିଛନ୍ତି, ସ୍ଥାନ ଛାଡ଼ି ନିଜ ନିଜ ଘର ଭିତରକୁ ଚାଲିଗଲେ । ଆମ କେତେଜଣଙ୍କ ଛଡ଼ା ଆଉ କେହି ସେଠି ରହିଲେ ନାହିଁ । କିଛିକ୍ଷଣ ପରେ ଆମକୁ ଫେରିବାକୁ ପଡ଼ିଲା । ଏହା ସାଙ୍ଗକୁ ପୁଣି ଜମିଦାରୀ ଅତ୍ୟାଚାର ଓ ଜମିଦାରଙ୍କ ଭୟ ତ ରହିଥାଏ ।

 

ଏହା ଥିଲା ସେତେବେଳେ ଗ୍ରାମାଞ୍ଚଳରେ କାର୍ଯ୍ୟ କରିବାର ଅବସ୍ଥା । ଓଡ଼ିଶାର ଚାଷୀମାନଙ୍କ ମନରୁ ଏଭଳି ଭୟ ଭାଙ୍ଗି, ତାଙ୍କୁ ସଂଗଠିତ କରି, ସଂଗ୍ରାମାଭିମୁଖୀ କରାଇବାରେ ମାଳତୀ ଚୌଧୁରୀଙ୍କର କି ଅଦ୍ଭୁତ ଶକ୍ତି ! ତାହା ଯେ ଦେଖିଛି, ସେ କେବେହେଁ କହିବ ନାହିଁ ଯେ ‘ଗରିବୀ ହଟାଓ’ ଧ୍ଵନି ଦେଲାବାଲାଙ୍କର ତାଙ୍କ ଅପେକ୍ଷା ଅଧିକ ଜନମନ ଆକର୍ଷଣକାରୀ ଶକ୍ତି ଅଛି-। ପୁଣି ଯେତେବେଳେ ଦେଶର ଶାସନବିଧାନ ରଚନା ଲାଗି ବିଧାୟକ ସଭା ବସିଲା, ସେଥିରେ ଓଡ଼ିଶାରୁ ପ୍ରଥମ ମହିଳା ସଭ୍ୟା ଥିଲେ ମାଳତୀ ଦେବୀ; କିନ୍ତୁ ସେଥିରୁ ଇସ୍ତଫା ଦେଇ ସେ ବାହାରି ଆସିଲେ ଦୁଃଖିଜନ ଆଦିବାସୀଙ୍କ ସେବା ଲାଗି । ଗାନ୍ଧିଜୀଙ୍କର ନୋଆଖାଲି ଯାତ୍ରା ହେଉ କିମ୍ବା ବିନୋବାଙ୍କର ପଦଯାତ୍ରା ହେଉ, ଦରିଦ୍ରନାରାୟଣ ସେବା ଲାଗି ଯେତେ କାମ ଯେଉଁଠି ହୋଇଛି, ସେଥିରେ ଝାସ ଦେଇଛନ୍ତି ମାଳତୀ ଦେବୀ । ଆଜିବି ଦୂର କୋରାପୁଟ, ଫୁଲବାଣୀ ପରି ଅଗମ୍ୟ ଆଦିବାସୀ ଅଞ୍ଚଳରେ ସେମାନଙ୍କ ପ୍ରାଣରେ ନବଜୀବନ ଆଣିବା ଲାଗି ଯେପରି କଷ୍ଟ ଓ ଶ୍ରମ ସ୍ଵୀକାର କରି ସେ ଲାଗିପଡ଼ିଛନ୍ତି, ତାହା ଦେଖିଲେ ଅନେକେ ଚକିତ ହୋଇପଡ଼ିବେ ।

 

ଅଗଷ୍ଟ ଆନ୍ଦୋଳନର ଅୟମାରମ୍ଭ ହେଲା ତାଙ୍କଦ୍ଵାରା । ମୋର ସେ ମାଆ ସଦୃଶ । ମୋ ରାଜନୀତିକ ଜୀବନରେ ମୁଁ ତାଙ୍କ ପାଖରେ ରହି ବହୁ କଥା ଶିଖିଛି–ତେଣୁ ମୁଁ ତାଙ୍କୁ ମାଆ ବୋଲି ଡାକେ–ଯେମିତି ଶହ ଶହ ଗରିବ ହରିଜନ ଆଦିବାସୀ ଓଡ଼ିଶାର ପୁରପଲ୍ଲୀରେ ଆଜି ଡାକୁଛନ୍ତି । ତ୍ୟାଗ, କଷ୍ଟଭୋଗ, ଆଦର୍ଶ ଲାଗି ପ୍ରାଣ ଉତ୍ସର୍ଗ–ଏହା ପୁସ୍ତକ ଅଧ୍ୟୟନ କରି ହୁଏନା । ବାସ୍ତବିକ କର୍ମକ୍ଷେତ୍ରରେ ଏଥିପାଇଁ ଅନୁଭୂତି ଲୋଡ଼ା । ସେଇଠିହିଁ ପ୍ରକୃତ ପରୀକ୍ଷା ହୁଏ ।

 

ମାଳତୀ ଦେବୀ ଗିରଫ୍‍ ହେବାଦ୍ଵାରା ମୁଁ ବଞ୍ଚିତ ହେଲି ତାଙ୍କର ପରାମର୍ଶରୁ । ସେହି ରାତିରେ ଯାହା ରାଜାବଗିଚା ପର୍ଯ୍ୟନ୍ତ ସାଙ୍ଗ ହୋଇ କାଠଯୋଡ଼ି ବନ୍ଧରେ ଆସିଥିଲୁ । ମୁଁ ଜଙ୍ଗଲିଆ ରାଜାବଗିଚା ଭିତରକୁ ପ୍ରବେଶ କଲି । ହଠାତ୍ ଯାଇ ପହଞ୍ଚିଲି ଆମ ଗାଁର ଉଦୟନାଥ ରଥଙ୍କ ଘରେ । ଏପରି ଭାବରେ ମୁଁ ଆସିବି ବୋଲି ସେ ଆଶା କରି ନଥିଲେ । ସେହି ସ୍ଥାନ ହେଲା ମୋର ପ୍ରଥମ ଆଶ୍ରାସ୍ଥଳ । ତାଙ୍କରି ଜରିଆରେ କଟକର ଅନ୍ୟମାନଙ୍କ ପାଖକୁ ସମ୍ବାଦ ପଠାଇଲି । ଦିନଯାକ ପଡ଼ି ରହିଥାଏ; ସନ୍ଧ୍ୟାରେ କେତେକ ଆସି ଦେଖାକରନ୍ତି; କଥାବାର୍ତ୍ତା ହୁଏ । ସମସ୍ତ ଯୋଜନା ତିଆରି ହେଲା ଏହିଠାରେ ରହି । ଏହା ପରଠାରୁ ଆରମ୍ଭ ହେଲା ସ୍ଵାଧୀନତା ସଂଗ୍ରାମର ଜୟଯାତ୍ରାର କାହାଣୀ ।

☆☆☆

 

ଓଡ଼ିଆରେ ଆନ୍ଦୋଳନର ପରିସର ଓ ସ୍ୱରୂପ

 

ମାଳତୀ ଦେବୀଙ୍କ ଗିରଫ୍‍ ସମ୍ବାଦ ପାଇବା ପରେ ପରେ ମୋ ମନରେ ନାନାପ୍ରକାର ଭାବନା ଖେଳିଲା । ନିଜେ ନିଜର ନେତା ହୁଅ ବୋଲି ଯାହା କୁହାହୋଇଥିଲା, ତାହା ଏବେ ଆସି ନିଜ ଉପରେ ପଡ଼ିଗଲା । ଅବଶ୍ୟ ଏଭଳି ହେବ ବୋଲି ଆମେ ଆଗରୁ ବିଚାର କରିଥାଉ ।

 

ମୋ ସମ୍ମୁଖରେ ବିରାଟ ପ୍ରଶ୍ନ–ଓଡ଼ିଶାର ଚାରିଆଡ଼େ କିଭଳି ବିପ୍ଳବ ନିଆଁ ଜାଳିବି, ଏଠା ସରକାରୀ ଶାସନକୁ ଅଚଳ କରିଦେବି । ଭାରତର ବିଭିନ୍ନ ଅଞ୍ଚଳର ଯାହା ସବୁ ସଂକ୍ଷିପ୍ତ ସମ୍ବାଦ ବାହାରୁଥାଏ, ସେଥିରୁ ମନେହେଉଥାଏ ଅତି ଅଳ୍ପଦିନ ଭିତରେ ଚାରିଆଡ଼େ ସ୍ୱତଃସ୍ଫୂର୍ତ୍ତ ଭାବରେ ଆନ୍ଦୋଳନ ତେଜିଉଠିଛି, ନାନାପ୍ରକାର ଧ୍ୱଂସମୂଳକ କାର୍ଯ୍ୟ ହେଉଛି । ଓଡ଼ିଶାରେ ଆମେ କି ପନ୍ଥା ନେବୁ ? ମୁଁ ସୋସଲିଷ୍ଟ ହୋଇଥିବାରୁ ମୋ ଭିତରେ ଟିକିଏ ଦ୍ଵିଧାବୋଧ ଥିଲା । ରେଳଗାଡ଼ି ଅଟକାଇବା, ସରକାରୀ ଦପ୍ତର ଓ ପୁଲିସ ଥାନାମାନଙ୍କ ଉପରେ ଆକ୍ରମଣ ଯେଉଁ ସମ୍ବାଦ ମିଳୁଥାଏ, ସେଗୁଡ଼ିକ ଯଥାର୍ଥ ବୋଲି ମୁଁ ବିଚାରୁଥାଏ । ତେବେ ଏଥିରେ ହିଂସା ହୋଇଯାଉଛି ବୋଲି କେହି ପରେ ଦୋଷ ଦେବେ ନାହିଁ ତ ! ୧୯୪୨ ମସିହାର ଖରାଦିନେ ଗାନ୍ଧିଜୀଙ୍କ ସହ ଜାପାନୀ ଆକ୍ରମଣର ପରିପ୍ରେକ୍ଷୀରେ ମୋର ଯେଉଁ ଆଲୋଚନା ହୋଇଥିଲା, ସେଥିରୁ ମୋ ମନରେ ବିଶ୍ଵାସ ଜନ୍ମିଥିଲା ଯେ ସରକାରୀ ଖଜଣାଖାନା ଲୁଟ, କଚେରି ଓ ଶାସନକାର୍ଯ୍ୟକୁ ଅଚଳ କରିଦେବାଲାଗି ସବୁପ୍ରକାର ପନ୍ଥା ଅବଲମ୍ବନ କରିବାଟା ଦୋଷାବହ ହେବ ନାହିଁ । ଏହା ଗାନ୍ଧିଜୀଙ୍କର ପୂର୍ଣ୍ଣ–ଅହିଂସା–ନୀତିର ଖିଲାପ ହୋଇପାରିଥାଏ; ମାତ୍ର ସରକାରର ଘୋର ଦମନଲୀଳାର ସମ୍ମୁଖୀନ ହେବାକୁ ହେଲେ ସେମାନଙ୍କୁ କାବୁ କରିବାଭଳି କାର୍ଯ୍ୟ କରିବାକୁ ପଡ଼ିବ–ଖାଲି ଜେଲ ଭରିବାର କୌଣସି ଅର୍ଥ ନାହିଁ ।

 

୧୯୪୦–୪୧ର ବ୍ୟକ୍ତିଗତ ସତ୍ୟାଗ୍ରହ ଆହ୍ୱାନରେ ପ୍ରାୟ ୩୦,୦୦୦ ଲୋକ ଜେଲ ଯାଇଥିଲେ । ସେତେବେଳର ନୀତି ଥିଲା, ଯୁଦ୍ଧକାର୍ଯ୍ୟରେ ବାଧା ସୃଷ୍ଟି ନ କରି ଆମର ପ୍ରତିବାଦ ଜଣାଇବା । ବର୍ତ୍ତମାନ ତ ସେ କଥା ନାହିଁ ! ଯୁଦ୍ଧର ପରିଣତି ଯାହା ହେଉ ନା କାହିଁକି, ଆମକୁ ସ୍ୱାଧୀନ ହେବାକୁ ପଡ଼ିବ ଏବଂ ବ୍ରିଟିଶ ଶାସନକୁ ଆମ ଦେଶରୁ ମୂଳପୋଛ କରିବାକୁ ପଡ଼ିବ–ହିଂସା ଅହିଂସା ବିଷୟ ପରେ ଆଲୋଚ୍ୟ । ମୁଁ ଅନୁଭବ କଲି ଏମିତି କିଛି କର୍ମପନ୍ଥା ହାତକୁ ନ ନେଲେ ଯୁବଶକ୍ତିକୁ ଆକୃଷ୍ଟ କରି ହେବ ନାହିଁ କିମ୍ବା ଆନ୍ଦୋଳନ ବେଶି ଦିନ ଚାଲିପାରିବ ନାହିଁ–ଆପଣା ଛାଏଁ ମଉଳିଯିବ । ଏତିକିବେଳେ ଗାନ୍ଧିଜୀଙ୍କର ହରିଜନ ପତ୍ରିକାରେ ତାଙ୍କର ଜଣେ ପଟ୍ଟଶିଷ୍ୟ କିଶୋରୀଲାଲ ମଶ୍ରୁୱାଲାଙ୍କ ଲିଖିତ ଏକ ପ୍ରବନ୍ଧ ବଡ଼ ସାହାଯ୍ୟ କଲା । ସେ ଏଭଳି କାର୍ଯ୍ୟକୁ ସମର୍ଥନ ଦେଖାଇଲା ଭଳି ପ୍ରବନ୍ଧଟିରେ ଲେଖିଥିଲେ ।

 

ଆହୁରି ମଧ୍ୟ ଏତେବେଳକୁ ନେତାଜୀ ସୁଭାଷଚନ୍ଦ୍ର ଯାଇ ବାହାରେ ନିଜ ସଂଗଠନ ମଜବୁତ୍ କରିସାରିଥାନ୍ତି । ରେଡ଼ିଓରେ ତାଙ୍କର ଘୋଷଣା ବାରମ୍ବାର ଆସୁଥାଏ । କିଭଳି କାମସବୁ କରିବାକୁ ହେବ–ଏପରି କି କାରଖାନାଗୁଡ଼ିକୁ ଅଚଳ କରିଦେବାର ନୂତନ ପନ୍ଥା ସବୁର ସୂଚନା ଦିଆଯାଇଥାଏ । ମୁଁ ଆଶ୍ଚର୍ଯ୍ୟ ହେଲି ମୋର ଏମିତି ଗୁପ୍ତ ସଂଗଠନ ଆରମ୍ଭ କରିବାର କିଛିଦିନ ପରେ ଜଣେ ବ୍ୟକ୍ତି ଯେତେବେଳେ ମତେ ସାକ୍ଷାତ୍ କଲେ । ଅଲିସାବଜାରରେ ସିନା ଶେଷକୁ ଏକ ପ୍ରକାର ସ୍ଥାୟୀ କେନ୍ଦ୍ର କରି ରହିଲି; ମାତ୍ର ତା’ପୂର୍ବରୁ ମୁଁ ବାରମ୍ବାର ସ୍ଥାନ ବଦଳାଉଥାଏ । କିନ୍ତୁ ତାଙ୍କୁ କେମିତି ମୋର ସନ୍ଧାନ ମିଳିଲା, ତାହା ଏପର୍ଯ୍ୟନ୍ତ ମୁଁ ଜାଣିପାରି ନାହିଁ । ସେ ଭଦ୍ରବ୍ୟକ୍ତି ହଠାତ୍ ମୋ ପାଖରେ ଆସି ପହଞ୍ଚିଲେ ଏବଂ ନେତାଜୀଙ୍କର ହାତଲେଖା ଚିଠି ଦେଖାଇଲେ । ଚିଠିଟି ନେତାଜୀ ନିଜେ ତାଙ୍କ ପାଖକୁ ଲେଖିଥାଆନ୍ତି ଏବଂ ଭାରତର କେଉଁ ପ୍ରଦେଶରେ କେଉଁମାନଙ୍କ ସହ ସଂଗଠନ ପାଇଁ ସମ୍ପର୍କ ସ୍ଥାପନ କରିବାକୁ ହେବ, ସେମାନଙ୍କ ନାମ ଲେଖିଥାଆନ୍ତି । ଓଡ଼ିଶା ବିଷୟରେ ମୋ ନାମ ଲେଖାଥିଲା । ଏ ଚିଠି ସେ ମତେ ଦେଖାଇ ନ ଥାଆନ୍ତେ; ଉକ୍ତ ବ୍ୟକ୍ତିଙ୍କୁ ମୁଁ ଆଗରୁ ଜାଣିଥିଲେ ସୁଦ୍ଧା ଯେଉଁ ବେଶରେ ଏବଂ ଯେଭଳି ଭାବରେ ସେ ଆସି ମତେ ସାକ୍ଷାତ୍ କଲେ, ମୁଁ ଚିହ୍ନିପାରିଲି ନାହିଁ । ମୋ ମନରେ ସନ୍ଦେହ ହେଲା–ମୁଁ ଖାପଚରେ ପଡ଼ିଗଲି । ହୁଏତ ଗୁଇନ୍ଦା ବିଭାଗ କିଛି ସନ୍ଧାନ ପାଇଛି । ଭାବିଲି, ଏ ଯେଉଁସବୁ କାର୍ଯ୍ୟ କରିବାକୁ ବରାଦ କରୁଛନ୍ତି, ସେଭଳି କାର୍ଯ୍ୟ କଲେ ମତେ ଓ ମୋର ସାଥୀମାନଙ୍କୁ ଗାନ୍ଧିଜୀଙ୍କ ସମ୍ମୁଖରେ ବଦନାମ କରିବାର ସୁଯୋଗ ମିଳିବ । ମୁଁ ତାଙ୍କ ସାଙ୍ଗରେ ଯୁକ୍ତି କରିବାକୁ ଆରମ୍ଭ କଲାରୁ ସେ ନେତାଜୀଙ୍କ ହାତଲେଖା ଚିଠିଟି ମତେ ଦେଖାଇଲେ ମୋର ସନ୍ଦେହମୋଚନ ଲାଗି । ନେତାଜୀଙ୍କ ସହ ଆଗରୁ ଚିଠିପତ୍ର କାରବାର ଥିବାରୁ ଏବଂ ତାଙ୍କ ସହ କେତେକ ରାଜନୀତିକ ସମସ୍ୟାରେ ପୂର୍ବରୁ ସମ୍ପର୍କ ଘଟିଥିବା ହେତୁ ନେତାଜୀଙ୍କର ହସ୍ତାକ୍ଷର ଚିହ୍ନିବାରେ ମୋର କୌଣସି ଅସୁବିଧା ହୋଇ ନଥିଲା । ‘ତୁମ ପଛରେ ନେତାଜୀଙ୍କର ଆଶୀର୍ବାଦ ରହିଛି’ କହି ସେ ଚାଲିଗଲେ । ସେ ଯେଉଁଠି ମତେ ଭେଟିଲେ, ସେ ସ୍ଥାନ ମୁଁ ସାଙ୍ଗେ ସାଙ୍ଗେ ପରିବର୍ତ୍ତନ କଲି । ମୋର ମନରେ କାହିଁକି ସନ୍ଦେହ ପଶିଲା ଯେ ମୋର ଗୁପ୍ତନିବାସ ସମ୍ବାଦ ବୋଧହୁଏ ବହୁଲୋକ ଜାଣିପାରିଲେଣି । ଅବଶ୍ୟ ପ୍ରଥମେ ଯେଉଁ ତିନି–ଚାରି ଦିନ ଉଦୟନାଥ ରଥଙ୍କର ରାଜାବଗିଚା ଘରେ ରହିଲି, ତାହାକୁ ଗୁପ୍ତନିବାସ ବୋଲି କୁହାଯାଇପାରିବ ନାହିଁ । ମୋର ଯେ ଯେମିତି ଚିହ୍ନା, ଯେଉଁମାନେ ଆନ୍ଦୋଳନରେ ସାହାଯ୍ୟ କରିପାରିବେ ସେମାନଙ୍କୁ, ଏପରି କି କେତେକ ସରକାରୀ ଚାକିରିଆଙ୍କୁ, ଡକାଇ ସେଠାରେ ପରାମର୍ଶ କରିଥିଲି । ତେଣୁ ମୋର ବିଶ୍ୱାସ ହେଲା, ମୁଁ କଟକରେ ଆସି ରହିବା ସମ୍ବାଦଟି ବହୁଆଡ଼େ ଜଣାହୋଇଯାଇଥିବ ।

 

ନେତାଜୀଙ୍କର ମୂଳ କଥା ହେଲା–ଆମ ଶତ୍ରୁର ଶତ୍ରୁ ହେଲା ଆମର ବନ୍ଧୁ । ତେଣୁ ତାଙ୍କ ସହ ସହଯୋଗ କରି ଆମ ଶତ୍ରୁକୁ ନିପାତ କରିବାରେ କିଛି ଦୋଷ ନାହିଁ । ଯୁଦ୍ଧରେ ମିତ୍ରପକ୍ଷ ହଇରାଣ ହୋଇପଡ଼ିବ ଏବଂ ଫାସିଷ୍ଟ ଶକ୍ତି କାଳେ ଜିତିଯିବ ଏ ଚିନ୍ତାଜାଲରେ ନ ପଡ଼ି ଗାନ୍ଧିଜୀ ଯେତେବେଳେ ପ୍ରତ୍ୟକ୍ଷ ବିଦ୍ରୋହର ଆହ୍ଵାନ ଦେଲେ, ସେଥିରେ ନେତାଜୀଙ୍କ ମନରେ ଅପାର ଆନନ୍ଦ ଜାତ ହେଲା ଓ ଗାନ୍ଧିଜୀଙ୍କୁ ସେ ‘ଜାତିର ପିତା’ ବୋଲି ନାମକରଣ କଲେ । ଏପରି ଦୂତ ପଠାଇ ଚାରିଆଡ଼େ ଯେଉଁମାନେ ଛପି ରହି ଅଗଷ୍ଟ ବିପ୍ଳବର ପରିଚାଳନା କରୁଥିଲେ, ସେମାନଙ୍କୁ ସେ ଜଣାଇ ଦେଉଥିଲେ ଯେ ‘ଭାରତ ଛାଡ଼’ ଆନ୍ଦୋଳନରେ ତାଙ୍କର ପୂର୍ଣ୍ଣ ସମର୍ଥନ ରହିଛି ।

 

ଏହିସବୁ ବିଷୟ ବିଚାରକୁ ନେଇ ମୁଁ ସ୍ଥିର କରିନେଲି ଯେ କେବଳ ନରହତ୍ୟା ଛଡ଼ା ଅନ୍ୟ ସକଳ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇପାରେ । ସଂଘର୍ଷରେ କେଉଁଠି ଯଦି ଦୈବାତ୍ ହତ୍ୟା ହୋଇଯାଏ, ସ୍ୱତନ୍ତ୍ର କଥା; ମାତ୍ର ଆମ ତରଫରୁ ଆମେ ସଂଗଠନ କରି କାହାକୁ ହତ୍ୟା କରିବୁ ନାହିଁ । ଏଭଳି ହତ୍ୟାର ପ୍ରତିରୋଧ କରିବା ନିମନ୍ତେ ବରଂ ଆମେ ଚେଷ୍ଟା କରିବା ବୋଲି ମୁଁ ପରିଷ୍କାର ଭାବରେ ସାଥୀମାନଙ୍କୁ ଜଣାଇଦେଇଥାଏ । ମୁଁ ଯେଉଁ ନୂଆ ସଂଗଠନର ପରିକଳ୍ପନା କଲି, ସେଥିନିମିତ୍ତ କେତେକ ନିର୍ଦ୍ଦେଶନାମା ସେତେବେଳେ ଜାରି କରିଥିଲି । କର୍ମୀମାନଙ୍କୁ ଲେଖିଥିଲି, “ଏବର ଲଢ଼େଇରେ କେବଳ ଗୋଟିଏ ସର୍ତ୍ତ–କେବେହେଲେ ବ୍ୟକ୍ତିଗତ ହିଂସା ଆଚରଣ କରିବ ନାହିଁ । କେନ୍ଦ୍ର ଅଫିସ୍‍ରେ ଜଣକୁ ବସାଇଦବ । ଗୋପନରେ ରହିବ । ଲିଥୋ ମେସିନ୍ ଇତ୍ୟାଦି ତା’ ପାଖରେ ରହିବ । ସେଇ ସବୁ ଆଡ଼ର ସମ୍ବାଦ ପାଇବ–ତାକୁ ଏକାଠି କରି ମୋ ପାଖକୁ ପଠାଇଦେବ ଏବଂ ଏଠୁ ଯାହା ନିର୍ଦ୍ଦେଶ ପାଇବ ତାକୁ ସାଙ୍ଗେ ସାଙ୍ଗେ ସବୁ ଅଞ୍ଚଳକୁ ପଠାଇଦେବ । ମୁଁ ବୁଲେଟିନ୍ ଏଠାରୁ ଲେଖି ପଠାଇବି । ସେଠି ଛପାଇବ । ସେଠି ସୁବିଧା ନ କରିବା ପର୍ଯ୍ୟନ୍ତ ଏଠାରୁ ଛପାହୋଇ ପଠାଯିବ । ଡାକରେ କାହାପାଖକୁ ଚିଠି ଗଲେ ପୁଲିସର ଯିମିତି ସନ୍ଦେହ ହେବନାହିଁ ଏବଂ ଚିଠି ଖୋଲା ହେବନାହିଁ ସେମିତିକା ନାମରେ ପଠାଇବ । ସେହିଭଳି ଗୋଟିଏ ବା ଦୁଇଟି ଦୋକାନୀଙ୍କ ନାମ ପଠାଇବ, ଯାହାଙ୍କ ପାଖରେ ବୁଲେଟିନ୍ ବା ଅନ୍ୟ ବେଆଇନରେ କାଗଜପତ୍ର ପହଞ୍ଚିବ । ଯେ ଲୋକ ଏଠାରୁ ଯିବ ସେ ସେହି ଦୋକାନରେ ଦେଇ ଚାଲିଆସିବ । ଏକା ଲୋକ ବାରମ୍ଵାର ଗଲେ ସନ୍ଦେହ ସୃଷ୍ଟି ହେବ, ତେଣୁ ମୁଁ ଗୋଟିଏ ଚିହ୍ନ ସ୍ଥିର କରିଦେଇଛି । ସେହିଭଳି ଚିହ୍ନ ଦେଖାଇଲେ ଦୋକାନୀ ମନେକରିବ ଯେ ମୋ ପାଖରୁ କିଛି ବାର୍ତ୍ତା ଆସିଛି; ସେ ରଖିନବ । ଏଠାରୁ ଯିବା ଲୋକ ସାଙ୍ଗରେ ତୁମର କିଛି ପ୍ରତ୍ୟକ୍ଷ ସମ୍ପର୍କ ରହିବ ନାହିଁ ଏବଂ ସେ ଦୋକାନୀ ମଧ୍ୟ ଯିବା ବ୍ୟକ୍ତିର ନାମ ଆଦି କିଛି ଜାଣିବା ଲାଗି ଚେଷ୍ଟା କରିବ ନାହିଁ-। ତାହା ଜରିଆରେ କିଛି ଚିଠିପତ୍ର କାରବାର ହେବନାହିଁ । ତୁମର ଯାହା ଜାଣିବାର ଇଚ୍ଛା ବା ଏଠିକି ପଠାଇବାର ଇଚ୍ଛା, ତାହା ଏଠାରୁ ଦିଆଯାଇଥିବା ଠିକଣାରେ ପଠାଇବ । ଡାକରେ ପଠାଇବା ସବୁଠୁଁ ନିରାପଦ । କାହା ହାତରେ କେତେବେଳେ ଧରାପଡ଼ିଗଲେ ଆମର ସବୁ ବ୍ୟବସ୍ଥା ବାହାରକୁ ଜଣାପଡ଼ିଯିବ ।”

 

“ମନେରଖିବ–କେବେହେଲେ ଆମ ତରଫରୁ କୌଣସି ବ୍ୟକ୍ତି ଉପରେ ଆକ୍ରୋଶ ରଖି କିମ୍ଵା ଆମ ଆନ୍ଦୋଳନର ହିତଦୃଷ୍ଟିରୁ ହିଂସା ଆଚରଣ କରି ହତ୍ୟା କରିବ ନାହିଁ । ଏହା ବ୍ୟତୀତ ସବୁପ୍ରକାର ବେଆଇନମୂଳକ ଓ ସରକାରକୁ ଅଚଳ କରିବାର କାର୍ଯ୍ୟକ୍ରମ ହାତକୁ ନେଇପାରିବ । ପ୍ରଚାରକ ତ ସ୍ଥାନେ ସ୍ଥାନେ ବୁଲେଟିନ୍ ବାଣ୍ଟିବେ ଏବଂ ସ୍ଥଳବିଶେଷରେ ବିକ୍ରି କରିବେ–ମାତ୍ର ଦଳକୁ ଦଳ ଗାଁ ବା ସହରିଆ ଟୋକାଙ୍କୁ ଏକାଠି କରି ସେମାନଙ୍କୁ ଶିକ୍ଷା ଦେଇ ସାଙ୍ଗେ ସାଙ୍ଗେ ବିଭିନ୍ନ ସ୍ଥଳକୁ ପଠାଇଦିଅ । ସେମାନଙ୍କର କାମ ହେବ ରେଳତାର କାଟିବା, ବାଟଘାଟ ହାଣି ବା ଗଛ କାଟିଦେଇ ରାସ୍ତା ବନ୍ଦ କରିଦେବା । ସେମାନେ ଟେଲିଗ୍ରାଫ୍ ତାର କାଟିବେ ଏବଂ ଏମିତି ଅବସ୍ଥା ସୃଷ୍ଟି କରିବେ ଯେମିତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପୁଲିସ ବା ସୈନ୍ୟ ଯାଇ ପାରିବେ ନାହିଁ । ଏତିକିବେଳେ ଯାଇ ପୁଲିସ ଥାନା ଆକ୍ରମଣ କରିବ । ଆଗ ଅତି ଦୂର ମଫସଲ ଗ୍ରାମରେ କାମ ଆରମ୍ଭ କରିବା ଭଲ–ଅଳ୍ପ ପୁଲିସ ଥିବେ–ସେମାନଙ୍କୁ କାବୁ କରିବା ସହଜ । ସେମାନଙ୍କୁ ବନ୍ଦୀ କରିନେବ । ଅସ୍ତ୍ରଶସ୍ତ୍ର ସବୁ ନେଇଆସିବ । ଥାନାରେ ନିଆଁ ଲଗାଇ ଦେଇପାର । ସେଇଟା ଅବସ୍ଥା ଦେଖି କରିବ । ମାତ୍ର ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ସେହି ପୁଲିସ ଅଫିସରଙ୍କଠି ତମର ଯଦି ପତିଆରା ହୁଏ, ତାଙ୍କୁ ସ୍ଵାଧୀନ ଭାରତର ପୁଲିସ ବୋଲି ଘୋଷଣା କରି ଉକ୍ତ ସ୍ଥାନରେ ପତାକା ଉଡ଼ାଇ ଦେଇ ଓ ସ୍ଵାଧୀନତା ଘୋଷଣା କରିଦେଇ ଚାଲିଆସିବ । ଅସ୍ତ୍ରଶସ୍ତ୍ର ଆଣି ଯଦି ସୁବିଧା ସ୍ଥାନରେ ରଖିପାରିବ ଭଲ, ନଚେତ୍ ଗଭୀର ନଦୀ ବା ଗହିଡ଼ା ପଙ୍କୁଆ ପୋଖରୀ ଭିତରକୁ ପକାଇଦେବ । ହୁସିଆର, ହତିଆର ପାଇ କାହାରିକି ହତ୍ୟା କରିବ ନାହିଁ ।”

 

ଏହି ସାଧାରଣ ନିର୍ଦ୍ଦେଶକୁ ଭିତ୍ତି କରି ଓଡ଼ିଶାରେ ଆନ୍ଦୋଳନ ଚଳାଇବାଲାଗି ସ୍ଥିର କଲି-। କାରଣ ହଠାତ୍ କୌଣସି ସ୍ଥାନରେ ଜନବିଦ୍ରୋହ ହୋଇ ଗୋଟିଏ ଗୋଟିଏ ଅଞ୍ଚଳକୁ ପୂର୍ଣ୍ଣ ସ୍ଵାଧୀନ ବୋଲି ଘୋଷଣା କରିବା ଭଳି ସଙ୍ଗଠନ ବା ବ୍ୟବସ୍ଥା ଆମର ଏଠି ନଥିଲା । ଏ ଦିଗରେ ଆଗରୁ କେହି ଚିନ୍ତା କରି ନଥିଲେ କିମ୍ଵା କଂଗ୍ରେସ ଭିତରେ ସେପରି ମନୋଭାବାପନ୍ନ ଲୋକ ବେଶି ନଥିଲେ । ସତ କହିବାକୁ ଗଲେ, ଆମ ଓଡ଼ିଶା କର୍ମୀମାନେ ନିଜର ଦୁର୍ବଳତାକୁ ଘୋଡ଼ାଇବାକୁ ହେଉ କିମ୍ବା ପ୍ରକୃତ ବିଶ୍ୱାସ ଯୋଗୁଁ ହେଉ, ମୋଟାମୋଟି ଭାବରେ ଗାନ୍ଧିଜୀଙ୍କ ଅହିଂସକ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ମାନି ଚଳିବା ବ୍ୟକ୍ତି । ତେଣୁ ଏ ସଂଗଠନ ବେଶି ଦିନ ଚଳାଇଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥାଏ । ଏପରି ଘଟଣା ଘଟିଛି–କୌଣସି କଂଗ୍ରେସ ସମର୍ଥକଙ୍କ ପାଖକୁ ହୁଏତ ସାହାଯ୍ୟ ମିଳିବା ଆଶାରେ କେହି କର୍ମୀ ଯାଇଛି; ସେ ତାକୁ ସାହାଯ୍ୟ କରିବା ଦୂରର କଥା, ତାକୁ ଧରାପକାଇଦେଇଛନ୍ତି । ତା’ ସାଙ୍ଗେ ସାଙ୍ଗେ ଅନେକ ଗୁପ୍ତ ସଂଗଠନର ସମ୍ବାଦବି ପୁଲିସ ହାତକୁ ଚାଲିଯାଇଛି । ଏସବୁ କେତେକାଂଶରେ ଏଭଳି ପରିସ୍ଥିତିରେ ହୁଏ । ତାକୁ ବିଚାରକୁ ନେଇ ଆମକୁ କାମ କରିବାକୁ ପଡ଼ୁଥିଲା । ତେଣୁ ଏଠି ମୋର ପ୍ରଥମ ଓ ପ୍ରଧାନ ଚିନ୍ତା ହେଲା କେମିତି ଲୋକଙ୍କୁ ଘେନି କେନ୍ଦ୍ର ସଂଗଠନ କରାଯିବ–ସେମାନେ ସଚ୍ଚୋଟ ରହିବେ ଏବଂ କଂଗ୍ରେସଲୋକ ବୋଲି ଜଣାପଡ଼ୁ ନଥିବେ । ସେଥିସକାଶେ ମୁଁ ଚାରିଆଡ଼େ ଆଖି ବୁଲାଇଲି । ଏ କାମ ପୁଣି ଏମିତି ନୁହେଁ ଯେ ବେଶି ଦିନ ଅପେକ୍ଷା କରିହେବ । ମତେ ତୁରନ୍ତ କିଛି ସଂଗଠନ କେନ୍ଦ୍ରରେ କରିବାକୁ ପଡ଼ିବ ଏବଂ ତାହା ସାଙ୍ଗେ ସାଙ୍ଗେ ପ୍ରଦେଶର ବିଭିନ୍ନ ସ୍ଥାନରେ ନିଆଁ ଜାଳିଦେବାକୁ ପଡ଼ିବ । ମନ ଖାଲି ନାନା କଳ୍ପନାରାଇଜରେ ଉଡ଼ୁଥାଏ ।

 

ରହିବାକୁ ଜାଗା ନାହିଁ–ପାଖରେ ଧନ ନାହିଁ–ସାଜସରଞ୍ଜାମ ନାହିଁ–ତଥାପି ଶେଷ ସ୍ଵାଧୀନତା ସଂଗ୍ରାମକୁ ଓଡ଼ିଶାରେ ସଫଳ କରିବାକୁ ପଡ଼ିବ । ପୁରାତନ ବନ୍ଧୁ ପ୍ରାୟ ସମସ୍ତେ ଜେଲରେ, କାରଣ ଏଥରକ ତ ଆଉ ବ୍ରିଟିଶ ସରକାର କାହାରିକି ବାହାରେ ରହିବାଲାଗି ମଉକା ଦେଲା ନାହିଁ । ଅଗଷ୍ଟ ୯ ତାରିଖରୁହିଁ ଭାରତରକ୍ଷା ଆଇନ ବଳରେ ଛୋଟ ବଡ଼ ଯେ ଯେଉଁଠି କଂଗ୍ରେସ ଲୋକ ଥିଲେ ସମସ୍ତଙ୍କୁ ଗୋଟେଇଗୋଟେଇ ଜେଲ୍‍ଖାନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକବନ୍ଦୀ କରି ରଖିଲା । ଏପରିକି ଅଗଷ୍ଟ ଆନ୍ଦୋଳନର ବିରୋଧ କରୁଥିବା କେତେକ କମ୍ୟୁନିଷ୍ଟଙ୍କୁବି ଏଥିରୁ ବାଦ୍ ଦିଆଯାଇ ନଥିଲା । ଯୁଦ୍ଧହେତୁ ଆହୁରି କଟକଣା, କଡ଼ା କଡ଼ା ନିୟମ । ଓଡ଼ିଶାରେ କେବଳ ଗୋଟିଏ ଫରକ ଥାଏ–ଏଠି ପାରଳାଖେମୁଣ୍ଡି ରାଜାଙ୍କ ନେତୃତ୍ୱରେ ଏକ ମନ୍ତ୍ରିମଣ୍ଡଳ ଶାସନ ଚଳାଉଥିଲା । କଂଗ୍ରେସଦଳରୁ ବାହାରିଆସି ପଣ୍ଡିତ ଗୋଦାବରୀଶ ଆଦି କେତେକ ଲୋକ ଏଭଳି ମନ୍ତ୍ରିମଣ୍ଡଳଟିଏ ଗଢ଼ିଥିଲେ । ଯେତେବେଳେ ଦେଶରେ ସର୍ବତ୍ର ସରକାର ସହିତ ଅସହଯୋଗ କରି ସରକାରକୁ ଅଚଳ କରିଦେବାର ପ୍ରଚେଷ୍ଟା ଚାଲିଥାଏ, ସେତେବେଳେ ଏମିତି ସରକାର ଗଠନ ଅର୍ଥ ଦେଶଦ୍ରୋହିତା । ଏମାନଙ୍କଠାରୁ ଆମର ସାହାଯ୍ୟ ପାଇବାର କିଛି ନଥିଲା । ବାସ୍ତବିକ ଦେଖିବାକୁ ଗଲେ ଏମାନେ ବ୍ରିଟିଶ ସରକାରର କ୍ରୀଡ଼ାପୁତ୍ତଳି ପରି ରହିଥିଲେ–ଯୁଦ୍ଧହେତୁ ସବୁ କ୍ଷମତା ଗଭର୍ଣ୍ଣରଙ୍କ ହାତରେ ରହିଥିଲା–ଏପରିକି ଅନେକ ସରକାରୀ ଗୁପ୍ତ ବିଷୟ ଏମାନଙ୍କ ଅଗୋଚରରେ ଘଟୁଥିଲା । ଏଭଳି ସରକାର ପ୍ରତି ଆମର ମନୋଭାବ ତୀକ୍ଷ୍ଣ ହେବା ସ୍ଵାଭାବିକ । ଆମର ପ୍ରକାଶିତ ଏକ ବୁଲେଟିନ୍‍ରେ ଏହି ମନ୍ତ୍ରିମଣ୍ଡଳ ସମ୍ପର୍କରେ ଲେଖାଯାଇଥିଲା–

 

“ପାରଳା ମନ୍ତ୍ରିମଣ୍ଡଳ ବ୍ରିଟିଶ ଏଜେଣ୍ଟରୂପେ ଓଡ଼ିଶାରେ ତିଷ୍ଠିଛି । ଏହା ପଛରେ ଲୋକ ସମର୍ଥନ ନାହିଁ । ଏହାକୁ ଆମେ ବେଆଇନ ଘୋଷଣା କରୁଛୁ । ଏଠାରେ ବ୍ରିଟିଶର ପଞ୍ଚମବାହିନୀରୂପେ ସେମାନଙ୍କୁ ରକ୍ଷା ଲାଗି ଏହା କାର୍ଯ୍ୟ କରୁଛି । କୋରାପୁଟ ଓ ଗଞ୍ଜାମରେ ଯେଉଁ ଏକଶହ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ସେଥିଲାଗି ଏମାନେ ଦାୟୀ । ନାନାପ୍ରକାର ହତ୍ୟା, ବିଭୀଷିକା ଅପରାଧରେ ଏମାନେ ଦୋଷୀ; ଏହି ମନ୍ତ୍ରିମଣ୍ଡଳର ସଭ୍ୟ ଓ ସମର୍ଥକମାନଙ୍କୁ ବିନାଶ କରିଦେବା ଉଚିତ । ମୃତ ବ୍ରିଟିଶ ଶାସନକୁ ପୁନର୍ଜୀବନ ଦେବା ନିମନ୍ତେ ଏମାନେ ଯେଭଳି ନିର୍ଲଜ୍ଜ ବ୍ୟଗ୍ରତା ଦେଖାଉଛନ୍ତି, ସେଥିରେ ଏମାନଙ୍କୁ ଗୁଳି କରି ମାରିଦେବା ଉଚିତ । ମାତ୍ର ଅହିଂସାରେ ହତ୍ୟାକୁ ଶାସ୍ତିରୂପେ ଉପଯୋଗ କରାଯାଇପାରେନା–ଅଂହିସାରେ ହତ୍ୟାର ସ୍ଥାନ ନାହିଁ । ତେଣୁ ଏମାନଙ୍କୁ ସାମାଜିକ ବାସନ୍ଦ କର, ଲାଞ୍ଛନା ଦିଅ । ଦୁଷ୍କର୍ମରୁ ରକ୍ଷା କରିବା ନିମନ୍ତେ ଏମାନଙ୍କୁ ଗିରଫ୍‍ କରିନିଅ–ମାତ୍ର ସାବଧାନ, କୌଣସି ବ୍ୟକ୍ତି–ବିଶେଷ ଉପରେ ହିଂସା ଆଚରଣ କରିବ ନାହିଁ-।”

 

ଏହି ବୁଲେଟିନ୍‍ର ନାମ ରଖାଯାଇଥିଲା ‘କଂଗ୍ରେସ ବାର୍ତ୍ତା’ ଏହା ଛାପାଯାଇଥିଲା କଂଗ୍ରେସ ବାର୍ତ୍ତାର ୧୧ ନମ୍ବର ବୁଲେଟିନ୍‍ରେ ୧୯୪୨ ମସିହା ସେପ୍‍ଟେମ୍ବର ୧୭ ତାରିଖରେ । ଏହା ଲିଥୋ ହୋଇ ବାହାରୁଥିଲା । ପୁଣି ମୁଁ ଯେତେବେଳେ ୧୯୪୬ ମସିହାରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହେଲି ସେତେବେଳେ “କଂଗ୍ରେସ ବାର୍ତ୍ତା” ନାମକ ଏକ ମୁଦ୍ରିତ ବୁଲେଟିନ୍ ମୁଁ ସେକ୍ରେଟାରି ଥିବା ପର୍ଯ୍ୟନ୍ତ ବରାବର ବାହାରୁଥିଲା ।

 

ଆମ ଏଠାରେ ସେଥିପାଇଁ ଆନ୍ଦୋଳନଟି ସୀମାବଦ୍ଧ ରହିଲା କେବଳ ସରକାରୀ ଦପ୍ତର ଆଦି ଦଖଲ କରିବାରେ କହିଲେ ଅତ୍ୟୁକ୍ତି ହେବନାହିଁ । ଆମ ନାମରେ ହୋଇଥିବା ଷଡ଼ଯନ୍ତ୍ର ମକଦ୍ଦମାରେ ଯେଉଁସବୁ ବୁଲେଟିନ୍ ଓ ପ୍ରଚାରପତ୍ରିକା ଆମ ବିରୁଦ୍ଧରେ ଦାଖଲ ହୋଇଥିଲା, ସେଥିରୁ କେତେକାଂଶ ଏଠାରେ ଉଦ୍ଧାର କରୁଛି । ଆମର ବୁଲେଟିନ୍ ବାହାରୁଥିଲା ଓଡ଼ିଆ ଭାଷାରେ । ମାତ୍ର ଯେତେ ବୁଲେଟିନ୍ ବାହାରୁଥିଲା, ତା’ର କପି ରଖାଯାଇନାହିଁ–ମୋ ପକ୍ଷରେ ରଖିବା ସମ୍ଭବ ନଥିଲା । କୋଟ୍‍ରେ ଇଂରେଜୀ ଅନୁବାଦ ଦାଖଲ ହୋଇଥିଲା । ସେଥିରେ ଲେଖାଅଛି–

 

“ଏହା ଇଂରେଜ ସରକାର ସହ ଆମର ପ୍ରତ୍ୟକ୍ଷ ସଂଗ୍ରାମ । ଆମେ ଆଉ ସେ ସରକାରକୁ ସ୍ଵୀକାର କରୁନାହୁଁ । ଆମେ ନିଜକୁ ସ୍ଵାଧୀନ ବୋଲି ଘୋଷଣା କରୁଛୁ ।”

 

ଏଣିକି ଆମର ଚାରିଆଡ଼େ ସ୍ଵାଧୀନ ପଞ୍ଚାୟତ ସ୍ଥାପନ କରାଗଲା । ଇଂରେଜ ସରକାର କଚେରିରୁ ଯେଉଁସବୁ ପରୁଆନା, ନୋଟିସ୍ ଆଦି ଯାଇଥିବ ସେଗୁଡ଼ିକ ଏବଂ ଚୌକିଦାର ଦଫାଦାରମାନଙ୍କ ପୋଷାକ ସବୁ ପଞ୍ଚାୟତ ତରଫରୁ ସାଧାରଣସଭା କରି ସେଠାରେ ପୋଡ଼ିଦିଆଯିବ । ବକ୍ତା ସେ ସଭାରେ ଭାରତର ସବୁ ସ୍ଥାନରେ ଯେପରି ସ୍ୱାଧୀନତା ଘୋଷଣା କରାଯାଇଛି, ତାହା ବର୍ଣ୍ଣନା କରିବେ । ପ୍ରତି ପନ୍ଦର ଦିନରେ ଥରେ ଯେଉଁ କଂଗ୍ରେସ ବାର୍ତ୍ତା ବୁଲେଟିନ୍ ବାହାରୁଛି, ସେଥିରେ ବିସ୍ତୃତ ବୃତ୍ତାନ୍ତ ଦିଆଯିବ । ସଭାରେ ଏଭଳି ଭାଷଣ ଦେଲାବେଳେ ବକ୍ତାଙ୍କୁ ଗିରଫ୍‍ କରିବାଲାଗି ଯଦି ପୁଲିସ ଆସି ପହଞ୍ଚନ୍ତି ସେ ତାଙ୍କୁ ଜଣାଇଦେବେ–ଆମେ ଆଉ ଇଂରେଜ ସରକାରକୁ ମାନୁନାହୁଁ–ସେ ସରକାର ନାହିଁ । ତେଣୁ ତୁମର ସେଭଳି ଗିରଫ୍‍ କରିବାର ଅଧିକାର ନାହିଁ–ମୁଁ ଯିବିନାହିଁ । ଲୋକେ ସବୁ ପୁଲିସକୁ ଘେରାଉ କରିନେବେ ଏବଂ ଯାହା ପଛକେ ଘଟିଯାଉ ଛାଡ଼ିବେ ନାହିଁ । ପୁଲିସଙ୍କ ପକ୍ଷରେ ବହୁ ସଂଖ୍ୟାରେ ଫଉଜି ବା ପୁଲିସ ନେଇ ସବୁ ସଭାରେ ଉପସ୍ଥିତ ହେବା ସମ୍ଭବ ନୁହେଁ । ପୁଲିସକୁ ଦଳେ ଘେରି ରଖିବେ ଏବଂ ଆଉ ଦଳେ ତାଙ୍କଠୁଁ ପୋଷାକ ଓ ଲାଠି ଆଦି ଛଡ଼ାଇନେବେ । ତା’ପରେ ସେମାନଙ୍କ ବେକରେ ଫୁଲମାଳ ପକାଇ ଆମ ସ୍ଵାଧୀନ ପଞ୍ଚାୟତର ଭାଇ ବୋଲି ଘୋଷଣା କରାଯିବ । ଏ ସବୁ ସତ୍ତ୍ୱେ ସେମାନେ ଯଦି ମତିଗତି ନ ବଦଳାଇ ସେମିତି ପୂର୍ବର ହାକିମି ଭାବ ଦେଖାନ୍ତି, ତେବେ ସେମାନଙ୍କୁ ୨ । ୪ ଦିନ ଲାଗି ବନ୍ଦ କରି ଘର ଭିତରେ ରଖିବେ । ଦେଖିବେ ଯେମିତି ଏ ସବୁ କଲାବେଳେ କାହାରି ଉପରେ ଶାରୀରିକ ହିଂସା ଆଚରଣ ନ କରାଯାଏ ।”

 

“ଇଂରେଜ ରାଜୁତିରେ ଶେଷ ସତ୍ତ୍ଵ ଲୋପ କରିବା ନିମନ୍ତେ ପୁଲିସ ଥାନା, ତହସିଲ, ଡାକବଙ୍ଗଳା, କେନାଲ ଇଲାକାର ଅଫିସ୍‍ସବୁ ଓ ସବ୍‍ରେଜିଷ୍ଟ୍ରି ଅଫିସ୍‍ଗୁଡ଼ିକ ଦାଖଲ କରିବ ଏବଂ ଏଗୁଡ଼ିକ ସ୍ଵାଧୀନ ଦେଶର ହୋଇଗଲା ବୋଲି ପତାକା ବାନ୍ଧିଦବ । ଲୋକେ ଦଳଦଳ ହୋଇ ଏଠାରେ ପ୍ରବେଶ କରିବେ ଏବଂ ଏମିତି ଦଖଲ କରିନେବେ । ସହରମାନଙ୍କରେ ଯେଉଁ ସରକାରୀ କେନ୍ଦ୍ର କଲେକ୍‍ଟରରେଟ, ଆଇନ ଅଦାଲତ ଏବଂ ଅନ୍ୟ ବଡ଼ ଅଫିସ୍ ରହିଛି, ସେଗୁଡ଼ିକୁ ମଧ୍ୟ ସେହିଭାବରେ ଦଖଲ କରାଯିବ । କିନ୍ତୁ ପୁଲିସ ଥାନା କିମ୍ବା ସରକାରୀ ଦପ୍ତର ଦଖଲ ପୂର୍ବରୁ ଯେତେ ରାସ୍ତା, ପୋଲ, ଟେଲିଗ୍ରାଫ୍ ତାର ଓ ଡାକଘର ସବୁ ଥିବ, ସେଗୁଡ଼ିକ ହୁଏତ କାଟିଦବ, ନଚେତ୍ ପୋଡ଼ିଦେବ । ଭାରତୀୟ ସରକାରୀ କର୍ମଚାରୀମାନଙ୍କୁ ଇସ୍ତଫା ଦେବାଲାଗି ନିବେଦନ କରିବ ଏବଂ ଆନ୍ଦୋଳନରେ ଯୋଗ ଦେବାଲାଗି କହିବ । ନଭେମ୍ବର କିସ୍ତି ଖଜଣା ଲୋକେ ଦେବେ ନାହିଁ । ଚୌକିଦାରୀ ଟିକସ ଦେବା ବନ୍ଦ କରାଯିବ । ଯେଉଁସବୁ ଅସ୍ଥାୟୀ ଜମିଦାରୀମାହାଲ ଅଛି, ସେଠି କୌଣସି ପ୍ରଜା ଖଜଣା ଦେବେନାହିଁ । ଜଙ୍ଗଲ ଅଞ୍ଚଳରେ ଫରେଷ୍ଟ ଆଇନକୁ ଅମାନ୍ୟ କରିବା ନିମନ୍ତେ ପ୍ରଜାଙ୍କୁ କହିଦିଅ । ସବୁ ପ୍ରକାର ସରକାରୀ ବିଧିନିୟମକୁ ଲଙ୍ଘନ କର ।”

 

ଓଡ଼ିଶାରେ ଅଗଷ୍ଟ ଆନ୍ଦୋଳନର ପରିସର ଓ ସ୍ୱରୂପ ଏଇ କେତୋଟି ବୁଲେଟିନ୍ ଲେଖାରୁ ବୁଝାପଡ଼ୁଛି । ଏହା କେମିତି କାର୍ଯ୍ୟକାରୀ କରାଯିବ ତାହା ଭାବିବା ଆଗରୁ କଟକରେ ଏକ କେନ୍ଦ୍ର ସଂଗଠନ ରଖିବା ହେଲା ପ୍ରଧାନ ଚିନ୍ତା । ଏ ଚିନ୍ତାରେ ବେଶି ଦିନ ମୁଣ୍ଡ ପୂରେଇବାକୁ ପଡ଼ିଲା ନାହିଁ । ଉଦୟନାଥ ରଥଙ୍କ ରାଜାବଗିଚା ଘରୁ ମୁଁ ଗଲି ଶେଖବଜାରରେ ଥିବା ରାଷ୍ଟ୍ରଭାଷା ପ୍ରଚାର ସଭା ଅଫିସ୍‍କୁ ଏବଂ ସେଠାରୁ ଲୁଙ୍ଗି ପିନ୍ଧି, ମୁଣ୍ଡରେ ଟୋପି ଲଗାଇ, ଚାଲିଲି ମୋର ବାଲ୍ୟବନ୍ଧୁ ରାଧାନାଥ ପଣ୍ଡିତଙ୍କ ସାଇକଲ୍ ପଛରେ ଅଲିସାବଜାରକୁ । ସେତେବେଳକୁ କଞ୍ଚା ଦାଢ଼ି ମୁହଁରେ ହୋଇ ଯାଇଥାଏ । ରାଧାନାଥ ପଣ୍ଡିତ ସେତେବେଳେ ଥିଲେ କଟକ କନ୍‍ଭେଣ୍ଟ ସ୍କୁଲ୍‍ର ହିନ୍ଦୀଶିକ୍ଷକ–ଏବେ ଆକାଶବାଣୀର ଏକ ସ୍ଥାୟୀ ବେତନଭୋଗୀ କର୍ମଚାରୀ । ତାଙ୍କ ସାନଭାଇ ବିଶ୍ଵନାଥ ପଣ୍ଡିତ ଏତିକିବେଳେ ଏହି କାର୍ଯ୍ୟ ସହ ସମ୍ପୃକ୍ତ ହେଲେ । ଏଣିକି ଅଲିସାବଜାର ଅଗଷ୍ଟ ବିପ୍ଳବର ପ୍ରଧାନ କେନ୍ଦ୍ର ହେଲା ।

☆☆☆

 

ଅଲିସାବଜାର ଓ ନନ୍ଦି ସାହୁ

 

ଏକ ବୈପ୍ଳବିକ ପରିସ୍ଥିତି ନାନା ଘଟଣା ସୃଷ୍ଟି କରାଏ । ନୂଆ ନୂଆ ଲୋକ ବାହାରନ୍ତି; ଅଜଣା ଅପ୍ରତ୍ୟାଶିତ ସ୍ଥାନରୁ ସାହାଯ୍ୟ ମିଳିଯାଏ । ପୂର୍ବ ଆନ୍ଦୋଳନମାନଙ୍କରେ ସରକାରୀ କର୍ମଚାରୀମାନଙ୍କଠାରୁ ବରାବର ସହାନୁଭୂତି ଓ ସମର୍ଥନ ମିଳୁଥିଲା । ପୁଲିସ ଅଫିସରମାନେ ବେଳେବେଳେ କାହାରି ଘର ଖାନ୍‍ତଲାସ୍ ହେବା ଆଗରୁ ଖବର କହିଦିଅନ୍ତି । ଆନ୍ଦୋଳନ ପୂର୍ଣ୍ଣରୂପେ ଶାନ୍ତିପୂର୍ଣ୍ଣ ଥିଲା ଏବଂ ସ୍ୱେଚ୍ଛାକୃତ ଭାବରେ ଲୋକ ଜେଲ ବରଣ କରୁଥିଲେ । ତେଣୁ ଏଭଳି ସମ୍ପର୍କ ରଖିବା ସହଜ ହେଉଥିଲା । ସେହିଭଳି ଚାନ୍ଦା ଇତ୍ୟାଦି ପ୍ରକାଶ୍ୟରେ ଆଦାୟ କରାଯାଉଥିଲା । ଲୋକେ ଯୋଗ ଦିଅନ୍ତୁ ବା ନ ଦିଅନ୍ତୁ, ପୂର୍ଣ୍ଣ ସହାନୁଭୂତି ଓ ସମର୍ଥନ ଥିଲା ଆନ୍ଦୋଳନ ପ୍ରତି ।

 

ଏଥରକ ପରିସ୍ଥିତି ସମ୍ପୂର୍ଣ୍ଣ ପୃଥକ୍ । ଆମର ‘କର ବା ମର’ ପଣ–ଶେଷ ସଂଗ୍ରାମ । ଯେକୌଣସି ଉପାୟରେ ସରକାରକୁ ଅଚଳ କରିବାକୁ ହେବ–ସ୍ୱାଧୀନତା ଅର୍ଜନ କରିବାକୁ ପଡ଼ିବ-। କେହି ସ୍ୱେଚ୍ଛାରେ ସାହାଯ୍ୟ ଦେବାର ପ୍ରଶ୍ନ ନଥିଲା କିମ୍ବା ହୃଦୟ ପରିବର୍ତ୍ତନର ଆଶା ଆମେ ରଖି ନଥିଲୁ । ଏହିଠାରେ ଗାନ୍ଧିଜୀଙ୍କ ନୀତିର ଖିଲାପ କରାଗଲା ବୋଲି ସ୍ଵୀକାର କରାଯାଇପାରେ-। ତାଙ୍କର ପରମ ବିଶ୍ୱାସ ଥିଲା ‘ସତ୍ୟହିଁ ଭଗବାନ୍ ଏବଂ ଭଗବାନ୍‍ହିଁ ସତ୍ୟ’ । ଯେଉଁ ଲକ୍ଷ ଲକ୍ଷ ସ୍ୱାଧୀନତାପ୍ରେମୀ ତାଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନେ ଏହାକୁ ପୂର୍ଣ୍ଣଭାବରେ ଗ୍ରହଣ କରି ପାରି ନଥିଲେ । ତାହା ଛଡ଼ା ପୂର୍ବରୁ ହୋଇଥିବା ଅସହଯୋଗ ଓ ଆଇନ ଅମାନ୍ୟ ଏବଂ ସତ୍ୟାଗ୍ରହ ଆନ୍ଦୋଳନଗୁଡ଼ିକର ପରିଣତି ଯେ ସୀମିତ, ଏହା ଆମେ ସମସ୍ତେ ଅନୁଭବ କରୁଥିଲୁ । ତେଣୁ ଏଥରକ ଶେଷ ଓ ପ୍ରକାଶ୍ୟ ବିଦ୍ରୋହକୁ ତୀବ୍ର, ପ୍ରଖର ଓ ସଫଳ କରିବା ହେଲା ଆମର ଲକ୍ଷ୍ୟ ।

 

ସରକାର ମଧ୍ୟ ତୀବ୍ର ଦମନାସ୍ତ୍ର ପ୍ରୟୋଗ କଲା । ଗୋପନୀୟ ଭାବରେ ଲୁଚି ରହି କାର୍ଯ୍ୟ କରାଯିବାରୁ ଏହାର ସ୍ୱରୂପ ମଧ୍ୟ ବିଭିନ୍ନ ପ୍ରକାରର ହେଲା । ତଥାପି ପୂର୍ବଭଳି ସରକାରୀ କର୍ମଚାରୀ ଓ ସାଧାରଣଙ୍କ ସମର୍ଥନ ଆଦୌ ନଥିଲା କହିବା ଭୁଲ ହେବ; ମାତ୍ର ତାହାର ଉପଯୋଗ କରିବା କଷ୍ଟକର ହେଉଥିଲା–ସମ୍ପର୍କ ସ୍ଥାପନର ଅସୁବିଧା ରହିଥିଲା । ଅରୁଣା ଆସଫ ଅଲ୍ଲୀ, ରାମମନୋହର ଲୋହିଆ, ଜୟପ୍ରକାଶ ନାରାୟଣ ପ୍ରଭୃତି ବହୁଦିନ ଆତ୍ମଗୋପନରେ ରହି ଆନ୍ଦୋଳନ ଯେ ପରିଚାଳନା କରିପାରିଲେ ଏଥିରେ ପୂର୍ଣ୍ଣରୂପେ ସାହାଯ୍ୟ କରିଥିଲେ ବଡ଼ବଡ଼ ସରକାରୀ କର୍ମଚାରୀ ଏବଂ ଧନୀ ଯୁବକ ବ୍ୟବସାୟୀଗଣ । ବିପଦକୁ ପରୁଆ ନ କରି ଦେଶମାତୃକା ଲାଗି ସେମାନେ ଏମିତି ସାହସ ଦେଖାଇଥିଲେ । ଥରେ ଧରାପଡ଼ିଲେ ସର୍ବସ୍ୱାନ୍ତ ହୋଇଯିବାର କଥା, ତଥାପି ସେମାନଙ୍କର ସେଥିଲାଗି ପରୁଆ ନଥିଲା । ଆଜିକାଲି ସ୍ୱାଧୀନତା ସଂଗ୍ରାମୀଙ୍କୁ ତାମ୍ରପତ୍ର ଓ ପେନ୍‍ସନ୍ ଦେବାର ବ୍ୟବସ୍ଥା ଆମ ସରକାର କରୁଛନ୍ତି । ଏହା କେବଳ ଯେଉଁମାନେ ଜେଲବରଣ କରିଥିଲେ, ସେମାନଙ୍କ ପାଇଁ; ମାତ୍ର ଯେଉଁମାନେ ଅନ୍ତରାଳରେ ରହି ସାହାସିକ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ କିଏ ପୁରସ୍କାର ଦେବ ? ସ୍ୱାଧୀନତା ଲଢ଼ାଇରେ କେହି କ’ଣ କେବେ କ୍ଷତିପୂରଣ ଦେଇପାରେ !

 

୧୯୪୨ ଆନ୍ଦୋଳନ ସ୍ୱତନ୍ତ୍ର କଥା–ଏହା ଏକ ଜନବିଦ୍ରୋହରେ ପରିଣତ ହେଲା । ଚାରିଆଡ଼େ ଲୋକେ ଆପଣାଛାଏଁ ମାତି ଉଠିଲେ । କିନ୍ତୁ ତା’ ପୂର୍ବରୁ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ କିଏ ସତ୍ୟାଗ୍ରହୀ ହେବ ଓ ଜେଲବରଣ କରିବ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା ରହିଥିଲା । ସତ୍ୟାଗ୍ରହୀମାନଙ୍କୁ ଶପଥ ନେବାକୁ ପଡ଼ୁଥିଲା ଏବଂ ଲେଖିଦେବାକୁ ହେଉଥିଲା ଯେ ଯଦି ସେ ଜେଲ ବରଣ କରନ୍ତି, ଫାଶୀ ବା ଗୁଳି ପାଆନ୍ତି, ତାହାହେଲେ ସେ ବା ତାଙ୍କ ପରିବାରର କେହି ଏଥିଲାଗି କ୍ଷତିପୂରଣ ଦାବି କରିବେ ନାହିଁ । ହିଂସା ଆନ୍ଦୋଳନରେ ଯେମିତି କଠୋର ସାଧନା, ଶୃଙ୍ଖଳା ଓ ଶିକ୍ଷା ଭିତରେ ବିପ୍ଳବୀକୁ ପରୀକ୍ଷା କରାଯାଏ, ସେମିତି ଗାନ୍ଧିଜୀଙ୍କ ଆନ୍ଦୋଳନର ଚରମ ତ୍ୟାଗ ଓ କଷ୍ଟ ସ୍ଵୀକାର ଲାଗି ଶିକ୍ଷା ଦିଆଯାଉଥିଲା । ସେଭଳି ଶୃଙ୍ଖଳା ଭିତର ଦେଇ ଆମେ ସବୁ ଯାଇଥିବାରୁ ଆମ ମନରେ କୌଣସି ପ୍ରକାର ଶୋଚନା ନଥିଲା; ବରଂ ଅତି ଭୟଙ୍କର କାର୍ଯ୍ୟ ଲାଗି ପ୍ରବଳ ବ୍ୟଗ୍ରତା ରହିଥିଲା । ବିପଜ୍ଜନକ ଜୀବନ ଯାପନ କରିବା ଏବଂ ବୈପ୍ଳବିକ ଚିନ୍ତା କରିବା ଜୀବନର ଧର୍ମ ହୋଇଗଲା । ଏହା ସିନା ଆମ ପକ୍ଷରେ ସମ୍ଭବ; ମାତ୍ର ସାହାଯ୍ୟକାରୀଙ୍କର କି ଦଶା ହେବ ! ସେଭଳି ଚରମ ତ୍ୟାଗ ଲାଗି ପ୍ରସ୍ତୁତ ନଥିଲେ ସୁଦ୍ଧା କଷ୍ଟବରଣ କରିବେ ଓ ଅସୁବିଧାରେ ପଡ଼ିବେ–ଏହା ସେମାନେ ଜାଣିଥିଲେ; ସବୁଠାରୁ ବଡ଼ ଉଦ୍ଦେଶ୍ୟ ହେଲା ସ୍ଵାଧୀନତା ସଂଗ୍ରାମକୁ ସାହାଯ୍ୟ ।

 

ଏହି ଭାବନାର ବଶବର୍ତ୍ତୀ ହୋଇ ଅଲିସାବଜାରର ନନ୍ଦକିଶୋର ସାହୁଙ୍କ ବଡ଼ପୁଅ ମଥୁରାନନ୍ଦ ସାହୁ ତାଙ୍କର ଅଲିସାବଜାରର ରାସ୍ତାକଡ଼ ଏକ ପକ୍କାଘରକୁ ଆମକୁ ନେଇଗଲେ । ସ୍ଥାନଟି ଖୁବ୍ ନିରାପଦ ନ ହୋଇଥିଲେ ମଧ୍ୟ ଆପାତତଃ ଆମର କାର୍ଯ୍ୟ ଆରମ୍ଭ କରିବା ଲାଗି ସୁବିଧା ଥିଲା । ନନ୍ଦକିଶୋର ସାହୁଙ୍କୁ ସେ ଅଞ୍ଚଳର ଲୋକେ ‘ନନ୍ଦିସାହୁ’ ବୋଲି ଡାକନ୍ତି । ସଙ୍ଗତିସମ୍ପନ୍ନ ବ୍ୟକ୍ତି; ଅଲିସାବଜାରରେ ନିଜର କିଛି ଘରବାଡ଼ି ଓ ଛୋଟ ଦୋକାନଟିଏ । ସେଭଳି ଉଚ୍ଚଶିକ୍ଷିତ ନୁହନ୍ତି । ପୁଅ ମଥୁରାନନ୍ଦ କେବେ ଯେ ରାଜନୀତିକ କାର୍ଯ୍ୟରେ ସମ୍ପୃକ୍ତ ହୋଇପାରିବ, ଏହା କାହାରି କଳ୍ପନାରେ ନଥିଲା । ମୋରବି ସେ ଅଞ୍ଚଳରେ ବେଶି ଗମନାଗମନ ନଥିଲା କିମ୍ବା ଏ ପରିବାର ସହ କୌଣସି ସମ୍ପର୍କ ନଥିଲା । ତେଣୁ ମୋର ଏଠାରେ ରହିବା ଯୋଗୁଁ ପୁଲିସର ସନ୍ଦେହ ହେବାର କିଛି କାରଣ ନଥିଲା ।

 

ସେହି ଘରକୁ ଯିବା ପରେ ଆମର ପ୍ରଥମ କାର୍ଯ୍ୟ ହେଲା ବୁଲେଟିନ୍ ବାହାର କରିବା ଏବଂ ତାର ବିତରଣ ଲାଗି ସଂଗଠନ କରିବା । ଦ୍ଵିତୀୟରେ ଖାଲି କଟକ ସହର ନୁହେଁ, ସାରା ପ୍ରଦେଶର ବିଭିନ୍ନ ସ୍ଥାନ ସହ ସଂଯୋଗ ସ୍ଥାପନ ଓ ଆନ୍ଦୋଳନ ପରିଚାଳନା କରୁଛନ୍ତି ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ । ଏହି ତିନୋଟି କାର୍ଯ୍ୟ ତୁରନ୍ତ କରିବାକୁ ପଡ଼ିବ । କାରଣ କେଉଁ ମୁହୂର୍ତ୍ତରେ କ’ଣ ଘଟିବ ଓ ଆମେ କେତେବେଳେ ଗିରଫ୍‍ ହୋଇଯିବୁ ତା’ର କିଛି ନିଶ୍ଚୟତା ନଥାଏ-। ଏହି ଚେତନା ମନରେ ନେଇ କାର୍ଯ୍ୟ ଆରମ୍ଭ କରାଗଲା । ଆମେ ଯେଉଁଦିନ ପ୍ରଥମ ବୁଲେଟିନ୍ ବାହାର କରିବାରେ ସମର୍ଥ ହେଲୁ, ସେଦିନ କି ଆନନ୍ଦ ! ସତେ କି ଦେଶ ସ୍ଵାଧୀନ ହୋଇଗଲା-! ଏହା ପଛରେବି ଇତିହାସ ଅଛି ।

 

ସେତେବେଳେ ଲିଥୋ ମେସିନ୍‍ଟିଏ ପାଇବା କଷ୍ଟସାଧ୍ୟ । ଆମ ଭାଗ୍ୟକୁ ବନ୍ଧୁ ମଥୁରୀଙ୍କ ପାଖରେ ଏକ ଚୋରି ମେସିନ୍ ରହିଥାଏ । କିଛିଦିନ ପୂର୍ବେ ରେଭେନ୍‍ସା କଲେଜରୁ ମେସିନ୍‍ଟିଏ ଚୋରୀ ହୋଇଯାଇଥିଲା । ତାକୁ ଯେଉଁମାନେ ଉଠାଇଆଣିଥିଲେ, ସେମାନଙ୍କର ଉଦ୍ଦେଶ୍ୟ ନଥିଲା ଚୋରି କରି ବିକ୍ରି କରିବା । ସେମାନେ ମଧ୍ୟ ଏମିତି କିଛି ସାଧାରଣ କାର୍ଯ୍ୟରେ ବିନିଯୋଗ କରିବା ମତଲବରେ ନେଇଆସିଥିଲେ । ମାତ୍ର ସେମାନେ ଥିଲେ ଅଗଷ୍ଟ ଆନ୍ଦୋଳନର ବିରୋଧୀ । ମଥୁରୀ କୌଣସି ପ୍ରକାର ରାଜନୀତିକ ଓ ଅନ୍ୟ କାର୍ଯ୍ୟରେ ସମ୍ପୃକ୍ତ ନଥିବାରୁ ତାଙ୍କୁ କେହି ସନ୍ଦେହ କରିବେ ନାହିଁ ଭାବି ତାଙ୍କ ଜିମାରେ ରଖିଥିଲେ । ଆମେ ତାହାରି ଉପଯୋଗ କଲୁ-। ତାହା ସଙ୍ଗେ ସଙ୍ଗେ ବିଚାର ହେଲା ବୁଲେଟିନ୍ ଲେଖିବ କିଏ ! ମୁଁ ସିନା ଲେଖିଦେବି, ମାତ୍ର ଲିଥୋ କାଗଜରେ ମୋ ଅକ୍ଷର ରହିଲେ ସାଙ୍ଗେ ସାଙ୍ଗେ ଧରାପଡ଼ିଯିବ ।

 

ଏତିକିବେଳେ ଆସିଲେ ପଣ୍ଡିତ ବନମାଳୀ ମିଶ୍ର । ସେ ସେତେବେଳକୁ ହିନ୍ଦୀ ଶିକ୍ଷକ । ମିସନ୍ ହାଇସ୍କୁଲ୍‍ରେ ଓ ଅନ୍ୟତ୍ର ହିନ୍ଦୀ ଶିକ୍ଷା ଦେଉଥାନ୍ତି ଏବଂ ରାଷ୍ଟ୍ରଭାଷା ପ୍ରଚାର ସମିତି ସହ ସମ୍ପୃକ୍ତ ଥାଆନ୍ତି । ଆଗରୁ ଅସହଯୋଗ ଆନ୍ଦୋଳନର ପରମ୍ପରା ରହିଥାଏ । ତାଙ୍କ ଅକ୍ଷରଗୁଡ଼ିକ ମୁକ୍ତା ପରି ସୁନ୍ଦର–ଛାପା ହେଲାଭଳି । କଟକରେ ରାଷ୍ଟ୍ରଭାଷାର ପ୍ରଚାର ନିମନ୍ତେ ଯେତେବେଳେ ପ୍ରଥମ ପ୍ରଚେଷ୍ଟା ହୁଏ ଏବଂ ୱାର୍ଦ୍ଧା ରାଷ୍ଟ୍ରଭାଷା ପ୍ରଚାର ସମିତି ତରଫରୁ ବିଧିବଦ୍ଧ ହିନ୍ଦୀ ପରୀକ୍ଷା ଆରମ୍ଭ କରାଯାଏ, ସେଥିରେ ପ୍ରଥମ ହୋଇ ଆମେ ଯେ କେତେଜଣ ପରୀକ୍ଷାରେ ବସିଥିଲୁ, ତାଙ୍କ ମଧ୍ୟରେ ବନମାଳୀବାବୁ ଥିଲେ ଅନ୍ୟତମ । ଆମେ ରାଜନୀତିକ ଓ ଅନ୍ୟ କାର୍ଯ୍ୟରେ ବ୍ରତୀ ହୋଇ ପଡ଼ିବାରେ ଆମମାନଙ୍କର ହିନ୍ଦୀ ଶିକ୍ଷା ଏଇଥିରେ ଇତିଶ୍ରୀ ହୋଇଗଲା । ମାତ୍ର ବନମାଳୀବାବୁ ତା’ର ପରବର୍ତ୍ତୀ ପରୀକ୍ଷାମାନ ଦେଇ ହିନ୍ଦୀ ଭାଷାରେ ପଣ୍ଡିତ ହେଲେ । ଉତ୍କଳରେ ହିନ୍ଦୀ ପ୍ରଚାରରେ ତାଙ୍କର ଦାନ ଅବିସ୍ମରଣୀୟ । ନାନା କାରଣରୁ ଏବଂ ଭଗ୍ନ ସ୍ଵାସ୍ଥ୍ୟ ହେତୁ ଏବେ ସେ କାର୍ଯ୍ୟ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଆଜି ଯେଉଁ ରାଷ୍ଟ୍ରଭାଷା ପ୍ରଚାର ସଦନ ବିରାଟ ସଂଗଠନରୂପେ ଠିଆହୋଇଛି, ସେଥିରେ ଆଦି ସଂଗଠକଙ୍କ ଭିତରୁ ସେ ଜଣେ । ଆମର ଏ ଗୋପନୀୟ ସଂଗଠନର ସେ ହେଲେ ପରମ ସାଥୀ । ଅନ୍ୟ କୌଣସି ପ୍ରକାର କାର୍ଯ୍ୟ ସହ ସମ୍ପୃକ୍ତ ରହିବେ ନାହିଁ କିମ୍ବା ମୋ ପାଖକୁ ଯିବା ଆସିବା କରିବେ ନାହିଁ, ଏହା ହେଲା ତାଙ୍କୁ ନିର୍ଦ୍ଦେଶ । ସେ ଅଳ୍ପ ସମୟ ଲାଗି ଲିଥୋ କାଗଜ ଲେଖିଦେଇ ଚାଲିଯାଆନ୍ତି, ତାକୁ ଛପାଇ ବାହାର କରିବାର ଦାୟିତ୍ଵ ଅନ୍ୟମାନଙ୍କର । ମଥୁରୀଙ୍କର ନିଜର ଘର–ବିଶ୍ଵନାଥ ପଣ୍ଡିତ ସାହିପିଲା–ମଥୁରୀ ସହ ଘନିଷ୍ଠ ବନ୍ଧୁତା–ସେମାନେ ଆସିବା ଯିବାରେ କାହାରି ସନ୍ଦେହ ରହିବ ନାହିଁ । ଆମେ ଯେଉଁ ଘରେ ଥିଲୁ ତାହା ଏକ ଭଡ଼ାଘର–ଭଡ଼ାକୁ ଲାଗେ । ତେଣୁ ସାହିବାଲା ଓ ଦୋକାନ ବଜାରବାଲା ଜାଣିଲେ କେହି ନୂଆ ଭଡ଼ାଘରେ ଆସି ରହିଛି । ସେମାନେ ବା କାହିଁକି ସନ୍ଦେହ କରିବେ ! ଏହି ଭାବରେ ସେଠି କାର୍ଯ୍ୟ ଆରମ୍ଭ କରାଗଲା ।

 

କଟକ ସହରର ଚାରିଆଡ଼େ ଯେତେବେଳେ ପ୍ରଥମ ବୁଲେଟିନ୍ ବାଣ୍ଟିଦିଆଗଲା, ଏକ ଚାଞ୍ଚଲ୍ୟ ଖେଳିଗଲା । ସବୁ ମହଲରେ ଲୋକେ ବିସ୍ମିତ–ଲୋକଙ୍କ ମନରେ ପ୍ରବଳ ଉତ୍ତେଜନା । ପୁଲିସ ଚକିତ–କଟକରେ ଏପରି ସଂଗଠନ କେଉଁଠି ଏବଂ କିଭଳି ହେଉଛି ! ଆମେ ପ୍ରଥମ ବୁଲେଟିନ୍ ପ୍ରଚାରରେ ଲୋକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରୁଥିଲୁ । କଟକ ସହରରେ ମୁଖ୍ୟତଃ ଏହା ଛାତ୍ରମାନଙ୍କ ଜରିଆରେ କରାଯାଉଥିଲା । ସେତେବେଳକୁ ଆମ ଗାଁ ଲୋକ ଓ ମୋର ଆତ୍ମୀୟ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ଏକାଡ଼େମୀ ସ୍କୁଲ୍‍ର ଶିକ୍ଷକ ଥାଆନ୍ତି । ସେ ମୋ ଗୋପନବାସ ସହ ସମ୍ପର୍କ ରଖିଲେ ଏବଂ ତାଙ୍କର କେତେକ ବିଶ୍ଵସ୍ତ ଛାତ୍ରଙ୍କଦ୍ଵାରା ସହରର ବିଭିନ୍ନ ଅଞ୍ଚଳରେ ଏହାର ବିତରଣର ବ୍ୟବସ୍ଥା କଲେ । ଯେକୌଣସି ଗୋପନୀୟ କାର୍ଯ୍ୟ ପ୍ରତି ସାଧାରଣ ଭାବରେ ଯୁବକମାନଙ୍କର କୌତୂହଳ ଜାତ ହୁଏ । ଏ ପୁଣି ଦେଶ ସ୍ଵାଧୀନତାର ଲଢ଼େଇ । ଯେଭଳି କୌଶଳ ଓ ଚତୁରତା ସହକାରେ ଏ କାର୍ଯ୍ୟ ସେମାନେ କରିଥିଲେ, ନ ଜାଣିଥିବା ଲୋକ ନିଶ୍ଚୟ ବିଚାର କରିବ ଯେ ସତେ କି ବହୁଦିନରୁ ଯୋଜନା କରାଯାଇ ଏକ ବିରାଟ ସଂଗଠନ ଠିଆ କରି ଦିଆଯାଇଛି ଏବଂ ଏଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ଏ ଦିଗରେ ତାଲିମ ପାଇଛନ୍ତି । କମ୍ୟୁନିଷ୍ଟ ପାର୍ଟି ଅଫିସ୍ ରହିଥାଏ ଚାନ୍ଦିନୀଚୌକରେ । ସେହି ଅଞ୍ଚଳରେ ଏ କାର୍ଯ୍ୟ କରାଯାଉଥାଏ-। ବିଶ୍ଵନାଥ ପଣ୍ଡିତଙ୍କ ପରି ଅଳ୍ପ ବୟସ୍କ ଯୁବକମାନେ ଏହି ଗୁପ୍ତ ସଂଗଠନ ସହ ସମ୍ପୃକ୍ତ ଅଛନ୍ତି ବୋଲି ପ୍ରଥମରୁ ସେମାନଙ୍କର ଜାଣିବାର ଉପାୟ ନଥାଏ । ସେମାନଙ୍କ ଆଗରେ କମ୍ୟୁନିଷ୍ଟମାନେ ମତେ ଖୁବ୍ ଭର୍ତ୍ସନା କରନ୍ତି । ଗିରଫ୍‍ କରାଇଦେବାର ଧମକ ଦିଅନ୍ତି–ନାନାପ୍ରକାର ସମାଲୋଚନା କରନ୍ତି । ସେତେବେଳକୁ କମ୍ୟୁନିଷ୍ଟମାନେ ବାସ୍ତବିକ ପୁଲିସ ଅପେକ୍ଷା ଅଧିକ ତତ୍ପର ହୋଇଗଲେଣି, ଏପରି ସଂଗଠନକୁ ଧରାଇଦେବା ଓ ଆମର ଉଦ୍ୟମକୁ ପଣ୍ଡ କରିବା ନିମନ୍ତେ ।

 

ଶ୍ରୀ ବାଙ୍କବିହାରୀ ଦାସ ଥାଆନ୍ତି ରେଭେନ୍‍ସା କଲେଜର ଚତୁର୍ଥ ବାର୍ଷିକ ଅର୍ଥନୀତି ଛାତ୍ର-। ତାଙ୍କର ମୋ ସାଙ୍ଗରେ ଆଗରୁ ସମ୍ପର୍କ ଥାଏ । ସେ ବି ଆମ ସହ ସମ୍ପୃକ୍ତ ହେଲେ ଏବଂ ଛାତ୍ର ଓ ଅନ୍ୟ ମହଲରେ ଏଥିଲାଗି ନୂଆ ଲୋକ ବାହାର କଲେ । ମାତ୍ର ତାଙ୍କୁ କୌଣସି ପ୍ରତ୍ୟକ୍ଷ କାର୍ଯ୍ୟରେ ସମ୍ପୃକ୍ତ ନ ହେବାଲାଗି କିମ୍ବା କଲେଜରୁ ଅନୁପସ୍ଥିତ ନ ହେବାଲାଗି କହିଲି । ମୂଳ ଉଦ୍ଦେଶ୍ୟ ହେଲା କେତେକ ବ୍ୟକ୍ତି ଏଭଳି ଭାବରେ ବାହାରେ ନ ରହିଲେ ନୂତନ ସମ୍ପର୍କ ସ୍ଥାପନ କରିବା ସମ୍ଭବ ହେବନାହିଁ–ଚାରିଆଡ଼କୁ ସମ୍ବାଦପ୍ରେରଣରେ ମଧ୍ୟ ଅସୁବିଧା ଉପୁଜିବ ।

 

ଅଲିସାବଜାରରେ ନନ୍ଦି ସାହୁଙ୍କର ସେ ଘରେ ଅଳ୍ପ କେତେଦିନ ରହିବା ଭିତରେ ଆମର ଲିଥୋଲେଖାଳି, ତାହା ଛପାଇଲାବାଲା, ବିତରଣ ଏଜେନ୍‍ସି ଓ ବାହାରେ ସମ୍ପର୍କ ରଖିବା ଲାଗି ଏଜେନ୍‍ସି ସୃଷ୍ଟି ହୋଇଗଲା । ଯଥାକ୍ରମେ ବନମାଳୀ ମିଶ୍ର, ବିଶ୍ଵନାଥ ପଣ୍ଡିତ, ମଥୁରାନନ୍ଦ ସାହୁ, ସଚ୍ଚିଦାନନ୍ଦ ମିଶ୍ର ଏବଂ ବାଙ୍କବିହାରୀ ଦାସ ଏ ସଂଗଠନର ବିଭିନ୍ନ ବିଭାଗର ଦାୟିତ୍ଵରେ ରହିଗଲେ-। ସେମାନଙ୍କ ଭିତରେ କ୍ରମେ ପରିଚୟ ହୋଇଯାଇଥିଲେ ସୁଦ୍ଧା କେବେ କେହି ଏକତ୍ର ମୋ ପାଖରେ ମିଳନ୍ତି ନାହିଁ କିମ୍ବା କିଏ ପ୍ରକୃତରେ କେଉଁ କାର୍ଯ୍ୟ କରୁଛି, ତାହା ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଜଣା ନଥାଏ । ମାତ୍ର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ, କଠିନ ଓ ଗୋପନୀୟ କାର୍ଯ୍ୟ କରୁଥାଆନ୍ତି ରାଧାନାଥ ପଣ୍ଡିତ । ତାଙ୍କର ପୋଷାକ, ଚାଲିଚଳଣ ନିତ୍ୟନୈମିତ୍ତିକ । କାର୍ଯ୍ୟ ଓ ବିଭିନ୍ନ ମହଲରେ ଯେଭଳି ସମ୍ପର୍କ ଥିଲା, ସେଥିରେ କେହି କେବେହେଲେ ଭୁଲରେ ସୁଦ୍ଧା ସନ୍ଦେହ କରିବ ନାହିଁ ଯେ ସେ ଏଭଳି ବେଆଇନ କାର୍ଯ୍ୟ ସହ ସମ୍ପୃକ୍ତ ରହିଛନ୍ତି । ବଡ଼ବଡ଼ ପୁଲିସ ଅଫିସରଙ୍କ ଘରେ ସେ ଝିଅମାନଙ୍କୁ ହିନ୍ଦୀ ପଢ଼ାଉଥାନ୍ତି; ଏଣେ କନ୍‍ଭେଣ୍ଟ ସ୍କୁଲ୍‍ର ଶିକ୍ଷକ; କେବେ କୌଣସି ରାଜନୀତିକ କାର୍ଯ୍ୟ ସହ ସମ୍ବନ୍ଧ ନଥାଏ । ସେ କିନ୍ତୁ ଥିଲେ ଏ ସଂଗଠନର ପ୍ରାଣସ୍ୱରୂପ । ସବୁ ବିପଦସଙ୍କୁଳ କାର୍ଯ୍ୟ କରିବା, କଲିକତା ଯାଇ ଅଗଷ୍ଟ ବିପ୍ଳବ କେନ୍ଦ୍ରରେ ଆମର ରିପୋର୍ଟ ପହଞ୍ଚାଇବା, ସେମାନଙ୍କଠାରୁ ନିର୍ଦ୍ଦେଶ ଆଣିବା, ବିଭିନ୍ନ ସରକାରୀ ମହଲର ଗୁପ୍ତ ଖବର ଆଣିବା ଏବଂ ଆମ ସଂଗଠନର ଆବଶ୍ୟକତା କଟକରେ ପୂରଣ କରିବାରେ ସେ ଥିଲେ ସିଦ୍ଧହସ୍ତ ।

 

ଅଳ୍ପ ଦିନ ଭିତରେ ଆମେ ଏକ ବିପଦର ସମ୍ମୁଖୀନ ହେଲୁ । ବୁଲେଟିନ୍ ବାହାରିବା ଦେଖି ତାହା ଛପାହେବା ସ୍ଥାନ ଖୋଜି ବାହାର କରିବା ଲାଗି ପୁଲିସ ଯେପରି ତତ୍ପର ହୋଇପଡ଼ିଲେ, ସେମିତି କେଉଁ ମେସିନ୍‍ରେ ଏହା ହେଉଛି ଜାଣିବାଲାଗି ଚେଷ୍ଟା କଲେ । ପୁଲିସ କେଜାଣି କାହିଁକି ରେଭେନ୍‍ସା କଲେଜରୁ ଚୋରିହୋଇଥିବା ମେସିନ୍‍ରେ ଏହା କରାଯାଉଛି ବୋଲି ସ୍ଥିର କରିନେଲେ । ତେଣୁ ସେ ଚୋରି ଧରିବା ନିମନ୍ତେ ପୋଲିସ ନାନା କୌଶଳ ପ୍ରୟୋଗ କଲେ-। ଆମେ ଥିବା ଘରଟି ରାସ୍ତା ଉପରେ ହୋଇଥିବାରୁ ଏବଂ ବିଶ୍ୱନାଥ ପଣ୍ଡିତ, ରାଧାନାଥ ପଣ୍ଡିତ, ମଥୁରାନନ୍ଦ ସାହୁ ପ୍ରଥମେ ପ୍ରଥମେ ବାରମ୍ବାର ଏ ଘରକୁ ଯାତାୟାତ କରିବା ହେତୁ ସେଠାରେ କିଛି ଗୋଟାଏ ହେଉଛି ବୋଲି ସାହି କମ୍ୟୁନିଷ୍ଟ ଟୋକାମାନେ ଅନୁମାନ କଲେ । ସେମାନଙ୍କ ଭିତରୁ ପ୍ରସଙ୍ଗକ୍ରମେ କେହି ଏ ମେସିନ୍ ବିଷୟ ମଥୁରୀଙ୍କୁ ପଚାରିଲେ । ନିର୍ଦ୍ଦିଷ୍ଟ ଭାବରେ କେହି କିଛି ଜାଣିପାରୁ ନଥାନ୍ତି; ମାତ୍ର ଏକ ସନ୍ଦେହରେ ବାତାବରଣ ସୃଷ୍ଟି ହୋଇଗଲାଣି ବୋଲି ଆମେ ଅନୁଭବ କଲୁ । ବହୁତ ଚିନ୍ତା କରି ଦେଖିଲୁ–ଯଦି ସନ୍ଦେହ କରି କେବେ କେହି ଭିତରକୁ ପଶିଆସେ ତେବେ ଆମର ମୂଳ ସଂଗଠନ ଖାଲି ଭାଙ୍ଗିଯିବ ନାହିଁ, ମଥୁରୀବି ଚୋରି ଅପରାଧରେ ଗିରଫ୍‍ ହେବାର ସମ୍ଭାବନା ବଢ଼ିଯିବ । ତାଙ୍କ ପିତା ନନ୍ଦିସାହୁ ଏତେ ଗହନ କାମ ହେଉଛି ବୋଲି ବିସ୍ତୃତ ଭାବରେ କିଛି ଜାଣି ନଥିଲେ–ଜାଣିଲେ ତାଙ୍କ ମନରେ ଧକ୍କା ଲାଗିବ ଏବଂ ଆମର ସବୁ ଉଦ୍ୟମ ପଣ୍ଡ ହୋଇଯିବ । ତେଣୁ ସ୍ଥିର କରାଗଲା, ଉକ୍ତ ମେସିନ୍‍ଟିକୁ ନେଇ ଅନ୍ୟତ୍ର ରଖାଯିବ । ମାତ୍ର ପରେ ତାହାବି ନିରାପଦ ମନେ ନ ହେବାରୁ ଏହା ଏକ କୂଅ ଭିତରେ ବିସର୍ଜନ କରାଗଲା । ମାତ୍ର ଆମର କାର୍ଯ୍ୟ ଆରମ୍ଭ ହୋଇଛି, ତାହା ତ ବନ୍ଦ ହୋଇପାରେନା ! ରାଧାନାଥ ପଣ୍ଡିତ ଥାଉଁଥାଉଁ ତାହା ହୁଅନ୍ତା କେମିତି ! ସେ କେଉଁଠୁଁ ଏକ ପୁରୁଣା ମେସିନ୍ ଯୋଗାଡ଼ କରି, ଶେଖବଜାର ଗଳି ଭିତରେ ମରାମତି କରାଇ ପ୍ରସ୍ତୁତ କରିଦେଲେ ଆମର କାର୍ଯ୍ୟ ଲାଗି ।

 

ମାତ୍ର ଉକ୍ତ ଗୃହଟି ଯେ ଆମର ସ୍ଥାୟୀ କେନ୍ଦ୍ର ହୋଇପାରିବ ନାହିଁ ଏହା ପରିଷ୍କାର ଜଣାପଡ଼ିଗଲା । ମୋର ବିଚାର ହେଲା, ମୁଁ ଓ ମେସିନ୍ ଏକତ୍ର ନ ରହିଲେ ଭଲ ହୁଅନ୍ତା । ଜୋବ୍ରା ଓ ଶିଖରପୁର ଆଦି ଅଞ୍ଚଳରେ ଘର ଖୋଜିବାର ଉଦ୍ୟମ କରାଗଲା; ମାତ୍ର ଖାଲି ଘରଟିଏ ମିଳିଲେ ହେବ ନାହିଁ । ସ୍ଥାନୀୟ ସମର୍ଥନ ଓ ସମର୍ଥକବି ଲୋଡ଼ା, କାରଣ ପୁଲିସ ସହିତ ସଂଘର୍ଷ କରିବା ହୁଏତ ଦରକାର ପଡ଼ିପାରେ–ହଠାତ୍ କିଛି ଆବଶ୍ୟକ ହେଲେ ସ୍ଥାନପରିବର୍ତ୍ତନର ଆବଶ୍ୟକତା ପଡ଼ିପାରେ । ତାହାଛଡ଼ା ସେତେବେଳକୁ ଭାରତର କୌଣସି ସ୍ଥାନରେ ପୁଲିସ ପକ୍ଷରେ ଅନାୟାସରେ କାହାରିକୁ ଗିରଫ୍‍ କରିବା ସମ୍ଭବ ହେଉ ନଥିଲା । ହୁଏତ ଜନତା ପ୍ରତିରୋଧ କରୁଥିଲେ; ନଚେତ୍ ବିଦ୍ରୋହୀମାନଙ୍କ ସହ ପୁଲିସର ସଶସ୍ତ୍ର ସଂଘର୍ଷ ଲାଗିଯାଉଥାଏ । ତେଣୁ ପୁଲିସ ପକ୍ଷବି ଭାରି ସତର୍କରେ ଥାଆନ୍ତି । ଏସବୁ ସମ୍ବାଦ ପ୍ରକାଶ ପାଉଥାଏ । ଏଠାରେ ମଧ୍ୟ ଏକ ପ୍ରଚାର ହେଉଥାଏ ଯେ ମୁଁ ରାଇଫଲ ଧରି ଛଦ୍ମବେଶରେ ବୁଲୁଛି, ଚିଫ୍ ସେକ୍ରେଟାରି (ସେବକାଳର) ବାଉଷ୍ଟେଡ଼୍ ସାହେବଙ୍କୁ ଗୁଳି କରି ମାରିଦେବା ଲାଗି । ଏକପ୍ରକାର କୋକୁଆଭୟ ପଶିଯାଇଥାଏ । ପ୍ରକୃତରେ ମତେ ଯେଉଁଦିନ ପୁଲିସ ଗିରଫ୍‍ କରିବାକୁ ଆସିଲେ, ଦୁଆର ଭାଙ୍ଗି ମୋର ଗୋପନ ବାସସ୍ଥଳୀରେ ପ୍ରବେଶ କରିବା ପୂର୍ବରୁ ବନ୍ଧୁକ ଫୁଟାଇବା ଢଙ୍ଗରେ ବନ୍ଧୁକ ମୁନ ମୋ ଛାତିକି ଲକ୍ଷ୍ୟ କରି ରଖିଥାନ୍ତି । ବହୁ ବନ୍ଧୁକର ମୁହଁ ମତେ ଯେମିତି ଚାରିଆଡ଼ୁ ଘେରାଉ କରିଆସିଲା–ସତେ କି ଏକାବେଳକେ ମତେ ବିଦ୍ଧ କରି ମୋ ଛାତି ଫୁଟାଇଦେବେ ଓ ପେଟର ଅନ୍ତବୁଜୁଳା ବାହାର କରିପକାଇବେ । ମତେ ଟିକିଏ ହଲଚଲ ହେବାକୁ ତର ବା ସୁଯୋଗ ଦେଲେ ନାହିଁ । ଏକପ୍ରକାର ହିଂସ୍ରଜନ୍ତୁଙ୍କ ବ୍ୟୁହ ଭିତରେ ପଡ଼ିଗଲି । ଏଣେ ମୋର କମିଜ, ଘରବାଡ଼ି ଅରମା ଭିତରେ ଥିବା ଘାସ ଓ କାକୁଡ଼ିଲଟାରେ ଖୋଜା ଚାଲିଲା ସେହି ରାଇଫଲ ଯେଉଁଥିରେ ମୁଁ ବାଉଷ୍ଟେଡ଼୍‍ଙ୍କୁ ହତ୍ୟା କରିଥାଆନ୍ତି । ଏ ସବୁ କରାଯାଇଥିବାବେଳେ ମୁଁ ତ୍ରସ୍ତ ବା ଭୟଭୀତ ନ ହୋଇ, କୌଣସି ବିରକ୍ତି ବା ପ୍ରତିରୋଧ ଭାବ ନ ଦେଖାଇ ଖାଲି ହସୁଥାଏ । ସେଥିରେ ତାଙ୍କ ମନରେ କ୍ରୋଧ ହେବା ପରିବର୍ତ୍ତେ ବେଶି ସନ୍ଦେହ ହେଉଥାଏ ଯେ ମୁଁ ବନ୍ଧୁକଟି ନିଶ୍ଚୟ କେଉଁଠି ଲୁଚାଇ ରଖିଛି ଏବଂ ସେମାନେ ପାଉନାହାଁନ୍ତି ବୋଲି ମୁଁ ଉପହାସ କରୁଛି । ଏହିପରି ଘଟଣା ଚାରିଆଡ଼େ ଘଟୁଥିବାବେଳେ କାହାର ଅଗୋଚରରେ ଘରଟିଏ ପାଇବା ସମ୍ଭବ ନୁହେଁ ଏବଂ ଗୃହମାଲିକ ସବୁ ବିଷୟ ଜାଣିଲେ ଘର ଦେବାକୁ କେବେହେଁ ସମ୍ମତ ହୁଅନ୍ତେ ନାହିଁ । ତାହା ଛଡ଼ା ଅଲିସାବଜାର ପାଖ ଚାନ୍ଦିନୀଚୌକ ଆଦି ଅଞ୍ଚଳ ରାଜନୀତିକ ଆଡ୍ଡ଼ାସ୍ଥଳୀ । ଏ ଅଞ୍ଚଳରେ ଥିବା ବିଭିନ୍ନ ରାଜନୀତିକ କର୍ମୀଙ୍କ ମନରେ ଗୋଟାଏ ଆଶଙ୍କା ରହିଥିଲେ ସୁଦ୍ଧା ଆମର ସମର୍ଥକ ଓ କର୍ମୀମାନେ ସମସ୍ତେ ଉକ୍ତ ଅଞ୍ଚଳର ହୋଇଥିବାରୁ ସେମାନଙ୍କର ବାରମ୍ବାର ଯିବା ଆସିବାଟା ସେପରି ସନ୍ଦେହ ସୃଷ୍ଟି କରୁ ନଥାଏ । ମାତ୍ର ଅନ୍ୟ କେଉଁଠାକୁ କେହି ନୂତନ ଲୋକ ବାରମ୍ବାର ଯିବାଦ୍ୱାରା ସନ୍ଦେହର ପାତ୍ର ହୋଇପାରନ୍ତି । ପୁଲିସ ମଧ୍ୟ ପ୍ରାୟ ପ୍ରତ୍ୟେକ ଦିନ କଟକର ବିଭିନ୍ନ ସ୍ଥାନରେ ଖାନ୍‍ତଲାସ୍ କରୁଥାଆନ୍ତି ମତେ ଖୋଜିବା ନିମନ୍ତେ । ଏହାବି ଏକପ୍ରକାର ଆତଙ୍କ ସୃଷ୍ଟି କରିଥାଏ । ଫଳରେ ଲୋକଙ୍କ ଭିତରେ ମୋ ପ୍ରତି ଖୁବ୍ ଶ୍ରଦ୍ଧା ଓ ସହାନୁଭୂତି ବଢ଼ିଥାଏ । ନାନାପ୍ରକାରର ମନଗଡ଼ା ଗପସବୁ ମଧ୍ୟ ପ୍ରଚାର ହୋଇଗଲା । କେହି କହିଲା–କୋଟ୍ ପ୍ୟାଣ୍ଟ ଟୋପି ପିନ୍ଧ, ସିଗାରେଟ ଖାଇ, ଟ୍ରେନ୍‍ରେ ମୁଁ ଯାଉଛି । ପୁଲିସବି ସେହି ଡବାରେ ଉଠିଛି; ମତେ ଖୋଜୁଛନ୍ତି, ଅଥଚ ମୁଁ ତାଙ୍କ ସହ ବନ୍ଧୁତା ବାନ୍ଧି ଗପ୍‍ସପ୍ ଆରମ୍ଭ କରିଦେଲି; ସେମାନେ କିଛି ଜାଣିପାରିଲେ ନାହିଁ । କିଏ ବାବାଜି ବେଶରେ, କେହି ଅନୁଗୁଳର ଜଙ୍ଗଲ ଭିତରେ, କେହି ଅବା ମତେ କୁଜଙ୍ଗର ଜଣକ ସଙ୍ଘା (ଧାନଡ଼ୋଳି) ଉପରେ ଛପି ରହିଥିବାର ଦେଖିଆସିଛନ୍ତି । ଏମିତି ସବୁ ନାନାପ୍ରକାର ଗୁଜବ ଓ ଗପ ପ୍ରଚଳନ ହୋଇଗଲା । ଆମେ ଏସବୁ କରୁ ନଥିଲୁ–ମାତ୍ର ଲୋକଙ୍କ ଭିତରେ ଏଭଳି ନାନା କାଳ୍ପନିକ ଭାବ ସୃଷ୍ଟି ହୋଇଗଲା ଏବଂ କିମ୍ବଦନ୍ତୀ ପରି ଗଳ୍ପମାନ ପ୍ରଚାରିତ ହେଲା । ପରବର୍ତ୍ତୀକାଳରେ, ୧୯୪୫–୪୬ ବେଳକୁ, ଯେତେବେଳେ କମଳଲୋଚନ ମହାନ୍ତି ‘ଫେରାର ଦ୍ଵିବେଦୀ’ ‘ବିପ୍ଳବୀ ଦ୍ଵିବେଦୀ’ ବୋଲି ଦୁଇଖଣ୍ଡି ଡିଟେକ୍‍ଟିଭ୍ ଉପନ୍ୟାସ ଭଳି ପୁସ୍ତକ ଲେଖିଲେ ତାହା ଖୁବ୍ ବିକ୍ରି ହେଲା । ଲେଖକ ମୋ ନାମରେ ବ୍ୟବସାୟ କଲେ; ଅନେକ ଲୋକ ଏହା ସତ୍ୟ ବୋଲି ବିଚାରି ସେ ପୁସ୍ତକଗୁଡ଼ିକ ଆଗ୍ରହରେ ସାଇତି ରଖିଲେ । ଜେଲରୁ ମୁକ୍ତି ପରେ ମୁଁ ଯେତେବେଳେ ବିଭିନ୍ନ ସ୍ଥାନରେ ଗସ୍ତ କଲି ଏବଂ ମତେ ଅଭ୍ୟର୍ଥନା ଦିଆଗଲା, ସେତେବେଳେ ବହୁ ଯୁବକ ମତେ ଘେରିଯାଆନ୍ତି; କୌତୂହଳ ମେଣ୍ଟାଇବା ଲାଗି ସେ ପୁସ୍ତକ ଦୁଇଟିରେ ଯେଉଁ ସବୁ ବର୍ଣ୍ଣିତ ଘଟଣା ପଢ଼ିଥାଆନ୍ତି, ସେଥିରେ ବିଶ୍ୱାସ କରି ମୋଠାରୁ ପ୍ରକୃତ ଘଟଣା ଜାଣିବାକୁ ଆଗ୍ରହ ଦେଖାନ୍ତି । ମାତ୍ର ମୁଁ ସେତେବେଳକୁ ସେ ପୁସ୍ତକ ଦେଖି ନଥାଏ ଓ ନିଜେ ଆଶ୍ଚର୍ଯ୍ୟ ହୋଇଯାଏ ସେମାନଙ୍କ ବର୍ଣ୍ଣନା ଶୁଣି । ସେମାନେ ବିଚାରନ୍ତି ମୁଁ ଜାଣିଶୁଣି ସେମାନଙ୍କ ଆଗରେ ପ୍ରକୃତ ସତ୍ୟ ଗୋପନ ରଖୁଅଛି ।

 

ବାତାବରଣ ଏହିଭଳି ନାନା କଳ୍ପନା ଜଳ୍ପନା ଭିତରେ ଉତ୍ତପ୍ତ ହୋଇ ଉଠୁଥିବାବେଳେ ସେହି ଅଞ୍ଚଳ ବ୍ୟତୀତ ଅନ୍ୟ କେଉଁଠି ନିରାପଦରେ ରହିବା ମୋ ପକ୍ଷରେ ସମ୍ଭବ ହୋଇ ନଥାଆନ୍ତା । ମତେ ଆଶ୍ରୟ ଦେଲେ ପରିଣତି ଏଭଳି ବିପଜ୍ଜନକ ହୋଇପାରେ ବୋଲି ପ୍ରଥମାବସ୍ଥାରେ ମୋର ଆଶ୍ରୟଦାତା ନନ୍ଦିସାହୁ ଜାଣି ନଥିଲେ; ମାତ୍ର ମଥୁରୀଙ୍କୁ ଜଣାଥିଲା ଯେ ଏହାର ପରିଣତି ଭୟାନକ ହୋଇପାରେ । ଏହା ସତ୍ତ୍ୱେ ଗଳି ଭିତରେ ନିମଗଛ ପାଖରେ ଥିବା ତାଙ୍କର ଆଉ ଏକମହଲା ଘରେ ମତେ ଆଶ୍ରୟ ଦେବା ନିମନ୍ତେ ସେମାନେ ସ୍ଥିର କଲେ । ଗୋଟାଏ ପାଖରେ ମନ୍ଦିର; ସାମନାରେ ଆଉ ଏକ ଭଦ୍ରବ୍ୟକ୍ତିଙ୍କ ଘର–ଖାଲି ପାଚେରି ନୁହେଁ, ଆଗରେ ବଡ଼ ପଡ଼ିଆର ବ୍ୟବଧାନ ଅପରପକ୍ଷରେ ଜଙ୍ଗଲିଆ ବଣବୁଦା । ତେଣୁ ବିଶେଷଭାବରେ କେହି କୌଣସି କାମ ଲାଗି ସେଠାକୁ ନ ଗଲେ ସେ ଘର ଉପରେ ନଜର ପଡ଼ୁ ନଥିଲା, କିମ୍ବା ଘର ଭିତରେ କ’ଣ ହେଉଛି ତାହା ଅନ୍ୟ ପଡ଼ୋଶୀମାନଙ୍କର ଜାଣିବାର କୌଣସି ଉପାୟ ନଥିଲା । ଏହି ଘରଟି ଖାଲି ଥିଲା ଏବଂ ବିପଜ୍ଜନକ ଜାଣି ସୁଦ୍ଧା ମଥୁରୀ ପିତା ନନ୍ଦି ସାହୁଙ୍କୁ କହି ଆମେ ସେ ଘରେ ରହିବାର ବ୍ୟବସ୍ଥା କରିଦେଲେ । ଆଗରୁ ସେ ଘରେ ଭଡ଼ାବାଲା ରହୁଥିଲେ । ସାଇପଡ଼ିଶା ଭାବିନେଲେ ଏଠାରେ ଆସି ଆଉ କେହି ବିଦେଶୀ ଭଡ଼ାବାଲା ରହିଛନ୍ତି ।

 

ଏ ଗୃହ ଅଗଷ୍ଟ ଆନ୍ଦୋଳନର ଶ୍ରେଷ୍ଠ କେନ୍ଦ୍ର ହେଲା ଏବଂ ମୋର ଗିରଫ୍‍ ପର୍ଯ୍ୟନ୍ତ ସକଳ ପ୍ରକାର କାର୍ଯ୍ୟ ଏହିଠାରେ ହେଲା ।

 

ମୋର ଗିରଫ୍‍ ପରେ ପରେ ପୁଲିସ ମଥୁରାନନ୍ଦ ସାହୁ ଓ ନନ୍ଦି ସାହୁଙ୍କୁ ଗିରଫ୍‍ କରିନେଲେ । ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ପାଇଲେ ନାହିଁ । ମୁଁ ସେହି ଅନ୍ତରାଳରେ ବାସ କରୁଥିବା ଅବସ୍ଥାରେ କେବେ ଥରେହେଲେ ନନ୍ଦିସାହୁଙ୍କୁ ଦେଖି ନଥିଲି । ମାତ୍ର ମୁଁ ଏକପ୍ରକାର ତାଙ୍କ ପରିବାରର ଲୋକରୂପେ ଗଣ୍ୟ ହୋଇଗଲି । ମଥୁରୀଙ୍କ ବୋଉ ମୋର ମାଉସୀ ହେଲେ, ଏବଂ ପିଠାପଣା କରି ରୀତିମତ ପଠାଉଥିଲେ ସାନପୁଅ ‘ଏଣ୍ଡୁ’ ହାତରେ । ଏହି ‘ଏଣ୍ଡୁ’ ବର୍ତ୍ତମାନ ଓଡ଼ିଶାର ଏକ ଉଦୀୟମାନ ଐତିହାସିକ ଓ ଇତିହାସ ଅଧ୍ୟାପକ–ନାମ ଅନନ୍ତ ଚରଣ ସାହୁ । ପୋଲିସ୍ ମଥୁରୀଙ୍କ ବିଷୟରେ ପ୍ରତ୍ୟକ୍ଷ ପ୍ରମାଣ ନ ପାଇଲେ ସୁଦ୍ଧା ମୋ ପାଖରୁ ଯେତେ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼୍ ସମ୍ବାଦପତ୍ର ପାଇଲେ, ସେଥିରେ ବହୁ ଜାଗାରେ ମଥୁରାନନ୍ଦ ସାହୁ ବୋଲି ଲେଖା ହୋଇଥିବାର ଦେଖିଲେ । ପୁଲିସ ଏହାକୁ ଏଭଳି ଗୁରୁତର ଅପରାଧରୂପେ ଧରିବେ ବୋଲି କାହାରିକି ଜଣା ନଥିଲା । ସେହି ଲେଖାରୁ ସେମାନଙ୍କର ବିଶ୍ଵାସ ହେଲା ଯେ ପ୍ରତ୍ୟକ୍ଷ ଭାବରେ ମଥୁରୀ ଏଥିସହ ସମ୍ପୃକ୍ତ । ବାପପୁଅ ଦୁହେଁ ଭାରତ ରକ୍ଷା ଆଇନ ଅନୁସାରେ ଅଟକବନ୍ଦୀ ହୋଇ ବ୍ରହ୍ମପୁର ଜେଲରେ ରହିଲେ । ମଥୁରୀ ପ୍ରାୟ ତିନିବର୍ଷରୁ ଅଧିକ କାଳ ଏଭଳି ଜେଲଜୀବନ ଯାପନ କଲେ ଏବଂ ନନ୍ଦିସାହୁ ମଧ୍ୟ ଏକବର୍ଷ ଜେଲରେ ରହିଲେ । ଘର, ସମ୍ପତ୍ତି ଓ ବ୍ୟବସାୟ ଦେଖିବାକୁ କେହି ନାହିଁ । ଘରେ ଥିଲେ କୁମାର ବୟସର ପୁଅ ଅନନ୍ତ ଏବଂ ବୁଢ଼ୀ । ଏଭଳି କଠିନ କାରାଦଣ୍ଡ ଲାଗି ନନ୍ଦିସାହୁ ଆଗରୁ ପ୍ରସ୍ତୁତ ନଥିଲେ । ସେମାନଙ୍କ ଅନୁପସ୍ଥିତିରେ ବ୍ୟବସାୟ ବୁଡ଼ିଗଲା । ବୁଢ଼ୀ ଅସୁସ୍ଥ ହେଲେ; ଦେଖିବାକୁ କେହି ନଥିଲା । ସରକାର ମଥୁରାନନ୍ଦ ସାହୁଙ୍କୁ ଦୁଇଥର ପାରୋଲରେ ଛାଡ଼ିଥିଲେ, ମାତ୍ର ତାହା ଅଳ୍ପ ଦିନ ଲାଗି । ଏ ସବୁ ଦୁଃଖକୁ ସହି ସେମାନେ ଜେଲରେ ଅନ୍ୟ ରାଜବନ୍ଦୀଙ୍କ ପରି ପୂରା ସମୟ କଟାଇଲେ । ସେମାନଙ୍କର ପୂର୍ବରୁ କିଛି ରାଜନୀତିକ ଅଭିଳାଷ ନଥିଲା । ତେଣୁ ମଥୁରୀ ଓ ତାଙ୍କ ପିତା ନନ୍ଦି ସାହୁ ଜେଲରୁ ଆସିବା ପରେ ପୁଣି ନିଜ ବ୍ୟବସାୟ ପୁନରୁଦ୍ଧାର କରିବାରେ ଲାଗିପଡ଼ିଲେ । ମାତ୍ର କାହିଁ ଥାଏ ? ଆଉ ପୂର୍ବାବସ୍ଥା ଫେରାଇ ଆଣିବା ସମ୍ଭବ ହେଲା ନାହିଁ । ଏଥିଭିତରେ ନନ୍ଦି ସାହୁଙ୍କର ଏକ ପାଦରେ ଆଘାତ ଲାଗି ଚଲାବୁଲା କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇଗଲା ।

 

ମୋର ଦୁଃଖ, ଆମ ଦେଶରେ ସ୍ଵାଧୀନ ସରକାର ହୋଇ ସୁଦ୍ଧା ଏମାନଙ୍କ ପୁନର୍ବାସ ଲାଗି କିଛି ସୁବିଧା କରିଦିଆଗଲା ନାହିଁ । କଂଗ୍ରେସ ମନ୍ତ୍ରିମଣ୍ଡଳ ହେଲା; ଜଣକ ପରେ ଜଣେ କଂଗ୍ରେସର ମୁଖ୍ୟ ହେଲେ–କିଏ କେତେ ଟଙ୍କାପଇସା କଲେ । ଦୁର୍ନୀତି ବ୍ୟଭିଚାର ଓଡ଼ିଶାରେ ଘରକରିଗଲା । ସରକାରୀ କଳକୁ କେତେକ ମୁଖ୍ୟ କଂଗ୍ରେସ ବ୍ୟକ୍ତି ଏକପ୍ରକାର ନିଜର ଘରୋଇ ବ୍ୟବସାୟରୂପେ ବ୍ୟବହାର କଲେ । ମାତ୍ର ଏତେବଡ଼ ଏକ ତ୍ୟାଗୀ ପରିବାର–ଯେଉଁମାନେ ଦେଶର ସ୍ଵାଧୀନତାଲାଗି ସର୍ବସ୍ଵାନ୍ତ ହେଲେ–ସେମାନେ ସାଧୁ ସଚ୍ଚୋଟ ଭାବରେ ନିଜ ବ୍ୟବସାୟର ପୁନରୁଦ୍ଧାର କରିବା ନିମନ୍ତେ ଯେତିକି ପ୍ରୋତ୍ସାହନ ପାଇବାର କଥା ପାଇପାରିଲେ ନାହିଁ । ନନ୍ଦିସାହୁ ଉଦାରହୃଦୟର ବ୍ୟକ୍ତି । ସେଥିଲାଗି ଦିନେହେଲେ ଦୁଃଖ କରିନାହାନ୍ତି କିମ୍ବା ମୁଁ ତାଙ୍କୁ ଏଭଳି ବିପଦରେ ପକାଇଛି ବୋଲି କେବେହେଲେ ବିରକ୍ତି ବା ଅସନ୍ତୋଷ–ଭାବ ଦେଖାଇ ନାହାନ୍ତି । ବରଂ ମୁଁ ଜେଲରୁ ଖଲାସ ହୋଇ ଆସିଲା ପରେ ସେ ସର୍ବପ୍ରଥମେ ମତେ ତାଙ୍କ ଘରକୁ ଡକାଇ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜି ସେ ଅକର୍ମଣ୍ୟ ହୋଇପଡ଼ି ସୁଦ୍ଧା ସେମିତି ସ୍ନେହ ଓ ପ୍ରୀତିଭାବ ପୋଷଣ କରୁଛନ୍ତି । ଆମ ଓଡ଼ିଶାର ଶେଷ ସ୍ୱାଧୀନତା ସଂଗ୍ରାମରେ ନନ୍ଦିସାହୁ ଓ ତାଙ୍କ ପରିବାରଙ୍କ ତ୍ୟାଗ ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇ ରହିବ । ଏ ଜାତି ଏହିଭଳି ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା କଥା । ଏତିକି ନ ହୋଇପାରିବା ବଡ଼ ପରିତାପର ବିଷୟ ।

☆☆☆

 

ଅରକ୍ଷିତକୁ ଦଇବ ସାହା

 

କୌଣସି ଲୋକ ନିଶ୍ଚିନ୍ତ ହୋଇଗଲେ, ସୁଖସମୃଦ୍ଧି ମିଳିଗଲେ ତା’ର ସୃଜନଶକ୍ତି ହ୍ରାସ ପାଇଥାଏ–ସ୍ଥିରତା ଓ ସ୍ଥାଣୁଭାବ ପ୍ରବେଶ କରେ । ସେଥିଲାଗି ଆମ ଦେଶରେ ଗୋଟାଏ ପ୍ରବଚନ ରହିଛି–ଯିଏ ଧନୀଘର ପୁଅ, ତା’ର ଆଉ ପରୁଆ କ’ଣ ? ସେ କାହିଁକି ଏତେ କଷ୍ଟ କରିବ ? ଆରାମରେ ରହିବାଲାଗି ତା’ର ତ ସବୁ ସୁବିଧା ରହିଛି ! କେବଳ ଦରିଦ୍ରଘର ପିଲାହିଁ ଜୀବନ ସହ ଅନବରତ ସଂଗ୍ରାମ କରେ, ନୂଆ ନୂଆ ଉପାୟ ଭଦ୍ଭାବନ କରେ–ପାଠପଢ଼ାରେ ପ୍ରତିଯୋଗିତା କରେ ଶୀର୍ଷସ୍ଥାନକୁ ଯିବା ଲାଗି । ବୈଷୟିକ ଦୃଷ୍ଟିକୋଣରୁ ଏ ବିଷୟଟି ବହୁଳାଂଶରେ ସତ୍ୟ; ମାତ୍ର ଦେଶଦୃଷ୍ଟିରୁ ବିଚାର କଲେ ଏହି ଉକ୍ତିଟିର ସମ୍ପୂର୍ଣ୍ଣ ଯଥାର୍ଥତା ପ୍ରମାଣ କରିହେବ ନାହିଁ । ସାମାଜିକ ନିୟମ ଓ ଗତିବିଧି ଯାହା, ସେଥିରେ ଏହା ନିଶ୍ଚିତ ଯେ ଅନିଶ୍ଚୟତାହିଁ ମଣିଷକୁ ବେଗ ଦିଏ ନିଶ୍ଚୟତା ପାଇବା ଲାଗି; ସେଥିଲାଗି ସମାଜରେ ଅସ୍ଥିରତା ଆଣିବାକୁ ପଡ଼େ ପରିବର୍ତ୍ତନ ନିମନ୍ତେ । ଅସ୍ଥିରତା ସୃଷ୍ଟି ହେଲେ ସାରା ସମାଜ ଗତିଶୀଳ ହୋଇଯାଏ–ପୁଣି ନିଶ୍ଚଳ ଅବସ୍ଥାରେ ପହଞ୍ଚିବା ପର୍ଯ୍ୟନ୍ତ । ଏଭଳି ସମୟରେ ଲୋକ ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଏ–ଜାଣିଶୁଣି ବିପଦକୁ ବରଣ କରେ ସେଥିରୁ ଲାଭ ଉଠାଇବା ନିମନ୍ତେ । କାରଣ ବିପଦରେ ଯଦି ସେ ପଡ଼ିଥାଏ, ସେଥିରେ ତା’ର କିଛି ଲୋକସାନ ହେବାର ନଥାଏ । ସେଥିଲାଗି ପରା ଯେତେବେଳେ ସାରା ଦୁନିଆର ଶ୍ରମିକମାନଙ୍କୁ ପୁଞ୍ଜିବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ୱାନ କରାଯାଉଥିଲା; କୁହାଯାଉଥିଲା–“ଉଠ, ବିଦ୍ରୋହ କରି ଉଠ ! ତୁମର ଡରିବାର କିଛି ନାହିଁ । ତୁମେ ଯଦି କିଛି ହରାଇବ, ତାହା ହେଉଛି ତୁମର ବନ୍ଧନ, ଶୃଙ୍ଖଳ ।”

 

ମୋର ସେମିତିକା ପରିସ୍ଥିତି ହେଲା । ସ୍ଥାନଟିଏ ପାଇଲି । ସଂଗଠନର ଏକ ପ୍ରାରମ୍ଭିକ ବ୍ୟବସ୍ଥା କରି କାମ ଆରମ୍ଭ ହେଲା; ମାତ୍ର ସାଙ୍ଗେ ସାଙ୍ଗେ ପୁଣି ସ୍ଥାନଟି ନିରାପଦ ନୁହେଁ ବୋଲି ଜଣାପଡ଼ିଲା । କୁଆଡ଼କୁ ଯିବା, କେମିତି କରିବା । ମନରେ ଏହି ଚିନ୍ତା ଘାରିଲା–ପ୍ରଥମରେ ଏଠିକି ଆସିବାଟା ଯେଡ଼େ ସହଜ ହୋଇଗଲା, ଅନ୍ୟ ସ୍ଥାନକୁ ଯିବା ସେତିକି କଷ୍ଟକର ହୋଇପଡ଼ିଲା । ମଥୁରୀ ଯେ ସାହସ କରି ଗଳି ଭିତର ଘରଟିକି ଯୋଗାଡ଼ କଲେ ସେଥିଲାଗି କିଛି ସମୟ ଲାଗିଲା-। ଏହି ସମୟ ଭିତରେ ଭାବି ଦେଖିଲି, ମୁଁ ଓ ମେସିନ୍ ଏକାଠି ରହିବା ଠିକ୍ ହେବନାହିଁ । ପ୍ରଥମ ବୁଲେଟିନ୍ ଫଳରେ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ତା’ ଫଳରେ ଓଡ଼ିଶାର ଶିକ୍ଷାବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ଶ୍ରୀ ଭୈରବ ଚନ୍ଦ୍ର ମହାନ୍ତି ତାଙ୍କ ଚାକିରିରୁ ଇସ୍ତଫା ଦେଇଦେଲେ-। ଆମେ ଏହାର ସୁଯୋଗ ନେଇ ଇଂରେଜୀରେ ଏକ ନିବେଦନ ପତ୍ର ପ୍ରକାଶ କଲୁ ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ । ସେଥିରେ ଚାକିରି ଫୋପାଡ଼ି ଦେଇ ସ୍ଵାଧୀନତା ଯଜ୍ଞରେ ଝାସଦେବା ନିମନ୍ତେ ଓ ସରକାରୀ କଳକୁ ଭିତରୁ ଅଚଳ କରିବା ନିମନ୍ତେ ଭୈରବବାବୁ ନିବେଦନ କଲେ-। ଭୈରବବାବୁ କଟକରେ ରହିଲେ ନାହିଁ; ସମ୍ବଲପୁର ହେଲା ତାଙ୍କର କର୍ମକେନ୍ଦ୍ର ଏବଂ ଆମର ସେ ଅଞ୍ଚଳରେ କାର୍ଯ୍ୟଲାଗି ଏକ ଏଜେନ୍‍ସି ସୃଷ୍ଟି ହୋଇଗଲା । ଏହାପରେ ପୁଲିସର ତତ୍ପରତା ଆହୁରି ବୃଦ୍ଧିପାଇଲା ।

 

ମତେ କେମିତି ଗିରଫ୍‍ କରିବେ, ସେଥିଲାଗି ପୁଲିସର ତୀକ୍ଷ୍ଣଦୃଷ୍ଟି ପଡ଼ିଲା । କଟକ ସହରରେ ସେତେବେଳେ ସନ୍ଧ୍ୟା ପରେ ଯେତେ ରିକ୍ସା ଯାଉଥାଏ ତା’ଉପରେ ସେମାନଙ୍କ ନଜର–ମୁଁ ସ୍ତ୍ରୀବେଶରେ ଲୁଚି ଯାଉଛି ବୋଲି କୌଣସି କୌଣସି ରିକ୍ସାକୁ ଅଟକାଇ ଦିଆଯାଉଥିଲା । ବସ୍ ଯିବା ରାସ୍ତା, ଷ୍ଟେସନ୍, ନଈକୂଳ–ଚାରିଆଡ଼େ କଡ଼ା ବ୍ୟବସ୍ଥା–ଯେମିତି ପୁଲିସ ନଜରରୁ ମୁଁ ଖସି ନ ଯାଏଁ । ହୁଏତ ପ୍ରଥମ ଅବସ୍ଥାରେ ସେମାନେ ଠଉରାଇ ନେଲେ ମୁଁ କଟକ ସହରରେ ଅଛି ବୋଲି; ମାତ୍ର କେଉଁଠି ରହିଛି ଓ କେଉଁ ଜାଗାରେ ଏସବୁ କାମ ହେଉଛି ତା’ର କିଛି କୂଳକିନାରା ପାଉ ନଥାନ୍ତି । ତେଣୁ ବିଭିନ୍ନ ସ୍ଥାନ ଖାନ୍‍ତଲାସ୍ କରିବାରେ ଲାଗିଲେ । ମୋ ମାମୁଘର ତେଲଙ୍ଗାବଜାର–ଯେଉଁଠି ଏବେବି ମୁଁ ରହୁଛି–ତାକୁ ରାତିଅନ୍ଧାରୁଆରୁ ଘେରାଉ କରି ବାରମ୍ବାର ଖାନ୍‍ତଲାସ୍ କରନ୍ତି । ସେ ଘର ଆଗରେ ଥିବା ଗୋଟିଏ ଛୋଟିଆ ଏକମହଲା କୋଠାରେ ମୁଁ ବମ୍ବେ ଯିବା ଆଗରୁ ରହୁଥାଏ ଓ ‘ଇଉନାଇଟେଡ଼୍ ପ୍ରେସ୍’ର ଅଫିସ୍ ଥାଏ । ତାହାର ମୁଁ ଥାଏ ପରିଚାଳକ । ସେଠି ମୋର ଯେ ସହକାରୀ ଥାଏ ଭିକାରୀ ମହାନ୍ତି, ତାକୁ ଧମକାନ୍ତି; ତା’ଠାରୁ ମୋ ସମ୍ବାଦ ପାଇବାଲାଗି ଚେଷ୍ଟା କରନ୍ତି । ଏହା ଘଟିବ ଜାଣି ମୁଁ କଟକରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ମୋର ସାଧାରଣ ବ୍ୟବହାର ଲାଗି ଯାହା ଲୁଗାପଟା ଦରକାର ଭିକାରୀଠାରୁ ମଗାଇ ନେଇଥାଏ ଏବଂ ତାକୁ ସାବଧାନ କରିଦେଇଥାଏ କାହାରିକି କିଛି ନ କହିବା ନିମନ୍ତେ । ମାତ୍ର ମୁଁ କେଉଁଠି ରହିବି ସେ ଖବର ତା’ ପାଖରେ ଥାଏ । ତା’ରି ଜରିଆରେ ଆମର ଲିଥୋ ଲାଗି କାଗଜ ଆଦି କିଣାଯାଏ । ଅଫିସ୍ ଲାଗି ସେ କିଣେ; ତେଣୁ ତାକୁ ଅବିଶ୍ଵାସ ବା ସନ୍ଦେହ କରିବାର କୌଣସି କାରଣ ନଥିଲା । ଆଉ ଏକ ସୁବିଧା ହେଲା–ମୋର ସବୁ ପରିଚିତ ଲୋକ ତାକୁ ଜାଣିଥିବାରୁ ସେମାନଙ୍କର ପାଖକୁ ସମ୍ବାଦ ପଠାଯାଉଥିଲା ତା’ ଜରିଆରେ । ସେ ଟିକିଏ କାଲ, ତେଣୁ ପୁଲିସ ତାକୁ ଯେତେ ପଚାରନ୍ତି, ଭୟ ଓ ପ୍ରଲୋଭନ ଦେଖାନ୍ତି, ସେ ଅଦ୍ଭୁତ ଅଦ୍ଭୁତ ଜବାଜ ଦିଏ । ଆମ ବିରୁଦ୍ଧରେ ଯେତେବେଳେ ଷଡ଼ଯନ୍ତ୍ର ମକଦ୍ଦମା ହେଲା ସେଥିରେ ଏକ ପ୍ରମାଣ ନିମନ୍ତେ ତାକୁ ସରକାର ତରଫରୁ ପ୍ରଚୁର ଅର୍ଥର ପ୍ରଲୋଭନ ଦିଆଯାଇଥିଲା । ତା’ର ଗତିବିଧି ଉପରେ ମଧ୍ୟ ପୁଲିସ ନଜର ରଖିଲେ । ମୁଁ ନିଶ୍ଚୟ ଖାଇବାକୁ କିମ୍ବା ଶୋଇବାକୁ ବା ଏମିତି ଆଶ୍ରା ନେବାକୁ ଆସୁଥିବି ଭାବି ଏହି ବାସସ୍ଥାନ ଦୁଇଟିକୁ ବିରାଟ ପୁଲିସବାହିନୀ ଚାରିଦିଗରୁ ଘେରାଉ କରି ବାରମ୍ବାର ଖାନ୍‍ତଲାସ୍ କରନ୍ତି । ଏହି ସମୟରେ, ଏପରି ଖାନ୍‍ତଲାସ୍ ଭିତରେ ଥରେ ଏକ ମଜାଦାର ଘଟଣା ଘଟିଥିବା କଥା ମୁଁ ପରେ ଶୁଣିଲି ।

 

ମୋର ମାମୁଘରେ ସେତେବେଳେ ସୁରେନ୍ଦ୍ର ତ୍ରିପାଠୀ ନାମରେ ଏକ ଛାତ୍ର ରହିଥାଆନ୍ତି-। ପୁଲିସ ଖାନ୍‍ତଲାସ୍ କରିବାର ତାହା ବୋଧହୁଏ ତୃତୀୟଥର । ବାରମ୍ବାର ନିରାଶ ହୋଇ ଫେରୁଥାଆନ୍ତି; ଆମ ଘରଲୋକଙ୍କୁ ହଇରାଣ କରୁଥାଆନ୍ତି; ତଥାପି ସେମାନେ ବିଚଳିତ ନ ହୋଇ ଏହା ସହ୍ୟ କରୁଥାନ୍ତି । ଦିନେ ପୁଲିସ ପୂର୍ବଥର ପରି ରାତି ତିନିଟାବେଳୁ ଚାରିଆଡ଼େ ଘେରାଉ କରିଦେଇ କେହି ଉଠିବା ଆଗରୁ ବଡ଼ିଭୋରରୁ ଘରେ ପଶିଲେ । କଟକରେ ତ ମଶାରି ବିନା ଶୋଇବା ମୁସ୍କିଲ୍–ସମସ୍ତେ ପ୍ରାୟ ମଶାରି ଭିତରେ ଶୋଇଥାଆନ୍ତି । ଏକାବେଳକେ ବହୁ ପୁଲିସ ପଶି ସବୁ ଘର ବାରଣ୍ଡାରେ ଖେଦିଗଲେ । ସୁରେନ୍ଦ୍ର ତ୍ରିପାଠୀ ଶୋଇଥାଆନ୍ତି ଏକ ମଶାରିରେ-। ସେ ଉଠୁ ନଥିବାରୁ ମୋର ମାମୁ ପଣ୍ଡିତ ଆକୁଳ ମିଶ୍ର ଡାକପକାଇଲେ–‘‘ସୁର, ସୁର, ଉଠ ଉଠ; ପୁଲିସ ଆସିଛନ୍ତି ।” ଏତିକି ଶୁଣିବାମାତ୍ରେ ପୁଲିସଙ୍କର କି ଉଦ୍‍ବେଗ ! ମନେମନେ ଭାବିଲେ–ଏତେ ଦିନେ ଦ୍ୱିଦେବୀ ଧରାପଡ଼ିଛି । ସମସ୍ତେ ଆସି ଠୁଳ ହୋଇଗଲେ । ସୁରଙ୍କୁ ଆଉ ନିଦ ଅଳସ ଭାଙ୍ଗି ଉଠିବାକୁ ତର ଦେଲେନାହିଁ–ମଶାରି ଭିତରୁ ବାହାରିବାକୁ ଦେଲେ ନାହିଁ–ମଶାରି ଉପରେ ଏକପ୍ରକାର ଆକ୍ରମଣ କଲେ । ମାତ୍ର ଦେଖିଲାବେଳକୁ ସେଥିରୁ ବାହାରିଲେ ବର୍ତ୍ତମାନ ପି.ଏମ୍. ଏକାଡ଼େମୀର ପ୍ରଧାନଶିକ୍ଷକ ।

 

ଏମିତି ବହୁ ସ୍ଥାନ, ଏପରି କି ଆମ ଗ୍ରାମର ପ୍ରାଣନାଥ ମିଶ୍ର ଓ ଉଦୟନାଥ ରଥଙ୍କ ଘରବି ତଲାସ କଲେ । ଉଦୟନାଥ ରଥଙ୍କ ଘରେ ମୁଁ ପ୍ରଥମେ ଆସି ରହିଥିଲି–ସେଠିକି ଆଉ ଦ୍ଵିତୀୟ ଥର ଫେରିନାହିଁ । ପ୍ରାଣନାଥ ମିଶ୍ରଙ୍କ ଘର ଖାନ୍‍ତଲାସ୍ ପରେ ସେଠାରେ ଯାଇ କିଛିଦିନ ରହିଲି । ପୁଲିସ ଥରେ ଖାନ୍‍ତଲାସ୍ କରି ଯେତେବେଳେ ନ ପାଇ ଫେରି ଯାଇଛନ୍ତି, ତାହା ନିରାପଦ ଜାଗା ମନେକଲି । ତାହା ଛଡ଼ା ସଚ୍ଚିବାବୁ, ଯେ କି ଏ ଆନ୍ଦୋଳନର ଏକ ଅଙ୍ଗ ହୋଇସାରିଥାଆନ୍ତି, ସେ ବି ନିଜ କକେଇଙ୍କ ପାଖରେ ଥାଆନ୍ତି ଓ ତାଙ୍କ ଜରିଆରେ ଅନ୍ୟମାନଙ୍କ ସହ ସମ୍ପର୍କ ରଖିହେବ ଭାବି ସେଠାରେ ମୋର କିଛିଦିନ ଅଜ୍ଞାତବାସ ହୋଇଥିଲା ।

 

ବାସ୍ତବିକ ପ୍ରଥମ ଅଜ୍ଞାତ ସ୍ଥାନଟି ବିପଦସଙ୍କୁଳ ହେବାର ଆଶଙ୍କା ହୋଇଯିବାରୁ ଭାବିଲି ସେଠାରେ ଅନ୍ୟ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଅନ୍ତତଃ ସୁରୁଖୁରୁରେ ଲିଥୋ କାମ ଚାଲୁରଖାଯାଉ–ମୁଁ ଅନ୍ୟତ୍ର କିଛିଦିନ ରହିଯାଏ । ଯେମିତି ହେଲେ ତ ଧରାହୋଇ ଯିବି–ତେଣୁ ବିଭିନ୍ନ ସ୍ଥାନରେ ରହିବାର ବ୍ୟବସ୍ଥା କଲି । ଅବଶ୍ୟ ମତେ ସ୍ଵୀକାର କରିବାକୁ ପଡ଼ିବ ଯେ, ଅନ୍ୟ ପ୍ରଦେଶମାନଙ୍କ ପରି କୌଣସି ଉଚ୍ଚ ସରକାରୀ କର୍ମଚାରୀ ବା ଉଚ୍ଚ ଅଭିଜାତ ଶ୍ରେଣୀର କୌଣସି ବ୍ୟକ୍ତିଙ୍କ ଘରେ ରହିପାରିବା ଭଳି ସୁଯୋଗ ଆମର ଏଠି ନଥାଏ । ଯେଉଁମାନଙ୍କ ଘରେ ରହିଲି, ସେମାନେ ହୁଏତ ମୋର ଆତ୍ମୀୟ, ନଚେତ୍ କଂଗ୍ରେସ ଆନ୍ଦୋଳନ ପ୍ରତି ସହାନୁଭୂତିସମ୍ପନ୍ନ ବ୍ୟକ୍ତି । ଏହିଭଳି ଏକ ସ୍ଥାନ ହେଲା ଅନୀଲ କୁମାର ଘୋଷଙ୍କ ଘର । ଅନୀଲ ଏ ଆନ୍ଦୋଳନ ସହ ମୂଳରୁ ସମ୍ପୃକ୍ତ ଥିଲେ । ମୋ ଗିରଫ୍‍ ପରେ ସେ ଓ ବିଶ୍ଵନାଥ ପଣ୍ଡିତ ଏ ଗୁପ୍ତ ସଂଗଠନକୁ କିଛିଦିନ ଚଳାଇ ନେଇଥିଲେ । ଅନୀଲଙ୍କ ପରିବାର ପୂର୍ଣ୍ଣ ଜାତୀୟତାବାଦୀ । ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନରେ ଯେଉଁ କେତୋଟି ପରିବାର ତ୍ୟାଗ କରିଛନ୍ତି ଓ କଷ୍ଟ ସହିଛନ୍ତି, ସେଥିରୁ ଏ ପରିବାର ଗୋଟିଏ । ମୁଁ ଭାବେ ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କ ପରିବାରକୁ ଛାଡ଼ିଦେଲେ ଏହା ଦ୍ଵିତୀୟ ତ୍ୟାଗୀପରିବାରରୂପେ ଗଣ୍ୟ ହେବ । ତାଙ୍କ ପିତା ଶ୍ରୀ କୃଷ୍ଣବଲ୍ଲଭ ଘୋଷ ବାରମ୍ବାର ଜେଲ ବରଣ କରିଛନ୍ତି । ସେ କଂଗ୍ରେସର ଜଣେ ପ୍ରଧାନ ପୃଷ୍ଠପୋଷକ ଓ କର୍ମକର୍ତ୍ତା ଥିଲେ । ସେ ଏବେବି ଜୀବିତ ଅଛନ୍ତି । ଅନୀଲଙ୍କର ବଡ଼ଭାଇ ନିରଞ୍ଜନ ଘୋଷ ୧୯୩୦ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦେଇ ହଜାରିବାଗ ଜେଲରେ ସ୍ୱାସ୍ଥ୍ୟଭଗ୍ନ ଘଟିବାରୁ ପ୍ରାଣ ହରାଇଥିଲେ । ସେ ଓଡ଼ିଶାର ପ୍ରଥମ ସ୍ଵରାଜ୍ୟ ସହିଦ । ଆଉ ଏକ ଭାଇ ସୁଶୀଲ ମୋର ପଢ଼ାସାଥୀ । ଏତେ ଦୁଃଖ ଭିତରେ କାଳ କାଟି ସୁଦ୍ଧା ତାଙ୍କ ମାଆଙ୍କ ହୃଦୟରେ ସ୍ଵାଧୀନତା ସିପାହୀଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସହାନୁଭୂତି ଥାଏ । ମୁଁ ସେଠାରେ ଯାଇ ପ୍ରାୟ ତିନିଦିନ ରହିଗଲି । ଏତିକିବେଳେ କେତୋଟି କାର୍ଯ୍ୟ କରିବା ସମ୍ଭବ ହୋଇପାରିଲା ।

 

କଟକରୁ ସିନା ବୁଲେଟିନ୍ ବାହାରିଲା ଏବଂ ବଣ୍ଟନର ବ୍ୟବସ୍ଥା ହୋଇଗଲା–ମାତ୍ର ମୋର ଲକ୍ଷ୍ୟ ହେଲା କଟକ ଜିଲ୍ଲାର ମଫସଲ ଅଞ୍ଚଳ ଏବଂ ତା’ପରେ ପ୍ରଦେଶସାରା ସମ୍ବାଦ ପ୍ରେରଣ ଓ ସଂଗଠନ । କଟକ ଜିଲ୍ଲାର ଯେଉଁ ସବୁ ଅଞ୍ଚଳରେ ଲୋକ ଜେଲ ଯାଇ ନଥିଲେ, ଅନୀଲଙ୍କଦ୍ଵାରା ସେମାନଙ୍କୁ ଡକାଇ ସେମାନଙ୍କ ସହ ସମ୍ପର୍କ ସ୍ଥାପନର ଉଦ୍ୟମ କରାଗଲା ଓ ସମ୍ବାଦ, ନିର୍ଦ୍ଦେଶ ଓ ବୁଲେଟିନ୍ ପ୍ରେରଣ ଲାଗି ଯୋଜନା ହେଲା । ବିଭିନ୍ନ କେନ୍ଦ୍ରରୁ ମୋ ପାଖକୁ ସିଧାସଳଖ କେମିତି ରିପୋର୍ଟ ଆସିପାରିବ, ସେଥିପାଇଁ ବିଭିନ୍ନ ସ୍ଥାନ ଲାଗି ବିଭିନ୍ନ ପ୍ରକାର ଢଙ୍ଗରେ ଆୟୋଜନ ହେଲା । ଯେଉଁମାନେ କିଛି କରିବାଲାଗି ଚିନ୍ତା କରୁଥିଲେ ସେମାନଙ୍କୁ କିଛି ଜଣା ନଥିଲା ଓ ସେମାନେ କିଛି ନିର୍ଦ୍ଦେଶ ପାଇପାରୁ ନଥିଲେ ବୁଲେଟିନ୍ ବାହାରିଗଲା ପରେ ସେମାନେ କଟକ ଆସିବାକୁ ଆରମ୍ଭ କଲେ । ସନ୍ଧାନ ନେବାଲାଗି ଏବଂ ଦ୍ଵିତୀୟରେ ପୁଲିସ ମୋତେ ଗିରଫ୍‍ କରିବା ଲାଗି ଯେ ବାରମ୍ବାର କଟକ ସହରରେ ଖାନ୍‍ତଲାସ୍ କଲେ, ସେଥିରୁ ଏହା ମଧ୍ୟ ଜଣାପଡ଼ିଗଲା ଯେ ମୁଁ କଟକରେ କେଉଁଠି ରହି ଏ କାର୍ଯ୍ୟ ସବୁ କରାଉଛି ।

 

କଟକରେ ସାଧାରଣ ଭାବରେ ନବକୃଷ୍ଣ ଚୌଧୁରୀଙ୍କ ଘର ସବୁ କର୍ମୀଙ୍କର ପରିଚିତ । ମୁଖ୍ୟତଃ ସେଠିକି ସମସ୍ତେ ଆସନ୍ତି ଖବର ଜାଣିବା ନିମନ୍ତେ । ସେମାନଙ୍କ ପରିବାରର ସମସ୍ତେ ଥାଆନ୍ତି ବନ୍ଦିଶାଳାରେ–କେବଳ ନବବାବୁଙ୍କର ଚଉଦବର୍ଷର ଝିଅ ଉତ୍ତରା ଓ ବୁଢ଼ୀମା ଘରେ ଥାଆନ୍ତି । ମୁଁ ଗୋପନ–ବାସରେ ରହିବା ଭିତରେ ଥରେ ଯାଇ ସେମାନଙ୍କୁ ଦେଖା କରି ଆସିଥାଏ-। ଉତ୍ତରାର ଡାକନାମ ବୁବୁ–ସେ ଜେଲ୍‍ଖାନାକୁ ଯାଉଥାଏ ମା’ ମାଳତୀ ଦେବୀଙ୍କ ସହ ସାକ୍ଷାତ୍ କରିବା ନିମନ୍ତେ ଏବଂ ଏଣେ କିଛି କିଛି ସମ୍ବାଦ ଆଣି ଆମକୁ ଯୋଗାଉଥାଏ । ବୁଲେଟିନ୍ ବାଣ୍ଟିବାରେବି ସେ ସମ୍ପୃକ୍ତ ହୋଇଗଲା । ଯେଉଁ ପରିବାରରେ ତାହାର ଜନ୍ମ ତା’ର ପ୍ରଭାବ ତ ତା’ ଉପରେ ନିଶ୍ଚୟ ପଡ଼ୁଥିଲା; ତା’ଛଡ଼ା ଏଡ଼େ ବଡ଼ ବିଦ୍ରୋହାଗ୍ନି ତା’ର ଆଖି ଆଗରେ ଚାରିଆଡ଼େ ବ୍ୟାପୁଥିଲାବେଳେ ତା’ର ତରୁଣ ମନ ସ୍ଥିର ହୋଇ ରହନ୍ତା କେତେକେ ! ପୁଲିସ ଯେତେବେଳେ ମତେ ଧରି ପାରିଲେ ନାହିଁ କିମ୍ବା ବୁଲେଟିନ୍ ପ୍ରକାଶ ଓ ପ୍ରଚାରରେ କିଛି ବାଧା ପଡ଼ୁଛି ବୋଲି ଅନୁଭବ କଲେ ନାହିଁ, ସେତେବେଳେ ବ୍ୟସ୍ତ ହୋଇ ସନ୍ଦେହଜନକ ସ୍ଥାନ ଉପରେ ନିଜର ଦମନ ପ୍ରୟୋଗ କରିଦେଲେ । ବୁଢ଼ୀମା ଏକୁଟିଆ ହୋଇଯିବ–କେହି ଦେଖିବାକୁ ନାହିଁ–ପୁଲିସ ଏ ବିଷୟ ମାନବିକ ଦୃଷ୍ଟିକୋଣରୁବି ଟିକିଏ ବିଚାରକୁ ନ ନେଇ ଓ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନ ପାଇ ସୁଦ୍ଧା ବୁବୁକୁ ଗିରଫ୍‍ କରି ଅଟକବନ୍ଦୀ କରିଦେଲେ । ତା’ପରେ ଅବଶ୍ୟ ମୁଁ ପୁଣି ଥରେ ଯାଇ ବୁଢ଼ୀମାଙ୍କୁ ସାନ୍ତ୍ଵନା ଦେଇ ଆସିଲି । ମାତ୍ର ସେ ତ ଜୀବନରେ ଏମିତି ବହୁ ଦୁଃଖ ବିପଦର ସମ୍ମୁଖୀନ ହୋଇଆସିଛନ୍ତି–ବିଚଳିତ ହେବେ କାହିଁକି ? ବରଂ ମୁଁ ଯେମିତି ସାବଧାନରେ ରହେ ଓ ପୁଲିସ ମୋର ସନ୍ଧାନ ପାଇ ନ ପାରନ୍ତି ସେଥିଲାଗି ସତର୍କ ରହିବା ନିମନ୍ତେ ମତେ ଉପଦେଶ ଦେଲେ-। ମୁଁ ଦୂର ଜାଗାରେ ରହିଥାଏ; କୌଣସି ଯାନବାହନରେ ନ ଆସି ସନ୍ଧ୍ୟା ପରେ ଝିପିରି ଝିପିରି ବର୍ଷା ଭିତରେ ମାରୁଆଡ଼ିଙ୍କ ପରି ଡାହାଣ ଆଡ଼ୁ ଧୋତି ପିନ୍ଧି, ମୁଣ୍ଡରେ କଳା ଟୋପି ଲଗାଇ ଓ ଛତାରେ ମୁହଁ ଲୁଚାଇ ଚାଲି ଚାଲି ଆସେ । ଅନେକ ମାରୁଆଡ଼ି ଭଦ୍ରବ୍ୟକ୍ତି ଏମିତି ନଈକୂଳରେ ବୁଲିବାକୁ ଆସନ୍ତି ସନ୍ଧ୍ୟାବେଳେ; ତେଣୁ ପୁଲିସ ନଜର ସେଥିରେ ବେଶି ପଡ଼େନା ।

 

ସରକାର ଭାବୁଥିଲା ମତେ ଧରିନେଲେ ଆନ୍ଦୋଳନ ବୃଦ୍ଧି ପାଇବା ଆଉ ସମ୍ଭବ ହେବନାହିଁ । କାରଣ ସରକାରୀ ରିପୋର୍ଟ ଅନୁସାରେ ସେପର୍ଯ୍ୟନ୍ତ ଓଡ଼ିଶାରେ ଆନ୍ଦୋଳନ ସେପରି ପ୍ରବଳ ଆକାର ଧାରଣା କରି ନଥିଲା । ଯାହାସବୁ ହେଲା ତାହା ୧୯୪୨ ଅଗଷ୍ଟ ମାସର ଶେଷଆଡ଼କୁ । ଏକଥା ଏକ ସରକାରୀ ପୁସ୍ତକରେ ବର୍ଣ୍ଣିତ ଅଛି । “ଅଗଷ୍ଟ ମାସ (୧୯୪୨) ଶେଷ ଆଡ଼କୁ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଭୀଷଣ ଆକାର ଧାରଣ କଲା । ସରକାରୀ କର୍ତ୍ତୃତ୍ଵର ପ୍ରକାଶ୍ୟ ଅବମାନନା କରି ସାରା ପ୍ରଦେଶରେ ପ୍ରବଳ ଆନ୍ଦୋଳନ ଆରମ୍ଭ ହୋଇଗଲା । ଏହି ସମୟ ଭିତରେ ଯାହା ସବୁ କାଣ୍ଡ ଘଟିଲା ତାହାର ବିଶେଷତ୍ୱ ହେଉଛି ଚାରିଆଡ଼େ ହିଂସାମୂଳକ କାର୍ଯ୍ୟ । କଂଗ୍ରେସ ଆନ୍ଦୋଳନରେ କେବେ ଏମିତି ହୋଇ ନଥିଲା । ଦେଶର ପ୍ରତିଷ୍ଠିତ ନେତାମାନଙ୍କର ଗିରଫ୍‍ଦାରି ହେତୁ ଲୋକଙ୍କ ମନରେ ପ୍ରବଳ ପ୍ରତିକ୍ରିୟା ଜାତ ହେଲା । କଂଗ୍ରେସ ସଂଗଠନ ବିରୁଦ୍ଧରେ ସରକାର ଯାହା ସବୁ ଦମନମୂଳକ ଆଇନ ପ୍ରୟୋଗ କଲେ ତଦ୍ଦ୍ଵାରା ଇଂରେଜ ସରକାର ବିରୁଦ୍ଧରେ ଲୋକଙ୍କ ଭିତରେ ଜଳୁଥିବା ବିଦ୍ରୋହନିଆଁ ଦ୍ଵିଗୁଣିତ ହୋଇଉଠିଲା-। ସ୍ଥାନୀୟ ନେତାମାନେ ମଧ୍ୟ ଲୋକଙ୍କ ଭିତରେ ଏକ ବିଶ୍ୱାସ ଜନ୍ମାଇଦେଲେ ଯେ, ସ୍ଵରାଜ୍ୟ ହେବା ନିଶ୍ଚିତ–ତେଣୁ ଯେକୌଣସି ପ୍ରକାର ବେଆଇନ କାର୍ଯ୍ୟ ସେମାନେ କରିପାରନ୍ତି । ଲୋକେ ସବୁ କଟକଣା ଭାଙ୍ଗିଲେ । ସରକାରୀ କର୍ତ୍ତୃତ୍ଵକୁ ପ୍ରକାଶ୍ୟରେ ଅବଜ୍ଞା ଦେଖାଇଲେ ଏବଂ ନାନାପ୍ରକାର ବେଆଇନ କାର୍ଯ୍ୟରେ ଲିପ୍ତ ହେଲେ । ସେମାନଙ୍କର ବିଶ୍ୱାସ ହେଲା ଯେ ଏପରି କାର୍ଯ୍ୟମାନ ଯେତେ ବେଶି ହେବ, ସେତେ ଶୀଘ୍ର ଆନ୍ଦୋଳନର ଲକ୍ଷ୍ୟ ସାଧିତ ହେବ । ଘରପୋଡ଼ି, ଲୁଟ, ଷଡ଼ଯନ୍ତ୍ରମୂଳକ ଭଙ୍ଗାରୁଜା କାମ ସମଗ୍ର ପ୍ରଦେଶରେ ବିଭିନ୍ନ ସ୍ଥାନରେ ହେବାକୁ ଲାଗିଲା । ବିରାଟ ଜନତା ଏ କାମ ଲାଗି ବାହାରିଆସିଲେ । ସେମାନଙ୍କୁ ଆୟତ୍ତାଧୀନ କରିବା ମୁସ୍କିଲ୍ ହେଉଥିଲା-। ପୁଣି ତାହା ସାଙ୍ଗକୁ ସହରମାନଙ୍କରେ ଛାତ୍ରମାନେ ଆଇନଭଙ୍ଗ କାର୍ଯ୍ୟ କରିବାରେ ଲାଗିଲେ-। ତେଣେ ଜେଲ ଭିତରେ ଯେ ଅଟକବନ୍ଦୀ ଓ ଅନ୍ୟ ରାଜବନ୍ଦୀମାନେ ରହିଥିଲେ, ସେମାନେ ଜେଲ ଭିତରର ଆଇନଶୃଙ୍ଖଳା ଭଙ୍ଗ କଲେ ଏବଂ ଜେଲ କର୍ତ୍ତୃପକ୍ଷଙ୍କୁ ହଇରାଣ କରିବା ନିମନ୍ତେ ଜେଲ ଶୃଙ୍ଖଳା ଭଙ୍ଗକରି ନାନାପ୍ରକାର ବେଆଇନ କାର୍ଯ୍ୟ କରିବାପାଇଁ ଅନ୍ୟ କଏଦୀମାନଙ୍କୁ ମତାଇବାରେ ଲାଗିଲେ ।” ଏହିଭଳି ଭାବରେ ବ୍ରିଟିଶ ଗଭର୍ଣ୍ଣମେଣ୍ଟର ସତ୍ତା ଲୋପ କରିବା ନିମନ୍ତେ ପ୍ରଦେଶବ୍ୟାପୀ ପ୍ରବଳ ଆନ୍ଦୋଳନ ଆରମ୍ଭ ହୋଇଗଲା ଏବଂ ସରକାରୀ କର୍ମଚାରୀଙ୍କ ଭିତରେ ଆତଙ୍କ ସୃଷ୍ଟି କରାଗଲା ।

 

ଏଥିରୁ ଲକ୍ଷ୍ୟ କରିବାର କଥା ଯେ, ଅଗଷ୍ଟ ନ’ରେ ନେତାମାନେ ଗିରଫ୍‍ ହୋଇଯିବା ସାଙ୍ଗେ ସାଙ୍ଗେ ପ୍ରଥମ ଦୁଇ ସପ୍ତାହ ଭିତରେ ବ୍ରିଟିଶ ଶାସନକୁ ଧ୍ଵଂସ କରିବା ନିମନ୍ତେ ଚାରିଆଡ଼େ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ ହୋଇଯାଇଥିଲା; ମାତ୍ର ଆମ ଓଡ଼ିଶାରେ ଏହି ଆନ୍ଦୋଳନ ଏକ ରୂପ ନେବା ନିମନ୍ତେ କିଛି ସମୟ ଲାଗିଲା । ମୁଁ ଏଠାରେ ସଂଗଠନ ଛିଡ଼ାକରିବା ପରେ ଏପରି ହୋଇଗଲା ଭାବିବା ଠିକ୍ ନୁହେଁ । ଲୋକେ ବିଭିନ୍ନ ସ୍ଥାନରେ ଏଥିପାଇଁ ପ୍ରସ୍ତୁତ ହେଉଥିଲେ । ସେଗୁଡ଼ିକ ମିଳିତ ଆକାରରେ ଏକ ସାଙ୍ଗଠନିକ ରୂପ ପାଇଲା ଏବଂ ବେଶି ଦିନ ଚାଲୁ ରଖିବା ନିମନ୍ତେ ବ୍ୟବସ୍ଥା ହୋଇ ପାରିଲା । ପୂର୍ବର ଅସହଯୋଗ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶା ପଛାଇ ନଥିଲା । ୧୯୪୨ରେ ପ୍ରାୟ ସବୁ ମୁଖ୍ୟ କଂଗ୍ରେସ ଲୋକ ଆଗରୁ ଧରାହୋଇଯାଇଥିଲେ; ଯେ କେତେକ ବାହାରେ ଥିଲେ ସେଥିରୁ କେତେଜଣ ପୁଲିସ ପାଖରେ କ୍ଷମା ମାଗି ନେଉଥିଲେ କିମ୍ବା ଅତି ଭୟରେ ରହୁଥିଲେ । ଏସବୁ ସତ୍ତ୍ଵେ ୧୯୪୨ର “କର ବା ମର” ବିଦ୍ରୋହରେ ଓଡ଼ିଶାର ବିଦ୍ରୋହୀ ଜନତା ଅଦ୍ଭୁତ ଶକ୍ତି, ସାମର୍ଥ୍ୟ ଓ ସଂଗଠନର ପରିଚୟ ଦେଇଛନ୍ତି ।

 

ଅନୀଲ କୁମାର ଘୋଷଙ୍କ କାଠଗଡ଼ାସାହି ଘରେ ମୋ ପକ୍ଷରେ ବେଶି ଦିନ ରହିବା ଠିକ୍ ହୋଇ ନଥାନ୍ତା; ମାତ୍ର ସେ ପର୍ଯ୍ୟନ୍ତ ଆମର ଅଲିସାବଜାରର ସ୍ଥାୟୀ କେନ୍ଦ୍ର ଅଫିସ୍ ହେବା ଘରକୁ ଯିବାଭଳି ବ୍ୟବସ୍ଥା ହୋଇପାରି ନଥିଲା । ଆଶ୍ରୟପାଇଁ କେଉଁଠିକି ଯିବି ? ଏତିକିବେଳେ ପ୍ରକୃତରେ ପୁଲିସହିଁ ମତେ ବାଟ ଦେଖାଇଦେଲେ । ମୁଁ କାଠଗଡ଼ାସାହିରେ ଥିବାବେଳେ ହଠାତ୍ ପୁଲିସ ଦୋଳମୁଣ୍ଡାଇ ପାଖ ପିଠାପୁରରେ ଶେଠ ଶେଓଚାନ୍ଦ ରାୟଙ୍କର ବିରାଟ ବଗିଚା ଓ ଘରକୁ ଘେରାଉ କରିବାର ସମ୍ବାଦ ପାଇଲି । ଶେଠ ଶେଓଚାନ୍ଦ ରାୟ ଥିଲେ କଟକ ମାଲଗୋଦାମର ଦଲାଲି ବ୍ୟବସାୟୀ । ବରାବର କଂଗ୍ରେସପ୍ରେମୀ–୧୯୩୨ ଆଇନ ଅମାନ୍ୟ ଆନ୍ଦୋଳନରେ ଜେଲ ବରଣ କରିଥାଆନ୍ତି । କଂଗ୍ରେସ କମିଟି ଆଦିର ସଭ୍ୟ ଥାଆନ୍ତି; ମାତ୍ର ଅନ୍ୟ କୌଣସି ପ୍ରତ୍ୟକ୍ଷ କାର୍ଯ୍ୟରେ ସମ୍ପୃକ୍ତ ହୋଇ ନଥାନ୍ତି । ୧୯୪୨ ଆନ୍ଦୋଳନବେଳକୁ ତାଙ୍କର ବୟସବି ବେଶି ହୋଇଯାଇଥିଲା ଓ ସେ ଧର୍ମକାମରେ ବେଶି ମନ ଦେଉଥିଲେ । ତାଙ୍କର ହିମାଚଳର ଗୁରୁବାବାଙ୍କୁ ଆଣି ନିଜ ଘରେ ରଖିଥାଆନ୍ତି । ତାଙ୍କରି ଘର ଆଗରେ ଗୋଟିଏ ଛୋଟ ଛାତ୍ର ମେସ୍ ଥାଏ । ସେଠାରେ ବନମାଳୀ ପଟ୍ଟନାୟକ ଓ ଜୟକୃଷ୍ଣ ମହାନ୍ତି ଆଦି ରହୁଥାଆନ୍ତି । ସେମାନେ ଗୁପ୍ତ ବୁଲେଟିନ୍ ବଣ୍ଟନ କାର୍ଯ୍ୟ ସହ ସମ୍ପୃକ୍ତ ହୋଇପଡ଼ିଲେ । ସେତେବେଳକୁ ପୁଲିସର ବେଶି ସନ୍ଦେହ ଛାତ୍ରମାନଙ୍କ ପ୍ରତି । ତେଣୁ ପୁଲିସ ଏହି ମେସ୍ ଉପରେ ଚଢ଼ାଉ କଲେ ଏବଂ ତାହା ସଙ୍ଗେ ସଙ୍ଗେ ମୁଁ ବୋଧହୁଏ ଶେଠ ଶେଓଚାନ୍ଦ ରାୟଙ୍କ ବଗିଚା ଭିତରେ ଆଶ୍ରୟ ନେଇ ଏମାନଙ୍କୁ ପରିଚାଳନା କରୁଛି ଭାବି ଅନ୍ୟ ସ୍ଥାନ ପରି ସେଠାରେବି ବଡ଼ିଭୋରରୁ ଖାନ୍‍ତଲାସ୍ କଲେ–ମାତ୍ର ନିରାଶ ହୋଇ ଫେରିଲେ–ମୋର କୌଣସି ସଂକେତ ସୁଦ୍ଧା ପାଇଲେ ନାହିଁ । ଶେଓଚାନ୍ଦଜୀଙ୍କର ମଧ୍ୟ ଛାତ୍ରମେସ୍ ସହିତ କିଛି ସମ୍ପର୍କ ନଥିଲା । ପୁଲିସ ଏକପ୍ରକାର ସନ୍ତୁଷ୍ଟ ହୋଇ ଫେରିଲେ ଯେ, ପ୍ରକୃତରେ ଶେଠଜୀଙ୍କର କୌଣସି ପ୍ରକାର ବେଆଇନ କାର୍ଯ୍ୟ ସହ ଆଉ ସମ୍ପର୍କ ନାହିଁ । ଏହା ଶୁଣିଲା ପରେ ମୁଁ ବିଚାରିଲି–ମୁଁ ଅକ୍ଳେଶରେ ଯାଇ ତାଙ୍କ ଘରେ କିଛିଦିନ ରହିପାରିବି । ପ୍ରଦେଶର ବିଭିନ୍ନ ସ୍ଥାନ ଓ ବ୍ୟକ୍ତିଙ୍କ ସହ କିଭଳି ସମ୍ପର୍କ ସ୍ଥାପନ କରାଯିବ ସେଥିଲାଗି ଟିକିଏ ଉଦ୍ୟମ କରି ମୁଁ ହଠାତ୍ ଦିନେ ସନ୍ଧ୍ୟାବେଳେ ଯାଇ ଶେଠଜୀଙ୍କ ଘରେ ପହଞ୍ଚିଲି । ସେ ମତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କ’ଣ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ମନା ତ କରନ୍ତେ ନାହିଁ–ମାତ୍ର ପୁଲିସ ଯେତେବେଳେ ଏ ସ୍ଥାନ ଉପରେ ସନ୍ଦେହ କରୁଛନ୍ତି, ସେଥିରେ ମୋ ପକ୍ଷରେ ସେଠାରେ ରହିବା ନିରାପଦ ହେବ କି ! ମୁଁ ତାଙ୍କ ପାଖରୁ ଗିରଫ୍‍ ହୋଇଗଲେ ଆନ୍ଦୋଳନରେ ବାଧା ପହଞ୍ଚିବ ଏବଂ ତାଙ୍କୁ ଆମ ଅପବାଦ ମିଳିବ ଏଥିଲାଗି ସେ ବେଶି ଚିନ୍ତିତ ହୋଇପଡ଼ିଲେ । ମାତ୍ର ଅରକ୍ଷିତକୁ ଦଇବ ସାହା । ସେ ତାଙ୍କ ଗୁରୁବାବୁଙ୍କୁ ଯାଇ ପଚାରିଲେ ଏବଂ ଗୁରୁବାବା ପରାମର୍ଶ ଦେଲେ–ନିର୍ଭୟରେ ତାଙ୍କୁ ରହିବାକୁ ଦିଅ । ତାଙ୍କର ଏଠୁ ଗିରଫ୍‍ ହେବାର ବିପଦ ନାହିଁ । ମୁଁ ସେମିତି ପରଦେଶୀ ମାରୁଆଡ଼ି ଭାବରେ ସେଠି ରହିଲି । ଆମର ଏକ ବିଶେଷ ଅସୁବିଧା ଦୂର କରିବାର ଭାର ଶେଠଜୀ ନେଲେ–ଯେତେ ଲିଥୋ କାଗଜ ଓ କାଳି ବୁଲେଟିନ୍ ବାହାର କରିବା ନିମନ୍ତେ ଦରକାର ହେବ ତାହା ସେ ଯୋଗାଇଦେବେ । ଆଉ କେହି ଜାଣିବେ ନାହିଁ । ମୋର ସାହାଯ୍ୟକାରୀ ଭିକାରୀ ଆସି ନେଇଯାଉଥିବ । ମଥୁରୀବି ଯାଇ କେତେ ଥର ଆଣିଛି ।

 

ଏଠି ରହିବାରେ ଆଉ ଏକ ଫାଇଦା ହେଲା ଯେ ଗୁରୁଜୀବାବାଙ୍କ ପାଖରେ ସନ୍ଧ୍ୟାବେଳେ ଯେଉଁ ଜମାଏତ୍ ହୁଏ ସେଠାରେ ମୁଁ କିଭଳି ଛଦ୍ମବେଶରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲୁଛି ଓ ପୁଲିସକୁ ବାଁକାଳି ଦେଉଛି, ତାହାର ବର୍ଣ୍ଣନା ସେ କରନ୍ତି । ବହୁତ ଲୋକ ଜୁଟନ୍ତି । ତେଣୁ ଲୋକମୁଖରେ ପ୍ରଚାର ହେଲା–ମୁଁ କଟକରେ ନାହିଁ । ପୁଲିସ ବୃଥାରେ ଘାଣ୍ଟି ହେଉଛି । ଏହା କେତେକ ପରିମାଣରେ କଟକରେ ରହିବା ଲାଗିବି ମୋତେ ସୁଯୋଗ ହେଲା ।

☆☆☆

 

Unknown

ରାମାନନ୍ଦନ ମିଶ୍ର ଓ ଏଲ୍. ପି. ସିଂହ

 

ଦୋଳମୁଣ୍ଡେଇରୁ ମୋର ଅଲିସାବଜାର ମୁଖ୍ୟ କେନ୍ଦ୍ରକୁ ଯିବାର କଥା । ଘର ପରିଷ୍କାର–ରହିବା ଉପଯୋଗୀ ହୋଇଛି–ସବୁ ବ୍ୟବସ୍ଥା ହୋଇଛି । ସେଠାରେ ରୋଷେଇ କରିବି ଖାଇପାରିବି । ଚଳିବାରେ ଓ କାମ କରିବାରେ କିଛି ଅସୁବିଧା ରହିବ ନାହିଁ । ଖବର ପହଞ୍ଚିଲା ଯିବାଲାଗି–ମୁଁ ପ୍ରସ୍ତୁତ ହେଉଛି, ସନ୍ଧ୍ୟା ହେଲେ ବାହାରିବି । ଠିକ୍ ଏହି ସମୟରେ ଆଉ ଏକ ବାର୍ତ୍ତାବହ ଆସି ଜଣାଇଲେ ଯେ ରାମନନ୍ଦନ ମିଶ୍ର ଆସିଛନ୍ତି । ସେ ମୋ ସହ ଦେଖାକରିବେ ଏବଂ ତା’ପରେ ଏଠା କାମସାରି ତୁରନ୍ତ ବାହାରିଯିବେ । ଆଜିହିଁ ଦେଖାହେବା ଦରକାର । ମୋର ପରାମର୍ଶ ବିନା ସେ ଏଠାରେ କୌଣସି କାମରେ ହାତ ଦେଇପାରିବେ ନାହିଁ । ମୁସ୍କିଲ୍‍ରେ ପଡ଼ିଲି; ତାଙ୍କୁ ଏ ସ୍ଥାନକୁ ଆଣିବା ମୋର ଇଚ୍ଛା ନୁହେଁ । ମୋର ମୁଖ୍ୟ କେନ୍ଦ୍ରକୁ ବହୁଲୋକ ଜାଣିବାର ମୁଁ ପକ୍ଷପାତୀ ନଥିଲି । ତାହା ଛଡ଼ା ସେ ମଧ୍ୟ ଏମିତି ଭାବରେ ଆସିବା ଉଚିତ ଯେପରି କେହି ଜାଣି ନ ପାରନ୍ତି ।

 

ରାମନନ୍ଦନ ଥିଲେ ନିଖିଳ ଭାରତ କିଷାନ୍ ସଭାର ସମ୍ପାଦକ–ପାର୍ଟିର ଜଣେ ମୁଖ୍ୟ ସଂଗଠକ–ବିହାରବାସୀ; ମୋ ସହିତ ଘନିଷ୍ଠତା ଥିଲା । ବଡ଼ ସାହସୀ ଓ ଦୁର୍ଜୟ ବ୍ୟକ୍ତି । ବମ୍ୱେରେ ମୋର ତାଙ୍କ ସହ ଭେଟ ଓ ଆଲୋଚନା ହୋଇଥିଲା । ମାତ୍ର ସେ ଛପିରହି ଆସି ଓଡ଼ିଶାର ଆନ୍ଦୋଳନରେ ଆଗ୍ରହ ପ୍ରକାଶ କରିବେ, ଏହା ମତେ ଜଣା ନଥିଲା । ବମ୍ବେରେ ସବୁ ନେତା ଗିରଫ୍‍ ହେଲାପରେ ଯେଉଁ ଗୁପ୍ତ ସଂଗଠନର ଯୋଜନା କରାଗଲା, ତାହାର ଏକ ମୁଖ୍ୟ କେନ୍ଦ୍ର ହେଲା କଲିକତାରେ । କଥା ଥିଲା, ଏହି ଗୁପ୍ତ ସଂଗଠନ ସହ ରାମମନୋହର ଲୋହିଆ, ଅରୁଣା ଆସଫ ଅଲ୍ଲୀ, ଏବଂ ରାମନନ୍ଦନ ମିଶ୍ର ଆଦି ସମ୍ପର୍କ ରଖିବେ । ରାମନନ୍ଦନ ମୁଖ୍ୟତଃ ବିହାର ଆନ୍ଦୋଳନ ପରିଚାଳନା କରିବା ଦାୟିତ୍ଵରେ ଥାନ୍ତି, ମାତ୍ର ସେ ବମ୍ବେରୁ ଫେରୁ ଫେରୁ ବିହାରରେ ପ୍ରଳୟକାଣ୍ତ ହୋଇଯାଇଥାଏ । ଚାରିଆଡ଼େ ଖଣ୍ଡଯୁଦ୍ଧ–ରେଳ ଯାତାୟାତ ବନ୍ଦ–ସରକାରୀ ଅଫିସ୍ ପୋଡ଼ା ଓ ଅଚଳ–ଲୋକେ ଆପଣାଛାଏଁ ବାହାରିପଡ଼ି ଯାହାକୁ ଯେମିତି ବୁଦ୍ଧି ଦିଶିଲା ସେଭଳି ସରକାରୀ କଳକୁ ଅଚଳ କରିବାରେ ଲାଗିପଡ଼ିଥିଲେ । ଗାନ୍ଧିଜୀ ଯାହା କହିଥିଲେ–ନିଜେ ନିଜର ନେତା ହୁଅ–ଏହି ବାକ୍ୟକୁ ବିହାର ଜନତା ବାସ୍ତବରେ ବହୁସ୍ଥାନରେ ଅକ୍ଷରେ ଅକ୍ଷରେ ପାଳନକରିଥିଲେ । ସବୁ ପ୍ରଦେଶ ଲାଗି ଅଣ୍ଡରଗ୍ରାଉଣ୍ଡ୍ ସଂଗଠନର ଯୋଗାଯୋଗ ହୋଇସାରିଥିଲା; ମାତ୍ର ଓଡ଼ିଶା ସହ କିଛି ସମ୍ପର୍କ ସ୍ଥାପନ ହୋଇପାରି ନଥିଲା । ମୁଁ ଅଣ୍ଡରଗ୍ରାଉଣ୍ତ୍‍ରେ ଅଛି କେବଳ ଏତିକି ନେତାମାନଙ୍କୁ ଜଣାଥିଲା । ମୋ ସହିତ ସମ୍ପର୍କ ରକ୍ଷା ହୋଇପାରି ନଥିବାରୁ ଦକ୍ଷିଣପୂର୍ବ ରେଳବାଇକୁ ଅଚଳ କରିଦେବା କାମ ପୂରା ହୋଇପାରୁ ନଥାଏ-। ସେତେବେଳେ ଏ ରେଳବାଇର ନାମ ଥାଏ ବେଙ୍ଗଲ ନାଗପୁର ରେଲୱେ (ବି.ଏନ୍.ଆର)-। ଏକ ଘରୋଇ କମ୍ପାନୀ ଏହାର ମାଲିକ ଥାଏ । ଦକ୍ଷିଣ-ପୂର୍ବ ଅଞ୍ଚଳରେ ଖୁବ୍ ସେନା ପରିଚାଳନା କରାଯାଉଥାଏ; ବ୍ରହ୍ମଦେଶ ମଧ୍ୟ ଇଂରେଜଙ୍କ ଅଧୀନରେ ଓ ଭାରତ ସହ ଏକଶାସନାଧୀନରେ ରହିଥାଏ ।

 

ଆମ ଅଣ୍ଡରଗ୍ରାଉଣ୍ଡ୍ ବିପ୍ଳବୀଙ୍କର ଏକ କଳ୍ପନା ହେଲା ବିଶାଖାପାଟଣାଠାରୁ ଖଡ଼ଗପୁର ଏବଂ ତେଣେ ଖଡ଼ଗପୁରରୁ କଲିକତା ଯାତାୟାତକୁ କେମିତି ଏକଦମ୍ ବନ୍ଦ କରିବା । ତିନୋଟିଯାକ ପ୍ରଦେଶରେ ଏକସଙ୍ଗରେ ଉଦ୍ୟମ ନ କଲେ ହେବ ନାହିଁ । ପୁଣି ଯେଉଁସବୁ କାର୍ଯ୍ୟକ୍ରମ ଧାରାବାହିକ ଭାବରେ ସର୍ବତ୍ର କରାଯିବ, ସେଥିସହ ଯୋଗାଯୋଗ ଓ ସାମଞ୍ଜସ୍ୟ ରଖି ଆମର ଏଠି କାମ ହେବା ଦରକାର । ଏ ରେଳବାଇ ବନ୍ଦ କରିବାର କଳ୍ପନା ଖାଲି ଫିସ୍‍ପ୍ଲେଟ୍ କାଢ଼ି ଦେଇ ମିଲଟାରୀ ଟ୍ରେନ୍‍କୁ ଓଲଟାଇ ଦେବା ନୁହେଁ; କଳ୍ପନା ଥିଲା, ଏକା ସାଙ୍ଗରେ ଲୋକଙ୍କୁ ସଂଗଠିତ କରି ଶହ ଶହ ଲୋକ ଯାଇ ଯେପରି ରେଳଲାଇନ୍‍ରେ ପହଞ୍ଚି ଷ୍ଟେସନ୍ ଆଦି ପୋଡ଼ିଦେବେ ଏବଂ ରେଳଧାରଣାଗୁଡ଼ିକ ରେଳବନ୍ଧରୁ ଉଠାଇ ନେଇ ଦୂରରେ ଦରିଆ ବା ନଦୀରେ ଫିଙ୍ଗିଦେବେ । ସେତେବେଳେ ବର୍ଷାଦିନ ହେତୁ ସବୁ ଜଳଭଣ୍ଡାର ଭରପୂର ହୋଇ ରହିଥାଏ । ଏହି ଉଦ୍ଦେଶ୍ୟରେ ମୋର ଯୋଜନା ଉଲ୍ଲେଖ କରି ମୁଁ ଅଗଷ୍ଟ ୨୨ ତାରିଖରେ ଗୌରବାବୁଙ୍କୁ ଏକ ଚିଠି ଦେଇଥିଲି । ଗୌରବାବୁ ହେଉଛନ୍ତି ବାଲେଶ୍ଵରର ଗୌରଚନ୍ଦ୍ର ଦାସ । ସେ ଜଣେ ପୁରୁଣା ଯୋଦ୍ଧା, ନିର୍ଭୀକ, ତ୍ୟାଗୀ ଓ ସାଧୁ ସଂଗଠକ–୧୯୩୦ରୁ ଜାତୀୟ ଆନ୍ଦୋଳନ ସହ ସମ୍ପୃକ୍ତ । ସେ ଓ ତାଙ୍କ ପିତା ବିପିନବାବୁବି ଜେଲବରଣ କରିଥିଲେ । ଗୌରବାବୁ କଟକ ଆସି ମୋ ସହିତ ଦେଖା କରି ଫେରିଥାନ୍ତି ଏବଂ ବାଲେଶ୍ୱର ସଂଗଠନର ଭାର ନେଇଥାନ୍ତି । ତାଙ୍କ ଶଶୁରଘର ଥିଲା ଡଗରପଡ଼ାରେ । ତେଣୁ ସେ ଆସି ମୋ ସାଙ୍ଗରେ ଅଲିସାବଜାରରେ ଦେଖା କରି ଯିବାରେ ତାଙ୍କ ପକ୍ଷରେ କିଛି ଅସୁବିଧା ହେଲା ନାହିଁ । ସଂଗଠନର ସୁବିଧା ସକାଶେ ମୋର ନାମକରଣ ହେଲା C.O. (ସି.ଓ.) ଏବଂ ତାଙ୍କ ନାମକରଣ ହେଲା B.O. (ବି.ଓ.) । ତେଣୁ ବାଲେଶ୍ଵରରୁ ଯେତେ ଚିଠି ଆସୁଥିଲା, ତାହାସବୁ ସି.ଓ. ପାଖକୁ ଆସୁଥିଲା ଏବଂ ମୋ ପାଖରୁ ଯାହା ଯାଉଥିଲା, ତାହା ଯାଉଥିଲା ବି.ଓ. ପାଖକୁ । ମାହେର ଜଜ୍‍ସାହେବ ଆମ ବିଚାରବେଳେ ମୋର ସି.ଓ. ନାମରେ ବି.ଓ. ପାଖକୁ ଲେଖିଥିବା ଏକ ଚିଠିର ଉଲ୍ଲେଖ କରିଥିଲେ ଓ ଏଇଥିସକାଶେ ଗୌରବାବୁଙ୍କୁ ପୂର୍ଣ୍ଣରୂପେ ଷଡ଼ଯନ୍ତ୍ରୀ ବୋଲି ସାବ୍ୟସ୍ତ କରି ଆମ ସାଙ୍ଗରେ ଚାରିବର୍ଷ ସଶ୍ରମ କାରାଦଣ୍ଡ ଦେଲେ । ଆଜି ସେ ସାଥୀ ସ୍ଵର୍ଗତ । ମୋରି ସାଙ୍ଗରେ କଂଗ୍ରେସ ଛାଡ଼ିଲେ; ଆମେ ସାଙ୍ଗ ହୋଇ ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଥିଲୁ ଆଦି ସଭ୍ୟ । ପୁଣି ସୋସଲିଷ୍ଟ ପାର୍ଟି କଂଗ୍ରେସରୁ ଅଲଗା ହୋଇ ସଂଗଠନ କଲାବେଳେ ସେ ଥିଲେ ଜଣେ ପ୍ରଧାନ କର୍ଣ୍ଣଧାର । କୌଣସି ପ୍ରତିଦାନ ଆଶା କରି ନଥିଲେ; ଦିନେହେଲେ କଂଗ୍ରେସ ବା ସୋସଲିଷ୍ଟ ପାର୍ଟି ଟିକେଟରେ ଜିଲାବୋଡ଼୍‍ କି ବିଧାନସଭା ବା ପାର୍ଲିଆମେଣ୍ଟ୍‍କୁ ପ୍ରାର୍ଥୀ ହୋଇ ନଥିଲେ । ଓଡ଼ିଶାର ସାଧାରଣ ଜୀବନରେ ତାଙ୍କ ଭଳି ତ୍ୟାଗୀ ପୁରୁଷ ବିରଳ ।

 

ଗୌରବାବୁ ମୋଠାରୁ ବିଦାୟ ନେଲେ ଅଗଷ୍ଟ ୧୭ କିମ୍ବା ୧୮ରେ । ମୁଁ ଗୌରବାବୁଙ୍କୁ ଚିଠି ଦେଲି ଅଗଷ୍ଟ ୨୨ ତାରିଖରେ । ସେଥିରେ ଲେଖିଥିଲି–ରେଳତାର ଆଦି କାଟିଦିଅ ଏବଂ କଲିକତାଗାମୀ ମେଲ୍‍ଗାଡ଼ି ଯେମିତି ହେଲେ ବନ୍ଦ କରାଅ । ଦୁଇ ତିନି ଜାଗାରେ ରେଳଲାଇନ୍ କାଢ଼ି ଖୋଲିନେଇଯାଅ–ନିକଟବର୍ତ୍ତୀ ବଡ଼ ପୋଖରୀ ବା ନଦୀରେ ତାକୁ ଡୁବାଇଦିଅ । ଏମିତି ବହୁଜାଗାରେ କରିପାରିଲେ ଟ୍ରେନ୍ ଚଳାଚଳ ଆପଣା ଛାଏଁ ବନ୍ଦ ହୋଇଯିବ । କଲିକତାରୁ କଟକ ହେଉଛି ୨୫୪ ମାଇଲ । ସାରା ଲାଇନ୍‍ରେ ପୁଲିସ କି ମିଲିଟାରୀ ଜଗୁଆଳି ତ ରହିପାରିବେ ନାହିଁ-! ତେଣୁ ଏଭଳି ଢଙ୍ଗରେ ରେଳ ଚଳାଚଳ ବନ୍ଦ କରାଇବା ସହଜ ହେବ । ରାମନନ୍ଦନ ବିଦାୟ ନେଲା ପରେହିଁ ମୁଁ ଏ ଚିଠି ଲେଖିଥିବି । କାରଣ ରାମନନ୍ଦନ ବିଶେଷ ଭାବରେ ରେଳ ଚଳାଚଳ ବନ୍ଦ କରିବା ବିଷୟରେ ମୋ ସହିତ ଆଲୋଚନା କରିଥିଲେ । ମୁଁ ଯେତେବେଳେ ୨୨ ତାରିଖରେ ଏ ଚିଠି ଲେଖିଛି, ରାମନନ୍ଦନ ମୋ ସହିତ ୧୯ କିମ୍ବା ୨୦ ତାରିଖରେ ଦେଖା କରିଛନ୍ତି । ସ୍ଥିର କରାଗଲା, ମୁଁ କାଠଯୋଡ଼ୀ ନଦୀକୂଳେ ରାଜାବଗିଚା ତଳତେଲଙ୍ଗାବଜାରରେ ପ୍ରାଣନାଥ ମିଶ୍ରଙ୍କ ଘରକୁ ଯିବି । ତାଙ୍କ ଘର ସେତେବେଳକୁ ସନ୍ଦେହଜନକ ଅବସ୍ଥାକୁ ଆସି ନଥାଏ । ପରେ ଅବଶ୍ୟ ତାଙ୍କ ଘର ଖାନ୍‍ତଲାସ୍ ହେଲା; ସେ ଗିରଫ୍‍ ହୋଇ ବହୁଦିନ ଅଟକବନ୍ଦୀ ହୋଇ ରହିଲେ । ତାଙ୍କ ପୁତୁରା ସଚ୍ଚିବି ଗିରଫ୍‍ ହେଲେ ଓ ଆମ ଷଡ଼ଯନ୍ତ୍ର ମକଦ୍ଦମାରେ ଅଭିଯୁକ୍ତ ହେଲେ-। ପ୍ରାଣନାଥବାବୁଙ୍କର ବହି ଦୋକାନ ନାମ ଥିଲା ଓଡ଼ିଶା ବୁକ୍ ଏମ୍ପୋରିୟମ୍–ସେହି ଠିକଣାରେ ଆମର ଚିଠିପତ୍ର ଚୋରା ଭାବରେ ଆସୁଥାଏ । ଖଣ୍ଡିଏ ଚିଠିରେ ବ୍ରହ୍ମପୁରରେ ଘନଶ୍ୟାମ ପଟ୍ଟନାୟକ ଭୁଲ ଠିକଣା ଲେଖିଦେଇଥିବାରୁ ତାହା ଧରାପଡ଼ିଗଲା ଏବଂ ୟାଙ୍କ ଠିକଣାରେ ଆସୁଛି ବୋଲି ଜଣାପଡ଼ିଯାଇଥିଲା । ତାଙ୍କରି ଘରେ ରାତିରେ ମୋର ଭେଟ ହେଲା ରାମନନ୍ଦନ ମିଶ୍ରଙ୍କ ସହ ।

 

ରାମନନ୍ଦନ ଏମିତି ଆସିବେ ବୋଲି ମୁଁ ଆଶା କରି ନଥିଲି । ତାଙ୍କଠୁଁ ବିଭିନ୍ନ ପ୍ରଦେଶରେ କ’ଣ କେମିତି ହେଉଛି ତା’ର କିଛି ସୂଚନା ପାଇଲି । କଲିକତାରେ ଯୋଗାଯୋଗ ରଖିବାର ସୂତ୍ର ଓ ଠିକଣା ଆଦି ସେ ଦେଇଥିଲେ । ମାତ୍ର ସେ ଜୋର୍ ଦେଲେ ଦୁଇଟି କାର୍ଯ୍ୟରେ–ଗୋଟିଏ ହେଲା ରେଳ ଚଳାଚଳ ବନ୍ଦ କରିବା । ବିହାର ଓ ଉତ୍ତର ପ୍ରଦେଶରେ ଜନତା ମାତିଥିବାରୁ ମେନ୍ ଲାଇନ୍ ବନ୍ଦ ହୋଇ ଯାଇଥାଏ । ଦକ୍ଷିଣପୂର୍ବ ଲାଇନ୍ ଏକମାତ୍ର ବାଟ–ଏଥିରେ ସୈନ୍ୟ ଚଳାଚଳ ଓ ଅନ୍ୟ ସରବରାହ ଚାଲିଥାଏ । ଓଡ଼ିଶାରେ ମୋଟେ କେଉଁଠି କିଛି ହୋଇ ନଥାଏ । ସେତେବେଳକୁ ପ୍ରକୃତରେ କେବଳ ରେଭେନ୍‍ସା କଲେଜରେ କିଛି କାଗଜପତ୍ର ପୋଡ଼ାଯିବା ଛଡ଼ା ଭଙ୍ଗାରୁଜା ବା ଅନ୍ୟ ଗୁରୁତର କାର୍ଯ୍ୟ କିଛି ଆରମ୍ଭ ହୋଇ ନଥାଏ । ଯେମିତି ଭାବରେ ହେଉ ଏତକ କରିବାକୁ ପଡ଼ିବ । ଦ୍ଵିତୀୟ କାମ ହେଲା ଭାରତୀୟ ଆଇ.ସି.ଏସ୍. ବା ଅନ୍ୟ ଯେଉଁ ବଡ଼ବଡ଼ ଭାରତୀୟ କର୍ମଚାରୀ ଅଛନ୍ତି, ସେମାନଙ୍କୁ କୌଣସି ପ୍ରକାରେ ଇସ୍ତଫା ଦେବା ଲାଗି ପ୍ରବର୍ତ୍ତାଇବା । ରାମନନ୍ଦନ ଏକ ମନସ୍ତାତ୍ତ୍ଵିକ ପରି ମୋ ସାଙ୍ଗରେ ଆଲୋଚନା କଲେ । କହିଲେ–ଦେଖ, ତୁ ହେଲୁ ଓଡ଼ିଶାରେ ବର୍ତ୍ତମାନ ଏକ ଅଲୌକିକ ବ୍ୟକ୍ତି । ଲୋକଙ୍କ ଉପରେ ଧାରଣା ବ୍ରିଟିଶ ସରକାରକୁ ଦୋହଲାଇ ଦେଲାଭଳି ସାହସ ଓ ଶକ୍ତି ତୋର ଅଛି । ସରକାରୀ କର୍ତ୍ତୃପକ୍ଷ ତୋ ନାମରେ ଥରହର ହେଉଥିବେ । ତେଣୁ ତୁ ଯଦି ସାହସ କରି ଗୋପନରେ ହେଉ ପଛକେ ବଡ଼ବଡ଼ ଅଫିସରଙ୍କ ପାଖକୁ ଯାଉ, ଗାନ୍ଧିଜୀଙ୍କ ବାଣୀକୁ ସଫଳ କରିବା ନିମନ୍ତେ ନିବେଦନ କରୁ, ସେଥିରେ ନିଶ୍ଚୟ ଯଶ ପାଇବୁ । କେତେକ ଅଫିସର ନିଶ୍ଚୟ ଭାରତର ଏଭଳି ଏକ ମୁହୂର୍ତ୍ତରେ ଦେଶପ୍ରୀତିରେ ପ୍ରେରଣାରେ ଇସ୍ତଫା ଦେଇ ଚାଲିଆସିବେ ।

 

ମୁଁ ତାଙ୍କୁ କହିଥିଲି ଯେ ଓଡ଼ିଶାରେ ସେପରି ସମ୍ଭାବନା କମ୍; ଅଧିକାଂଶ ଅଫିସର ବାହାରର । ମୁଁ ପୂର୍ବରୁ ଏମ୍.ଏଲ୍.ଏ. ନଥିଲି କିମ୍ବା ଶାସନ ସହିତ ସମ୍ପୃକ୍ତ ନଥିଲି । ତେଣୁ ସେମାନଙ୍କ ସହିତ ସେମିତି ସମ୍ପର୍କ ନାହିଁ । ଏ ପରିସ୍ଥିତିରେ ମତେ ବିଶେଷ ଉତ୍ସାହଜନକ ମନେହେଉନାହିଁ । ବରଂ ଏଭଳି ଅବସ୍ଥାରେ ମୁଁ ଯଦି ଆତ୍ମଗୋପନରୁ ବାହାରିଆସେ, ତେବେ ଆମେ ଯେଉଁ ସଂଗଠନ ଛିଡ଼ା କରିବାର କଳ୍ପନା କରୁଛେ, ତାହା ବ୍ୟର୍ଥ ହୋଇଯିବ । ଓଡ଼ିଶାରେ ଏ କାର୍ଯ୍ୟ କରିବା ନିମନ୍ତେ ଆଉ କେହି ଏପର୍ଯ୍ୟନ୍ତ ବାହାରି ନାହାନ୍ତି । ସଂଗଠନଟି ଚଳନୋପଯୋଗୀ ହେଲାପରେ ମୁଁ ଏଭଳି କିଛି କରି ଗିରଫ୍‍ ହୋଇ ଯାଇପାରେ । ରାମନନ୍ଦନ ମୋ କଥାରେ ଯଥାର୍ଥତା ବୁଝିଲେ ଏବଂ ଅନ୍ୟ ବିଷୟ ଆଲୋଚନା କରି ମୋଠାରୁ ବିଦାୟ ନେଲେ । ମାତ୍ର ମତେ କହିଦେଇ ଗଲେ ଯେ, ଅନ୍ୟ ପ୍ରଦେଶମାନଙ୍କରେ କେତେକ ଯୁବକ ଭାରତୀୟ ଆଇ.ସି.ଏସ୍. ଅଫିସର ଏମିତି ଏକ ପଦକ୍ଷେପ ନେବାକୁ ଉତ୍ସାହ ଦେଖାଉଛନ୍ତି; ମାତ୍ର ସେମାନେ କହୁଛନ୍ତି ଜଣେ ଦି’ଜଣ କାଁଭାଁ ଇସ୍ତଫା ନ ଦେଇ ଯଦି ସମଷ୍ଟିଗତ ଭାବରେ ଏକକାଳୀନ କେତେକ ଆଇ.ସି.ଏସ୍. ଇସ୍ତଫା ଦେବେ, ତା’ର ପ୍ରଭାବ ଇଂରେଜ ସରକାର ଉପରେ ଖୁବ୍ ପଡ଼ିବ । ବ୍ରିଟିଶ ସରକାରର ଖୁଣ୍ଟି ଦୋହଲିଯିବ । ତେଣୁ ଏହି ଉଦ୍ଦେଶ୍ୟରେ ତାଙ୍କ ନିଜ ଜିଲାର ଲୋକ ଆଇ.ସି.ଏସ୍. ଅଫିସର ଏଲ୍.ପି. ସିଂହଙ୍କ ପାଖକୁ ସେ ଯିବେ । ସେ କଟକର କଲେକ୍‍ଟର ଅଛନ୍ତି । ତାଙ୍କୁ ତାଙ୍କ କୋଠିରେ ସାକ୍ଷାତ୍ କରିବେ ଏବଂ ଇସ୍ତଫା ଦିଆଇବେ । ଯାହା କଥାରେ କହନ୍ତି ରାମନନ୍ଦନ ଏକ dare–devil, ବଡ଼ ଦୁଃସାହସୀ ।

 

ସେ ଯେମିତି ନାଟକୀୟ ଢଙ୍ଗରେ ଆସି କଟକରେ ପହଞ୍ଚିଥିଲେ, ସେମିତ ବିଚିତ୍ର ପରିସ୍ଥିତିରେ ଗିରଫ୍‍ ହେଲେ । ସେ କଟକରେ ପହଞ୍ଚି ସିଧା ଚାଲିଗଲେ ଯଦୁମଣି ମଙ୍ଗରାଜଙ୍କ ଘରକୁ । ସେତେବେଳକୁ ଓଡ଼ିଶାରେ ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ଵରେ ମିଳିତ ମନ୍ତ୍ରିମଣ୍ଡଳ କାର୍ଯ୍ୟ କରୁଥାଏ । ପଣ୍ଡିତ ଗୋଦାବରିଶ ମିଶ୍ର ଥାଆନ୍ତି ଜଣେ ମନ୍ତ୍ରୀ ଏବଂ ଯଦୁମଣି ମଙ୍ଗରାଜ ଥାଆନ୍ତି, ପାର୍ଲିଆମେଣ୍ଟାରୀ ସେକ୍ରେଟାରି । ରାମନନ୍ଦନ ଯାଇ ମଙ୍ଗରାଜଙ୍କ ପାଖରେ ପହଞ୍ଚିଲେ ଏବଂ ତାଙ୍କୁ ନିଜର ପରିଚୟ ଦେଇ ସବୁ କଥା କହିଲେ । ଏହିଥର ଆନ୍ଦୋଳନବେଳକୁ ସିନା ମଙ୍ଗରାଜ ବିପଥଗାମୀ ହୋଇଥିଲେ, ଯେତେହେଲେ ସେ ବି ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ଦେଶମାତୃକା ପ୍ରତି ତାଙ୍କର କର୍ତ୍ତବ୍ୟବୋଧ ପୁଣି ଜାଗ୍ରତ ହେଲା । ସେ ରାମନନ୍ଦନଙ୍କୁ ସରକାର ପାଖରେ ଗିରଫ୍‍ କରାଇ ନ ଦେଇ ଆଶ୍ରା ଦେଲେ ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସହ ସାକ୍ଷାତ୍ କରାଇଦେଇ ଇସ୍ତଫା ଦେବା ବିଷୟରେ ତାଙ୍କ ସହ ଆଲୋଚନା କଲେ । ଗୋଦାବରୀଶବାବୁ ଏତେବେଳକୁ ଇଂରେଜ ସରକାର ସହ ଅସହଯୋଗର ତାତ୍ପର୍ଯ୍ୟ ବୁଝୁଥିଲେ ମଧ୍ୟ ନାନା କାରଣରୁ ଏଭଳି ପ୍ରସ୍ତାବରେ ସମ୍ମତ ହେଲେ ନାହିଁ । ମାତ୍ର ରାମନନ୍ଦନଙ୍କୁ କୌଣସି ପ୍ରକାର ବାଧା ଦେବେ ନାହିଁ ଏବଂ ସେ ତାଙ୍କ କାମ ଯେଭଳି ଭାବରେ ଚାହୁଁଛନ୍ତି କରିପାରନ୍ତି, ସେଥିଲାଗି ଯଥାସମ୍ଭବ ପରୋକ୍ଷ ଭାବରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ମଙ୍ଗରାଜଙ୍କୁ ବିଶ୍ଵାସ କରି ରାମନନ୍ଦନ ମୋର ସନ୍ଧାନ ପାଇବାକୁ ଉଦ୍ୟମ କଲେ ଏବଂ ଆସି ସାକ୍ଷାତ୍ କରିଥିଲେ ।

 

ରାମନନ୍ଦନଙ୍କଠାରୁ ଜାଣିଲି ଆମ ଆନ୍ଦୋଳନ ସକାଶେ ସରକାର ଯେଉଁସବୁ ଦମନନୀତି ପ୍ରୟୋଗ କରୁଛନ୍ତି ବା ମତେ ଗିରଫ୍‍ କରିବା ନିମନ୍ତେ ଯେଉଁ ସବୁ ପନ୍ଥା ଅବଲମ୍ବନ କରାଯାଉଛି, ସେ ବିଷୟ ମନ୍ତ୍ରିମଣ୍ଡଳର ଅଗୋଚରରେ ହେଉଛି । କୌଣସି ଭାରତୀୟଙ୍କୁ ବ୍ରିଟିଶ ସରକାରଙ୍କର ବିଶ୍ଵାସ ନାହିଁ । ଗୋରା ଚିଫ୍‍ସେକ୍ରେଟାରୀଙ୍କର ଗୋରା ଗଭର୍ଣ୍ଣର ସହ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ଏବଂ ସେକ୍ରେଟାରୀଏଟ୍‍ରେ ଏକ ସ୍ପେଶାଲ ସେଲ୍ ଖୋଲାଯାଇଛି । ସେଠିକି ରିପୋର୍ଟ ଆଦି ଆସୁଛି । ରାମନନ୍ଦନ ଗୋଦାବରୀଶବାବୁଙ୍କ ଗାଡ଼ିରେ ଯିବା ଆସିବା କଲେ–କାରଣ ମନ୍ତ୍ରୀ ଗାଡ଼ିରେ ଗଲେ ପୁଲିସ ସନ୍ଦେହ କରିବ ନାହିଁ । ତାହା ଛଡ଼ା ମଙ୍ଗରାଜଙ୍କ ଘରେ ଯଦି ରାମନନ୍ଦନ ଧରାପଡ଼ିଥାନ୍ତେ ତେବେ ସେମାନେ ଅଡ଼ୁଆ ପରିସ୍ଥିତିରେ ପଡ଼ିଥାନ୍ତେ । ତେଣୁ ପୁଲିସ ଜାଣିବା ଆଗରୁ ରାମନନ୍ଦନ ଯେମିତି ନିଜ କାମସାରି ପଳାଇଯିବେ ସେଥିରେ ସେ ସାହାଯ୍ୟ କଲେ-। ମଙ୍ଗରାଜ ପାର୍ଲିଆମେଣ୍ଟାରୀ ସେକ୍ରେଟାରି ଭାବରେ ଏଲ୍.ପି. ସିଂହଙ୍କୁ ଟେଲିଫୋନ୍ କଲେ ଯେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି । ସେ ବିହାରରୁ ଆସିଛନ୍ତି–ତାଙ୍କ ଘରେ ଦେଖା କରିବେ । କଟକରେ ଏବେ ଯେଉଁଠି ରକ୍ତଭଣ୍ଡାର ହୋଇଛି, ସେତେବେଳକୁ ତାହା ପାଖାପାଖି କଲେକ୍‍ଟରଙ୍କ କୋଠି ଥାଏ । ରାମନନ୍ଦନଙ୍କର ବିଶ୍ୱାସ ଥିଲା ସେ ଅନୁରୋଧ କଲେ ଏଲ୍.ପି. ସିଂହ ନିଶ୍ଚୟ ଇସ୍ତଫା ଦେବେ ଏବଂ ତାଙ୍କ ସାଙ୍ଗରେ ଆହୁରି ଅନେକ ଅଫିସର ଏମିତି ଚାକିରି ଛାଡ଼ିଦେବେ । ସେହି ଭରସାରେ ସାହସ କରି ସେ ଗଲେ ଏଲ୍.ପି. ସିଂହଙ୍କ ଘରକୁ ।

 

ସେତେବେଳକୁ କୌଣସି ସୂତ୍ରରୁ ପୁଲିସ ଜାଣିସାରିଲେଣି ଯେ ରାମନନ୍ଦନ ଆସି ମୋ ସହିତ ସାକ୍ଷାତ କରିସାରିଲେଣି । ଖୁବ୍ ସମ୍ଭବ ଯେଉଁ ଯୁବକଙ୍କ ଜରିଆରେ ମୋ ନିଜ ଲୋକଙ୍କ ସହ ସମ୍ପର୍କ ରକ୍ଷା କରି ରାମନନ୍ଦନ ଆସି ମତେ ଭେଟିଥିଲେ, ଏ ସମ୍ବାଦ ସେହି ସୂତ୍ରରୁ ପୁଲିସ ପାଖରେ ପହଞ୍ଚିଗଲା । ଖବର ଦେବା ଉଦ୍ଦେଶ୍ୟରେ କିମ୍ଵା ମତେ ବା ରାମନନ୍ଦନଙ୍କୁ ଧରାଇଦେବା ଉଦ୍ଦେଶ୍ୟରେ ନୁହେଁ–ନିଜର ବାହାଦୁରି ଦେଖାଇବା ନିମନ୍ତେ ଯୁବକଟି ଅତର୍କିତ ଭାବରେ ନିଜ ବନ୍ଧୁମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିଛି ଏବଂ ସେ ବିଷୟଟି ପୁଲିସ କାନକୁ ଯାଇଛି । ସୌଭାଗ୍ୟକୁ ମୁଁ କେଉଁଠି ରହୁଛି କିମ୍ଵା ମୋ ସହ ରାମନନ୍ଦନଙ୍କର କେଉଁଠି ଭେଟ ହେଲା ତାଙ୍କୁ ଜଣା ନଥିଲା କିମ୍ଵା ରାମନନ୍ଦନ କେଉଁଠି ରହୁଛନ୍ତି ତାହାବି ସେ ଜାଣିବାକୁ କିଛି ଆଗ୍ରହ ଦେଖାଇ ନଥିଲେ । ମାତ୍ର ପୁଲିସ ଯେତେବେଳେ ନିଶ୍ଚିତ ଭାବରେ ଜାଣିଗଲେ ଯେ ରାମନନ୍ଦନ କଟକରେ ଅଛନ୍ତି ସେମାନେ ତତ୍ପର ହୋଇଗଲେ ଏବଂ ସେ କଲେକ୍‍ଟର କୋଠି ଆଡ଼କୁ ଯିବାର କେହି ଜଣେ ସନ୍ଦେହ କଲେ । କଲେକ୍‍ଟର ପାଖକୁ ତଳ ଅଫିସରମାନେ ବା ଯିବେ କେମିତି ଓ ସାହସ କରି କହିବେ ବା କିମିତି ! ତଥାପି ଉପର ଅଫିସରଙ୍କୁ ଅପେକ୍ଷା ନ କରି ପୁଲିସ ଏକ ବ୍ୟବସ୍ଥା କରିଦେଲେ । ବ୍ୟବସ୍ଥାଟି ହେଉଛି ରାମନନ୍ଦନ ବାହାରି ଆସିଲେ ତାଙ୍କୁ ଘେରାଉ କରି ଗିରଫ୍‍ କରାଯିବ । ସେତେବେଳେ ପୁଲିସ ସ୍ପେଶାଲ୍ ବ୍ରାଞ୍ଚର ସୁପରିଣ୍ଟେଣ୍ଡେଣ୍ଟ ଥାଆନ୍ତି ରେନର୍ ସାହେବ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜନୀତିକ କାର୍ଯ୍ୟର ଅନୁସନ୍ଧାନ ଚାଲିଥାଏ । ସେ ଯେମିତି ସମ୍ବାଦ ପାଇଛନ୍ତି, ସାଙ୍ଗେ ସାଙ୍ଗେ ଜିଲ୍ଲା କଲେକ୍‍ଟରଙ୍କୁ ଟେଲିଫୋନ୍ କଲେ । ଏଲ୍.ପି. ସିଂହଙ୍କ ପକ୍ଷରେ ଅସ୍ୱୀକାର କରିବା ସମ୍ଭବ ନଥିଲା । ରାମନନ୍ଦନ ସାଙ୍ଗେ ସାଙ୍ଗେ ସେଠାରୁ ପଳାଇ ଆସିଲେ । ମାତ୍ର ବାହାରେ ଆସି ଦେଖନ୍ତି ବିରାଟ ପୁଲିସ ବ୍ୟବସ୍ଥା–ମଙ୍ଗଳାବାଗ ପୁଲିସ ଥାନା ପାଖରେ ବାଟ ଓଗାଳି ଲାଠିଧାରୀ ପୁଲିସ ଜଗିଯାଇଛନ୍ତି । ଘେରାଉରୁ ମୁକୁଳିବା ମୁସ୍କିଲ୍ ଥିଲା । ତଥାପି ରାମନନ୍ଦନ ଡ୍ରାଇଭରକୁ କହିଲେ–ପୁଲିସ ଯେତେ ପ୍ରଭୁଭକ୍ତ ହେଲେ ସୁଦ୍ଧା ଜୀବନ ଦେବାଲାଗି କେବେହେଁ ପ୍ରସ୍ତୁତ ହେବ ନାହିଁ । ତେଣୁ ପୁଲିସ ପ୍ରହରୀକି ମଡ଼ାଇ ଗାଡ଼ି ଚଳାଇ ନିଅ–ସେ ବଳେ ବଳେ ବାଟ ଛାଡ଼ିଦେବ । ଡ୍ରାଇଭରବି ସେହି ପ୍ରକାର ଉଦ୍ୟମ କଲା । ସେଥିରେ ହୁଏତ ସଫଳ ହୋଇ ସେ ପଳାଇ ଆସିପାରିଥାନ୍ତେ, ମାତ୍ର ତାଙ୍କ ଦୁର୍ଭାଗ୍ୟକୁ ପାଖ ନଳାରେ ଗାଡ଼ିର ଗୋଟିଏ ଚକା ପଶିଗଲା । ରାମନନ୍ଦନ ଗିରଫ୍‍ ହୋଇଗଲେ । ରାମନନ୍ଦଙ୍କୁ କିଛିଦିନ ବ୍ରହ୍ମପୁର ଓ ରସୁଲକୋଣ୍ଡା (ବର୍ତ୍ତମାନ ଭଞ୍ଜନଗର) ଜେଲରେ ରଖି ତା’ପରେ ବିହାରକୁ ବଦଳି କରିଦିଆଗଲା । ରାମନନ୍ଦନଙ୍କ ବିପ୍ଳବୀ ପ୍ରାଣ ଜେଲ ଭିତର ବନ୍ଧନରେ ଅସ୍ଥିର ହୋଇଉଠିଲା । ହଜାରିବାଗ ଜେଲରୁ ଜୟପ୍ରକାଶ ନାରାୟଣ, ସୂର୍ଯ୍ୟ ନାରାୟଣ ସିଂହ ଓ ଅନ୍ୟମାନଙ୍କ ସହ ପଳାୟନ କଲେ ଏବଂ ଜୟପ୍ରକାଶ ବାହାରକୁ ଆସିବା ପରେ ଅଗଷ୍ଟ ବିପ୍ଳବର ପୁଣି ଏକ ନୂଆ ପର୍ବ ଆରମ୍ଭହୋଇଗଲା ।

 

ରାମନନ୍ଦନ ଗିରଫ୍‍ ହେବାପରେ ପୁଲିସ ଆହୁରି ତତ୍ପର ହୋଇ ଆମ ଏ ଅଞ୍ଚଳ, ଅର୍ଥାତ୍ ତେଲଙ୍ଗାବଜାରରୁ ଆରମ୍ଭ କରି ଖାନନଗର ଅଞ୍ଚଳ ପର୍ଯ୍ୟନ୍ତ, ଖୁବ୍ ଜୋର୍‍ସୋର୍‍ରେ ଘାଣ୍ଟିବାକୁ ଆରମ୍ଭ କଲେ । ମୋ ପକ୍ଷରେ ଶୀଘ୍ର ଯାଇ ମୁଖ୍ୟ କେନ୍ଦ୍ର ଅଲିସାବଜାରେ ପହଞ୍ଚିବା ଛଡ଼ା ଅନ୍ୟ ଉପାୟ ନଥିଲା । ରାମନନ୍ଦନ ଗିରଫ୍‍ ହେବାପରେ ପରେହିଁ ମୁଁ ସେଠାକୁ ଚାଲିଗଲି ।

☆☆☆

 

“ରକ୍ତନଦୀ ବୁହାଇଦିଅ”

 

ଏକପ୍ରକାର ସ୍ଥାୟୀ ସ୍ଥାନଟିଏ ମିଳିଲା । ସ୍ଥିର କରିନେଲି ଆପାତତଃ ଏହିଠାରୁ କାମ ଚଳାଇବି । କଟକ ଜିଲ୍ଲା ସାଙ୍ଗରେ ସମ୍ପର୍କ କ୍ରମେ ସହଜ ହେଲା । ଖବର ପାଇ ଲୋକେ କଟକ ଆସିବାକୁ ଚେଷ୍ଟା କଲେ । ମାତ୍ର ପ୍ରଦେଶସାରା ଯଥାସମ୍ଭବ କିଛି କରିବାକୁ ପଡ଼ିବ । ଏହା ସହଜ କାମ ନଥିଲା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କିଛି କିଛି ଆକ୍ରମଣମୂଳକ କାର୍ଯ୍ୟ ନହେଲେ ବ୍ରିଟିଶ ସରକାର ହୁଏତ ଶେଷକୁ କହିବ ଯେ ଅନ୍ୟଠି ସିନା ହୋଇଥିଲା ଓଡ଼ିଶାରେ କିଛି ହୋଇ ନଥିଲା । ଆମେ କାହିଁକି ଏ ଅପବାଦ ବରଣ କରିବୁ ! ମନରେ ଖାଲି ପ୍ରତିଯୋଗିତାର ଭାବ । ଅନ୍ୟଠି କିଛି ହୋଇଯାଇଛି ଜାଣିଲେ ମନ ଉଚ୍ଚାଟ ହୁଏ କିଛି ନା କିଛି କରିପକାଇବା ପାଇଁ–ଆଜିକାଲି ଯେମିତି ପ୍ରାଦେଶିକ ମନୋଭାବରୁ ପ୍ରତିଯୋଗିତା ଦେଖାଯାଉଛି; ଆଞ୍ଚଳିକ ଦ୍ୱେଷଭାବ ପ୍ରଚାର କରି ମନକୁ ଆନ୍ଦୋଳିତ କରିବାର ଉଦ୍ୟମ ହେଉଛି । ଅବଶ୍ୟ ସେଭଳି ଭାବ ଆମର ନଥିଲା । ଦେଶର ସ୍ଵାଧୀନତା ଲଢ଼ାଇରେ ଆମେ ପଛେଇଗଲୁ କି–ମନରେ ଏହି ତାଡ଼ନା କାମ କରୁଥାଏ । ହଠାତ୍ କିଛି ନ ହୋଇ ପାରୁଛି ବୋଲି ମନ ଅସ୍ଥିର ହେଉଥାଏ । ମନର ଏହି ଅସ୍ଥିରତାକୁ ମୁଁ ଏକ ବୁଲେଟିନ୍‍ରେ ପ୍ରକାଶ କରିଥିଲି । ବୁଲେଟିନ୍‍ଗୁଡ଼ିକ ଲୋକଙ୍କୁ ମତାଇବା ଉଦ୍ଦେଶ୍ୟରେ ଲେଖାଯାଉଥିଲା । ତାହା ସାଙ୍ଗେ ସାଙ୍ଗେ ବୁଲେଟିନ୍ ଜରିଆରେହିଁ କଂଗ୍ରେସକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା ଓ ଅନ୍ୟତ୍ର ଯାହା ସବୁ ଘଟୁଛି; ତା’ର ସମ୍ବାଦ ବିଚରଣ କରାଯାଉଥିଲା ।

 

ଗୋଟିଏ ବୁଲେଟିନ୍‍ରେ ଲେଖିଥିଲି–“କଟକସହରବାସୀ ବୁଡ଼ି ମରିବା ଉଚିତ । ତୁମର କ’ଣ ଆଖିନାହିଁ କି କାନ ନାହିଁ; ଯଦି ଅଛି ଦେଖୁନାହଁ, ଶୁଣୁ ନାହଁ ? ବିହାରର ଲୋକେ କ’ଣ କରିଛନ୍ତି ? ବିହାରର ପାଟନା, ଛାପ୍ରା, ମୁଜାଫରଫୁର, ଭାଗଲପୁର, ସମସ୍ତିପୁର, ଆରା, ବାଲିଆ ଓ ଗୋରଖପୁରରେ ଲୋକେ କେମିତି ବୀରତ୍ୱ ଦେଖାଇଲେଣି ! କଂଗ୍ରେସର ଆହ୍ୱାନରେ ଦେଶର ସ୍ୱାଧୀନତାଲାଗି ସେମାନେ ଶହ ଶହ ସଂଖ୍ୟାରେ ବାହାରିପଡ଼ିଲେଣି । ଜସିଢ଼ିଠାରୁ ପାଟନା ପର୍ଯ୍ୟନ୍ତ ଶହ ଶହ ମାଇଲ ରେଳଲାଇନ୍, ଷ୍ଟେସନ୍ ଓ ରେଳତାରର କେଉଁଠି ଚିହ୍ନବର୍ଣ୍ଣ ସୁଦ୍ଧା ରଖିନାହାନ୍ତି । ହଜାର ହଜାର ଲୋକ ବାହାରି ସେ ଅଞ୍ଚଳରେ ଡାକଘର, ପୁଲିସ ଥାନା ଏବଂ ଜିଲ୍ଲାଗୁଡ଼ିକର ସରକାରୀ ଦପ୍ତରଗୁଡ଼ିକୁ ଧ୍ୱଂସ କରିଦେଇଛନ୍ତି; ପୋଡ଼ିଜାଳି ପକାଇଛନ୍ତି । ଏତିକିରେ କାମ ଅଟକି ନାହିଁ–ଚାଲିଚି । ଏସବୁ ଅବସ୍ଥା ଦେଖି, ସେମାନଙ୍କର ବୀରତ୍ୱ ଆଗରେ ମୁଣ୍ଡ ନୁଆଁଇ, ସେଠାରେ ଯେତେ ଇଂରେଜ ଲୋକ ଥିଲେ ସେମାନେ ଆପଣା ଛାଏଁ ପିଲାକୁଟୁମ୍ବ ଧରି ଜାଗା ଛାଡ଼ି ପଳାଇଯାଉଛନ୍ତି ।”

 

ଏସବୁ ଲେଖିବାର ଏକମାତ୍ର ଉଦ୍ଦେଶ୍ୟ ହେଲା ଉତ୍ତେଜନା ସୃଷ୍ଟି କରାଇ ଓ ଯୁବକମାନଙ୍କ ମନରେ ନିଜ ପ୍ରତି ଧିକ୍‍କାର ଭାବ ଜାତ କରାଇ କଟକ ସହରରେ ବିରାଟ ଆକାରରେ କିଛି କାମ କରି ଦେଖାଇବା । କାରଣ ସେତେବେଳକୁ ସରକାରୀ ଅଫିସରଙ୍କ ଭିତରେ ହେଉଥିବା ଏକ ଆଲୋଚନାର ବିବରଣୀ ମୋ କାନରେ ପହଞ୍ଚିଥିଲା । ଓଡ଼ିଶାରେ କିଛି ହୋଇ ନାହିଁ ଏବଂ ହୋଇପାରିବ ନାହିଁ; ଆମେ ଏହି ପ୍ରକାରର ରିପୋର୍ଟ ଉପରକୁ ପଠାଉଛୁ ବୋଲି ସେମାନେ କଥାବାର୍ତ୍ତା ହେଉଥିଲେ । ଏହା ଶୁଣି ମୋ ମନରେ ଆଘାତ ଲାଗିଲା । ଆମର ସିନା ବିଧିବଦ୍ଧଭାବରେ ସମସ୍ତଙ୍କୁ ଜଣାଇବା, ସମସ୍ତଙ୍କ ସହ ସମ୍ପର୍କ ସ୍ଥାପନ କରିବା ଏବଂ ସବୁଠିକି ବୁଲେଟିନ୍ ପଠାଇବାରେ ସମୟ ଲାଗିଲା–ମାତ୍ର ଚାରିଆଡ଼େ ବାର୍ତ୍ତା ପ୍ରଚାର ହୋଇଯାଇଥିଲା । ସେଥିରୁ ଗୋଟିଏ ଥିଲା ଶେଷ ସଂଗ୍ରାମ ଲାଗି ଗାନ୍ଧିଜୀଙ୍କର ନିର୍ଦ୍ଦେଶ । ସେଥିରେ ଲେଖାଥିଲା : (୧) ପଞ୍ଚାୟତ ସ୍ଥାପନା କର; ପ୍ରଚଳିତ ସରକାରୀ ଶାସନପଦ୍ଧତିକୁ ଲୋପ କର । (୨) ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଶାନ୍ତିସେନା ତିଆରି କର । (୩) ବ୍ରିଟିଶ ସରକାରର କୌଣସି ଆଦେଶକୁ ମାନ ନାହିଁ । (୪) ଆଇନ ଅମାନ୍ୟ କାର୍ଯ୍ୟ ଆରମ୍ଭ କରିଦିଅ; ଯଥା, ଖଜଣା ନ ଦେବା, ଜଙ୍ଗଲ କାଟିବା ଏବଂ ଲୁଣ ମାରିବା ଇତ୍ୟାଦି । (୫) ଜମିଦାରମାନଙ୍କ ପାଖେ ଦାବି କର ସେମାନେ ଚାଷୀଙ୍କୁ ଜମି ଦେଇଦିଅନ୍ତୁ; ନ ଦେଲେ ଜବରଦସ୍ତି ଜମିଦାରଙ୍କ ଜମିସବୁ ଦଖଲକରିଯାଅ । (୬) ଯେଉଁମାନେ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି କିମ୍ବା ସରକାର ବାଜ୍ୟାପ୍ତ କରିଥିବା କଂଗ୍ରେସ ସମ୍ପତ୍ତିକୁ ନିଲାମରେ ବା ଅନ୍ୟ ବାଟରେ କିଣୁଛନ୍ତି, ସେମାନଙ୍କୁ ସାମାଜିକ ବାସନ୍ଦ କର ।

 

ଏହି ବାର୍ତ୍ତା ଚାରିଆଡ଼େ ଚାଲିଯାଇଥିଲା । ଗାନ୍ଧିଜୀ ଏହା କହିଥିଲେ ଭାବିବା ଭୁଲ । ଗାନ୍ଧିଜୀ ପ୍ରକୃତରେ ଏଭଳି ବାର୍ତ୍ତା ଦେଇ ନଥିଲେ । ମାତ୍ର ଆନ୍ଦୋଳନର ସ୍ୱରୂପ କ’ଣ ହେବ, ତା’ର ଗୋଟାଏ ମୋଟାମୋଟି ଧାରଣା ଦେବା ନିମନ୍ତେ ଓ କଂଗ୍ରେସ ଲୋକମାନେ ଯେମିତି କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନ କରି ଲାଗିଯାଆନ୍ତି, ସେଥିଲାଗି ଏହା ପ୍ରଚାର କରାଯାଇଥିଲା । ଏହାକୁ ପାଇ ଯେ ଯାହା ଅଞ୍ଚଳରେ ପ୍ରସ୍ତୁତ ହୋଇଯାଇଥିଲେ । ଦୃଷ୍ଟାନ୍ତସ୍ୱରୂପ କୋରାପୁଟ ଜିଲ୍ଲା । ମୁଁ ସେ ଅଞ୍ଚଳକୁ ମୋଟେ ଯାଇ ନଥିଲି–ବମ୍ବେରୁ ଯାହା ଗାନ୍ଧିଜୀଙ୍କ ଶେଷ ନିର୍ଦ୍ଦେଶ ବୋଲି ଡାକରେ ସବୁ ଜିଲ୍ଲା କଂଗ୍ରେସ କମିଟି ଅଫିସ୍‍କୁ ପଠାଇଦେଇଥିଲି ସେଇଟାହିଁ ସେମାନଙ୍କ ପକ୍ଷରେ ଯଥେଷ୍ଟ ହୋଇଥିଲା । ସେଇଆକୁ ଧରି ସେମାନେ ନିଜକୁ ଓ କୋରାପୁଟ ଜିଲ୍ଲାକୁ ସ୍ୱାଧୀନ ବୋଲି ଘୋଷଣା କରି ଦଳଦଳ ହୋଇ ମାତିଉଠିଲେ । ଜଙ୍ଗଲରେ ନିଆଁ ଲାଗିଲା ପରି ଆଦିବାସୀଙ୍କ ଭିତରେ ଜଳିଉଠିଲା ଏ ବିଦ୍ରୋହ । ହରତାଳ ହେଲା, ଶାଣ୍ଡି (ହାଟ) ଓ ବଜାର ବନ୍ଦ କରିଦିଆଗଲା-। ସରକାରୀ ଘରପୋଡ଼ା, ଲୁଟ, ଦଙ୍ଗା ଏବଂ ଭଙ୍ଗାରୁଜା କାମ ବ୍ୟାପକଭାବରେ ଜିଲ୍ଲାସାରା ଚାରିଆଡ଼େ ଏମିତି ଦେଖାଗଲା ଯେମିତି ମନେହେବ କେହି ଏହା ସଂଗଠିତ କରିବାରେ ଲାଗିଛି-

 

ସବୁଠି ଏକା ଢଙ୍ଗରେ ଆନ୍ଦୋଳନ ହୋଇ ନଥିଲା–ଯେମିତି ଗୁଣୁପୁର ଅଞ୍ଚଳ । ସେଠାରେ କଂଗ୍ରେସ କର୍ମୀମାନେ ମଦଦୋକାନ, କଚେରି ଓ ଅନ୍ୟ ସରକାରୀ ଅଫିସ୍‍ରେ ପିକେଟିଂ କରି ଗିରଫ୍‍ ହେଲେ । ଦଶମନ୍ତପୁର ପୁଲିସ ଥାନାରେ ଶହ ଶହ ଲୋକ ଠୁଳ ହୋଇ ପୁଲିସକୁ କହିଲେ–ଇଂରେଜ ଯାଇଛି, ଏ ଦେଶ ଆମର । ତୁମେ ଆମ ସାଙ୍ଗରେ ଯୋଗଦିଅ–ସ୍ୱାଧୀନତା ଘୋଷଣା କର । ପୂରା ଗାନ୍ଧୀନୀତି ପ୍ରୟୋଗ କଲେ । ପୁଲିସ ସେମାନଙ୍କ ଭିତରୁ ମୁଖ୍ୟ କେତେକଙ୍କୁ ଗିରଫ୍‍ କରିନେଇ ଅନ୍ୟମାନଙ୍କୁ ଘଉଡ଼ାଇ ଦେଲେ । ଲୋକେ ଅସ୍ତ୍ରଶସ୍ତ୍ର ଧରି ଯେମିତି ମାତିଲି ଆକ୍ରମଣ କରିଥିଲେ, ସେମିତି ସଶସ୍ତ୍ର ଜନତା ବହୁ ସଂଖ୍ୟାରେ ଯାଇ ନବରଙ୍ଗପୁର ସର୍କଲର ପୁଲିସ ଥାନାମାନଙ୍କ ଉପରେ ଚଢ଼ଉ କରିଥିଲେ । ବାସ୍ତବିକ ଏହା ଜିଲ୍ଲାସାରା ଏପରି ପ୍ରବଳ ଆକାର ଧାରଣ କଲା ଯେ, ସରକାରର ଡର ହୋଇଗଲା ଏହା ଏକପ୍ରକାର ‘ଫିତୁରି’ରେ ପରିଣତ ହେବ । କୋରାପୁଟର ପୂର୍ବ ଇତିହାସରେ ଏଭଳି ଏକ ‘ଫିତୁରି’ (ବିଦ୍ରୋହ)ର ସମ୍ମୁଖୀନ ହୋଇଥିଲେ ଇଂରେଜମାନେ । ମୋର ମନେନାହିଁ, ଆମେ କୌଣସି ବୁଲେଟିନ୍ ସେଠିକି ପଠାଇ ପାରିଥିଲୁ କି ନାହିଁ । ସ୍ୱତଃସ୍ଫୂର୍ତ୍ତ ଭାବରେ ଲୋକେ ପ୍ରାଣ ବିସର୍ଜନ କରିବା ନିମନ୍ତେ ବାହାରିପଡ଼ିଲେ-। ମୁଁ ପରେ ଯେତେବେଳେ କୋରାପୁଟ ଜେଲକୁ ବଦଳି ହେଲି, ସେତେବେଳେ ସେଠାରେ ଥିବା ଶହ ଶହ ବନ୍ଦୀ ମତେ ଦେଖିବାଲାଗି ପାଗଳ ହୋଇଗଲେ । ସେ ଜେଲରେ ମୁଁ ରହିବାରୁ ସେମାନଙ୍କ ଭିତରେ ଏକ ନୂଆ ଉତ୍ସାହ ଆସିଲା ଓ ସେମାନେ ଜେଲ୍ କର୍ତ୍ତୃପକ୍ଷଙ୍କ ସହ ଲଢ଼ିପାରିଲେ ଆହୁରି ଅଧିକ ସାହସ କରି–ଅବଶ୍ୟ ମୁଁ ସେମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିପାରିଥିଲି ବୋଲି ନୁହେଁ । ସେତେବେଳକୁ ସେମାନେ ଜାଣିସାରିଥିଲେ ଯେ ମୁଁ ଓଡ଼ିଶାରେ ଲୁଚିଛପି ରହି ଅଗଷ୍ଟ ବିପ୍ଳବର ବାର୍ତ୍ତା ଚାରିଆଡ଼େ ପ୍ରଚାର କରିଥିଲି । ଇଂରେଜ ସରକାର ଦୋଷ ଦେବାକୁ ଯେତେ ଚେଷ୍ଟା କରୁ ପଛକେ, ସରକାରୀ ଦମନର ପ୍ରତିକ୍ରିୟାସ୍ଵରୂପ ଲୋକଙ୍କ ଭିତରେ ଉତ୍ତେଜନା ବ୍ୟାପିଲା ଏବଂ ସେମାନେ ମାତିଉଠିଲେ ଇଂରେଜ ଶାସକର ସତ୍ତା ଉପରେ ଶେଷ ପ୍ରହାର ଦେବାଲାଗି । ଆମର କବି ବାଞ୍ଛାନିଧି ମହାନ୍ତିଙ୍କର ଗୋଟିଏ ସଙ୍ଗୀତ ମୋର ମନେପଡ଼େ । ସେ ଗାଉଥିଲେ–

 

“ପାଇଛି ଯେ ଥରେ ଜାତୀୟତା ସ୍ଵାଦୁ

ଚାଖିଛି ଯେ ଥରେ ସ୍ଵାଧୀନତା ମଧୁ

ପାରିଛି ଦେବାକୁ ଜୀବନ ଯୌବନ

ମାନ ସନମାନ ବିମନ ନୋହିରେ ।”

 

କୋରାପୁଟ ଜିଲ୍ଲାରେ ବ୍ୟାପକଭାବରେ ଅଗଷ୍ଟ ମାସ ଭିତରେହିଁ ବିପ୍ଳବ ଘଟିଗଲା, କିନ୍ତୁ ଅନ୍ୟ ଜିଲ୍ଲାମାନଙ୍କୁ ଏହା କ୍ରମେ କ୍ରମେ ବ୍ୟାପିଲା ଓ ସେପ୍‍ଟମ୍ବର ଅକ୍ଟୋବର ମାସରେ ଭୀଷଣ ଆକାର ଧାରଣ କଲା । ଆମର ଏକ ଲକ୍ଷ୍ୟ ଥିଲା ଅକ୍ଟୋବର ୨ ତାରିଖରେ, ଗାନ୍ଧିଜୀଙ୍କ ଜନ୍ମଦିବସରେ, ଆଗା ଖାଁ ପ୍ରାସାଦ ଆକ୍ରମଣ କରି ଗାନ୍ଧିଜୀଙ୍କୁ ଖଲାସ କରିବା ଏବଂ ଦେଶର ପ୍ରଧାନ କେନ୍ଦ୍ରମାନଙ୍କରେ ପୂର୍ଣ୍ଣମାତ୍ରାରେ ଅଚଳ ଅବସ୍ଥା ସୃଷ୍ଟି କରିବା । କଟକ ସହରରେ ସେହିଭଳି ଏକ ପ୍ରଳୟକାଣ୍ଡ କରିବା ନିମନ୍ତେ ଇଚ୍ଛାବି ଥାଏ ।

 

କଟକ ଜିଲ୍ଲାରେ ପ୍ରଥମେ ଛାତ୍ରଙ୍କୁ ମତାଇ ସ୍କୁଲ୍‍ କଲେଜରେ ଧର୍ମଘଟ ଓ ହରତାଳ ଆଦି କରାଗଲା । ଅଗଷ୍ଟ ୧୫ ତାରିଖରେ ଛାତ୍ରମାନେ ଏକଜୁଟ ହୋଇ ରେଭେନ୍‍ସା କଲେଜର ଲାବୋରେଟରୀ, ଅଫିସ୍ ଇତ୍ୟାଦିରେ ପଶି କାଗଜପତ୍ର ପୋଡ଼ିଦେଲେ । କଲେଜ ଏକପ୍ରକାର ବନ୍ଦ ହୋଇଗଲା । ଏଥିରୁ ଆମେ କେତେକ ବିପ୍ଳବୀ ଛାତ୍ର ପାଇଗଲୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରିବା ନିମନ୍ତେ । ସରକାରୀ କର୍ମଚାରୀମାନଙ୍କୁ ଚାକିରିରୁ ଛଡ଼ାଇବା ଲାଗି ନାନା ଭାବରେ ଉଦ୍ୟମ କରାଗଲା–ସେଥିରେ ବେଶି ସଫଳତା ମିଳିଲା ନାହିଁ–ମାତ୍ର ପୁଲିସ ଓ ସରକାରୀ କର୍ମଚାରୀଙ୍କୁ ବାରମ୍ଵାର ବୁଲେଟିନ୍ ଜରିଆରେ ନିବେଦନ କରିବା ଫଳରେ ଦେଖାଗଲା ତଳିଆ କର୍ମଚାରୀଙ୍କଠାରୁ ସହାନୁଭୂତି ମିଳୁଛି । କିଛି ଚାନ୍ଦା ମଧ୍ୟ ସେହି ସୂତ୍ରରୁ ମିଳୁଥିଲା ଏବଂ କେତେକ ଆମର ବୁଲେଟିନ୍ ଆଦି ଲୁଚାଇ ନେଇ ବାଣ୍ଟିଦେଉଥିଲେ । ଏହି ସୂତ୍ରରେ ମୁଁ କଟକର କର୍ମଚାରୀଙ୍କ ଭିତରେ ଭୟ ପୂରାଇବାଲାଗି ଗୋଟିଏ କାମ କଲି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖକୁ ପଠାଇବାଲାଗି ଉଦ୍ଦିଷ୍ଟ ମୋର ହାତଲେଖା ଖଣ୍ଡିଏ ଚିଠି ଥରେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କର ଗୋଟିଏ ଫାଇଲ୍ ଭିତରେ ମିଳିଲା । ସେ ବିସ୍ମିତ ହେଲେ–କେମିତି ଏଠିକି ଏଭଳି ଚିଠି ଆସିଲା । ବହୁତ ଖୋଳତାଡ଼ ଚାଲିଲା; ମାତ୍ର କୌଣସି ସନ୍ଧାନ ମିଳିଲା ନାହିଁ । ସେଥିରୁ ସେମାନଙ୍କର ସନ୍ଦେହ ଜନ୍ମିଲା ଯେ ଜିଲ୍ଲା ପୁଲିସ ସାହେବଙ୍କ ଅଫିସ୍‍ରେ ମୋର ଗିରଫ୍‍ ବା ଅନ୍ୟ କାର୍ଯ୍ୟ ଲାଗି ଯାହାସବୁ ରିପୋର୍ଟ ଆସୁଛି ମୁଁ ବୋଧହୁଏ ତାହା ପାଇଯାଉଛି । ତେଣୁ ଏ ସଂକ୍ରାନ୍ତୀୟ ସମସ୍ତ ବ୍ୟବସ୍ଥା ସ୍ପେଶାଲ୍ ବ୍ରାଞ୍ଚ ଜରିଆରେ କରାଯିବା ନିମନ୍ତେ ସ୍ଥିର ହେଲା । ସେଠାରୁ ଅବଶ୍ୟ ସମ୍ବାଦ ମିଳିବା ସେତେ ସହଜ ନଥିଲା ।

 

କଟକ ଜିଲ୍ଲାର ମଫସଲ ଅଞ୍ଚଳରେ ବିପ୍ଳବ ଖୁବ୍ ଦ୍ରୁତଗତିରେ ବ୍ୟାପିଗଲା । ଅଗଷ୍ଟମାସ ଭିତରେହିଁ ସାରା ଯାଜପୁର ସବ୍ଡ଼ିଭିଜନର ବହୁ ଜାଗାରେ ଚୌକିଦାର ଓ ପୁଲିସର ପୋଷାକ ଛଡ଼ାଇଆଣି ପୋଡ଼ାଗଲା । ଡାକବଙ୍ଗଳା, କେନାଲ ରେଭେନ୍ୟୁ ଅଫିସ୍, ପୁଲିସଥାନା, ଡାକଘର ଆଦିରେ ନିଆଁ ଲଗାଇଦିଆଗଲା ।

 

ଶ୍ରୀ ଗୋପବନ୍ଧୁ ଚୌଧୁରୀ ୧୯୩୪ ମସିହାରୁ କଟକ ଛାଡ଼ି ଯାଜପୁର ସବ୍ଡ଼ିଭିଜନର ବରୀଠାରେ ଆଶ୍ରମ କରି ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟରେ ଲାଗିଥାଆନ୍ତି । ପ୍ରତ୍ୟକ୍ଷ ରାଜନୀତି ବା ରାଜନୀତିକ ଦଳ ସହ ସେମାନେ ସମ୍ପୃକ୍ତ ନଥାଆନ୍ତି–ଏହା ବୋଲି ଯେ ସେମାନଙ୍କ କାର୍ଯ୍ୟର ରାଜନୀତିକ ପ୍ରଭାବ ପଡ଼ୁ ନଥିଲା ଏହା ନୁହେଁ । ମୁଁ ଯେତେବେଳେ ୧୯୪୨ ମେ-ଜୁନ୍ ମାସବେଳକୁ ଜାପାନୀ ଆକ୍ରମଣର ଆଶଙ୍କା କରି ମହାତ୍ମା ଗାନ୍ଧୀଙ୍କୁ ଦେଖା କରିବାକୁ ଯାଇଥିଲି, ସେତେବେଳେ ଗୋପବାବୁ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ବୋଲି ଗାନ୍ଧିଜୀ ମୋଠାରୁ ଜାଣିବାକୁ ଚାହିଁଥିଲେ । କିନ୍ତୁ ଗୋପବାବୁ ଥିଲେ ଚରମ ଗାନ୍ଧୀବାଦୀ । ସେ ଯେଉଁ କାର୍ଯ୍ୟରେ ଲାଗୁଥିଲେ ସେଥିରେ ନିଜକୁ ବୁଡ଼ାଇ ଦେଉଥିଲେ । ଏଭଳି ରାଜନୀତିକ ଘଟନାବଳି ସହ ସେ ସେତେବେଳେ ଜଡ଼ିତ ହେବାକୁ ଚାହୁଁ ନଥିଲେ । ୧୯୪୨ ମସିହା ଆନ୍ଦୋଳନ ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ସରକାର ଗୋପବାବୁ ଓ ତାଙ୍କର ଅନ୍ୟ ସହକର୍ମୀମାନଙ୍କୁ ଗିରଫ୍‍ କରିନେଲେ । କଂଗ୍ରେସକୁ ବେଆଇନ ଘୋଷଣା କରି ତାହା ସାଙ୍ଗେ ସାଙ୍ଗେ ବରୀ ଆଶ୍ରମକୁ ମଧ୍ୟ ସରକାର ବାଜ୍ୟାପ୍ତ କରିନେଲେ ।

 

ସେତେବେଳକୁ ଚାରିଆଡ଼େ ‘ରକ୍ତବାହିନୀ’ ଗଢ଼ାଯାଉଥାଏ । ଗୌରାଙ୍ଗବାବୁଙ୍କ ପରିଚାଳନାରେ ଗୋବିନ୍ଦପୁର ଥାନାର ବତିମିରା ଗ୍ରାମର ଏପରି ଏକ ବାହିନୀ ବହୁ ସଂଖ୍ୟାରେ ଯାଇ ଗୋବିନ୍ଦପୁର ପୁଲିସ ଥାନା ଉପରେ ଆକ୍ରମଣ କରିଥିଲେ । ବାଗଲପୁର ଓ ଅନ୍ୟତ୍ର ସେମାନେ ଲାଠି ଖେଳ ଶିକ୍ଷାପାଉଥାଆନ୍ତି । କାରଣ, ପୁଲିସ ଯଦି ଗିରଫ୍‍ କରିବାକୁ ଆସିବେ ତେବେ ତାଙ୍କୁ ପ୍ରତିରୋଧ କରିବେ । ଯାଜପୁର ଅଞ୍ଚଳରେ ଚାରିଆଡ଼େ ସେମିତି ଦଳକୁ ଦଳ ଯୁବକ ବାହାରିପଡ଼ିଲେ ଏବଂ ବରୀ ଆଶ୍ରମକୁ ଅତ୍ୟାଚାରୀ ସରକାର ହାତରୁ ପୁନର୍ଦଖଲ କରିଗଲେ । ଏତିକିବେଳେ ବ୍ୟାପକ ଭାବରେ ତାରକଟା ଆଦି ହୋଇଥିଲା । ବିଞ୍ଝାରପୁର ପୁଲିସ ଥାନା ଉପରେ ଆକ୍ରମଣ ହେଲା । କୃଷ୍ଣନଗର କାଇପଦାରେ ଗୁଳି ଚାଲିଲା । ଅନ୍ୟାନ୍ୟ ପ୍ରଦେଶ ପରି ଏଠାରେ ପ୍ରାୟ ୩୦ ହଜାର ଜନତା ଶ୍ରୀ ପଦ୍ମନାଭ ରାୟଙ୍କ ନେତୃତ୍ଵରେ ଯାଜପୁର ଏସ୍.ଡ଼ି.ଓ. ଅଫିସ୍ ଦଖଲପାଇଁ ଆସିଗଲେ । ପୁଲିସର ଗୁଳିବି କାମ କଲା ନାହିଁ । ଏଣେ ତାର ଆଦି କାଟିଦିଆଯାଇଥିବାରୁ ଓ ରାସ୍ତା ବନ୍ଦ ହୋଇ ଯାଇଥିବାରୁ ବାହାରୁ ପୁଲିସ ବା ସୈନ୍ୟ ଯାଇପାରିଲେ ନାହିଁ । ଶେଷକୁ ଗୋଟିଏ ଉଡ଼ାଜାହାଜ ଆସି ଜନତା ଉପରକୁ ଉପରୁ ଡିନାମାଇଟ ନିକ୍ଷେପ କଲା–ଜନତା ଭାଙ୍ଗିଗଲେ; ମାତ୍ର ସ୍ଥାନୀୟ ସରକାରୀ କର୍ମଚାରୀ ଓ ପୁଲିସ ପ୍ରାୟ ନିର୍ବେଦ ହୋଇଯାଇଥିଲେ । ଜନତା ସେଠାରୁ ଚାଲିଯାଇ ବାଟରେ ଯାହା କିଛି ସରକାରୀ ଅଫିସ୍ ଥିଲା ପୋଡ଼ିଜାଳି ଦେଲେ । ରାମବାଗ ଡାକଘର ଏହି ସମୟରେ ପୋଡ଼ାଯାଇଥିଲା । ବାସ୍ତବିକ ବିଚାର କଲେ ଯାଜପୁରରେ ଇଂରେଜ ସରକାରର ଶାସନ କିଛିଦିନ ଲାଗି ଅଚଳ ହୋଇଗଲା । ଏହା କର୍ତ୍ତୃପକ୍ଷଙ୍କର ଅସହ୍ୟ ହେଲା । ସେମାନେ ବହୁ ପୁଲିସ ଓ ମିଲିଟାରୀ ନେଇ ଘୋର ଦମନଲୀଳା ଆରମ୍ଭ କରିଦେଲେ–ଅକଥନୀୟ ଅତ୍ୟାଚାର ଚାଲିଲା ଓ ପିଟୁଣି ଟିକସ ଆଦି ବସାଗଲା ।

 

ଗାଁ ବାହାଦୁର ମୁସାଏବ୍ ଖାଁ ସେତେବେଳକୁ ଥାଆନ୍ତି କଟକ ଷ୍ଟୋର୍ ଆଡ଼ିସନାଲ ଜିଲ୍ଲା ମାଜିଷ୍ଟ୍ରେଟ । ଦମନ କାର୍ଯ୍ୟରେ ସେ ଥିଲେ ଅଗ୍ରଣୀ । ବରୀ ଆଶ୍ରମକୁ ଆମର ରକ୍ତବାହିନୀ ପୁନର୍ଦଖଲ କରିଯିବାରୁ ସେ ଫୌଜ ନେଇ ସେଠି ହାଜର ହେଲେ, କର୍ମୀମାନଙ୍କୁ ଗିରଫ୍‍ କଲେ ଏବଂ ବରୀ ଆଶ୍ରମକୁ ଭାଙ୍ଗି ଧୂଳିସାତ୍ କରିଦେଲେ । ଏହି ସମୟରେ ଏହି ମୁସାଏବ୍ ଖାଁଙ୍କ ବିଷୟରେ ମୁଁ ଏକ ବୁଲେଟିନ୍ ଲେଖିଥିଲି । ସେଥିରେ ଥିଲା–“ମୁସାଏବ୍ ଖାଁକୁ ଗିରଫ୍‍ କର । କଟକର ଆଡ଼ିସନାଲ ମାଜିଷ୍ଟ୍ରେଟ ମୁସାଏବ୍ ଖାଁ ବରୀ ଅଞ୍ଚଳକୁ ଧ୍ଵଂସ କରିସାରି ଏବେ ଫୌଜ ନେଇ ଏରସମା ଅଞ୍ଚଳକୁ ଧାଇଁଲେଣି । ସେ ହେଉଛନ୍ତି ଅତ୍ୟାଚାରର ପ୍ରତୀକ । ସେ ଇଂରେଜଙ୍କର ନିମକସଚ୍ଚା ନୌକର । ସେ ଯେମିତି କାମ କରୁଛନ୍ତି, ସେଥିରେ ତାଙ୍କ ଜୀବନ ଆଦୌ ନିରାପଦ ନୁହେଁ । ମାତ୍ର ଯେତେବେଳେ ସେ ଆମର ଭାରତୀୟ ଭାଇ । ତାଙ୍କୁ ନିରାପଦ ରଖିବା ନିମନ୍ତେ ଗିରଫ୍‍ କରିନିଅ; ଆଜାଦ ଜେଲ୍‍ରେ ଅଟକବନ୍ଦୀ କରି ରଖ ।”

 

ଏ ବୁଲେଟିନ୍ ସେପ୍‍ଟେମ୍ବର ୧୬ ତାରିଖରେ ବାହାରିଥିଲା ବୋଲି ସରକାରୀ କାଗଜରୁ ପ୍ରମାଣ ମିଳୁଛି । ଏ ବୁଲେଟିନ୍ ବାସ୍ତବିକ ସରକାରୀ ମହଲରେ ଆତଙ୍କ ଜାତ କରାଇଥିଲା । ମୋର ସେତେବେଳକୁ ଚେଷ୍ଟା ଥାଏ କଟକ ଜିଲ୍ଲାର କୌଣସି ଅଞ୍ଚଳରେ ଟିକସ ବନ୍ଦ ଆଦି ଆନ୍ଦୋଳନ ଚାଲୁ କରି ଏକ ସ୍ଵାଧୀନ ସରକାର ଘୋଷଣା କରିବା । ଶ୍ରୀ ନିଶାମଣି ଖୁଣ୍ଟିଆ ଛାତ୍ର ଥିବାବେଳେ ଆଗରୁ ମୋ ସହିତ ସମ୍ପୃକ୍ତ ଥିଲେ ଏବଂ ଏବେ ସେ ଏ କାର୍ଯ୍ୟ ଲାଗି ଆଗେଇ ଆସିଲେ । ତାଙ୍କ ସାଙ୍ଗରେ ଯୋଜନା ହେଲା ଏକ ସାଙ୍ଗରେ ତିର୍ତ୍ତୋଲ, ଏରସମା, ଜଗତ୍‍ସିଂହପୁର ଓ ଗୋବିନ୍ଦପୁରରେ ଜନତା–ଆକ୍ରମଣ ବ୍ୟବସ୍ଥା କରିବା ଲାଗି । ଯୁବକମାନଙ୍କୁ ନେଇ ‘ମରଣ–ବାହିନୀ’ ଗଢ଼ାଯିବ । ପୁଲିସ ଓ ମିଲିଟାରୀମାନଙ୍କୁ ନିରସ୍ତ୍ର କରିବା ନିମନ୍ତେ ଏବଂ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ନେଇ ପଳାଇଯିବା ନିମନ୍ତେ ଯୋଜନା ହେଲା । ମୋର କଳ୍ପନା ହେଲା ପୁଲିସ ଦଳଦଳ ହୋଇ କୌଣସି ଗ୍ରାମରେ ପହଞ୍ଚିଲେ ଲୋକେ ତାଙ୍କୁ ଘେରିଯିବେ; ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିବେ । ହୁଏତ ଟିକିଏ ସଂଘର୍ଷ ଭଳି ହେବ; ମାତ୍ର ଏତିକିବେଳେ ଝିଅମାନେ ଫୁଲହାର ଧରି ବାହାରିଆସିବେ । ଯେଉଁ ଗାଁରେ ଝିଅମାନେ ପ୍ରସ୍ତୁତ ନ ହୋଇ ପାରିବେ, ସେଠାରେ ଟୋକାମାନେ ହାତ ଯୋଡ଼ି ଆସି ପୁଲିସ ଓ ମିଲିଟାରୀଙ୍କୁ ନିବେଦନ କରିବେ–‘ତୁମେ ଆମରି ଭାଇ-! ଆମର ତୁମ ସହ ଲଢ଼ାଇ ନାହିଁ । ଆମକୁ ଯେତେ ମାରିବ ପଛକେ ମାର–ତୁମେ ଆମର ଅତିଥି–ଆମେ ତୁମର କ୍ଷତି କରିବୁ ନାହିଁ । ତୁମେ ଯାହା ଦଣ୍ଡ ଦେବ ଆନନ୍ଦ ମନରେ ସହିବୁ ।’ ଏମିତି ଢଙ୍ଗରେ ତାଙ୍କ ସହ ଆଲୋଚନାରେ ଲିପ୍ତ ହୋଇଗଲେ ସେମାନେ ଅତର୍କିତ ଅବସ୍ଥାରେ ରହିଯିବେ-। ଏହି ସମୟରେ ‘ମରଣବାହିନୀ’ ହଠାତ୍ ବାହାରି ସେମାନଙ୍କୁ ଘେରିଯାଇ ତାଙ୍କଠୁଁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ପଳାଇଯିବେ । ମୋଟ ଉଦ୍ଦେଶ୍ୟ ହେଲା ଯେ, କୌଶଳ ପ୍ରୟୋଗ କରି ତାଙ୍କ ସହିତ ପୂର୍ଣ୍ଣ ସହଯୋଗର ମନୋବୃତ୍ତି ଦେଖାଇ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବା । ଥରେ ନିରସ୍ତ୍ର ହୋଇଗଲେ ସେମାନଙ୍କୁ ନେଇ ବନ୍ଦୀ କରିବା କିଛି ଅସାଧ୍ୟ ହେବ ନାହିଁ । ଏପରି ଯୋଜନା ହୋଇଥିଲା ସତ୍ୟ, ମାତ୍ର କୌଣସି ସ୍ଥାନରେ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା ।

 

ସେହି ସେପ୍‍ଟେମ୍ବର ୧୭ ତାରିଖ ବୁଲେଟିନ୍‍ରେ ପୁଣି ଲେଖାଥିଲା–“କଟକ ଜିଲ୍ଲାର ଏରସମା ଥାନାକୁ ବଡ଼ିସକାଳୁ ପ୍ରାୟ ୩୦୦୦ ଲୋକ ଆସି ଘେରିଯାଇ ଥାନା ଓ ଅନ୍ୟ ସରକାରୀ ଅଫିସ୍‍କୁ ପୋଡ଼ି ଦେଇଛନ୍ତି । ତିର୍ତ୍ତୋଲରେ ଥାନା ଛଡ଼ା ଆଉ ସବୁ ଡାକବଙ୍ଗଳା ଓ ଅଫିସ୍‍କୁ ପୋଡ଼ି ଦିଆଯାଇଛି । ସଅଁରା ଡାକବଙ୍ଗଳା ଏହି ସମୟରେ ପୋଡ଼ାଯାଇଥିଲା । ଜଗନ୍ନାଥପୁର ଡାକବଙ୍ଗଳା ଓ ନେଉଳପୁର କେନାଲ ଅଫିସ୍‍ର କାଗଜପତ୍ର ପୋଡ଼ି ପାଉଁଶରେ ପରିଣତ କରିଦିଆଯାଇଛି । ଏରସମାଠାରେ ସଶସ୍ତ୍ର ପୁଲିସ ଯାଇ ପ୍ରାୟ ୧୦୦ ଲୋକଙ୍କୁ ବନ୍ଦୀ କରି ଆଣୁଥିଲେ । ହଜାରେ ଲୋକ ତାଙ୍କୁ ଘେରିଯାଇଥିଲେ । ବାଧ୍ୟ ହୋଇ ଗାଡ଼ି ଆଉ କଟକ ନ ଯାଇ ଥାନାକୁ ଫେରିଆସିଲା । ସେଥିରେ ବର୍ତ୍ତମାନ ୬୮ ଜଣ ବନ୍ଦୀ ଅଛନ୍ତି । ଏବେ ପଞ୍ଜାବୀ ସୈନ୍ୟମାନେ ଯାଇ ପହଞ୍ଚି ସେମାନଙ୍କୁ ଆଣୁଛନ୍ତି । ଆମର ଏଠିକା ସଶସ୍ତ୍ର ପୁଲିସଙ୍କୁ ସରକାର ଆଉ ବିଶ୍ଵାସ କରୁନାହାନ୍ତି; ତେଣୁ ପଞ୍ଜାବୀ ଫଉଜ ଅଣାଇଛନ୍ତି । ଏହି ପଞ୍ଜାବୀ ଫଉଜ ଘର ଘର ପ୍ରବେଶ କରି ଲୁଟତରାଜ କରୁଛନ୍ତି; ନାରୀମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଗାଁକୁ ଗାଁ ଧ୍ଵଂସ କରୁଛନ୍ତି ।”

 

ଏରସମା ଓ ଜଗନ୍ନାଥପୁରରେ ଏ ଯେଉଁ ଘଟଣା ହୋଇଗଲା, ସେଥିରେ ପ୍ରଧାନ ସେନାପତି ଥିଲେ ଗୌରଶ୍ୟାମ ନାୟକ । ସେମାନେ ବୁଲେଟିନ୍ ପାଇଲା ପରେ ଏପରି ଦୁଃସାହସିକ କାର୍ଯ୍ୟ କରିବା ନିମନ୍ତେ ବାହାରି ପଡ଼ିଲେ । ପ୍ରାୟ ଏକଶହରୁ ଅଧିକ ବ୍ୟକ୍ତି ଏହି ସଂକ୍ରାନ୍ତରେ ଗିରଫ୍‍ ହେଲେ । ଘରପୋଡ଼ି ଓ ଅନ୍ୟାନ୍ୟ ସାଙ୍ଘାତିକ ଦଫାମାନଙ୍କରେ ସେମାନଙ୍କର ବିଚାର କରାଯାଇଥିଲା । କେହି କେହି ୩୬ ବର୍ଷ ପର୍ଯ୍ୟନ୍ତ ସଜା ପାଇଲେ । ୧୯୪୬ ମସିହାରେ ପୁଣି ଯେତେବେଳେ କଂଗ୍ରେସ ମନ୍ତ୍ରିମଣ୍ଡଳ ସ୍ଥାପିତ ହେଲା, ସେତେବେଳେ ଏମାନେବି ଖଲାସହୋଇଥିଲେ ।

 

ବାଲେଶ୍ଵର ଜିଲ୍ଲାରେ ମଧ୍ୟ ବ୍ୟାପକଭାବରେ ଏ ଆନ୍ଦୋଳନ ଲାଗିଗଲା । ସ୍ଵରାଜ୍ୟ ଆନ୍ଦୋଳନରେ ବାଲେଶ୍ଵର ଜିଲ୍ଲାର ଇତିହାସ ରହିଛି । ୧୯୩୦ ମସିହାରେ ଏହି ଜିଲ୍ଲାର ଶ୍ରୀଜଙ୍ଗଠାରେ ପ୍ରଥମେ ଲବଣ ଆଇନ ଅମାନ୍ୟ କରାଯାଇଥିଲା । ଉତ୍ତର ବାଲେଶ୍ଵରରେ ପୂର୍ବର ଆଇନ ଅମାନ୍ୟ ଆନ୍ଦୋଳନମାନଙ୍କରେ ବହୁସଂଖ୍ୟକ ଲୋକ ଜେଲଯାଇଥିଲେ । ବାଲେଶ୍ଵର ଗୋଟିଏ ଛୋଟିଆ ଜିଲ୍ଲା ହେଲେ ସୁଦ୍ଧା ଜେଲ ଯାଇଥିବା ଓ କଂଗ୍ରେସ କର୍ମୀ ହିସାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ସଂଖ୍ୟା ସେଠାରେ ପ୍ରଚୁର ଥିଲା । ଗୌରବାବୁ ଯେ ଆମ ଗୋପନ ସଂଗଠନର ଭାର ନେଇଥିଲେ, ସେ ମଧ୍ୟ ଜିଲ୍ଲାସାରା ସୁପରିଚିତ ଥିଲେ । ସେ ଆଗରୁ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ରହିଥିଲେ ଏବଂ ନିଶାନିବାରଣ ପ୍ରଚାର ଲାଗି ପ୍ରାୟ ଏକବର୍ଷରୁ ଅଧିକ କାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗସ୍ତ କରି ବହୁ ସ୍ଥାନରେ ସମ୍ପର୍କ ସ୍ଥାପନ କରିଥିଲେ । ତେଣୁ ତାଙ୍କ ସହ ଯୋଗାଯୋଗ ହୋଇଗଲା ପରେ ସେ ଅଞ୍ଚଳକୁ ବୁଲେଟିନ୍ ଓ ଅନ୍ୟ ନିର୍ଦ୍ଦେଶ ପଠାଇ ବ୍ୟାପକଭାବରେ କାର୍ଯ୍ୟ ଆରମ୍ଭ କରିବାରେ କୌଣସି ଅସୁବିଧା ରହିଲା ନାହିଁ । ଅନ୍ୟ ସ୍ଥାନମାନଙ୍କ ପରି ବାଲେଶ୍ଵର ଜିଲ୍ଲାର ଲୋକମାନେ ମଧ୍ୟ ଗାନ୍ଧିଜୀଙ୍କ “କର ବା ମର” ଡାକରା ପାଇ ଆପଣା ଛାଏଁ ବହୁସ୍ଥାନରେ ସରକାରୀ ଘରବାଡ଼ି ପୋଡ଼ିବା ଏବଂ ପିକେଟିଂ ଆଦି କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ମାତ୍ର ଅଧିକାଂଶ କର୍ମୀ ପୂର୍ବ ଥରମାନଙ୍କ ପରି ଗିରଫ୍‍ ହୋଇ ଜେଲ୍‍ଖାନା ଭରିବା ବିଷୟ ବିଚାର କରୁଥିଲେ ଓ ସେହି ଦିଗରେ ମନ ବଳାଇଥିଲେ । ଗୌରବାବୁ ସଂଗଠନ ଦାୟିତ୍ଵ ନେଲା ପରେ ଆନ୍ଦୋଳନର ଧାରାକୁ ପୂର୍ଣ୍ଣରୂପେ ବଦଳାଇଦେଲେ ଏବଂ ଭାରତର ଅନ୍ୟ ଅଞ୍ଚଳ ପରି ବାଲେଶ୍ଵର ଏକ ଜାତୀୟ ରଣଭୂମିରେ ପରିଣତ ହେଲା ।

 

ଓଡ଼ିଶା ସରକାରଙ୍କଦ୍ଵାରା ସଂକଳିତ ‘ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସ’ ନାମକ ପୁସ୍ତକରେ ନିମ୍ନପ୍ରକାରେ ଉଲ୍ଲେଖ କରାଯାଇଛି–“ବାଲେଶ୍ଵର ଜିଲ୍ଲାରେ କଂଗ୍ରେସ ଆନ୍ଦୋଳନକାରୀମାନେ ଲୋକମାନଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନ କରିବା ଲାଗି ଚାରିଆଡ଼େ ବୁଲି ମତାଇଦେଲେ । ସେମାନଙ୍କର ସଂଗଠନ ଫଳରେ ଜନତା ମାତି ଉଠିଲେ ଏବଂ ସରକାର ବିରୁଦ୍ଧରେ ହିଂସାମୂଳକ କାର୍ଯ୍ୟମାନ କଲେ । ବହୁ ସ୍ଥାନରେ ହାଟ ବଜାର ବନ୍ଦ ହୋଇ ହରତାଳ ପାଳିତ ହେଲା ଏବଂ ଛାତ୍ରମାନେ ଚାରିଆଡ଼େ ବୁଲି ସ୍କୁଲ୍‍ ସବୁ ବନ୍ଦ କରିଦେଲେ । ଜିଲ୍ଲାବୋଡ଼୍‍ ଚେଆର୍‍ମେନ୍ ଓ ମ୍ୟୁନିସିପାଲଟିର ଚେଆର୍‍ମେନ୍‍ଙ୍କୁ ଇସ୍ତଫା ଦେବାଲାଗି ଛାତ୍ରମାନେ ବାଧ୍ୟ କରିଥିଲେ । ସେମାନେ ଦଳଦଳ ହୋଇ ସହରର ଗଳିକନ୍ଦିରେ ଶୋଭାଯାତ୍ରା କରି ବୁଲି ସରକାରୀ କଚେରି ଓ ଅନ୍ୟାନ୍ୟ ଦପ୍ତରରେ ପିକେଟିଂପାଇଁ ପ୍ରଚାର କଲେ । ମୋଟାମୋଟି ଜିଲ୍ଲାସାରା ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଗଲା, ସେଥିରେ ସବୁଠି ଆଇନର ଅବଜ୍ଞା କରାଗଲା । ଟେଲିଗ୍ରାଫ୍ ତାର କଟା, ଡାକବଙ୍ଗଳା ଓ ପୁଲିସ ଥାନା ପୋଡ଼ି, ପୁଲିସ ଉପରେ ଆକ୍ରମଣ ଚାଲିଲା । ସରକାରୀ କର୍ମଚାରୀମାନଙ୍କୁ ଗାଁରେ କୌଣସି ପ୍ରକାର ସାହାଯ୍ୟ ମିଳିଲା ନାହିଁ; ଲୋକେ ଅସହଯୋଗ କଲେ ଏବଂ ଟିକସ ଖଜଣା ଆଦି ଦେବା ବନ୍ଦ କରିଦେଲେ ।

 

“ଅଗଷ୍ଟ ୧୭ ତାରିଖରେ ପ୍ରାୟ ୫୦୦୦ ଲୋକ ଭଣ୍ଡାରୀପୋଖରୀ ପୋଲିସ୍ ଥାନା ଉପରେ ଆକ୍ରମଣ କଲେ । ସେଠାରେ ଥିବା ପୁଲିସ କର୍ମଚାରୀଙ୍କୁ ମାରିଲେ ଏବଂ ଥାନା ଓ ପୁଲିସ କ୍ଵାଟର୍ ସବୁରେ ନିଆଁ ଲଗାଇଦେଲେ । ତା’ପରେ ସେମାନେ ଯାଇ ସେଠାକାର ଡାକଘର ପୋଡ଼ିଦେଲେ । ରାସ୍ତା ଉପରେ ଥିବା ପୋଲଟିକି ଭାଙ୍ଗିଦେଲେ ଯେମିତିକି ପୁଲିସ ଆଉ ଆସିପାରିବେ ନାହିଁ ।”

 

ଏଠାରେ ଶେଷକୁ ପୁଲିସ ଗୁଳିଚାଳନା କରିଥିଲେ ଏବଂ ବହୁ ଲୋକ ଗୁଳିଚୋଟରେ ଆହତ ହୋଇଥିଲେ । ଏହି ଆନ୍ଦୋଳନର ସାହସୀ ବୀର ଥିଲେ ଜଣେ ଛାତ୍ର, ବୈଷ୍ଣବଚରଣ ନାୟକ । ସେ ଅନେକଦିନ ଜେଲଦଣ୍ଡ ପାଇଲେ ଏବଂ ସେବଠାରୁ ଆଉ କଲେଜକୁ ନ ଫେରି ସାଧାରଣ କର୍ମୀ ଭାବରେ କାର୍ଯ୍ୟ କଲେ । ବହୁବର୍ଷ ପର୍ଯ୍ୟନ୍ତ ସେ ମୋର ସହକର୍ମୀରୂପେ ସେହି ଅଞ୍ଚଳରେ ସୋସଲିଷ୍ଟ ପାର୍ଟିର ସଂଗଠନ କରୁଥିଲେ ।

 

‘କଂଗ୍ରେସ ବାର୍ତ୍ତା’ ଏବଂ ‘ସତ୍ୟ ସମ୍ବାଦ’ ନାମକ ବୁଲେଟିନ୍‍ଗୁଡ଼ିକ ବହୁଳଭାବରେ ଜିଲ୍ଲାସାରା ବଣ୍ଟାଯାଇଥିଲା । ବାଲେଶ୍ଵର ସହରର କାନ୍ଥବାଡ଼ରେ ବଡ଼ବଡ଼ ପୋଷ୍ଟରମାନ ଲାଗୁଥିଲା । ଇଂରେଜ ସରକାର ବିରୋଧୀ କାର୍ଯ୍ୟ କରିବା ନିମନ୍ତେ ଲୋକଙ୍କୁ ଉତ୍ତେଜିତ କରାଯାଉଥିଲା ।

 

ସେହି ପୁସ୍ତକରେ ଆହୁରି ଲେଖାହୋଇଛି–

 

“ଓଡ଼ିଶାରେ ଚଳୁଥିବା ଅଣ୍ଡରଗ୍ରାଉଣ୍ଡ୍ ଆନ୍ଦୋଳନର ନେତା ସୁରେନ୍ଦ୍ରନାଥ ଦ୍ଵିବେଦୀ କଟକରୁ ବହୁସଂଖ୍ୟକ କଂଗ୍ରେସ ବୁଲେଟିନ୍ ପ୍ରକାଶ କରୁଥିଲେ ଏବଂ ସେଗୁଡ଼ିକ ବାଲେଶ୍ଵର ଜିଲ୍ଲାରେ ପ୍ରଚୁର ପରିମାଣରେ ବିତରଣ ହେଉଥିଲା । କେମିତିଭାବରେ ଆଇନ ଅମାନ୍ୟ କରିବାକୁ ହେବ ସେ ସମ୍ବନ୍ଧରେ ଏହି ବୁଲେଟିନ୍‍ରେ ବିସ୍ତୃତଭାବରେ ବର୍ଣ୍ଣନା କରାଯାଉଥିଲା । ଏକ ବୁଲେଟିନ୍‍ରେ ସରକାରୀ ଚାକିରି ତ୍ୟାଗ କରିବା ନିମନ୍ତେ ପୁଲିସକୁ ନିବେଦନ କରାଯାଇଥିଲା ଏବଂ କଂଗ୍ରେସ ବିପ୍ଳବୀମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟ ବିଧାନ ନ କରିବାଲାଗି ଅନୁରୋଧ କରାଯାଇଥିଲା । ଆହୁରି ମଧ୍ୟ ସାଧାରଣ ଜନତାକୁ ନିବେଦନ କରାଯାଇଥିଲା–ଡାକ ଓ ଅନ୍ୟ ସରବରାହ ଧ୍ଵଂସ କରିଦିଅ । ସରକାରୀ ରେକର୍ଡ଼ ପୋଡ଼ିଦିଅ, ଟିକସ ଦିଅ ନାହିଁ, ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଅ, ତାଙ୍କ ପୋଷାକ ପୋଡ଼ିଦିଅ, ମିଲିଟାରୀ ଚାକିରି ଛାଡ଼ି ଚାଲିଆସ । ଶେଷକୁ ଏ ବୁଲେଟିନ୍‍ରେ ଓଡ଼ିଶାର ଯୁବକମାନଙ୍କୁ ନିବେଦନ କରାଯାଇଥିଲା–‘ରକ୍ତନଦୀ ବୁହାଇଦିଅ’ ।”

 

ସେପ୍‍ଟେମ୍ୱର ମାସବେଳକୁ ବାଲେଶ୍ଵର ଜିଲ୍ଲାର ଏକ ଅଞ୍ଚଳରେ ‘ଜାତୀୟ ସରକାର’ ସ୍ଥାପିତ ହୋଇଗଲା । ଏହି ଜାତୀୟ ସରକାର ଆନୁକୂଲ୍ୟରେ ବଡ଼ବଡ଼ ସଭା କରାଯାଇ ବ୍ରିଟିଶ ସରକାରୀ କାଗଜପତ୍ର ପୋଡ଼ାଯାଉଥିଲା ଏବଂ ସରକାରକୁ କେହି ମାନୁ ନଥିଲେ । ନିଜର ସ୍ଵାଧୀନ ସରକାରର କର୍ତ୍ତୃତ୍ଵ ସ୍ଥାପନ କରିବା ନିମନ୍ତେ ବିପ୍ଳବୀମାନେ ଟିକସ ଆଦି ଦେବା ବନ୍ଦ କରିଦେଲେ, ପୁଲିସକୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ଦେଲେ ନାହିଁ ଏବଂ ଗ୍ରାମାଞ୍ଚଳ ପୁଲିସକୁ ଇସ୍ତଫା ଦେବା ନିମନ୍ତେ ବାଧ୍ୟ କଲେ ।

 

ଗ୍ରାମ୍ୟ ପୁଲିସଙ୍କର ନୈତିକ ବଳ ଭାଙ୍ଗିଦେବାଲାଗି ନାନାପ୍ରକାର ପନ୍ଥା ଅବଲମ୍ବନ କରାଯାଉଥିଲା । ଲୋକେ ଫୌଜଦାରି ମକଦ୍ଦମାରେ କଚେରିରେ ହାଜିରା ନଦେଇ ପଞ୍ଚାୟତ କୋଟ୍‍ରେ ବିଚାରପାଇଁ ହାଜର ହେଉଥିଲେ ।

 

କଂଗ୍ରେସର ଅଣ୍ଡରଗ୍ରାଉଣ୍ତ୍ (ଲୁଚାଚୋରା) ସଂଗଠନଦ୍ଵାରା ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟ ଆରମ୍ଭ ହୋଇଗଲା । ମୁଖ୍ୟ ଗ୍ରାମବାସୀମାନେ ଗୋଟିଏ ଗୋଟିଏ ଗ୍ରାମ ଗୋଷ୍ଠୀର ଦାୟିତ୍ଵ ନେଲେ ଏବଂ ସରକାରୀ କର୍ତ୍ତୃତ୍ଵର ତୀବ୍ର ବିରୋଧ କଲେ । କୌଣସି ଗ୍ରାମରେ ସରକାରୀ କର୍ମଚାରୀ ବା ପୁଲିସ ପହଞ୍ଚିଲେ ସେମାନେ ଶଙ୍ଖ ବଜାଇଦିଅନ୍ତି, ଡେଙ୍ଗୁରା ପିଟନ୍ତି । ଏହି ସଙ୍କେତ ଶୁଣି ଲୋକମାନେ ତାଙ୍କ ପାଖରେ ଥିବା ହାତହତିଆର ଧରି ସରକାରୀ କର୍ମଚାରୀ ଯେମିତି ଗାଁରେ ପ୍ରବେଶ କରି ନ ପାରିବେ ତା’ର ପ୍ରତିରୋଧ କରନ୍ତି । କଟକ ଜିଲ୍ଲାର ଗୋବିନ୍ଦପୁର ଥାନାର କେତେକ ଗ୍ରାମରେ ବିପ୍ଳବୀମାନେ ଆତଙ୍କବାଦୀଙ୍କ ପରି ଆଚରଣ କଲେ । ପୁଲିସବାଲାଙ୍କୁ ଓ ଅଫିସରମାନଙ୍କୁ ହତ୍ୟା କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେଲେ ଏବଂ ପୁଲିସ ଥାନା ଓ ଜମିଦାରି କଚେରି ଆଦି ପୋଡ଼ିବା ଆରମ୍ଭ କରିଦେଲେ ।

 

ସେପ୍‍ଟେମ୍ୱର ଓ ଅକ୍ଟୋବର ମାସରେ ଏହି ବିପ୍ଳବ କିପରି ଆକାର ଧାରଣ କଲା ତାହାର ବର୍ଣ୍ଣନା କରାଯାଇ ସେହି ପୁସ୍ତକରେ ଲେଖାହୋଇଛି–

 

“୧୯୪୨ ସେପ୍‍ଟେମ୍ୱର ଅକ୍ଟୋବରରେ ଯେଉଁ ବିପ୍ଳବ ଓଡ଼ିଶାରେ ହୋଇଥିଲା, ତାହା ଥିଲା ମୁଖ୍ୟତଃ ହିଂସାମୂଳକ । ବିପ୍ଳବୀମାନେ ସକଳପ୍ରକାର ଷଡ଼ଯନ୍ତ୍ରମୂଳକ ଓ ଧ୍ଵଂସକାରୀ କାର୍ଯ୍ୟ ଆରମ୍ଭ କରିଦେଲେ । ନିଜ ଦେଶକୁ ବିଦେଶୀ କବଳରୁ ମୁକ୍ତ କରି ତାହା ସ୍ଥାନରେ ଜାତୀୟ ସରକାର ସ୍ଥାପନା କରିବା ଲାଗି ପ୍ରତିଜ୍ଞାବଦ୍ଧ ହୋଇ ଲାଗିପଡ଼ିଲେ । ଜନତାଙ୍କୁ ସଂଗଠିତ କରାଯାଇ ସେମାନଙ୍କ ଭିତରେ ଏପରି ଉତ୍ତେଜନା ସୃଷ୍ଟି କରାଗଲା ଯାହା ଫଳରେ ସେମାନେ ଦଳବଦ୍ଧ ହୋଇ ହିଂସ୍ରଜନ୍ତୁଙ୍କପରି ମାତି ଉଠିଲେ । ସେମାନେ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କଲେ । ସରକାରୀ କର୍ମଚାରୀଙ୍କି ହଇରାଣ କଲେ, ସରକାରୀ କୋଠା ସବୁ ଭାଙ୍ଗିପକାଇଲେ । ସରକାରଙ୍କର ବିଭିନ୍ନ ଅନୁଷ୍ଠାନକୁ ପୋଡ଼ିଦେଲେ, ଶସ୍ୟଭଣ୍ଡାର ଓ ଅବକାରୀ ଦୋକାନସବୁ ଲୁଟ କରିନେଲେ; ସମସ୍ତ ପ୍ରକାର ଯାତାୟାତର ବ୍ୟବସ୍ଥାକୁ କାଟି ପକାଇଲେ । ନିଜନିଜ ପାଖରେ ଯାହା ହାତହତିଆର ଥିଲା ତାକୁ ଧରି ପୁଲିସ ଉପରେ ଆକ୍ରମଣ କଲେ ଏବଂ କେତେକ ସରକାରୀ କର୍ମଚାରୀଙ୍କି ତାଙ୍କ କ୍ୱାଟର୍‍ମାନଙ୍କରୁ ତଡ଼ି ବାହାର କରିଦେଇ ତାହା ଦଖଲ କରିଗଲେ । ଗ୍ରାମରେ ବିଶେଷଭାବରେ ଚୌକିଦାରମାନଙ୍କ ଉପରେ ମାଡ଼ ହେଉଥିଲା; ତାଙ୍କ ପୋଷାକ ପୋଡ଼ିଦିଆଯାଉଥିଲା । କଂଗ୍ରେସକୁ ସରକାର ବେଆଇନ ଘୋଷଣା କଲାପରେ ଯେଉଁସବୁ କଂଗ୍ରେସ ଅଫିସ୍‍କୁ ଇଂରେଜ ସରକାର ଦଖଲ କରିନେଇଥିଲେ, ବିପ୍ଳବୀମାନେ ପୁଣି ଅସ୍ତ୍ରଶସ୍ତ୍ର ଧରିବା ସେଗୁଡ଼ିକ ପୁନର୍ଦଖଲ କଲେ ଓ ସେଥିରେ ବାସ କରିବାକୁ ଲାଗିଲେ । ଉତ୍ତେଜିତ ଜନତା ଟିକସ ଦେଲେ ନାହିଁ, ଅଫିସରମାନଙ୍କ ସହିତ ସମ୍ପୂର୍ଣ୍ଣ ଅସହଯୋଗ କଲେ ଏବଂ ପୁଲିସ ଆକ୍ରମଣ ଓ ସରକାରୀ ଦମନର ମିଳିତ ପ୍ରତିରୋଧ କଲେ । ଗୁପ୍ତ ଅଣ୍ଡରଗ୍ରାଉଣ୍ଡ୍ କାମ ସବୁ ବହୁ ଗ୍ରାମରେ ଚାଲିଲା । ଜାଣିଶୁଣି ସରକାରୀ ଆଇନକାନୁନର ଅବମାନନା କରାଗଲା ଏବଂ ଲୋକମାନେ ଇଂରେଜ ଶାସନ ବିରୁଦ୍ଧରେ ପ୍ରତ୍ୟକ୍ଷ ବିଦ୍ରୋହ ଘୋଷଣା କଲେ । ପୁଲିସଙ୍କ ହୃଦୟରେ ଭୟ ସଞ୍ଚାର କରିବା ନିମନ୍ତେ କେତେକ ଆତଙ୍କବାଦୀ ପୁଲିସଙ୍କୁ ହତ୍ୟା କରାଯିବ ବୋଲି ଘୋଷଣା କଲେ । ଲୋକେ ସଂଗଠିତ ହୋଇ ବହୁସଂଖ୍ୟାରେ ଏକତ୍ର ହେଲେ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅବଜ୍ଞା କରି ମିଳିତଭାବରେ ହିଂସାମୂଳକ କାର୍ଯ୍ୟରେ ବ୍ରତୀ ହେଲେ ।

 

“ଏହି ଗଣ ଆଇନ ଅମାନ୍ୟ ଆନ୍ଦୋଳନବେଳେ ବାଲେଶ୍ଵର ଜିଲ୍ଲାର ବାସୁଦେବପୁର ଥାନାର ଇରମ ଗ୍ରାମରେ ଯେଉଁ ଭୀଷଣ ଗୁଳିକାଣ୍ଡ ହେଲା, ତାହା ଓଡ଼ିଶାର ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ ବୋଲି ଯଥାର୍ଥରେ କୁହାଯାଇପାରେ । ୧୯୪୨ ସେପ୍‍ଟେମ୍ବର ୨୮ ତାରିଖରେ ପ୍ରାୟ ପାଞ୍ଚହଜାର ଜନତା ବାସୁଦେବପୁର ପୁଲିସ ଥାନାକୁ ଆକ୍ରମଣ କରିବା ନିମନ୍ତେ ବାହାରିଲେ । ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କ ବିବରଣୀ ଅନୁଯାୟୀ ପୁଲିସ ବହୁଥର ଗୁଳିଚାଳନା କଲେ । ୩୫ ଜଣ ପ୍ରାଣ ହରାଇଲେ ଏବଂ ୧୦୭ ଜଣ ଆହତ ହେଲେ । ଜଙ୍ଗଲରେ ନିଆଁ ଲାଗିଲା ପରି ଇରମ୍ ଘଟଣା ଚାରିଆଡ଼େ ବ୍ୟାପିଗଲା ଏବଂ ଖୁବ୍ ଉତ୍ତେଜନା ସୃଷ୍ଟି କଲା । ଓଡ଼ିଶା ସରକାର ରେଭିନ୍ୟୁ କମିଶନର ଓ ପୁଲିସ ଇନ୍‍ସ୍ପେକ୍ଟର ଜେନେରାଲଙ୍କୁ ଘେନି ଏକ ମିଳିତ ତଦନ୍ତ କମିଟି ବସାଇଲେ । କେତେ ଲୋକ ଆହତ ଓ ମୃତ ହୋଇଛନ୍ତି ଏବଂ ସମାନ୍ତରାଳ ସରକାର ଗଠନ ଲାଗି ସେଠାରେ କିଭଳି ଉଦ୍ୟମ ହେଉଥିଲା ତାହା ତଦନ୍ତ କରିବା ନିମନ୍ତେ ଏହି କମିଟିକୁ ନିର୍ଦ୍ଦେଶ ଦିଆଗଲା । ସରକାରୀ ତଦନ୍ତ ରିପୋର୍ଟରେ କୁହାଯାଇଛି–‘ସେଠାରେ ଯେଉଁ ପରିସ୍ଥିତି ଉପୁଜିଥିଲା, ସେଥିରେ ପ୍ରଥମ ଅବସ୍ଥାରେ ଗୁଳି ଚଳାଇବାର ଯଥାର୍ଥ କାରଣ ଥିଲା ବୋଲି ଆମେ ହୃଦ୍‍ବୋଧ କରିଛୁ । ଗୁଳି ଅତ୍ୟଧିକ ହୋଇଥିଲା ବୋଲି ଆମେ ବିଚାରୁନାହୁଁ ।’

 

ତାଙ୍କ ରିପୋର୍ଟ ଅନୁସାରେ ୨୬ ଜଣ ଗୁଳିଚୋଟରେ ମରିଥିଲେ ଏବଂ ୫୪ ଜଣ ଆହତ ହୋଇଥିଲେ । ଆମ ରିପୋର୍ଟ ଅନୁସାରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୭ ଜଣ ଆଘାତପ୍ରାପ୍ତ ହୋଇଥିଲେ । ସରକାରୀ ତଦନ୍ତରେ ଏହା ଛଡ଼ା ଆଉ କ’ଣ ଲେଖା ହୋଇଥାଆନ୍ତା ? ତେବେ ଓଡ଼ିଶାର ଅଗଷ୍ଟ ବିପ୍ଳବ ଭିତରେ ଇରମ୍ ଘଟଣା ଯେ ଏକ ଉଲ୍ଲେଖଯୋଗ୍ୟ ଘଟଣା ଏଥିରେ ସନ୍ଦେହ ନାହିଁ । ଏ ଆନ୍ଦୋଳନ ପରିଚାଳନା କରୁଥିଲେ ଜଣେ ଯୁବକ–କମଳାକାନ୍ତ କର । ଇରମ୍ ଓ ବାଲେଶ୍ଵର ଜିଲ୍ଲାରେ କିଭଳି କାଣ୍ଡସବୁ ହୋଇଗଲା ତା’ର ଗୋଟାଏ ସମ୍ୟକ୍ ଧାରଣା ଦେବାଲାଗି ମୁଁ ଅଣ୍ଡରଗ୍ରାଉଣ୍ଡ୍ ଥିବାବେଳେ ବାଲେଶ୍ଵରର ପିଆରୀମୋହନ ଦାସଙ୍କଠାରୁ ଏକ ଦୀର୍ଘଚିଠି ପାଇଥିଲି । ସେଥିରେ ବର୍ଣ୍ଣିତ ଇରମ୍ ଗୁଳିକାଣ୍ଡର ବିଶଦ ବିବରଣୀ ପରବର୍ତ୍ତୀ ଅଧ୍ୟାୟରେ ଦିଆଯାଇଛି ।

 

ଏହି ସରକାରୀ ପୁସ୍ତକର ଆଉ ଏକ ସ୍ଥାନରେ ପୁଣି ବର୍ଣ୍ଣନା କରାଯାଇଛି–

 

“ଭାରତୀୟ ପିଙ୍ଗଳକୋଡ଼୍‍ର ବିଭିନ୍ନ ଦଫାରେ, ରେଲଓ୍ୱେ ଆଇନ, ଟେଲିଗ୍ରାଫ୍ ଆଇନ ଏବଂ ଭାରତ ରକ୍ଷା ଆଇନ ନିୟମାବଳୀ ଅନୁସାରେ ପୁଲିସ (୧) ସୁରେନ୍ଦ୍ରନାଥ ଦ୍ଵିବେଦୀ, (୨) ନିଶାମଣି ଖୁଣ୍ଟିଆ, (୩) ବାଙ୍କବିହାରୀ ଦାସ, (୪) ସଚ୍ଚିଦାନନ୍ଦ ମିଶ୍ର, (୫) ନାରାୟଣ ପ୍ରସାଦ ମହାନ୍ତି, (୬) ନରସିଂହ ଚରଣ ମହାନ୍ତି, (୭) ଲୋକନାଥ ମିଶ୍ର, (୮) ଆଦିକନ୍ଦ ବନାମ ନବଘନ ବେହେରା, (୯) ଯଦୁମଣି ଜେନା, (୧୦) ରମାକାନ୍ତ ଦାସ, (୧୧) ଗୌରଚନ୍ଦ୍ର ଦାସ, (୧୨) ପିଆରୀମୋହନ ଦାସ, (୧୩) ଦୁଃଖିଶ୍ୟାମ ପାଢ଼ୀ, (୧୪) ଭୈରବ ଚନ୍ଦ୍ର ମହାନ୍ତି, (୧୫) ବିଶ୍ଵନାଥ ପରିଡ଼ା ଏବଂ (୧୬) ଘନଶ୍ୟାମ ପଟ୍ଟନାୟକଙ୍କ ବିରୁଦ୍ଧରେ ପୁଲିସ ଚାର୍ଜସିଟ୍ ତିଆରିକଲେ । ଏହି ମକଦ୍ଦମାର ବିଚାର କଟକରେ ଏକ ସ୍ପେଶାଲ ଜଜ୍‍ଙ୍କ ଇଜଲାସରେ ହେଲା ଏବଂ ଏହାକୁ କୁହାଗଲା ‘ଦ୍ଵିବେଦୀ ଷଡ଼ଯନ୍ତ୍ର ମକଦ୍ଦମା’ । ଏହି ତଥାକଥିତ ଷଡ଼ଯନ୍ତ୍ରର ମୁଣ୍ଡ ତଥା କେନ୍ଦ୍ର ହେଉଛନ୍ତି ସୁରେନ୍ଦ୍ରନାଥ ଦ୍ଵିବେଦୀ । ସେ ଅଗଷ୍ଟ ୩ ତାରିଖରେ କଟକରୁ ଏକ ଟିକଟ କାଟି ବମ୍ବେ ଗଲେ । ବମ୍ବେଠାରେ ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଯୋଗ ଦେବା ଲାଗି ସେ ୬ ତାରିଖରେ ପହଞ୍ଚିଥିଲେ । ତାଙ୍କୁ ଗିରଫ୍‍ କରିବା ନିମନ୍ତେ ପୁଲିସ ଯତ୍‍ପରୋନାସ୍ତି ଉଦ୍ୟମ କରିଥିଲେ । ଶେଷକୁ ଅକ୍ଟୋବର ମାସରେ ତାଙ୍କୁ ଅଲିସାବଜାରର ଏକ ଘରୁ ଗିରଫ୍‍ କରାଯାଇଥିଲା । ତାଙ୍କ ପାଖରୁ ବହୁ ପରିମାଣରେ କାଗଜପତ୍ର ମିଳିଥିଲା ଏବଂ ଏଥିରୁ ତାଙ୍କ ବିରୁଦ୍ଧରେ ସବୁ ପ୍ରମାଣ ମିଳିଗଲା । ଦ୍ଵିବେଦୀଙ୍କୁ ଭାରତୀୟ ପିଙ୍ଗଳକୋଡ଼୍‍ର ୧୨୦ (ଖ) ଏବଂ ଭାରତ ରକ୍ଷା ଆଇନର ଅଧିନିୟମ (୫)ରେ ଅଭିଯୁକ୍ତ କରାଗଲା ଓ ୬ ବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା । ତାଙ୍କୁ ପୁଣି ଭାରତୀୟ ପିଙ୍ଗଳକୋଡ଼୍‍ର ୧୧୭ ଦଫାରେ ଆହୁରି ଏକବର୍ଷ କାରାଦଣ୍ଡ ଦିଆଗଲା । ଭୈରବଚନ୍ଦ୍ର ମହାନ୍ତି, ବିଶ୍ଵନାଥ ପରିଡ଼ା ଓ ଘନଶ୍ୟାମ ପଟ୍ଟନାୟକଙ୍କୁ ୪ ବର୍ଷ ଲେଖାଏଁ ସଶ୍ରମ କାରାବାସ ଦିଆଗଲା । ନିଶାମଣି ଖୁଣ୍ଟିଆ, ବାଙ୍କବିହାରୀ ଦାସ, ନାରାୟଣ ପ୍ରସାଦ ମହାନ୍ତି, ନରସିଂହ ଚରଣ ମହାନ୍ତି, ଲୋକନାଥ ମିଶ୍ର, ଆଦିକନ୍ଦ ବନାମ ନବଘନ ବେହେରା, ପିଆରୀମୋହନ ଦାସ, ରମାକାନ୍ତ ଦାସ ଓ ଗୌରଚନ୍ଦ୍ର ଦାସଙ୍କୁ ୫ ବର୍ଷ ଲେଖାଏଁ ସଶ୍ରମ ଜେଲ ଦିଆଗଲା । ସଚ୍ଚିଦାନନ୍ଦ ମିଶ୍ର ଓ ଯଦୁମଣି ଜେନାଙ୍କୁ ମୁକ୍ତ କରି ଦିଆଗଲା ।”

 

ପ୍ରକୃତରେ ସେମାନେ ସିନା ମକଦ୍ଦମାରୁ ଖଲାସ ହେଲେ କିନ୍ତୁ ଭାରତ ରକ୍ଷା ଆଇନ ଅନୁସାରେ ସେମାନଙ୍କୁ ଅଟକ କରି ରଖାଯାଇଥିଲା । ଏହି ମକଦ୍ଦମାର ରାୟ ପରବର୍ତ୍ତୀ ଏକ ଅଧ୍ୟାୟରେ ଦିଆଯାଇଛି ।

☆☆☆

 

ଇରମ ଗୁଳିକାଣ୍ଡ

 

ଏବେବି ଭାବିଲେ ରୁମ ଟାଙ୍କୁରି ଉଠୁଛି ।

 

ବାଲେଶ୍ଵର ଜିଲ୍ଲାର ବାସୁଦେବପୁରରେ ୩୫, ଖଇରାରେ ୫, ତୁଡ଼ିଗଡ଼ିଆରେ ୩, ଧାମନଗରରେ ୮, ଅଯୋଧ୍ୟାରେ ୩ ଓ ବ୍ରହ୍ମପୁରରେ ୩ ଜଣ–ମୋଟରେ ୫୭ ଜଣ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ସେଥିମଧ୍ୟରୁ ଇରମ ଘଟଣା ହେଉଛି ସବୁଠାରୁ ମର୍ମନ୍ତୁଦ । ଏ ସମ୍ପର୍କରେ ଶ୍ରୀ ପ୍ୟାରୀମୋହନ ଦାସ ମୋ ପାଖକୁ ଯେଉଁ ଚିଠି ଲେଖିଥିଲେ ତାହା ତଳେ ଦିଆଗଲା-

 

“ସି.ଓ.,

 

ଚିଠି ପାଇଲି । ମୁଁ ଦିନକ ଆଗରୁ ଡାକରେ ଚିଠି ପଠେଇଛି । କାଲି ତାହା ପାଇଥିବ । ସେଥିରେ ଯେଉଁସବୁ ବିସ୍ତୃତ ବିବରଣୀ ଲେଖିଥିଲି ସେଗୁଡ଼ିକ କେତେକାଂଶରେ ସତ୍ୟ ନୁହେଁ ବୋଲି ବର୍ତ୍ତମାନ ଜଣାପଡ଼ିଛି । ଆମେ ସବୁ ଜାଗାରୁ ଡାକ ପାଇସାରିଲୁଣି । ବାସୁଦେବପୁରର ଯେଉଁ କର୍ମୀ ସେଠାରେ କାମ କରୁଥିଲା, ସେ ଆସିଥିଲା । ସେ ପଚାରିବାକୁ ଆସିଥିଲା–ସେଠିକା ପରିସ୍ଥିତିକୁ କିପରି ସମ୍ଭାଳିବ । ସେ କହିଲା ଯେ ସୋମବାର ଉପରବେଳା ଡି.ଏସ୍.ପି. ୨୫ ଜଣ ଫୋର୍ସ ନେଇ ଇରମ ଆଡ଼କୁ ଯାଉଥିଲା । ଗାଁକୁ ଯିବାପାଇଁ ଏକ ନଈ ପାର ହେବାକୁ ପଡ଼େ । ଜଣେ କର୍ମୀ ଏମାନଙ୍କ ଗତିବିଧି ଲକ୍ଷ୍ୟ କରିବାପାଇଁ ଘାଟ ଜଗି ରହିଥିଲା । ସେ ଏମାନଙ୍କୁ ଦେଖି ସମ୍ବାଦ ଦେବାପାଇଁ ନଈ ପହଁରି ଇରମକୁ ଦୌଡ଼ି ଚାଲିଗଲା । ସେ ସେଠି ପହଞ୍ଚି ପୁଲିସ ଆସୁଛନ୍ତି ବୋଲି କହି ପଡ଼ିଗଲା । ପ୍ରକୃତରେ ଦୁଇମାଇଲ ବାଟ ଦୌଡ଼ି ଦୌଡ଼ି ଯାଇ ଏ ସମ୍ବାଦ ଦେଲାବେଳକୁ ସେ ହାଲିଆ ହୋଇ ପଡ଼ିଥିଲା । ସକାଳେ ଯେତେବେଳେ ପୁଲିସ ସବ୍ଇନ୍‍ସପେକ୍ଟର ସ୍ଥାନୀୟ ପୁଲିସକୁ ସାଙ୍ଗରେ ଧରି ଇରମ ଆଡ଼କୁ ଯାଉଥିଲା, ସେତେବେଳେ ଜଣେ ଲୋକ ଶଙ୍ଖ ବଜାଇଲା । ସବ୍‍ଇନ୍‍ସପେକ୍ଟର ତାକୁ ପଚାରିଲା–ତୁ ଶଙ୍ଖ ବଜାଇଲୁ କାହିଁକି ? ସେ ଉତ୍ତର ଦେଲା–‘‘ମୋ ବାପାର ଶେଷକ୍ରିୟା କରିବା ଲାଗି ।” ସେ ତାକୁ ଶଳା ବେଧା ବୋଲି ଗାଲିଦେଇ ଚାପୁଡ଼ା ଓ ବିଧା ମାରିଲା । ପୁଣି ଏମାନେ ଉପରବେଳା ଆସିଲେ ଓ ସଶସ୍ତ୍ର ପୁଲିସଙ୍କ ସାଙ୍ଗେ ଯୋଗ ଦେଲେ । ଶଙ୍ଖଶବ୍ଦଦ୍ଵାରା ସମସ୍ତେ ଜାଣିଗଲେ ଯେ ପୁଲିସ ଆସିଗଲେଣି । ଦୁଇ ତିନିମାଇଲ ଦୂରରୁ ଲୋକ ଆସି ଜମା ହୋଇଗଲେ । ସେହି ସମୟରେ କମଳାକାନ୍ତ କର (କର୍ମୀ) ଲୋକଙ୍କୁ ପୁଣି ଥରେ ବୁଝେଇଲେ–‘‘ସାହସ ଧରି ଅପେକ୍ଷା କର, କିଛି ହେବ ନାହିଁ, ସେମାନେ ଯଦି ଆକ୍ରମଣ କରନ୍ତି ତେବେ ଆମେ ପ୍ରତି ଆକ୍ରମଣ କରିବା ।” ସେତେବେଳକୁ ପ୍ରାୟ ଆଠହଜାର ପାଖାପାଖି ଲୋକ ରୁଣ୍ଡ ହୋଇଗଲେଣି । ସେ ସେମାନଙ୍କୁ କହିଲେ–ତୁମମାନଙ୍କ ଭିତରୁ ଯେଉଁମାନଙ୍କ ପ୍ରାଣକୁ ଭୟ ଅଛି ଓ ସାହସ ଦେଖାଇବାକୁ ଅସମର୍ଥ ସେମାନେ ଚଳିଯାଇପାର । ତିନି ଚାରିଥର ଏପରି ସତର୍କବାଣୀ ଶୁଣାଇଲା ପରେ ପ୍ରାୟ ପାଞ୍ଚ ସାତଶହ ଲୋକ ଜାଗା ଛାଡ଼ି ଚାଲିଗଲେ । କମଳାକାନ୍ତର ଯୋଜନା ଥିଲା ସବୁ ପୁଲିସ ଫୋର୍ସ ଇରମରେ ଜମା ହୋଇଯିବା ପରେ ସେ ପଛ ପାଖରୁ ଦୁଇହଜାର ଲୋକଙ୍କୁ ନେଇଯାଇ ବାସୁଦେବପୁର ପୁଲିସ ଥାନାକୁ ଜାଳିଦେବ । କମଳାକାନ୍ତ ସଭାରେ ଏ କଥା ଲୋକଙ୍କୁ ବୁଝେଇ ଦେଇଥିଲା । ଲୋକେ ସମ୍ମତ ହେଲେ । କମଳା ପୁଣି ଥରେ କହିଲା, “ତୁମେ ସବୁ କେଭେଁ ପ୍ରଥମେ ଆକ୍ରମଣ କରିବ ନାହିଁ ।”–ତୁଡ଼ିଗଡ଼ିଆ ଅଭିଜ୍ଞତା ଥିଲା । ତେଣୁ ଲୋକେ କହିଲେ ସେମାନେ ଯଦି ତୁମକୁ ଆରେଷ୍ଟ କରନ୍ତି ଆମେ କେଭେଁ ଛାଡ଼ିବୁ ନାହିଁ । ତେଣୁ କମଳା ପୁଣି ଲୋକଙ୍କୁ ବୁଝାଇଲା, “ତୁମେ ଯଦି ଗିରଫ୍‍ର ପ୍ରତିରୋଧ କର ତାହାହେଲେ ଗୁଳି ଚାଲିବ ଏବଂ ଆମେ ଯାହା ଚାହୁଁଚେ ତାହା କରିପାରିବା ନାହିଁ ।” ଏହା କହି ପୁଲିସ ଆସିଲେ ତାଙ୍କୁ ଯିବାପାଇଁ ଅନୁମତି ଦେବାକୁ ସେ ଲୋକଙ୍କୁ କହିଲା । ସେ ନିଜେ କିଛି ଦୂରକୁ ଚାଲିଗଲା । ଅଳ୍ପ ବାଟ ଯାଇଛି, ଗୋଟେ ଆଡ଼ୁ ପାଟିତୁଣ୍ଡ ଶୁଭିଲା । ମୁହଁ ଫେରାଇ ସେ ଦେଖେ ଜଣେ ପୋଷ୍ଟ୍‍ପିଅନ ଇରମକୁ ଡାକ ନେଇ ଯାଉଥିଲାବେଳେ ତାକୁ ଲୋକେ ବନ୍ଦ କରି ଡାକ ଛଡ଼େଇ ନେଇଛନ୍ତି । ଆଉ ଏକ ଘଟଣାବି ଟିକିଏ ଆଗରେ ଘଟିଲା । ଜଣେ ଚୌକିଦାର ଡି.ଏସ୍.ପି.ଙ୍କ ୱାଟର୍‍ପ୍ରୁଫ୍, ବେଡ଼ିଙ୍ଗ୍ ଏବଂ ହାତବାକ୍ସ (ଯାହା ଭିତରେ ଗୁଳି ଭର୍ତ୍ତି ହୋଇଥିଲା) ନେଇ ଯାଉଥିଲା । ତାକୁ ଲୋକେ ଅଟକେଇଲେ ଏବଂ ତା’ ହାତରୁ ସବୁ ଜିନିଷ ଛଡ଼େଇ ନେଇଗଲେ । ଜନତା ହାତରେ ଗୁଳି ପଡ଼ିଗଲା । ଚୌକିଦାର କାନ୍ଦି କାନ୍ଦି ଫେରିଲା ଏବଂ ସମସ୍ତ ବିଷୟ ଡି.ଏସ୍.ପି.ଙ୍କ ଆଗରେ ବର୍ଣ୍ଣନା କଲା । ଡି.ଏସ୍.ପି. କହିଲେ “ମୁଁ ନରମେଧ ଯଜ୍ଞ କରିବି” ଏବଂ ସଙ୍ଗେ ସଙ୍ଗେ ଫୋର୍ସକୁ ପ୍ରସ୍ତୁତ ହୋଇଯିବା ପାଇଁ ଅଡ଼ର୍ ଦେଲେ । କିନ୍ତୁ ବୁଲେଟ୍ କୁଆଡ଼ୁ ପାଇବେ ? ଜମିଦାର ରାଧାକାନ୍ତ ପାଢ଼ୀ ଓ ମୁକ୍ତିକାନ୍ତ ପାଢ଼ୀ ତାଙ୍କୁ ଚାରିଶହ ଗୁଳି ଓ ବନ୍ଧୁକ ଦେଲେ–ଏହାକୁ ନେଇ ସେ ଘଟଣା ସ୍ଥଳକୁ ଗଲେ । ସେଠି ପହଞ୍ଚି ପୁଲିସମାନେ ଚାରିଜଣ କରି ଧାଡ଼ି ବାନ୍ଧିଲେ–ଆଗ ଓ ପଛରୁ ଥରଥର କରି ଗୁଳି ଫାୟାର୍ କଲେ । ଡି.ଏସ୍.ପି. ନିଜର ଦୁଇହାତରେ ଦୁଇଟା ପିସ୍ତଲ ଧରି ଗୁଳି ମାରୁଥାଏ, ହୁକୁମ ଦେଉଥାଏ, ପୁଲିସ ଗୁଳି ଚଳାଉଥାଆନ୍ତି । ଲୋକେ ପଳେଇବାକୁ ଆରମ୍ଭ କଲେ । ପ୍ରଥମ ଥର ଗୁଳିରେ ଦୁଇଜଣ ମରିଯିବା ଦେଖି ପୁଲିସ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ବରାବର ଗୁଳିକରିବାରେ ଲାଗିଲେ । ପାଞ୍ଚମିନିଟ କାଳ ଏମିତି ଗୁଳି କରି ତା’ପରେ ସେମାନେ ଫେରିଲେ । ଏହି ପାଞ୍ଚ ମିନିଟ ଗୁଳି ଭିତରେ ୧୭ ଜଣ ମରିଗଲେ । ଖବର ପହଞ୍ଚିଲା ଯେ ପଳେଇଗଲାବେଳେ ଯାହାଙ୍କଠି ଗୁଳି ବାଜିଥିଲା ସେମାନେ ୨୦।୨୫ ମିନିଟ ପରେ ମରି ପଡ଼ିଗଲେ । ଏମାନଙ୍କ ସଂଖ୍ୟା ହେଲା ୧୮ । ଜଣାଗଲା ଯେ ଏହି ଅଠରଜଣଙ୍କ ଭିତରୁ କେତେକ ପାଣି ଭିତରେ ଭାସୁଛନ୍ତି, କେତେକ ବାଡ଼ ପାଖରେ, ଆଉ କେତେକ ବାଉଁଶ ବଣରେ ମୁର୍ଦ୍ଦାର ହୋଇ ପଡ଼ିଛନ୍ତି । ଏମିତି ୩୫ ଜଣ ମଲେ, ୧୦୮ ଜଣ ଆହତ ହେଲେ । ମୁଁ ଆଗ ଯାହା ରିପୋର୍ଟ ଦେଇଥିଲି ସେ ସବୁ ଲୋକମୁଖରୁ ଶୁଣିକରି ଦେଇଥିଲି । ତେଣୁ ଯେଉଁ ମୃତ ଓ ଆହତ ସଂଖ୍ୟା ଲେଖିଥିଲି ତା’ ସଠିକ୍ ନଥିଲା । ମୁଁ ତାକୁ ଜଣଙ୍କଠୁ ଶୁଣିକରି ଲେଖିଥିଲି । ଏଥିସହ ଯେଉଁମାନେ ମରିଛନ୍ତି ଓ ଆହତ ହୋଇଛନ୍ତି ସେମାନଙ୍କ ତାଲିକା ଦେଉଛି । ଗୌରାଙ୍ଗ ମଙ୍ଗଳବାର ଦିନ ସଭା କରିଥିଲା ଏବଂ ପୁଲିସ ଥାନା ପୋଡ଼ିବା ଲାଗି ସ୍ଥିର କରୁଥିଲା । କିନ୍ତୁ ବହୁସଂଖ୍ୟକ ଲୋକ ନ ବାହାରିବାରୁ ସେ ତାହା ସ୍ଥଗିତ ରଖିଲା । ଏହା ଜାଣିପାରି ପୁଲିସ ତା’ଘରେ ପହଞ୍ଚିଲେ ଏବଂ ତା’ ସ୍ତ୍ରୀ ଛାତିକି ନିଜେ ପୁଲିସ ଅଫିସର ବନ୍ଧୁକମୁନ ଦେଖାଇ କହିଲେ, “ଯଦି ୨୪ ଘଣ୍ଟା ଭିତରେ ତୁମ ସ୍ୱାମୀଙ୍କୁ ତୁମେ ଧରାଇ ନ ଦିଅ ତାହାହେଲେ ତୁମ ମୁଣ୍ଡବାଳ କାଟିଦେବୁ, ଅତ୍ୟାଚାର କରିବୁ ଏବଂ ତୁମକୁ ପ୍ରାଣରେ ମାରିଦେବୁ । ସେ ଯଦି ୨୪ ଘଣ୍ଟା ଭିତରେ ଆସି ଧରା ନ ଦିଏ ତାହାହେଲେ ତାକୁ ପାଇଲାମାତ୍ରେ ହତ୍ୟା କରିବୁ ।” ସେ ବିଚାରୀ କିଛି ଜାଣେନାହିଁ ବୋଲି କହିବାରୁ ସେମାନେ ଫେରିଆସିଲେ । ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ କେତେକ ଲୋକଙ୍କୁ ଗିରଫ୍‍ କରାଗଲା ।

 

ଶନିବାରଦିନ ସେମାନେ କମଳା ଘରକୁ ଗଲେ ଏବଂ କହିଲେ, “ଶଳା ବେଧା କମଳା ଯେ ଏତେ ଲୋକଙ୍କୁ ମରେଇ ଦେଲା, ସେ ଗଲା କୁଆଡ଼େ ? ” ଏହା ଶୁଣି କମଳାର ଭଉଣୀ କହିଲା, “ତୁମେ ତାକୁ କାହିଁକି ଦୋଷ ଦେଉଚ–ସେ କ’ଣ ଗୁଳି କରି ଲୋକଙ୍କୁ ମାରିଛି ? ତୁମେ କ’ଣ ତା’ ଭଉଣୀକି ବାହାହେଇଛ ଯେ ଶଳା ବେଧା କରି ଗାଳି ଦେଉଛ ? ସେ କ’ଣ ତୁମକୁ ଏଠିକି ଡାକୁଥିଲା ହତ୍ୟା କରିବ ବୋଲି ? “ଏହା ଶୁଣି ସେମାନେ ତା’ ଭଉଣୀକି ଗାଳି ଦେଇ ଦେଇ ଚାଲିଗଲେ ଏବଂ କହିଲେ, “ତୁ ଯଦି କମଳାକୁ ୨୪ ଘଣ୍ଟା ଭିତରେ ଆଣି ହାଜିର ନ କରୁ ଆମେ ତାକୁ ପରେ ଯେତେବେଳେ ପାଇବୁ ସାଙ୍ଗେ ସାଙ୍ଗେ ଗୁଳି କରି ଉଡ଼େଇ ଦେବୁ ।” ଏଇଠି ଗୋଟେ ମଜା କଥା ଘଟିଲା । ମଙ୍ଗଳବାର ଦିନ ସକାଳେ ରାଧାକାନ୍ତ ପାଢ଼ୀ ଯେତେବେଳେ ଶୁଣିଲା ଯେ ଚାଷୀମାନଙ୍କୁ ହତ୍ୟା କରାଯାଇଛି ସେ ସାଙ୍ଗେ ସାଙ୍ଗେ ତା’ ପୁତ୍ର ହାତରେ ୩୦ଟି ଟଙ୍କା ଓ ୬୦ ଟଙ୍କାର ଚାଉଳ ଲୋକଙ୍କୁ ଦେବାପାଇଁ ପଠାଇଲା । ଶୁଣାଯାଉଛି, ମୋଟେ ୨।୩ ଜଣ ଲୋକ ଟଙ୍କାକୁ ୧୦।୧୫ ସେର ଦରରେ ୨।୩ ଟଙ୍କାର ଚାଉଳ କିଣିଲେ । ଅନ୍ୟମାନେ ବଡ଼ କଠୋର ଭାବରେ ତାକୁ କହିଲେ, “ତୁମ ବାପା ପୁଲିସିକି ଗୁଳି ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଲେ ଆମ ଭାଇ, କକା, ଭଣଜା, ମାମୁ, ବାପା ଓ ଭେଣେଇଙ୍କୁ ମାରିଦେବା ଲାଗି । ସେ ଏବେ ଆମକୁ ସାହାଯ୍ୟ କରିବାପାଇଁ ଟଙ୍କା ଓ ଚାଉଳ ପଠାଇଛି । ତୁମେ ଯଦି ତୁମ ବାପାଙ୍କର ଖଣ୍ଡେ ମାଉଁସ ଆଣିପାରନ୍ତ ଏବଂ ତମ ଘରୁ ଖଣ୍ଡେ ଇଟା ଆଣିଦିଅନ୍ତ ତାହାହେଲେ ଆମେ ପ୍ରତିଶୋଧ ନିଅନ୍ତୁ । ସେ ମାଉଁସ ଖଣ୍ଡକ ଆମ ପାଖରେ ରଖନ୍ତୁ ଆଉ ଇଟା ଖଣ୍ଡକ ନେଇ ଆମ ବନ୍ଧୁବାନ୍ଧବଙ୍କୁ ଦେଖାନ୍ତୁ-। ତମକୁ ଲାଜ ମାଡ଼ୁନାହିଁ, ତମେ ପୁଣି ଟଙ୍କା ଆଉ ଚାଉଳ ଦେବାକୁ ଆସିଛ ?” ଜମିଦାରଙ୍କ ପୁଅ ଫେରିଗଲା ଏବଂ ସବୁକଥା ଯାଇ ଡି.ଏସ୍.ପି.ଙ୍କ ଆଗରେ କହିଲା । ଡି.ଏସ୍.ପି. ତହୁଁ ଦଳବଳସହ ଆସି ଯାହାକୁ ଦେଖିଲେ ତାକୁ ପିଟିଲେ ଓ ଗିରଫ୍‍ କଲେ । ଯେଉଁ ୩୫ ଜଣଙ୍କୁ ହତ୍ୟା କରାଯାଇଥିଲା ତାଙ୍କ ଭିତରୁ ସାତ ଜଣଙ୍କୁ ଗୁପ୍ତ ଭାବରେ ନେଇ ପୋଡ଼ିଦେଲେ । ବାକି ୨୮ ଜଣଙ୍କୁ ନେଇ ଚୌକିଦାରମାନେ ପୋତି ପକେଇଲେ । ସେଠିକା ୟୁନିୟନ୍ ପ୍ରେସିଡ଼େଣ୍ଟ୍ ମଧ୍ୟ ଗୁଳି କରିଥିଲା–ଅପରାଧ ହେଉଛି ତା’ଠୁ ଲୋକେ କାଗଜପତ୍ର ଛଡ଼େଇ ନେଲେ । ସେ ଗୁଳି କଲାବେଳେ ଜଣେ ବୁଢ଼ା ଲୋକ ତା’ ପାଦତଳେ ପଡ଼ିଯାଇ ଗୁହାରି କରି କହିଲେ, “ତୁମେ କାହିଁକି ମାରୁଛ ?” ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ୍‍ କରି ନିଆଗଲା । ବର୍ତ୍ତମାନ ଫୋର୍ସଙ୍କ ସଂଖ୍ୟା କମିଗଲାଣି-। ଡି.ଏସ୍.ପି.ଙ୍କ ସହ ସଶସ୍ତ୍ର ପୁଲିସ ନଅଜଣ ଏବଂ କେବଳ ଥାନାବାଲା ୧୧ ଜଣ ଅଛନ୍ତି-

 

ଯେଉଁ ମୃତ ଲୋକଙ୍କ ତାଲିକା ମିଳିଚି ତାକୁ ତଳେ ଦେଉଛି ।

 

କ୍ର. ନଂ

ନାମ

ବୟସ

ଗ୍ରାମ

ପରିବାରର ବଞ୍ଚିଥିବା ଲୋକ

୧.

ମଣି ପ୍ରଧାନ

୩୨

ସୁଦର୍ଶନପୁର

ବାପା, ମା’, ସ୍ତ୍ରୀ, ପୁଅ, ଭାଇ

୨.

ହରି ଦାସ

୩୬

ସୁଦର୍ଶନପୁର

ବାପା, ମା’, ସ୍ତ୍ରୀ, ପୁଅ, ଭାଇ

୩.

ରତ୍ନାକର ପାଣି

୧୬

ସୁଦର୍ଶନପୁର

ବାପ, ଭାଇ, କକା

୪.

ଦିବାକର ପାଣିଗ୍ରାହୀ

୧୮

ଗୁଡ଼ା

ବାପ, ଭାଇ, କକା

୫.

ଗୋବିନ୍ଦ ରାଉତ

୫୬

ଆରିତୁଠ

ସ୍ତ୍ରୀ ଓ ଝିଅ

୬.

କୃପାସିନ୍ଧୁ ବେହେରା

୨୬

ଶଙ୍ଖାରେ

ବାପ, ଭାଇ, ମାଆ

୭.

ଗୋପାଳ ଚରଣ ଦାସ

୩୯

ପାତୁଆଁ

ସ୍ତ୍ରୀ ଓ ତିନି ଝିଅ

୮.

ବିଶ୍ଵନାଥ ଦାସ

୪୦

ପାତୁଆଁ

ସ୍ତ୍ରୀ ଓ ତିନି ଝିଅ

୯.

ବିଜୁଳି ଦାସ

୧୫

ପାତୁଆଁ

କାକା ଓ ଖୁଡ଼ୀ

୧୦.

ବାସୁଦେବ ସାହୁ

୨୫

ପାତୁଆଁ

ବାପା, ମା’, ସ୍ତ୍ରୀ ଓ ଭାଇ

୧୧.

କୃଷ୍ଣ ସ୍ୱାଇଁ

୪୫

ପାତୁଆଁ

ସ୍ତ୍ରୀ, ଚାରି ପୁଅ, ତିନି ଝିଅ

୧୨.

କାଳି ମାଝି

୩୦

ପାତୁଆଁ

ସ୍ତ୍ରୀ, ଓ ଦୁଇ ପୁଅ

୧୩.

ଭୂଆ ମାଝି

୩୫

ପାତୁଆଁ

ସ୍ତ୍ରୀ ଓ ଗୋଟିଏ ଝିଅ

୧୪.

ଧ୍ରୁବଚରଣ ଦେ

୪୨

ପାତୁଆଁ

ଚାରିବର୍ଷର ପୁଅ

୧୫.

ହୃଷୀ ବେହେରା

୫୦

ପାତୁଆଁ

ସ୍ତ୍ରୀ ଓ ପୁଅ

୧୬.

ବଲ୍ଲଭ ବେହେରା

୪୦

ପାତୁଆଁ

ସ୍ତ୍ରୀ ଓ ଝିଅ

୧୭.

ହର ବେହେରା

୨୨

ପାତୁଆଁ

ମା ଓ ସ୍ତ୍ରୀ

୧୮.

ରାଧା ମହାଳିକା

୫୦

ପାତୁଆଁ

୩ଟି ପୁଅ

୧୯.

ମଣି ବେହେରା

୪୦

ପାତୁଆଁ

ମା’, ସ୍ତ୍ରୀ ଓ ପୁଅ

୨୦.

ରାମ ମାଝି

୨୦

ପାତୁଆଁ

ମା’, ଭଉଣୀ ଓ ସ୍ତ୍ରୀ

 

ଏମାନଙ୍କ ବ୍ୟତୀତ ଆଘାତପ୍ରାପ୍ତ ଓ ଗିରଫ୍‍ ହୋଇଥିବା ବ୍ୟକ୍ତିଙ୍କ ନାମ ସଂଗ୍ରହ କରିପାରିଚି–ପଠାଉଛି ।

 

ମଙ୍ଗଳବାର ଅର୍ଥାତ୍ ଯେଉଁଦିନ ଗୁଳି ହେଲା ତା’ ପରଦିନ କର୍ମୀମାନଙ୍କର ଏକ ବୈଠକ ହେଲା ଏବଂ କ’ଣ କରାଯିବ ବିଚାର କରାଗଲା । ଏଥିଭିତରେ ଭାଗୁଆଁର ଗୋକୁଳାନନ୍ଦ ମହାନ୍ତି ଉତ୍ତର–ବାଲେଶ୍ଵରରୁ ଆସି ପହଞ୍ଚିଥାଆନ୍ତି । ସେ ସେଠାରେ ଲୋକଙ୍କ ଭିତରେ ଖଜଣା ଓ ପଥକର ବନ୍ଦ କରାଇ ଓ ପିକେଟିଂଦ୍ଵାରା ଅଚଳ ଅବସ୍ଥା ସୃଷ୍ଟି କରିବାପାଇଁ ଯାଇଥିଲେ । ସେ ଜଣେ ବଡ଼ପାଟିଆ ଲୋକ । ତାକୁ ସମ୍ମାନ ଦେଖାଇବାର କଥା । ସେ କମଳାକୁ ପଚାରିଲେ, ତୁ ଲୋକଙ୍କୁ କାହା ପାଖରେ ଛାଡ଼ି ପଳେଇଗଲୁ ? କମଳା ଯେତେ ବୁଝାଇବା ପାଇଁ ଚେଷ୍ଟା କଲା କେହି ତା’ କଥା ଶୁଣିଲେ ନାହିଁ । କମଳା ଜୀବନଭୟରେ ଗୁଳିର ସମ୍ମୁଖୀନ ହୋଇ ନଥିବାରୁ ତାକୁ ସମସ୍ତେ ଦୋଷୀ ସାବ୍ୟସ୍ତ କଲେ । ତା’ପରେ ସ୍ଥିର ହେଲା ନଅଟି ଦଳ ହୋଇ ସମସ୍ତେ ଥରଥର କରି ଯାଇ ଗିରଫ୍‍ ହେବେ । କମଳା ତା’ ନିଜ ଅଞ୍ଚଳକୁ ଗଲା ଏବଂ ସବୁ ଗଣ୍ୟମାନ୍ୟ ଲୋକଙ୍କୁ ଡାକି କହିଲା ଯେ ସେ ଲୋକଙ୍କୁ ମରେଇ ଦେଇଛି ବୋଲି ଅଭିଯୋଗ ହେଉଛି, ତାକୁ ସମସ୍ତେ ଦୋଷ ଦେଉଛନ୍ତି; ସେ ନିଜେ ମରିନି, ତେଣୁ ସେ ନିଜେ ଯାଇ ଗିରଫ୍‍ ହୋଇଯିବ । କିନ୍ତୁ ମୃତ ଲୋକଙ୍କ ବନ୍ଧୁବାନ୍ଧବମାନେ କହିଲେ, ଆମେ ତୁମକୁ କେଭେଁ ଛାଡ଼ିବୁନି । ଆମର ବାପ, ପୁଅ ଯାଇଛନ୍ତି–ତୁମେ ହେଉଚ ଆମ ବାପ ଓ ପୁଅ । ତୁମେ ଯଦି ଚାଲିଯାଅ ତାହାହେଲେ ଆମେ ଅନାଥ ହୋଇଯିବୁ । ସେମାନେ କମଳାକୁ ଜବାବ ଦେଇଛନ୍ତି ଯେ କିଛିଦିନ ରହିଯାଅ, ଆମେ ପରେ ପୁଣି ଏକାଠି ହୋଇ ଏକ ବଡ଼ ଆକ୍ରମଣ କରିବା । । ଇତି ।

 

ବି.ଏ.

(ବି.ଓ.ଙ୍କ ତରଫରୁ)

☆☆☆

 

ଢେଙ୍କାନାଳ ଓ ତାଳଚେର

 

ଓଡ଼ିଶାରେ ଅଗଷ୍ଟ ବିପ୍ଳବ ମୁଖ୍ୟତଃ କଟକ, ପୁରୀ, ବାଲେଶ୍ଵର ଓ କୋରାପୁଟରେ ଭୀଷଣ ଆକାର ଧାରଣ କରିଥିଲା । କଟକ ଜିଲ୍ଲାର କେତେକ କାର୍ଯ୍ୟ ମୋର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହେଉଥିଲା କହିଲେ ଚଳେ । ଯେଉଁମାନେ ଅନ୍ୟ ଅଞ୍ଚଳରେ ଏହା ଚଳାଉଥିଲେ, ସେମାନେ ଆସି ଦେଖାକରି ଯାଉଥିଲେ ଏବଂ କିମିତି କ’ଣ କରାଯିବ ପରାମର୍ଶ ନେଉଥିଲେ । ମାତ୍ର କୋରାପୁଟ ସହ ଆମେ ସମ୍ପର୍କ ରଖିବା ଆଦୌ ସମ୍ଭବ ହେଲା ନାହିଁ । ଅନ୍ୟ ସ୍ଥାନମାନଙ୍କୁ, ଯଥା–ଗଞ୍ଜାମ, ସମ୍ବଲପୁର ଆଦି ଜିଲ୍ଲାକୁ କେବଳ ବୁଲେଟିନ୍ ପଠାଯାଇପାରିଥିଲା । ସମ୍ବଲପୁର ଲାଗି ଭୈରବଚନ୍ଦ୍ର ମହାନ୍ତି କେତେକ ଠିକଣା ପଠାଇଥିଲେ । ଗଞ୍ଜାମଲାଗି ଶ୍ରୀ ଘନଶ୍ୟାମ ପଟ୍ଟନାୟକ ଆମ ସହ ଚିଠିପତ୍ର କାରବାର କରୁଥିଲେ, ବୁଲେଟିନ୍ ପଠାଇବାର ଠିକଣା ଦେଇଥିଲେ ଓ ସେଠିକା ଘଟନାବଳିର ବିଧିବଦ୍ଧ ରିପୋର୍ଟ ମଧ୍ୟ ପଠାଉଥିଲେ । କିନ୍ତୁ ତୁଣ୍ଡବାଇଦ ସହସ୍ର କୋଶ ପରି ଥରେ ଯଦି ବୁଲେଟିନ୍‍ର ପ୍ରଚାର ହେଉଥିଲା ତା’ର ସମ୍ବାଦ ଚାରିଆଡ଼କୁ ଚାଲିଯାଉଥିଲା ।

 

ଢେଙ୍କାନାଳ ଓ ତାଳଚେରରେ ଅଗଷ୍ଟ ବିପ୍ଳବ ଏଭଳି ପ୍ରତିକ୍ରିୟା ସୃଷ୍ଟି କରିପାରିବ ବୋଲି ମୁଁ ଆଦୌ ଜାଣିପାରି ନଥିଲି । ମୁଁ ଲୁଚି ରହିଥିବାବେଳେ କେବଳ ଥରେ ସମ୍ବାଦ ଆସି ପହଞ୍ଚିଥିଲା ଯେ ତାଳଚେରରେ ଲୋକେ ବିଦ୍ରୋହ କରି ଉଠିଛନ୍ତି । ରେଳରାସ୍ତାସବୁ ବନ୍ଦ ହୋଇଯାଇଛି । ରାଜନଅରକୁ ଲୋକେ ଘେରି ପକାଇଛନ୍ତି–ସେଠିକାର ପୁଲିସ ପକ୍ଷରେ ସେମାନଙ୍କୁ ଆୟତ୍ତ କରିବା କଷ୍ଟସାଧ୍ୟ । ସେତେବେଳକୁ ଢେଙ୍କାନାଳ ଓ ତାଳଚେର ଦୁଇଟି ସ୍ଵତନ୍ତ୍ର ଗଡ଼ଜାତ ରାଜ୍ୟରୂପେ ରହିଥାଏ । ଦୁଇ ଗଡ଼ଜାତର ରାଜା ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏ ଦୁଇ ଗଡ଼ଜାତ ପଛରେ ବିରାଟ ବୈପ୍ଳବିକ ଇତିହାସ ରହିଛି । ୧୯୩୮ ମସିହାରେହିଁ ଗଡ଼ଜାତ ପ୍ରଜାଆନ୍ଦୋଳନ ଚାରିଆଡ଼େ ବ୍ୟାପିଗଲା । ଓଡ଼ିଶାରେ, ବିଶେଷଭାବରେ ଢେଙ୍କାନାଳରେ, ଶାସକଙ୍କର ଦମନଲୀଳା ଚରମ ସୀମାରେ ପହଞ୍ଚିଥିବାରୁ ଲୋକେ ଭୟରେ ତ୍ରସ୍ତବ୍ୟସ୍ତ ହୋଇଯାଉଥିଲେ । ପୁରୁଣାକାଳିଆ ବେଠି ବେଗାରି ଦମନର ସମସ୍ତ ଦୃଷ୍ଟାନ୍ତ ଏହିଠାରେ ଦେଖିବାକୁ ମିଳୁଥିଲା । ତାଳଚେର ମଧ୍ୟ ସେହି ପ୍ରକାରେ ଅତ୍ୟାଚାରିତ ହୋଇ ରହିଥିଲା ।

 

ଢେଙ୍କାନାଳରେ କୌଣସି ଆନ୍ଦୋଳନ ହେବା ପୂର୍ବରୁ ସେଠାର ଲୋକେ ଏପରି ହନ୍ତସନ୍ତ ହୋଇଯାଇଥିଲେ ଯେ ସେମାନେ ବହୁ ସଂଖ୍ୟାରେ ରାଜ୍ୟ ଛାଡ଼ି ଅନ୍ୟତ୍ର ପଳାଇଯାଉଥିଲେ । କାହାରି ଧନଜୀବନ ମାନ ଇଜ୍ଜତ ନିରାପଦ ନଥିଲା । ଲୋକେ ଦମନରେ ଶଢ଼ୁଥିଲେ । ତେଣୁ ୧୯୩୮–୩୯ ବେଳକୁ ସାରଙ୍ଗଧର ଦାସ ଓ ବୈଷ୍ଣବଚରଣ ପଟ୍ଟନାୟକ ଆଦି ସାହସ କରି ଯେତେବେଳେ ପ୍ରଜା ଆନ୍ଦୋଳନ ଆରମ୍ଭ କଲେ, ତାହା ସବୁଠାରୁ ଅତି ଶୀଘ୍ର ବୈପ୍ଳବିକ ରୂପ ଧାରଣ କଲା । ଏ ଆନ୍ଦୋଳନ ସହ ଆମେମାନେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ଥିଲୁ । ଏତିକିବେଳକୁ ‘କୃଷକ’ ପତ୍ରିକା ପ୍ରକାଶିତ ହୁଏ । ସାରଙ୍ଗଧରବାବୁ ସେଥିରେ ‘ଲଣ୍ଡା ଦେହୁରୀ’ ନାମ ଦେଇ ଗଡ଼ଜାତ ପ୍ରଜାଙ୍କର ଅତ୍ୟାଚାର କାହାଣୀ ବର୍ଣ୍ଣନା କରୁଥିଲେ । ସାରଙ୍ଗଧରବାବୁ ଏହି କୃତ୍ରିମ ନାମରେ ଲେଖିବାର କାରଣ ହେଉଛି, ଏହି ରାଜାମାନେ ଥିଲେ ଇଂରେଜ ସରକାରଙ୍କ ପୋଷାପୁଅ-। ବ୍ରିଟିଶ ସରକାର ରାଜାଙ୍କ ସୁରକ୍ଷାପାଇଁ କରିଥିବା ଆଇନ ଯୋଗୁଁ ମୋଗଲବନ୍ଦି ଅଞ୍ଚଳରେ କେହି ରାଜାମାନଙ୍କ ବିରୁଦ୍ଧରେ ଲେଖିପାରୁ ନଥିଲେ । ହଜାର ହଜାର ଲୋକଙ୍କ ଧନଜୀବନ ଜଣେ ଜଣେ ସ୍ୱେଚ୍ଛାଚାରୀଙ୍କ ହାତରେ କ୍ରୀଡ଼ାପୁତ୍ତଳିକା ପରି ଛାଡ଼ି ଦିଆଯାଇଥିଲା । ତାଙ୍କ ହାତରେ ମଣିଷ ଜୀବନ ମାଛିଠାରୁବି ହୀନ । ସେମାନେ ଯଥେଚ୍ଛାଚାର କରୁଥିଲେ ।

 

ଏହି ମନମୁଖୀ ଶାସନକୁ ଶେଷ କରି ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ଲାଗି ପ୍ରଜାମଣ୍ଡଳ ଆନ୍ଦୋଳନର ସୃଷ୍ଟି ହେଲା । ଆମେ ସୋସଲିଷ୍ଟମାନେ ଏଣେ ମୋଗଲବନ୍ଦିରେ ଜମିଦାର ଅତ୍ୟାଚାର ବିରୁଦ୍ଧରେ କୃଷକ ଆନ୍ଦୋଳନ ସାଙ୍ଗକୁ ତେଣେ ସାଆନ୍ତିଆ ରାଜାଙ୍କ ଅନ୍ଧାରିମୁଲକ ବିରୁଦ୍ଧରେ ପ୍ରଜାଆନ୍ଦୋଳନ ଆରମ୍ଭ କରିଦେଲୁ । ଏ ଆନ୍ଦୋଳନ ଖୁବ୍ ତୀବ୍ର ଆକାର ଧାରଣ କଲା-। ଢେଙ୍କାନାଳରେ ତ ପ୍ରଥମେ ପ୍ରବେଶ କରିବା ଅସମ୍ଭବ ଥିଲା । ବୈଷ୍ଣବ ପଟ୍ଟନାୟକ ଲୁଚିଛପି ଯାଇ ରାତିରେ ବିଭିନ୍ନ ସ୍ଥାନରେ ପତ୍ରପତ୍ରିକା ପକାଇଦେଇ ଚାଲିଆସୁଥିଲେ । ଏ ଆନ୍ଦୋଳନ କଳ୍ପନାତୀତ ଭାବରେ ଆଗେଇଚାଲିଲା । ରାଜାର ଦମନଲୀଳା ସାରା ଭାରତର ଦୃଷ୍ଟି ଆକର୍ଷଣ କଲା । ଏହି ଆନ୍ଦୋଳନବେଳେ ବାଜିରାଉତ ଓ ତାଙ୍କ ସାଥୀମାନେ ଗୁଳିଚୋଟରେ ମଲେ-। ଏ ଘଟଣା ଓଡ଼ିଶାର ବିଦ୍ରୋହ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କଲା । ମହାତ୍ମା ଗାନ୍ଧୀ ଏ ଅତ୍ୟାଚାର ବିରୁଦ୍ଧରେ “ହରିଜନ” କାଗଜରେ ବହୁ ପ୍ରବନ୍ଧ ଲେଖିଥିଲେ ।

 

ତାଳଚେରର ପ୍ରଜାମାନେବି ପଡ଼ୋଶୀ ଢେଙ୍କାନାଳର ପ୍ରଜାମାନେ ସଂଗଠିତ ହେବା ଦେଖି ସାଙ୍ଗେ ସାଙ୍ଗେ ତୁମୂଳ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ହିଜାରାତ୍ କରି ତାଳଚେରରୁ ହଜାର ହଜାର ଲୋକ ଯେପରି ଗ୍ରାମ ଛାଡ଼ି ଆସି ଅନୁଗୁଳରେ ଆଶ୍ରୟ ନେଇଥିଲେ, ସେଭଳି ଘଟଣା ଭାରତରେ ବିରଳ କହିଲେ ଚଳେ । ଏହାଦ୍ୱାରା ତାଳଚେର ଘଟଣା ପ୍ରାୟ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ସେତେବେଳେ ପବିତ୍ରମୋହନ ପ୍ରଧାନ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । (ଏବେ ତ ଓଡ଼ିଶାରେ ଆଉ ଗଡ଼ଜାତ ହୋଇ କିଛି ନାହିଁ କିମ୍ବା ତାଳଚେର ଢେଙ୍କାନାଳର ସ୍ୱତନ୍ତ୍ର କ୍ଷମତା କିଛି ନାହିଁ । ତାଳଚେର ଓ ଢେଙ୍କାନାଳ ଓ ଅନ୍ୟ କେତେକ ଅଞ୍ଚଳ ମିଶି ଢେଙ୍କାନାଳ ଜିଲ୍ଲାରେ ପରିଣତ ହୋଇଛି ।)

 

ଏହି ଦୁଇ ରାଜ୍ୟର ଜନତାଙ୍କ ଭିତରେ ଦେଶପ୍ରୀତି ଓ ସଂଘର୍ଷର ମନୋବୃତ୍ତି ଆଗରୁ ଜାଗ୍ରତ ହୋଇଥିଲା । ସେତେବେଳେ ଯେଉଁ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇ ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଦ୍ଵିତୀୟ ମହାସମର ଲାଗିଯିବାରୁ ଓ ରାଜନୀତିକ ପରିସ୍ଥିତିର ପରିବର୍ତ୍ତନ ଘଟିବାରୁ ତାହା ପୁଣି ଭିନ୍ନ ରୂପ ଧାରଣ କଲା । ଭାରତବର୍ଷସାରା ଯେଉଁଠି ସବୁ ଦେଶୀୟରାଜ୍ୟମାନଙ୍କରେ ଆନ୍ଦୋଳନ ଲାଗିଥିଲା, ତାହା ଦବିଯାଇ ନଥିଲେ ସୁଦ୍ଧା ସେପରି ଢଙ୍ଗରେ ଚଳିପାରିଲା ନାହିଁ । ଆନ୍ଦୋଳନ ସିନା ଉପରୁ ବନ୍ଦ ହୋଇଗଲା, ଲୋକଙ୍କ ଭିତରେ ଯେଉଁ ଅଗ୍ନି ଥିଲା ତାହା ଛପି ରହିଥିଲା କହିଲେ ଚଳେ । ପୁଣି ଯେତେବେଳେ ସାରା ଭାରତରେ ବ୍ରିଟିଶ ସରକାର ବିରୁଦ୍ଧରେ ‘କର ବା ମର’ ସଂଗ୍ରାମ ଆରମ୍ଭ ହୋଇଗଲା, ସେତେବେଳେ ଏହି କ୍ଷୁଦ୍ର ଦେଶୀୟ ରାଜ୍ୟର ଶାସକମାନଙ୍କୁ କିଏ ପଚାରେ–ସେମାନେ ତ ବ୍ରିଟିଶ ବଳରେ ନିଜ ରାଜ୍ୟରେ ବଳୀୟାନ୍ ହୋଇଥିଲେ ! ଏ କଥା ସତ୍ୟ ଯେ, ଜାପାନୀମାନଙ୍କ ଆଗମନର ସମ୍ଭାବନା ଓ ବ୍ରିଟିଶ ବର୍ମାରେ ହାରିଯିବା ଦେଖି ଏଠାରେ ମଧ୍ୟ ସେମାନେ ହାରିଯିବେ ବୋଲି ଅନୁମାନ କରି ଭିତରେ ଭିତରେ ଜାପାନୀମାନଙ୍କୁ ସ୍ୱାଗତ କରିବାକୁ ଏହି ରାଜାମାନେ ପ୍ରସ୍ତୁତ ହେଉଥିଲେ । ବାସ୍ତବିକ ସେତେବେଳେ ପୂର୍ବ–ଭାରତରେ ଏପରି ଆତଙ୍କ ଛାଇଯାଇଥିଲା ଯେ ଜାପାନୀ ଆକ୍ରମଣ ଆସନ୍ନପାୟ ବୋଲି ସମସ୍ତେ ଧରିନେଇଥିଲେ ।

 

୧୯୪୨ ମସିହାରେ କୁଜଙ୍ଗ ଉପକୂଳର ନୌସଂଘର୍ଷ ପରେ ମୁଁ ଗାନ୍ଧିଜୀଙ୍କ ପାଖକୁ ଯାଇଥିଲି ପରାମର୍ଶ ନିମନ୍ତେ । ମାତ୍ର ତା’ପୂର୍ବରୁ ଗାନ୍ଧିଜୀ ତାଙ୍କର ପଟ୍ଟଶିଷ୍ୟା ମୀରାବେନ୍‍ଙ୍କୁ ଓଡ଼ିଶାକୁ ପଠାଇ ପ୍ରକୃତ ବିବରଣ ସଂଗ୍ରହ କରିଥିଲେ । ମୀରାବେନ୍ ଜୁନ୍ ମାସରେ ଓଡ଼ିଶାକୁ ଆସି ଗାନ୍ଧିଜୀଙ୍କୁ ନିମ୍ନଲିଖିତ ପ୍ରକାରେ ଏକ ରିପୋର୍ଟ ଦେଇଥିଲେ । ସେ ଲେଖିଥିଲେ–‘‘ଇଂରେଜ ସରକାର ଜାପାନୀ ଆଗମନର ଆଶଙ୍କାରେ ଗାଁବାଲାଙ୍କୁ ହୁକୁମ ଦେଇଛନ୍ତି ଯେ ସେମାନେ ତାଙ୍କ ଡଙ୍ଗାସବୁ ଭାଙ୍ଗିଦିଅନ୍ତୁ । ଆମେ ଯେଉଁଠିକୁ ଗଲୁ ଲୋକେ ଆମକୁ ଘେରିଯାଇ କହିଲେ ବର୍ଷାଦିନେ ଡଙ୍ଗା ନଥିବା ଅର୍ଥ ଆମମାନଙ୍କର ନିଶ୍ଚିତ ମୃତ୍ୟୁ । ଘରୁ ବାହାରିବାକୁ ଆଉ କିଛି ଉପାୟ ନାହିଁ । ଏପରିକି ଚାରିଆଡ଼େ ବନ୍ୟା ଯୋଗୁଁ ପାଣି ଭରିଥିବାବେଳେ ଆମେ ସବୁ ଡଙ୍ଗାରେ ପଦାକୁ ଯାଇ ନିତ୍ୟକର୍ମ ଆଦି କରିଥାଉ । ଗାଁବାଲା ସବୁ ହତାଶ ହୋଇପଡ଼ିଲେଣି । ସେମାନେ ଆମକୁ ପଚାରୁଛନ୍ତି–ଜାପାନୀ ଆକ୍ରମଣ ତ ହୋଇନାହିଁ, ଅଥଚ ତା’ ପୂର୍ବରୁ ଆମକୁ ଏମିତି ସବୁ ଧ୍ୱଂସ କରିବାଲାଗି ଇଂରେଜ ସରକାର ହୁକୁମ ଦେଇଛି । ଆମେ କ’ଣ ଜାପାନୀ ଆସିବା ଆଗରୁ ମରିବୁ-? ଏ ତ ଗଲା ସମୁଦ୍ର କୂଳ ଓ ବନ୍ୟାପ୍ଳାବିତ ଅଞ୍ଚଳ କଥା–ଯେଉଁ ବାଟ ଦେଇ ଜାପାନୀ ଆସିଯିବେ ବୋଲି ସରକାରଙ୍କର ଭୟ; ତାହା ସାଙ୍ଗକୁ ଲାଗିରହିଛି କେନାଲ ଅଞ୍ଚଳ । କାଳେ ଜାପାନୀମାନେ କେନାଲର ଉପଯୋଗ କରିବେ ସେଥିଲାଗି ସାମରିକ କର୍ତ୍ତାମାନଙ୍କ ହୁକୁମଅନୁସାରେ କେନାଲଗୁଡ଼ିକ ଶୁଖାଇଦିଆଯାଇଛି । କେନାଲରେ ପାଣି ଆସୁ ନଥିବାରୁ ଏଣେ ଚାଷବାସ ପ୍ରାୟ ଅଚଳ ହୋଇଯାଇଛି । ମୋର ମନେହେଉଛି ଏଥିରେ ପାଣି ରହିଥିଲେ ଜାପାନୀମାନେ ଏହାର ଉପଯୋଗ କରିବା ସହଜ ହୋଇ ନଥାନ୍ତା । ମାତ୍ର ଏ ଶୁଖିଲା କେନାଲ ଗର୍ଭ ଯେମିତି ଚଉଡ଼ା ବର୍ତ୍ତମାନ ଟ୍ୟାଙ୍କ୍‍ମାନ ଆସିବାଲାଗି ଭାରି ସୁବିଧା ହେବ ବୋଲି ମନେହେଉଛି ।”

 

ସେତେବେଳେ ଭାରତର ପୂର୍ବ–ଉପକୂଳବର୍ତ୍ତୀ ଅଞ୍ଚଳରେ କିପରି ଆତଙ୍କ ସୃଷ୍ଟି ହୋଇଥିଲା ଏଇଥିରୁ ବୁଝାଯିବ । ବିଶେଷ ଭାବରେ ଇଂରେଜ ସରକାର ଏପରି ଜଳାପୋଡ଼ା ନୀତି ଗ୍ରହଣ କରିବା ଏବଂ ବଡ଼ବଡ଼ ସରକାରୀ ଦପ୍ତରଗୁଡ଼ିକ ଅପେକ୍ଷାକୃତ ନିରାପଦ ସ୍ଥାନକୁ ନେବାର ଉଦ୍ୟମ କରିବା ଫଳରେ ଲୋକଙ୍କ ଭିତରେ ଗୋଟାଏ ପ୍ରକାର ଅସହାୟ ଭାବ ସୃଷ୍ଟି ହୋଇଥାଏ । ସରକାରୀ କର୍ମଚାରୀଙ୍କ ଭିତରେ ମଧ୍ୟ ଏପରି ବଡ଼ କର୍ମଚାରୀ ଥାଆନ୍ତି ଯେଉଁମାନେ କି ଭିତରେ ଭିତରେ ଜାପାନୀଙ୍କୁ ସ୍ଵାଗତ କରିବା ନିମନ୍ତେ ଏକପ୍ରକାର ପ୍ରସ୍ତୁତ ହୋଇ ରହିଥାନ୍ତି । ଗଡ଼ଜାତ ରାଜାମାନେ ଆଗଭର ହୋଇ ବାହାରି ଆସି ଯେ ଜାପାନୀଙ୍କୁ ଧଳାପତାକା ଦେଖାଇବେ ଏହାର ଖୁବ୍ ସମ୍ଭାବନା ଥିଲା । ମୁଁ ଗାନ୍ଧିଜୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରି ଯେଉଁ ଉତ୍ତର ପାଇଥିଲି ତାହା ବିଶଦ ଭାବରେ ଆଗରୁ ଉଲ୍ଲେଖ କରିଛି ।

 

ଅଗଷ୍ଟ ଆନ୍ଦୋଳନ ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଢେଙ୍କାନାଳର ପରଜଙ୍ଗ ସବ୍ଡ଼ିଭିଜନ ଉପରେ ସେ ରାଜ୍ୟର ପ୍ରଜାମାନେ ବହୁସଂଖ୍ୟାରେ ଯାଇ ଆକ୍ରମଣ କଲେ । ଏକପ୍ରକାର ଖଣ୍ଡପ୍ରଳୟ ସୃଷ୍ଟି ହୋଇଗଲା । ରାଜକର୍ତ୍ତୃପକ୍ଷ ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଆଶା କରି ନଥିଲେ । ଆଗରୁ କୌଣସି ପ୍ରସ୍ତୁତିର ସୂଚନାବି ପାଇ ନଥିଲେ । ଶହ ଶହ ଲୋକ ଖାଲି ସରକାରୀ କଚେରି ଉପରେ ଆକ୍ରମଣ କଲେନାହିଁ, ସେଠି ରହିଥିବା ରାଜ–ଅମାରରୁ ଧାନ ବାଣ୍ଟିନେଲେ । ଆଗରୁ ତ ସେଠା ଜନତା ଭିତରେ ବିଦ୍ରୋହ ନିଆଁ ଜଳୁଥିଲା, ତାକୁ ଏଭଳି ରୂପ ଦେବା ବେଶି କଷ୍ଟକର ହେଲାନାହିଁ–କେବଳ ସାହସ ଓ ସଂଗଠନ ଶକ୍ତିର ପ୍ରୟୋଜନ ଥିଲା । ବୈଷ୍ଣବ ପଟ୍ଟନାୟକ ତାହା ଯୋଗାଇଦେଲେ ଏବଂ ଲୋକେ ତାଙ୍କ ଆହ୍ଵାନରେ ବାହାରି ଆସିଲେ । ଚାରିଆଡ଼ ହୁଲସ୍ତୁଲ, ଲୋକଙ୍କ ଭିତରେ କି ଉତ୍ତେଜନା–ସତେ କି ମନର ବାହୁକାଳର କଳ୍ପନା ପୂରଣ ହେବାକୁ ଯାଉଛି ! ରାଜ–ପୋଲିସ୍‍ଙ୍କ ସହ ସଂଘର୍ଷ ଲାଗିଲା । ବହୁ ସରକାରୀ ଅଫିସ୍‍ରେ ନିଆଁ ଲାଗିଗଲା । ରାଜଦରବାର ପକ୍ଷରେ ଏହାକୁ ଆୟତ୍ତ କରିବା ଦୁଃସାଧ୍ୟ ହୋଇପଡ଼ିଲା । ତହୁଁ ଗୁଳିଚାଳନା କରାଗଲା । ଏହି ଗୁଳିଚୋଟ ଆସି ବୈଷ୍ଣବ ପଟ୍ଟନାୟକଙ୍କ ଉପରେ ବସିଲା । କେତୋଟି ଗୁଳି ଦେହ ଫୁଟି ବାହାରିଗଲା; ମାତ୍ର ଆଉ ଗୋଟିଏ ଦୁଇଟି ରହିଗଲା । ବହୁସଂଖ୍ୟକ ଲୋକଙ୍କୁ ଗିରଫ୍‍କରାଗଲା । କର୍ତ୍ତୃପକ୍ଷ ବୈଷ୍ଣବ ପଟ୍ଟନାୟକଙ୍କୁ ପାଇଥିଲେ ସାଙ୍ଗେ ସାଙ୍ଗେ ତାଙ୍କର ମୁଣ୍ଡକାଟ ହୋଇଥାନ୍ତା, କାରଣ ସେଠି ଶାସନର ମା’ବାପ କିଛି ନଥିଲା; ବିଚାର ଆଦି ଥିଲା ପ୍ରହସନ ମାତ୍ର । ସେତେବେଳେ ମୋଗଲବନ୍ଦି ଅଞ୍ଚଳରେବି ଯୁଦ୍ଧ ହେତୁ ଯେଉଁସବୁ ବିଶେଷ ଆଇନ ପ୍ରଚଳନ କରାଯାଇଥିଲା, ତା’ ଫଳରେ ବିଚାର ବିଭାଗର କୌଣସି ସ୍ଵାଧୀନତା ବା ନିରପେକ୍ଷତା ନଥିଲା କହିଲେ ଚଳେ । ପୁଲିସ ଯେମିତି ଚାହୁଁଥିଲେ ବିଚାରପତିମାନେ ସେମିତି ଦଣ୍ଡବିଧାନ କରି ଦେଉଥିଲେ । କୋରାପୁଟର ମାତିଲିଥାନାରେ ସଂଘର୍ଷ ଫଳରେ ଗୁଳିଚୋଟରେ ୫ ଜଣଙ୍କ ମୃତ୍ୟୁ ହେଲା, ଅଥଚ ଯେଉଁମାନେ ବିନାକାରଣରେ ଏଭଳି ଗୁଳି କଲେ ସେମାନଙ୍କୁ କୌଣସି ଶାସ୍ତି ଦିଆଯାଇ ନଥିଲା । ସଂଘର୍ଷ ଭିତରେ ରାମାୟା ନାମକ ଜଣେ ଫରେଷ୍ଟ ଗାର୍ଡ଼୍ ପ୍ରାଣ ହରାଇବାରୁ ଲକ୍ଷ୍ମଣ ନାୟକଙ୍କୁ ସ୍ପେଶାଲ ଜଜ୍ ବିଚାର କରି ଫାଶୀ ହୁକୁମ ଦେଲେ । ଅବଶ୍ୟ ଲୋକଦେଖାଣିଆ ଭାବରେ ଏହି ରାୟ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ ହାଇକୋଟ୍‍ରେ ଅପିଲ କରାଗଲା, ମାତ୍ର ହାଇକୋଟ୍ ମଧ୍ୟ ତଳ ରାୟକୁ ବାହେଲ କଲା । ସେପରି ଅବସ୍ଥାରେ ରାଜଦରବାର ହାତରେ ପଡ଼ିଯାଇଥିଲେ ବୀର ବୈଷ୍ଣବ ଆଉ ଜୀବନ ନେଇ ଫେରି ନଥାନ୍ତେ ।

 

ବୈଷ୍ଣବ ପଟ୍ଟନାୟକ ସେହିଭଳି ଆହତ ଅବସ୍ଥାରେ ଏବଂ ଦେହରେ ଖଇଫୁଟା ତାତି ଘେନି ଆଉ ଏକ ସାଥୀ ନବଘନ ବେହେରାଙ୍କୁ ଧରି ଲୁଚି କଟକ ଚାଲିଆସିଲେ । ଆମର ଆତ୍ମଗୋପନ ସ୍ଥାନ ତାଙ୍କୁ ଜଣା ନଥିଲା । ରହିବେ କେଉଁଠି ? ଚିକିତ୍ସା କିପରି ହେବ ? ସେ ସିଧା ଆସି ନବକୃଷ୍ଣ ଚୌଧୁରୀଙ୍କ ଘରେ ପହଞ୍ଚିଲେ । ସେତେବେଳକୁ ତାଙ୍କ ଘରେ କେହି ନଥାଆନ୍ତି । ନବବାବୁଙ୍କ ଝିଅ ବୁବୁ କେବଳ ରହିଥାଏ । ସେଠାରେ ସେଭଳି ଅବସ୍ଥାରେ ବେଶି ସମୟ ରହିବା ତାଙ୍କ ପକ୍ଷରେ ନିରାପଦ ନଥିଲା । ତାହା ଛଡ଼ା ବୈଷ୍ଣବ ପଟ୍ଟନାୟକଙ୍କର ସେଭଳି ଅବସ୍ଥା, ସେଥିରେ ସାଙ୍ଗେ ସାଙ୍ଗେ ଚିକିତ୍ସାର ପ୍ରୟୋଜନ ଥିଲା ।

 

ମୁଁ ସେତେବେଳକୁ ଅଲିସାବଜାରରେ ଦ୍ଵିତୀୟ ବାସସ୍ଥାନକୁ ଆସିସାରିଲିଣି ଓ ଆମର ବିଧିବଦ୍ଧ ସଂଗଠନ ଚାଲୁ ହୋଇଯାଇଥାଏ । ମୋ ପାଖରେ ଖବର ଆସି ପହଞ୍ଚିଲା ଯେ ବୈଷ୍ଣବ ପଟ୍ଟନାୟକ ଏଭଳି ପରିସ୍ଥିତିରେ ଆସି ପହଞ୍ଚିଛନ୍ତି ଏବଂ ଶୀଘ୍ର ତାଙ୍କର ଚିକିତ୍ସା ବ୍ୟବସ୍ଥା ହେବା ଦରକାର । ଆମେ ସମସ୍ତେ ତ ଅନ୍ତରାଳରେ ଥାଉ ଚିକିତ୍ସା ବ୍ୟବସ୍ଥା ହେବ କେମିତି ! ଏହିଭଳି ସମୟରେ ଆମର ପ୍ରକୃତ ସହାୟକ ହେଉଥାଆନ୍ତି ରାଧାନାଥ ପଣ୍ଡିତ । ତାଙ୍କ ଉପରେ ପୁଲିସ ଓ ଅନ୍ୟ କାହାର କିଛି ସନ୍ଦେହ ନଥାଏ । ସେ ମଥୁରୀ ସାଙ୍ଗରେ ଯାଇ ବୈଷ୍ଣବ ଓ ତାଙ୍କ ସାଥୀ ନବଘନକୁ ନେଇ ଆସିଲେ ଅଲିସାବଜାରକୁ ।

 

ଆସିଗଲେ ସତ; ମାତ୍ର ଚିକିତ୍ସା କିଭଳି ହେବ ? ଆମେ କୌଣସି ଡାକ୍ତରଙ୍କୁ ବିଶ୍ୱାସ କରି ଡାକି ଆଣିପାରିବୁ ନାହିଁ କିମ୍ବା ତାଙ୍କୁ ନେଇ ଦେଖାଇ ପାରିବୁ ନାହିଁ । ସେତେବେଳକୁ ତାଙ୍କ ହାତ ଫୁଲିଯାଇ ଅସହ୍ୟ ଯନ୍ତ୍ରଣା ହେଉଥାଏ । ଆଉ କିଛି ଉପାୟ ନ ଦେଖି ମୁଁ ମୋର ମାମୁ ଡାକ୍ତର କୁଳମଣି ମିଶ୍ରଙ୍କ ପାଖକୁ ସବୁ ବିତରଣ ଦେଇ ଲୋକ ପଠାଇଲି ଏବଂ ଚିକିତ୍ସାର ପରାମର୍ଶ ମାଗିଲି । ଆଉ କେହି ହୋଇଥିଲେ ଆମ ଦଶା କ’ଣ ହୋଇଥାଆନ୍ତା କହିବା ମୁସ୍କିଲ୍ । ପୁଲିସ ଟିକିଏବି ସୁରାକ ପାଇଥିଲେ ମାମୁଙ୍କୁ ଗିରଫ୍‍ କରି ନେଇଥାଆନ୍ତା । ମାତ୍ର ମାମୁ ସେଥିକି ଭୟ ନ କରି ପ୍ରାରମ୍ଭିକ ଚିକିତ୍ସା ଲାଗି ଔଷଧ ଓ ଘାରେ ପଟିଆଦି ବାନ୍ଧିବା ନିମନ୍ତେ ଦରକାରୀ ଜିନିଷ ଆଦି ପଠାଇଦେଲେ । ସେତେବେଳର ଗଭର୍ଣ୍ଣରଙ୍କ ପାଖରେ କାମ କରୁଥିବା ଶିବ କମ୍ପାଉଣ୍ଡର (ସେ ବର୍ତ୍ତମାନ କେଉଁଠି ଅଛନ୍ତି ମତେ ଜଣାନାହିଁ) ଆସି ପ୍ରାଥମିକ ଚିକିତ୍ସା କରୁଥାଆନ୍ତି ଏବଂ ଇଞ୍ଜେକ୍‍ସନ୍ ଆଦି ଦେଉଥାଆନ୍ତି । ଏମାନଙ୍କ ଭିତରୁ କେହି ଯଦି ଭୁଲରେବି କୌଣସିଠାରେ ଏ ବିଷୟ ପ୍ରକାଶ କରିଥାଆନ୍ତେ, ତେବେ ସର୍ବନାଶ ଘଟିଥାଆନ୍ତା । ସେତେବେଳକୁ ଏଠାରେ ମୋ ନାମରେ ଓ ବୈଷ୍ଣବ ପଟ୍ଟନାୟକଙ୍କ ନାମରେ ଢେଙ୍କାନାଳ ରାଜଦରବାର ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଥାଏ । ମତେ ଧରାଇଦେଲେ ଇଂରେଜ ସରକାର ତରଫରୁ ଏବଂ ବୈଷ୍ଣବ ପଟ୍ଟନାୟକଙ୍କୁ ଆଣିଦେଲେ ଢେଙ୍କାନାଳ ରାଜଦରବାର ତରଫରୁ ହଜାର ହଜାର ଟଙ୍କା ପୁରସ୍କାର ମିଳନ୍ତା । ମାତ୍ର ଏମାନେ ବିଶ୍ୱାସ ରଖି ଯେଭଳି ସାହସ ଦେଖାଇଛନ୍ତି, ସେଥିଲାଗି ଆଜି ଦେଶ ସେମାନଙ୍କ ପାଖରେ ଋଣୀ ଓ କୃତଜ୍ଞ । ଯୁଦ୍ଧକ୍ଷେତ୍ରରେ ସିପାହୀର କାର୍ଯ୍ୟ ଯେତିକି ବିପଦସଙ୍କୁଳ ତାହାଠାରୁ ଅଧିକ ବିପଦସଙ୍କୁଳ କାର୍ଯ୍ୟ କରନ୍ତି ଯେଉଁମାନେ ଅଜ୍ଞାତରେ ଏମାନଙ୍କୁ ସାହାଯ୍ୟ କରନ୍ତି-। ଆମ ଦେଶରେ ଏମିତି ବହୁ ଦୃଷ୍ଟାନ୍ତ ମିଳିବ ।

 

ପ୍ରାଥମିକ ଚିକିତ୍ସାରେ ବୈଷ୍ଣବ ପଟ୍ଟନାୟକ କିନ୍ତୁ ଆରାମ ପାଇଲେ ନାହିଁ । ଜର ବଢ଼ିବାରେ ଲାଗିଲା । ସନ୍ଦେହ ହେଲା ତାଙ୍କ ଦେହ ଭିତରେ ବୋଧହୁଏ ଗୁଳି ରହିଯାଇଛି । ଡାକ୍ତରଖାନାକୁ ନ ଗଲେ ତାହା ବାହାର କରିବା ସମ୍ଭବ ନୁହେଁ । ମାତ୍ର ସେଠାକୁ ନେଇ ହେବ ନାହିଁ-। ସେତେବେଳକୁ ଆମର କଲିକତା ରୀତିମତ ସମ୍ପର୍କ ସ୍ଥାପିତ ହୋଇଯାଇଥାଏ । ସେଠାକୁ ରିପୋର୍ଟ ଯାଏଁ ଏବଂ ନିର୍ଦ୍ଦେଶ ଆସେ । ଅନ୍ନଦା ପ୍ରସାଦ ଚୌଧୁରୀ କଟକରେ ପାଠ ପଢ଼ିଥିଲେ-। କଟକ ସହ ତାଙ୍କର ଭଲ ସମ୍ପର୍କ ଥିଲା ଏବଂ ଅନେକ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଥିଲେ-। ତେଣୁ ଆମ ପକ୍ଷରେ ତାଙ୍କ ସହ ସମ୍ପର୍କ ରଖିବା ସହଜ ଥିଲା । କଲିକତାର କଲେଜ ଷ୍ଟ୍ରିଟ୍‍ରେ ଏକ ଖଦିଭଣ୍ଡାର ଥାଏ । ଗୋଟିଏ ସଂକେତ ସ୍ଥିର କରିଦିଆଯାଇଥାଏ । ଯେ ଯିବ ସେ ସାଙ୍ଗରେ ସୂତା ମାଳଟିଏ ନେଇଥିବ ଏବଂ ସେଥିରେ ଦୁଇଟି ସ୍ଥାନରେ ସ୍ୟାହି ଦାଗ ହୋଇଥିବ । ବାର୍ତ୍ତା ନେଇ ଯାଇଥିବା ବ୍ୟକ୍ତି ଖଦି କିଣିବା ବାହାନାରେ ବିକ୍ରି କାଉଣ୍ଟରକୁ ଯାଇ ଧୋତି କିଣିବାକୁ ମାଗି ଧୋତି ଦେଖୁଥିଲାବେଳେ ସୂତାକୁ ବୁଲାଇ ଦେଖାଇବ । ସେମାନେ ଜାଣିଯିବେ ଯେ ଉକ୍ତ ବ୍ୟକ୍ତି ଅଣ୍ଡରଗ୍ରାଉଣ୍ଡ୍ କାର୍ଯ୍ୟ ନିମନ୍ତେ ଆସିଛନ୍ତି । ତେଣୁ ତାଙ୍କୁ ଯେମିତି ଯେଉଁଠିକି ନେଇ ପହଞ୍ଚାଇ ଦେବାର କଥା, ସେମାନେ ତୁରନ୍ତ ତା’ର ବ୍ୟବସ୍ଥା କରିଦିଅନ୍ତି ।

 

ଏ ବିପଦରୁ ରକ୍ଷା କରିବା ନିମନ୍ତେ ଭରସା ହେଲେ ରାଧାନାଥ ପଣ୍ଡିତ ଓ ମଥୁରାନନ୍ଦ ସାହୁ । ସେ ବୈଷ୍ଣବ ପଟ୍ଟନାୟକଙ୍କୁ ମାରୁଆଡ଼ି ବେଶ ଓ କଳାଟୋପି ପିନ୍ଧାଇ ନେଇଗଲେ କଟକ ରେଳଷ୍ଟେସନ୍‍କୁ ଏବଂ ସେଠାରେ କାଇଦା କରି ପୁରୀ ଏକ୍ସପ୍ରେସ୍‍ରେ ବସାଇ ଦେଇ ଆସିଲେ । ବୈଷ୍ଣବ ନିର୍ବିଘ୍ନରେ ଯାଇ କଲିକତାରେ ପହଞ୍ଚିଲେ । ସେଠାରେ ତାଙ୍କର ଚିକିତ୍ସା ଆଦି କରାଗଲା । ସେ ଆରୋଗ୍ୟ ହେଲେ ଏବଂ ବହୁକାଳ ଫେରାର ହୋଇ ରହିଲେ । ତାଙ୍କ ସାଙ୍ଗରେ ଆସିଥିବା ନବଘନ ବେହେରା ମୋ ପାଖରେ ରହିଲେ । ତାଙ୍କୁ ଏଠାରେ କେହି ଚିହ୍ନି ନଥାନ୍ତି; ତେଣୁ ମୋ ପାଖରେ ରହି ବିଭିନ୍ନ ସ୍ଥାନକୁ ଖବର ନେଇ ଦେବାରେ ସେ ଖୁବ୍ ସହାୟକ ହୋଇପାରିଲେ ।

 

ତାଳଚେରରେ ଯେଉଁ ଜନମେଳି ହେଲା, ଉଡ଼ାଜାହାଜରୁ ବୋମା ନିକ୍ଷେପ କରାଯାଇ ସେ ଭିଡ଼ ଭାଙ୍ଗିଦିଆଗଲା । ତାଳଚେର ମେଳି ଏକ ଅତି ଚମତ୍କାର ଘଟଣା । ଶ୍ରୀ ପବିତ୍ର ମୋହନ ପ୍ରଧାନ ଗିରଫ୍‍ ହୋଇ ରହିଥିଲେ; ସେ ଏଭଳି ଗଣ୍ଡଗୋଳବେଳେ ଜେଲ ଭିତରୁ ପଳାୟନ କଲେ । ନାନା ଉପାୟ ଅବଲମ୍ବନ କରି ସେ ବହୁକାଳ ଫେରାର ଭାବରେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ରହିଥିଲେ । ଶେଷକୁ ମୁଁ ଯେତେବେଳେ ୧୯୪୬ରେ ଜେଲରୁ ଖଲାସ ହୋଇ ଜୟପ୍ରକାଶ ନାରାୟଣଙ୍କୁ ପାଟନାରେ ଭେଟିବା ଲାଗି ଯାଏଁ, ସେଠାରେ ଆସି ଉପସ୍ଥିତ ହେଲେ ପବିତ୍ର ମୋହନ ପ୍ରଧାନ । ତାଙ୍କ ମୁଣ୍ଡ ଉପରେ ୱାରଣ୍ଟ୍ ଝୁଲୁଥାଏ । ତେଣୁ ଜୟପ୍ରକାଶଙ୍କ ନିର୍ଦ୍ଦେଶରେ ଭାରତବର୍ଷର ଯେଉଁ ସବୁ ସ୍ଥାନରେ ଜନତା ବ୍ରିଟିଶ ଶାସନକୁ ଲୋପକରି ସ୍ଵାଧୀନ ସରକାର ପ୍ରତିଷ୍ଠା କରିଥିଲେ ସେ ସବୁ ସ୍ଥାନ, ଯଥା–ମହାରାଷ୍ଟ୍ରର ସତାରା, ଉତ୍ତରପ୍ରଦେଶର ବାଲିଆ ଓ ବଙ୍ଗଳାର ମେଦିନୀପୁର ଆଦି ଅଞ୍ଚଳ ବୁଲି ଏକ ପ୍ରତ୍ୟକ୍ଷ ରିପୋର୍ଟ ପ୍ରସ୍ତୁତ କରିବା କାର୍ଯ୍ୟରେ ପବିତ୍ରବାବୁ ନିଯୁକ୍ତ ହୋଇ ରହିଲେ ପୁଣି ଓଡ଼ିଶାକୁ ଆସି ପ୍ରକାଶ୍ୟରେ କାର୍ଯ୍ୟ କରିବାର ସୁଯୋଗ ପାଇବା ପର୍ଯ୍ୟନ୍ତ ।

☆☆☆

 

Unknown

ରକ୍ତଦାନରେ ମାଆର ମୁକ୍ତି

 

ବୈଷ୍ଣବ ପଟ୍ଟନାୟକଙ୍କ ଗୁଳିବଦ୍ଧ ଦେହ ଓ ରକ୍ତାକ୍ତ ଲୁଗାପଟା ଦେଖି ମୋ ମନରେ ଭୀଷଣ ପ୍ରତିକ୍ରିୟା ଜାତ ହେଲା । ମୁଁ ଭାବିଲି–ମୁଁ ତ ମୋ ବୁଲେଟିନ୍‍ମାନଙ୍କରେ ଏହିପରି ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆହ୍ଵାନ ଦେଇଛି । କେତେକ ସ୍ଥାନରେ ଗୁଳିକାଣ୍ଡ ହୋଇଯାଇଛି; କେତେ ଲୋକ ପ୍ରାଣ ହରାଇଲେଣି, କେତେକ ହୁଏତ ବୈଷ୍ଣବଙ୍କ ପରି ଆଘାତ ପାଇ ଅସହାୟ ଅବସ୍ଥାରେ ପଡ଼ିଥିବେ–ଆହତ ଅବସ୍ଥାରେ ଗିରଫ୍‍ବି ହୋଇଥିବେ । ମୁଁ କାର୍ଯ୍ୟକ୍ଷେତ୍ରରେ ନାହିଁ–ଅନ୍ତରାଳରେ ଲୁଚି ରହି ଯାହା ନିର୍ଦ୍ଦେଶ ଦେଉଛି ମାତ୍ର–ତାହା ପୁଣି ଦୂରରୁ–ପ୍ରକୃତ ଘଟଣା ଓ ପରିସ୍ଥିତିର ବହୁଦୂରରେ ।

 

ମୁଁ ଆନ୍ଦୋଳନକୁ ଅଧିକରୁ ଅଧିକ ଆକ୍ରମଣମୂଳକ କରିବା ନିମନ୍ତେ ଚେଷ୍ଟା କରୁଥିଲି । ଗୁପ୍ତ ଆନ୍ଦୋଳନକୁ ଜିଆଇ ରଖିବାକୁ ହେବ ଏବଂ ଆବଶ୍ୟକ ହେଲେ ହିଂସାମୂଳକ କାର୍ଯ୍ୟ ଲାଗି କିଛି ଲୋକଙ୍କୁ ଶିକ୍ଷା ଦେବାକୁ ହେବ । ଆଗରୁ ଯାହା କହିଛି, ମୋ ମନରେ ଗୋଟିଏ ବିଷୟରେ କୌଣସି ପ୍ରକାର ଦ୍ୱିଧା ନଥିଲା–ତାହା ହେଉଛି, ଆମ ତରଫରୁ ଜାଣିଶୁଣି କୌଣସି ଲୋକକୁ ହତ୍ୟା କରାଯିବ ନାହିଁ । ଏହା ମୁଁ ନିର୍ଦ୍ଦେଶ ଦେଇଥିଲି ଏବଂ ବୁଲେଟିନ୍‍ରେ ମଧ୍ୟ ଲେଖିଥିଲି । ‘ଦେବୀ ଆରାଧନା’ ନାମରେ ଦଶହରା ପୂଜା ପୂର୍ବରୁ ଯେଉଁ ବୁଲେଟିନ୍‍ଟି ଲେଖୁଥିଲି ଓ ଯାହା ସମ୍ପୂର୍ଣ୍ଣ ହେବା ପୂର୍ବରୁ ପୁଲିସ ହଠାତ୍ ଆସି ମତେ ଘେରାଉ କରି ଗିରଫ୍‍ କଲେ, ସେଥିରେ ମୁଁ ପରିଷ୍କାର ଲେଖିଥିଲି–‘‘ଦେବୀ ଚାହେଁ ରକ୍ତ ମନ୍ଦାର–ସବୁଠାରୁ ପ୍ରିୟ ଅର୍ଚ୍ଚନା । ତୁମେ କ’ଣ ଦେବୀଙ୍କି ସନ୍ତୁଷ୍ଟ କରିପାରିବ ନାହିଁ ! ଆଉ ସମୟ ନାହିଁ; ଦେବୀ ଆରାଧନା ନିକଟ ହୋଇ ଆସିଲାଣି; ଏଣେ ଆମର ଲଢ଼ାଇରେ ଶେଷ ଅର୍ଘ୍ୟ ଦେବାଭଳି ପରିସ୍ଥିତି ଉପୁଜିଲାଣି । ଦେବୀ ଆରାଧନାର ସରଞ୍ଜାମ ସାମଗ୍ରୀ ଠୁଳ କରିନିଅ–ଦେବୀ ବିସର୍ଜନ ଆଗରୁ ନିଜକୁ ବିସର୍ଜନ କରିବାକୁ ପ୍ରସ୍ତୁତ ହୋଇଯାଅ । ରକ୍ତରଞ୍ଜିତ ହୋଇଯାଉ ଧରିତ୍ରୀମାତା–ଚାରିଆଡ଼େ ରକ୍ତନଦୀ ବହିଯାଉ । ସହିଦଙ୍କ ରକ୍ତସ୍ନାନରେ ଶତ୍ରୁ ନିପାତ ହେଉ ।” ଏହା ଲେଖିବା ମୂଳରେ ଥିଲା ଚରମ ତ୍ୟାଗ ଲାଗି ଆମ ଯୁବକମାନଙ୍କୁ ଆହ୍ଵାନ କରିବା ।

 

ଗାନ୍ଧିଜୀଙ୍କର ଜନ୍ମଦିନ ଉପଲକ୍ଷେ ମଧ୍ୟ ସେହିପରି ‘ପ୍ରକାଶ୍ୟ ବିଦ୍ରୋହ’ ନାମକ ଉତ୍ତେଜନାମୂଳକ ଏକ ବୁଲେଟିନ୍ ପ୍ରଦେଶସାରା ବହୁଳଭାବରେ ପ୍ରଚାର କରାଯାଇଥିଲା । ମାହେର ସାହେବ ତାଙ୍କ ରାୟରେ ଏ ବିଷୟ ଉଲ୍ଲେଖ କରିଛନ୍ତି । ଏସବୁ ମୁଁ ଲେଖୁଥିଲି ସତ–ମାତ୍ର କ’ଣ ଘଟିଛି ପ୍ରତ୍ୟକ୍ଷଭାବରେ କିଛି ଦେଖିପାରି ନଥିଲି । ତେଣୁ ବୈଷ୍ଣବଙ୍କ ଯନ୍ତ୍ରଣା ଓ ଗୁଳିବିଦ୍ଧ ଅବସ୍ଥା ନିଜ ଆଖିରେ ଦେଖିଲା ପରେ ମୋ ମନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଲା । ମନେମନେ ଭାବିଲି–ଲୋକଙ୍କୁ ମତେଇ ମୁଁ ପ୍ରକୃତରେ ଠିକ୍ କରୁଛି କି ! ମୁଁ ଅନ୍ୟକୁ କହିବା ପୂର୍ବରୁ ଆଉ ଏମିତି ଛପି ନ ରହି କୌଣସି ଏକ ଲଢ଼ାଇ ମଇଦାନରେ ନିଜେ ଯାଇ ସାମିଲ ହୋଇଯିବା ମୋ ପକ୍ଷରେ ଉଚିତ ନୁହେଁ କି ! ଏମିତିକା ନାନା ଭାବନା ମନରେ ଖେଳୁଥାଏ । ଏହି ସମୟରେ ଗାନ୍ଧିଜୀଙ୍କର ଏକ ଲେଖା ମୋ ମନରେ ପ୍ରଚୁର ସାନ୍ତ୍ଵନା ଦେଲା । ଯେଉଁମାନେ ଏ ଆନ୍ଦୋଳନରେ ପ୍ରାଣଦାନ କରିପାରିଲେ ତାଙ୍କ ପ୍ରତି ମନରେ ଈର୍ଷା ଜାତ ହେଲା । ଯୁଦ୍ଧ ଲାଗିଗଲା ପରେ ଭାରତ ତା’ର ସ୍ଵାଧୀନତାଲାଗି ନିଜକୁ ନିଃସହାୟ ମନେ କରୁଛି; କୌଣସି ସଂଗ୍ରାମ କରୁନାହିଁ’; ଏହିଭଳି ମାନସିକ ଅବସ୍ଥାରେ ଗାନ୍ଧିଜୀ ଲେଖିଥିଲେ–“ଆମେ କ’ଣ ଅପେକ୍ଷା କରି ରହିଥିବା ! ଆମରି ଭାରତଭୂମିରେ ଦୁଇ ବିଦେଶୀ ନିଜ ନିଜ ଭିତରେ ପାଗଳା ଷଣ୍ଢ ପରି ଲଢ଼ାଇ କରିବେ । ଶେଷରେ ସେମାନେ ଆମ ଦେଶକୁ ଛାରଖାର କରିଦେଇ ଯିବେ । ଆମେ ଖାଲି ନୀରବ ଦର୍ଶକ ହୋଇ ରହିଥିବା ! ଯୁଦ୍ଧ ଲାଗିଛି ବୋଲି କ’ଣ ଆମେ ଚୁପ୍‍ଚାପ୍ ରହିଯିବା ! ଶେଷକୁ ଅପବାଦ ମିଳିବ ଯେ ଆମେ ଆମ ବିବେକ ହରାଇ ବସିଥିଲୁ । କିଛି କଲୁ ନାହିଁ ! ଏହା ଅସହ୍ୟ । ତେଣୁ ମୁଁ ମନସ୍ଥ କରି ସାରିଛି–ଯଦି ୧୦ ଲକ୍ଷ ଲୋକ ଇଂରେଜ ବିରୁଦ୍ଧରେ ବିଦ୍ରୋହ କରିବା ଲାଗି ଶପଥ ନେଇ ବାହାରନ୍ତି ଏବଂ ଏକ ବୀରତ୍ଵପୂର୍ଣ୍ଣ ଓ ବ୍ରିଟିଶ ବିରୋଧୀ ଅହିଂସାତ୍ମକ ବିଦ୍ରୋହରେ ଗୁଳିଚୋଟ ଖାଇ ଟଳିପଡ଼ନ୍ତି, ତେବେ ଭାରି ଗୌରବର କଥା ହେବ । ଅନ୍ୟ ଦେଶମାନେ ତ ପୁଣି ତାଙ୍କ ସ୍ଵାଧୀନତା ଲାଗି ଲଢ଼ାଇ କରୁଛନ୍ତି ! ଏଥିଲାଗି ତ ଜର୍ମାନୀ, ଜାପାନ, ରୁଷ, ଚୀନ ପୁଣି ପାଣି ପରି ସେମାନଙ୍କ ଲୁହ ଓ ଧନ ଢାଳି ଦେଉଛନ୍ତି ! ମାତ୍ର ଆମେ କ’ଣ କରିଛୁ ବା କରୁଛୁ ?”

 

ଗାନ୍ଧିଜୀ “କର ବା ମର” ଡାକରା ଦେବା ପୂର୍ବରୁ ଏହି ଲେଖାଟି ଜୁଲାଇ ୨୫ ତାରିଖ ‘ହରିଜନ’ରେ ଲେଖିଥିଲେ । ମୁଁ ବିଚାରିଲି–ଏ ଆନ୍ଦୋଳନ ଦେଖି ମୋ ମନରେ ବରଂ ଆନନ୍ଦ ହେବାର କଥା, ବିଷାଦର କାରଣ କାହିଁ ! ଆମେ ଓଡ଼ିଆପୁଏବି ଦେଶର ଏ ସ୍ଵାଧୀନତା ଯଜ୍ଞରେ କମ୍ ରକ୍ତଦାନ କରିନୁ । ଏଥିରେ ଆମକୁ ଯଶ ଗୌରବ ମିଳିବ । ବିଚଳିତ ହେବାର କୌଣସି କାରଣ ନାହିଁ । ସ୍ୱାଧୀନତା ଲଢ଼ାଇରେ ଯେଉଁମାନେ ପ୍ରାଣବଳି ଦିଅନ୍ତି, ସେମାନେ ପ୍ରତିଦାନର ଆଶା ରଖି ନଥାନ୍ତି; ତାଙ୍କର ପ୍ରତିଦାନ କିଏ ଦେବ ! ଦେଶମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ଭଳି ଯଶ ମିଳିବ–ଏହା ଅପେକ୍ଷା ଆଉ ଅଧିକ ଗୌରବ କ’ଣ ହୁଅନ୍ତା ? ଖାଲି କଥାରେ ନୁହ–ମନରେ ଦୃଢ଼ବିଶ୍ଵାସ ଥିଲା–ଏହା ହେଉଛି ଶେଷ ସଂଗ୍ରାମ । ବ୍ରିଟିଶ ସତ୍ତା ନିଶ୍ଚୟ ଲୋପ ହେବ । ଚରମ ତ୍ୟାଗ ଓ ଶେଷ ଉଦ୍ୟମ କରିବା ନିମନ୍ତେ ଅଣ୍ଡରଗ୍ରାଉଣ୍ଡ୍ ଗୋପନ ସଂଗଠନ ଚାଲିଥିଲା ଓ ବିଭିନ୍ନ ପରିସ୍ଥିତିରେ କିଭଳି ଢଙ୍ଗର କାର୍ଯ୍ୟ କରାଯିବ ତା’ର ପରିକଳ୍ପନା କରାଯାଇଥିଲା ।

 

ଇତିମଧ୍ୟରେ ଅଣ୍ଡରଗ୍ରାଉଣ୍ଡ୍ ସଂଗଠନର ଅଖିଳ ଭାରତୀୟ କେନ୍ଦ୍ର ସହ ଆମର ସମ୍ପର୍କ ସ୍ଥାପିତ ହୋଇସାରିଥାଏ । ସେଠାରୁ ରୀତିମତ ବୁଲେଟିନ୍ ଓ ଅନ୍ୟ ନିର୍ଦ୍ଦେଶ ସବୁ ଆସେ । ମୁଁ ଯେମିତି ମୋର ଏଠି ବିଭିନ୍ନ ନାମକରଣ କରିଥିଲି–ଯଥା ‘ବାବାଜି’, ‘ସି.ଓ.’, ‘ଭାଇ’ ଇତ୍ୟାଦି, ସେମିତି କେନ୍ଦ୍ରରେ ଯେଉଁମାନେ ରହି ଏ ସଂଗଠନର ପରିଚାଳନା କରୁଥିଲେ, ସେମାନେ ବିଭିନ୍ନ ନାମରେ ବୁଲୁଥିଲେ ଏବଂ ଅଣ୍ଡରଗ୍ରାଉଣ୍ଡ୍‍ରେ ଥିବା ଲୋକଙ୍କ ଭିତରେ ସେହି ନାମରେ ପରିଚିତ ହେଉଥିଲେ । ସୁଚେତା କୃପାଳିନୀଙ୍କ ଡାକନାମ ଥିଲା ‘ଦିଦି’ ବା ‘ବହନ୍‍ଜୀ,’ ବାବା ରାଘବ ଦାସ ଥିଲେ ‘ଦାଦୀ,’ ରାମମନୋହର ଲୋହିଆ ‘ଡକ୍ଟର,’ ଅରୁଣା ଆସଫ୍ ଅଲ୍ଲୀ ‘କଦମ୍’ ଏବଂ ଅଚ୍ୟୁତ ପଟ୍ଟବର୍ଦ୍ଧନ ‘କୁସୁମ’ । ଏଭଳି ସବୁ ଡାକନାମ ରଖାଯାଇଥିଲା ଏବଂ ଚିଠି ଲେଖିଲାବେଳେ ଏହି ନାମଗୁଡ଼ିକ ଏପରି ଗୋଳମାଳିଆ ଭାବରେ ବ୍ୟବହାର କରାଯାଉଥିଲା ଯେକୌଣସି ଚିଠି ପୁଲିସ ହାତରେ ପଡ଼ିଗଲେ ସୁଦ୍ଧା କିଏ କେଉଁ କାମରେ ସମ୍ପୃକ୍ତ ରହିଛି କିମ୍ଵା କାହା ସହ ଆମର ପ୍ରତ୍ୟକ୍ଷ ସମ୍ପର୍କ ରହିଛି ଏହା ଜାଣିବା ମୁସ୍କିଲ୍ ହେଉଥିଲା ।

 

ପ୍ରଥମେ ଏକ ଗୁପ୍ତ ନିଖିଳ ଭାରତ କଂଗ୍ରେସ କମିଟି ଅଫିସ୍ ବମ୍ୱେଠାରେ ପତଲାଧୀଶମାଲାର ଦ୍ୱିତୀୟ ମହଲାରେ ୩୦ ନମ୍ବର କୋଠରୀରେ ରହିଥିଲା । ପରେ ଆଉ କେତେ ଜାଗାକୁ ଏ ଅଫିସ୍ ସ୍ଥାନାନ୍ତରିତ ହେଲା । କିନ୍ତୁ ରୀତିମତ ସଂଗଠନ ରହି ଅନ୍ୟ ପ୍ରଦେଶ ସହ ସମ୍ପର୍କ ସ୍ଥାପନ, ସମ୍ବାଦ ସଂଗ୍ରହ ଓ ବୁଲେଟିନ୍ ଛପାଇ ସେମାନଙ୍କ ପାଖକୁ ପଠାଇବା ଆଦି କାର୍ଯ୍ୟ ବିନା ବାଧାରେ ଚାଲୁଥିଲା । ଏହିମାନେ ଯେ ସମଗ୍ର ଆନ୍ଦୋଳନକୁ ନିୟନ୍ତ୍ରଣ କରିପାରୁଥିଲେ ଏଭଳି ଭାବିବା ଭୁଲ । ଏମିତି ପରିସ୍ଥିତିରେ ଏଡ଼େ ବଡ଼ ଦେଶରେ ତାହା ସମ୍ଭବ ହୁଅନ୍ତା ନାହିଁ । ସଂଗଠକମାନେ ଦିଲ୍ଲୀ, ବାରାଣସୀ, ବମ୍ବେ ଓ କଲିକତାରେ ଥରେ ଦି’ଥର ଏକତ୍ର ହୋଇଥିଲେ କ’ଣ କିମିତି ହେଉଛି ତା’ର ପର୍ଯ୍ୟାଲୋଚନା କରିବାଲାଗି । ମାତ୍ର ଅଣ୍ତରଗ୍ରାଉଣ୍ଡ୍ ସଂଗଠନକୁ ଧରିବାଲାଗି ଭାରତ ସରକାର ଯେଉଁ ଆୟୋଜନ କଲେ ସେଥିରେ ଏପରି ଘନଘନ ବୈଠକ କରିବା ସମ୍ଭବ ହେଲା ନାହିଁ । ମୋଟାମୋଟି ଭାବରେ ଦେଖିବାକୁ ଗଲେ ଯିଏ ଯେଉଁଠି ଥିଲେ ସେମାନେ ନିଜ ନିଜ ଅଞ୍ଚଳର ସଂଗଠନ ଓ ସ୍ଥାନୀୟ ଅବସ୍ଥାକୁ ଦେଖି କର୍ମ–ଯୋଜନା କରି ଚାଲିଥିଲେ । କେହି କାହାରିକି ଅପେକ୍ଷା କରିବାକୁ ନଥିଲା । ଆଗା ଖାଁ ପ୍ରାସାଦରୁ ଅକ୍ଟୋବର ୨ ତାରିଖରେ ମହାତ୍ମାଗାନ୍ଧୀଙ୍କୁ ମୁକ୍ତ କରିବା ଓ ସମଗ୍ର ଦେଶରେ ଏକ ସମୟରେ ରେଳ ଚଳାଚଳ ବନ୍ଦ କରିବାର ଯୋଜନା ମଧ୍ୟ କରାଯାଇଥିଲା । ପରସ୍ପର ସହିତ ଯୋଗାଯୋଗ ନଥିଲେ ଏବଂ କିଭଳି କରାଯିବ ପରସ୍ପର ଭିତରେ ପରାମର୍ଶ ନ କରିପାରିଲେ ଏ କାମ କେମିତି କରାଯାଇପାରନ୍ତା ? ତେଣୁ କେନ୍ଦ୍ର ପରିଚାଳନା ଓ ସମ୍ପର୍କର ଆବଶ୍ୟକତା ଥିଲା । ବମ୍ୱେ ବହୁଦୂର ହୋଇଥିବାରୁ ଆମ ପକ୍ଷରେ ସମ୍ପର୍କ ରଖିବା ସମ୍ଭବ ହେଉ ନଥିଲା । ଉଷା ମେହତା ନାମକ ଜଣେ ଏମ୍.ଏ. ଛାତ୍ରୀଙ୍କ ତତ୍ତ୍ଵାବଧାନରେ ବମ୍ବେଠାରେ ଏକ ସ୍ଵାଧୀନ ରେଡ଼ିଓ କେନ୍ଦ୍ର ଦୁଇମାସରୁ ଅଧିକ କାଳ ଚାଲିଲା । ଏବେ ଯେମିତି ଲୋକେ ‘ବାଂଲାଦେଶ ରେଡ଼ିଓ’ ଶୁଣୁଥିଲେ ଏହା ତାହା ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲା । ଚାରିଆଡ଼କୁ ସମ୍ବାଦ ପହଞ୍ଚିଯାଉଥିଲା । ସେବକାଳରେ ବ୍ରିଟିଶ ଅମଳରେ ଏପରି ରେଡ଼ିଓ ପ୍ରଚାର ଏକ ଚମକପ୍ରଦ ଘଟଣା । ଇଂରେଜ ଶାସକମାନେ ବିଚଳିତ ହୋଇପଡ଼ିଥିଲେ । ବମ୍ୱେର ଏକ ବିଖ୍ୟାତ ଚିକାଗୋ ରେଡ଼ିଓ କମ୍ପାନୀ ନିଜ କାରଖାନାରୁ କାରିଗର ଇତ୍ୟାଦି ପଠାଇ ଏହି ସଂଗଠନ ଛିଡ଼ାକରାଇଥିଲେ । ଯାହା ଅର୍ଥ ଲୋଡ଼ାହେଉଥିଲା ସେମାନେହିଁ ପ୍ରାୟ ଦେଉଥିଲେ । ବମ୍ବେ ଛଡ଼ା ଦୂର ଜାଗାକୁ ସମ୍ବାଦ ପ୍ରସାରଲାଗି ରାମମନୋହର ଲୋହିଆ ମଧ୍ୟ ଟଙ୍କା ଯୋଗାଡ଼ କରିଦେଉଥିଲେ । ଭାରତର କୌଣସି ଏକ କୋଣରୁ (somewhere in India) ବାର୍ତ୍ତା ପ୍ରଚାର ହେଉଛି ବୋଲି ରେଡ଼ିଓରୁ ଘୋଷଣା କରାଯାଉଥାଏ । ଏହି ରେଡ଼ିଓରେ ପ୍ରଚାର ନିମନ୍ତେ ଆମେ ଏଠୁ ସମ୍ବାଦ ପଠାଇବା ଛଡ଼ା ବମ୍ବେ କେନ୍ଦ୍ର ସହ ଆମର ଆଉ କୌଣସି ସମ୍ପର୍କ ନଥିଲା । ପରେ ସେହି ଚିକାଗୋ ରେଡ଼ିଓର ଜଣେ ମେକାନିକ୍ ଗୋପନ କଥା ପ୍ରକାଶ କରିଦେବାରୁ ରେଡ଼ିଓ କେନ୍ଦ୍ରଟି ଧରାପଡ଼ିଗଲା ଏବଂ ଉଷା ମେହତା ଗିରଫ୍‍ ହେଲେ ।

 

ଉପରମହଲ ସାଙ୍ଗରେ ଯୋଗସୂତ୍ର ରଖିବା ନିମନ୍ତେ କଲିକତା ଥିଲା ଆମର କେନ୍ଦ୍ର । ଏଠାରେ ଅରୁଣା ଆସଫ୍ ଅଲ୍ଲୀ, ରାମମନୋହର ଲୋହିଆ ଓ ଅନ୍ନଦା ପ୍ରସାଦ ଚୌଧୁରୀଙ୍କ ସହ ଆମ କେନ୍ଦ୍ରର ସମ୍ପର୍କ ରହିଥିଲା । ଉପରମହଲରେ ଏ ଯେଉଁସବୁ ଗୁପ୍ତ ସଂଗଠନ ଚାଲିଥିଲା କିଛିଦିନ ପରେ ସେମାନଙ୍କ ଭିତରେ ଟିକିଏ ମତଭେଦ ଦେଖାଦେଲା । ଏହାକୁ ଗାନ୍ଧୀବାଦୀ ଓ ସୋସଲିଷ୍ଟଙ୍କର ମତପାର୍ଥକ୍ୟ ବୋଲି କହିବା ଠିକ୍ ହେବନାହିଁ । ସରକାରକୁ ଅଚଳ କରିବା ନିମନ୍ତେ ଯାହାସବୁ କାର୍ଯ୍ୟ ହେଉଛି ତାହାଦ୍ୱାରା ଅହିଂସାର ଖିଲାପ ହେଉନାହିଁ କି–ବୋଲି ଏକ ବିବାଦ ଉପରମହଲରେ ଲାଗିଗଲା । ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ କିଶୋରୀଲାଲ ମଶ୍ରୁୱାଲା ମହାଦେବ ଦେଶାଇଙ୍କ ପରେ ‘ହରିଜନ’ର ସମ୍ପାଦକ ହୋଇଥାଆନ୍ତି । ମିଶ୍ରୁୱାଲା ଲେଖିଲେ–କୌଣସି ବ୍ୟକ୍ତିର ଜୀବନ ନ ନେଇ ଯଦି ଯାତାୟାତ ପଥ କାଟିଦିଆଯାଏ, ତାର କଟାହୁଏ, ରେଳଲାଇନ୍ ଉଖାଡ଼ି ଦିଆଯାଏ, ଛୋଟ ଛୋଟ ପୋଲ ଭାଙ୍ଗିଦିଆଯାଏ ଏବଂ ଯଦି କାହାରି ଜୀବନ ଉପରେ ବିପଦ ନ ପଡ଼ିଲାଭଳି ସତର୍କତା ଅବଲମ୍ବନ କରାଯାଇଥାଏ, ତେବେ ଏହା ଅହିଂସା ସଂଗ୍ରାମ ଭିତରେ ଗଣ୍ୟ ହେବ । ନେତୃବିହୀନ ଏପରି ଏକ ବିରାଟ ସଂଗ୍ରାମରେ ଏଥିଲାଗି କେହି ଆପତ୍ତି ଉଠାଇ ନ ପାରନ୍ତି ।

 

କିନ୍ତୁ କିଛିଦିନ ପରେ ଶ୍ରୀ ମଶ୍ରୁୱାଲା ତାଙ୍କ ବିଚାରରେ ଟିକିଏ ପ୍ରମାଦ ରହିଗଲା ବୋଲି ପ୍ରକାଶ କଲେ । ଆଗରୁ ସେତେବେଳକାର ସେକ୍ରେଟାରି ଅଫ୍ ଷ୍ଟେଟ୍ ଆମେରୀ ସାହେବ ଅଗଷ୍ଟ ୯ ତାରିଖରେ ବ୍ରିଟିଶ ପାର୍ଲିଆମେଣ୍ଟ୍‍ରେ ଗାନ୍ଧିଜୀ ଓ କଂଗ୍ରେସ କମିଟିର କଟୁ ସମାଲୋଚନା କରିଥିଲେ ଏବଂ ଟେଲିଫୋନ୍ ତାରକଟା, ରେଳ ଲାଇନ୍ ଉଠାଇବା ଆଦି ହିଂସାମୂଳକ କାର୍ଯ୍ୟର ଯୋଜନା କଂଗ୍ରେସ ଓ ଗାନ୍ଧିଜୀ କରିଥିଲେ ଏବଂ ଲୋକଙ୍କୁ ମତାଇଥିଲେ ବୋଲି ଅଭିଯୋଗ କରିଥିଲେ । ତାହାରି ଜବାବରେ ମଶ୍ରୁୱାଲା ଏଭଳି ମନ୍ତବ୍ୟ କରିଥିଲେ । ସେ ପରେ କହିଲେ–ଯେତେବେଳେ ନେତାମାନଙ୍କୁ ଗିରଫ୍‍ କରି ନିଆଗଲା ଲୋକେ କ୍ରୋଧାନ୍ଵିତ ହୋଇ ଶାନ୍ତିପୂର୍ଣ୍ଣ ରୀତିରେ ସରକାର ଉପରେ ପ୍ରଚଣ୍ଡ ଆକ୍ରମଣ କଲେ । ସେମାନେ ତ ଆଉ ଗାନ୍ଧିଜୀଙ୍କ ପରି ପୂର୍ଣ୍ଣ ଅହିଂସାବାଦୀ ନୁହନ୍ତି–ତେଣୁ ସରକାରର ତୀବ୍ର ହିଂସା ତୁଳନାରେ ଲୋକଙ୍କର କାର୍ଯ୍ୟକୁ ଅହିଂସା ବୋଲି କୁହାଯିବ ।

 

ମଶ୍ରୁୱାଲା ପୁଣି ଲେଖିଲେ–ଗାନ୍ଧିଜୀ ଏଭଳି କାର୍ଯ୍ୟ କରିବାଲାଗି ଚାହାନ୍ତି କିମ୍ବା ମୁଁ ଚାହେଁ ବୋଲି ଯେଉଁ ଧାରଣା ହୋଇଥିଲା, ତାହା ଭ୍ରମାତ୍ମକ । ଏ କଥା ପ୍ରକାଶ ହୋଇଗଲା ପରେ ଯେଉଁ ଗାନ୍ଧୀବାଦୀମାନେ ଆନ୍ଦୋଳନ ସହ ସମ୍ପୂର୍ଣ୍ଣରୂପେ ସମ୍ପୃକ୍ତ ହୋଇ କାର୍ଯ୍ୟ କରୁଥିଲେ ସେମାନଙ୍କ ମନରେ ସନ୍ଦେହ ଉପୁଜିଲା । ସେମାନେ ପୁଣି ୧୯୩୦–୩୨ ବେଳର ମାମୁଲି ସତ୍ୟାଗ୍ରହ ଆନ୍ଦୋଳନ ପରି ପିକେଟିଂ, ଆଇନ ଅମାନ୍ୟ, ନିଷେଧ ଆଜ୍ଞା ଅମାନ୍ୟ ପ୍ରଭୃତି କାର୍ଯ୍ୟ ଉପରେ ଗୁରୁତ୍ଵ ଦେଲେ ।

 

ପ୍ରଥମାବସ୍ଥାରେ ଦେଶସାରା ଯାହା ହେବାର ହୋଇଯାଇଥାଏ; ଆଉ ସେଥିରୁ ଫେରିବାର କଥା ନଥିଲା କିମ୍ବା ଯେଉଁମାନେ ଅଣ୍ଡରଗ୍ରାଉଣ୍ଡ୍ ସଂଗଠନ କରି ନାନାପ୍ରକାର କାର୍ଯ୍ୟରେ ଲିପ୍ତ ଥିଲେ, ସେମାନଙ୍କ ପକ୍ଷରେ ପଛକୁ ଫେରିବାର ବା ତାହା ପ୍ରତ୍ୟାହାର କରିବାର ପ୍ରଶ୍ନ ନଥିଲା । ଗାନ୍ଧୀପନ୍ଥୀମାନଙ୍କ ଭିତରୁ କେତେକ ନୀରବ ରହିଗଲେ ଏବଂ ଆଉ କେତେକ ନିଜର ଆତ୍ମଗୋପନରୁ ବାହାରିଆସି ଗିରଫ୍‍ ହୋଇଗଲେ ।

 

ଏପରି ମତଭେଦ ଆମର ଏଠା କାର୍ଯ୍ୟରେ କୌଣସି ଅନ୍ତରାୟ ସୃଷ୍ଟି କରି ନଥିଲା । ମୁଁ ମଧ୍ୟ ଏ ଅହେତୁକ ବିବାଦରେ କୌଣସି ପକ୍ଷ ନେବାକୁ ଚାହିଁଲି ନାହିଁ । ଦୁଇପକ୍ଷର ବିଶ୍ୱାସ ଆମଠାରେ ଥିଲା ଏବଂ ଆମ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ ମଧ୍ୟ ରହିଥିଲା । ଆଗରୁ କହିଛି, ଜଣେ ବାର୍ତ୍ତାବହ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କଠାରୁ ମଧ୍ୟ ଆଶୀର୍ବାଦ ଘେନି ଆସିଥିଲେ । କିନ୍ତୁ ଆମେ ଥରେ ହେଲେ ତାଙ୍କଠୁଁ ଧନ ଓ ଅନ୍ୟ ପ୍ରକାର ସାହାଯ୍ୟ ଭିକ୍ଷା କରି ନଥିଲୁ । ସେ ମତେ ଯେଉଁ ମିଟର କହି ଯାଇଥିଲେ ସେଥିରେ ନେତାଜୀଙ୍କର ବାର୍ତ୍ତା ଯଥାସମ୍ଭବ ସୁବିଧା ଦେଖି ଶୁଣିବାଲାଗି ମୁଁ ଚେଷ୍ଟା କରୁଥିଲି । ସେଥିରୁ ଯେତିକି ଗ୍ରହଣଯୋଗ୍ୟ ତାହା କାର୍ଯ୍ୟରେ ଲଗାଉଥିଲି-। ନେତାଜୀଙ୍କ ପ୍ରତି ମୋର ପୂର୍ଣ୍ଣ ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ଥିଲା–ମାତ୍ର ଆମ ଶତ୍ରୁର ଶତ୍ରୁକୁ ଆମର ମିତ୍ର ବୋଲି ସ୍ଵୀକାର କରି ତା’ଠାରୁ ସାହାଯ୍ୟ ଗ୍ରହଣର ପକ୍ଷପାତୀ ମୁଁ ନଥିଲି । ମୋର ମତ କ୍ଷୁଦ୍ର ହୋଇପାରେ; ମାତ୍ର ଏହା କେବେହେଁ କରିବି ନାହିଁ ବୋଲି ମୁଁ (……) କରିନେଇଥିଲି । କାର୍ଯ୍ୟକ୍ରମ ବିଷୟରେ ଅନେକ ନୂଆ ନୂଆ କୌଶଳର ସେ ସୂଚନା ଦେଉଥିଲେ । ସେଗୁଡ଼ିକ ଗ୍ରହଣଯୋଗ୍ୟ ଏବଂ ବହୁକ୍ଷେତ୍ରରେ ମଧ୍ୟ ସହାୟକ ହୋଇଛି । ନେତାଜୀ ଥିଲେ ଦେଶାଭିମାନୀ । ସେ ହିଟଲର, ମୁସୋଲିନୀ, ତୋଜୋଙ୍କ ସାଙ୍ଗରେ ବନ୍ଧୁତା ବାନ୍ଧିଥିଲେ ସୁଦ୍ଧା କେବେହେଲେ ନିଜର ମର୍ଯ୍ୟାଦା ବଳି ଦେଇ ନଥିଲେ । ଏକ ସ୍ଵାଧୀନ ରାଷ୍ଟ୍ରର ନାୟକରୂପେ ତାଙ୍କ ସହ ସମାନସ୍କନ୍ଧ ହୋଇ କାର୍ଯ୍ୟ କରୁଥିଲେ ଓ ଆମ ଦେଶର ଟେକ ରଖିଥିଲେ । ଦୁହିଁଙ୍କର ଶତ୍ରୁ ଏକ, ତେଣୁ ତା’ର ନିପାତ ଲାଗି ପରସ୍ପର ସହାୟକାରୀରୂପେ ମିତ୍ରତା ସୂତ୍ରରେ ବାନ୍ଧିହୋଇଥିଲେ ।

 

ଆଗରୁ କହିଛି, ଉପରମହଲରେ ଏ ଯେଉଁ ବିବାଦ ଦେଖାଦେଲା ତାହା ମୋ ମନରେ କୌଣସି ପ୍ରତିକ୍ରିୟା ସୃଷ୍ଟି କରି ନଥିଲା । ଆମେ ଯେ ରେଳ ଲାଇନ୍ କାଢ଼ିନେଇଛୁ, ରାସ୍ତା ଓ ତାର କାଟି ପକାଇବାଲାଗି କହୁଛୁ–ଏଥିରେ ହିଂସା କୁଆଡ଼ୁ ଆସିଲା ? ଗାନ୍ଧିଜୀ ଚାହୁଁଥିଲେ ଆମର ଗାଁଗୁଡ଼ିକ ସ୍ଵୟଂସମ୍ପୂର୍ଣ୍ଣ ହୁଅନ୍ତୁ–ନିଜର ସ୍ଵାଧୀନତା ଘୋଷଣା କରନ୍ତୁ । ଆମର ବିଶ୍ଵାସ ହେଲା ଯେ ରେଳ ଓ ସଡ଼କରେ ସୈନ୍ୟ ଚଳାଚଳ ସହଜ ହେଉଥିବାରୁ ସ୍ଵାଧୀନ ପଞ୍ଚାୟତକୁ ଦମନ କରିବା ନିମନ୍ତେ ସେହିବାଟେ ଫୌଜ ଓ ପୁଲିସ ପହଞ୍ଚିଯିବେ । ସେଗୁଡ଼ିକୁ କାଟିଦେଲେ ସୈନ୍ୟଦଳ ପହଞ୍ଚି ପାରିବ ନାହିଁ । ରାସ୍ତାଘାଟ ତ ମୁଖ୍ୟତଃ ସେହିମାନଙ୍କ ଚଳାଚଳ ଲାଗି ବ୍ୟବହାର କରାଯାଉଥିଲା । ଗରିବ ସାଧାରଣ ଲୋକେ ପାଦରେ ଚାଲିବା ନିମନ୍ତେ ପକ୍କା ସିମେଣ୍ଟ ରାସ୍ତା କ’ଣ ଦରକାର ? ରେଳରାସ୍ତା ଓ ସଡ଼କ କାଟିବାଦ୍ଵାରା ବିଭିନ୍ନ ସ୍ଥାନରେ ଥିବା ସରକାରୀ କର୍ମଚାରୀମାନେବି ହଇରାଣରେ ପଡ଼ିବେ ଓ ସବୁ ଅଚଳ ହୋଇଯିବ । ଗାଁ ଲୋକେ ତ ସହଜେ ପେଟପୂରା ଖାଇବାକୁ ପାଉନାହାନ୍ତି–କିଛି ଅଧିକ ଅସୁବିଧା ହେଲେବି ସେମାନେ ଚଳିଯାଇ ପାରିବେ । ସରକାରୀବାବୁଙ୍କୁ ଅଣ୍ଡା, ପାଉଁରୁଟି, ମଖନ ଆଦି ମାସ ମାସ କାଳ ନ ମିଳିପାରିଲେ ସେମାନେ କ’ଣ ଧୈର୍ଯ୍ୟ ଧରି ରହିପାରିବେ ? ହୁଏତ ଚାକିରି ଛାଡ଼ି ପଳାଇଯିବେ । ତେଣୁ ଏଭଳି କାର୍ଯ୍ୟରେ ହିଂସା ଅହିଂସାର ପ୍ରଶ୍ନ ଉଠାଇବା ଠିକ୍ ନୁହେଁ । ଅସଲ କଥା ହେଲା ରେଳରାସ୍ତା ଯୋଗୁଁ ପୁଲିସ, ସରକାରୀ ଓ ମିଲିଟାରୀ କର୍ମଚାରୀମାନେ ଆମ ଉପରେ କର୍ତ୍ତୃତ୍ଵ ଜାରି କରିପାରୁଛନ୍ତି–ସେଗୁଡ଼ିକ କାଟିଦେଲେ ସେମାନେ ଅକାମୀ ହୋଇଯିବେ–ଶାସନ କଳ ଅଚଳ ହୋଇଯିବ । ଆମ ସ୍ଵାଧୀନ ପଞ୍ଚାୟତକୁ ସ୍ଵୀକାର କରି ଆମ ଆୟତ୍ତରେ ରହିବାକୁ ସେମାନେ ବାଧ୍ୟ ହେବେ । ଯୁଦ୍ଧ ଉଦ୍ୟମ ମଧ୍ୟ ପଣ୍ଡ ହୋଇଯିବ । ଏହା ହେଲା ଆମ ଆନ୍ଦୋଳନର ଅସଲ ଉଦ୍ଦେଶ୍ୟ ଏବଂ ଏଇଥିଲାଗି ଆମେ ସବୁପ୍ରକାରେ ପ୍ରସ୍ତୁତ ଥିଲୁ ।

 

ତେଣୁ ଗାନ୍ଧିଜୀ ଯେଉଁ ସଂକ୍ଷିପ୍ତ ନିର୍ଦ୍ଦେଶ ଦେଇ ଜେଲ ଯାଇଥିଲେ ଆମ କାର୍ଯ୍ୟଦ୍ଵାରା ତାହାର କୌଣସି ପ୍ରକାର ବ୍ୟତିକ୍ରମ ହୋଇ ନଥିଲା । ଗାନ୍ଧିଜୀ ନିଜେ ହୁଏତ ଏହା କରି ନଥାନ୍ତେ; କିନ୍ତୁ ତାଙ୍କ ଅନୁପସ୍ଥିତିରେ ଓ ନେତୃତ୍ୱ ବିନା ଲୋକ ଯାହା କଲେ ସେଥିରେ ସେ ବିରୋଧ କରି ନଥିଲେ । ସେଥିଲାଗି ଜେଲରୁ ଖଲାସ ହେବାପରେ ଇଂରେଜ ସରକାରକୁ ଜବାବ ଦେଇ ଗାନ୍ଧିଜୀ ଲେଖିଥିଲେ ଯେ–ସରକାର ଯେଉଁ ଆସୁରିକ ବଳପ୍ରୟୋଗ କଲେ, ଲୋକେ ତା’ର ଜବାବ ଦେବାକୁ ଯାଇ ଏଭଳି କାର୍ଯ୍ୟ କରିଥିଲେ । ସରକାରୀ ହିଂସା ତୁଳନାରେ ତାହା କିଛି ନୁହେଁ କହିଲେ ଚକେ । ଏ ସଂକ୍ରାନ୍ତ ଆଲୋଚନା ମୁଁ ଲେଖୁ ଲେଖୁ ଯେତେବେଳେ ଉଠାଇଲିଣି, ପାଠକଙ୍କ ମନରେ କୌତୂହଳ ଦୂର କରିବା ନିମନ୍ତେ ଗାନ୍ଧିଜୀ ୧୯୪୪ ମସିହା ଜୁନ୍ ୩୦ ତାରିଖରେ ଅରୁଣା ଆସଫ୍ ଅଲ୍ଲୀଙ୍କୁ ଯେଉଁ ପତ୍ର ଲେଖିଥିଲେ, ତାହା ଉଲ୍ଲେଖ କରିବା ଆବଶ୍ୟକ ମନେକରୁଛି । ସେତେବେଳକୁ ଅରୁଣା ଆସଫ୍ ଅଲ୍ଲୀ ଗୋପନ–ଜୀବନ ଯାପନ କରୁଥିଲେ ଏବଂ ସରକାର ବହୁ ଚେଷ୍ଟା କରି ସୁଦ୍ଧା ତାଙ୍କୁ ଗିରଫ୍‍ କରିପାରୁ ନଥିଲେ ।

 

ଗାନ୍ଧିଜୀ ଲେଖିଥିଲେ–

 

Priya Putri Aruna,

 

I consider myself to be incapable of asking anyone, much less you, of doing anything that would hurt your pride......this struggle has been full of romance and heroism. You are the central figure......I do not want you to surrender unless you feel that it is the better course. I have brought myself to regard secrecy as a sin in the application of Non–violence. But it cannot be followed mechanically......you must therefore be the best judge of what is proper......This I promise, I will not judge you, no matter what you do.”

 

ଗାନ୍ଧିଜୀଙ୍କୁ ଅରୁଣା ଲେଖିଥିଲେ–ଆମକୁ ଯେମିତି ବୁଦ୍ଧି ଦିଶିଲା ଆମେ ସେମିତି କାମ କରିଛୁ । ଆମେ ବିଚାରିଲୁ, ଆପଣ ଜାପାନୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଆତ୍ମସମର୍ପଣ କରିବା ଅପେକ୍ଷା ଆତ୍ମରକ୍ଷା ଲାଗି ହିଂସା ବରଂ ଶ୍ରେୟସ୍କର । ଆମେ ସେମିତି ଆପଣଙ୍କର ଏହି ଉକ୍ତି ପ୍ରୟୋଗ କରି ଯାହା ନ୍ୟାୟୋଚିତ ଅଥଚ ଅହିଂସା ନୀତିର ଅନନୁମୋଦିତ ହେବ ନାହିଁ, ସେଭଳି ପନ୍ଥା ଅବଲମ୍ବନ କରିଛୁ ।

 

ଆଗରୁ ଜୟପ୍ରକାଶ ନାରାୟଣ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯେଉଁ ସବୁ ପତ୍ର ଲେଖିଥିଲେ, ସେଥିରେ ଆମ ଆନ୍ଦୋଳନର ବିଭିନ୍ନ ଗତି ବିଷୟରେ ପରିଷ୍କାର କରିଦେଇଥିଲେ । ସେ ନିଜେ ନେପାଳ ପାଖରେ ଛପି ରହି ଭାରତର କେତେକ ଯୁବକଙ୍କୁ ବୋମା ଓ ଅନ୍ୟ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ଶିକ୍ଷା ଦେଉଥିଲେ । ରେଳରାସ୍ତା ଭାଙ୍ଗିବା, ଗରିଲାବାହିନୀ ଯାଇ ପୋଲ ଇତ୍ୟାଦି କିଭଳି ଧ୍ୱଂସ କରିପାରିବେ, ଏ ସଂକ୍ରାନ୍ତରେ ୧୯୪୨ ବିପ୍ଳବବେଳେ “A. B. C. of Dislocation” ବୋଲି ଯେଉଁ ପୁସ୍ତକ ଗୁପ୍ତ ଭାବରେ ବଣ୍ଟାଯାଇଥିଲା, ଜୟପ୍ରକାଶ ତାହାର ଲେଖକ ବୋଲି ବ୍ରିଟିଶ ସରକାରର ସନ୍ଦେହ ହୋଇଥିଲା ।

 

ଆମ ମନରେ, ବିଶେଷତଃ ମୋ ମନରେ, ଏହାର କୌଣସି ଖରାପ ପ୍ରଭାବ ପଡ଼ି ନଥିଲା । ଅରୁଣା ଆସଫ୍ ଅଲ୍ଲୀ, ରାମମନୋହର ଲୋହିଆ ଓ ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କ ସହ ଆମେ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ କରିଗଲୁ । ଏପରି କି, ମୋର ଗିରଫ୍‍ ପରେ ଯେଉଁମାନେ କିଛିଦିନ ଏହାର ପରିଚାଳନା କଲେ ଓ ସଂଗଠନ ରଖିପାରିଥିଲେ, ସେମାନେ ବୋମା ତିଆରି କରିବା ନିମନ୍ତେ ଗନ୍‍ପାଉଡ଼ର (ଗୋଳାବାରୁଦ) ମଧ୍ୟ ଆଣି ରଖିଥିଲେ ।

☆☆☆

 

ଅଲିସାବଜାର କେନ୍ଦ୍ର ଉପରେ ସନ୍ଦେହ

 

ଅଲିସାବଜାରର ଯେଉଁ ଦ୍ଵିତୀୟ ଘରେ ବିପ୍ଳବର କେନ୍ଦ୍ର ହେଲା ସେଠାରେ ବହୁଦିନ ନିରାପଦରେ ରହି କାମ କରିବାର ଆଶା ଥିଲା । ସେହି ଅନୁସାରେ ଆମେ ବ୍ୟବସ୍ଥା କଲୁ ଏବଂ ପଡ଼ୋଶୀଙ୍କ ମନରେ ଯେଭଳି ତିଳେମାତ୍ର ସନ୍ଦେହ ନହୁଏ, ସେଥିଲାଗି କେତେକ ପନ୍ଥା ଅବଲମ୍ବନ କଲୁ ।

 

ମୁଁ ଯେଉଁଦିନ ରାତିରେ ସେଠି ପହଞ୍ଚିଲି, ତା’ ପରଦିନ ପ୍ରଥମ ବାହାର ସମ୍ପର୍କ ହେଲା ଜଣେ ସ୍ଥାନୀୟ ମୁସଲମାନ ଭଣ୍ଡାରୀ ସାଙ୍ଗରେ । ମୋର ଦାଢ଼ି ବାଗେଇବାଲାଗି ସେ ଆସିଥିଲା । ସେତେବେଳକୁ ବହୁଦିନ ବାହାରେ ବିଭିନ୍ନ ଜାଗାରେ ରହି ଦାଢ଼ି ବେଶ୍ ବଢ଼ିଯାଇଥାଏ । ବୁଢ଼ା ଭଣ୍ଡାରୀଟି ମତେ ଏମିତି ସୁନ୍ଦର ସଜାଇ ଦେଲା ଯେ କେହି ଭୁଲରେ ସୁଦ୍ଧା କହିପାରିବ ନାହିଁ ମୁଁ ମୌଲବୀ ନୁହେଁ ବୋଲି । ଖିଅରବେଳେ ତା’ ସହିତ କଥାବାର୍ତ୍ତାରେ ବଡ଼ ମଜା ହେଲା । ମୁଁ ଭୁଲରେ ସୁଦ୍ଧା ଗୋଟିଏ ହେଲେ ଓଡ଼ିଆ ଶବ୍ଦ ଉଚ୍ଚାରଣ କଲିନାହିଁ–ଅବଶ୍ୟ କରିଥିଲେ କିଛି ଅସୁବିଧା ହୋଇ ନଥାନ୍ତା–କାରଣ ସେ ତ ନିଜେ ଓଡ଼ିଆ ମିଶା ଊର୍ଦ୍ଦୁ କହୁଥାଏ–ଆମ ଗାଁମାନଙ୍କରେ ମୁସଲମାନମାନେ ଯେମିତି ଖୋଲ୍‍ଟି ଭାଷାରେ କଥାବାର୍ତ୍ତା କରନ୍ତି, ସେହିପରି । ମୋର ଦୁଃଖସୁଖ ଖବର ପଚାରିଲା । ସବୁ ଭଣ୍ଡାରୀଙ୍କର ଖିଅରବେଳେ ଏପରି ପଚାରିବାଟା ହେଉଛି ଗୋଟାଏ ଅଭ୍ୟାସ । ମୁଁ ତାକୁ କହିଲି ପାଟନାରେ ବହୁ ଗଣ୍ଡଗୋଳ ଲାଗିଥିବାରୁ ମୁଁ ସେଠା ଛାଡ଼ି ପଳାଇଆସିଛି । ସେଠିକି ଆଉ ଫେରି ହେବନାହିଁ । ଏଇଠି ଜାଗା ପାଇଲି; ପରେ ସୁବିଧା କରି ଅନ୍ୟତ୍ର ଚାଲିଯିବି । ବାଲ୍‍ବଚ୍ଚା କେହି ସାଙ୍ଗରେ ନାହାନ୍ତି । ବୁଢ଼ାଟି ଖୁବ୍ ସହାନୁଭୂତି ଦେଖାଇଲା । କହିଲା–ଜରୁରତ୍ ହୋ ତୋ ଏକ ଆଚ୍ଛା ଖାନ୍‍ମସାର ବି ଲା ଦେ ଶକ୍ତା ହୁଁ । ଗଲାବେଳକୁ ଶେଷକଥା କହିଗଲା–କଟକରେ ଗୋରୁମାଂସ ବଡ଼ ଶସ୍ତାରେ ମିଳେ; ତା’ର ଗୋଟିଏ ଚିହ୍ନା ଦୋକାନ ଅଛି । ଯେବେ ଆଣିବାକୁ ଇଚ୍ଛା ହେବ ଖବର ଦେଲେ ସେ ଆଣିଦେବ । ବିଚରା ବୁଢ଼ା–ସତରେ ବିଶ୍ୱାସ କରିଗଲା ଯେ ଜଣେ ମୁସଲମାନ ଆସି ଏଠାରେ ଉଡ଼ା ନେଇ ରହିଛନ୍ତି । ଭଣ୍ଡାରୀ ତ ଅନେକ ଅନେକ ଘରକୁ ଯାଆନ୍ତି । କେତେକଙ୍କ ଘରେ ଜଣାଇ ଦେଲା–ଯେ ଜଣେ ବିହାରୀ ଭଡ଼ାଦାର ଉଧର୍ ରହତେ ହେଁ । କେହି ମୁସଲମାନ ରହିଛି ବୋଲି ଯେତେବେଳେ ସାହିବାଲା ଜାଣିଲେ, ସେମାନଙ୍କର ଆଉ ଖୁବ୍ ବେଶି ଆଗ୍ରହ ରହିଲା ନାହିଁ । ଆମ ସାଙ୍ଗରେ କୌଣସି ସ୍ତ୍ରୀଲୋକ ନଥିଲେ, ତେଣୁ ପାଖ ପଡ଼ିଶାଙ୍କ ସାଙ୍ଗରେ ବିଶେଷ ସମ୍ପର୍କରେ ଆସିବାର କିଛି ବାଟ ନଥିଲା ମଧ୍ୟ ।

 

ଆମେ ଏକପ୍ରକାର ସେଠାରେ ରହିଗଲୁ । ବୁଲେଟିନ୍ ରୀତିମତ ବାହାରିଲା । ବନମାଳୀବାବୁ ଆସି ଠିକଣା ସମୟରେ ତାଙ୍କ କାମ କରିଯାଉଥିଲେ । ବିଶ୍ଵନାଥ ଓ ମଥୁରୀ ସାହିପିଲା । ମଥୁରୀ ବ୍ୟବସାୟରେ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ; କେବେ ମନଖୁସି ହେଲେ ଆସି ମୋ ପାଖରେ ବସିଯାଉଥିଲେ । ସେମାନେ ଛାପାକାମ ଶେଷ କରୁଥିଲେ; ନେଲାବାଲା ବିଶେଷ ଭାବରେ ସଚ୍ଚିଦାନନ୍ଦ ମିଶ୍ର, ଆସି ନେଇଯାଉଥିଲେ । ସେ ବାସ୍ତବିକ ବଣ୍ଟନ ବ୍ୟବସ୍ଥାର କେନ୍ଦ୍ର ଥିଲେ । ସେତେବେଳକୁ ଜିଲ୍ଲାମାନଙ୍କ ସାଙ୍ଗରେ ଯୋଗାଯୋଗ ରଖି ଚିଠିପତ୍ର ଦେବା ଆରମ୍ଭ ହୋଇଯାଇଥିଲା । ମୋଟାମୋଟି ସବୁଆଡ଼ୁ ରିପୋର୍ଟ ଆସି ପହଞ୍ଚୁଥିଲା । ବୁଲେଟିନ୍ ପ୍ୟାକେଟ୍‍ମାନ ବିଭିନ୍ନ ସ୍ଥାନକୁ ଯାଉଥିଲା । ପୁଲିସ ସବୁଆଡ଼େ ଜଗିରହି ସୁଦ୍ଧା ବିଭିନ୍ନ ଅଞ୍ଚଳକୁ, ବିଶେଷତଃ କଟକ ଜିଲ୍ଲା ବାହାରକୁ, ଏହା କେମିତି ଯାଉଥିଲା । ସେକଥା ଜାଣି ନ ପାରି ବଡ଼ ଦ୍ଵନ୍ଦ୍ୱରେ ପଡ଼ିଥିଲେ । ଅଧିକାଂଶ ଛାତ୍ର ଓ ନୂଆ ଲୋକ ଏସବୁ ନେବା ଆଣିବା କାର୍ଯ୍ୟ କରୁଥିଲେ–ଏଇଟା ଥିଲା ଆମର ସୁବିଧା । ପୁଲିସ ପକ୍ଷରେ ସେମାନଙ୍କୁ ସନ୍ଦେହ କରିବା କଷ୍ଟକର ହେଉଥିଲା-। ସେମାନେ କିଛି ଏକସଙ୍ଗରେବି ଆସୁ ନଥିଲେ । ଯେଝା ସମୟ ଓ ସୁବିଧା ଅନୁସାରେ ଆସି ଆପଣାର କାମ କରିଯାଉଥିଲେ । ଦୃଷ୍ଟାନ୍ତସ୍ୱରୂପ ଅଧ୍ୟାପକ କାଙ୍ଗାଳିଚରଣ ପତିଙ୍କ ବିଷୟ ଏଠାରେ ଉଲ୍ଲେଖ କରିପାରେ । ସେ ସେତେବେଳକୁ ରେଭେନ୍‍ସା କଲେଜର ଛାତ୍ର-। ବଡ଼ ସରଳ, ସାଧୁ ପ୍ରକୃତିର । ସେ ଆସି ମଝିରେ ମଝିରେ ରହୁଥିଲେ ଓ କାର୍ଯ୍ୟରେ ସାହାଯ୍ୟ କରୁଥିଲେ-। ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଚେତନା ବଢ଼ିବ ଏବଂ ଶେଷକୁ ସେ ଅରବିନ୍ଦ ଆଶ୍ରମରେ ଜଣେ ପ୍ରଧାନ ଭକ୍ତ ହୋଇ ‘ପ୍ରପତ୍ତି’ ନାମରେ ଖ୍ୟାତି ଲଭିବେ, ଏ ବିଷୟ ସେତେବେଳେ କେହି କଳ୍ପନା ସୁଦ୍ଧା କରିପାରି ନଥିଲେ-। ରାଜନୀତି ସମ୍ବନ୍ଧରେ ପୂର୍ବରୁ ତାଙ୍କର ବିଶେଷ ଶିକ୍ଷା ନଥିଲା-। ମାତ୍ର ପତିଆରା ରଖି ଏଭଳି ଏକ ଗୁପ୍ତନିବାସର ସମସ୍ତ ଖବର ଜାଣି ସୁଦ୍ଧା ତାହା ଅନ୍ୟତ୍ର ପ୍ରକାଶ କରି ନଥିଲେ ଏବଂ ମତେ ଅତି ମାମୁଲି କାମରେବି ବିନାଦ୍ଵିଧାରେ ସାହାଯ୍ୟ କରୁଥିଲେ-। ମୁଁ ତାଙ୍କ ଆଚରଣରେ ମୁଗ୍ଧ ହୋଇଥିଲି ।

 

ସେମିତି ବାଙ୍କବିହାରୀ ଦାସ ଏକ ଖାସ୍ କାମ କରୁଥିଲେ । ସେ କଲେଜ ଫେରନ୍ତା ଖରାବେଳେ ସେଠିକି ଆସୁଥିଲେ ଏବଂ ଚିଠିଗୁଡ଼ିକ ଉପରେ ଠିକଣା ଲେଖିଦେଇ ଯାଉଥିଲେ । ଆମେ ବିଭିନ୍ନ ସ୍ଥାନରେ ନିରାପଦ ଠିକଣାସବୁ ସଂଗ୍ରହ କରୁଥିଲୁ । ସାଧାରଣତଃ ବହିଦୋକାନୀଙ୍କ ନାମରେ ଲିଫଲେଟ୍ ପଠାଯାଉଥିଲା । କାଗଜ ବା ବହି ପାର୍ସଲ ପରି ବାନ୍ଧି କଟକର ବହିଦୋକାନୀଠାରୁ ଉକ୍ତ ସ୍ଥାନର ଏକ ଦୋକାନୀ ନାମରେ ପଠାଯାଉଥିଲା । ଠିକଣା ଲେଖା ଯାଇଥିବା ଅକ୍ଷରେ ଉପରେ ପୁଲିସ ସନ୍ଦେହ ନ କରିବା ଭଳି ବ୍ୟବସ୍ଥା କରାଯାଇଥିଲା । ବାଙ୍କବିହାରୀଙ୍କ ଅକ୍ଷର ପ୍ରତି ସନ୍ଦେହ ହେବାର କୌଣସି କାରଣ ନଥିଲା । ଆମ କାମ ଠିକ୍ ଭାବରେ ଚାଲୁଥିଲା । ସେ ଯେଉଁ ସ୍ଥାନରେ ରହୁଥିଲେ ସେଥିପ୍ରତି କିଛିଦିନ ପରେ ପୁଲିସର ସନ୍ଦେହ ଜନ୍ମିଗଲା । କଲ୍ୟାଣୀ କୁଟୀରରେ ବାଙ୍କବାବୁ ରହୁଥିଲେ । ଗଦାଧର ଦାସ ଓ ଅନ୍ୟ କେତେଜଣ ମଧ୍ୟ ସେଠାରେ ଏକ ମେସ୍ କରିଥିଲେ । ଗଦାଧର ଦାସଙ୍କ ନାମରେ ଆମର କେତେକ ଚିଠିପତ୍ର ଆସୁଥିଲା । ସମ୍ବଲପୁରରୁ ଆସିଥିବା ଏକ ଚିଠିପତ୍ର ଥରେ ପୁଲିସର ସନ୍ଦେହ ଜନ୍ମିଲା ଏବଂ ତାହା ସେମାନେ ଜବତ କରିପକାଇଲେ । ଆଗରୁ କହିଛି କିଭଳି ପରିସ୍ଥିତି ଭିତରେ ବୈଷ୍ଣବଚରଣ ପଟ୍ଟନାୟକ ଢେଙ୍କାନାଳରୁ ଆସି ପହଞ୍ଚିଥିଲେ ଏବଂ କେମିତି ତାଙ୍କ ପ୍ରାଣରକ୍ଷା ନିମନ୍ତେ ବିପଦକୁ ପରୁଆ ନ କରି ତାଙ୍କୁ କଲିକତା ପଠାଇ ଦିଆଯାଇଥିଲା । ତାଙ୍କ ସାଙ୍ଗରେ ଆଦିକନ୍ଦ ବେହେରା ଆସିଥିଲେ–ତାଙ୍କର ପ୍ରକୃତ ନାମ ଥିଲା ନବଘନ ବେହେରା । ତାଙ୍କ ନାମରେବି ଢେଙ୍କାନାଳ ରାଜଦରବାରରୁ ୱାରଣ୍ଟ୍ ବାହାରିଥିଲା ଓ ପୁଲିସ ତାଙ୍କୁ ଖୋଜୁଥିଲେ । କଟକରେ ସେ ବିଶେଷ କିଛି ଜଣାଶୁଣା ନଥିବାରୁ ମୋର ସାହାଯ୍ୟକାରୀ ଭାବରେ ମୋ ସାଙ୍ଗରେ ଅଲିସାବଜାର ଘରେ ରହିଲେ । ସେତେବେଳକୁ ମୁଁ ଏକାକୀ ସେଠି ରହୁଥିଲି ଓ ସବୁ କାମ ଏକୁଟିଆ କରୁଥିଲି । ନବଘନଙ୍କ ଘରକୁ କିଛି ସାହାଯ୍ୟ ପଠାଇବାର ଆବଶ୍ୟକତା ପଡ଼ିଲା ଏବଂ କଟକ ଆର.ଏମ୍.ଏସ୍.ରେ କେହି ଜାଣିପାରିବେ ନାହିଁ ବୋଲି ଭାବି ବାଙ୍କବିହାରୀ ଦାସ ନିଜ ହାତରେ ଲେଖି ଏକ ମନିଅର୍ଡ଼ର୍ ଢେଙ୍କାନାଳକୁ ପଠାଇଲେ । ଏଇଟା ହେଲା କାଳ । ଢେଙ୍କାନାଳରେ ନବଘନଙ୍କ ବିଷୟରେ କିଛି ସୂତ୍ର ପାଇବା ଲାଗି ପୁଲିସ ଟାକି ବସିଥିଲେ । କଟକ ପୁଲିସ ମନିଅର୍ଡ଼ର୍‍କୁ ଧରି ସ୍ୟାହି ଓ ଅକ୍ଷରର ସନ୍ଧାନରେ ଲାଗିପଡ଼ିଲେ । ଆମର ପ୍ରାୟ ସବୁ ଚିଠିର ଠିକଣା ବାଙ୍କବାବୁଙ୍କର ହାତଲେଖା । ସେଥିରୁ ଖିଅ ବାହାର କରି ସନ୍ଦେହରେ ମୋରବି କେତେକ ଚିଠିପତ୍ର ଧରିଲେ ଏବଂ ଅବଶେଷରେ କଲ୍ୟାଣୀ କୁଟୀର ତଲାସ କରି କଲମ ଓ ସ୍ୟାହିରବି ସନ୍ଧାନ ପାଇଗଲେ । ଏହା ପରେ ପରେ ବାଙ୍କବିହାରୀ ଦାସଙ୍କୁ ଗିରଫ୍‍ କରି ନିଆଗଲା-। ମୋର ଖାଲି ହସ୍ତଚ୍ଛେଦ ହେଲା ନାହିଁ–କେତେକ ସ୍ଥାନର ଠିକଣା ମଧ୍ୟ ପୁଲିସ ହାତରେ ପଡ଼ିଗଲା-। ଏହା ଫଳରେ ଡାକରେ ଚିଠି ମଗାଇବା ନିରାପଦ ମନେହେଲା ନାହିଁ ।

 

ଏତିକିବେଳକୁ ଆନ୍ଦୋଳନ ମଧ୍ୟ ଓଡ଼ିଶାର ଚାରିଆଡ଼େ ବ୍ୟାପକଭାବରେ ଆରମ୍ଭ ହୋଇଗଲାଣି । ପୁଲିସର ବ୍ୟସ୍ତତା ବଢ଼ିଗଲା ମତେ ଗିରଫ୍‍ କରିନେବା ଲାଗି । ପ୍ରଥମେ ଯେମିତି କଟକ ସହରରେ କିଛିଦିନ ଖୁବ୍ ତୋଡ଼ଜୋଡ଼ରେ ଲାଗିଥିଲେ, ସେହିଭଳି ତତ୍ପରତା ଦେଖାଦେଲା–ବାଙ୍କବାବୁଙ୍କ ଗିରଫ୍‍ ପରେ ଆଖି ପଡ଼ିଲା ସଚ୍ଚିଦାନନ୍ଦ ମିଶ୍ରଙ୍କ ଉପରେ । ତାଙ୍କ ପ୍ରତି କିଭଳି ସନ୍ଦେହ ହେଲା ମୁଁ ଜାଣିନାହିଁ । ଖୁବ୍ ସମ୍ଭବତଃ ରାମନନ୍ଦନ ମିଶ୍ର କିଭଳି କଟକରେ ଗିରଫ୍‍ ହେଲେ ଓ ମୋ ସହିତ ସାକ୍ଷାତ କଲେ ଏସବୁ ଜେଲ ଭିତରେ ଚର୍ଚ୍ଚା ହୋଇଥିଲା । ଇଂରେଜ ଅମଳ କଥା–ପୁଲିସ ଗୁଇଦା ତ ନାନା କୌଶଳ ପ୍ରୟୋଗ କରୁଥିଲେ । ଟଙ୍କା ଲୋଭ ଦେଖାଇ ଖବର ନେଉଥିଲେ । ଜେଲ୍‍ଖାନାରେ ବିଭିନ୍ନ ରାଜବନ୍ଦୀଙ୍କ ମତିଗତି ଜାଣିବା ନିମନ୍ତେ ସେମାନେ ଦୁର୍ବଳ ରାଜବନ୍ଦୀଙ୍କି ହାତ କରି ଖବର ସଂଗ୍ରହ କରୁଥିଲେ । କେତେକ ସ୍ଥଳରେ ସେମାନେ ଗୁଇନ୍ଦାଙ୍କୁ ଜେଲରେ ପୂରାଇ ଦେଉଥିଲେ । ସେମାନେ ଅନ୍ୟ ରାଜବନ୍ଦୀଙ୍କ ପରି କିଛି ବେଆଇନ କାର୍ଯ୍ୟ କରି ଗିରଫ୍‍ ହୋଇଯାଉଥିଲେ ଓ ଜେଲ ଭିତରେ ରହି ନାନା ସମ୍ବାଦ ପଠାଉଥିଲେ । ସେହିଭଳି ସୂତ୍ରରୁ ହେଉ ବା ଅନ୍ୟ କେଉଁ ଭାବରେ ହେଉ, ରାଜାବଗିଚାରେ ପ୍ରାଣନାଥ ମିଶ୍ରଙ୍କ ଘର ଉପରେ ପୁଲିସର ସନ୍ଦେହ ହେଲା ଏବଂ ସେଠି ତଲାସ କରିବା ନିମନ୍ତେ ହଠାତ୍ ପହଞ୍ଚିଗଲେ । ଅତର୍କିତ ଅବସ୍ଥାରେ ଏହା ହେଲା । ପୋଲିସ୍ ମୋତେ ସେଠି ପାଇଯିବାର ଆଶା ରଖିଥିଲେ, ମାତ୍ର ମତେ ପାଇଲେ ନାହିଁ କିମ୍ବା କେଉଁ ସ୍ଥାନରେ ରହୁଛି ତା’ର କୌଣସି ସୁରାକ ପାଇଲେ ନାହିଁ । ସେଦିନ କିନ୍ତୁ ସଚ୍ଚିବାବୁଙ୍କ ପାଖରୁ ତା’ପୂର୍ବଦିନର ତାରିଖ ଥିବା ମୋର ଦୁଇଖଣ୍ଡି ଚିଠି ପୁଲିସର ହସ୍ତଗତ ହେଲା । ଦୁଇଜଣ ବନ୍ଧୁଙ୍କୁ କିଛି ଚାନ୍ଦା ଲାଗି ଅନୁରୋଧ କରି ମୁଁ ଲେଖିଥିଲି । ପୋଲିସ୍ ସଚ୍ଚିବାବୁ ଓ ତାଙ୍କ କକେଇ ପ୍ରାଣନାଥବାବୁଙ୍କୁ (ଡାକନାମ ଅଲିବାବୁ) ଗିରଫ୍‍ କରି ନେଲେ ଏବଂ ତା’ ସାଙ୍ଗେ ସାଙ୍ଗେ କଟକରେ ରହିଥିବା ବିଷୟରେ ସେମାନେ ନିଶ୍ଚିନ୍ତ ହୋଇଗଲେ ।

 

ସଚ୍ଚିବାବୁ ଓ ବାଙ୍କବାବୁଙ୍କ ଗିରଫ୍‍ ପରେ ବଡ଼ ଅସୁବିଧା ହୋଇଗଲା । ମୋର ଗିରଫ୍‍ ଆଉ ବିଳମ୍ବ ନୁହେଁ ବୋଲି ମନରେ ଏକ ଆଶଙ୍କା ପଶିଗଲା । ଏହି ସମୟରେ ଘଟିଥିବା ଆହୁରି ଦୁଇଟି ଘଟଣା ମଧ୍ୟ ମନରେ ଏ ପ୍ରକାର ସନ୍ଦେହକୁ ଦୃଢ଼ୀଭୂତ କରିଦେଲା ।

 

ଆନ୍ଦୋଳନ ଚାରିଆଡ଼େ ଜୋର୍‍ସୋର୍‍ରେ ଆରମ୍ଭ ହେବାଯୋଗୁଁ ମୋ ବସାକୁ ଲୋକ ଯିବାଆସିବା ଟିକିଏ ବଢ଼ିଥିଲା । ସେ ଘର ଆଗରେ ଥିବା ଘରୁ କେହି ଆମକୁ ଲକ୍ଷ୍ୟ କରୁଥିବାର ସନ୍ଦେହ ବିଶ୍ଵନାଥ ପଣ୍ଡିତଙ୍କ ମନରେ ଉପୁଜିଲା । ଆମର ତ ସବୁ କାମ ସେଇ ଗୋଟିଏ ସ୍ଥାନରେ ହେଉଥିଲା–ମେସିନ୍ ଥିଲା, ମୁଁ ରହିଥିଲି, ପଳାତକ ନବଘନ ବେହେରା ଆଶ୍ରୟ ନେଇଥିଲେ–ସାରା ଗୁପ୍ତ ସଙ୍ଗଠନର ଯାବତୀୟ କାର୍ଯ୍ୟ ସେହିଠାରୁହିଁ ଚଳୁଥିଲା । ଆମେମାନେ ନିଜ ଭିତରେ ପରାମର୍ଶ କରି ୪–୫ ଦିନ ଲାଗି କାଫଲାଣ୍ଡିଠାରୁ ଅଳ୍ପଦୂରରେ ଥିବା ନନ୍ଦିସାହୁଙ୍କର ଆଉ ଏକ ଚାଳଘରକୁ ଚାଲିଗଲୁ । ଏ ଘର ଏକଦମ୍ ଖାଲିକରିଦିଆଗଲା । ମଧୁରା ଓ ବିଶ୍ଵନାଥ ଦାୟିତ୍ଵ ନେଲେ ସାହି ଯୁବକ ଓ ସନ୍ଦେହୀ ଲୋକଙ୍କୁ ଡକାଇ ସେ ସ୍ଥାନରେ ୨–୪ ଦିନ ବସାଉଠା କରିବେ-। ଘରଭିତର ଦେଖିଲେ ସେମାନଙ୍କର ସନ୍ଦେହ ମୋଚନ ହୋଇଯିବ । ଏହା ସେମାନେ କଲେ-। ପରେ ଆମେ ସେ ସ୍ଥାନକୁ ଆଉ ନ ଯାଇଥିଲେ ବୋଧହୁଏ ସବୁଠାରୁ ଉତ୍ତମ ହୋଇଥାଆନ୍ତା; ମାତ୍ର ଆମେ ଗଲୁ । ସେ ଘରଟି ଏକ ଖୋଲା ଜାଗାରେ ଥିବାରୁ ସେଠାରେ ଆଉ ଅଧିକ ଦିନେ ଦିଦିନ ରହିଥିଲେ ଆମେ ସମସ୍ତେ ଧରାପଡ଼ିଯାଇଥାନ୍ତୁ । ଆମେ ପୁଣି ବାଧ୍ୟ ହୋଇ ସେହି ପୁରୁଣା ସ୍ଥାନକୁ ଫେରିଲୁ । ମନରେ ଗୋଟିଏ ପ୍ରକାର ବିଶ୍ୱାସ ହେଲା ଯେ ଯେଉଁମାନଙ୍କର ଏ ଘର ଉପରେ ସନ୍ଦେହଚକ୍ଷୁ ପଡ଼ିଥିଲା, ସେମାନଙ୍କ ମନରୁ ସେ ଧାରଣା ଦୂର ହୋଇଯାଇଥିବ ।

 

ଏତେଦିନ ଏତେ ଚେଷ୍ଟା କରି ପୁଲିସ୍ ଯେତେବେଳେ ମତେ ଗିରଫ୍‍ କରି ନ ପାରିଲେ ସେମାନେ ଏକ ପୁରସ୍କାର ଘୋଷଣାବି କଲେ । ତାହା ମଧ୍ୟ ବିଶେଷ ଫଳପ୍ରଦ ହେଲା ନାହିଁ । ଏତିକିବେଳେ ପ୍ରକୃତରେ ଯେତେ ଲୋକ ମୋର ଗୁପ୍ତ ନିବାସକୁ ଆସୁଥିଲେ କିମ୍ଵା ମୁଁ ସହରର ବିଭିନ୍ନ ସ୍ଥାନକୁ ବେଳେବେଳେ ଯାଇ ଯେଉଁମାନଙ୍କୁ ସାକ୍ଷାତ୍ କରୁଥିଲି ବା ଯାହାଙ୍କ ଘରେ ଆଶ୍ରୟ ନେଉଥିଲି, ସେହିମାନଙ୍କ ଚରମ ଦେଶପ୍ରୀତିର ପ୍ରମାଣ ମିଳିଲା । ସେମାନେ ପୂର୍ଣ୍ଣ ନୀରବତା ରକ୍ଷା କରୁଥିଲେ; ଏଭଳି କି ଘରର ପିଲାମାନେ ମଧ୍ୟ କିଛି କହୁ ନଥିଲେ । ଛୋଟ ଛୋଟ ପିଲାମାନେ ଜଣେ କେହି ବାବାଜି ଆସିଥିଲେ ବୋଲି ଜାଣୁଥିଲେ ।

 

ଏହାପରେ ସରକାର ଶେଷ ଅସ୍ତ୍ର ପ୍ରୟୋଗ କଲେ । ବିଭିନ୍ନ ଅର୍ଡ଼ିନାନ୍‍ସ ଓ ଭାରତ ରକ୍ଷା ଆଇନ ବଳରେ ପୁଲିସ ହାତରେ ଅଖଣ୍ଡ କ୍ଷମତା ଦିଆହୋଇଥିଲା । ମୁଁ ଏକ ଫେରାର ବୋଲି ଚାରିଆଡ଼େ ଘୋଷଣା ହୋଇଗଲା । ଏଥିରେ ଜଣାଇଦିଆଗଲା ଯେ ଯେଉଁମାନେ ମତେ ଆଶ୍ରୟ ଦେବେ ସେମାନଙ୍କ ଉପରେ ଆହୁରି ବେଶି ବିପଦ ପଡ଼ିବ; ନାନାପ୍ରକାର ଦମନ ପ୍ରୟୋଗ କରାଯିବ । ଏ ଘୋଷଣା ପରେ ମୁଁ କାହା ଘରକୁ ଗଲେ ସେମାନେ ହଇରାଣ ହେବେ ଭାବି ଆଉ ଅଲିସାବଜାର ଛାଡ଼ି ଅନ୍ୟ କେଉଁଠିକି ଗଲିନାହିଁ ।

 

ପୁଲିସ ନିରାଶ ହୋଇ ମୋ ବିରୁଦ୍ଧରେ ଅନ୍ୟ ଏକ ଅସ୍ତ୍ର ପ୍ରୟୋଗ କଲେ । ମୋତେ ଗିରଫ୍‍ କରାଇଦେବା ବ୍ୟକ୍ତି ପୁରସ୍କୃତ ହେବାର ଘୋଷଣା ଆମ ବିରୋଧୀଙ୍କ ମନରେ କିଛି ପରିମାଣରେ ଲୋଭ ଜାତ କରାଇଲା । ଧରାଇଦେଲେ ସେମାନଙ୍କର ରାଜନୀତିକ ଉଦ୍ଦେଶ୍ୟ ସାଧିତ ହେବ ଏବଂ ତାହା ସଙ୍ଗେ ସଙ୍ଗେ ପୁରସ୍କାରବି ମିଳିବ । ମୋ ମନରେ ଭୟ ପୂରାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗେଜେଟ୍‍ରେ ଆଉ ଏକ ଘୋଷଣା ପ୍ରକାଶ ପାଇଲା । ଏଥିଲାଗି ଆଇନରେ ବ୍ୟବସ୍ଥା ମଧ୍ୟ ରହିଥିଲା । ଘୋଷଣାଟି ହେଉଛି–ମୁଁ ଆତ୍ମଗୋପନରୁ ବାହାରି ନିର୍ଦ୍ଦିଷ୍ଟ ସମୟ ଭିତରେ ଆତ୍ମସମର୍ପଣ ନ କଲେ, ଆମ ପରିବାରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯିବ ଏବଂ ନିଲାମ ମଧ୍ୟ କରିଦିଆଯିବ । ମୋ ଉପରେ ଏହାଠାରୁ ବଳି ଅଧିକ କଠୋର ଆଘାତ ହୋଇ ପାରି ନଥାନ୍ତା । ମୁଁ ବାସ୍ତବିକ ଏକ ଧର୍ମ ସଙ୍କଟରେ ପଡ଼ିଲି । ଆମର ଏକେ ତ ଦରିଦ୍ର ଅବସ୍ଥା–ଏଡ଼େ ବଡ଼ କୁଟୁମ୍ବକୁ କେଡ଼େ ଦୁଃଖରେ ବାପା ମାଆ ଚଳାଉଥିଲେ । ସମ୍ପତ୍ତି ଅଳ୍ପ ହେଲେ ମଧ୍ୟ ତାହାହିଁ ଏକମାତ୍ର ସମ୍ବଳ । ମୁଁ ପିଲାଦିନୁଁ ଆନ୍ଦୋଳନରେ ଭାଗ ନେଇ ବାରମ୍ଵାର ଜେଲ ଜୀବନ ଯାପନ କରୁଥିବାରୁ ପିତାମାତାଙ୍କୁ ବା ପରିବାରକୁ କୌଣସି ପ୍ରକାର ସାହାଯ୍ୟ କରିପାରୁ ନଥିଲି । ମୋଦ୍ଵାରା ଉପକୃତ ନହେଲେ ସୁଦ୍ଧା ମୋ ଲାଗି ସର୍ବସ୍ୱାନ୍ତ ହୋଇ ମୋର ବାପ ମାଆ ଭଉଣୀ ପଥର ଭିକାରି ହେବେ ଏବଂ ଦାଣ୍ଡରେ ବସିବେ, ଏ ଦୃଶ୍ୟ ଭାବିଲାବେଳକୁ ଦେହ ଶିହରି ଉଠୁଥିଲା । ଯେତେବେଳେ ଏଭଳି ସରକାରୀ ଘୋଷଣା ନାଗରାଦ୍ଵାରା ଆମ ଗ୍ରାମରେ ଜଣାଇଦିଆଗଲା ଓ ଘର ଆଗରେ ଏକ ନୋଟିସ୍ ଟଙ୍ଗାଇ ଦିଆଗଲା ସେତେବେଳେ ମୋ ମନ ବେଶି ଛଟପଟ ହେଲା । କଟକରେ ମଧ୍ୟ ମାମୁଙ୍କ ଘରେ ସେମିତି ଏକ ନୋଟିସ୍ ଲଟକାଇ ଦିଆଗଲା । ମୋର ଆଶଙ୍କା ହେଲା ମାମୁଙ୍କ ଘରକୁ ଏମିତି ଜନିତ୍ କରିବେ କି ? ଆଇନ ଅନୁସାରେ ସେଭଳି କରିବାର କୌଣସି ଅଧିକାର ନଥିଲେ ସୁଦ୍ଧା ବ୍ରିଟିଶ ସରକାର ପକ୍ଷରେ ଅସମ୍ଭବ କ’ଣ ?

 

ମୋର ମାମୁ ପଣ୍ଡିତ ଆକୁଳ ମିଶ୍ର ମୋ ପକ୍ଷରେ ବାପମାଆଙ୍କଠାରୁବି ଅଧିକ । ଖାଲି ମୋର ନୁହେଁ, ମାମୁ ତାଙ୍କର ସବୁ ଭଉଣୀ ଓ ଭାଇମାନଙ୍କର ପିଲା ଓ କୁଟୁମ୍ବର ପୂରା ଦାୟିତ୍ଵ ନିଜ ମୁଣ୍ଡକୁ ନେଇଥିଲେ । ତେଣୁ ଆମେ ଭଣଜାମାନେ ମାମୁଘର ଓ ନିଜ ଘର ଭିତରେ କିଛି ଫରକ ଅନୁଭବ କରୁ ନଥିଲୁ ଏବଂ ସେପରି ଧାରଣା ମନରେ ପୋଷଣ କରିବା ନିମନ୍ତେ କେବେହେଲେ ମାମୁ ସୁଯୋଗ ଦେଉ ନଥିଲେ । ତାଙ୍କର ପୁତ୍ରସନ୍ତାନ ନଥିଲା; ମାତ୍ର ସବୁ ଭାଇଭଉଣୀଙ୍କ ସନ୍ତାନ ତାଙ୍କର ପୁତ୍ର ଅପେକ୍ଷା ଅଧିକ ଥିଲେ । ଏଭଳି ସ୍ନେହ ଓ ମମତା ପାଇ ଆମେମାନେ ବଢ଼ୁଥିଲୁ । ଏହି ମାମୁଙ୍କର ସସ୍ନେହ ସମର୍ଥନ ମିଳି ନଥିଲେ, ମୋ ଜୀବନର ଗତି ବୋଧହୁଏ ଭିନ୍ନ ପ୍ରକାର ହୋଇ ଥାଆନ୍ତା । ଅତ୍ୟାଚାରୀ ଇଂରେଜର ସ୍କୁଲ୍‍ରେ ଆଉ ପାଠ ପଢ଼ିବି ନାହିଁ ଏବଂ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେବି ବୋଲି ମୁଁ ଯେତେବେଳେ ସ୍ଥିର କଲି, ସେତେବେଳେ ମାମୁଙ୍କୁ ମୋର ସିଦ୍ଧାନ୍ତ ଜଣାଇଦେଲି ଓ ବହିପତ୍ର ରଖିଦେଲି । ଗାନ୍ଧିଜୀ ସେତେବେଳେ ଗୀତାପାଠ ଓ ସୂତାକଟା ଏହି ଦୁଇଟି ସତ୍ୟାଗ୍ରହ ପ୍ରାଥମିକ କର୍ତ୍ତବ୍ୟ ବୋଲି କହୁଥିଲେ । ମୁଁ ସ୍କୁଲ୍‍ ଓ ପାଠ୍ୟପୁସ୍ତକ ଛାଡ଼ି ଗୀତା ଓ ସୂତାକଟା ତାକୁଡ଼ି କିଣି ‘ଆଜିଠାରୁ ଆଉ ସ୍କୁଲ୍‍କୁ ଯିବିନାହିଁ’ ବୋଲି ମୋର ସିଦ୍ଧାନ୍ତ ମାମୁଙ୍କୁ ଜଣାଇଦେଲି । ମାମୁଙ୍କ ଉପରେ ମୁଁ ଏତେ ନିର୍ଭର କରୁଥିଲି ଏବଂ ତାଙ୍କୁ ଏପରି ଭୟ ଓ ଭକ୍ତି କରୁଥିଲି ଯେ ସେ ଯଦି ମତେ ଏଥିରୁ ନିବର୍ତ୍ତାଇଥାନ୍ତେ ତେବେ ମୋର ରାଜନୀତିକ ଜୀବନ ଇତିଶ୍ରୀ ହୋଇଯାଇଥାଆନ୍ତା । ମାତ୍ର ସେ କେବଳ ଭବିଷ୍ୟତ ଜୀବନ ଦୁଃଖମୟ ହେବ ବୋଲି ସତର୍କବାଣୀ ଶୁଣାଇ ବୁଝିବିଚାରି ନିଷ୍ପତ୍ତି ନେବାର ଭାର ମୋ ଉପରେ ଛାଡ଼ିଦେଲେ । ମୋର ତ ସିଦ୍ଧାନ୍ତ ହୋଇସାରିଥିଲା–ଶପଥ ନେଇସାରିଥିଲି–ଆଉ ବଦଳାଇବାର ପ୍ରଶ୍ନ ନଥିଲା । ମୋ ଜୀବନରେ ଏଭଳି ଦୃଢ଼ ନିଷ୍ପତ୍ତି ମତେ ବହୁ କ୍ଷେତ୍ରରେ ସାହାଯ୍ୟ କରିଛି । ମୁଁ ହୁଏତ କୌଣସି ଅବସ୍ଥାରେ ଏକ ନିଷ୍ପତ୍ତି ନେବାରେ ଟିକିଏ ବିଳମ୍ବ କରିପାରେ; ମାତ୍ର ଥରେ କୌଣସି ନିଷ୍ପତ୍ତି ନେଲା ପରେ ବିପଦ ପଡ଼ିବା ଆଶଙ୍କାରେ କେବେ ପଛାଇ ଯାଇନାହିଁ । ମୋର ନିଶ୍ଚିତ ଓ ଦୃଢ଼ସଂକଳ୍ପ ଦେଖି ମାମୁ ମତେ ବାଧା ଦେବା ଦୂରେ ଥାଉ, ମୁଁ କେମିତି ଦେଶକାମ କରିବା ଲାଗି ଉପଯୁକ୍ତ ହେବି ଏବଂ ଭଲ ଭାବରେ କରିପାରିବି, ସେଥିଲାଗି ବରାବର ସାହାଯ୍ୟ କରିଥିଲେ ।

 

ଏହି ପରିପ୍ରେକ୍ଷୀରେ ମାମୁଙ୍କ ଘର ମୋ ଲାଗି ଦୁଃଖରେ ପଡ଼ିବେ, ଏହି ଭାବନା ମୋ ମନକୁ ଭୀଷଣ ଭାବରେ ଆନ୍ଦୋଳିତ କଲା । ଏକାକୀ ତ ଲୁଚିପଡ଼ିରହିଥିଲି–ଯେ ଯାହା କାମ କରି ଚାଲିଯାଉଥିଲେ–ମୁଁ କିନ୍ତୁ ଏକୁଟିଆ ଯାହାବି ଟିକିଏ ଶାନ୍ତିରେ ରହୁଥିଲି ତାହା ଭଙ୍ଗ ହେଲା । ଦୁଇଚାରି ରାତି ଶୋଇ ପାରିଲି ନାହିଁ । ଟିକିଏ ଛାଇନିଦ ଲାଗିଲେ ଆମ ପରିବାରର ଲୋକ ଗଛତଳେ ବସିଛନ୍ତି ଏଭଳି ସ୍ଵପ୍ନ ଦେଖି ଉଠି ଭୋ ଭୋ ହୋଇ କାନ୍ଦିପକାଉଥିଲି । ଏଭଳି ଏକ ଦୁର୍ବଳତା ଆସି ମୋ ମନରେ ପ୍ରବେଶ କରିବ, ଏହା କଳ୍ପନା କରି ନଥିଲି । ଭାବିଲି ମନୋବଳ ଭାଙ୍ଗିଦେବାଲାଗି ବ୍ରିଟିଶ ସରକାର ଠିକଣା ଅସ୍ତ୍ର ପ୍ରୟୋଗ କରିଛି । ମୁଁ ନିଜେ ସିନା ଫାଶୀ ଗୁଳିକି ପ୍ରସ୍ତୁତ, ଯେଉଁମାନେ ସମ୍ପୂର୍ଣ୍ଣ ନିରୀହ ଏବଂ ମୋ ରାଜନୀତିକ କାର୍ଯ୍ୟ ସହ କୌଣସି ପ୍ରକାରେ ସମ୍ପୃକ୍ତ ନୁହନ୍ତି, ସେମାନେ କାହିଁକି ମୋ ଲାଗି ଏପରି ହୀନିମାନ ହେବେ !

 

ଯାହାହେଉ ପୁଣି ନିଜର କର୍ତ୍ତବ୍ୟବୋଧ ଏବଂ ମୋ ଆହ୍ଵାନରେ ଯେଉଁମାନେ ପ୍ରାଣ ହରାଇଥିଲେ ଓ ଯେଉଁ ଦରିଦ୍ର ପରିବାରଗୁଡ଼ିକ କଷ୍ଟ ଭୋଗ କରିଥିଲେ, ସେମାନଙ୍କ କଥା ମନକୁ ଆଣି ସ୍ଥିର କଲି ଯେ ମୋର ଏତେବେଳେ ଦୁର୍ବଳତା କାପୁରୁଷତା ଛଡ଼ା ଆଉ କିଛି ନୁହେଁ । ମୁଁ ଏକ ବାବାଜି ବେଶ ପକାଇ କମଣ୍ଡଳୁ ଧରି ମୋର ମାମୁଙ୍କ ପାଖକୁ ଗଲି । ସାଙ୍ଗସାଥୀଙ୍କି କାହାରିକି ଜଣାଇ ନଥିଲି । କେବଳ ନବଘନକୁ କହିଥିଲି ଯେ କେତେ ସମୟ ଭିତରେ ମୁଁ ନ ଫେରିଲେ ସେ ପୁଲିସ ଥାନା ଆଡ଼େ ବୁଲି ଦେଖିଆସିବ ମୁଁ ଧାରା ହୋଇଛି କି ନାହିଁ । ମାମୁ ମତେ ଦେଖି ବିଚଳିତ ହୋଇପଡ଼ିଲେ । “ତୁ କାହିଁକି ଆସିଲୁ–ପୁଲିସ ଦେଖିଲେ ଗୁଳି କରିଦେବ” ଇତ୍ୟାଦି ବ୍ୟସ୍ତ ହୋଇ କହିଲେ । ମୁଁ ତାଙ୍କୁ ଜଣାଇବା ଲାଗି ଆସିଥିଲି ଯେ ଯାହା ପଛକେ ବିପଦ ସେମାନଙ୍କ ଉପରେ ପଡ଼ୁ, ମୁଁ କସ୍ମିନ୍‍କାଳେ ଆତ୍ମସମର୍ପଣ କରିପାରିବି ନାହିଁ । ମାମୁ ଟିକିଏ ହେଲେ ବିଚଳିତ ହେବାର ଭାବ ଦେଖାଇଲେ ନାହିଁ । ମତେ କହିଲେ–‘ତୋ କର୍ତ୍ତବ୍ୟ ତୁ କରିଯାଆ–ଆମଲାଗି ତୋର ଚିନ୍ତା କରିବାର କୌଣସି ପ୍ରୟୋଜନ ନାହିଁ; ଆମ କଥା ଆମେ ବୁଝିବୁ ।’ ମନରେ ସାନ୍ତ୍ଵନା ପାଇଲି–ସାହସ ଆସିଲା । ମୁଁ ଗୁପ୍ତ ସ୍ଥାନକୁ ନିର୍ବିଘ୍ନରେ ଫେରିଆସିଲି । ମାମୁଙ୍କର ଏପରି ଅଭୟବାଣୀ ମିଳି ନଥିଲେ, ମୁଁ ଜୀବନରେ ଭରସା ପାଇ ନଥାନ୍ତି । ଖାଲି ଜେଲ ଭୋଗିବା, ପୁଲିସର ଲାଠି ପାହାର ଖାଇବା ସ୍ଵାଧୀନତା ଲଢ଼ାଇ ନୁହେଁ । ଏମିତିକା ବିପଦକୁ ବରଣ କରିବା ଲାଗି ଯେଉଁମାନେ କୁଣ୍ଠା ବୋଧ କରି ନାହାନ୍ତି, ସେମାନଙ୍କର ସ୍ଵାଧୀନତା ସଂଗ୍ରାମ ଲାଗି ଦାନ କ’ଣ କମ୍ ?

 

ଫେରି ଆସିଲି ସତ, ମୋ ମନରେ କାହିଁକି ଗୋଟାଏ ଛନକା ପଶିଗଲା ଯେ ବୋଧହୁଏ ଆଉ ବେଶି ଦିନ ଏ ସ୍ଥାନରେ ରହି କାର୍ଯ୍ୟ କରିବା ସମ୍ଭବ ହେବ ନାହିଁ । ବାଙ୍କ ଓ ସଚ୍ଚିଙ୍କ ଗିରଫ୍‍ ପରେ ମୋ ମନରେ ଅନିଶ୍ଚୟତା ଭାବ ବେଶି ବୁଦ୍ଧି ପାଇଲା । ରାଧାନାଥ ପଣ୍ଡିତ ପ୍ରଭୃତିଙ୍କୁ ସାବଧାନ କରିଦେଲି । ତେଣିକି ମୋର ଗିରଫ୍‍ ପରେ କିପରି ଗୁପ୍ତ ସଙ୍ଗଠନ ଜାରି ରହିବ ସେ ବିଷୟରେ ବେଶ୍ ଚିନ୍ତା କରିବାକୁ ଲାଗିଲି ।

 

ଅଳ୍ପ କେତେ ଦିନ ଭିତରେ ଏକପ୍ରକାର ବ୍ୟବସ୍ଥା ମଧ୍ୟ ହୋଇଗଲା । କେତେକ ଲୋକ ଚାରିଆଡ଼ୁ ଗିରଫ୍‍ ହେବା ହେତୁ ଏବଂ ପୁଲିସର ତୀକ୍ଷ୍ଣଦୃଷ୍ଟି ପଡ଼ିବା ହେତୁ ଆମର କାର୍ଯ୍ୟ ଟିକେ ସଙ୍କୁଚିତ ହୋଇଗଲା ଏବଂ ପୂର୍ବପରି ନିର୍ବିଘ୍ନରେ ବୁଲେଟିନ୍ ଆଦି ପଠାଇବାର ସମ୍ଭାବନା କମ୍ ଦେଖାଗଲା । ତେଣୁ ସ୍ଥିର କଲୁ ଯେ ବୁଲେଟିନ୍ ଆଉ କେନ୍ଦ୍ରରୁ ବାହାରିବ ନାହିଁ । ଜିଲ୍ଲା କେନ୍ଦ୍ରମାନଙ୍କରେ ମେସିନ୍ ରହିବ । ସେମାନେ ନିଜ ଅଞ୍ଚଳରେ ମୁଦ୍ରଣ ଓ ବିତରଣ କରିବେ–ମୁଁ କେବଳ ଏଠାରୁ ଲେଖି ପଠାଇଦେବି । କଟକପାଇଁ ଗୋଟାଏ ଗୁପ୍ତ ଜାଗାରେ, ସମ୍ଭବ ହେଲେ ପ୍ରେସ୍‍ରେ ଛପାଇନେବାର ଚେଷ୍ଟା କରାଯିବ । ଗୋଟିଏ ଜାଗାରେ ଟାଇପ୍ ଆଦି ସଂଗ୍ରହ କରି ଏଭଳି ଉଦ୍ୟମର ସୂତ୍ରପାତ ହେଉଥିଲା ।

 

ମାତ୍ର ମତେ ବା ଆମର ଅନ୍ୟ ସାଥୀମାନଙ୍କୁ କ’ଣ ଜଣାଥିଲା ଯେ ଆମେ ଏକପ୍ରକାର ବ୍ୟୂହ ଭିତରେ ଆସି ପଡ଼ିସାରିଲୁଣି ! ଯେଉଁ ବନ୍ଧୁଙ୍କ ସନ୍ଦେହମୋଚନ ଲାଗି ଏତେ ବ୍ୟବସ୍ଥା କରାଯାଇଥିଲା, ସେ ଶେଷକୁ ମୁଁ ଏହିଠାରେ ରହିବାର ନିର୍ଦ୍ଦିଷ୍ଟ ସମ୍ବାଦ ପାଇଥିଲେ ଏବଂ ପୁଲିସ ପାଖରେ ଖବର ଦେଇଥିଲେ । ପୁଲିସ ପାଖ ଦେଉଳ ଉପରେ ଅନ୍ତରାଳରେ ବସି ମୁଁ ଏହି ଘରେ ରହିଥିବା କଥା ଦେଖିଯାଇଥିଲେ ।

☆☆☆

 

ରେନର୍ ସାହେବଙ୍କ କୋପ

 

ଯାହା ଆଶଙ୍କା କରାଯାଉଥିଲା ଶେଷକୁ ତାହାହିଁ ହେଲା । ଯେଉଁ ସନ୍ଦେହୀ ଯୁବକମାନେ ମୋତେ ଧରାଇଦେବାର ଧମକ ଦେଉଥିଲେ, ସେମାନେ ନିଶ୍ଚିତ ଭାବରେ ମୁଁ ଏଠାରେ ରହିଥିବାର ସନ୍ଧାନ ପାଇଗଲେ । ବେଶି ଦୂର ଯିବାକୁ ପଡ଼ିଲା ନାହିଁ । ସେଇ ପଡ଼ାରେ ଜଣେ ପୁଲିସ କନେଷ୍ଟବଳ ଥିଲା–ତାକୁ ଖବର ଦେଲେ । ପରେ ଉଚ୍ଚ ପୁଲିସ କର୍ମଚାରୀଙ୍କଠାରୁ ଜାଣିଲି ମୁଁ ସେଠାରେ ଅଛି କି ନାହିଁ ଜାଣିବା ନିମନ୍ତେ ସେମାନେ ନିକଟସ୍ଥ ଗୋଟିଏ ଦେଉଳ ଉପରେ ଚଢ଼ି ପ୍ରଥମେ ଲକ୍ଷ୍ୟ କଲେ ।

 

ଦିନ ପ୍ରାୟ ଦୁଇଟା ହେବ । ସେ ଦିନ ସକାଳୁ ଆଉ କେହି ଆସି ନଥିଲେ । ତା’ ପୂର୍ବଦିନ ରାତିରେ ବସି ଯୋଜନା ହୋଇଯାଇଥିଲା । ଚାରିଆଡ଼ୁ ଯେମିତି ଗୋଟାଏ ପ୍ରକାର ସନ୍ଦେହର ବାୟୁମଣ୍ଡଳ ସୃଷ୍ଟି ହୋଇଯାଇଥିଲା । ମୋ ପକ୍ଷରେ ଅନ୍ୟ କେଉଁଠିକି ଚାଲିଯିବା ଭଲ ହେବ ବୋଲି ସ୍ଥିର ହେଲା । ଓଡ଼ିଶା ଭିତରେ କିମ୍ବା କଟକରେ ଅନ୍ୟ ସ୍ଥାନ ପାଇବା କଷ୍ଟକର । ତେଣୁ ସ୍ଥିର କରିନେଲି ମୁଁ ସେ ଦିନ ସନ୍ଧ୍ୟାରେ ଜଗତ୍‍ପୁର ବା ଯାହା ବର୍ତ୍ତମାନ କେନ୍ଦ୍ରାପଡ଼ାରୋଡ଼୍ ଷ୍ଟେସନ୍ ଭାବରେ ଜଣା, ସେଠିକି ଚାଲିଯିବି ଏବଂ ସେଠାରୁ ପୁରୀ ଏକ୍ସପ୍ରେସ୍ ଧରି କଲିକତା ପଳାଇଯିବି । ଏଠି ସବୁ ଜିଲ୍ଲାମାନଙ୍କରେ ସଙ୍ଗଠନ ରହିଯାଇଥିଲେ, ମେସିନ୍‍ବି ବ୍ୟବସ୍ଥା ହୋଇଯାଇଥିଲା । କଟକରେ ଯେଉଁ ସଙ୍ଗଠନ ଥିଲା, ସେମାନେ କେବଳ ଲେଖା ପାଇଲେ ଆନନ୍ଦରେ ଛପାଇବେ । ତେଣୁ ମୁଖ୍ୟ କାର୍ଯ୍ୟଟି କରିବାଲାଗି ମୋର ଉପସ୍ଥିତି ଲୋଡ଼ା ନଥିଲା । କଲିକତା ସହ ତ ବିଧିବଦ୍ଧ ସମ୍ପର୍କ ହୋଇ ସାରିଥିଲା ଏବଂ ଏଠା ଲୋକେ ଠିକଣା ଜାଗା ଠଉରାଇ ସାରିଥିଲେ । ତେଣୁ ମୁଁ ସେଠିକି ଚାଲିଗଲେ ହୁଏତ ବେଶି ଦିନ ବାହାରେ ରହି ଆନ୍ଦୋଳନ ପରିଚାଳନା କରିପାରିବି ।

 

ଏଥିଲାଗି ପ୍ରସ୍ତୁତି ଚାଲିଥିଲା । ମୁଁ ବସି ଶେଷ ବୁଲେଟିନ୍ ଲେଖୁଥିଲି–‘ଦେବୀ ଆରାଧନା’–ବିଭିନ୍ନ ସ୍ଥାନକୁ ପଠାଇବା ନିମନ୍ତେ । କାର୍ବନ ଦେଇ ୫ଟି କପି କରୁଥିଲି, ଅଧା ଲେଖୁଥିଲି, ହଠାତ୍ କିଛି ବୁଟ୍‍ଜୋତା ଶବ୍ଦ ବାହାରୁ ଶୁଣାଗଲା । ଟିକିଏ ଶଙ୍କିଗଲି; ମାତ୍ର ସେତେବେଳ ପର୍ଯ୍ୟନ୍ତ ସ୍ଥିର କରି ନଥିଲି ପୁଲିସ ଆସି ଘେରାଉ କଲେଣି ବୋଲି । ଏଥିପୂର୍ବରୁ ଆଉଥରେ ରାଧାନାଥ ପଣ୍ଡିତ ଓ ମଥୁରୀ ମୋ ମନରେ ଭୟ ପୂରାଇବା ନିମନ୍ତେ ଏମିତି ଜୋତା ବାଡ଼େଇ ଓ ଲାଠି ଠକ୍ ଠକ୍ କରି ବାହାର ବାରଣ୍ଡା ଉପରକୁ ଆସିଥିଲେ । ମୁଁ ଭାବିନେଲି ଯେ ସେମାନେ ବୋଧହୁଏ ରହସ୍ୟ କରିବା ନିମନ୍ତେ ପୁଣି ଆସିଛନ୍ତି । ତାହା ଛଡ଼ା ଆମେ ଯାହା ଚାରିଆଡ଼ର ଖବର ଦେଖୁଥିଲୁ ପୁଲିସ ଭୋରବେଳା ଗିରଫ୍‍ କରୁଥିଲେ ଓ ସ୍ଥାନ ଘେରାଉ କରି ଖାନ୍‍ତଲାସ୍ କରୁଥିଲେ । ତେଣୁ ଦିନ ଦିପହରେ ଆସିବେ ବୋଲି ମନରେ ସନ୍ଦେହ ହେବାର କୌଣସି କାରଣ ନଥିଲା ।

 

କ୍ରମେ ଏହି ଜୋତାଶବ୍ଦ ପ୍ରଖର ହେଲା । ଘରର ଚାରିଆଡ଼େ ସଶସ୍ତ୍ର ବନ୍ଧୁକଧାରୀ ଓ ଲାଠିଆଳ ପୁଲିସ ଘେରାଉ କରିଯାଇଥିଲେ । ସେମାନେ ଚାରିଆଡ଼େ ଜମିଗଲା ପରେ ମୁଁ ଓ ନବଘନ ଥିବା ଘରର କବାଟରେ ବାହାରପଟୁ ଆଘାତ କରିବାକୁ ଆରମ୍ଭ କଲେ । ନବଘନ ଟିକିଏ ଶୋଇପଡ଼ିଥିଲା । ସେ ଏ ଶବ୍ଦ ଶୁଣି ଭୟକାତର ହୋଇ ବରଡ଼ାପତ୍ର ପରି ଥରିବାକୁ ଆରମ୍ଭ କଲା ଏବଂ ମୋ ଆଡ଼କୁ ବିକଳ ହୋଇ ଅନାଇଲା । ମୁଁ ତା’ର ମାନସିକ ଅବସ୍ଥା ଓ ତାହାର କାରଣ ବୁଝିପାରିଲି । ତା’ ବେକରେ ଢେଙ୍କାନାଳର ୱାରଣ୍ଟ୍ ଝୁଲୁଥିଲା । ସେ ଯଦି ଗିରଫ୍‍ ହୋଇ ଢେଙ୍କାନାଳ ଲୋକ ବୋଲି ଜଣାପଡ଼ିଯାଏ, ତେବେ ତା’ର ଦଶା କ’ଣ ହେବ ତାହା ଅନୁମାନ କରିହେଉଥିଲା । ଆମେ ବାହାର ପଟର କବାଟ ଝରକା ସବୁ ଭଲକରି ବନ୍ଦ କରିଥିଲୁ । ସେମାନେ ଯେତେ ବାଡ଼େଇଲେ ସୁଦ୍ଧା ଆମେ କବାଟ ଖୋଲି ନଥିଲୁ କିମ୍ବା ସେମାନେ ପ୍ରଥମେ କିଛି ସମୟ ଲାଗି ଦ୍ଵାର ଭାଙ୍ଗି ପଶିବାଲାଗି ଉଦ୍ୟମ କରି ନଥିଲେ । ସେମାନଙ୍କ ମନରେବି ଭୟ ଥିଲା ଆମ ତରଫରୁ କାଳେ ଆକ୍ରମଣ ହେବ ବୋଲି । ମୋ ପାଖରେ ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରହିଥିବା ବିଷୟ ଖୁବ୍ ପ୍ରଚାର ହୋଇଥିଲା ।

 

ଏହି ଅବସ୍ଥା ଭିତରେ ମୁଁ ଦେଖିଲି ଆଉ ତ ଚାରା ନାହିଁ । ଗିରଫ୍‍ ହୋଇଯିବା ନିଶ୍ଚିତ । ମୋର ହାତଲେଖା ଅଧା ବୁଲେଟିନ୍‍ଟି ଏବଂ ମୋ ପାଖରେ ପ୍ରଦେଶର ବିଭିନ୍ନ ଲୋକଙ୍କର ଯେଉଁ ନିରାପଦ ଠିକଣା ସବୁ ରହିଥିଲା ସେଗୁଡ଼ିକ ଯେମିତି ପୁଲିସର ହସ୍ତଗତ ନ ହେବ ଏହା ମୋର ପ୍ରଥମ ଲକ୍ଷ୍ୟ ହେଲା । ତେଣୁ ଏ କାଗଜଗୁଡ଼ିକ ଆଣି ମୁଁ ଛିଣ୍ତାଇବାକୁ ଆରମ୍ଭ କଲି । ଏହି ସମୟରେ ପୁଲିସର ଆକ୍ରମଣ ଆହୁରି ତୀବ୍ରରୂପ ଧାରଣ କଲା ଏବଂ ସେମାନେ ଗୋଟିଏ ଝରକାକୁ ବାଡ଼େଇ ଖୋଲିଦେଇ ମତେ ଦେଖିପାରିଲେ । ସାଙ୍ଗେ ସାଙ୍ଗେ ଏକ ବନ୍ଧୁକ ମୋ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ହେଲା । ମୁଁ ପରୁଆ ନ କରି ଗୋଟିଏ ହାତରେ କାଗଜତକ ଧରି ଅନ୍ୟ ହାତରେ ଖୁବ୍ ବଳପ୍ରୟୋଗ କରି ସେ ଝରକାଟି ପୁଣି ବନ୍ଦ କରିବାକୁ ଉଦ୍ୟମ କଲି; ମାତ୍ର ତାହା ସମ୍ଭବ ହୋଇ ନଥିଲା ଏବଂ ସେମାନେ ଏଥିଭିତରେ ଘରର କବାଟଟିକୁ ତାଡ଼ିପକାଇ ଭିତରେ ପଶିବାକୁ ଉଦ୍ୟମ ହେଲେ । ଆଉ କୌଣସି ବାଟ ନ ପାଇ ମୁଁ ଉକ୍ତ କାଗଜଗୁଡ଼ିକୁ ପୁଲିସଙ୍କ ହାତରୁ ରକ୍ଷା କରିବା ନିମନ୍ତେ ଅଗଣାରେ ଥିବା କୂଅ ଭିତରେ ପକାଇଦେଲି । ମାତ୍ର ତାହା ଭାସି ଉଠିବା ଦେଖି ମୋ ମନରେ ଚେତା ପଶିଲା । ଆଉ ଏକ ମୁଠା କାଗଜ ଦୁଆରର ଉତ୍ତରପଟେ ଥିବା ବଣୁଆ ଜାଗାକୁ ଫୋପାଡ଼ି ଦେବା ଲାଗି ଚେଷ୍ଟା କଲି । ଯାଏଁ କୁଆଡ଼େ ! ସେଠି ଦେଖେ ପାଚେରୀ ଉପରେ ଚଢ଼ି ବନ୍ଧୁକଧାରୀ ଜାଗତିଆର ହୋଇ ରହିଛନ୍ତି । ମୁଁ ତେଣିକି ଫିଙ୍ଗି ଦେବାମାତ୍ରେ ସେମାନେ ସେ କାଗଜ ମୁଠାକୁ ଧରିନେଲେ ଓ ଚାରିଆଡ଼ୁ ହୁଇସିଲ୍ ମାରି ଘର ଭିତରକୁ କୁଦିପଡ଼ିଲେ । ସେମାନେ ମତେ ଯେ ଖାଲି ଘେରିଗଲେ ତାହା ନୁହେଁ, ବନ୍ଧୁକର ବ୍ୟୂହ ଭିତରେ ଯେପରି ହିଂସ୍ରଜନ୍ତୁକୁ ରଖନ୍ତି, ସେହିଭଳି ବ୍ୟବହାର କଲେ ।

 

ଆନନ୍ଦରେ ନାଚିଗଲେ ପୁଲିସ ପକ୍ଷ । ମତେ ପାଇଲେ, ଲିଥୋ ମେସିନ୍, କାଗଜପତ୍ର ଓ ପ୍ରାୟ ସବୁ ଜିନିଷ ମିଳିଗଲା । ଘର ଅଗଣା ଭିତରେ ବଣ ଅରମା ଘାଣ୍ଟିପକାଇଲେ; କାକୁଡ଼ି କଖାରୁ ଲଟା ଓ ଘାସ ପତ୍ର ଛିଣ୍ତାଇ ଏବଂ ପ୍ରାୟ ସମସ୍ତ ଶକ୍ତି ଖଟାଇ ପିସ୍ତଲଟି ଖୋଜିଲାଗିଲେ । ସେମାନେ ମତେ ବନ୍ଧୁକ ଦେଖାଉଥିବାବେଳେ ମୁଁ ହସୁଥାଏ; ସେମାନେ ଆଶା କରିଥିଲେ ମୁଁ ପିସ୍ତଲ ଚାଳନା କରି ସେମାନଙ୍କ ଭିତରୁ କାହାରିକି ଆଘାତ କରିବି । ଏପରି ସବୁ ଜିନିଷ ଏକାଠି କିଛି ଗୋଳମାଳ ନ ହୋଇ ମିଳିବ ତାହା ସେମାନଙ୍କର କଳ୍ପନାରେ ନଥିଲା । ମତେ ଏମିତି ବନ୍ଧୁକରେ ଘେରିବା ଛଡ଼ା ଆଉ କିଛି ଦୁର୍ବ୍ୟବହାର କରି ନଥାନ୍ତି । ବରଂ କିଛି ସମୟ ପରେ ମୁଁ ଯେତେବେଳେ ଲୁଙ୍ଗି ଓ ଗେଞ୍ଜି ବଦଳରେ ଧୋତି ଓ କାମିଜ ପିନ୍ଧିବା ଲାଗି ଆଗ୍ରହ ପ୍ରକାଶ କଲି, ସେମାନେ ସେ ସୁବିଧା ଦେଲେ ।

 

ଏଭଳି ଅଚାନକ ପୁଲିସ ଆକ୍ରମଣ ଓ ଚାରିଆଡ଼େ ବହୁ ସଂଖ୍ୟାରେ ବନ୍ଧୁକଧାରୀ ଦେଖି ସାହିବାଲା ଆଶ୍ଚର୍ଯ୍ୟ ହୋଇଗଲେ । ନିଜର କୌତୂହଳ ମେଣ୍ଟାଇବା ଲାଗି ସେମାନେ ଜମା ହୋଇଗଲେ–କ’ଣ ଏଡ଼େ ବଡ଼ କାଣ୍ତ ଏଇଠି ଆମ ଘର ପାଖରେ ହୋଇଯାଇଛି; ଆମେ କିଛି ସୁରାକ ପାଇପାରିନାହୁଁ ! ଆମ ବସା ଉପରେ ଚଢ଼ାଉ କରିବାକୁ ବହୁ ସଂଖ୍ୟାରେ ସଶସ୍ତ୍ର ପୁଲିସ ଆସିଥିଲେ, ମାତ୍ର ବଡ଼ ପୁଲିସ ଅଫିସରମାନେ ଆସିଲେ ଟିକିଏ ପରେ । କେହି ନିଶ୍ଚୟ ଦଉଡ଼ି ଯାଇ ଖବର ଦେଇଥିଲେ–ସେତେବେଳେ ଏତେ ଟେଲିଫୋନ୍ ନଥିଲା ଯେ ସାଙ୍ଗେ ସାଙ୍ଗେ ଜଣାଇଦିଅନ୍ତେ । ପୁଲିସ ସୁପରିଣ୍ଟେଣ୍ତେଣ୍ଟେ ରେନର୍ ସାହେବ ପହଞ୍ଚିଲାବେଳକୁ ସେ ଅଞ୍ଚଳ ଲୋକାରଣ୍ୟ । ଘର ଭିତରେ ଲୋକେ ଢୁକି ନଥାନ୍ତି; ମାତ୍ର ବାହାରେ ଜମା ହୋଇଯାଇଥାଆନ୍ତି । ରେନର୍ ସାହେବଙ୍କୁ ଅନ୍ୟତ୍ର କ’ଣ ସବୁ ଘଟୁଛି ଜଣାଥିଲା । ସେତେବେଳେ ଯେଉଁ ସ୍ଥାନରେ ଏଭଳି ଭାବରେ ଗିରଫ୍‍ ଆଦି ହୁଏ, ସେଠାରେ ପୁଲିସ ସହ ସଂଘର୍ଷ ଜାତ ହୁଏ–ଏପରି କି ଗୁଳି ପର୍ଯ୍ୟନ୍ତ ଚାଲେ ଏବଂ ଗିରଫ୍‍ ଆସାମୀଙ୍କୁ ମୁକୁଳାଇ ନେବା ନିମନ୍ତେ ପ୍ରଚଣ୍ଡ ଉଦ୍ୟମ ହୁଏ । ଆମର ଓଡ଼ିଶାରେ, ମଫସଲର ଅଳ୍ପ କେତେକ ସ୍ଥାନରେ, ଏପରି ଘଟିଥିଲା–ନଚେତ୍ ଏଠାରେ ଭୟ କରିବାର କୌଣସି କାରଣ ନଥିଲା । ସ୍ପେଶାଲ୍ ବ୍ରାଞ୍ଚର ବଡ଼ସାହେବ ସୁପରିଣ୍ଟେଣ୍ତେଣ୍ଟେ ରେନର୍ ଏତେ ଲୋକ ଦେଖି ସେଭଳି ବିପଦର ଆଶଙ୍କା କଲେ ଏବଂ ସାଙ୍ଗେ ସାଙ୍ଗେ ଲୋକଙ୍କୁ ଘଉଡ଼ାଇ ଦିଆଗଲା । ଲୋକେ ଅବଶ୍ୟ ନିଜ ନିଜ ଘରବାଡ଼ି ଭିତରୁ ସବୁ ଦେଖୁଥାଆନ୍ତି; କିନ୍ତୁ ସେ ଗଳିରେ କାହାରିକି ଜମା ହେବାକୁ ଦିଆଗଲା ନାହିଁ ।

 

ଏଣେ ରେନର୍ ସାହେବ ଆସିବା ଆଗରୁ ମୁଁ ଉପସ୍ଥିତ ପୁଲିସ ଅଫିସରଙ୍କ ମନରୁ ସବୁପ୍ରକାର ଆଶଙ୍କା ଦୂର କରି ସେମାନଙ୍କୁ ଜିନିଷ ତାଲିକା କରିବାରେ ସାହାଯ୍ୟ କରୁଥାଏ ଏବଂ ତାଙ୍କ କେସ୍ ଡାଏରିକି ଠିକ୍ ବାଗରେ ପକାଇବା ନିମନ୍ତେ ଯେମିତି ସବୁ ବିଷୟ ପଚାରୁଥାଆନ୍ତି ତା’ର ସମ୍ବାଦ ଦେଇଦେଉଥାଏ । କିଛି ଯେପରି ବିଶେଷ ଚିନ୍ତିତ ହେବାର ନାହିଁ ଏମିତି ଭାବ ଦେଖାଉଥାଏ । ପୁଲିସ୍ ସିପାହୀମାନେ ମୋର ଏପରି ନିରାଲମ୍ବ ଭାବ ଦେଖି ଚକିତ ହୋଇଯାଉଥାନ୍ତି । ମୁଁ କିମ୍ଭୂତକିମାକାର ଜନ୍ତୁ–ରକ୍ତନଦୀ ବୁହାଇଦେବି–ଏହିଭଳି ସବୁ ଧାରଣା ନେଇ ସେମାନେ ଆସିଥିଲେ । ଏମିତି ଜଣେ ସାଧାସିଧା ଲୋକ ଧରାପଡ଼ି ତାଙ୍କ ସାଙ୍ଗରେ ହସଖୁସିରେ କଥାବାର୍ତ୍ତା କରିବ ସେମାନେ ଭାବି ପାରି ନଥିଲେ । ମୁଁ ପୁଲିସ ହାଜତରେ ଯାଇ ରହିଲା ପରେ ତାଙ୍କ ଭିତରୁ ଅନେକେ ଜଗୁଆଳି ହୋଇ ରହିଥିଲେ ଏବଂ ଦୁଃଖସୁଖ ହେଲାବେଳେ ନାନା କପୋଳକଳ୍ପିତ କଥା ସବୁ ପଚାରିଥିଲେ । ସେହିଭଳି କିମ୍ବଦନ୍ତୀ ସବୁ ପ୍ରଚାର ହୋଇଥିଲା–ସେମାନେବି ଶୁଣିଥିଲେ ।

 

ବାସ୍ତବିକ ମୁଁ ଗିରଫ୍‍କାଳରେ ଓ ଜେଲ୍‍ରେ ବନ୍ଦୀ ଥିବାବେଳେ ଦେଖିଛି ପୁଲିସ ସିପାହୀ ପୂର୍ଣ୍ଣରୂପେ ସହାନୁଭୂତିଶୀଳ ଥାଆନ୍ତି–କେତେ କେତେବେଳେ ସାହାଯ୍ୟବି କରନ୍ତି । ମୋର ନିଜ ଅଭିଜ୍ଞତାରୁ ମୁଁ ଜାଣେ–ଏ ପ୍ରାୟ ୧୯୩୩–୩୪ ମସିହା ହେବ–ମୁଁ ଦ୍ୱିତୀୟ ଥର ଜେଲରୁ ଖଲାସ ହୋଇ ଆସିଥାଏ ଏବଂ ବୁଲେଟିନ୍ ବାହାର କରୁଥାଏ; ଏଣେ ପିକେଟିଂ ପରିଚାଳନା କରୁଥାଏ । କଟକ ମାରୁଆଡ଼ି ପଟିରେ କେବଳ ଗୋଟିଏ ମାତ୍ର ଦୋକାନୀ ବିଲାତି ଲୁଗା ବିକୁଥାଏ ଏବଂ ସ୍ଥାନୀୟ ପୁଲିସ କର୍ମଚାରୀ ତାକୁ ପୂରା ସାହାଯ୍ୟ ଦେଉଥାଆନ୍ତି । ଆମ ପାଖରେ ସ୍ୱେଚ୍ଛାସେବକ ବେଶି ନଥାନ୍ତି । ଯାହା ୫।୬ ଜଣ ଥାଆନ୍ତି ସେମାନେ ଯାଇ ପିକେଟିଂ ଆରମ୍ଭ କଲାମାତ୍ରେ ପୁଲିସ୍ ସେମାନଙ୍କୁ ଗିରଫ୍‍ କରି ଥାନାକୁ ନେଇଯାଆନ୍ତି ଏବଂ ଦୋକାନର ବିକ୍ରିବଟା ବନ୍ଦ ହେବାପରେ ଛାଡ଼ିଦିଅନ୍ତି । ଏହା ଫଳରେ ଦୋକାନୀର ବିକ୍ରିର କିଛି ଅସୁବିଧା ରହିଲା ନାହିଁ ଏବଂ ଜଣେ ଆମ କର୍ମୀଙ୍କ ଭିତରେ ଗୋଟାଏ ପ୍ରକାର ନିରାଶାଭାବ ପ୍ରବେଶ କଲା । ସେତେବେଳେ ଗାନ୍ଧିଜୀଙ୍କର ନିର୍ଦ୍ଦେଶ ଅନୁସାରେ ପୁଲିସ ଗିରଫ୍‍ କରିବାମାତ୍ରେ ସତ୍ୟାଗ୍ରହୀମାନେ ବିନା ପ୍ରତିରୋଧରେ ଚାଲିଯିବାର କଥା । ମୁଁ ଦେଖିଲି ଏ କ୍ଷେତ୍ରରେ ଏପରି ନିରୀହ ଭାବରେ ଗିରଫ୍‍ ହେବାଦ୍ଵାରା କିଛି ଫଳ ହେଉ ନାହିଁ । ପୁଲିସ ଧରିନେଇ ଜେଲବି ହେଉନାହାନ୍ତି । ତେଣୁ ମୁଁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଲି ଯେ ପୁଲିସ ଆସି ଗିରଫ୍‍ କଲେ ଛନ୍ଦାଛନ୍ଦି ହୋଇ ବସିଯିବ–ଉଠିବ ନାହିଁ । ମାରଧର କଲେ ଲୋକଙ୍କ ଦୃଷ୍ଟି ପଡ଼ିବ । ବାସ୍ତବିକ ସେମାନେ ସେହିଭଳି କଲେ । ପୁଲିସ ଟଣାଓଟରା କରିବାକୁ ଲୋକଭିଡ଼ ହୁଏ; ବଡ଼ କନ୍ଦଳ ଲାଗେ । ଦିନେ ଦିଦିନ ଏମିତି କଲା ଫଳରେ ଲୋକେ ଜାଣିଗଲେ ଉକ୍ତ ମାରୁଆଡ଼ି ବିଲାତି ଲୁଗା ବିକ୍ରି କରୁଛି ବୋଲି । ତା’ର କାରବାର ଏକଦମ୍ ବନ୍ଦ ହୋଇଗଲା ।

 

ମୁଁ କେବେ ପିକେଟିଂକୁ ଯାଇ ନଥିଲି କିମ୍ଵା ସେ ସ୍ଥାନ ନିକଟରେ ନଥାଏ । ଦୂରରେ ଗୋଟିଏ ଖଦିଭଣ୍ଡାର ଥାଏ; ସେଠାରେ ବସିଥାଏ ଦିନେ ସନ୍ଧ୍ୟାବେଳେ । ଦୋକାନୀ ଓ ତାଙ୍କ ସଲ୍‍ହାରେ ଥିବା ପୁଲିସ ଲକ୍ଷ୍ୟକରିଥାଆନ୍ତି ଯେ ମୋ ପ୍ରରୋଚନାରେ ଏପରି ହେଉଛି । ମୁଁ ସେଠାରେ ବସିଛି; ହଠାତ୍ ଜଣେ ବିହାରୀ ହେଡ଼୍‍କନେଷ୍ଟବଳ ଦୁଇଜଣ ସିପାହୀ ଘେନି ଆସି ମୋ ପାଖରେ ହାଜର । ମୁଁ ମୋଟେ ପ୍ରସ୍ତୁତ ନଥାଏ ଏଥିପାଇଁ–କଳ୍ପନା କରି ନଥିଲି ମୋର ପୁଣି ପାଳି ପଡ଼ିବ । ସେ ଆସି କହିଲା–‘ତୁମକୁ ଗିରଫ୍‍ କରାଗଲା । ତୁମେ ସେଠାରେ ପିକେଟିଂ କରୁଥିଲ ।’ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି–କିଭଳି ମିଥ୍ୟା କଥା–ମୁଁ ତ ଘରୁ ଆସି ଏଠାରେ ବସିଛି । ସେ ମୋର କୌଣସି ଯୁକ୍ତି ନ ଶୁଣି ମତେ ଗିରଫ୍‍ କଲା । ୱାରଣ୍ଟ୍ ଦେଖାଇବାକୁ କହିଲି–ତାହାବି ଦେଖାଇଲା ନାହିଁ । ମୁଁ କହିଲି ଯେ ବିନା ୱାରଣ୍ଟ୍‍ରେ ଯିବିନାହିଁ । ସେ ଜବରଦସ୍ତି କଲା । ତେଣୁ ମୁଁ କର୍ମୀମାନଙ୍କୁ ଯେମିତି ନିର୍ଦ୍ଦେଶ ଦେଉଥିଲି ପ୍ରତିରୋଧ କରିବା ନିମନ୍ତେ, ସେମିତି ମୋ ପାଖରେ ବସିଥିବା ରାଧାଶ୍ୟାମ ପରିଜାଙ୍କୁ ଧରି ଛନ୍ଦାଛନ୍ଦି ହୋଇ ମୁଁ ସେହି ରାସ୍ତା ଉପରେ ବସିଗଲି ଏବଂ ବିନା ୱାରଣ୍ଟ୍‍ରେ ଯିବାକୁ ଅସ୍ଵୀକାର କଲି । ସେତେବେଳେ ଆମର ସ୍ଵତନ୍ତ୍ର ପ୍ରଦେଶ ହୋଇ ନଥାଏ–ପୁଲିସ ଭିତରୁ କନେଷ୍ଟବଳ ଆଦି ବହୁ ସଂଖ୍ୟାରେ ବିହାରୀ ଥାଆନ୍ତି । କଟକରେ ନୂଆ କଂକ୍ରିଟ୍ ସଡ଼କ ହେଉଥାଏ–କଟା ପଥର ସବୁ ପଡ଼ିଥାଏ । ପୁଲିସ ମତେ ଓ ପରିଜାଙ୍କୁ ସେଇ ପଥର ଉପରେ ଘୋଷାରି ଘୋଷାରି ଲାଲବାଗ ଥାନା ପର୍ଯ୍ୟନ୍ତ ନେଲେ । ଦେହ ହାତ ସବୁ ଛିଣ୍ଡିଯାଇ ରକ୍ତ ବୋହିବାକୁ ଆରମ୍ଭ କଲା । ଥାନାରେ ପହଞ୍ଚିଲାବେଳକୁ ଶହ ଶହ ଲୋକ ଜମା ହୋଇ ଏମିତି ନିର୍ମମ ଭାବରେ ଆମକୁ ଘୋଷାରି ନେଇଥିବାରୁ ପ୍ରତିବାଦ କଲେ । ସେମାନଙ୍କୁ ଘଉଡ଼ାଇଦିଆଗଲା । ମାତ୍ର ଲୋକ ଭାଙ୍ଗିଗଲା ପରେ ଯେଉଁ ବିହାରୀ ହେଡ଼୍‍କନେଷ୍ଟବଳଟି ଏପରି ବିନା ୱାରଣ୍ଟ୍‍ରେ ଜବରଦସ୍ତ ଅତି ନିଷ୍ଠୁର ଭାବରେ ଘୋଷାରି ଆଣିଥିଲା, ସେ ମୋ ପାଖକୁ ଆସି ମତେ ପୋଛିପାଛି ଦେଇ ମୋ ଦେହର ରକ୍ତ ବୋହୁଥିବା ଥାନଗୁଡ଼ିକରୁ ରକ୍ତ ଓ ମଇଳା ସବୁ ସଫା କରିଦେଲା ଏବଂ ତା’ପରେ କାନ୍ଦିବାକୁ ଆରମ୍ଭ କରିଦେଲା । ମୁଁ ଆଶ୍ଚର୍ଯ୍ୟ ହେଲି । ମାତ୍ର ସେ ଛୋଟପିଲାଙ୍କ ପରି କାନ୍ଦି କାନ୍ଦି କହିଲା–ଆପ୍ ଦେଶ୍‍କେ ଲିୟେ କିତ୍‍ନା ତକଲୀଫ୍ ନହୀଁ ଉଠାରହେ ହେଁ ! ଖାଲି ସେତିକି ନୁହେଁ–ପୁଲିସ ତରଫରୁ ତ କୌଣସି ଚିକିତ୍ସା ବ୍ୟବସ୍ଥା ନଥାଏ–ସେ ନିଜେ ମୋର ମାମୁ ଡାକ୍ତର କୁଳମଣି ମିଶ୍ରଙ୍କ ଦୋକାନକୁ ଯାଇ ଔଷଧ ଆଣି ମତେ ଦେଲା । ଏହିପରି ତଳ ସ୍ତରର ପୁଲିସଙ୍କ ଭିତରେ ବିପ୍ଳବୀଙ୍କ ପ୍ରତି ଖୁବ୍ ସହାନୁଭୂତି ରହିଥାଏ ।

 

ପୁଲିସ ମତେ ଗିରଫ୍‍ କରିବା ପରେ ମୋର ଉଦ୍ଦେଶ୍ୟ ରହିଲା କୌଣସି ପ୍ରକାରେ ଯଦି ନବଘନକୁ ବିଦାୟ କରିଦେଇ ପାରିବି, ସେ ଅନ୍ୟମାନଙ୍କୁ ଖବର ଦେଇଦେବ ଏବଂ ଅନ୍ୟମାନେ ସତର୍କ ହୋଇଯିବେ । ପୁଲିସବାଲାଏ ମୋଠାରୁ ଜାଣିବାଭଳି ସବୁ ଖବର ପାଇ ସାରିଲା ପରେ ‘ଏ ଲୋକଟା କିଏ’ ବୋଲି ପଚାରିଲେ । ମୁଁ କହିଲି ଯେ ଆଠଗଡ଼ର ଜଣେ ଦିନ ମଜୁରିଆ–ଏଠି ମୋର ବୋଲହାକ କରୁଥିଲା । ଜଣେ ପୁଲିସ ତାକୁ ଏକ ଧକ୍କା ମାରି–“ଯା’ ତୁ ପଳା–ଆଉ କଟକରେ ରହିବୁ ନାହିଁ–ଆଠଗଡ଼ ଚାଲିଯିବୁ” ବୋଲି ଧମକ ଦେଲା । ସେ ଘରର ଆର ବାଟରେ ବାହାରୁଛି ଏହି ସମୟରେ ରେନର୍ ସାହେବ ଭିତରେ ପଶିଗଲେ ଏବଂ ‘ସେଇଟା କିଏ’ ବୋଲି ପଚାରିଲେ । ‘ଜଣେ କୁଲି ମୂଲିଆ ଲୋକ–ଏଠାରେ କାମକରୁଥିଲା’ ବୋଲି କହିବାରୁ ସେ ସେକଥା ନ ଶୁଣି ଆଦେଶ ଦେଲେ–ତାକୁ ଛାଡ଼ ନାହିଁ, ଗିରଫ୍‍ କରି ଥାନାକୁ ନେଇଯାଅ । ନବଘନ ଆଉ ପଳାନ୍ତା କିପରି ? ତାକୁ ଥାନାକୁ ନେଇ ମୋଠାରୁ ଅଲଗା ସ୍ଥାନରେ ବନ୍ଦ କରି ରଖିଲେ–ହାତକଡ଼ି ପିନ୍ଧାଇଲେ–ବହୁତ ଗାଳି ଫଜିତ୍ ମାଡ଼ ଦେଲେ ତାହା ପାଖରୁ ଖବର ପାଇବାଲାଗି–ମୋ ସେଠିକି କିଏ ସବୁ ଆସନ୍ତି; କ’ଣ କରନ୍ତି ଇତ୍ୟାଦି । ମାତ୍ର ନବଘନ ସବୁ ଯନ୍ତ୍ରଣା ପଥର ପରି ସହିନେଲା–ପଦେହେଲେ କିଛି କହିଲା ନାହିଁ । ପୁଲିସଙ୍କର ଏକପ୍ରକାର ଅକଲଗୁଡ଼ୁମ୍ ହୋଇଗଲା–ତା’ଠାରୁ ଟିକିଏ ହେଲେ କୌଣସି ସମ୍ବାଦ ପାଇଲେ ନାହିଁ । ତେଣୁ ତାକୁ ଆମରି ଷଡ଼ଯନ୍ତ୍ର ମକଦ୍ଦମାରେ ପକାଇଲେ–ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା । ସେ ଢେଙ୍କାନାଳର ପଳାତକ ହୋଇଥିବାରୁ ତାକୁ ପରେ ପୁଣି ସେଠିକି ପଠାଇଦିଆଗଲା ସେ କେସ୍‍ର ବିଚାର ଲାଗି । ନବଘନ ଖୁବ୍ ନିର୍ଯାତନା ସହ୍ୟ କଲା ।

 

ରେନର୍ ସାହେବଙ୍କ ତୀକ୍ଷ୍ଣଦୃଷ୍ଟି ସେ ଘର ଓ ଅଗଣାର ସର୍ବତ୍ର ପଡ଼ିଗଲା । ସେତେବେଳକୁ ସେ କେବଳ ତାଙ୍କ ପୁଲିସ ଅଫିସରଙ୍କ ସହ କଥାବାର୍ତ୍ତା କରୁଥାଆନ୍ତି ଏବଂ ପୁଲିସ ସବୁ ଯେମିତି ନିର୍ବେଦ ହୋଇ ସାହେବଙ୍କ କଥା ଶୁଣୁଥାଆନ୍ତି ଏବଂ ସାଙ୍ଗେ ସାଙ୍ଗେ ଦଉଡ଼ି ଯାଉଥାଆନ୍ତି । ସବୁ ଠିକ୍‍ଠାକ୍ କରିସାରି ରେନର୍ ସାହେବ ଆସିଲେ ମୋ ପାଖକୁ ।

 

ମତେ ସେତେବେଳେ ଘରର ଗୋଟିଏ କୋଣରେ ସଶସ୍ତ୍ର ପୁଲିସ ଘେରରେ ଠିଆ କରାଯାଇଥାଏ । ରେନର୍ ମତେ କଡ଼ା ଦୃଷ୍ଟିରେ ଦେଖିଲେ ଏବଂ ନାନା କଥା ପଚାରିବା ନିମନ୍ତେ ଚେଷ୍ଟା କଲେ । ଶେଷକୁ ପଚାରିଲେ–“ଆପଣ ଜଣେ ଦାୟିତ୍ଵସମ୍ପନ୍ନ ବ୍ୟକ୍ତି–ନିଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ । କଂଗ୍ରେସ ତ କୌଣସି କାମ ଗୋପନରେ କରିବାକୁ ଚାହେଁ ନାହିଁ । ଗାନ୍ଧିଜୀ ମଧ୍ୟ ତା’ର ବିରୋଧୀ । ଆପଣ ଏଠି ଆସି ଲୁଚିରହି କାମ କରିବାଦ୍ୱାରା ତାହା ଲଙ୍ଘନ କଲେ ନାହିଁ କି ?”

 

ମୁଁ କହିଲି, “ସାହେବ, ତୁମର ବୁଝିବା ଭ୍ରମ । ଗାନ୍ଧୀ ଓ କଂଗ୍ରେସ କଥା ଭଲଭାବରେ ବୁଝିବାଲାଗି ତୁମକୁ ବହୁଦିନ ଲାଗିବ । ମୁଁ ଲୁଚି ନଥିଲି । ମୁଁ ଆତ୍ମଗୋପନ କରିଛି ବୋଲି ତୁମ ସରକାର ଯେଉଁ ଧେଣ୍ଡୁରା ପିଟୁଛନ୍ତି, ତାହା ମିଥ୍ୟା । କଂଗ୍ରେସ ଅଫିସ୍‍କୁ ତୁମ ସରକାର ବେଆଇନ ଘୋଷଣା କଲା । ସେ ସ୍ଥାନ ଜବତ କରି ସେଠାରେ ତାଲା ପକାଇଲା । ମୁଁ ବମ୍ବେରୁ ଫେରି ଦେଖେ ଯେ କଂଗ୍ରେସ ଅଫିସ୍‍ରେ ରହି କାମ କରିବାର ସୁବିଧା ନାହିଁ । ତେଣୁ ଏଠାରେ ଆସି କେନ୍ଦ୍ର କରି ମୋର କାମ କରୁଥିଲି । ହଁ, ମୁଁ ଏଠାରେ ‘କଂଗ୍ରେସ ଅଫିସ୍’ ବୋଲି ସାଇନ୍‍ବୋର୍ଡ଼ ମାରିନାହିଁ । ସେତିକି ଥିଲେ ତୁମେ ମତେ କାମ କରିବାକୁ ନ ଦେଇ ଗିରଫ୍‍ କରି ନେଇଥାଆନ୍ତ । ସେତିକି ହୋଇପାରି ନାହିଁ । ତେଣୁ ମୁଁ ଲୁଚିକରି ରହିଛି ବୋଲି ତୁମେ କିଭଳି କହୁଛ ? ତୁମେ ଏତେଦିନ ଖବର ପାଇଲ ନାହିଁ କିମ୍ବା ମତେ ଗିରଫ୍‍ କରିପାରିଲ ନାହିଁ–ଏଇଟା ତୁମର ଦୁର୍ବଳତା ନା ମୋର ଦୋଷ ?”

 

ଏତିକିରେ ରେନର୍ ସାହେବ ଆଉ ସେ ପ୍ରସଙ୍ଗ ନ ଉଠାଇ ମତେ ବୁଲେଟିନ୍‍ରେ ଲେଖା ଥିବା ନାନା ବିଷୟରେ ଖୋଳିତାଡ଼ି ପଚାରିବାକୁ ଆରମ୍ଭ କଲେ । ଶେଷକୁ ମୁସାଏବ୍ ଖାଁଙ୍କୁ ଗିରଫ୍‍ କରାଯିବାଲାଗି ଯେଉଁ ବୁଲେଟିନ୍ ବାହାରିଥିଲା, ସେ ବିଷୟ ଉଠାଇ ପଚାରିଲେ–‘‘ଏଇଟା କ’ଣ ଗାନ୍ଧିଜୀଙ୍କ ନିର୍ଦ୍ଦେଶର ଖିଲାପ୍ ନୁହେଁ ।”

 

ଏଭଳି ପ୍ରଶ୍ନରେ ମୋର ବିରକ୍ତି ଆସିଲା । ମୁଁ ପାଟିକରି କହିଲି–“ଜଣେ ଇଂରେଜ ମୋ ପାଖରେ ଛିଡ଼ା ହୋଇ ଗାନ୍ଧୀଦୁଆ ଦେବା ଶୋଭା ପାଉନାହିଁ । କେଉଁ ମୁହଁରେ ତୁମେ ସାହସ କରୁଛ ମତେ ଏସବୁ ପ୍ରଶ୍ନ ପଚାରିବା ଲାଗି ? ଗାନ୍ଧିଜୀ କ’ଣ ଚାହାନ୍ତି ସେ କଥା ମୁଁ ଆମ ଦେଶର ଶତ୍ରୁ ଏକ ଇଂରେଜଠାରୁ ଶୁଣିବାକୁ ଚାହେଁ ନାହିଁ । ଗାନ୍ଧିଜୀ ଡାକରା ଦେଲେ–ଇଂରେଜ, ଭାରତ ଛାଡ଼ । କେତେଟା ଇଂରେଜ ତାଙ୍କ କଥା ଶୁଣିଲେ ? ତୁମେ ତ ପୁଣି ଜଣେ ଇଂରେଜ–ହେଇ, ଏଠି ଆସି ସଶସ୍ତ୍ର ପୁଲିସ ଆଣି ମତେ ଗିରଫ୍‍ କରୁଛ ! ଆମ ଦେଶ ଛାଡ଼ି ଚାଲି ଯାଉନାହଁ !’’ ତା’ପରେ ସେଠିକା ପୁଲିସଙ୍କୁ ଲକ୍ଷ୍ୟ କରି କହିଲି–‘‘ଏ ତୁମ ସାହେବ ଜଣେ ଇଂରେଜ–ସ୍ଵାଧୀନ ଭାରତରେ ୟାଙ୍କର ସ୍ଥାନ ନାହିଁ । ତୁମେ ୟାଙ୍କ ହୁକୁମ ମାନ ନାହିଁ । ତାଙ୍କୁ ଲଜ୍ଜା ହେଉ ।”

 

ମୋର ଏ ଉକ୍ତି ତୀକ୍ଷ୍ଣ ଶର ପରି ସାହେବଙ୍କ ଦେହରେ ଭେଦ କରିଗଲା । ସେ ଭୀଷଣ କ୍ରୋଧରେ ଗରଗର ହେଲେ; ମତେ ଲାଲ ଆଖି ଦେଖାଇଲେ । ବୋଧହୁଏ ଏତେ ସଂଖ୍ୟାରେ ଭାରତୀୟ ପୁଲିସ ସେଠି ଉପସ୍ଥିତ ନଥିଲେ ହାତରେ ଧରିଥିବା ବ୍ୟାଟନ୍‍ରେ ପାହାର ବସାଇଥାନ୍ତେ-। କିନ୍ତୁ ସେତେବେଳେ ଇଂରେଜ ଭାରତ ଛାଡ଼ିବାପାଇଁ ଏ ଯେଉଁ ଆନ୍ଦୋଳନ ହେଉଥିଲା, ସେଥିରେ ଗୋରା ସାହେବମାନଙ୍କ ଭିତରେ ଭାରତୀୟ ପ୍ରତି ଗୋଟାଏ ପ୍ରକାର ସନ୍ଦେହ ଜାତ ହୋଇଥାଏ-। ବ୍ରିଟିଶ ସରକାରର ତ ଏହା ଥାଏ ଶେଷ ଚେଷ୍ଟା । ତେଣୁ ସେମାନେ ଭାରତୀୟ ଅଫିସରଙ୍କୁ ବେଶି କ୍ରୋଧ ବା ତେଜ ଦେଖାଇଲା ଭଳି ବ୍ୟବହାର କରୁ ନଥାନ୍ତି ।

 

ଆଉ କାଳ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ହୁକୁମ ହେଲା–ଏହାଙ୍କୁ ଲାଲବାଗ ଥାନାକୁ ନେଇଯାଅ । ଗଭର୍ଣ୍ଣର ଗଲା ପରି ଏକ ବିରାଟ ଶୋଭାଯାତ୍ରାରେ ମୋତେ ଥାନାକୁ ଅଣାଗଲା । ଆଗରେ ଗୋଟିଏ ଜିପ୍‍ରେ ସଶସ୍ତ୍ର ପୁଲିସ ବନ୍ଧୁକ ଆଗକୁ ଦେଖାଇ ଠିଆ ହୋଇ ଯାଉଥାଆନ୍ତି । ତା’ ପଛକୁ ଗୋଟିଏ ବସ୍‍ରେ ମୁଁ ବସିଥାଏ ଏବଂ ମୋ ଚାରିପାଖରେ ଘେରିଥାଆନ୍ତି ସେମିତି ବନ୍ଧୁକଧାରୀ ପୁଲିସ । ପଛରେ ଆଉ ଏକ ସଶସ୍ତ୍ରବାହିନୀ ଏବଂ ସବାଶେଷକୁ ପୁଲିସ ସାହେବ ଆସୁଥାଆନ୍ତି ତାଙ୍କ ଗାଡ଼ିରେ । ସେଥିରେବି ବନ୍ଧୁକଧାରୀ ଥାଆନ୍ତି । ଶୁଣିଲି, ଆମକୁ ଯେଉଁ ବାଟ ଦେଇ ଆଣିଲେ ସେବାଟରେ ପୁଲିସ ଆଗତୁରା ଦୁଇଥର ପଇଁତରା ମାରିଥାଆନ୍ତି । ତେଣୁ ଆମର ଜୟଯାତ୍ରା ଏହିପ୍ରକାର ଆରମ୍ଭ ହେଲା । ସେ ଘରୁ କେନ୍ଦ୍ର ଭାଙ୍ଗିଲା । ଥାନାରେ ଆମେ ତାଲା ପଡ଼ି ରହିଲୁ । ସେଦିନର ସନ୍ଧ୍ୟା ହେଲା ଅଣ୍ଡରଗ୍ରାଉଣ୍ଡ୍ ଜୀବନର ଶେଷ ସନ୍ଧ୍ୟା ।

☆☆☆

 

Unknown

“ମୁଁ ଫାଶୀଲାଗି ପ୍ରସ୍ତୁତ”

 

ମୁଁ ଗିରଫ୍‍ ହେବାପରେ ଚାରିଆଡ଼େ ଗୋଟାଏ ଚହଳ ପଡ଼ିଗଲା । ସେତେବେଳେ ସମ୍ବାଦପତ୍ରର ସ୍ଵାଧୀନତା ନଥିଲା କିମ୍ବା ମୋ ସହିତ ବା ଅନ୍ୟ ସାଥୀମାନଙ୍କ ସହ କେହି କାହାର ଲୋକ ଆସି ସାକ୍ଷାତ୍ କରିବାର ସମ୍ଭାବନା ନଥିଲା । ସରକାରୀ ସୂତ୍ରରୁ ଯାହା ସମ୍ବାଦ ମିଳେ ତାହାହିଁ ସମ୍ବାଦପତ୍ରରେ ବାହାରେ । ପୁଲିସ ମୋତେ ଗିରଫ୍‍ କରି ଏଡ଼େବଡ଼ କାମ କରିଛନ୍ତି ବୋଲି ଯଶ ନେବାକୁ ଚାହୁଁଥିଲେ । ତେଣୁ ସମ୍ବାଦ ସବୁ ନାନାରୂପରେ ବାହାରିଲା । ମୋ ପାଖରୁ ଯାହା କାଗଜପତ୍ର ପାଇଲେ ସେହି ଅନୁସାରେ ପ୍ରଦେଶର ବିଭିନ୍ନ ସ୍ଥାନରେ ଖାନ୍‍ତଲାସ୍ କରି ପ୍ରାୟ ୮୬ ଜଣ ଲୋକଙ୍କୁ ଗିରଫ୍‍ କଲେ । ମୁଁ ଯେଉଁ ଛିଣ୍ଡା କାଗଜତକ କୂଅ ଭିତରକୁ ପକାଇଦେଇଥିଲି ପୁଲିସ କୂଅରେ ପଶି ସେ ଚିରା କାଗଜଗୁଡ଼ିକୁ ଛାଣି ଆଣିଥିଲେ ଓ ବାହାରକୁ ଫିଙ୍ଗି ଦେଇଥିବା କାଗଜଗୁଡ଼ାକ ଗୋଟାଇ ଆଣିଥିଲେ । ସେଗୁଡ଼ିକ ଯୋଡ଼ି ପୂରା ନାମସବୁ ବାହାରକଲେ ।

 

ମୁଁ ଥାନାରେ ପହଞ୍ଚିବା ପରେ ସ୍ଥାନୀୟ ପୁଲିସ କର୍ମଚାରୀମାନେ ମତେ ଗାରଦ ଭିତରକୁ ନ ନେଇ ବାହାରେ ବସାଇ କଥାବାର୍ତ୍ତା କରୁଥିଲେ । ମୋ ପ୍ରତି ଖୁବ୍ ଭଦ୍ର ବ୍ୟବହାର ଓ ସମ୍ମାନ ଦେଖାଉଥାନ୍ତି । ମୁଁ ଭାବିଲି ଯେ ଏପରି ଭାବରେ ବୋଧହୁଏ ମୋଠାରୁ କିଛି ସମ୍ବାଦ ପାଇବାଲାଗି ସେମାନେ ଚେଷ୍ଟା କରୁଛନ୍ତି । ମୁଁ ଖୁବ୍ ସାବଧାନରେ କଥାବାର୍ତ୍ତା କରୁଥାଏ । ପ୍ରାୟ କିଛି ସମୟ ପରେ ରେନର୍ ସାହେବ ପୁଣି ଥାନାକୁ ଆସିଲେ ଓ ମତେ ବାହାରେ ରଖାଯାଇଛି ଦେଖି ଭୀଷଣ ବିରକ୍ତ ହେଲେ ଏବଂ ସାଙ୍ଗେ ସାଙ୍ଗେ ଗାରଦ ଭିତରେ ପଶିବାଲାଗି ହୁକୁମ ହେଲା । ମୁଁ ଗାରଦ ଭିତରେ ପଶିଲି–ତାଲା ପଡ଼ିଲା । ସାଧାରଣତଃ ଜଣେ ପୁଲିସ କନେଷ୍ଟବଳ ଗାରଦରେ ଜଗୁଆଳି ରହେ । ମାତ୍ର ବର୍ତ୍ତମାନ ତିନିଜଣ ଜବରଦସ୍ତ ସଶସ୍ତ୍ର ପୁଲିସ ଜଗୁଆଳି ରହିଲେ । ମୋ ପାଖରେ କୌଣସି ବିଛଣା ନଥାଏ–ଭିତରେ ବସିବାଲାଗି କିଛି ଦିଆଗଲା ନାହିଁ । ଲୁଙ୍ଗି ଗାମୁଛା ଥିଲା–ମୁଁ ଲୁଙ୍ଗି ପକାଇ ବସିଲି । ଗାରଦ ଭିତର ଅବସ୍ଥା ତ ଯାହା, ସେଥିରେ ଯେଉଁ ମଶା ଉପଦ୍ରବ ତାହା ନ କହିବା ଭଲ ।

 

ଅଳ୍ପ ସମୟ ପରେ ମୁଁ ଦେଖିଲି ପୁଲିସ ଭାରି ତତ୍ପର–ଭାରି ଦୌଡ଼ ଧାପଡ଼ କରୁଛନ୍ତି । ମୋ ମନରେ ଆଶଙ୍କା ହେଲା ଆଉ କିଛି ହେଉଛି ବୋଲି । ମୋର ଆଶଙ୍କା ସତ୍ୟ ବୋଲି ପରେ ଜାଣିଲି । ମତେ ଗାରଦରେ ବନ୍ଦ କରାଯାଇ, ଅନ୍ୟ ଏକ ସ୍ଥାନରେ ରେନର୍ ସାହେବଙ୍କ ଉପସ୍ଥିତିରେ ନବଘନ ଉପରେ ଚାଲିଲା ଅତ୍ୟାଚାର । ନାନାପ୍ରକାର ଫୁସୁଲାଫୁସୁଲି କଲେ, ପ୍ରଲୋଭନବି ଦେଖାଇଲେ । କିଏ ସବୁ ଆସନ୍ତି, କ’ଣ କରନ୍ତି, ବନ୍ଧୁକ ଆଦି କେଉଁଠି ରହିଛି, ମୁଁ କେତେଥର ବାହାରକୁ ଆସିଛି, କେଉଁ କେଉଁ ସ୍ଥାନକୁ ଯାଇଛି ଇତ୍ୟାଦି ପଚାରିଲେ । ମାତ୍ର ନବଘନ କେବଳ ଗୋଟିଏ ଜବାବ ଦିଏ–“ମୁଁ ଆଜ୍ଞା କାହାରିକି ଚିହ୍ନେ ନାହିଁ । ବାବୁଙ୍କୁ ରୋଷେଇ କରି ଦଉଥିଲି । ମୋ କାମରେ ମୁଁ ବ୍ୟସ୍ତ ଥାଏ ।” ଗାଳିଫଜିତ୍ ମାଡ଼ ଆଦି ଚାଲିଲା । କନେଷ୍ଟବଳମାନେ ସେ ମାଡ଼ ଦେଖି ବଡ଼ ଦୁଃଖରେ ମତେ ଆସି କହୁଥାଆନ୍ତି–ରେନର୍ ସାହେବ ନିଜେ ବସି ଏସବୁ କରାଉଛନ୍ତି । ମାତ୍ର ନବଘନ ପୂର୍ବପରି ଅଟଳ ଓ ଅଚଳ ରହିଲା । ରେନର୍‍ର ତା’ ଉପରେ ଶେଷ ପର୍ଯ୍ୟନ୍ତ ସେହିପରି କ୍ରୋଧ ରହିଗଲା । ସେ ରାତିରେ ମତେ ନିଦ ହେଲାନାହିଁ–ଯେଉଁ ପରିବେଶ ଭିତରେ ଥିଲି ନ ହେବାର କଥା । ନବଘନ ଉପରେ ହୋଇଥିବା ମାଡ଼ର ବର୍ଣ୍ଣନା ଶୁଣି ମୋ ମନରେ ଆଘାତ ଲାଗିଲା–ମାତ୍ର ନିରୁପାୟ ।

 

ପରଦିନ ସକାଳୁ ନିତ୍ୟକର୍ମ କରିବାଲାଗି ମତେ ସୁଯୋଗ ଦିଆଗଲା । ମାତ୍ର କିଛି ସମୟ ପରେ ମୋର ପରୀକ୍ଷା ଆରମ୍ଭ ହୋଇଗଲା । ମତେବି ସେମିତି ଯନ୍ତ୍ରଣା ଦିଆଯିବାର ଭୟ ମୋ ମନରେ ଯେ ନଥିଲା ଏପରି ନୁହେଁ । ଜୟପ୍ରକାଶ ନାରାୟଣ ପ୍ରଭୃତିଙ୍କଠାରୁ ତ ପୁଣି କଥା ବାହାର କରିବା ନିମନ୍ତେ ନାନା କ୍ଳେଶ ଦିଆଯାଇଥିଲା । ଲାହୋରର ଯେଉଁ ପ୍ରଚଣ୍ଡ ଶୀତ ସେତେବେଳେ ବରଫ ଭିତରେ ଓ ଖାଲି ଦେହରେ ତାଙ୍କୁ ରଖିଦିଆଯାଉଥିଲା । ତେବେ ମୋ ପ୍ରତି ସେମିତି ନିଷ୍ଠୁର ବ୍ୟବହାର କରାଯାଇନାହିଁ ।

 

ରେନର୍ ସାହେବ ମୋ ସହ ଆଲୋଚନା କରି ବୋଧହୁଏ ବୁଝିଲେ ଯେ ମୋଠାରୁ କୌଣସି ସମ୍ବାଦ ବାହାର କରିବା ତାଙ୍କ ପକ୍ଷରେ ସହଜ ହେବନାହିଁ । ଭାରତ ସରକାରର ଜଣେ ଅତି ଉଚ୍ଚପଦସ୍ଥ ଗୁଇନ୍ଦା କର୍ମଚାରୀ ଆସି ପହଞ୍ଚିଲେ ଏବଂ ମତେ ଥାନାର ଗୋଟିଏ କୋଠରି ଭିତରକୁ ନିଆଗଲା । ସେଠାରେ ସେ ଓ ମୁଁ ଛଡ଼ା ଆଉ କେହି ନଥିଲେ । ମୁଁ କହିପାରିବି ନାହିଁ ତାଙ୍କ ପାଖରେ ଟେପ୍ ରେକର୍ଡ଼ର୍ ଥିଲା କି ନାହିଁ । ମତେ ପ୍ରଶ୍ନବାଣରେ ପୋତି ପକାଇଲେ । ସୋସଲିଜମ୍, କମ୍ୟୁନିଜମ୍ ଓ ଗାନ୍ଧୀବାଦ ଏ ସମ୍ପର୍କରେ ନାନା ତଥ୍ୟମୂଳକ ଆଲୋଚନା କଲାଭଳି କଥା ସବୁ କହିଲେ । ମୋଟ କଥା, ତାଙ୍କ ଆଲୋଚନାରୁ ବୁଝିଲି, ସେ ମୋଠାରୁ ଜାଣିବାକୁ ଚାହିଁଲେ ଗାନ୍ଧିଜୀ କୌଣସି ବିଶେଷ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ଏବଂ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ହିଂସାମୂଳକ ଆନ୍ଦୋଳନ କରିବା ନିମନ୍ତେ କୌଣସି ନିର୍ଦ୍ଦେଶନାମା ଆସିଥିଲା କି ନାହିଁ । ଆମେବି ଏଠି ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ବୋଲି କେତେକ ବୁଲେଟିନ୍ ବାହାର କରିଥିଲୁ । ଗୋଟିକରେ ଲେଖାଥିଲା–(୧) ନିଜକୁ ସ୍ଵାଧୀନ ବୋଲି ଘୋଷଣା କର ଏବଂ ତୁମ ଗ୍ରାମ ଏକ ସ୍ଵାଧୀନ ଗ୍ରାମ ଭାବରେ ପ୍ରତିଷ୍ଠିତ ହେଉ । (୨) ତୁମ ଗ୍ରାମରେ ପଞ୍ଚାୟତ ସ୍ଥାପନା କର ଏବଂ ଏହି ପଞ୍ଚାୟତହିଁ ସେଠିକାର ସରକାର ହେଉ । (୩) ଯେଉଁଠି ଭଲ ସଙ୍ଗଠିତ ହୋଇ ପାରୁଛ ଶାନ୍ତିପୂର୍ଣ୍ଣ ଉପାୟରେ ଯାଇ ଥାନା, କଚେରି ଓ ଅନ୍ୟ ସରକାରୀ ଦପ୍ତରକୁ ଦଖଲ କରିଯାଅ-। କେହି ଯଦି ବାଧା ଦିଅନ୍ତି, ସେମାନଙ୍କୁ ସେଠାରେ ଅଟକ କରିଦିଅ । ସେମାନେ ତୁମର ବନ୍ଦୀ ହୋଇ ରହିବେ ଏବଂ ତାଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବ । (୪) ଗମନାଗମନ ପାଇଁ ରାସ୍ତାଘାଟ, ତାର, ଚିଠି ଆଦିର ଯେଉଁ ବ୍ୟବସ୍ଥା ରହିଛି ତାହା କେବଳ ଆମ ଆନ୍ଦୋଳନକୁ ଦବାଇବା ଲାଗି ବ୍ୟବହାର କରାଯାଉଛି । ତେଣୁ ସେଗୁଡ଼ିକୁ ବିକ୍ଷିପ୍ତ କରିଦିଅ । ଦେଖିବ ଏହା କଲାବେଳେ ଯେଭଳି କାହାରି ଜୀବନ ନ ଯାଏଁ । (୫) ମିଲିଟାରୀଙ୍କୁ ଖାଦ୍ୟ ଜିନିଷ, ପନିପରିବା, ଘର ତିଆରି କରିବା ନିମନ୍ତେ ଜିନିଷ ଇତ୍ୟାଦି ମୋଟେ ଦେବନାହିଁ । (୬) ତୁମ ପାଖରେ ଥିବା ବଳଦଗାଡ଼ି ବା ବୋଝ ବୋହୁଥିବା ଥୋରିଆ ବଳଦ ଆଦି ମିଲିଟାରୀଙ୍କ ବ୍ୟବହାର ଲାଗି ମୋଟେ ଦେବନାହିଁ ।

 

ଆଉ କେତେକ ନିଖିଳ ଭାରତ କଂଗ୍ରେସ କମିଟି ବୁଲେଟିନ୍‍ରେ ଲେଖାଥିଲା–“ଦେଖିବ ଯେମିତି ଖାଦ୍ୟଶସ୍ୟ ମିଲିଟାରୀଙ୍କ ହାତରେ ନ ପଡ଼େ । ତାହାକୁ ଏମିତିକା ଜାଗାରେ ରଖିଥିବ ଯେମିତି ସେମାନେ ମୋଟେ ପାଇବେ ନାହିଁ । ଯେଉଁ ଜମିଦାର ତୁମର ବିରୋଧ କରୁନାହିଁ ତାକୁ ଯତ୍‍କିଞ୍ଚିତ୍ ଖଜଣା ଆଦି ଦେବ–ସେ ଓ ତା’ର ପରିବାର ବଞ୍ଚି ରହିବା ଭଳି ଜିନିଷ ତା’ ପାଖରେ ଦେଇ ବାକିତକ ଆଣି ଲୋକଙ୍କ ଭିତରେ ବାଣ୍ଟିଦବ । ସରକାରର ସମର୍ଥକ ଜମିଦାରଙ୍କୁ ନିଃସ୍ଵ କରିଦିଅ–ସେମାନଙ୍କୁ ଖଜଣା ଆଦି କିଛି ଦିଅ ନାହିଁ । ଲୋକଙ୍କୁ କୁହ, କାଗଜ ନୋଟ୍ ପାଖରେ ରଖନ୍ତୁ ନାହିଁ । ସେଗୁଡ଼ିକ ନଷ୍ଟ କରି ପକାନ୍ତୁ । ସେଗୁଡ଼ିକ ଠକେଇ; ଆଉ ଏହାର କିଛି ମୂଲ୍ୟ ରହିବ ନାହିଁ କିମ୍ବା ସେହି ନୋଟ୍ ବଳରେ କୌଣସି ବିକ୍ରି ଖରିଦ କରିପାରିବ ନାହିଁ । ତେଣୁ କାଗଜ ନୋଟ୍ ଆଉ ପାଖରେ ନ ରଖି ବେଳ ଥାଉଁଥାଉଁ ତାହା ବଦଳାଇ ନଗଦ ଟଙ୍କା କରିନିଅ କିମ୍ବା ସେଥିରେ ଜିନିଷପତ୍ର କିଣି ରଖ । ଇଂରେଜମାନେ ଏ ଦେଶରୁ ସବୁ ସୁନା ଓ ରୁପା ବିଲାତକୁ ନେଇଯାଇଛନ୍ତି-। ତମ୍ବାବି ନାହିଁ ପଇସା କରିବା ନିମନ୍ତେ । ଏଣୁ ଆମକୁ ଭୁଲେଇବା ସକାଶେ କାଗଜ ନୋଟ୍ ପ୍ରଚୁର ପରିମାଣରେ ଛପାଇ ପ୍ରଚଳନ କରୁଛନ୍ତି । ଗାଁବାଲାଙ୍କୁ କହିଦିଅ–ନାଗରା ଜରିଆରେ ପ୍ରଚାର କରିଦିଅ–କେହି ଯେମିତି ହାଟବଜାରକୁ ଖାଦ୍ୟଶସ୍ୟ ବିକ୍ରି କରିବାକୁ ନ ନିଅନ୍ତି-। କାରଣ ଏହି ଜିନିଷସବୁ ସଂଗ୍ରହ କରି ଭାରତ ବାହାରେ ମିଲିଟାରୀଙ୍କ ଖାଇବାଲାଗି ପଠାଯାଉଛି ଓ ଏଣେ ଆମର ଏଠି ଅଭାବ ପଡ଼ୁଛି । ଗାଡ଼ିବାଲାଙ୍କୁ ମନାକର ଗାଡ଼ିରେ ଜିନିଷ ଲଦି ହାଟବଜାରକୁ ନେବେ ନାହିଁ । ଯଦି ତୁମ ପରାମର୍ଶ ନ ଶୁଣୁଛନ୍ତି, ତେବେ ସେ ଗାଡ଼ି ଲୁଟ କରି ଜିନିଷ ନିଜ ଭିତରେ ବାଣ୍ଟିନିଅ ।”

 

ଏହିଭଳି ବୁଲେଟିନ୍‍ମାନ ନିଖିଳ ଭାରତ କଂଗ୍ରେସ କମିଟିରୁ ବାହାରିଛି ବୋଲି ବହୁଳ ଭାବରେ ଦେଶସାରା ବଣ୍ଟାଯାଇଥିଲା । ବିଲାତ ପାର୍ଲିଆମେଣ୍ଟ୍‍ରେ ଯେତେବେଳେ କଂଗ୍ରେସ ନେତାମାନଙ୍କ ଗିରଫ୍‍ ବିଷୟ ଆଲୋଚିତ ହେଲା, ଶ୍ରମିକ ଦଳର ସଭ୍ୟମାନେ ଇଂରେଜ ସରକାରଙ୍କୁ ସମାଲୋଚନା କରି କହିଲେ–ଗାନ୍ଧିଜୀ ତ ତାଙ୍କ ଶେଷ ବକ୍ତୃତାରେ କହିଥିଲେ ଯେ ସେ ବଡ଼ଲାଟଙ୍କ ସଙ୍ଗେ ସାକ୍ଷାତ୍ କରିବେ–କଥାବାର୍ତ୍ତା କରିବେ–ତହିଁର ସୁଯୋଗ ନ ନେଇ ସେମାନଙ୍କୁ ଗିରଫ୍‍ କରାଗଲା କାହିଁକି ଏବଂ ଭାରତରେ ଏପରି ଦମନ ଅସ୍ତ୍ର ପ୍ରୟୋଗ ହେଉଛି କିପରି ? ଆମେ ଶତ୍ରୁର ସମ୍ମୁଖୀନ ହୋଇଥିଲାବେଳେ ଏଭଳି ଅଶାନ୍ତି ସୃଷ୍ଟି କରାଇ ନିଜର ଯୁଦ୍ଧ ଉଦ୍ୟମକୁ ବ୍ୟାହତ କରିବୁ । ଏମିତି ଖୁବ୍ କଟୁ ସମାଲୋଚନା କରାଗଲା । ତେଣେ ଆମେରିକା ଓ ଚୀନ ଆଦି ଦେଶରେ ଭାରତର ସ୍ଵାଧୀନତା ଆନ୍ଦୋଳନ ପ୍ରତି କିୟତ୍ ପରିମାଣରେ ସହାନୁଭୂତି ଓ ସମର୍ଥନ ପ୍ରକାଶ ପାଇଲା । ବ୍ରିଟିଶ ସରକାରହିଁ ସମାଧାନ ନ କରି ସଂଘର୍ଷ ଆଡ଼କୁ ଭାରତକୁ ଟାଣିନେଉଛି ବୋଲି ଅଭିଯୋଗ କରାଗଲା ।

 

ବ୍ରିଟିଶ ସରକାର ପାଖରେ କୌଣସି ପ୍ରମାଣ ନଥାଏ । ବାସ୍ତବିକ, କଂଗ୍ରେସ ତ ବେଆଇନ ହୋଇଥିଲା–ଆନ୍ଦୋଳନ କେମିତି ଭାବରେ କ’ଣ ହେବ ତା’ର କୌଣସି ସୂଚନା ଆଗରୁ ଦିଆଯାଇ ନଥିଲା । ତେଣୁ କଂଗ୍ରେସ କମିଟି ତରଫରୁ ବା ଗାନ୍ଧିଜୀଙ୍କ ତରଫରୁ ଦେଶବାସୀ ଏ ସମ୍ବନ୍ଧରେ କୌଣସି ନିବେଦନ କରାଯାଇପାରି ନଥିଲା । ବ୍ରିଟିଶ ସରକାର କଂଗ୍ରେସ ଓ ମହାତ୍ମାଗାନ୍ଧୀଙ୍କ ଉପରେ ଦୋଷ ଢାଳି ନ ପାରିଲେ ପୁଣି କେମିତି ପାର୍ଲିଆମେଣ୍ଟ୍‍ରେ ଶ୍ରମିକ ଦଳର ସଭ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ? ସେକ୍ରେଟାରି ଅଫ୍ ଷ୍ଟେଟ୍ ଆମରି ସାହେବ ସରକାର ତରଫରୁ ବ୍ରିଟିଶ ପାର୍ଲିଆମେଣ୍ଟ୍‍ରେ ଜବାବ ଦେବାକୁ ଯାଇ ଏହି କଂଗ୍ରେସ ବୁଲେଟିନ୍ ସବୁର ଉଲ୍ଲେଖ କଲେ ଏବଂ କଂଗ୍ରେସ ଓ ଗାନ୍ଧିଜୀ ଏଭଳି ହିଂସାମୂଳକ କାର୍ଯ୍ୟର ଯୋଜନା ଆଗରୁ କରି ରଖିଥିଲେ ବୋଲି ପ୍ରକାଶ କଲେ । ଏ କୈଫିୟତ୍‍କୁ ବିଲାତବାସୀ କିମ୍ବା ଆମେରିକା ଓ ଚୀନ ପକ୍ଷ ସନ୍ତୋଷଜନକ ବୋଲି ବିଚାର କଲେ ନାହିଁ ଏବଂ ବ୍ରିଟିଶ ସରକାର ଏଭଳି ଯୁଦ୍ଧ ବିପଦବେଳେ ଭାରତରେ ଅଶାନ୍ତି ସୃଷ୍ଟି କରି ଅଯଥାରେ ଅସୁବିଧା ସୃଷ୍ଟି କରୁଛନ୍ତି ବୋଲି ଆକ୍ଷେପ କଲେ । ବ୍ରିଟିଶ ସରକାର ତାଙ୍କ ଅଭିଯୋଗର ନିର୍ଦ୍ଦିଷ୍ଟ ପ୍ରମାଣ ପାଇବା ନିମନ୍ତେ ବ୍ୟଗ୍ର ଥାଆନ୍ତି । ତେଣୁ ଖିଅ ବାହାର କରିବାଲାଗି ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରୁଥାଆନ୍ତି । ଗାନ୍ଧିଜୀ ଓ କଂଗ୍ରେସ ଏଭଳି ନିର୍ଦ୍ଦେଶ ଦେଇଥିଲେ କି ନାହିଁ ସେଥିଲାଗି ଗୁଇନ୍ଦା ଅଫିସର ମତେ ଗୁଡ଼ାଇତୁଡ଼ାଇ ବହୁ ପ୍ରଶ୍ନ ଏହି ସଂକ୍ରାନ୍ତରେ ପଚାରିବାକୁ ଆରମ୍ଭ କଲେ । ଯେତେବେଳେ କୌଣସି ଗୋଟିଏ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣପାଇଁ ପାରିଲେ ନାହିଁ, ଶେଷକୁ ମହାତ୍ମା ଗାନ୍ଧୀଙ୍କ ସହ ମୋର କେବେ ଭେଟ ହୋଇଥିଲା ଏବଂ କି କଥାବାର୍ତ୍ତା ହୋଇଥିଲା ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଜାଣିବାଲାଗି ଆଗ୍ରହ ପ୍ରକାଶ କଲେ । ମୁଁ ତ ଗାନ୍ଧିଜୀଙ୍କୁ ଆଦୌ ଭେଟି ନଥାଏ–ମିଥ୍ୟା କହନ୍ତି କେମିତି ? ଯାହା ଭେଟିଥିଲି ୧୯୪୨ ମେ ଜୁନ୍ ମାସରେ–‘ଭାରତ ଛାଡ଼’ ପ୍ରସ୍ତାବ ପାସ୍ ହେବାର ବହୁ ଆଗରୁ । ମୋର ଏଭଳି ଅସ୍ୱୀକୃତି ଦେଖି ସେ ନିଜେ ବଡ଼ ଅଧୀର ହୋଇ ପଡ଼ିଲେ ଏବଂ ମତେ କହିଲେ–‘‘ତୁମେ ଯେଉଁ ସବୁ ଅପରାଧ ସହ ଜଡ଼ିତ ହୋଇଛ ସେଥିରେ ତୁମର ପ୍ରାଣଦଣ୍ଡ ହେବା ନିଶ୍ଚିତ । ତୁମକୁ ବ୍ରିଟିଶ ସରକାର କେବେହେଲେ ଛାଡ଼ିବ ନାହିଁ । ଏକଥା ଜଣାଶୁଣା ଯେ ତୁମେ କିଛି ନିଜ ମନକୁ ଆସି ଏ ସବୁ କରିନାହଁ । ଉପରୁ କଂଗ୍ରେସ କମିଟି ଓ ଗାନ୍ଧିଜୀ ତୁମମାନଙ୍କୁ ଏଭଳି ହିଂସାମୂଳକ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ଓ ଆନ୍ଦୋଳନ ଜିଆଇ ରଖିବା ନିମନ୍ତେ ସବୁପ୍ରକାର ବ୍ୟବସ୍ଥା କରିଯାଇଛନ୍ତି । ତୁମେ ସେତିକି ସତ୍ୟ କଥା ସ୍ୱୀକାର କରିଗଲେ ତୁମ ଉପରେ ବିଶେଷ ବିପଦ ପଡ଼ିବ ନାହିଁ ।” ‘ମୁଁ ଫାଶୀ ଲାଗିବି ପ୍ରସ୍ତୁତ’–ଏହା କହିଥିବାରୁ ସେ ବିରକ୍ତ ହୋଇ ସେଠୁ ଉଠିଗଲେ ଏବଂ ମତେ ସାଙ୍ଗେ ସାଙ୍ଗେ କଟକ ଜେଲକୁ ପଠାଇଦିଆଗଲା । ସେହି ଦିନ ରାତିରେ ମୋର ବଦଳି ହେଲା ବ୍ରହ୍ମପୁର ଜେଲକୁ ।

☆☆☆

 

ବ୍ରହ୍ମପୁର ଜେଲ କାନ୍ଥ ପଡ଼ିଲା

 

ପୂର୍ବରୁ ବିହାର ଓଡ଼ିଶା ଏକାଠି ଥିଲାବେଳେ ପାଟନା କ୍ୟାମ୍ପ୍ ଜେଲ୍ ପରି ସ୍ଵତନ୍ତ୍ର ଓଡ଼ିଶାରେ ବ୍ରହ୍ମପୁର କେନ୍ଦ୍ର ଜେଲ୍ ଥିଲା ଏକ ପ୍ରଧାନ କଏଦୀଖାନା । ଓଡ଼ିଶାର ସବୁ ଅଟକବନ୍ଦୀ ସେଠି ଥାଆନ୍ତି । ମତେ କଟକ ଜେଲରୁ ତା’ ପରଦିନ ରାତିରେହିଁ ବ୍ରହ୍ମପୁରକୁ ପଠାଇଦିଆଗଲା ଅଟକବନ୍ଦୀରୂପେ । ଆଗରୁ ଅଗଷ୍ଟ ୯ ତାରିଖରୁ ୱାରଣ୍ଟ୍ ବାହାରି ସାରିଥିଲା । ପୁଲିସ ସେହି ବଳରେ ମତେ ଗିରଫ୍‍ କରି ଜେଲ୍‍କୁ ପଠାଇଦେଲେ ।

 

ଏଥିଭିତରେ ପୋଲିସ୍ କାଗଜପତ୍ର ସବୁ ସଂଗ୍ରହ କରି ଓ ଯେତେ ଯେଉଁଠି ମୋର ସମ୍ପର୍କ ଥିଲା ତାହା ବାହାର କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଖାନ୍‍ତଲାସ୍ ଆରମ୍ଭ କରିଦେଲେ । ଚାରିଆଡ଼େ ବହୁ ସଂଖ୍ୟାରେ ଗିରଫ୍‍ ଚାଲିଲା ଏବଂ ଦ୍ଵିବେଦୀ ଷଡ଼ଯନ୍ତ୍ର ମକଦ୍ଦମା ଲାଗି ପୋଲିସ୍ ବହୁ ଲୋକଙ୍କୁ ହଇରାଣରେ ପକାଇଲେ । ପୁଲିସ ନିଜର ବାହାଦୁରି ଦେଖାଇବା ନିମନ୍ତେ ଏବଂ ଲୋକଙ୍କ ମନରେ ଭୟ ସଞ୍ଜାର କରିବା ନିମନ୍ତେ ଏପରି କଲେ । ମୁଁ ବ୍ରହ୍ମପୁର ଜେଲ୍‍ରେ ଥିବାରୁ ଏ ସମ୍ପର୍କରେ ବିଶେଷ ସମ୍ବାଦ ପାଇପାରୁ ନଥିଲି । ମତେ ଏତେଦୂରକୁ ପଠାଇବାଦ୍ଵାରା ମୋର ଗିରଫ୍‍ ପରେ ଆନ୍ଦୋଳନ ଆଉ ଚାଲିପାରିବ କି ନାହିଁ ସେ ସମ୍ପର୍କରେ ମୁଁ ଘୋର ସନ୍ଦେହରେ ପଡ଼ିଲି । କଟକ ସହରରେ ଯେଉଁମାନେ ରହିଥିଲେ, ଯଥା–ରାଧାନାଥ ପଣ୍ଡିତ, ବିଶ୍ଵନାଥ ପଣ୍ଡିତ, ଅନୀଲ କୁମାର ଘୋଷ ଓ ବନମାଳୀ ମିଶ୍ର–ଏମାନଙ୍କର କୌଣସି ସମ୍ପର୍କ ଥିବା କଥା କୌଣସି ସୂତ୍ରରୁ ପୁଲିସ କିଛି ଜାଣିପାରି ନଥିଲେ । ସେମାନେ ବାହାରେ ରହିଗଲେ । ଅନ୍ୟ ଜିଲ୍ଲାମାନଙ୍କରେ ଯାହା ଯେଉଁଠି ସମ୍ପର୍କ ସ୍ଥାପିତ ହୋଇଥିଲା ସେ ସବୁ ଛିନ୍ନ ହୋଇଗଲା । କେବଳ ସେମାନେ ନୁହନ୍ତି, ସେମାନଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିଥିବା କେତେକ ଲୋକଙ୍କୁ ମଧ୍ୟ କିଛି କାଳ ଲାଗି ଅଟକ କରି ରଖିଦିଆଗଲା ।

 

ସରକାର ଯେ ଭାବିଥିଲା ଆନ୍ଦୋଳନ ପୂର୍ଣ୍ଣରୂପେ ଦବିଯିବ ବୋଲି, ଏହା ସତ୍ତ୍ଵେ ସେ କଥା ହେଲା ନାହିଁ । କଟକ ସହରର ଏହି ସାଥୀମାନେ ଅନ୍ୟ ସ୍ଥାନ ଖୋଜି ପୁଣି ପୂର୍ବପରି ବୁଲେଟିନ୍ ଆଦି ବାହାର କରିବାର ଚେଷ୍ଟା କଲେ । ରାଧାନାଥ ପଣ୍ଡିତ ଏଥିରେ ହେଲେ ପ୍ରଧାନ ସହାୟକ । ସେ କଲିକତା ସଂଗଠନ ସହ ପୂର୍ଣ୍ଣରୂପେ ପରିଚିତ ଥିଲେ । ସେଠାରେ ମୋ ଗିରଫ୍‍ର ସମ୍ବାଦ ଦେଇ ଓ ପୁଣି ଯେମିତି ବ୍ୟବସ୍ଥା ହେଉଛି ତାହା ଜଣାଇ ଏକ ମେସିନ୍ ଏବଂ କିଛି ଆର୍ଥିକ ସାହାଯ୍ୟ ଇତ୍ୟାଦି ଆଣିଲେ । ବିଶ୍ଵନାଥ ପ୍ରମୁଖ ତ ପୂର୍ବରୁ ସବୁ ଜାଣିଥିଲେ, ତେଣୁ ସେମାନେ କାର୍ଯ୍ୟ ଆରମ୍ଭ କରିଦେଲେ । ଏହି କାମ ପ୍ରାୟ ଦୁଇମାସରୁ ବେଶି ସମୟ ପର୍ଯ୍ୟନ୍ତ ଚାଲିଲା । ବିଶ୍ଵନାଥ ଓ ଅନୀଲ ଲୁଚି ରହି ଏହାର ପରିଚାଳନା କଲେ । ଆନ୍ଦୋଳନ ଆରମ୍ଭବେଳକୁ ଯେମିତି ନନ୍ଦିସାହୁଙ୍କ ପରିବାର ପରମ ସହାୟକ ହୋଇଥିଲେ, ସେମିତି ଏତେବେଳେ ଏ କାର୍ଯ୍ୟର ପ୍ରଧାନ ସହଯୋଗୀ ଓ ଆଶ୍ରୟଦାତା ହେଲେ ଶ୍ରୀ ବୈଷ୍ଣବଚରଣ ମହାନ୍ତି । ପୁଲିସ ପୁନର୍ବାର ବୁଲେଟିନ୍ ଦେଖି ଆଶ୍ଚର୍ଯ୍ୟ ହେଲେ । କିଛିଦିନ ପରେ ବିଶ୍ଵନାଥ ପଣ୍ଡିତ ଓ ଅନୀଲ କୁମାର ଘୋଷ ଗିରଫ୍‍ ହେଲେ ।

 

ଏହି ଆନ୍ଦୋଳନର ପରିଚାଳକଙ୍କ ଭିତରେ ଶ୍ରୀ ମାଧବାନନ୍ଦ ସିଂହ ଯେପରି ସାହସ, ଧୈର୍ଯ୍ୟ ଓ ବୁଦ୍ଧି ବିଚକ୍ଷଣତା ଦେଖାଇଛନ୍ତି ତାହା ଭୁଲିହେବ ନାହିଁ । ସେ ଜଣେ ସାଧାରଣ ବ୍ୟକ୍ତି । କୁଷ୍ଠରୋଗରେ ପୀଡ଼ିତ ହୋଇ କେତେକ ଅଙ୍ଗ ବିକଳାଙ୍ଗ ହୋଇଥିଲା । ମାତ୍ର ତାଙ୍କଦ୍ଵାରାହିଁ ଆସଲ କାମ ହୋଇପାରୁଥିଲା । ଜିନିଷ ଲୁଚାଇ ରଖିବାରେ ସେ ଯେମିତି ସିଦ୍ଧହସ୍ତ ଥିଲେ ସେମିତି ରାତିଅଧରେ କଟକ ସହରର କାନ୍ଥବାଡ଼ରେ କଲିକତାରୁ ଆସୁଥିବା ଅତି ଉତ୍ତେଜନାମୂଳକ ପୋଷ୍ଟର ମାରିବାରେ ନିପୁଣ ଥିଲେ । କେତେଥର ଏଭଳି କାମ କଲାବେଳେ ସେ ପୁଲିସଙ୍କ ହାବୁଡ଼ରେ ପଡ଼ିଛନ୍ତି । ଦିନେ ରାତିରେ ବକ୍‍ସିବଜାରର ଏକ କାନ୍ଥରେ ପୋଷ୍ଟର ମାରୁଥିବାବେଳେ ହଠାତ୍ ପୁଲିସ ଆସି ପହଞ୍ଚିଗଲେ । ସେ ତତ୍‍କ୍ଷଣାତ୍ ପୋଷ୍ଟରକୁ ପାଖ ନାଳ ଭିତରେ ପକାଇଦେଇ ତାଙ୍କ ତାଙ୍କ ଆଡ଼କୁ ଆସୁଥିବା ପୁଲିସକୁ କୁଷ୍ଠରୋଗଜନିତ ନିଜର ଅକ୍ଷମତା ଦେଖାଇ ସାହାଯ୍ୟ ଭିକ୍ଷା କଲେ । ରାତିର ଅନ୍ଧାରରେ ପୁଲିସ ପୋଷ୍ଟର ପଢ଼ିପାରିଲେ ନାହିଁ, ନିଜ ବାଟରେ ଚାଲିଗଲେ । ମାଧ ସିଂହ ସବୁତକ ପୋଷ୍ଟର ବିଭିନ୍ନ ସ୍ଥାନରେ ମାରି ଫେରିଲେ । ଆନ୍ଦୋଳନର ଶେଷ ପର୍ଯ୍ୟାୟକୁ ପୁଲିସ ଅତ୍ୟାଚାରରୁ ରକ୍ଷା ପାଇବା ନିମନ୍ତେ ବୋମା ଇତ୍ୟାଦି ରଖିବାର ସ୍ଥିର ହୋଇଥିଲା । ଏଥିଲାଗି ଗନ୍‍ପାଉଡ଼ର ଆଦି ଯାହା କଲିକତାରୁ ଅଣାଗଲା ତାହା ଏଠାରେ ରଖିବା ଏବଂ ବୋମା ତିଆରି କରିବା ଏକ ସମସ୍ୟା ଥିଲା । ମାତ୍ର ମାଧସିଂହଙ୍କ ଯୋଗୁଁ ଚାନ୍ଦିନୀଚୌକ ଦେବୀଘରେ ତାଙ୍କ ତତ୍ତ୍ଵାବଧାନରେ ଏସବୁ ଜିନିଷ ସୁବିଧାରେ ରହିପାରିଥିଲା–ଅବଶ୍ୟ ଏହାର ଉପଯୋଗ ଏଠାରେ କରାଯାଇପାରିଲା ନାହିଁ ଏବଂ ପରେ ଏହାକୁ ନଷ୍ଟ କରିଦିଆଗଲା । ଅନେକେ ହୁଏତ ଜାଣିଲେ ବିସ୍ମିତ ହୋଇପାରନ୍ତି ଯେ ମୋର ଗିରଫ୍‍ ପରେ କିଛିଦିନ ଧରି ଚାନ୍ଦିନୀଚୌକରେ ଥିବା ଦର୍ପଣି ରାଜାଙ୍କ କୋଠି ଭିତରେହିଁ ଲିଥୋକାମ ଚାଲିଥିଲା । ମାଧ ସିଂହ କେତେ ବର୍ଷ ପରେ ମରିଗଲେ ସେମିତି ଦୁଃସ୍ଥ ଅବସ୍ଥାରେ । ମାତ୍ର ଅଗଷ୍ଟ ଆନ୍ଦୋଳନର ଏକ ଅତି ସଙ୍ଗିନ ମୁହୂର୍ତ୍ତରେ ସେ ଯେଭଳି ସାହସ ଓ ବୀରତ୍ଵ ଦେଖାଇଛନ୍ତି ତାହା କେବେ ଭୁଲି ହେବ ନାହିଁ । ଏହିଭଳି ଲୋକମାନଙ୍କର ଅକୁଣ୍ଠିତ ଦାନ ଏ ଦେଶର ସ୍ଵାଧୀନତା ସଂଗ୍ରାମର ଅମୂଲ୍ୟ ସମ୍ପଦ ହୋଇଥିଲେ ସୁଦ୍ଧା ଦେଶ କେବେହେଁ ଏଭଳି ବ୍ୟକ୍ତିମାନଙ୍କର ପୂଜା କରିନାହିଁ । ସେମାନଙ୍କର ତ୍ୟାଗ ଓ କଷ୍ଟଭୋଗ ଯୋଗୁଁ ଦେଶ ସ୍ଵାଧୀନ ହେଲା, ବିପ୍ଳବ ସଫଳ ହେଲା–ମାତ୍ର ଏମାନେ ରହିଗଲେ ବିସ୍ମୃତିଗର୍ଭରେ ।

 

ବିଶ୍ଵନାଥ ଓ ଅନୀଲଙ୍କ ଗିରଫ୍‍ ପରେ ଆନ୍ଦୋଳନକୁ ଆଉ ସଂଗଠିତ ଭାବରେ ଚଳାଇବା ସମ୍ଭବ ହେଲାନାହିଁ । ବହୁ ଦିନ ପରେ ମୁଁ ଯେତେବେଳେ ବିଚାର ଲାଗି କଟକ ଜେଲକୁ ବଦଳି ହୋଇ ଆସିଲି ସେତେବେଳେ ପୁଣି ସମ୍ପର୍କ ଯୋଡ଼ି କିଛି ଉଦ୍ୟମ ହେଲା ।

 

ସରକାର ଆମର ବିଧିବଦ୍ଧ ବିଚାର ଆରମ୍ଭ କରିବାକୁ ବହୁ ସମୟ ନେଲେ । ପ୍ରକୃତର ଆମେ ଷଡ଼ଯନ୍ତ୍ର କରୁଥିଲୁ କି ନାହିଁ, ତାହା ଭିନ୍ନ କଥା । ଆମ ପକ୍ଷରେ ଷଡ଼ଯନ୍ତ୍ର କ’ଣ–ଆମେ ସରକାରକୁ ଅଚଳ କରିବା ନିମନ୍ତେ ଯାହା ଉଚିତ ମନେକରିଥିଲୁ, ତାହା କରୁଥିଲୁ । ସରକାର ଏହାକୁ ଏକ ବିରାଟ ଷଡ଼ଯନ୍ତ୍ରମୂଳକ ଆନ୍ଦୋଳନ ବୋଲି ଆଖ୍ୟା ଦେବାଲାଗି ଚାରିଆଡ଼ୁ ତଥ୍ୟ ସଂଗ୍ରହ କରି ଯୋଡ଼ିବାକୁ ଆରମ୍ଭ କଲେ । ତେଣୁ ବିଭିନ୍ନ ସ୍ଥାନରେ ଅତି ନିରୀହ ଗ୍ରାମବାସୀଙ୍କୁବି ଗିରଫ୍‍ କଲେ । ମୁଁ ଯେଉଁସବୁ ଗ୍ରାମକୁ ଓ ଜିଲ୍ଲାକୁ ଯାଇଛି ବୋଲି ଆଗରୁ ପ୍ରଚାର ହୋଇଥିଲା, ସେଠାରେ ଯାଇ ଖାନ୍‍ତଲାସ୍ ଓ ଗିରଫ୍‍ କଲେ । ଗୋଟାଏ ପ୍ରକାର ଆତଙ୍କରାଜ ସୃଷ୍ଟି କରିଦିଆଗଲା । ବାହାରେ ଏସବୁ ଚାଲିଥିବାବେଳେ ମୁଁ ଥାଏ ବ୍ରହ୍ମପୁର ଜେଲରେ । ଏପରି ଅଯଥା ହଇରାଣ ହେବାରୁ କେତେକ ଲୋକ କଂଗ୍ରେସ ଉପରେ ବିରକ୍ତ ହୋଇଥାଆନ୍ତି, ମାତ୍ର ଆଉ କେତେକ ମୋ ଉପରେବି ଅସନ୍ତୁଷ୍ଟ ଥାଆନ୍ତି । କାରଣ ସେମାନଙ୍କର ନାମ ଓ ଠିକଣା ଆଦି ମୋ ପାଖରୁ ନ ମିଳିଥିଲେ ପୁଲିସ ସେମାନଙ୍କୁ କେବେହେଁ ସନ୍ଦେହ କରି ନଥାନ୍ତା । ଆଉ କେତେକଙ୍କୁ କିଛି ଜଣା ନଥିଲା–ସେମାନଙ୍କ ପୁଅମାନେ ତାଙ୍କ ନାମ ଦେଇ ଦେଇଥିଲେ; ତେଣୁ ହଠାତ୍ ସେମାନଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିବାରୁ ସେମାନେ ମହାଅସୁବିଧାରେ ପଡ଼ିଗଲେ । ହୁଏତ ମୋର ଅଭିଜ୍ଞତା ଅଭାବରୁ କିମ୍ଵା ହଠାତ୍ ଗିରଫ୍‍ବେଳେ କିଛି ବୁଦ୍ଧି ନ ଦିଶିବାରୁ ଏମିତି ପରିସ୍ଥିତି ହେଲା । ମୁଁ ଯେଉଁ କାଗଜତକ ଚିରି କୂଅ ଓ ଲଟାବୁଦା ଭିତରକୁ ପକାଇବାକୁ ଚେଷ୍ଟା କଲି ଯଦି ସେଠାରେ ଦିଆସିଲି ମାରି ପୋଡ଼ିଦେଇଥାଆନ୍ତି, ତେବେ ପୁଲିସଙ୍କ ପକ୍ଷରେ ସେଗୁଡ଼ିକ ପାଇବା କଷ୍ଟକର ହୋଇଥାଆନ୍ତି । ପୁଲିସ କବାଟ ତାଡ଼ି ଓ ଏଣେ ପାଚେରି ଡେଇଁ ଘର ଭିତରେ ପଶିବା ପର୍ଯ୍ୟନ୍ତ ଯେତିକି ସମୟର ବ୍ୟବଧାନ ଥିଲା, ସେଥିରେ ଏତକ କାମ ଅକ୍ଳେଶରେ ହୋଇପାରିଥାଆନ୍ତା । ତେବେ ସବୁଠାରୁ ଗୌରବର ବିଷୟ ହେଉଛି, ଯେଉଁ କେତେଜଣ ଏମିତି ଭାବରେ ଗିରଫ୍‍ ହୋଇଥିଲେ ସେମାନଙ୍କ ଭିତରୁ ଜଣେହେଲେ କ୍ଷମା ମାଗି ମୁକ୍ତି ଲୋଡ଼ିନାହାନ୍ତି–ସରକାରର ଦମନକୁ ଦେଶର ମର୍ଯ୍ୟାଦା ରକ୍ଷା କରି ସହ୍ୟ କରିଛନ୍ତି ।

 

ସାଧାରଣ ଲୋକଙ୍କର ଏଭଳି ଧୈର୍ଯ୍ୟ, ସାହସ ଓ ତ୍ୟାଗ ମନୋବୃତ୍ତି ରହିଥିବାବେଳେ ଜେଲ ଭିତରେ କଂଗ୍ରେସର କେତେକ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ମନର ଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ସାରା ବ୍ରହ୍ମପୁର ଜେଲଟି ଯେମିତି ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥାଏ । କମ୍ୟୁନିଷ୍ଟମାନେ ତ ମୂଳରୁ ଆନ୍ଦୋଳନର ଘୋର ବିରୋଧୀ ଥିଲେ; ସେମାନଙ୍କ ଭିତରୁ ଯେଉଁମାନେ ଅଟକବନ୍ଦୀ ହୋଇ ଜେଲ ଭିତରେ ରହିଥିଲେ ସେମାନେ ରୀତିମତ ମାର୍କସୀୟ ପୁସ୍ତକ ଆଦିର ଆଲୋଚନା କରି କ୍ଲାସ୍ କରନ୍ତି ଏବଂ ଗାନ୍ଧୀ, ଅଗଷ୍ଟ ବିପ୍ଳବ ଏବଂ ଆମ ସୋସଲିଷ୍ଟଙ୍କ ବିରୁଦ୍ଧରେ କେତେକ ଯୁବକଙ୍କୁ ନିଜ ଆଡ଼କୁ ଟାଣିବାଲାଗି ଉଦ୍ୟମ କରନ୍ତି । ସଚ୍ଚା ଗାନ୍ଧୀବାଦୀ ବୋଲି ଯେଉଁମାନେ ବୋଲାଉଥାନ୍ତି, ସେମାନଙ୍କୁ ଇଂରେଜ ସରକାର ଯେମିତି ବାଛବିଚାର ନ କରି କଂଗ୍ରେସ ଖାତାରେ ନାମ ଥିବାରୁ ଧରିଆଣି ଅଟକବନ୍ଦୀ କରିଦେଲେ ତାହା ଯଦି କରି ନଥାନ୍ତେ, ତାହାହେଲେ କେତେକ ବାହାରେ ରହିଯାଇ ନିଜର ସଂଗଠନ କାମରେ ବ୍ରତୀ ଥାଆନ୍ତେ । ଆନ୍ଦୋଳନ ହେବାର କେତେକ ଆନନ୍ଦିତ ହେଲେ । ବାସ୍ତବିକ କଟକ ଜିଲ୍ଲାର–ବିଶେଷତଃ ଯାଜପୁର, ବରୀ ଆଦି ଅଞ୍ଚଳରେ–ଯେଉଁ ପ୍ରବଳ ଆନ୍ଦୋଳନ ହେଲା, ତାହା ବହୁପରିମାଣରେ ଗୋପବନ୍ଧୁ ଚୌଧୁରୀଙ୍କର ବରୀ ଆଶ୍ରମର ପ୍ରଭାବ ଯୋଗୁଁ । ଆଶ୍ରମକୁ ସରକାର ଜବତ ନେଲେ–ଘରଦ୍ୱାର ଭାଙ୍ଗିଲେ; ପାଖଆଖର ଲୋକେ ତା’ର ପ୍ରତିରୋଧ କଲେ । ଯେଉଁମାନେ ଭାବୁଥିଲେ ଯେ ରଚନାତ୍ମକ କାର୍ଯ୍ୟ ଆମର ସ୍ଵାଧୀନତା ଆନ୍ଦୋଳନକୁ ବିଶେଷ ସହାୟକ ହେବ ନାହିଁ, ସେମାନଙ୍କର ଧାରଣା ଭୁଲ ବୋଲି ପ୍ରମାଣିତ ହେଲା । ମାତ୍ର ଜେଲ ଭିତରେ ଗୋଟାଏ ଅଦ୍ଭୁତ ପ୍ରକାର ବାୟୁମଣ୍ଡଳ ଦେଖାଗଲା । ସେମାନଙ୍କ ଭିତରୁ କେତେକ ବିଶ୍ୱାସ କଲେ ଯେ ବାହାରେ ଯାହାସବୁ କରାଯାଉଛି ତାହା ହିଂସାମୂଳକ ଓ ଗାନ୍ଧୀନୀତିର ବିରୋଧୀ । ତେଣୁ ହିଂସା ଅହିଂସାର ଏକ ଗୋଷ୍ଠୀ ବିଚାର ହୋଇ ଏକ ବୁଦ୍ଧିଭେଦ ଓ ଦ୍ୱନ୍ଦ୍ୱ କେତେକଙ୍କ ମନରେ ପ୍ରବେଶ କରିଥାଏ । ଆଉ କେତେକ କଂଗ୍ରେସ ଲୋକ, ଯେଉଁମାନେ କେବେ ଏଭଳି ପ୍ରତ୍ୟକ୍ଷ ସଂଗ୍ରାମକୁ ପସନ୍ଦ କରନ୍ତି ନାହିଁ କିମ୍ବା କାରାଦଣ୍ଡ ଆଦି ଭୋଗ କରିବା ନିମନ୍ତେ ମୋଟେ ପ୍ରସ୍ତୁତ ନଥାଆନ୍ତି, ସେମାନେ ବେଶିଦିନ ଜେଲ ଭୋଗିବାକୁ ପଡ଼ିବ ଦେଖି ଆମର ବଡ଼ ସମାଲୋଚକ ହୋଇଥାଆନ୍ତି ଏବଂ ଏକପ୍ରକାର ହତାଶାମୂଳକ ବାୟୁମଣ୍ଡଳ ସୃଷ୍ଟି କରୁଥାଆନ୍ତି । ଏମାନେ ସାଧାରଣତଃ ପୂଜା ଓ ଧର୍ମଚର୍ଚ୍ଚାରେ ନିଯୁକ୍ତି ଥାଆନ୍ତି । ବିଷୟ ସମ୍ପତ୍ତି ବାହାରେ ଛାଡ଼ି ଆସିଥାଆନ୍ତି–ସେମାନେ ନିଜେ ତାହାର ପରିଚାଳକ ହୋଇଥିବାରୁ ଅଟକ ହୋଇ ରହିବାଦ୍ଵାରା ତାଙ୍କର ପ୍ରଭୃତି କ୍ଷତି ହେଉଥାଏ । ତେଣୁ ବଡ଼ ଚିନ୍ତିତ ଅବସ୍ଥାରେ ଥାଆନ୍ତି । ସେଭଳି ବ୍ୟକ୍ତିଙ୍କର ଆମମାନଙ୍କ ପ୍ରତି ଆଦୌ ସହାନୁଭୂତି ନଥାଏ ଏବଂ ଅନ୍ତରରେ ସେମାନେ ଆନ୍ଦୋଳନ କିଭଳି ଶୀଘ୍ର ବନ୍ଦ ହୋଇଯାଉ ଏହା କାମନା କରୁଥାଆନ୍ତି–ଅଗଷ୍ଟ ବିପ୍ଳବର ବୀର ଭାବରେ ସମସ୍ତେ ମତେ ଶ୍ରଦ୍ଧାଭାବ ଦେଖାଉଥାନ୍ତି । ଏମାନଙ୍କ ଛଡ଼ା ସାରା ଯୁବକ ଗୋଷ୍ଠୀ ବେପରୁଆଭାବରେ ଜେଲ୍‍ଖାନା ଭିତରେ ନାନା ପରିସ୍ଥିତି ସୃଷ୍ଟି କରୁଥାଆନ୍ତି । ଜାପାନବି ଉପକୂଳବର୍ତ୍ତୀ ଅଞ୍ଚଳରେ ସେ ସମୟରେ ସ୍ଥାନେ ସ୍ଥାନେ ବୋମା ନିକ୍ଷେପ କରୁଥାଏ । ତାହା ବାହାରେ ଚାଞ୍ଚଲ୍ୟ ଓ ଆତଙ୍କ ଜାତ କରାଏ–ବିଶେଷ ଭାବରେ ସରକାରୀ କର୍ତ୍ତୃପକ୍ଷ ଓ ବଡ଼ବଡ଼ ଧନୀ ବ୍ୟବସାୟୀଙ୍କ ଭିତରେ । ଆମର ନୀତି ଥାଏ ଜେଲ ଭିତରେ ମଧ୍ୟ ସଂଗ୍ରାମ ଜାରି ରଖିବା । ଯୁବକମାନେ ସର୍ବଦା ନୂଆ ନୂଆ ଫନ୍ଦି ବାହାର କରି ଜେଲ ଭିତରେ ଏକ ଆନ୍ଦୋଳନମୂଳକ ପରିସ୍ଥିତି ବଜାୟ ରଖିଥାଆନ୍ତି । ଅନ୍ୟ ଯେ ସବୁ ସାଧାରଣ ଲୋକ ଜେଲ ଯାଇଥାଆନ୍ତି ତାହା ସେମାନଙ୍କ ମନରେ ବଳ ଓ ସାହସ ଦିଏ । ତେଣୁ ଆମେ ଦେଖିବାକୁ ପାଉ ଯେ ୧୯୩୦–୩୨ ଜନଆନ୍ଦୋଳନବେଳେ ଯେତେ ସଂଖ୍ୟାରେ ଲୋକ ସରକାରଠାରୁ କ୍ଷମା ମାଗି ପଳାଇ ଆସୁଥିଲେ, ସେମାନଙ୍କ ସଂଖ୍ୟା ୧୯୪୨ ଆନ୍ଦୋଳନବେଳେ ବହୁତ କମ୍ ଥିଲା ।

 

ଏହିଭଳି ସମୟରେ ଓଡ଼ିଶାରେ ପ୍ରବଳ ବତାସ ହେଲା । ଉତ୍ତର ବାଲେଶ୍ଵରରେ ଖଣ୍ଡପ୍ରଳୟ ହୋଇଥିଲା । ବ୍ରହ୍ମପୁର ସମୁଦ୍ରକୂଳକୁ ନିକଟ ହୋଇଥିବାରୁ ବତାସର ଚାପ ସେଠାରେ ପଡ଼ିଲା । ଜେଲ୍‍ଖାନାର ଗୋଟିଏ ପାଖ କାନ୍ଥ ଭାଙ୍ଗିପଡ଼ିଲା । ମୁଁ ଏହି ସୁଯୋଗରେ ପଳାଇଯିବା ଲାଗି ଡାକ୍ତର ରବି ଘୋଷଙ୍କଠାରୁ ତାଙ୍କ କୋଟ୍ ଓ ପାଞ୍ଚଟି ଟଙ୍କା ନେଇ ବାହାରିଆସିଲି । ମୁଁ ଓ ନରସିଂହ ମହାପାତ୍ର ବୋଲି ଆଉ ଜଣେ ଯୁବକ ସାହସ କରି ପାଚେରି ବାହାରକୁ ପଳାଇଆସିଲୁ । ମାତ୍ର ନରସିଂହଙ୍କ ସାଙ୍ଗରେ କଥାବାର୍ତ୍ତା ପରେ ମୋ ପକ୍ଷରେ ନିରାପଦରେ ରହିବାର ସମ୍ଭାବନା ନଥିବା ଦେଖି ମୁଁ ଭିତରକୁ ପୁଣି ଫେରିଆସିଲି । ତହିଁ ଆରଦିନ ସକାଳୁ ବ୍ରହ୍ମପୁର ଜେଲରେ ଯେ ଦେଖିଲା ସେ ପଚାରିଲା–“ଗଲ ନାହିଁ କି ?”

☆☆☆

 

ଷଡ଼ଯନ୍ତ୍ର ମକଦ୍ଦମାର ରାୟ

 

ନାନା କୋଳାହଳ ଭିତରେ ବ୍ରହ୍ମପୁର ଜେଲରେ ପ୍ରାୟ ତିନିମାସ କଟିଗଲା । ଏଥରକ ବନ୍ଦୀ ଜୀବନର ଏଇଠୁ ଆରମ୍ଭ । ଷଡ଼ଯନ୍ତ୍ର ମକଦ୍ଦମାର ବିଚାର ଲାଗି ୧୯୪୩ ଜାନୁୟାରୀ ୪ ତାରିଖରେ ମୋର ପୁଣି ବଦଳି ହେଲା କଟକ ଜେଲ୍‍କୁ । ନାନା ଜନରବ–ବହୁ ଲୋକ ଗିରଫ୍‍ ହୋଇଛନ୍ତି–ଓଡ଼ିଶାସାରା ତଥ୍ୟ ମିଳିଛି–ଯାହା ଯେଉଁଠି ଭଙ୍ଗାରୁଜା କାମ, ଘରପୋଡ଼ି, ହତ୍ୟା, ଗୁଳିକାଣ୍ଡ ଇତ୍ୟାଦି ଘଟିଛି ସେଥିପାଇଁ ମୁଁ ଦାୟୀ ଓ ମୋର ସାଥୀମାନେ ହେଲେ ଷଡ଼ଯନ୍ତ୍ରୀ ଇତ୍ୟାଦି । ଯାହାଙ୍କୁ ଗିରଫ୍‍ କରିଥିଲେ ପୂରା ପ୍ରମାଣ ଦେଖାଇ ଯୋଡ଼ିବା ସମ୍ଭବ ହେଉ ନଥିଲା । ତେଣୁ ସମସ୍ତଙ୍କୁ ମକଦ୍ଦମାରେ ଅଭିଯୁକ୍ତ ନ କରି ମାତ୍ର ୧୬ ଜଣଙ୍କୁ ଏଥିରେ ସମ୍ପୃକ୍ତ କରାଗଲା । ଜଣେ ସ୍ପେଶାଲ ଜଜ୍ ମାହେରଙ୍କ ଅଦାଲତରେ ଆମର ସ୍ୱତନ୍ତ୍ର ବିଚାର ଆରମ୍ଭ ହେଲା ।

 

ଭାରତୀୟ ପିଙ୍ଗଳକୋଡ଼୍ ଓ ଅନ୍ୟ ଆଇନରେ ଯେତେ ଗୁରୁତର ଦଫା ଥିଲା ସବୁ ଯୋଡ଼ି ଆମକୁ ଶାସ୍ତି ଦେବା ଥିଲା ସରକାରର ଲକ୍ଷ୍ୟ । ନରହତ୍ୟା ଦଫା ଇତ୍ୟାଦିରେ ଫାଶୀଦଣ୍ଡ ମିଳିବା ସ୍ଵାଭାବିକ । ଆମେ ଯେଉଁ ୧୬ ଜଣ ଶେଷକୁ ଏପରି ଅଭିଯୁକ୍ତ ହେଲୁ କାହାରି ମନରେ ତିଳେହେଲେ ଏଥିଲାଗି ଦୁଃଖ ନଥାଏ–ମନରେ ବରଂ ଆନନ୍ଦ–ଆମ ଦେଶର ଶେଷ ସ୍ୱାଧୀନତା ସଂଗ୍ରାମରେ ଆମେ ସବୁ ବୋଧହୁଏ ସହିଦ ହେବାର ସୌଭାଗ୍ୟ ଲାଭ କରିବୁ । ଯେଉଁ ୧୬ ଜଣଙ୍କୁ ସରକାର ଏ ମକଦ୍ଦମାରେ ପକାଇଲେ ସେମାନଙ୍କ ଭିତରୁ ମୁଁ, ଗୌରଚନ୍ଦ୍ର ଦାସ, ପିଆରୀମୋହନ ଦାସ, ବିଶ୍ଵନାଥ ପରିଡ଼ା, ଘନଶ୍ୟାମ ପଟ୍ଟନାୟକ, ନରସିଂହ ଚରଣ ମହାନ୍ତି, ଲୋକନାଥ ମିଶ୍ର ଓ ଦୁଃଖିଶ୍ୟାମ ପାଢ଼ୀ ଆଗରୁ ଆଇନ ଅମାନ୍ୟ ଆନ୍ଦୋଳନ ସହ ସମ୍ପୃକ୍ତ ଥିଲୁ, ଜେଲ ଭୋଗିଥିଲୁ ଏବଂ ବ୍ରିଟିଶ ସରକାରର ମତିଗତି ବିଷୟରେ ଆମର ଅଭିଜ୍ଞତାବି ଥିଲା ।

 

ଏମାନଙ୍କ ଭିତରୁ ଶ୍ରୀ ନରସିଂହ ଚରଣ ମହାନ୍ତି ଅଗଷ୍ଟ ନ’ ଆନ୍ଦୋଳନ ଆରମ୍ଭ ସାଙ୍ଗେ ସାଙ୍ଗେ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତିଙ୍କ ସହ କଟକ ଜିଲ୍ଲାର ବହୁ ସ୍ଥାନରେ ବୁଲି ପ୍ରଚାର କରିଥିଲେ । ଆମେମାନେ ବମ୍ବେରୁ ଆସି ଏଠାରେ ପହଞ୍ଚି କେନ୍ଦ୍ର ସ୍ଥାପନ କଲା ଭିତରେ ସେ ଗୋବିନ୍ଦଙ୍କ ସହଯୋଗିତାରେ ସାଇକ୍ଳୋଷ୍ଟାଇଲ ମେସିନ୍ ଯୋଗାଡ଼ କରି ଓ “କର ବା ମର” ନାମକ ବୁଲେଟିନ୍ ବାହାର କରି ବହୁ ଗାଁଗଣ୍ଡାରେ ଛଦ୍ମବେଶରେ ତା’ର ପ୍ରଚାର କରିସାରିଥିଲେ । ସେ ମଫସଲ ଅଞ୍ଚଳରେ ବୁଲି ଏହା କରୁଥିବା ଫଳରେ ସହର ପୁଲିସଙ୍କର ନଜର ହଠାତ୍ ପଡ଼ିପାରି ନଥିଲା । ପରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଂଗଠିତ ଭାବରେ ଯେଉଁ ଆନ୍ଦୋଳନ ଚାଲିଲା, ସେଥିରେ ନରସିଂହ ଓ ଗୋବିନ୍ଦଙ୍କର ଏହି ପ୍ରାଥମିକ କାର୍ଯ୍ୟ ଖୁବ୍ ସାହାଯ୍ୟ କରିଥିଲା । ଆମ କେସ୍‍ରେ ନରସିଂହ କିପରି ଗିରଫ୍‍ ହେଲେ ତାହା ମାହେର ସାହେବଙ୍କ ରାୟରେ ସମ୍ପୂର୍ଣ୍ଣରୂପେ ଦିଆଯାଇଛି । ନରସିଂହ ସୋସଲିଷ୍ଟ ଆନ୍ଦୋଳନରେ ମୋର ସାଥୀ ହୋଇ ରହିଛନ୍ତି ଓ ଆଜି ସାଧାରଣ କ୍ଷେତ୍ରରେ ଓ ବ୍ୟକ୍ତିଗତ ଭାବରେବି ସେ ମୋର ଜଣେ ଘନିଷ୍ଠ ସହଯୋଗୀ ଓ ସାଥୀ ।

 

ମାତ୍ର ଅନ୍ୟ ଯେଉଁମାନେ ଆସିଲେ ସେମାନେ ସମ୍ପୂର୍ଣ୍ଣ ନୂଆ । ନିଶାମଣି ଖୁଣ୍ଟିଆ ଓ ବାଙ୍କବିହାରୀ ଦାସ ରେଭେନ୍‍ସା କଲେଜର ଛାତ୍ର ଥାଆନ୍ତି । ଛାତ୍ରାବସ୍ଥାରୁ ସେମାନଙ୍କର ଜାତୀୟ ଆନ୍ଦୋଳନ ପ୍ରତି ଆଗ୍ରହ ରହିଥିଲା ଏବଂ ମୋ ସହିତ ସମ୍ପର୍କ ଥିଲା । ସେମାନେ ‘କର ବା ମର’ ଡାକରାରେ ବାହାରିଆସିଲେ ଓ ଏ ଷଡ଼ଯନ୍ତ୍ର କାର୍ଯ୍ୟରେ ପ୍ରଧାନ ସହାୟକ ହେଲେ । ଯଦୁମଣି ଜେନା–ଘର ପୁରୀ–ସେମିତି ପ୍ରଥମ ବାର୍ଷିକ ଛାତ୍ର ଥିଲେ । ସେ ପୁରୀରେ ବିଶ୍ଵନାଥ ପରିଡ଼ାଙ୍କ ସହ ରହି ସଂଗଠନ କରୁଥିଲେ । ଆମର ଗୋପନୀୟ ବୁଲେଟିନ୍‍ମାନ ଅତି କାଇଦାରେ ଅଳ୍ପ ସମୟ ଭିତରେ ବହୁ ସ୍ଥାନରେ ବାଣ୍ଟିବାରେ ସେ ଥିଲେ ପାରଙ୍ଗମ । ସେ ଏହି ମକଦ୍ଦମାରୁ ଖଲାସ ହେଲେ ସତ, ମାତ୍ର ଅଟକବନ୍ଦୀ କରି ତାଙ୍କୁ ରଖାଗଲା । ସେହିଦିନୁ ସେ ବରାବର ନିରବଚ୍ଛିନ୍ନ ଭାବରେ ଦେଶକାର୍ଯ୍ୟରେ ବ୍ରତୀ ହୋଇ ରହିଛନ୍ତି । ରମାକାନ୍ତ ଦାସ ବାଲେଶ୍ଵରର ଛାତ୍ର–ମାଟ୍ରିକ ପାସ୍ କରିଥାଆନ୍ତି–ସେ ବି ଆଉ ଉଚ୍ଚ ଶିକ୍ଷାପାଇଁ ନ ଯାଇ ଗୌରବାବୁଙ୍କ ସହ ବାଲେଶ୍ଵରରେ ଆମର ଏହି ଆନ୍ଦୋଳନରେ ନିଜକୁ ଝାସଦେଲେ । ପର ଜୀବନରେ ସେ ମଧ୍ୟ ସାଧାରଣ କ୍ଷେତ୍ର ଛାଡ଼ି ଯାଇନାହାନ୍ତି । ନାରାୟଣ ପ୍ରସାଦ ମହାନ୍ତିଙ୍କ ଘରୁ ଆମର କେତେକ କାଗଜପତ୍ର ଖାନ୍‍ତଲାସ୍ ପରେ ବାହାରିବାରୁ ସେ ଅଭିଯୁକ୍ତ ହେଲେ । ସେ ବି ଅତି ଦରିଦ୍ର ଅବସ୍ଥାରେ ଦିନ କଟାଉଥିଲେ ମଧ୍ୟ ସାଧାରଣସେବା କାର୍ଯ୍ୟରୁ ବିରତ ହୋଇନାହାନ୍ତି । ଭୈରବ ଚନ୍ଦ୍ର ମହାନ୍ତିଙ୍କ ସମ୍ବନ୍ଧରେ ଆଗରୁ ଲେଖିଛି । ତାଙ୍କର ମୋ ପାଖକୁ ଲେଖିବା ଗୋଟିଏ ପତ୍ର ଧରାପଡ଼ିଲା ଏବଂ ସରକାରୀ କର୍ମଚାରୀମାନଙ୍କୁ ଚାକିରି ଛାଡ଼ିବା ଲାଗି ସେ ଯେଉଁ ନିବେଦନ ଦେଇଥିଲେ ସେଥିନିମନ୍ତେ ତାଙ୍କୁ ଆମ କେସ୍‍ରେ ସାମିଲ କରାଗଲା । ସେ ଚାରିବର୍ଷ ଜେଲ୍ ଭୋଗିଲେ; ପରେ ଶାରୀରିକ ଅସୁସ୍ଥତା ହେତୁ ପୂରା ଜେଲ୍ ଦଣ୍ଡ ଭୋଗିବା ଆଗରୁ ସରକାର ତାଙ୍କୁ ଖଲାସ କରିଦେଲେ । ସେ ବି ସେହି ଦିନୁ ଓଡ଼ିଶାର ରାଜନୀତି କ୍ଷେତ୍ରରେ ରହିଛନ୍ତି । ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ସେତେବେଳକୁ କଟକର ପ୍ୟାରୀମୋହନ ଏକାଡ଼େମୀର ଶିକ୍ଷକ । ସେ କିଭଳି ଏ ଆନ୍ଦୋଳନରେ ସକ୍ରିୟ ଭାଗ ନେଇ କଟକରେ କାମ କରୁଥିଲେ ପୂର୍ବବର୍ତ୍ତୀ ଅଧ୍ୟାୟମାନଙ୍କରେ ଉଲ୍ଲେଖ କରାଯାଇଛି । ତାଙ୍କ ବିରୁଦ୍ଧରେ ବିଶେଷ କିଛି ପ୍ରମାଣ ନ ମିଳିବାରୁ ତାଙ୍କୁ ଜଜ୍ ସାହେବ ଖଲାସ କରିଦେଲେ–ମାତ୍ର ସେ ଅଟକବନ୍ଦୀ ହୋଇ ରହିଲେ ବହୁଦିନ । ତାହା ପରେ କିଛିଦିନ ସୋସଲିଷ୍ଟ ଆନ୍ଦୋଳନ ସହ ସମ୍ପୃକ୍ତ ହୋଇ ପରେ ଶିକ୍ଷା ପ୍ରଚାର କାର୍ଯ୍ୟରେ ଲିପ୍ତ ଅଛନ୍ତି ଜଣେ ସ୍ଵାଧୀନ, ନିର୍ଭୀକ, ସ୍ଵାବଲମ୍ବୀ ବ୍ୟକ୍ତି ହିସାବରେ ।

 

ଆମର ବିଚାର ସିନା ଆମ ମନରେ ଆନନ୍ଦ ଦେଉଥିଲା, ମାତ୍ର ଆମ ସମସ୍ତଙ୍କ ପରିବାର ଓ ଆତ୍ମୀୟସ୍ଵଜନଙ୍କ ମନରେ ଆତଙ୍କ ସୃଷ୍ଟି କଲା । ପ୍ରାୟ ସମସ୍ତେ ଧରିନେଇଥିଲେ ଯେ ଫାଶୀ ହେବା ସୁନିଶ୍ଚିତ–ଅତି କମ୍‍ରେ ମତେ ଫାଶୀ ହେବ ଓ ଅନ୍ୟମାନଙ୍କୁ କଳାପାଣି ପାର ଅର୍ଥାତ୍ ଯାବଜ୍ଜୀବନ କାରାଦଣ୍ଡ ହେବ । ସେବକାଳର ଜଣେ ଅତି ପ୍ରଭୁଭକ୍ତ ପୁଲିସ ଅଫିସର ମନବୋଧ ପଣ୍ଡା ନାନାପ୍ରକାର ମିଥ୍ୟା ଅଭିଯୋଗରେ ଆମକୁ ଜଡ଼ିତ କରାଇ ମକଦ୍ଦମାଟିକୁ ଜଟିଳ କରିଦେବା ନିମନ୍ତେ ବହୁ ଉଦ୍ୟମ କରିଥିଲେ । ମାତ୍ର ଏଇଠାରେ ସେବକାର ସରକାରୀ ଓକିଲ ଶ୍ରୀ ବାଞ୍ଛାନିଧି ମହାପାତ୍ର ଟିକିଏ ଦୃଢ଼ତା ଦେଖାଇବାରୁ ତାଙ୍କର ଖଳ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହୋଇପାରି ନଥିଲା । ବାଞ୍ଛାନିଧିବାବୁ ଥାଆନ୍ତି ସରକାରୀ ତରଫରୁ ଏକମାତ୍ର ଓକିଲ ଏବଂ ବିଚାରକ ହେଲେ ଜେ.ଇ. ମାହେର । ଆମ ତରଫରୁ ସ୍ୱର୍ଗୀୟ ଚିନ୍ତାମଣି ଆଚାର୍ଯ୍ୟ, ଦୀନବନ୍ଧୁ ସାହୁ, ବ୍ରଜସୁନ୍ଦର ଦାସ ଏବଂ ଆହୁରି କେତେଜଣଙ୍କୁ ଆମର ଆତ୍ମୀୟମାନେ ଓକିଲ ନିଯୁକ୍ତି କରିଦେଲେ । ମକଦ୍ଦମା କିଛିଦିନ ଚାଲିଲା । ସାକ୍ଷୀ ଜେରା ପ୍ରଭୃତି ହେଲା । ମାତ୍ର ଆମେ କ୍ରମେ ଦେଖିଲୁ ସରକାର ଯେତେବେଳେ ଶାସ୍ତି ଦେବା ଲାଗି ବଦ୍ଧପରିକର, ସେଥିରେ ଆଉ ନ୍ୟାୟ ପାଇବାର ଆଶା କେମିତି ରଖାଯାଇପାରିବ ! ସେଥିଲାଗି ଆମେମାନେ ଆମ ପକ୍ଷ ଓକିଲଙ୍କୁ ପ୍ରତ୍ୟାହାର କରିଆଣିଲୁ । ଏହା ଅବଶ୍ୟ ବିଚାରକଙ୍କ ମନ ଉପରେ ଖୁବ୍ ପ୍ରଭାବ ପକାଇଲା–ମାତ୍ର ଆମର ବନ୍ଧୁବାନ୍ଧବ ବଡ଼ ତ୍ରସ୍ତ ହୋଇପଡ଼ିଲେ ପରିଣତି ଚିନ୍ତା କରି । ଏହି ମକଦ୍ଦମାରେ ଯେଉଁ ରାୟ ଦିଆଯାଇଥିଲା ସେଥିରେ ମୋଟାମୋଟି ସବୁ କଥା ବର୍ଣ୍ଣିତ ହୋଇଛି । ତେଣୁ ଏଠି ମାହେର ସାହେବଙ୍କ ରାୟଟି ପରା ଅନୁବାଦ କରି ଦେଇଦେବା ଠିକ୍ ବୋଲି ବିଚାରୁଛି ।

 

“ଜେ.ଇ. ମାହେର ସାହେବ ସ୍ପେଶାଲ ଜଜ୍ ଭାବରେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ Special Case, No I C of 1943ରେ ନିମ୍ନ ପ୍ରକାରେ ରାୟ ଦେଲେ ।

 

ଏହା ହେଉଛି ୧୨୦ I, P. C. ସହ ଭାରତ ରକ୍ଷା ଆଇନର ୩୮ (୫) ଏବଂ ଭାରତୀୟ ପିଙ୍ଗଳକୋଡ଼୍‍ର ୧୧୭ ସହ ୪୩୬ ଦଫା, ରେଲୱେ, ଆଇନର ୧୨୬ ଦଫା, ଟେଲିଗ୍ରାଫ୍ ଆଇନର ୨୫ ଦଫା ଏବଂ ଭାରତ ରକ୍ଷା ଆଇନର ୩୮ (୫) ଦଫାର ଏକ ମକଦ୍ଦମା-। ପ୍ରାଦେଶିକ ସରକାର ଅର୍ଡ଼ିନାସ୍‍ସ ବଳରେ କଟକ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରେ ଯେଉଁ କ୍ଷମତା ଅର୍ପଣ କରିଛନ୍ତି ସେହି ଅନୁସାରେ ଜିଲ୍ଲାମାଜିଷ୍ଟ୍ରେଟ ଏହାକୁ ମୋ ଫାଇଲ୍‍କୁ ଦେଇଛନ୍ତି-

 

ମୋ ଆଗରେ ଏ ଯେଉଁ ୧୬ ଜଣ ଅସାମୀଙ୍କି ଅଣାଯାଇଛି ଦ୍ଵିବେଦୀ ଷଡ଼ଯନ୍ତ୍ର ମକଦ୍ଦମାରେ ଅଭିଯୁକ୍ତ ବିପ୍ଳବୀଗଣ । । ଚିତ୍ରରେ ବାମରୁ ଡାହାଣକୁ–ପଛ–ଖୁଣ୍ଟିଆ, ସଚ୍ଚିଦାନନ୍ଦ ମିଶ୍ର, ବାଙ୍କବିହାରୀ ଦାସ, ନରସିଂହଚରଣ ମହାନ୍ତି, ନବଘନ ବେହେଗ, ଯଦୁମଣି ଜେନା, ରମାକାନ୍ତ ଦାସ, ଦୁଃଖିଶ୍ୟାମ ପାଢ଼ୀ । ଆଗ ଧାଡ଼ିରେ–ନାରାୟଣପ୍ରସାଦ ମହାନ୍ତି, ଭୈରବ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ରନାଥ ଦ୍ଵିବେଦୀ, ବିଶ୍ଵନାଥ ପରିଡ଼ା, ଘନଶ୍ୟାମ ପଟ୍ଟନାୟକ । (ଫଟୋ ଉତ୍ତୋଳନ ଦିବସ–୯.୮.୭୨) ସେମାନେ ସମସ୍ତେ କଂଗ୍ରେସ ଦଳର ସଦସ୍ୟ । ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହେଉଛି–ସେମାନେ ପୁଲିସ ଥାନା ପୋଡ଼ିବା, ରେଳଲାଇନ୍ ଉଠାଇଦେବା, ଟେଲିଗ୍ରାଫ୍ ତାର କାଟିବା ଓ ଟିକସ ନ ଦେବା ଲାଗି ଏବଂ ସରକାରୀ ଚାକିରିଆମାନଙ୍କୁ ଇସ୍ତଫା ଦେବା ଲାଗି ଉତ୍ତେଜନାମୂଳକ କାର୍ଯ୍ୟରେ ଲିପ୍ତ ହେବାକୁ ଲୋକଙ୍କୁ ମତାଉଥିଲେ । ଏହି ସବୁ ଅପରାଧ, ପିଙ୍ଗଳକୋଡ଼୍‍ ଓ ଅନ୍ୟ ଯେଉଁ ସବୁ ଆଇନ ବିଷୟ ମୁଁ ଉପରେ ଉଲ୍ଲେଖ କରିଛି ସେହି ଅନୁସାରେ ଦଣ୍ଡିତ ହୋଇପାରିବ । ଯେପରି ଭାବରେ ଲିଫଲେଟ୍ ବଣ୍ଟା ହେଉଛି ସେଥିରେ ଲିଫଲେଟ୍ ଛାପା ଓ ବଣ୍ଟନ ଆଦି ଆପତ୍ତିଜନକ କାର୍ଯ୍ୟ କରିବା ନିମନ୍ତେ ଷଡ଼ଯନ୍ତ୍ରମୂଳକ ଅଭିଯୋଗ ଲାଗୁହେବ । ଯେଉଁ ସବୁ ବିଷୟ ମୁଁ ଉଲ୍ଲେଖ କରିଛି ସେଗୁଡ଼ିକ ଯେ ଅତି ଆପତ୍ତିଜନକ ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ଏ ବିଷୟରେ ଆଉ ଅଧିକ ଆଲୋଚନା କରିବାକୁ ଚାହେଁନାହିଁ । ଆସାମୀମାନଙ୍କ ବିରୁଦ୍ଧରେ ପ୍ରଧାନ ଅଭିଯୋଗ ହେଉଛି ଯେ ସେମାନେ ଷଡ଼ଯନ୍ତ୍ର କରୁଥିଲେ । ତେଣୁ ପ୍ରଥମେ ଦେଖିବାକୁ ପଡ଼ିବ ଏମାନେ ଷଡ଼ଯନ୍ତ୍ର କରୁଥିଲେ କି ? ଏହା ଯଦି ପ୍ରମାଣିତ ହୋଇଯାଏ, ତେବେ ଏହି ଆସାମୀମାନଙ୍କ ମଧ୍ୟରୁ କିଏ କେତେ ପରିମାଣରେ ଏହି ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କଲେ ତାହା ସ୍ଥିର କରିବାକୁ ପଡ଼ିବ । ପୁଣି ଏଥିରେ ମଧ୍ୟ ସନ୍ଦେହ କରିବାର କୌଣସି କାରଣ ନାହିଁ ଯେ, ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଓ ଲୋକଙ୍କୁ ଉତ୍ତେଜନା ଦେବାର ମତଲବ ବହୁପରିମାଣରେ ସଫଳ ହୋଇଛି । ଏ ସବୁ ବିଷୟରେ ସାକ୍ଷ୍ୟ ପ୍ରମାଣ ଦାଖଲ ହୋଇଛି । ଏହାର କିଛି ପ୍ରତିବାଦ ହୋଇନାହିଁ । ତେଣୁ ପ୍ରତ୍ୟେକ ସାକ୍ଷୀ କିଏ କେଉଁ କଥା କହିଛନ୍ତି ସେ ସବୁ ଏଠାରେ ଉଲ୍ଲେଖ ନ କରି ଏହା ସବୁ କରାଯାଇଛି ବୋଲି ମୁଁ ଧରିନେଇପାରିବି । ଭଣ୍ଡାରୀପୋଖରୀ ଥାନା ନିଆଁ ଲଗାଇ ପୋଡ଼ି ଦିଆଗଲା । ପୁରୀ ଜିଲ୍ଲାର ନିମାପଡ଼ା ପୁଲିସ ଥାନା ଉପରେ ଆକ୍ରମଣ ହେଲା; ମାତ୍ର ପୁଲିସ ତା’ର ଜବାବ ଦେଇଦେଲେ । କଟକ ଓ ବାଲେଶ୍ଵର ଜିଲ୍ଲାରେ ବହୁସଂଖ୍ୟକ ଡାକବଙ୍ଗଳା, କେନାଲ ରେଭିନ୍ୟୁ ଅଫିସ୍ ଏବଂ ଅନ୍ୟ ସରକାରୀ କୋଠାବାଡ଼ି ଧ୍ଵଂସ କରିବା ଓ ଜାଳିଦେବାର ଦୃଷ୍ଟାନ୍ତ ଦିଆଯାଇଛି । ଏକ ସମୟରେ ଥରେ ଯାଜପୁର ସହରରେ ପ୍ରାୟ ଦଶହଜାର ଲୋକ ଆସି ଏକଜୁଟ ହେଲେ । ସେମାନେ ଅତି ଭୀଷଣ ଉତ୍ତେଜନା ସୃଷ୍ଟି କଲେ । ଉପରେ ଉଡ଼ାଜାହାଜ ଆସି ପଇଁତରା ମାରିବା ପରେ ଯାଇ କେବଳ ସେମାନେ ସ୍ଥାନ ଛାଡ଼ିଲେ । ବାଲେଶ୍ଵର ଜିଲ୍ଲାର ଭଦ୍ରକ ସବ୍ଡ଼ିଭିଜନ ଇରମ୍‍ଠାରେ ପୁଲିସକୁ ଗୁଳି କରିବାକୁ ପଡ଼ିଥିଲା । ସେହି ଜିଲ୍ଲାରେ ଆହୁରି ବହୁ ସ୍ଥାନରେ ପୁଲିସକୁ ବଳପ୍ରୟୋଗ କରିବାକୁ ପଡ଼ିଥିଲା । କଟକ ଜିଲ୍ଲାର ବହୁ ସ୍ଥାନରେ, ବିଶେଷତଃ କେନ୍ଦ୍ରାପଡ଼ା ସବ୍ଡ଼ିଭିଜନରେ, ଟେଲିଗ୍ରାଫ୍ ତାର ସବୁ କାଟିଦିଆଯାଇଥିଲା । ଏହା ଛଡ଼ା ଛାତ୍ର ଧର୍ମଘଟ ହୋଇଥିଲା । ରେଭେନ୍‍ସା କଲେଜ ରେକର୍ଡ଼ ସବୁ ପୋଡ଼ିଦିଆଗଲା । ପୁରୀରେ ପୁଲିସ ସବ୍ଇନ୍‍ସପେକ୍ଟର ଲୋକଙ୍କଠାରୁ ମାଡ଼ଖାଇଲେ । ମୋ ଆଗରେ ଯେତେ ସବୁ ତଥ୍ୟ ଦିଆଯାଇଛି ସେଥିରୁ ଏ କେତୋଟି ନମୁନା କହିଲେ ଚଳେ ।

 

ଏସବୁ କାଣ୍ଡ ଲୋକେ ଆପଣାଛାଏଁ ଉତ୍ତେଜିତ ହୋଇ କରିପକାଇଲେ ବୋଲି ବିଶ୍ୱାସ କରି ହେଉ ନାହିଁ । ଏ ସବୁ କାମ କରିବା ଲାଗି ଏହା ପଛରେ କାହାରି ବିଧିବଦ୍ଧ ଯୋଜନା ରହିଥିବାର ପ୍ରମାଣ ସ୍ପଷ୍ଟ । ଏହା ଏମିତି ଯୋଜନାବଦ୍ଧ ଭାବରେ କରାଯାଉଥିବାର ବହୁତ ପ୍ରମାଣ ଦିଆଯାଇଛି । ଏଥିଲାଗି ଗୋଟିଏ ପନ୍ଥା ସାରା ପ୍ରଦେଶରେ ଅବଲମ୍ବନ କରାଯାଇଛି–ତାହା ହେଉଛି ବହୁସଂଖ୍ୟାରେ ଲିଫଲେଟ୍ ବଣ୍ଟନ । ସେଥିରେ ଘଟିଯାଇଥିବା ଘଟନାବଳିର ବିବରଣୀ ଦିଆଯାଇଛି ଏବଂ ପୁଣି କ’ଣ କରିବାକୁ ହେବ ତାହା ଲେଖାଯାଇଛି । ଆହୁରି ମଧ୍ୟ ଏକଥା ପ୍ରମାଣିତ ହୋଇସାରିଲାଣି ଯେ, ଏଭଳି ବୁଲେଟିନ୍ ସାରା ପ୍ରଦେଶରେ ବଣ୍ଟନ କରାଯାଇଛି । କୋରାପୁଟ ଜିଲ୍ଲାରେ ଏହା ବଣ୍ଟାଯିବାର କୌଣସି ସାକ୍ଷ୍ୟ ମୋ ପାଖରେ ଦିଆଯାଇ ନାହିଁ, ମାତ୍ର ଅନ୍ୟ ସବୁ ଜିଲ୍ଲାରେ ଏହା ବଣ୍ଟନ କରାଯାଇଥିବାର ପ୍ରମାଣ ଦିଆଯାଇଛି । ଯେଉଁ ପୁଲିସ ଅଫିସରମାନେ ଏଗୁଡ଼ିକ ଧରିଥିଲେ ବା ଏହାର ବଣ୍ଟନ ବନ୍ଦ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନେ ନିଜେ ସବୁ ସାକ୍ଷ୍ୟ ଦେଇ କହିଯାଇଛନ୍ତି । ଏସବୁ ତଥ୍ୟକୁ ମୋ ଆଗରେ କୋଟ୍‍ରେ ଦାଖଲ କରାଯାଇଛି ଏବଂ ଏଗୁଡ଼ିକ ଏକ୍‍ଜିବିଟ ହୋଇଛି । ଏଗୁଡ଼ିକ ଯେ ବଣ୍ଟା ହୋଇଥିଲା, ଏଥିରେ ମୋ ମନରେ ସନ୍ଦେହ ହେବାର କୌଣସି କାରଣ ନାହିଁ । ଆହୁରି ମଧ୍ୟ ଏ ସମ୍ପର୍କରେ ଆଉ ବିସ୍ତୃତ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ମୁଁ ବିଚାର କରୁନାହିଁ । କେଉଁ ପୁଲିସ ସବ୍ଇନ୍‍ସ୍ପେକ୍ଟର କେଉଁ ଲିଫଲେଟ୍‍କୁ କେଉଁଠାରେ କିପରି ଧରିଲା ଏସବୁ ଲେଖି ଏହି ରାୟର କଳେବର ବଢ଼ାଇବାକୁ ମୁଁ ଚାହେଁ ନାହିଁ । ମୁଁ ଯାହା କହିଛି, ଏହି ବୁଲେଟିନ୍ ସବୁ ବହୁ ସଂଖ୍ୟାରେ ଚାରିଆଡ଼େ ବଣ୍ଟନ ହେବା ବିଷୟ ସ୍ପଷ୍ଟରୂପେ ପ୍ରମାଣିତ ହୋଇଛି । ଯେକୌଣସି ବ୍ୟକ୍ତି ବୁଲେଟିନ୍‍ଗୁଡ଼ିକ ପଢ଼ିବ ସେ କହିବ ଯେ ଏଗୁଡ଼ିକ ଅତି ଆପତ୍ତିଜନକ । ମୁଁ ଆଗରୁ ଯାହା କହିଛି ଏଗୁଡ଼ିକ ଆଂଶିକଭାବରେ ବିଦ୍ରୋହ ବିଷୟରେ ସମ୍ବାଦ ପରିବେଷଣ ଓ ଆଂଶିକରେ କେବଳ ଉତ୍ତେଜନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲେଖାଯାଇଛି । ଅଭିଯୋଗପତ୍ରରେ ଯେଉଁସବୁ ବିଷୟ ଉଲ୍ଲେଖ କରାଯାଇଛି ସେ ସମସ୍ତ ବୁଲେଟିନ୍‍ରୁ ଲିଖିତ ଆକାରରେ ମିଳୁଛି । ଏସବୁଥିରୁ ଦୀର୍ଘ ଅଂଶମାନ ଉଦ୍ଧାର କରିବା ବିରକ୍ତିକର ଓ ବୃଥା ସମୟ ନଷ୍ଟ ପରି ମନେହେବ । ମୁଁ ଏଠି କେବଳ ଏଥିରୁ କେତୋଟି ନମୁନାସ୍ୱରୂପ ଉଲ୍ଲେଖ କରିବି ।

 

ଏକ୍‍ଜିବିଟ୍ ୧୭ ଶିରୋନାମା ହେଉଛି–‘କଟକ ସହରବାସୀ ବୁଡ଼ିମରିବା ଉଚିତ’ । ଏହି ବୁଲେଟିନ୍‍ର ପ୍ରଥମାଂଶରେ ବିହାରରେ ଯାହା ସବୁ ଘଟିଯାଇଛି ତାହାର ବର୍ଣ୍ଣନା କରାଯାଇଛି । ସେଥିରେ କୁହାଯାଇଛି, ବିହାରବାସୀ ପ୍ରକୃତରେ କଂଗ୍ରେସ ଆହ୍ୱାନ ଅନୁସାରେ କାର୍ଯ୍ୟ କରିଗଲେଣି-। ଏହା ଫଳରେ ବିହାରରେ ଜସିଡ଼ିହଠାରୁ ପାଟନା ଭିତରେ କେଉଁଠି ହେଲେ ରେଳଲାଇନ୍ ବା ଟେଲିଗ୍ରାଫ୍ ତାରର ଚିହ୍ନବର୍ଣ୍ଣ ରହିନାହିଁ । ସବୁ ଡାକଘର, ପୁଲିସ ଥାନା ଏବଂ ସରକାରୀ ଦପ୍ତରକୁ ଯୋଡ଼ିଦିଆଯାଇଛି ଏବଂ ଧ୍ଵଂସ କରିଦିଆଯାଇଛି । ଶେଷଭାଗକୁ ଭାଷା ଏକଦମ୍ ବଦଳିଯାଇଛି ଏବଂ କଟକ ସହରବାସୀ କଂଗ୍ରେସର ଏହି ଆହ୍ୱାନରେ ବିହାରପରି କାମ ନ କରିଥିବାରୁ ସେମାନଙ୍କୁ ଭର୍ତ୍ସନା କରାଯାଇଛି ।

 

ଏକ୍‍ଜିବିଟ୍ ୨୩ ହେଉଛି “ମୁସଲମାନ ଭାଇଙ୍କି ନିବେଦନ ।” ସୀମାନ୍ତ ପ୍ରଦେଶରେ ବ୍ରିଟିଶ ସରକାର କିଭଳି ଦମନ ଚଳାଇଛି ତାହା ଏଥିରେ ବର୍ଣ୍ଣତ ହୋଇଛି । ବ୍ରିଟିଶ ସରକାର ଦେଶରୁ ଅପସାରିତ ହୋଇଗଲେ ଏ ଦେଶରେ ପୁଣି ପଠାଣ ରାଜୁତି ଫେରିଆସିବ ଏଭଳି ଏକ ସୂଚନା ଏଥିରେ ଦିଆଯାଇଛି ବୋଲି ମୁଁ ଅର୍ଥ କରିବାରେ କିଛି ଅନ୍ୟାୟ କରୁଛି ବୋଲି କୁହାଯାଇପାରିବ ନାହିଁ ।

 

ଏକ୍‍ଜିବିଟ୍ ୧୩୩ଟି ହେଉଛି ଗାନ୍ଧୀଜୟନ୍ତୀ ସଂକ୍ରାନ୍ତରେ ଏକ ବୁଲେଟିନ୍ । ସେଥିରେ ଲେଖା ଅଛି–‘‘ଏହି ଦୁର୍ବଳ ସରକାରର ସମାଧି ଚିତା ଦେଶର ଚାରିଆଡ଼େ ହୁହୁ ହୋଇ ଜଳୁଛି । ଦେଶର ଚାରିଆଡ଼ୁ ଧ୍ଵଂସର କରାଳ ଚିତ୍ର ମାଡ଼ିଆସୁଛି । କେତେକ ସ୍ଥଳରେ ସରକାରୀ କୋଠା ସବୁକୁ ଧୂଳିରେ ପରିଣତ କରାଯାଇଛି; ଆଉ କେତେକ ସ୍ଥାନରେ ସରକାରର କୃତ୍ରିମ ଭୂତ ତିଆରିକରି ଜାଳି ଦିଆଯାଇଛି । ବହୁ ସ୍ଥଳରେ ପୁଲିସ ଥାନା, କଚେରି ଏବଂ ସରକାରୀ ଦମନର କେନ୍ଦ୍ରସ୍ଥଳୀ ଆଦି ଅଗ୍ନିସ୍ତୂପରେ ପରିଣତ ହୋଇଛି । ଏ ଅଗ୍ନି ଆଉ ଲିଭିବ ନାହିଁ । ଏହି ଅଗ୍ନିର ତାପରେ ଏ ଦେଶରୁ ବ୍ରିଟିଶ ସରକାର ଧ୍ଵଂସ ହେବ । ଏହି ସରକାରର ଧ୍ଵଂସ ସ୍ତୂପରେ, ପାଶବିକ ଶାସନର ମୃତଦେହ ଉପରେ, ଏବଂ ଏହି ପାପୀ ସରକାରର କବର ଉପରେ ଏ ଦେଶର କୃଷକ ଓ ଶ୍ରମିକମାନଙ୍କର ସରକାର ଛିଡ଼ାହେବ ଏବଂ ନ୍ୟାୟ ବିଚାର ଲୋକେ ପାଇବେ ।”

 

ଏହାପରେ ମୁଁ ଏକ୍‍ଜିବିଟ୍ ୧୩୪ରୁ କିଛି ଉଦ୍ଧାର କରୁଛି । ଏଥିରେ କେତେକ ସାଧାରଣ ବିଷୟ ଉଲ୍ଲେଖ କରାଗଲା ପରେ ବର୍ତ୍ତମାନ ଓଡ଼ିଶାର ମନ୍ତ୍ରିମଣ୍ଡଳ ବିଷୟରେ ଲେଖାଯାଇଛି–“ବ୍ରିଟିଶ ସରକାରର ଏଜେଣ୍ଟରୂପେ ପାରଳା ମନ୍ତ୍ରିମଣ୍ଡଳ ଏଠାରେ ରହିଛି । ଏହା ପଛରେ ଲୋକଙ୍କର ସମର୍ଥନ ନାହିଁ । ଏହା ଏକ ବେଆଇନ ସରକାର । ଆମ ଏଠାରେ ଇଂରେଜଙ୍କ ତରଫରୁ ପଞ୍ଚମବାହିନୀରୂପେ ଏହା କାର୍ଯ୍ୟ କରୁଛି । କୋରାପୁଟ ଓ କଟକର ଏକଶହ ଲୋକଙ୍କର ହତ୍ୟା ଲାଗି ଏହି ସରକାର ଦାୟୀ । ଏମାନେ ବରୀ ଓ ଭଣ୍ଡାରୀପୋଖରୀର ଶହ ଶହ ଲୋକଙ୍କୁ ପଥର ଭିକାରି କରି ଦେଇଛନ୍ତି । ଏରସମାରେ ବୃଦ୍ଧ ଲୋକମାନଙ୍କର କୋଷ ଉପରେ ପ୍ରଚଣ୍ତ ଆଘାତ ଓ ଯନ୍ତ୍ରଣାଲାଗି ଏହିମାନେ ଦାୟୀ । ଏମାନେ ଯେଉଁସବୁ ଅପରାଧରେ ଦୋଷୀ, ସେଥିରେ ଏହି ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ହତ୍ୟା କରିବା ଉଚିତ । ମୃତପ୍ରାୟ ବ୍ରିଟିଶ ସରକାରକୁ ପୁନର୍ଜୀବନ ଦେଇ ବଞ୍ଚାଇ ରଖିବା ନିମନ୍ତେ ଏମାନେ ଯେଉଁ ନିର୍ଲଜ୍ଜ ବ୍ୟଗ୍ରତା ଦେଖାଉଛନ୍ତି, ସେଥିରେ ଏମାନଙ୍କୁ ଗୁଳି ମାରି ହତ୍ୟା କରିବା ଉଚିତ । ମାତ୍ର ଅହିଂସାରେ କାହାରିକି ହତ୍ୟା କରିବାର ନୁହେଁ । ତେଣୁ ଏପରି ଲୋକଙ୍କୁ ସାମାଜିକ ବାସନ୍ଦ କରି; ଅପମାନ ଦିଅ ଏବଂ ଏଭଳି ଦୁଷ୍କର୍ମ କାର୍ଯ୍ୟରୁ ସେମାନଙ୍କୁ ନିବର୍ତ୍ତାଇବା ନିମନ୍ତେ ଗିରଫ୍‍ କରି ରଖିଦିଅ ।”

 

ଏହି ଭାବରେ ମନ୍ତ୍ରିମଣ୍ଡଳ ବିଷୟରେ ନାନା କଥା ଲେଖିସାରି ବୁଲେଟିନ୍ ଲେଖକଙ୍କର ଦୃଷ୍ଟି କଟକର ଆଡ଼ିସନାଲ୍ ଜିଲ୍ଲା ମାଜିଷ୍ଟ୍ରେଟ ଖାଁ ସାହେବ ମୁସାଏବ୍ ଖାଁଙ୍କ ଉପରେ ପଡ଼ିଛି । ଲେଖା ହୋଇଛି–“କଟକର ଆଡ଼ିସନାଲ ଜିଲ୍ଲା ମାଜିଷ୍ଟ୍ରେଟ ମୁସାଏବ୍ ଖାଁ ବରୀ ଅଞ୍ଚଳ ଧ୍ଵସ୍ତବିଧ୍ଵସ୍ତ କରିସାରି ପୁଣି ଏରସମା ଆଡ଼କୁ ଧାଇଁଲାଣି । ସେ ଅତ୍ୟାଚାରର ଏକ ପ୍ରତିମୂର୍ତ୍ତି । ସେ ଇଂରେଜଙ୍କର ନିମକସଚ୍ଚା ନୌକ ର। ତାଙ୍କ ଜୀବନ ଆଉ ନିରାପଦ ନୁହେଁ । ସେ ଆମର ଭାଇ । ତାଙ୍କର ନିରାପତ୍ତାଲାଗି ତାଙ୍କୁ ଗିରଫ୍‍ କରିନିଅ ଏବଂ ଆଜାଦ ଜେଲ ଭିତରେ ବନ୍ଦୀ କରି ରଖ ।” ଏହି ପ୍ରକାରେ ହତ୍ୟା ଲାଗି ପ୍ରତ୍ୟକ୍ଷ ପ୍ରରୋଚନା ଦେଇ ଏବଂ ତାହା ସାଙ୍ଗେ ସାଙ୍ଗେ ଅନୁକମ୍ପା ଦେଖାଇବାଲାଗି ଯେଉଁ ସତର୍କବାଣୀ ଶୁଣାଇ ବୁଲେଟିନ୍ ଲେଖା ହୋଇଛି, ସେ ସମ୍ପର୍କରେ ମୁଁ ପୁଣି ପରେ ଆହୁରି ଆଲୋଚନା କରିବି । ଏହି ବୁଲେଟିନ୍‍ଟି ନାନା ଉତ୍ତେଜନାମୂଳକ ଲେଖାରେ ଭରା । ଏଥିରେ ପୁଣି ଲେଖାଅଛି–‘‘ଏ ସରକାରର ଆଇନ ଭଙ୍ଗକର । ସହର ଓ ମଫସଲ ଚାରିଆଡ଼େ ସଭା ସମିତି କର । ବଜାର ସବୁ ବନ୍ଦକ ର। ବିପ୍ଳବୀମାନଙ୍କ ପରି ବିଦ୍ରୋହ କରି ଉଠ । ପୁଲିସ ଥାନା, ଆଇନ ଅଦାଲତ, ଡାକଘର ଓ ଅନ୍ୟ ସରକାରୀ ଅଫିସ୍ ସବୁକୁ ପୋଡ଼ିଜାଳିଦିଅ । ମନେରଖ, ଧ୍ଵଂସ ଉପରେହିଁ ମୁକ୍ତି ସମ୍ଭବ । ତମେ ଯଦି ପଛଘୁଞ୍ଚା ଦିଅ, ତେବେ ଗାନ୍ଧିଜୀଙ୍କର ପ୍ରାଣ ଚାଲିଯିବ । ଯୁଦ୍ଧକୁ ଯୋଗାଇବା ନିମନ୍ତେ କଟକରେ ଯେଉଁ ଟୋପି କାରଖାନା ଥିଲା, ତାହା ଜାଳିପୋଡ଼ି ଦିଆଯାଇଛି । ସେଠାରେ ୬୦୦୦୦ ଟୋପି ରହିଥିଲା । ସବୁ ପ୍ରକାର ଯୁଦ୍ଧ ଉଦ୍ୟମକୁ ବନ୍ଦ କରାଅ । କେହି ସୈନ୍ୟ ଶ୍ରେଣୀରେ ଯୋଗଦିଅ ନାହିଁ । ଚୌଦ୍ଵାରରେ ଥିବା ଉଡ଼ାଜାହାଜ ଘାଟିରେ ନିଆଁ ଲଗାଇ ଦିଅ ।”

 

ଏ ସବୁ ପରାମର୍ଶ ଦେବାପରେ ବାଲେଶ୍ଵର ଜିଲ୍ଲାର ଭଦ୍ରକ ସବ୍ଡ଼ିଭିଜନର ଧୁସୁରୀଠାରେ ଯେଉଁ ସ୍ଵାଧୀନ ପଞ୍ଚାୟତ ଗଠନ କରାଯାଇଛି ତାହାର ଏକ ବିବରଣ ଦିଆଯାଇଛି । ଏହାପରେ ସରକାରୀ କର୍ମଚାରୀମାନଙ୍କୁ ନିବେଦନ କରାଯାଇଛି ସେମାନେ ଯେପରି ତାଙ୍କ କାମ ଆଉ ନ କରନ୍ତି । ଏ ସମ୍ପର୍କରେ ମୁଁ ଆଗରୁ ଉଲ୍ଲେଖ କରି ସାରିଛି । ଏଥିରେ କୁହାଯାଇଛି–‘‘ଏରସମା ଥାନାର ଲୋକମାନେ କଟକର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଘେରାଉ କଲେ ଏବଂ ଚାକିରି ଛାଡ଼ିଦେବା ନିମନ୍ତେ ଦାବିକଲେ । ସେ ଦାସତ୍ୱର ସ୍ୱାଦୁ ଚାଟିବା ନିମନ୍ତେ ସାତଦିନ ସମୟ ନେଇଛି ।”

 

ଏହିଠାରେ ମୁଁ ଆଗରୁ କହିଦେବା ଉଚିତ୍ ମନେକରୁଛି ଯେ କଟକ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମ୍ବନ୍ଧରେ ଏ ଯେଉଁ ଖବର ଦିଆଯାଇଛି, ସେଥିରେ ତିଳେହେଲେ ସତ୍ୟତା ନାହିଁ । କିଭଳି ଢଙ୍ଗର ପ୍ରଚାର ସବୁ କରାଯାଉଥିଲା ତାହା ଦର୍ଶାଇବା ନିମନ୍ତେ ଏ ବିଷୟଟି ଏଠାରେ ମୁଁ ଉଲ୍ଲେଖ କଲି । ପୁଣି ସେହି ବୁଲେଟିନ୍‍ରେ ଲୋକଙ୍କ ପ୍ରତ୍ୟକ୍ଷ ଭାବରେ ଉତ୍ତେଜନା ଦିଆଯାଇଛି । କୁହାଯାଇଛି–“ଭାରତୀୟ କର୍ମଚାରୀଗଣ ! ତୁମେ କ’ଣ ଏ ଦାସତ୍ୱ ସହ୍ୟ କରି ରହିଥିବ ?”

 

ଏହା ପର ବୁଲେଟିନ୍ ଏକ୍‍ଜିବିଟ୍ ୧୩୯ଟିର ନାମକରଣ ଅତି ପ୍ରତ୍ୟକ୍ଷ–“ପ୍ରକାଶ୍ୟ ବିଦ୍ରୋହ ।” ଲୋକଙ୍କୁ ପରାମର୍ଶ ଦିଆଯାଇଛି ଯେ ସ୍ଵାଧୀନ ପଞ୍ଚାୟତମାନ ସ୍ଥାପନ କର । କଚେରିରୁ ଯାଉଥିବା ପରୁଆନାକୁ ପୋଡ଼ିଦିଅ, ଦଫାଦାର ଓ ଚୌକିଦାରମାନଙ୍କର ପୋଷାକପତ୍ର ଜାଳିଦିଅ । ଲୋକଙ୍କୁ କୁହାଯାଇଛି ଥାନା, ଡାକବଙ୍ଗଳା, କେନାଲ ରେଭିନ୍ୟୁ ଅଫିସ୍, ସବ୍‍ରେଜିଷ୍ଟ୍ରି ଅଫିସ୍ ଆଦି ଦଖଲ କରିଯାଅ । ଆହୁରି ମଧ୍ୟ ସେମାନେ ସହରରେ ଥିବା ସଦର ଅଫିସ୍–ଯଥା କଲେକ୍‍ଟରେଟ ଓ ଅଦାଲତ ସବୁକୁ ଦଖଲ କରିବା ନିମନ୍ତେ କୁହାଯାଇଛି । ଏହା କରିବା ପୂର୍ବରୁ ରେଳପୋଲ, ତାର ଓ ଡାକଘର ଆଦିକୁ ଜାଳିଦେବା ଓ କାଟିଦେବାଲାଗି କୁହାଯାଇଛି । ଏକ୍‍ଜିବିଟ୍ ୧୪୮ ଓ ୧୫୨ରେ ଏ ଷଡ଼ଯନ୍ତ୍ର କିଭଳି କାର୍ଯ୍ୟକାରୀ କରାଯିବ ତାହା ବର୍ଣ୍ଣନା କରାଯାଇଛି ।

 

ଏକ୍‍ଜିବିଟ୍ ୧୪୮ ହେଉଛି ଯେଉଁମାନେ କଂଗ୍ରେସ କାର୍ଯ୍ୟ ପରିଚାଳନା କରୁଛନ୍ତି ସେମାନଙ୍କ ପ୍ରତି ନିର୍ଦ୍ଦେଶ । ଏଥିରେ କେତେକ ଶାସନଗତ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଏ ସଂକ୍ରାନ୍ତରେ କୁହାଯାଇଛି ଯେ, ଏଭଳି କାମ କରୁଥିବାବେଳେ ଗୋଟିଏ କଟକଣା ହେଉଛି କେବେହେଲେ ବ୍ୟକ୍ତିବିଶେଷଙ୍କ ପ୍ରତି ହିଂସା ଆଚରଣ କରିବ ନାହିଁ । ଶେଷକୁ ଏହି କଂଗ୍ରେସ ନେତାମାନଙ୍କୁ କୁହାଯାଇଛି ଯେ ତୁମେମାନେ ରେଳଲାଇନ୍, ରାସ୍ତା, ଘାଟ ଓ ଟେଲିଗ୍ରାଫ୍ ତାର ଆଦି କଟାଇବାର ବ୍ୟବସ୍ଥା କରିବ । ଏହି ବୁଲେଟିନ୍ ସାଙ୍ଗରେ ଥାନା ସବୁ କେମିତି ଦଖଲ କରାଯିବ ସେ ସମ୍ପର୍କରେ ଏକ ବିଶେଷ ନିର୍ଦ୍ଦେଶନାମା ଦିଆଯାଇଛି । ଏଥିରେ ଜୋର୍ ଦେଇ କୁହାଯାଇଛି ଯେ ଥାନାଗୁଡ଼ିକ ହେଉଛି ପ୍ରାଦେଶିକ ଶାସନର ମେରୁଦଣ୍ଡ ଏବଂ ଏଗୁଡ଼ିକ ଯଦି ମୂଳପୋଛ କରିଦିଆଯାଏ ତେବେ ଆଉ ଭୟର କୌଣସି କାରଣ ରହିବ ନାହିଁ । ତେଣୁ ପରାମର୍ଶ ଦିଆଯାଇଛି ଯେ ୫୦୦।୬୦୦ ଲୋକ ଏକତ୍ର ହେବେ ଏବଂ ସେମାନଙ୍କୁ ଥାନାକୁ ନେବ । ସେମାନେ ଥାନାରେ ପହଞ୍ଚିବା ଆଗରୁ ସବୁରକମ ସମ୍ବାଦ ପଠାଇବା ଓ ଯାତାୟାତ ବ୍ୟବସ୍ଥାକୁ କାଟିଦେଇଥିବ । ଡାକଘର ଦଖଲ କରାଯାଇଥିବ–କର୍ତ୍ତୃପକ୍ଷ ଉପରକୁ ଆଉ କୌଣସି ସମ୍ବାଦ ପଠାଇ ପାରିବେ ନାହିଁ । ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ୫୦୦।୬୦୦ ଲୋକ ହାତରେ ଠେଙ୍ଗାବାଡ଼ି ନେଇ ଯିବେ । ଠେଙ୍ଗା ଥିଲେ ତାଙ୍କ ମନରୁ ଭୟ ଭାଙ୍ଗିବ ଓ ମନରେ ସାହସ ଆସିବ । ଯେ ନେତା ହୋଇଥିବ ସେ ସର୍ବଦା ସତର୍କ ରହିଥିବ ଯେମିତି ଏହି ୫୦୦।୬୦୦ ଲୋକ କସ୍ମିନ୍‍କାଳେ ଠେଙ୍ଗା ପ୍ରୟୋଗ ନ କରନ୍ତି ।

 

ଏହାପରେ ମୁଁ ଯେଉଁ ବୁଲେଟିନ୍‍ର ଚର୍ଚ୍ଚା କରିବି ତାହା ହେଉଛି ପୁଲିସ ଓ ଜେଲବିଭାଗ କର୍ମଚାରୀଙ୍କି ଏକ ନିବେଦନପତ୍ର । ସେମାନଙ୍କୁ ଚାକିରି ଛାଡ଼ିବା ନିମନ୍ତେ ଏଥିରେ ପ୍ରତ୍ୟକ୍ଷ ଭାବରେ ଉତ୍ସାହ ଦିଆଯାଇଛି । ଏହା ସାଙ୍ଗେ ସାଙ୍ଗେ ଏହା ସାଥିରେ ଇଂରେଜୀରେ ସବୁ ସରକାରୀ କର୍ମଚାରୀଙ୍କୁ ଲକ୍ଷ୍ୟ କରି ଏକ ନିବେଦନ ଦିଆଯାଇଛି । ଏହା ଏହି ମକଦ୍ଦମାର ଷୋଡ଼ଶ ଆସାମୀ ଭୈରବଚନ୍ଦ୍ର ମହାନ୍ତିଙ୍କ ନାମରେ ଲେଖାଯାଇଛି । ଏହି ଆସାମୀ ଅଗଷ୍ଟମାସ ପର୍ଯ୍ୟନ୍ତ ସେକ୍ରେଟାରିଏଟ୍‍ରେ ଜଣେ ସହକାରୀ ଥିଲେ । ଏହି ମକଦ୍ଦମାରେ ଯେଉଁ ସବୁ ବୁଲେଟିନ୍ ଦାଖଲ କରାଯାଇଛି, ସେଥିରୁ ଅସଂଖ୍ୟ ଦୃଷ୍ଟାନ୍ତ ଦିଆଯାଇପାରିବ । ମାତ୍ର ତାହା କରିବାରେ କୌଣସି ଅର୍ଥ ଅଛି ବୋଲି ମୁଁ ବିଚାରୁ ନାହିଁ । ଏପରି କାଗଜ ଯେ ପ୍ରଦେଶସାରା ଚାରିଆଡ଼େ ବଣ୍ଟନ କରାଯାଇଅଛି ସେଥିରୁ ଏହା ଅତି ପରିଷ୍କାର ହୋଇଯାଉଛି ଯେ ଏସବୁ ହିଂସା ଓ ହିଂସାକାଣ୍ଡଲାଗି ଉତ୍ତେଜନା ସୃଷ୍ଟି କରିଛି । ଏ ଆନ୍ଦୋଳନ କିଛି ସ୍ଵତଃସ୍ଫୂର୍ତ୍ତ ଆନ୍ଦୋଳନ ନୁହେଁ–ଏଗୁଡ଼ିକ ସବୁ ଖୁବ୍ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତ କରାଯାଇଛି ।

 

ଏଭଳି ହିଂସାକାଣ୍ଡ ଓ ଭଙ୍ଗାରୁଜା କାମ ଏ ପ୍ରଚାର ଫଳରେ ହୋଇଛି ବୋଲି ଜେରା କଲାବେଳେ ମୁଁ କହିବାରୁ, ତାହା ଖଣ୍ଡନ କରି ଲୋକଙ୍କର କ୍ରୋଧ ଓ ପୁଲିସର ଗୁଳିଚାଳନାର ପ୍ରତିକ୍ରିୟାସ୍ଵରୂପ ଏପରି କାଣ୍ଡମାନ ଘଟିଛି ବୋଲି ଆସାମୀମାନଙ୍କର ତରଫରୁ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଛି । ବିଚାର ଶେଷ ହେବା ଆଗରୁ ଏ ମକଦ୍ଦମାରେ ଏକ ପରିସ୍ଥିତିରେ ଆସାମୀମାନେ ତାଙ୍କ ପକ୍ଷ ଓକିଲଙ୍କୁ ପ୍ରତ୍ୟାହାର କରିନେଲେ । ତେଣୁ କେମିତି ଧରଣର ଯୁକ୍ତି ତାଙ୍କ ତରଫରୁ ହୋଇଥାଆନ୍ତା ମୁଁ ଜାଣିପାରିଲି ନାହିଁ । କିନ୍ତୁ ଏହା ଅତି ସ୍ପଷ୍ଟ ଯେ, ପୁଲିସ ଗୁଳିଚାଳନା କରିବାର ବହୁ ପୂର୍ବରୁ ବହୁସଂଖ୍ୟକ ହିଂସାକାଣ୍ଡ ଘଟିଯାଇଥିଲା । ଅତଏବ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି ଯେ ଯେଉଁସବୁ ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି, ସେଗୁଡ଼ିକ ସତ୍ୟ ।

 

ବର୍ତ୍ତମାନ ପ୍ରତ୍ୟେକ ଆସାମୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡ଼ିକୁ ବିଚାରକୁ ନେବାକୁ ହେବ । ଏହା କରିବା ଆଗରୁ ମୁଁ ଦୁଇଟି ସାଧାରଣ ବିଷୟ ଏଠାରେ ଆଲୋଚନା କରିବାକୁ ଚାହେଁ । ପ୍ରଥମ ହେଉଛି ଆସାମୀମାନଙ୍କର ହସ୍ତାକ୍ଷର ପରୀକ୍ଷା ସମ୍ପର୍କୀୟ । ଏହା ଦୁଇଭାଗରେ ପ୍ରମାଣିତ ହୋଇଯାଇଛି–ଯେଉଁମାନେ ଆସାମୀଙ୍କର ହସ୍ତାକ୍ଷର ଚିହ୍ନନ୍ତି ସେମିତିକା ସାକ୍ଷୀଙ୍କଦ୍ୱାରା ଏବଂ ପାଟନା ସି.ଆଇ.ଡ଼ି ଅଫିସ୍‍ରେ ଥିବା ହସ୍ତାକ୍ଷର ବିଶେଷଜ୍ଞ ମଧ୍ୟ କେତେକ ପ୍ରମାଣ କରିଯାଇଛନ୍ତି । ସି.ଆଇ.ଡ଼ି ହସ୍ତାକ୍ଷର ବିଶେଷଜ୍ଞ ଓ ଦୁଇଜଣଙ୍କ ବ୍ୟତୀତ ବାକି ସବୁ ସାକ୍ଷୀଙ୍କ ସାକ୍ଷ୍ୟରେ ମୁଁ ସମ୍ପୂର୍ଣ୍ଣରୂପେ ସନ୍ତୁଷ୍ଟ । ଏମାନଙ୍କ ଭିତରୁ ଜଣେ ହେଉଛନ୍ତି କଟକ କଲେକ୍‍ଟରେଟର କିରାଣି । ସେ ସୁରେନ୍ଦ୍ରନାଥଙ୍କର ହସ୍ତାକ୍ଷର ଚିହ୍ନାଇବାଲାଗି ଆସିଥିଲେ । କିନ୍ତୁ ଦେଖାଗଲା ଯେ, ସେ କେବେହେଲେ ତାଙ୍କ ହସ୍ତାକ୍ଷର ସହିତ ପରିଚିତ ହେବାର ସୁଯୋଗ ପୂର୍ବରୁ ପାଇନାହାନ୍ତି । ଅନ୍ୟ ସାକ୍ଷୀ ହେଉଛନ୍ତି ସରକାରୀ ସାକ୍ଷୀ ନଂ ୮୧, ଶ୍ରୀ ଜେ.କେ. ଘୋଷ । ସେ ପିଆରୀମୋହନ ଦାସଙ୍କ ହସ୍ତାକ୍ଷର ଚିହ୍ନାଇବାକୁ ଆସିଥିଲେ । କିନ୍ତୁ ସେ କହିଲେ ଯେ ସେ ମୋଟେ ତାହା ଚିହ୍ନନ୍ତି ନାହିଁ । ସେ ଯାହାହେଉ ପଛକେ, ସୁରେନ୍ଦ୍ରନାଥ ଓ ପିଆରୀ ମୋହନ ଦାସଙ୍କର ହସ୍ତାକ୍ଷର ଅନ୍ୟ ଭାବରେ ଭଲରୂପେ ପ୍ରମାଣିତ ହୋଇସାରିଛି । ହସ୍ତାକ୍ଷର ବିଶେଷଜ୍ଞଙ୍କୁ ପରୀକ୍ଷା କଲାବେଳେ ଆସାମୀ ପକ୍ଷର ଓକିଲମାନେ କରେରିକି ଆସୁଥିଲେ ଏବଂ ଜେରା କରୁଥିଲେ । ତାଙ୍କର ସାକ୍ଷ୍ୟରୁ ସେମାନେ କିଛି ଗୁରୁତର ପ୍ରମାଦ ବାହାର କରିପାରିଲା ଭଳି ମୁଁ ଦେଖିବାକୁ ପାଇଲି ନାହିଁ । ତେଣୁ ମୁଁ ସନ୍ତୁଷ୍ଟ ଯେ ହସ୍ତାକ୍ଷର ସବୁ ଭଲରୂପେ ପ୍ରମାଣିତ ହୋଇଯାଇଛି ।

 

ଦ୍ଵିତୀୟ ସାଧାରଣ ପ୍ରଶ୍ନ ହେଉଛି ଆସାମୀମାନଙ୍କର ଚୂଡ଼ାନ୍ତ ମନୋଭାବ । ୱାରଣ୍ଟ୍ କେସ୍‍ର ଯେ ସବୁ କିଟିମିଟିଆ ପଦ୍ଧତି ରହିଛି, ସେହି ଅନୁସାରେ ସାଧାରଣ ରୀତିରେ ଏ ମକଦ୍ଦମା ଚାଲୁଥିଲା । ଆସାମୀମାନଙ୍କ ତରଫରୁ ୫/୬ ଜଣ ଆଡ଼୍‍ଭୋକେଟ ଓ ଓକିଲ ନିଯୁକ୍ତ ହୋଇଥିଲେ-। ସରକାରୀ ପକ୍ଷର ସାକ୍ଷ୍ୟ ପ୍ରମାଣ ଶେଷ ହେବା ପର୍ଯ୍ୟନ୍ତ ଏମିତି ଭାବରେ ଚାଲିଲା-। ଗତ ଶୁକ୍ରବାର ଦିନ ଏହି ସାକ୍ଷ୍ୟ ଶେଷ ହେଲା ଏବଂ ଶନିବାରଦିନ ମୁଁ ଆସାମୀମାନଙ୍କର ବକ୍ତବ୍ୟ ନେବାର କଥା । ଆସାମୀମାନଙ୍କର ଓକିଲ କେହି କଚେରିରେ ଉପସ୍ଥିତ ନଥିଲେ ଏବଂ ମୁଁ ପ୍ରଥମ ଆସାମୀ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କୁ ପ୍ରଥମେ ପଚାରିଲି । ମାତ୍ର ସେ ଏକ ବିବୃତି ପଢ଼ିଲେ-। ସେଥିରେ ପ୍ରଥମେ ମତେ କିଛି ପ୍ରଶଂସା କରାଯାଇ କୁହାଯାଇଛି ଯେ ମୁଁ ଦ୍ଵନ୍ଦ୍ୱରେ ପଡ଼ିଛି–ଏକ ପାଖରେ ନ୍ୟାୟ ଦେବା ଓ ଅନ୍ୟପଟରେ ମୋର ମାଲିକ ଇଂରେଜ ସରକାର ପ୍ରତି ଭୟ-। ଏହି କାରଣରୁ ସମସ୍ତ ଆସାମୀ ବିଚାରରେ ଆଉ କୌଣସି ଭାଗ ନେବେ ନାହିଁ ବୋଲି ସ୍ଥିର କରିଛନ୍ତି-। ସୁରେନ୍ଦ୍ରନାଥ ଦ୍ଵିବେଦୀ ଜଣେ ବୁଦ୍ଧିମାନ୍ ବ୍ୟକ୍ତି ଏବଂ ସେ ସବୁ ବିଷୟ ଭଲଭାବରେ ବୁଝିପାରନ୍ତି-। ମୁଁ ତାଙ୍କୁ ସତର୍କ କରାଇଦେଲି–କୋଟ୍‍ ଯାହା ପ୍ରଶ୍ନ ପଚାରୁଛି, ତାହାର ଜବାବ ଦେବାକୁ ସେ ବାଧ୍ୟ ନୁହଁନ୍ତି; ମାତ୍ର ନ ଦେଲେ କୋଟ୍‍ ତାଙ୍କର ସେଥିରୁ ଯାହା ଅର୍ଥ ବାହାର କରିବାର କଥା ତାହା କରିବାର ସ୍ଵାଧୀନତା କୋଟ୍‍ରବି ରହିବ । ସେ ଏହାର ତାତ୍ପର୍ଯ୍ୟ ପୂର୍ଣ୍ଣଭାବରେ ବୁଝୁଥିଲା ପରି ମୋର ମନେହେଲା । ତଥାପି ସେ ନିଜ ବକ୍ତବ୍ୟରେ ଅଟଳ ରହିଲେ ଏବଂ ଆଉ କିଛି ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଲେ ନାହିଁ । ଅନ୍ୟ ସବୁ ଆସାମୀ କହିଲେ ଯେ ସୁରେନ୍ଦ୍ରନାଥ ଯେଉଁ ବିବୃତି ଦେଇଛନ୍ତି ସେଥିରେ ସମସ୍ତେ ଏକମତ । ଯେପରି ଦେଖାଯାଉଛି, ମୁଁ ସେମାନଙ୍କୁ ଅଲଗା କିଛି ପ୍ରଶ୍ନ କଲେ ସେମାନେ ତା’ର କିଛି ପୃଥକ୍ ଜବାବ ଦେବେ ନାହିଁ । ମୋର ମନେହେଉଛି, ଏମିତି ଅଲଗା ପ୍ରଶ୍ନ ପଚାରିବା କେବଳ ସମୟ ନଷ୍ଟ ଛଡ଼ା ଆଉ କିଛି ନୁହେଁ । ଆଜିକାଲି କାଗଜ ଯେପରି ଦୁଷ୍ପ୍ରାପ୍ୟ ହୋଇଛି, ସେଥିରେ ବିସ୍ତୃତଭାବରେ ସବୁ ପ୍ରଶ୍ନ ପଚାରି ତା’ର ଉତ୍ତର ଲେଖିଲାବେଳକୁ ବହୁ କାଗଜ ନଷ୍ଟ ହୋଇଯିବ । ତେଣୁ ମୁଁ ପୃଥକ୍ ପ୍ରଶ୍ନ ପଚାରିବାକୁ ବିରତ ହେଲି ।

 

ଆସାମୀମାନେ ଏପରି ଏକ ନିଷ୍ପତ୍ତି ନେଇଥିବାରୁ ମୁଁ ଦୁଃଖିତ । ସେମାନେ ଯଦି ତାଙ୍କ ଓକିଲଙ୍କ ଜରିଆରେ ତାଙ୍କ ତରଫ ବକ୍ତବ୍ୟ ଦେଇଥାନ୍ତେ, ଭଲ ହୋଇଥାଆନ୍ତା । ଯାହାହେଉ, ଏପରି ନିଷ୍ପତ୍ତି ନେବାଲାଗି ସେମାନଙ୍କର ପୂର୍ଣ୍ଣ ଅଧିକାର ଥିଲା ଏବଂ ସେମାନେ ଏଭଳି ନିଷ୍ପତ୍ତି ଗ୍ରହଣ କଲେ । କାହିଁକି ସେମାନେ ହଠାତ୍ ଏପରି ତାଙ୍କର ମତିଗତି ବଦଳାଇଲେ । ତାହା ମୁଁ ଅନୁମାନ କରି କହୁଛି । ଶେଷଦିନ ଜେ.କେ. ଘୋଷ ବୋଲି ଜଣେ ସାକ୍ଷୀଙ୍କର ସାକ୍ଷ୍ୟ ନେବାର କଥା ଥିଲା । ଏହାଙ୍କ ବିଷୟରେ ମୁଁ ଆଗରୁ କହିଛି । ସେ ପିଆରୀମୋହନ ଦାସଙ୍କର ହସ୍ତାକ୍ଷର ପ୍ରମାଣ କରିବାର କଥା ଥିଲା । ମୁଁ ଆଗରୁ କହିଛି ଯେ ସେ ପ୍ରମାଣ କରିପାରିଲେ ନାହିଁ । ସରକାରଙ୍କ ତରଫରୁ କୁହାହୋଇଛି ଯେ ଏହି ଘୋଷ ବାଲେଶ୍ଵରରୁ କେତେ ମାଇଲ ଦୂରରେ ରହନ୍ତି; ମାତ୍ର ଯେତେବେଳେ ବାଲେଶ୍ଵର ଆସନ୍ତି ପିଆରୀମୋହନ ଦାସଙ୍କ ଘରମାଲିକଙ୍କ ଘରେ ରହନ୍ତି । ସେ କିନ୍ତୁ କହିଲେ ଯେ ସେ କେବେ କେମିତି ସେଠି ରହନ୍ତି । ସେ ବରାବର ଆସି ତାଙ୍କର ବିବାହ ସମ୍ପର୍କୀୟ ବନ୍ଧୁ ଶ୍ରୀ ଚାରୁଚନ୍ଦ୍ର ରାୟଙ୍କ ଘରେ ରହନ୍ତି । ସରକାରୀ ଓକିଲ ଏହି ସାକ୍ଷୀଙ୍କୁ ବିରୋଧୀ ବୋଲି ଘୋଷଣା କରିବାଲାଗି ମୂଳଭିତ୍ତି ପକାଇବା ଉଦ୍ଦେଶ୍ୟରେ ବୋଧହୁଏ ପ୍ରଶ୍ନ କଲେ । ତୁମେ ଜାଣ ଯେ, ଚାରୁଚନ୍ଦ୍ର ରାୟ ହେଉଛନ୍ତି ଜଣେ କଂଗ୍ରେସଲୋକ । ସାକ୍ଷୀ ଜଣେ ଶିକ୍ଷିତ ବ୍ୟକ୍ତି ହୋଇ କହିଲେ ସେ ତାହା ଜାଣନ୍ତି ନାହିଁ । ଏଭଳି ଏକ ମିଥ୍ୟା କଥାରେ କୋଟ୍‍ ମନରେ କ୍ରୋଧ ଜାତ ହେବା ସ୍ୱାଭାବିକ । ଶ୍ରୀ ଚାରୁଚନ୍ଦ୍ର ରାୟ ହେଉଛନ୍ତି ବାଲେଶ୍ଵର ବାର୍‍ର ଜଣେ ନେତୃସ୍ଥାନୀୟ ଓକିଲ ଏବଂ ଜଣେ କଂଗ୍ରେସ ଏମ୍.ଏଲ୍.ଏ. । ଏହା ସମସ୍ତେ ଭଲରୂପେ ଜାଣନ୍ତି । ମୁଁ ଅନୁମାନ କରୁଛି, ଏ କଥାଟି ବାଲେଶ୍ଵରର ପ୍ରତ୍ୟେକ ନରନାରୀ, ଏପରି କି ପିଲାମାନଙ୍କୁବି ଜଣା-। ଏ ଶିକ୍ଷିତ ସାକ୍ଷୀଟି ଚାରୁବାବୁଙ୍କର ସମ୍ପର୍କୀୟ ବନ୍ଧୁ ଏବଂ ତାଙ୍କ ଘରେ ଆସି ଅତିଥିରୂପେ କେତେଥର ରହିଛନ୍ତି; ତେଣୁ ନିଶ୍ଚିତ ଭାବରେ ଜଣାଥିବ । ବାସ୍ତବିକ ମୁଁ ଖୁବ୍ ଧମକ ଦେବାରୁ ଏ ସାକ୍ଷୀ ଶେଷକୁ ସ୍ଵୀକାର କଲେ ଯେ ତାଙ୍କୁ ଏସବୁ କଥା ଜଣାଥିଲା । ମୁଁ ଅବଶ୍ୟ ସ୍ଵୀକାର କରୁଛି ଯେ ଏହି ସାକ୍ଷୀ ପ୍ରତି ମୁଁ ଅତି କର୍କଶ ବ୍ୟବହାର ଦେଖାଇଲି–କିନ୍ତୁ ଜଣେ ଜଣାଶୁଣା ମିଥ୍ୟାବାଦୀ ପ୍ରତି ଯେପରି ନିଷ୍ଠୁର ହେବାର କଥା ସେତେ ପରିମାଣରେ ନୁହେଁ । ହୋଇପାରେ, ଆସାମୀମାନେ ଏହି ସାକ୍ଷୀଟିକୁ ତାଙ୍କ ପ୍ରତି ସହାନୁଭୂତିଶୀଳ ବୋଲି ଭାବିଥିଲେ । ତେଣୁ ସେମାନେ ଏଭଳି ପରିସ୍ଥିତି ଦେଖି ଟିକିଏ ଆଶଙ୍କା ପୋଷଣ କରିଥିବେ । ଯଦି ଏହା ମୋର ବ୍ୟବହାରର ବାସ୍ତବ ପରିଣତ ହୋଇଛି, ତାହାହେଲେ ସେଥିଲାଗି ମୁଁ ଦୁଃଖିତ । କିନ୍ତୁ ଆସାମୀମାନଙ୍କ ମନରେ ଆଘାତ ହେବ ବୋଲି ଜଣେ ମିଥ୍ୟାବାଦୀ ସାକ୍ଷୀ ପ୍ରତି କୋଟ୍‍ ଭଦ୍ର ବ୍ୟବହାର ଦେଖାଇ ପାରନ୍ତା ନାହିଁ-

 

ମୁଁ ବର୍ତ୍ତମାନ ଏ ମକଦ୍ଦମାର ପ୍ରଥମ ଓ ମୁଖ୍ୟ ଆସାମୀ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କ ବିଷୟ ଆଲୋଚନା କରିବି । ଏହି ଷଡ଼ଯନ୍ତ୍ରର ସେ ହେଉଛନ୍ତି ମସ୍ତିଷ୍କ ଓ କେନ୍ଦ୍ର (Head and Centre) । ସେ ଅଗଷ୍ଟ ୩ ତାରିଖରେ କଟକରୁ ବମ୍ୱେ ଅଭିମୁଖେ ଏକ ଟିକେଟ କାଟିଲେ ଯଦ୍ଦ୍ଵାରା ସେ ବମ୍ବେଠାରେ ନିଖିଳ ଭାରତ କଂଗ୍ରେସ କମିଟିର ୬ ତାରିଖରେ ହେଉଥିବା ବୈଠକର ଆରମ୍ଭବେଳକୁ ପହଞ୍ଚି ପାରିଥିବେ । ପୁଲିସ ତାଙ୍କୁ ଗିରଫ୍‍ କରିବା ଲାଗି ଯତ୍‍ପରୋନାସ୍ତି ଉଦ୍ୟମ କରିବା ସତ୍ତ୍ଵେ ଧରିପାରିଲେ ନାହିଁ । ଅବଶେଷରେ ଅକ୍ଟୋବର ମାସରେ ଅଲିସାବଜାରର ଏକ ଘରୁ ତାଙ୍କୁ ଗିରଫ୍‍ କରାଗଲା । ବହୁ କାଗଜପତ୍ର ମିଳିଛି ଯଦ୍ଦ୍ଵାରା ସେ ଯେ ସମ୍ପୂର୍ଣ୍ଣ ଦୋଷୀ ଏହା ପ୍ରମାଣିତ ହୋଇଯାଉଛି ।

 

ଏଥିରୁ ପ୍ରଥମେ ମୁଁ ନେଉଛି ଏକ୍‍ଜିବିଟ୍ ୧୦୪ । ଏହା ତାଙ୍କ ହାତରେ ଲେଖା–ସି.ଓ. ପାଖରୁ ବି.ଓ. ପାଖକୁ ଯାଇଥିବା ଚିଠି । ଏଥିର ଅର୍ଥ ବାହାର କରିବା କିଛି କଷ୍ଟକର ନୁହେଁ–ସି.ଓ. ହେଉଛି କେନ୍ଦ୍ର ଅଫିସ୍ ଏବଂ ବି.ଓ. ହେଉଛି ଶାଖା ଅଫିସ୍ । ଏ ଚିଠି ସଂକ୍ରାନ୍ତରେ ଉଲ୍ଲିଖିତ ଶାଖା ଅଫିସ୍ ହେଉଛି ବାଲେଶ୍ଵର ଅଫିସ୍ । ଏ ଚିଠି ପାଇବା ବ୍ୟକ୍ତି ବା ଯାହାଙ୍କ ପାଖକୁ ଲେଖା ହୋଇଥିଲା ସେ ହେଉଛନ୍ତି ଗୌରଚନ୍ଦ୍ର ଦାସ । ଏ ବିଷୟରେ ମୁଁ ପୁଣି ଥରେ ଆଲୋଚନା କରିବି । ଶାଖା ଅଫିସ୍‍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ପ୍ରଥମେ ଯାତାୟାତ ପଥ କାଟିପକାଅ–କଲିକତାଗାମୀ ମେଲ୍‍ଗାଡ଼ିକି ବନ୍ଦ କରାଅ । ଏଥିରେ ପରାମର୍ଶ ଦିଆଯାଇଛି ଯେ ରେଳଲାଇନ୍‍କୁ ଦୁଇ ତିନି ଜାଗାରୁ କାଢ଼ିନେବ ଓ ବହୁଦୂର ନେଇ ବଡ଼ ପୁଷ୍କରିଣୀରେ ଫିଙ୍ଗିଦେବ । ତା’ପରେ ଏଥିରେ ପୁଣି ନିର୍ଦ୍ଦେଶ ଦିଆଯାଇଛି କେମିତି ଥାନା ଦଖଲ ସମ୍ବାଦ ଚାରିଆଡ଼େ ପ୍ରଚାରିତ ହେବ ଏବଂ ତାହା ସାଙ୍ଗେ ଅଧିକରୁ ଅଧିକ ଥାନାମାନ ଦଖଲ କରାଯିବ ।

 

ଏକ୍‍ଜିବିଟ୍ ୧୦୭ ହେଉଛି ଟ୍ରେନ୍‍ରେ ଲେଖାଯାଇଥିବା ଏକ ପତ୍ର । ଏଥିରେ ପୁରୀ ଷ୍ଟେସନ୍ ବାହାରେ କେତେକ ଆପତ୍ତିଜନକ କାଗଜପତ୍ର ସହ ଜଣେ କେହି ଜୟକୃଷ୍ଣ ଗିରଫ୍‍ ହେବା ବିଷୟ ଉଲ୍ଲେଖ କରାଯାଇଛି ।

 

ଏକ୍‍ଜିବିଟ୍ ୭୭ ହେଉଛି ଗୋଟିଏ କଂଗ୍ରେସ ବୁଲେଟିନ୍ । ଏହା ଗଞ୍ଜାମର ଘନଶ୍ୟାମ ପଟ୍ଟନାୟକଙ୍କ ପାଖକୁ ପଠାଯାଉଥିଲା । ଏହା ତାଙ୍କ ପାଖକୁ ଯାଉଥିଲା ବୋଲି ଦ୍ୱିବେଦୀଙ୍କ ନିଜ ହାତରେ ଲେଖା ଅଛି ।

 

ଏକ୍‍ଜିବିଟ୍ ୭୮ ହେଉଛି କଲିକତାର ଜଣେ ଶୈଳେନ୍ଦ୍ରନାଥ ସେନ୍‍ଙ୍କ ପାଖକୁ ଲିଖିତ ଏକ ପତ୍ର, ଯାହା ପୁଲିସ ଡାକଘରୁ ଜବତ କରିଛନ୍ତି । ଏହା ସୁରେନ୍ଦ୍ରନାଥ ଲେଖିଛନ୍ତି ଏବଂ ତାଙ୍କ ଦସ୍ତଖତ ସେଥିରେ ଅଛି । କଲିକତାରୁ କେଉଁ ସୂତ୍ରରେ ଟଙ୍କା ଆସିବ ଏଥିରେ ତାହା ଦର୍ଶାଇଦିଆଯାଇଛି ଏବଂ ତାଳଚେରରେ କ’ଣ କରିବାକୁ ହେବ ସେ ସମ୍ପର୍କରେ କେତେକ ପରାମର୍ଶ ଦିଆହୋଇଛି । ଏଥିରେ କୁହାଯାଇଛି ଯେ କଟକ ସହର ଆକ୍ରମଣ କରିବା ନିମନ୍ତେ ଏକ ଉଦ୍ୟମ ହେବ । ଗାନ୍ଧିଜୀଙ୍କର ଜନ୍ମଦିବସରେ ସରକାରୀ ଅଫିସ୍‍ଗୁଡ଼ିକ ଓ କଟକ ସହର ଦଖଲ ହେବ । ଏଥିଲାଗି ନିଖିଳ ଭାରତ କଂଗ୍ରେସ କମିଟିର କିଛି କାର୍ଯ୍ୟକ୍ରମ ରହିଛି କି ବୋଲି ପଚରାଯାଇଛି ।

 

ଏକ୍‍ଜିବିଟ୍ ୮୭ ହେଉଛି ଗଞ୍ଜାମର ଘନଶ୍ୟାମ ପଟ୍ଟନାୟକଙ୍କ ପାଖକୁ ଏକ ପତ୍ର । ଘନଶ୍ୟାମ ପଟ୍ଟନାୟକ ଭୁଲକ୍ରମେ ଏକ ଚିଠି ବୁକ୍ ଇମ୍ପୋରିଏମ୍ ଠିକଣାରେ ନ ପଠାଇ କଟକ ଇମ୍ପୋରିଏମ୍ ଠିକଣାରେ ପଠାଇଥିବାରୁ ପୁଲିସ ହାତରେ ତାହା ପଡ଼ିଯାଇଛି ବୋଲି ଏଥିରେ କୁହାଯାଇଛି । ଘନଶ୍ୟାମଙ୍କୁ କୁହାହୋଇଛି ଯେ ତୁମକୁ ଯେଉଁ ଠିକଣା ଦିଆଯାଇଥିଲା ତୁମେ ଆଉ ତାହାନାମରେ ଚିଠି ପଠାଇବ ନାହିଁ । ସୁରେନ୍ଦ୍ରନାଥ ଏଥିରେ କହିଛନ୍ତି ଯେ କଟକରେ ସେ ଏକ ବିରାଟ ବିଦ୍ରୋହର ଆୟୋଜନ କରୁଛନ୍ତି । ବୁଲେଟିନ୍ ଗୋଟିଏବି ଏ ଚିଠି ସହ ଗୁନ୍ଥା ହୋଇଛି ।

 

ଏକ୍‍ଜିବିଟ୍ ୯୨ ହେଉଛି ନିଶାମଣି ଖୁଣ୍ଟିଆଙ୍କ ପାଖକୁ ଏକ ପତ୍ର । ଏହା ଏକ ଦୀର୍ଘପତ୍ର । ସାଧାରଣ ଭାବରେ କ’ଣ ସବୁ କରାଯାଇଛି ଏବଂ କ’ଣ କରାଯିବା ଉଚିତ ଏଥିରେ ଉଲ୍ଲେଖ କରାଯାଇଛି । ଏଥିରେ ଟଙ୍କା କଥାବି ଉଲ୍ଲେଖ ଅଛି ଏବଂ ନିଶାମଣିଙ୍କୁ ଯେଉଁ ଠିକଣା ଦିଆଯାଇଥିଲା ସେହି ଠିକଣାରେ ୧୫ ଟଙ୍କା ପଠାଯାଇଛି । ଆସାମୀ ବାଙ୍କବିହାରୀ ଦାସଙ୍କ ହସ୍ତରେ ଲିଖିତ ୧୫ ଟଙ୍କାର ଏକ ମନିଅର୍ଡ଼ର୍ ମଧ୍ୟ ଜବତ କରାଯାଇଛି । ଚିଠି ଓ ବୁଲେଟିନ୍ ବାଣ୍ଟିବାଲାଗି କିପରି ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି ।

 

ଏକ୍‍ଜିବିଟ୍ ୧୧୧ ହେଉଛି ପୁରୀ କର୍ମୀମାନଙ୍କ ପାଖକୁ ଏକ ପତ୍ର । ଅନ୍ୟତ୍ର ଘଟିଥିବା ଘଟଣାଗୁଡ଼ିକର ବିବରଣୀ ଏଥିରେ ଦିଆଯାଇଛି ଏବଂ ସୁରେନ୍ଦ୍ରନାଥ ଆଶା ପୋଷଣ କରିଛନ୍ତି ଯେ ଅକ୍ଟୋବର ୨ ତାରିଖ ସୁଦ୍ଧା ସବୁ ପୋଡ଼ାଜଳା କାର୍ଯ୍ୟ ଶେଷ ହେବ । ସେ ଦିନ ପୁରୀ ଲୋକେ ପୂର୍ଣ୍ଣ ହରତାଳ ପାଳନ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

 

ଏକ୍‍ଜିବିଟ୍ ୧୨୧ ହେଉଛି ଘନଶ୍ୟାମଙ୍କର ସୁରେନ୍ଦ୍ରନାଥଙ୍କ ପାଖକୁ ଏକ ପତ୍ର । ସେଥିରେ କୁହାଯାଇଛି ଯେ କାମ ଆରମ୍ଭ ହୋଇଯାଇଛି, ମାତ୍ର ଟଙ୍କା ଅଭାବରୁ ଆଗେଇ ପାରୁନାହିଁ ।

 

ଏକ୍‍ଜିବିଟ୍ ୧୩୦ ଓ ୧୩୧ ହେଉଛି ସୁରେନ୍ଦ୍ରନାଥଙ୍କ ହାତଲେଖା ଦୁଇଟି ଚିଠି । ଦୁଇଜଣ ବ୍ୟକ୍ତି, ନବଘନବାବୁ ଓ ଭାଗବତ ଚରଣ ମହାନ୍ତିଙ୍କଠାରୁ ଟଙ୍କା ପାଇବା ବିଷୟ ଏଥିରେ ଲେଖାଯାଇଛି ।

 

ଏକ୍‍ଜିବିଟ୍ ୧୯୯ ହେଉଛି ସୁରେନ୍ଦ୍ରନାଥଙ୍କର ଏକ ଚିଠି । ନରସିଂହ ଚରଣ ମହାନ୍ତିଙ୍କ ଘର ଖାନ୍‍ତଲାସ୍‍ରୁ ଏହା ମିଳିଛି । ଯାଜପୁର ଅଞ୍ଚଳରେ କାର୍ଯ୍ୟର କିଭଳି ବ୍ୟବସ୍ଥା କରାଗଲା । ଏ ସମ୍ପର୍କରେ ଏଥିରେ ପଚରାଯାଇଛି । ଆଉ ମଧ୍ୟ ଜିଲ୍ଲାକଂଗ୍ରେସ କମିଟିର ସାଇକଲ୍‍ଟି ଜଣେ କେହି ଗୋବିନ୍ଦଙ୍କୁ ଦେଇଦେବାଲାଗି ନିର୍ଦ୍ଦେଶ ଦିଆଯାଇଛି । ନରସିଂହଙ୍କୁ ପୁଣି ନିର୍ଦ୍ଦେଶ ହୋଇଛି ଯେ ସେ କିଭଳି ଚିଠି ପଠାଇବେ ଏବଂ ଲିଫ୍‍ଲେଟ ବାଣ୍ଟିବେ ଏବଂ ଖଜଣା ନ ଦେବାଲାଗି ସାଧାରଣଙ୍କୁ ମତାଇବେ ।

 

ଏକ୍‍ଜିବିଟ୍ ୨୩୫ ହେଉଛି ପୁରୀ କର୍ମୀମାନଙ୍କୁ ଏକ ଚିଠି ।

 

ଏକ୍‍ଜିବିଟ୍ ୧୪୮ ଓ ୧୫୨ ହେଉଛି କଂଗ୍ରେସ କର୍ମୀମାନଙ୍କୁ ସାଧାରଣ ନିର୍ଦ୍ଦେଶ ଏବଂ ଥାନାକୁ କିଭଳି ଦଖଲ କରିବାକୁ ହେବ ସେ ସମ୍ବଦ୍ଧୀୟ ନିର୍ଦ୍ଦିଷ୍ଟ ପରାମର୍ଶ । ଏ କଥା ମୁଁ ଆଗରୁ ଉଲ୍ଲେଖ କରିଛି ।

 

ଏ ସବୁ ହେଉଛି ସୁରେନ୍ଦ୍ରନାଥଙ୍କ ନିଜହାତର ଲେଖା ।

 

ଆହୁରି ଅନେକ କାଗଜପତ୍ର କଥା ମୁଁ ଏଠାରେ ଉଲ୍ଲେଖ କରୁନାହିଁ । ଏସବୁ ବ୍ୟତୀତ ଆଲିସାବଜାରର ଯେଉଁ ଘରୁ ଶେଷକୁ ସୁରେନ୍ଦ୍ରନାଥ ଦ୍ଵିବେଦୀ ମିଳିଲେ ସେଠାରେ ଖାନ୍‍ତଲାସ୍ କରି ପୁଲିସ ବହୁ କାଗଜପତ୍ର ପାଇଛନ୍ତି । ସେଥିରୁ ପ୍ରମାଣ ମିଳୁଛି ଯେ ବୁଲେଟିନ୍ ସବୁ ପ୍ରକାଶ ପାଉଥିଲା ଏବଂ ସେହି ସ୍ଥାନରେ ଲିଥୋ କରାଯାଉଥିଲା । ଏହି ସ୍ଥାନରୁ ୧୭ ନମ୍ବର ବୁଲେଟିନ୍‍ଟି ବହୁ ସଂଖ୍ୟାରେ ମିଳିଛି । ଏଥିରୁ କେତେକ ପୂରା ପ୍ରସ୍ତୁତ ହୋଇଥିଲା ଏବଂ କେତେକ ଅଧା ଲିଥୋ ହୋଇଚି । ଏହା ବ୍ୟତୀତ ଇଂରେଜୀ, ହିନ୍ଦୀ ଓ ଓଡ଼ିଆରେ ବହୁସଂଖ୍ୟକ ଲିଫ୍‍ଲେଟ୍ ମିଳିଛି, ନିଖିଳ ଭାରତ କଂଗ୍ରେସ କମିଟି ଓ କାର୍ଯ୍ୟକାରୀ କମିଟି ପ୍ରସ୍ତାବର ନକଲ ମଧ୍ୟ । ସେ ଘରେ ଟିକେଟ, ଲଫାଫା ଓ କାଗଜପତ୍ର ସବୁ ରହିଥିଲା । କେତେକ ନିରାପଦ ଠିକଣାର ତାଲିକା ଓ କଟକଜିଲ୍ଲାର କଂଗ୍ରେସ କର୍ମୀମାନଙ୍କ ତାଲିକା ମଧ୍ୟ ମିଳିଛି । ଆଉ ଗୋଟିଏ ଚିଠି । ଆସାମୀ ଲୋକନାଥ ମିଶ୍ରଙ୍କର ଏବଂ ପ୍ୟାରୀମୋହନଙ୍କଠାରୁ ଆସିଥିବା ଆଉ ଏକ ଚିଠି ମିଳିଛି । ମୁଁ ମନେକରୁଛି ଯେ ୧୭ ନମ୍ବର ବୁଲେଟିନ୍‍ଟି ଅଧା ପ୍ରସ୍ତୁତ ହୋଇଥିବା ଅବସ୍ଥାରେ ଏହି ଘରୁ ଏତେ ସଂଖ୍ୟାରେ ମିଳିଥିବାରୁ ଏହା ନିଶ୍ଚିତ ଭାବରେ ପ୍ରମାଣିତ ହେଉଛି ଯେ ସୁରେନ୍ଦ୍ରନାଥ ଦ୍ଵିବେଦୀ ଏହି ବୁଲେଟିନ୍‍ଗୁଡ଼ିକର ପ୍ରକାଶ ଓ ବଣ୍ଟନ ଲାଗି ପୂର୍ଣ୍ଣରୂପେ ଦାୟୀ । ଅନ୍ୟ ଯେଉଁ ସବୁ କାଗଜପତ୍ର ବିଷୟ ମୁଁ ଉଲ୍ଲେଖ କରିଛି ସେଥିରୁ ମଧ୍ୟ ନିଶ୍ଚିତ ଭାବରେ ପ୍ରମାଣିତ ହେଉଛି ଯେ ସେ ଏହି ଆନ୍ଦୋଳନ ପରିଚାଳନା କରୁଥିଲେ । ତେଣୁ ସେ ଯେ ଦୋଷୀ ଏଥିରେ ସନ୍ଦେହ ନାହିଁ ।

 

ଦ୍ଵିତୀୟ ବ୍ୟକ୍ତି ହେଉଛନ୍ତି ନିଶାମଣି ଖୁଣ୍ଟିଆ ।

 

ସୁରେନ୍ଦ୍ରନାଥ ତାଙ୍କୁ ଲେଖିଥିବା ଏକ ଚିଠି ଧରାପଡ଼ିଛି । ଏକ୍‍ଜିବିଟ୍ ୮୨ ସୁରେନ୍ଦ୍ରନାଥ ଦୁଃଖ ପ୍ରକାଶ କରି ଲେଖିଛନ୍ତି ଯେ ଅଇନପୁର ଗ୍ରାମରେ ଯେଉଁ ପିଟୁଣି ଟିକସ ଲୋକଙ୍କ ଉପରେ ବସିଛି, ଏ ଲୋକେ ସେଥିପ୍ରତି କି ମନୋଭାବ ନେଇଛନ୍ତି ସେହି ବିଷୟରେ ସେ ନିଶାମଣି ଖୁଣ୍ଟିଆଙ୍କଠାରୁ କୌଣସି ସମ୍ବାଦ ପାଇ ନାହାନ୍ତି–ଏପରି କି ଏରସମା ଦଖଲ ବିଷୟରେ କୌଣସି ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ନିଶାମଣିଙ୍କୁ ପଚରାଯାଇଛି ଯେ ସେ ଗୋବିନ୍ଦଠାରୁ କିଛି ଖବର ପାଇଛନ୍ତି କି ନାହିଁ । ଆହୁରି କୁହାଯାଇଛି, ଗୋବିନ୍ଦ ସୁରେନ୍ଦ୍ରନାଥଙ୍କୁ ଜବାବ ଦେଇ ଯାଇଥିଲା ଯେ ଏକ ସାଙ୍ଗରେ ତିର୍ତ୍ତୋଲ, ଗୋବିନ୍ଦପୁର ଓ ଜଗତ୍‍ସିଂହପୁର ଥାନାଗୁଡ଼ିକର ଦଖଲ ଲାଗି କିଭଳି ବ୍ୟବସ୍ଥା ହୋଇଛି ସେ ସମ୍ପର୍କରେ ରୀତିମତ ସମ୍ବାଦ ପଠାଇବ । ନିଶାମଣିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ହରତାଳ କରାଅ ଏବଂ ସ୍ୱାଧୀନ ପଞ୍ଚାୟତମାନ ସ୍ଥାପନ କର ।

 

ଏକ୍‍ଜିବିଟ୍ ୯୨ ହେଉଛି ସୁରେନ୍ଦ୍ରନାଥଙ୍କଠାରୁ ନିଶାମଣିଙ୍କ ପାଖକୁ ଲେଖାଯାଇଥିବା ପରବର୍ତ୍ତୀ ଚିଠି । ଏ ବିଷୟ ମୁଁ ଆଗରୁ ଉଲ୍ଲେଖକରିଛି । ଏ ଚିଠିରେ ନାମ ନିଶାମଣିଙ୍କ ପାଖକୁ ଟଙ୍କା ପଠାଇବା ଲାଗି ବ୍ୟବସ୍ଥା କରାଯାଇଥିଲା ଏବଂ ଟଙ୍କା ପଠାଯାଇଥିଲା । କିମିତି ଭାବରେ ଟଙ୍କା ପଠାଯାଇଥିଲା, ସେ କଥା ମୁଁ କହିଛି । ଏକ୍‍ଜିବିଟ୍ ୯୨ ହେଉଛି ଏକ ଅତି ଦୀର୍ଘପତ୍ର । ବିଦ୍ରୋହର ସବୁ କାର୍ଯ୍ୟକଳାପ ଏଥିରେ ବର୍ଣ୍ଣନା କରାଯାଇଛି ଏବଂ ବିଶେଷ ଭାବରେ ଲିଫ୍‍ଲେଟ୍ ବଣ୍ଟନ, ବିଦ୍ରୋହୀମାନଙ୍କ ଭିତରେ ସମ୍ପର୍କ ସ୍ଥାପନ ଓ ଚିଠିପତ୍ର କାରବାର ସମ୍ପର୍କୀୟ ବ୍ୟବସ୍ଥା ଉଲ୍ଲେଖ କରାଯାଇଛି । ଏହା ହେଉଛି ନିଶାମଣିଙ୍କ ବିରୁଦ୍ଧରେ ପ୍ରମାଣ ଏବଂ ମୁଁ ମନେକରୁଛି ଯେ ତାଙ୍କୁ ଶାସ୍ତି ଦେବାଲାଗି ଏହା ଯଥେଷ୍ଟ ।

 

ବାଙ୍କବିହାରୀ ଦାସ ହେଉଛନ୍ତି ତୃତୀୟ ଆସାମୀ । ଏସବୁ ବ୍ୟାପାରରେ ସେ କୌଣସି ପ୍ରଧାନ ଭାଗ ନେଇ ନାହାନ୍ତି । କିନ୍ତୁ ମନେହେଉଛି ଇଏ ହେଉଛନ୍ତି ଅସଲ ବ୍ୟକ୍ତି ଯିଏ କି ଲଫାଫା ଉପରେ ଠିକଣା ଲେଖିଛନ୍ତି ଏବଂ ମନିଅର୍ଡ଼ର୍ ପଠାଇଛନ୍ତି । ଏହି ବ୍ୟକ୍ତି ପୁଣି ଢେଙ୍କାନାଳ ରାଜ୍ୟର ଏକ ଗାଁକୁ ଆସାମୀ ଆଦିକନ୍ଦ ବନାମ ନବଘନ ବେହେରାଙ୍କ ପିତାଙ୍କ ନିକଟକୁ ଏକ ମନିଅର୍ଡ଼ର୍ ପଠାଇଥିଲେ । ଏକ୍‍ଜିବିଟ୍ ୭୮, ୮୨ ଓ ୯୨ ଲଫାଫାଗୁଡ଼ିକ ଓ ଏକ୍‍ଜିବିଟ୍ ୯୫ ମନିଅର୍ଡ଼ର୍ ରସିଦ ଇତ୍ୟାଦି ଏହି ବ୍ୟକ୍ତିଙ୍କର ହାତଲେଖା । ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସେ ଏହି ସଂଗଠନର ଅଫିସ୍ କାର୍ଯ୍ୟ ତୁଲାଉଥିଲେ ।

 

ଚତୁର୍ଥ ବ୍ୟକ୍ତି ହେଉଛନ୍ତି ସଚ୍ଚିଦାନନ୍ଦ ମିଶ୍ର । ଏହି ଆସାମୀଙ୍କ ବିରୁଦ୍ଧରେ ବିଶେଷ କିଛି ପ୍ରମାଣ ନାହିଁ । ଏକ୍‍ଜିବିଟ୍ ୧୨ (କ) ହେଉଛି ସୁରେନ୍ଦ୍ରନାଥଙ୍କ ନିକଟକୁ ଲେଖା ହୋଇଥିବା ଏକ ଚିଠି । ସେଥିରେ କୁହାଯାଇଛି ଯେ ଜଣେ ସଚ୍ଚିବାବୁ ବାଲେଶ୍ଵରରେ ଲିଫ୍‍ଲେଟ୍ ବଣ୍ଟନର ଦାୟିତ୍ଵ ନେବେ । ଏ ଅଞ୍ଚଳରେ କେତେ ସଚ୍ଚିବାବୁ ଅଛନ୍ତି ତା’ର ହିସାବ ନେବାଲାଗି ମୁଁ ଚାହୁଁନାହିଁ । ତେଣୁ ମୋ ବିଚାରରେ ଏ ଆସାମୀଙ୍କୁ ଖଲାସ କରାଗଲା ।

 

ପଞ୍ଚମ ଆସାମୀ ନାରାୟଣ ପ୍ରସାଦ ମହାନ୍ତିଙ୍କ ବିଷୟରେ ପ୍ରମାଣ ହେଉଛି ଏକ୍‍ଜିବିଟ୍ ୧୪୦ । ସେଥିରେ ସେ ନିଜ ହାତରେ ସଭ୍ୟ ସଂଗ୍ରହ ବିଷୟରେ ଏହି ଚିଠି ଲେଖିଛନ୍ତି । ଏହା ଛଡ଼ା ସେ ଯେଉଁ ଘରେ ଥିଲେ ତାହା ଖାନ୍‍ତଲାସ୍ କରାଯାଇ ବହୁସଂଖ୍ୟକ ବୁଲେଟିନ୍ ବାହାରିଛି । ସେଥିରେ ଟିକସ ନ ଦେବାଲାଗି ଉତ୍ତେଜନାପୂର୍ଣ୍ଣ ଲେଖାମାନ ରହିଛି ଓ ଚୌକିଦାରଙ୍କ ପ୍ରତି ନିବେଦନ ରହିଛି । ଯେଉଁ ୧୧ ନମ୍ବର ବୁଲେଟିନ୍ ବାହାରିଥିଲା ତାହା ଓ ଆଉ କେତେକ କାଗଜପତ୍ର ମିଳିଛି । ତେଣୁ ମୋ ମତରେ ଇଏ ଶାସ୍ତି ପାଇବା ଉଚିତ ।

 

ଷଷ୍ଠ ଆସାମୀ ହେଉଛନ୍ତି ନରସିଂହ ଚରଣ ମହାନ୍ତି । ସୁରେନ୍ଦ୍ରନାଥଙ୍କର ଏକ ଚିଠିରେ (ଏକ୍‍ଜିବିଟ୍ ୮୨) ସେ ଏକ ବାର୍ତ୍ତାବହ ବୋଲି ଉଲ୍ଲେଖ କରାଯାଇଛି ଏବଂ ନରସିଂହ ଚରଣଙ୍କ ଘରୁ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କର ଏକ ଚିଠି ମିଳିଛି । ସରକାରୀ ପକ୍ଷର ୨୪ ନମ୍ବର ସାକ୍ଷୀ କହିଛନ୍ତି ଯେ ଯଦିଓ ତାଙ୍କ ନିକଟକୁ ଏହା ଲେଖା ଯାଇ ନଥିଲା ତଥାପି ଏ ଚିଠିଗୁଡ଼ିକ ତାଙ୍କ ପାଖରେ ଲୁଚାଇ ରଖିବା ଲାଗି ନରସିଂହ ଚରଣ ତାଙ୍କୁ କହିଥିଲେ । ମୁଁ ମନେକରେ ଏହାଙ୍କୁ ଶାସ୍ତି ଦେବା ନିମନ୍ତେ ଏ ପ୍ରମାଣ ଯଥେଷ୍ଟ ।

 

ସପ୍ତମ ଆସାମୀ ହେଉଛନ୍ତି ଲୋକନାଥ ମିଶ୍ର । ସେ ଜଣେ ବିଧାନସଭା ସଦସ୍ୟ । ଏକ୍‍ଜିବିଟ୍ ୧୮ରେ ଯେଉଁ କଂଗ୍ରେସକର୍ମୀଙ୍କ ତାଲିକା ରହିଛି ଏବଂ ଏକ୍‍ଜିବିଟ୍ ୯୨ରେ ସୁରେନ୍ଦ୍ରନାଥ ଯେଉଁ ଚିଠି ନିଶାମଣି ଖୁଣ୍ଟିଆଙ୍କୁ ଲେଖିଛନ୍ତି ସେଥିରେ ୟାଙ୍କ ନାମ ଉଲ୍ଲେଖ କରାଯାଇଛି । କୁହାଯାଇଛି ଯେ ଚିଠି ବଣ୍ଟନର ବ୍ୟବସ୍ଥା ଲୋକନାଥ କରିଛନ୍ତି । ଲୋକନାଥଙ୍କର ସୁରେନ୍ଦ୍ରନାଥଙ୍କ ପାଖକୁ ଲିଖିତ ଏକ ଚିଠି ରହିଛି । ଏହା ସେଭଳି କୌଣସି ଦୋଷାବହ ନୁହେଁ । ସେ ଯାହାହେଉ, ଏ ଷଡ଼ଯନ୍ତ୍ରର ପ୍ରସାରରେ ଲୋକନାଥ ଯେ ସମ୍ପୃକ୍ତ ଥିଲେ ତା’ର ଭଲ ପ୍ରମାଣ ମିଳୁଛି । ସେ ଶାସ୍ତି ପାଇବା ଉଚିତ ।

 

ଅଷ୍ଟମ ଆସାମୀ ଆଦିକନ୍ଦ ବନାମ ନବଘନ ବେହେରାଙ୍କ ଘର ଢେଙ୍କାନାଳ ରାଜ୍ୟରେ-। ପୁଲିସ ଯଦିଓ ତାଙ୍କୁ ଖୋଜୁଥିଲେ ମାତ୍ର ଅଗଷ୍ଟ ଓ ସେପ୍‍ଟେମ୍ବର ଦୁଇ ମାସସାରା ତାଙ୍କୁ ପାଇଲେ ନାହିଁ । ସୁରେନ୍ଦ୍ରନାଥ ଦ୍ଵିବେଦୀ ଅଲିସାବଜାରର ଯେଉଁ ଘରୁ ଗିରଫ୍‍ ହେଲେ ସେଇଠି ଇଏବି ମିଳିଲେ । ଏ ଘରୁ ଯେତେ ସଂଖ୍ୟାରେ ଆପତ୍ତିଜନକ ଜିନିଷମାନ ତିଆରି ହେଉଥିବା ଏବଂ ତିଆରି ହୋଇଥିବା ଅବସ୍ଥାରେ ମିଳିଛି ତାହା ବିଚାର କଲେ କେବଳ ଜଣେ ଚାକରକୁ ଏଭଳି ଜାଗାରେ ରଖିବା ଲାଗି ସୁରେନ୍ଦ୍ରନାଥ ଅନୁମତି ଦେଇଥିବା ବିଷୟଟି ବିଶ୍ଵାସ କରାଯାଇ ନ ପାରେ-। ତେଣୁ ମୋ ବିଚାରରେ ଏ ଷଡ଼ଯନ୍ତ୍ରରେ ନବଘନ ବେହେରା ଯେ ସକ୍ରିୟ ସଦସ୍ୟ ଥିଲେ ଏଥିରେ ସନ୍ଦେହ ନାହିଁ ଏବଂ ତାଙ୍କୁ ଶାସ୍ତି ଦେବାକୁ ହେବ ।

 

ନବମ ଆସାମୀ ହେଉଛନ୍ତି ପୁରୀର ବିଶ୍ଵନାଥ ପରିଡ଼ା । ସେ ବୋଧହୁଏ ପୁରୀରେ ସ୍ଥାନୀୟ ନେତା ଥିଲେ । ଏକ୍‍ଜିବିଟ୍ ୪୦ ହେଉଛି ଧରାପଡ଼ିଥିବା ତାଙ୍କ ହାତଲେଖା ଚିଠି । ସେ କହନ୍ତି ଯେ ଯେଉଁ ଦୋକାନୀ ନାମରେ ନିରାପଦ ଠିକଣା ବୋଲି ଚିଠି ଆସୁଥିଲା ସେ ଗିରଫ୍‍ ହୋଇଗଲାଣି । ପୁରୀ ଜିଲ୍ଲାର ଚାରିଆଡ଼କୁ ପ୍ରଚାରପାଇଁ ଲୋକ ପଠାଇ ଦିଆଯାଇଛି ଏବଂ ନିମାପଡ଼ାରେ ଗୁଳି ଘଟଣା ଯୋଗୁଁ ଦୁଇଜଣ ମରି ଯାଇଛନ୍ତି । ସେ ଆହୁରି କହିଛନ୍ତି ଯେ ଏଠାରେ କର୍ମୀ ଅଭାବ, କଟକରୁ କିଛି କଲେଜ ଛାତ୍ରଙ୍କୁ ପଠାନ୍ତୁ । ନିଜ ବିଷୟରେ ସେ ଲେଖିଛନ୍ତି–ମୁଁ ବର୍ତ୍ତମାନ ଏପରି ଅସୁସ୍ଥ ଯେ ଜେଲ ଚାଲିଗଲେ ମୋ ପକ୍ଷରେ ଭଲ ହୁଅନ୍ତା । ଏ ଚିଠିର ସତ୍ୟତା ପ୍ରମାଣିତ ହୋଇଛି । କାରଣ ବିଶ୍ଵନାଥ ପରିଡ଼ା ନିଜେ ଆସି ପୁରୀ ଥାନା ବାରଣ୍ଡାରେ ଶୋଇପଡ଼ିଲେ ଏବଂ ସେହିଠାରେ ତାଙ୍କୁ ଗିରଫ୍‍ କରାଗଲା । ଆହୁରି ମଧ୍ୟ ସରକାରୀ ପକ୍ଷର ଏକାବନ ନମ୍ବର ସାକ୍ଷୀ ଜଣାଇଛନ୍ତି ଯେ ବିଶ୍ଵନାଥ ପରିଡ଼ା ଓ ଅନ୍ୟମାନେ ନୂଆ ମଠରେ ଏକତ୍ରିତ ହେଉଥିଲେ । ସବ୍ଇନ୍‍ସପେକ୍ଟର ସେ ମଠରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଆଯାଉଥିବାବେଳେ ଏକ ଚିଠି ଧରିଛନ୍ତି । ମୋ ମତରେ ବିଶ୍ଵନାଥ ପରିଡ଼ା ଯେ ଦୋଷୀ ଏହା ଅତି ସ୍ପଷ୍ଟ ।

 

ଦଶମ ଆସାମୀ ହେଉଛନ୍ତି ଯଦୁମଣି ଜେନା । ଏ ମଧ୍ୟ ପୁରୀର ଏବଂ ୟାଙ୍କୁ ଖଲାସ କରିଦିଆଯିବ । ୟାଙ୍କ ବିରୁଦ୍ଧରେ କେବଳ ଗୋଟିଏ ପ୍ରମାଣ ରହିଛି–ତା’ ହେଉଛି ଏକ୍‍ଜିବିଟ୍ ୪୦ରେ ବିଶ୍ଵନାଥ ପରିଡ଼ାଙ୍କ ଚିଠି । ସେଥିରେ ସେ ନିଜେ ଜେଲ ଯିବାର ପ୍ରସ୍ତାବ କରି ଲେଖିଛନ୍ତି, “ମୁଁ ଯଦି ଯାଏଁ ତାହାହେଲେ ଶ୍ରୀଧର ରଥ ଓ ଯଦୁମଣି ଜେନା ଏ ସ୍ଥାନର ଚାର୍ଜରେ ରହିବେ ।” ଏହାଛଡ଼ା ଯଦୁମଣି ଜେନାଙ୍କ ବିରୁଦ୍ଧରେ ଅନ୍ୟ କୌଣସି ପ୍ରମାଣ ନାହିଁ ।

 

ଏଗାର ନମ୍ବର ଆସାମୀ ହେଉଛନ୍ତି–ଗୌରଚରଣ ଦାସ (ଗୌରଚନ୍ଦ୍ର ଦାସ) । ବାଲେଶ୍ଵରରୁ ଯେତେ ଆସାମୀ ଆସିଛନ୍ତି ତାଙ୍କ ଭିତରେ ଇଏ ହେଉଛନ୍ତି ପହିଲା ନମ୍ବର । ପ୍ରମାଣ ରହିଛି ଯେ ଗୌରଚନ୍ଦ୍ର ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଥିଲେ । ଅବଶ୍ୟ କେତେକ ଜେରାରୁ ମନେହେଉଛି ସେ ଏକଥା ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ମୋ ବିଚାରରେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ୍‍ଜିବିଟ୍ ୧୦୪ ସୁରେନ୍ଦ୍ରନାଥଙ୍କର ଯେଉଁ ଚିଠି ବିଷୟ ମୁଁ ଆଗରୁ ଉଲ୍ଲେଖ କରିଛି ତାହା ଏହି ଗୌରଚନ୍ଦ୍ରଙ୍କୁ ଲେଖାଯାଇଛି । ଏହା ସି.ଓ. ଠାରୁ ବି.ଓ.କୁ ଏକ ଚିଠି । ତାହା ଅଗଷ୍ଟ ୨୨ ତାରିଖରେ ଲେଖାଯାଇଛି । ଏହା ବାଲେଶ୍ଵର ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରଥମ ବାକ୍ୟ ହେଉଛି, “ମୁଁ ଆଶାକରେ ତୁମେ ନିରାପଦରେ ପହଞ୍ଚିଥିବ ।” ଯେଉଁମାନେ କଟକ ଓ ବାଲେଶ୍ଵରରେ ଗୌରଚନ୍ଦ୍ରଙ୍କର ଗତିବିଧି ଲକ୍ଷ୍ୟ କରୁଥିଲେ ସେଭଳି ଲୋକଙ୍କଠାରୁ ପ୍ରମାଣ ମିଳିଛି ଯେ ସେ ଅଗଷ୍ଟ ୧୬ ତାରିଖରେ ବାଲେଶ୍ଵରରୁ କଟକ ଆସିଲେ ଏବଂ ୧୮ ତାରିଖରେ ବାଲେଶ୍ଵରକୁ ଫେରିଗଲେ । ଏହି ବିଷୟବସ୍ତୁରୁ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚୁଛି ଯେ ଗୌରଚନ୍ଦ୍ରହିଁ ଏ ଚିଠି ପାଇଥିବା ବ୍ୟକ୍ତି । ଏ ଚିଠି ବିଷୟରେ ମୁଁ ଆଗରୁ ଯାହା କହିଛି ତାହାର ଆଉ ପୁନରୁକ୍ତି କରିବାକୁ ଚାହେଁନା । କାରଣ ଏହା ଅତି ପରିଷ୍କାର ଯେ ଏହି ଚିଠି ପାଇଥିବା ବ୍ୟକ୍ତି ଷଡ଼ଯନ୍ତ୍ରରେ ପୂର୍ଣ୍ଣରୂପେ ଜଡ଼ିତ । ଏକ୍‍ଜିବିଟ୍ ୨୪୯, ୨୫୦, ୨୫୧, ୨୪୮, ୨୭୭ ହେଉଛି କେତେଗୁଡ଼ିଏ ବୁଲେଟିନ୍ । ଏଗୁଡ଼ିକ ୟାଙ୍କରି ଦସ୍ତଖତରେ ବାହାର କରାଯାଇଛି ବୋଲି କୁହାଯାଉଛି । ଏକ୍‍ଜିବିଟ୍ ୨୬୬ ହେଉଛି ବାଲେଶ୍ଵରର ଆଉ ଏକ ଆସାମୀ ପ୍ୟାରୀମୋହନ ଦାସଙ୍କ ପାଖକୁ ଗୌରଚନ୍ଦ୍ରଙ୍କର ନିଜ ହାତରେ ଲେଖା ଏକ ଚିଠି । ସେ କହନ୍ତି ଯେ ପ୍ୟାରୀ ଓ ଅନ୍ୟମାନେ ଚାଲିଗଲା ପରେ ଜଣେ ସି.ଆଇ.ଡ଼ି. ଆସିଲା ଏବଂ ତାଙ୍କ ସମ୍ବନ୍ଧରେ ପଚରାପଚାରି କଲା । ତେଣୁ ସେ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ଏହାକୁ ଶାସ୍ତି ଦେବା ଲାଗି ଏସବୁ ପ୍ରମାଣ ଯଥେଷ୍ଟରୁ ଅଧିକ ।

 

ତା’ ପର ଆସାମୀ ହେଉଛନ୍ତି ପ୍ୟାରୀମୋହନ ଦାସ । ସେ ଅବଶ୍ୟ ଗୌରଚନ୍ଦ୍ରଙ୍କ ଲିଖିତ ଚିଠି ଏକ୍‍ଜିବିଟ୍ ୨୬୬ ଅନୁସାରେ ଏଥିରେ ଲିପ୍ତ । ଏକ୍‍ଜିବିଟ୍ ୧୪ର ସେ ହେଉଛନ୍ତି ଲେଖକ । ଏହା ଏକ ଖୁବ୍ ଦୀର୍ଘଚିଠି ସି.ଓ. ଅର୍ଥାତ୍ ସୁରେନ୍ଦ୍ରନାଥଙ୍କୁ ଲେଖାଯାଇଛି । ସେଥିରେ ବାଲେଶ୍ଵର ଜିଲ୍ଲାରେ କ’ଣସବୁ ହେଉଛି ତା’ର ବିସ୍ତୃତ ବିବରଣୀ ବର୍ଣ୍ଣନା କରାଯାଇଛି । ଏହା ପରେ ପରେ ଆଉ ଏକ ଲମ୍ବା ଚିଠି ମଧ୍ୟ ବାଲେଶ୍ଵରରୁ ଆସିଛି । ଏଥିରେ ଲିପ୍ତ ନଥିବା କୌଣସି ବ୍ୟକ୍ତି ଏପରି ଚିଠିସବୁ ଲେଖି ପାରନ୍ତା ନାହିଁ । ତେଣୁ ପ୍ୟାରୀମୋହନ ପରିଷ୍କାର ଭାବରେ ଦୋଷୀ ।

 

ତ୍ରୟୋଦଶ ଆସାମୀ ହେଉଛନ୍ତି ଦୁଃଖିଶ୍ୟାମ ପାଢ଼ୀ । ଇଏ ଦୁଇଟି ଚିଠି ପାଇଛନ୍ତି । ଏକ୍‍ଜିବିଟ୍ ୨୩୭ ହେଉଛି ଗୌରଚନ୍ଦ୍ର ଦାସଙ୍କ ହାତଲେଖା ଚିଠି ଏବଂ ଏହା ୟାଙ୍କ ବିରୁଦ୍ଧରେ ପ୍ରମାଣ ମଧ୍ୟ । ଗୌରଚନ୍ଦ୍ର ଏ ଚିଠିରେ ଦୁଃଖିଶ୍ୟାମଙ୍କୁ ବେଶ୍ ଭର୍ତ୍ସନା କରିଛନ୍ତି । ସେ ଚିଠି ପଠାଇବାର କୌଣସି ଠିକଣା ବ୍ୟବସ୍ଥା କରିନାହାନ୍ତି । ତାଙ୍କଠାରୁ ନିର୍ଦ୍ଦେଶ ନ ନେଇ କଟକକୁ ସବୁ ରିପୋର୍ଟ ପଠାଇଦେଇଛନ୍ତି ଏବଂ ସବୁଠାରୁ ଖରାପ କଥା ହେଉଛି ଯେ ବାସୁଦେବପୁର, ଧୁଷୁରୀ ପ୍ରଭୃତି ଥାନାକୁ ପୋଡ଼ିଦିଆଯାଇଛି ବୋଲି ମିଥ୍ୟା ରିପୋର୍ଟ ପଠାଇଛନ୍ତି । ଦ୍ୱିତୀୟ ଚିଠି ହେଉଛି ବାଲେଶ୍ଵରର ଆଉ ଜଣେ ଷଡ଼ଯନ୍ତ୍ରୀ ରମାକାନ୍ତ ଦାସଙ୍କଠାରୁ । ସେ ବି ଦୁଃଖିଶ୍ୟାମଙ୍କ ଉପରେ ବିରକ୍ତ ହୋଇଛନ୍ତି । ସେ ସଭା ବିଷୟରେ କିଛି ଲେଖିଛନ୍ତି ଏବଂ କହିଛନ୍ତି ଯେ ଚିଠି ସହିତ ଏକ ପାମ୍ପ୍‍ଲେଟ୍ ପଠାଉଛନ୍ତି । ଏ ପାମ୍ପ୍‍ଲେଟ୍‍ଟି ପ୍ୟାରୀମୋହନ ଲିଥୋ କରିବେ ଏବଂ ଦୁଃଖିଶ୍ୟାମ ସେଠୁ ଆଣିବେ । ଦୁଃଖିଶ୍ୟାମ ପାଢ଼ୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଏହା ଯଥେଷ୍ଟ ପ୍ରମାଣ ।

 

ଚତୁର୍ଦ୍ଦଶ ଆସାମୀ ହେଉଛନ୍ତି ରମାକାନ୍ତ ଦାସ । ବାଲେଶ୍ଵରର ଏ ଶେଷ ଆସାମୀ । ମୁଁ ଯେଉଁ ଏକ୍‍ଜିବିଟ୍ ୨୩୮ ଚିଠି କଥା ଲେଖିଛି ସେଥିସକାଶେ ଇଏ ଷଡ଼ଯନ୍ତ୍ରରେ ଲିପ୍ତ । ଆହୁରି ମଧ୍ୟ ସରକାରୀ ପକ୍ଷର ୬୨ ଓ ୬୩ ନମ୍ବର ସାକ୍ଷୀ କହନ୍ତି ଯେ ଗୋଟିଏ ସଭାରେ ରମାକାନ୍ତଙ୍କ ଲିଖିତ ଏକ କାଗଜ କାଳିନ୍ଦୀ ନାମକ ଜଣେ ବ୍ୟକ୍ତି ପାଠ କରିଥିଲେ । ତେଣୁ ରମାକାନ୍ତ ଦାସଙ୍କୁ ଶାସ୍ତି ମିଳିବା ଉଚିତ ।

 

ତା’ପର ବ୍ୟକ୍ତି ହେଉଛନ୍ତି ଘନଶ୍ୟାମ ପଟ୍ଟନାୟକ । ସେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଥିଲେ । ସେ ଯେଉଁ ଘରେ ବାସ କରୁଥିଲେ ସେଠାରୁ ବହୁସଂଖ୍ୟକ କାଗଜପତ୍ର ଧରାହୋଇଛି ଓ ସେଥିରେ ତାହାର ପ୍ରମାଣ ରହିଛି । ଅବଶ୍ୟ ଅଗଷ୍ଟ ୯ ପୂର୍ବରୁ କଂଗ୍ରେସର ସମ୍ପାଦକ ହେବା କିଛି ଗୋଟାଏ ଅପରାଧ ନୁହେଁ । ୟାଙ୍କ ବିରୁଦ୍ଧରେ ଆହୁରି ଅନ୍ୟ ପ୍ରମାଣ ପ୍ରଚୁର ରହିଛି । ଉଦାହରଣସ୍ୱରୂପ ଏକ୍‍ଜିବିଟ୍ ୧୪୮ ଓ ୧୫୨ ଯେଉଁଥିରେ କଂଗ୍ରେସ କର୍ମୀମାନଙ୍କୁ ସାଧାରଣ ନିର୍ଦ୍ଦେଶ ଦିଆଯାଇଛି ଓ ଥାନାଗୁଡ଼ିକ ଦଖଲ କରିବାପାଇଁ ବିଶେଷ ପରାମର୍ଶ ଦିଆଯାଇଛି, ତାହା ଏହି ଭଦ୍ରବ୍ୟକ୍ତି ପାଇଥିଲେ । ଏ ମଧ୍ୟ ଆଉ ଦୁଇଟି ବୁଲେଟିନ୍ ପାଇଥିଲେ ଏବଂ “ଗାନ୍ଧିଜୀଙ୍କ ଶେଷବାର୍ତ୍ତା” ୟାଙ୍କ ପାଖରେ ଥିଲା । ଏ ବିଚରା ଦୁର୍ଭାଗ୍ୟକୁ ସୁରେନ୍ଦ୍ରନାଥଙ୍କ ପାଖକୁ ଲେଖିଥିବା ଏକ ଚିଠି ଭୁଲରେ ବୁକ୍ ଏମ୍ପୋରିୟମକୁ ପଠାଇବା ପରିବର୍ତ୍ତେ କଟକ ଏମ୍ପୋରିୟମକୁ ପଠାଇ ଦେଇଥିଲେ; ଯାହା ଫଳରେ ଏକ ନିରାପଦ ଠିକଣା ଅକାମୀ ହୋଇଗଲା-। ଆହୁରି ମଧ୍ୟ ଏକ୍‍ଜିବିଟ୍ ୭୭ ଓ ୮୭, ଯେଉଁ ଦୁଇଟିରେ ସୁରେନ୍ଦ୍ରନାଥଙ୍କର ଚିଠି କଥା ମୁଁ ଆଗରୁ ଉଲ୍ଲେଖ କରିଛି, ତାହା ଇଏ ପାଇଥିଲେ । ତେଣୁ ସେ ଦୋଷୀ ।

 

ମୁଁ ଏଠାରେ ମନ୍ତବ୍ୟ କରିବାକୁ ଚାହେଁ ଯେ ବିଶ୍ଵନାଥ ପରିଜା ଓ ଘନଶ୍ୟାମ ପଟ୍ଟନାୟକଙ୍କୁ ଭାରତୀୟ ପିଙ୍ଗଳକୋଡ଼୍‍ର ୧୧୭ ଦଫାରେ ଶାସ୍ତି ଦିଆଯାଇପାରୁନାହିଁ । କାରଣ ଯେତେସବୁ ପ୍ରମାଣ ମିଳିଛି ତାହା ହେଉଛି କଟକର ଅଲିସାବଜାରରେ ଷଡ଼ଯନ୍ତ୍ରର କେନ୍ଦ୍ର ସ୍ଥଳରେ ହେଉଥିବା ଘଟନାବଳି । ଏଗୁଡ଼ିକ ମୋ ବିଚାର ପରିସର ଭିତରେ । ମାତ୍ର ଏମାନେ ଲୋକଙ୍କୁ ଯେ ଉତ୍ତେଜିତ କରାଇଥିଲେ ସେ କାର୍ଯ୍ୟଗୁଡ଼ିକ ମୋ ବିଚାର ପରିସର ବାହାରେ । ଏହି କାରଣରୁ ଏ ଦୁଇ ବ୍ୟକ୍ତିଙ୍କୁ ଭାରତୀୟ ପିଙ୍ଗଳକୋଡ଼୍‍ର ୧୧୭ ଦଫା ଅନୁସାରେ ଅପରାଧରୁ ମୁକ୍ତି ଦିଆଯିବ ।

 

ଶେଷ ଆସାମୀ ହେଉଛନ୍ତି ଭୈରବଚନ୍ଦ୍ର ମହାନ୍ତି । ସେ ସେକ୍ରେଟେରିଏଟର ଶିକ୍ଷାବିଭାଗରେ ଜଣେ ସହକାରୀ ଥିଲେ ଏବଂ ଗତ ଅଗଷ୍ଟରେ ସମ୍ବଲପୁରରେ ରହିଥିଲେ । ସେ ତାଙ୍କ ଚାକିରିରୁ ଇସ୍ତଫା ଦେଇ ସେହି ବିଭାଗର ସେକ୍ରେଟେରିଙ୍କୁ ଏକ ଚିଠି ଲେଖିଲେ ଓ ସେଥିରେ ଜଣାଇଦେଲେ ଯେ ସେକ୍ରେଟେରିଏଟ କର୍ମଚାରୀଙ୍କ ଭିତରେ ପ୍ରଚାର କାର୍ଯ୍ୟ କରିବା ନିମନ୍ତେ ସେ ନିଜର ସମସ୍ତ ଶକ୍ତି ଲଗାଇବେ ଏହି ଚିଠି ଅଗଷ୍ଟ ମାସରେ ଲେଖାଯାଇଛି ଏବଂ ଏଥିରୁ ଜଣାପଡ଼ୁନାହିଁ ଯେ ସେ ଏ ଷଡ଼ଯନ୍ତ୍ରର ସଭ୍ୟ ଥିଲେ ବୋଲି । ଏକ ବୁଲେଟିନ୍ ତାଙ୍କ ଦସ୍ତଖତରେ ବାହାରିଥିବା ପରି ଯାହା କୁହାଯାଇଛି, ତାହା ଛଡ଼ା ଏହି ପ୍ରଚାର କାର୍ଯ୍ୟ ଆଉ କୌଣସି ଭାବରେ ସେ କରିଥିବାର କୌଣସି ପ୍ରମାଣ ନାହିଁ । ଯାହାହେଉ ଏସବୁ କାର୍ଯ୍ୟ ସେ ନିଜ ଉଦ୍ୟମରେ କରୁଥିଲେ । ଏକ୍‍ଜିବିଟ୍ ୧୫୫ ହେଉଛି ଏକ ନିରାପଦ ଠିକଣାରେ ସୁରେନ୍ଦ୍ରନାଥଙ୍କ ପାଖକୁ ପଠାଇଥିବା ଏକ ପତ୍ର । ଏହି ଚିଠିର ଅଧା ଅଂଶ ତାଙ୍କର ହାତଲେଖା; ଏଥିରେ ସରକାରୀ କର୍ମଚାରୀମାନଙ୍କୁ ଯେଉଁ ନିବେଦନ କରାଯାଇଛି ସେ ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହି ନିବେଦନ କେତେକ ଲୋକଙ୍କ ପାଖକୁ ପଠାଇବାର ଏକ ତାଲିକା ସେଥିରେ ଦିଆଯାଇଛି । ତେଣୁ ମୋ ବିଚାରରେ ସେ ଶାସ୍ତି ପାଇବା ଉଚିତ ।

 

ଶେଷରେ ପରିଣତି ହେଲା ୪ ନମ୍ବର ଆସାମୀ ସଚ୍ଚିଦାନନ୍ଦ ମିଶ୍ର ଏବଂ ୧୦ ନମ୍ବର ଆସାମୀ ଯଦୁମଣି ଜେନାଙ୍କ ବ୍ୟତୀତ ବାକି ସମସ୍ତେ ଭାରତୀୟ ପିଙ୍ଗଳକୋଡ଼୍‍ର ୧୨୦ (ଖ) ଦଫା ସାଙ୍ଗକୁ ଭାରତରକ୍ଷା ଆଇନର ନିୟମ ୩୮ ଓ ଉପବିଧି ୫ ଅନୁସାରେ ଦଣ୍ଡିତ ହେଲେ । ୪ ନମ୍ବର ସଚ୍ଚିଦାନନ୍ଦମିଶ୍ର, ୯ ନମ୍ବର ବିଶ୍ଵନାଥ ପରିଡ଼ା, ୧୦ ନମ୍ବର ଯଦୁମଣି ଜେନା, ୧୫ ନମ୍ବର ଘନଶ୍ୟାମ ପଟ୍ଟନାୟକ ଓ ୧୬ ନମ୍ବର ଭୈରବଚନ୍ଦ୍ର ମହାନ୍ତିଙ୍କ ବ୍ୟତୀତ ବାକି ସମସ୍ତ ଆସାମୀ ଭାରତୀୟ ପିଙ୍ଗଳକୋଡ଼୍‍ର ୧୧୭ ଦଫାରେ ଦଣ୍ଡିତ ହେଲେ । ଯଦିଓ ଭୈରବଚନ୍ଦ୍ର ସେସନ୍ ଜଜ୍ ହିସାବରେ ମୋ ପରିସର ଭିତରେ ଅପରାଧ କରିଛନ୍ତି ତଥାପି ସ୍ପେଶାଲ ଜଜ୍ ହିସାବରେ ମୋ ପରିସର ଭିତରକୁ ଆସୁନାହାନ୍ତି । ସଚ୍ଚିଦାନନ୍ଦ ମିଶ୍ର ଓ ଯଦୁମଣି ଜେନାଙ୍କୁ ଖଲାସ କରିଦିଆଯାଉଛି-। ଯଦି ଅନ୍ୟ କୌଣସି କାରଣରୁ ତାଙ୍କୁ ଅଟକ କରାଯିବାର ନଥାଏ, ତେବେ ସେ ଦୁହିଁଙ୍କୁ ମୁକ୍ତ କରିଦେବା ଉଚିତ ।

 

ବର୍ତ୍ତମାନ ଶାସ୍ତି କେତେ ଦିଆଯିବ ସେ ପ୍ରଶ୍ନର ବିଚାର କରାଯାଉ । ଏ ଯେଉଁ ବହୁଦିନର ବିଚାର ଚାଲିଲା ସେଥିରେ ଏହି ବ୍ୟକ୍ତିମାନଙ୍କୁ ମୁଁ ଖୁବ୍ ଘନିଷ୍ଠ ଭାବରେ ଲକ୍ଷ୍ୟ କରିଛି । ମୋ ମତରେ ସେମାନେ ନିଜର ବୁଦ୍ଧି ଅନୁସାରେ ସାଧୁ ସଚ୍ଚୋଟ ଭାବରେ କାର୍ଯ୍ୟ କରିଛନ୍ତି । ମୁଁ ଆହୁରି ମଧ୍ୟ ମନେକରେ ଯେ ସେମାନେ ଯେଉଁମାନଙ୍କୁ ସମ୍ମାନ କରନ୍ତି ଏବଂ ଯେଉଁମାନଙ୍କର ନିର୍ଦ୍ଦେଶ ମାନିବା ସେମାନଙ୍କର କର୍ତ୍ତବ୍ୟ ବୋଲି ବିଚାରିଛନ୍ତି ସେହିମାନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି କାର୍ଯ୍ୟ କରିଛନ୍ତି । ମୁଁ ଯେତେସବୁ ବୁଲେଟିନ୍‍ର ଉଲ୍ଲେଖ କରିଛି ପ୍ରାୟ ସବୁଥିରେ ଅଧିକାଂଶ ଜାଗାରେ କଂଗ୍ରେସର ଆହ୍ୱାନରେ ଜନତା ରେଳଲାଇନ୍ ଉଠାଇଛନ୍ତି, ପୁଲିସଷ୍ଟେସନ୍ ପୋଡ଼ିଛନ୍ତି ଓ ସରକାରୀ ଦପ୍ତର ଦଖଲ କରିଛନ୍ତି ବୋଲି ବର୍ଣ୍ଣନା କରାଯାଇଛି । ଏକ୍‍ଜିବିଟ୍ ୧୦୪ ହେଉଛି ବାଲେଶ୍ଵରର ଗୌରଚନ୍ଦ୍ର ଦାସଙ୍କ ନିକଟକୁ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କ ଏକ ପତ୍ର । ସେଥିରେ ସେ ଲେଖିଛନ୍ତି; “କାଲି ନିଖିଳଭାରତ କଂଗ୍ରେସ କମିଟିରୁ ଜଣେ ଲୋକ ଆସି ମତେ ଦେଖା କରିଥିଲେ । ସେମାନେ ଗାନ୍ଧିଜୀଙ୍କଠାରୁ ବିଶେଷ ନିର୍ଦ୍ଦେଶ ପାଇଛନ୍ତି–ତାହା ହେଉଛି ଯେ ଅକ୍ଟୋବର ପୂର୍ବରୁ ଯେକୌଣସିମତେ ଆନ୍ଦୋଳନକୁ ଶେଷ କରିବାକୁ ପଡ଼ିବ ।” ଠିକ୍ ତା’ ପରେ ପରେ ସେ ଚିଠିରେ ଦ୍ୱିବେଦୀ ବିହାରରେ ଯୋଗାଯୋଗ ବ୍ୟବସ୍ଥାକୁ ଧ୍ଵଂସ କରିବା କଥା ଉଲ୍ଲେଖ କରି କଲିକତା ଓ କଟକ ଭିତରେ ରେଳଲାଇନ୍ କାଟିବାର ଆବଶ୍ୟକତା ସମ୍ବନ୍ଧରେ ଲେଖିଛନ୍ତି । ହୋଇପାରେ ଯେ ସୁରେନ୍ଦ୍ରନାଥ ଦ୍ଵିବେଦୀ ତାଙ୍କର ଉପରିସ୍ଥ ପରିଚାଳକମାନଙ୍କର ହୁକୁମ ମାନିବାକୁ ବାଧ୍ୟ ବୋଲି ବିଚାର କରିଛନ୍ତି । ଅଲିସାବଜାର ଘରୁ ନିଖିଳଭାରତ କଂଗ୍ରେସ କମିଟିର ଏକ ବୁଲେଟିନ୍ ଧରାପଡ଼ିଛି । ସେଥିରେ ଯୋଗାଯୋଗ ବ୍ୟବସ୍ଥାକୁ ବିଚ୍ଛିନ୍ନ କରିବା ଏବଂ ଦଙ୍ଗା ଇତ୍ୟାଦି କାର୍ଯ୍ୟକୁ ସମର୍ଥନ କଲାଭଳି ସୂଚନା ରହିଛି । ଆହୁରି ମଧ୍ୟ ସେହି ଘରୁ ଇଂରେଜୀରେ ଏକ ପାମ୍ପ୍‍ଲେଟ୍ ବାହାରିଛି, ଯାହାର ଶିରୋନାମା ହେଉଛି–“ଭାରତ ଯୁଦ୍ଧ ଘୋଷଣା କଲା”–“India Declares War” । ସେହିଥିରୁ ଗାନ୍ଧିଜୀଙ୍କ ନିର୍ଦ୍ଦେଶନାମା ବୋଲି କେତେଗୁଡ଼ିଏ ବିଷୟ ପ୍ରଚାର ଅନ୍ୟତ୍ର କରାଯାଇଛି । ସେଥିରେ କୁହାଯାଇଛି ରେଳବାଇ, ଡାକତାର ଏବଂ ପୁଲିସ ବିଭାଗର ସରକାରୀ ଶାସନକଳକୁ ଅଚଳ କରିଦେବାକୁ ହେବ । ଏହି ଆସାମୀମାନେ ହୁକୁମ ମାନିବାକୁ ବାଧ୍ୟ ବୋଲି ମୁଁ ବିଚାର କଲେ ସୁଦ୍ଧା ଏମାନେ ଯେଉଁ ଅପରାଧ କରିଛନ୍ତି ତା’ର କ୍ଷମା ନାହିଁ ।

 

“ପ୍ରକାଶ୍ୟ ବିଦ୍ରୋହ” ନାମକ ବୁଲେଟିନ୍‍ରେ ବାସ୍ତବ ପରିସ୍ଥିତି ବିଷୟରେ ଯେ ବର୍ଣ୍ଣନା ରହିଛି ଏଥିରେ ସନ୍ଦେହ ନାହିଁ । ଏହି ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ ହେଲା ସରକାରୀ କାର୍ଯ୍ୟ ଅଚଳ କରିଦେବା ଏବଂ ହିଂସା ପ୍ରୟୋଗଦ୍ଵାରା ଅକାମୀ କରିଦେବା । ଏକଥା ମଧ୍ୟ ସତ୍ୟ ଯେ ବହୁ ଜାଗାରେ କୌଣସି ବ୍ୟକ୍ତି ଉପରେ ହିଂସା ପ୍ରୟୋଗ ନ କରିବାଲାଗି ବାରମ୍ବାର କୁହାହୋଇଛି । ମୁଁ ବୁଝିପାରୁ ନାହିଁ, ଏମାନେ ଯେତେବେଳେ ଯୋଗାଯୋଗ ବ୍ୟବସ୍ଥାକୁ ଉଖାଡ଼ିଦେଇ ପୁଲିସ ଥାନା ଦଖଲ କରିବା, ଏପରି କି ଚାରିବାଟିଆର ଉଡ଼ାଜାହାଜ ଘାଟିକୁ ଦଖଲ କରିବାର କଳ୍ପନା କରିଥିଲେ, ତାହା ହିଂସା ପ୍ରୟୋଗ ନ କରି କିପରି ହୋଇପାରନ୍ତା ? ହୋଇପାରେ ଯେ ପୁଲିସଙ୍କୁ ପ୍ରବର୍ତ୍ତାଇ ଏ କାର୍ଯ୍ୟ ବିନା ହିଂସାରେ ହାସଲ କରିବାର ଭାବନା ହୁଏତ ଥିଲା; କିନ୍ତୁ ନିମାପଡ଼ା ଓ ଭଣ୍ଡାରୀପୋଖରୀରେ ଯାହା ସବୁ ଘଟିଯାଇଛି ସେଥିରେ ଏଭଳି ଉଦ୍ଦେଶ୍ୟ କାର୍ଯ୍ୟକାରୀ ହୋଇନାହିଁ । ଯଦି ବା ସେମିତି ଧାରଣା ଥାଏ ଏକ୍‍ଜିବିଟ୍ ୧୫୨ରେ ଯେଉଁ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି ସେଥିରେ କୁହାଯାଇଚି ଯେ ପୁଲିସକୁ ପ୍ରବର୍ତ୍ତାଇବା ସମ୍ଭବ ହେଉ ନ ହେଉ ଥାନାଗୁଡ଼ିକ ଦଖଲ କରିବାକୁ ପଡ଼ିବ ଏବଂ ଆହୁରି ମଧ୍ୟ ବହୁସଂଖ୍ୟକ ପୁଲିସଥାନା ପୋଡ଼ିଦିଆଯାଇଥିବାର ଦୃଷ୍ଟାନ୍ତ ରହିଛି ସେଥିରୁ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଇଛି । ଏହିସବୁ ଥାନା ଦଖଲ କରିବାର ବିଶେଷ ନିର୍ଦ୍ଦେଶନାମା ପଢ଼ିଲେ ଅହିଂସା ଏକ ଛଳନା ବୋଲି ବାସ୍ତବିକ ମନେହେବ । ସୁରେନ୍ଦ୍ରନାଥ ଦ୍ଵିବେଦୀ ନିଜେ ଏକ ଚିଠିରେ ଦୁଃଖ କରି ଲେଖିଛନ୍ତି ଯେ ଯେଉଁ ଜନତା ଅହିଂସା ଦୀକ୍ଷା ଧରି ଯିବେ ସେମାନଙ୍କର କୌଣସି ରାଜନୀତିକ ଚେତନା ନାହିଁ । ସେମାନଙ୍କର ଅହିଂସା ଉପାୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନରେ ଭୟ ପୋଷଣ ନ କରି ସାହସ ଆଣିବାଲାଗି ଲାଠି ଓ ଠେଙ୍ଗା ସାଙ୍ଗରେ ନେବେ । କେହି କେବେ ବିଶ୍ଵାସ କରିବ ନାହିଁ ଯେ ଏପରି ସଶସ୍ତ୍ର ଜନତା ହିଂସାରୁ ବିରତ ହେବେ ଏବଂ ପ୍ରକୃତରେ କାର୍ଯ୍ୟତଃ ତାହା ହୋଇ ନାହିଁ । ଏ ଆସାମୀମାନେ ନିଜର ଉଦ୍ଦେଶ୍ୟ ହାସଲ କରିବା ନିମନ୍ତେ ହୁଏତ ହିଂସା ପ୍ରୟୋଗ କରିବାଲାଗି ପ୍ରସ୍ତୁତ, ନଚେତ୍ ସେମାନେ ଯେଉଁ ଅହିଂସାର ଅବତାରଣା କରିଛନ୍ତି ତାହା କେବଳ ଶଠତା କିମ୍ବା ନିଜ ବୁଦ୍ଧିର ଅଭାବ ହେତୁ ଏପରି ଲେଖିଛନ୍ତି । କିନ୍ତୁ ଏମାନଙ୍କ ଭିତରୁ କେତେକଙ୍କର ଯେ ବୁଦ୍ଧିର ଅଭାବ ନାହିଁ ଏହା ନିଶ୍ଚିତ । ଏମାନେ ବିଦ୍ରୋହ କରିଛନ୍ତି ଏବଂ ତାହାର ପରିଣତ ଭୋଗିବାକୁ ପଡ଼ିବ ।

 

ତେଣୁ ମୁଁ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କୁ ଭାରତୀୟ ପିଙ୍ଗଳକୋଡ଼୍‍ର ୧୨୦ (ଖ) ଦଫା ସହିତ ଭାରତରକ୍ଷା ଆଇନର ୩୮ (୫) ନିୟନ ଅନୁସାରେ ଶାସ୍ତି ଦେଉଛି ଏବଂ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡ ହୁକୁମ ଦେଉଛି । ଆହୁରି ମଧ୍ୟ ଭାରତୀୟ ପିଙ୍ଗଳକୋଡ଼୍‍ର ୧୧୭ ଦଫା ଅନୁସାରେ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଦେଉଛି । ଅର୍ଥାତ୍ ସେ ପୂରା ଛଅବର୍ଷ ସଶ୍ରମ କାରାଦଣ୍ଡ ଭୋଗକରିବେ ।

 

ବିଶ୍ଵନାଥ ପରିଡ଼ା, ଘନଶ୍ୟାମ ପଟ୍ଟନାୟକ ଓ ଭୈରବଚନ୍ଦ୍ର ମହାନ୍ତିଙ୍କୁ ଭାରତୀୟ ପିଙ୍ଗଳକୋଡ଼୍‍ର ୧୨୦ (ଖ) ସହ ଭାରତରକ୍ଷା ଆଇନର ୩୮ (୫) ନିୟମ ଅନୁସାରେ ମୁଁ ଚାରିବର୍ଷ ସଶ୍ରମ କାରାଦଣ୍ଡ ଆଦେଶ କରୁଛି ।

 

ନିଶାମଣି ଖୁଣ୍ଟିଆ, ବାଙ୍କବିହାରୀ ଦାସ, ନାରାୟଣ ପ୍ରସାଦ ମହାନ୍ତି, ନରସିଂହ ଚରଣ ମହାନ୍ତି, ଲୋକନାଥ ମିଶ୍ର, ଆଦିକନ୍ଦ ବନାମ ନବଘନ ବେହେରା, ଗୌରଚନ୍ଦ୍ର ଦାସ, ପ୍ୟାରୀମୋହନ ଦାସ, ଦୁଃଖିଶ୍ୟାମ ପାଢ଼ୀ ଓ ରମାକାନ୍ତ ଦାସଙ୍କୁ ଭାରତୀୟ ପିଙ୍ଗଳକୋଡ଼୍‍ର ୧୨୦ (ଖ) ସହ ଭାରତରକ୍ଷା ଆଇନର ୩୮ (୫) ନିୟମ ଓ ଭାରତୀୟ ପିଙ୍ଗଳକୋଡ଼୍‍ର ୧୧୭ ଦଫା ଅନୁସାରେ ପ୍ରଥମ ଦଫାରେ ୪ ବର୍ଷ ଓ ଦ୍ଵିତୀୟ ଦଫାରେ ଏକବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଉଛି । କିନ୍ତୁ ଏମାନେ ମୋଟରେ ଚାରିବର୍ଷ ଜେଲଦଣ୍ଡ ଭୋଗିବେ ।

 

ଏ ଆସାମୀମାନଙ୍କୁ ପ୍ରଥମ ଡିଭିଜନ (ରାଜନୀତିକ) ଶ୍ରେଣୀରେ ରଖାଯିବା ଲାଗି ମୁଁ ସୁପାରିସ୍ କରୁଛି ।

 

ସଚ୍ଚିଦାନନ୍ଦ ମିଶ୍ର ଓ ଯଦୁମଣି ଜେନା ଏ ଦୁଇଜଣ ଆସାମୀଙ୍କୁ ମୁକ୍ତକରିଦିଆଗଲା ।

 

ସରକାରୀ ଓକିଲ ଏ ମକଦ୍ଦମାରେ ମତେ ଯେପରି ସାହାଯ୍ୟ କରିଛନ୍ତି ସେଥିଲାଗି ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ଏବଂ ସି.ଆଇ.ଡ଼ି ଇନ୍‍ସପେକ୍ଟର ଶ୍ରୀ ଗଙ୍ଗାଧର ଦ୍ଵିବେଦୀ ଯେପରି ଦକ୍ଷତାର ସହିତ ସୁଚାରୁରୂପେ ପୂର୍ଣ୍ଣ ତଦନ୍ତ କରିଛନ୍ତି ତାହା ପ୍ରଶଂସନୀୟ ।

 

ଜେ.ଇ. ମାହେର

ସ୍ପେଶାଲ ଜଜ୍

୨୩–୩–୧୯୪୩

☆☆☆

 

ଜେଲଜୀବନ ଓ କଟକଣା

 

ମାହେର୍ ସାହେବଙ୍କ ରାୟ ବାହାରିବା ପରେ ଆମର ଆତ୍ମୀୟସ୍ଵଜନ ଆଶ୍ୱସ୍ତି ଲାଭ କଲେ । କାହାରିକି ଫାଶୀ ବା ଅନ୍ୟ କୌଣସି ଗୁରୁତର ଶାସ୍ତି ମିଳିଲା ନାହିଁ । ବାସ୍ତବିକ ୩୦୨ ପ୍ରଭୃତି ଯେଉଁ ମାରାତ୍ମକ ଦଫାରେ ପ୍ରଥମେ ମକଦ୍ଦମା ରୁଜୁ ହୋଇଥିଲା, ସେଥିର ପରିଣତି ତତ୍କାଳୀନ ପରିସ୍ଥିତିରେ ଭୟାବହ ହେବା ଆଶଙ୍କା କରାଯିବାର କଥା । ଯେପରି ଭାବରେ ପୁଲିସ୍ ପକ୍ଷରୁ ପ୍ରମାଣ ଆଦି ସଂଗ୍ରହ କରାଯାଇଥିଲା ଏବଂ ଯେମିତି ଭାରତରକ୍ଷା ଆଇନର ଅଖଣ୍ଡ କ୍ଷମତା ବିଚାରକ ହାତରେ ରହିଥିଲା, ସେଥିରେ ଏଭଳି ଆଶଙ୍କା ଅସ୍ଵାଭାବିକ ନୁହେଁ । କିନ୍ତୁ ମୋର ଏବେବି ବିଶ୍ୱାସ, ଯଦି ମାହେରଙ୍କ ପରି ଜଣେ ଆୟର୍ଲାଣ୍ଡବାସୀ ଜଜ୍ ଏବଂ ବାଞ୍ଛାନିଧି ମହାପାତ୍ରଙ୍କ ପରି ଜଣେ ଉଦାରବାଦୀ ସରକାରୀ ଓକିଲ ନଥାନ୍ତେ, ତେବେ ପୁଲିସଙ୍କ ପକ୍ଷରେ ନିଜ ଉଦ୍ଦେଶ୍ୟ ହାସଲ କରିବା କିଛି ଅସମ୍ଭବ ହୋଇ ନଥାନ୍ତା ।

 

ଯାହାହେଉ ମାହେର୍ ସାହେବଙ୍କ ରାୟ ପରେ ଆମେ ସମସ୍ତେ କଟକ ଜେଲରେ ରହିଲୁ । ବନ୍ଦିଶାଳାର ବାୟୁମଣ୍ଡଳ ଖୁବ୍ ଉତ୍ସାହଜନକ ନଥିଲା । ସେତେବେଳକୁ ଲୋକେ ପ୍ରାୟ ବର୍ଷେ ପାଖାପାଖି ଜେଲରେ ରହିସାରିଲେଣି–କେତେକଙ୍କର ବିଚାରବି ଲାଗିଥାଏ । କେତେକ ଏଇ କେତେ ମାସ ଅଟକ ରହି ବଡ଼ ଥକିପଡ଼ିଥିଲେ । ସେମାନଙ୍କ ମନରେ ନାନାପ୍ରକାର ଚିନ୍ତା । ଅନେକଙ୍କର ବିଷୟ–ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । କେତେକ ଦରିଦ୍ର ଦୁଃଖୀ ପରିବାରର ଲୋକ ବଡ଼ ହଇରାଣରେ ବାହାରେ ଦିନ କାଟୁଥିଲେ । ଏରସମା ଥାନା–ପୋଡ଼ା ଘଟଣା ପରି ମକଦ୍ଦମା ସଂକ୍ରାନ୍ତରେ ଗିରଫ୍‍ ହୋଇ ବହୁ ଗରିବ ସାଧାରଣ ଲୋକ ମଧ୍ୟ ଜେଲରେ ରହିଥିଲେ । କେହି ଆଗପଛକୁ ଯୋଜନା କରି ଆସି ନଥିଲେ । ଏରସମାରେ ବାସ୍ତବିକ ଏକ ଜନବିଦ୍ରୋହ ହୋଇଥିଲା-। ଏଥିରେ ପ୍ରାୟ ସତୁରିରୁ ଅଧିକ ଗ୍ରାମବାସୀ ଶାସ୍ତି ପାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ–ମଜୁରିଆ, ଚାଷୀ । ସେମାନଙ୍କ ଘର-ସଂସାର ଚଳେ କେମିତି ! ବେଳେବେଳେ ତାଙ୍କ ଘରୁ ଯେତେବେଳେ ଚିଠି ଆସେ ବା କେହି ଆତ୍ମୀୟ ଆସି ସେମାନଙ୍କୁ ସାକ୍ଷାତ କରି କିଛି ସମ୍ବାଦ ଦେଇଯାଉଥିଲେ, ସେଥିରେ ସେମାନେ ମ୍ରିୟମାଣ ହୋଇପଡ଼ୁଥିଲେ । ଦେଶରେ ଏତେ ବଡ଼ ଗୋଟାଏ ବିପ୍ଳବ ହେଉଥିବାବେଳେ କେତେକ ଲୋକଙ୍କୁ ଏମିତି କଷ୍ଟ ଭୋଗିବାକୁ ପଡ଼ିଥାଏ–ଏଥିରେ ବିଚଳିତ ହେବାର କିଛି କାରଣ ନାହିଁ । ଦେଶର ବିଦ୍ରୋହୀମାନେ ନିଜକୁ ସେଥିଲାଗି ପ୍ରସ୍ତୁତ କରି ଯାଇଥାନ୍ତି । ମାତ୍ର ଆମର ଯେଉଁ ଜନତା ଜେଲ ଭିତରେ ପ୍ରବେଶ କଲେ, ସେମାନେ ସେପରି ଭାବରେ ଅନୁପ୍ରାଣିତ ହୋଇଥିବେ ବୋଲି ଆଶା କରାଯାଇ ନପାରେ । ସେମାନଙ୍କୁ ଜେଲ ଭିତରେ ଉତ୍ସାହ ଦେବାର ଦାୟିତ୍ଵ ଥିଲା ପୁରୁଖା ଓ ପୁରୁଣା କଂଗ୍ରେସ ଲୋକଙ୍କର । ମାତ୍ର ଜେଲରେ ଦେଖାଯାଉଛି ଏହି ତଥାକଥିତ ନେତୃମଣ୍ଡଳୀ ଓ ମୁଖ୍ୟ ବ୍ୟକ୍ତିମାନେହିଁ ନୈରାଶ୍ୟଜନକ ବାୟୁମଣ୍ଡଳ ସୃଷ୍ଟି କରିଥିଲେ । ସେମାନଙ୍କ ମନ ନୈରାଶ୍ୟ ଓ ବିଷାଦରେ ପୂରିରହିଥିଲା । ସରକାର ଯଦି ବାଛବିଚାର ନରଖି ଗିରଫ୍‍ କରି ନଥାଆନ୍ତା ଏବଂ ସରକାରୀ–ବିରୋଧୀ କାର୍ଯ୍ୟରେ ପ୍ରତ୍ୟକ୍ଷଭାବରେ ଲିପ୍ତ ହେବାପରେ ଗିରଫ୍‍ କରିବାରେ ନୀତି ଗ୍ରହଣ କରିଥାଆନ୍ତା, ତେବେ ଅନେକ ‘କଂଗ୍ରେସ’ ନେତା ଯୋଗାଡ଼ କରି ମୁଣ୍ଡ ଖସେଇ ବାହାରେ ରହିଯାଇଥାନ୍ତେ ।

 

ସେମାନଙ୍କର ଏପରି ନୈରାଶ୍ୟଭାବକୁ ପ୍ରକୃତରେ ଭାଙ୍ଗୁଥିଲେ ଯୁବକ ଓ ଛାତ୍ରମାନେ । ବହୁସଂଖ୍ୟାରେ ଯୁବକ ଓ ଛାତ୍ର ଜେଲରେ ଥିଲେ । ଅଗଷ୍ଟ ବିପ୍ଳବର ଏହା ଥିଲା ଏକ ବିଶେଷତ୍ଵ । ସେମାନେ ଆସିଥିଲେ ନବୀନ ଉତ୍ସାହ, ନବ ତେଜ ଓ ନୂଆ ଆଶା ନେଇ । ଶେଷ ସ୍ୱାଧୀନତା ଲଢ଼ାଇର ଭାବନା ପ୍ରାଣରେ ଉନ୍ମାଦନା ଜାଗ୍ରତ କରାଉଥିଲା । ଜେଲ ଭିତରେ ଏହି ଯୁବଶକ୍ତିକୁ ଠିକଣାକରି ରଖିପାରିଲେ ସେମାନେ ଭବିଷ୍ୟତରେ ଜନନାୟକ ହୋଇପାରିବେ । ତେଣୁ ନାନାପ୍ରକାର ରାଜନୀତିକ ଆଲୋଚନା, ପୁସ୍ତକ ଅଧ୍ୟୟନ ଆଦି କରାଯାଉଥିଲା । ଭଲ ପୁସ୍ତକ ମିଳିବା ସର୍ବଦା କଷ୍ଟକର । ତଥାପି ଏହିଭଳି କାର୍ଯ୍ୟରେ ଯୁବକମାନେ ନିଯୁକ୍ତ ହୋଇ ନିଜର ସମୟ କଟାଉଥିଲେ । ଜେଲ-କର୍ତ୍ତୃପକ୍ଷଙ୍କ ସହିତ ନାନା ଘଟଣାରେ ସଂଘର୍ଷ ଉପୁଜାଇ ସେମାନେ ବାୟୁମଣ୍ଡଳକୁ ସରଗରମ କରି ରଖିଥିଲେ । ନୂତନ ଜୀବନ ଦାନ କରୁଥାଆନ୍ତି ଯୁବକମାନେ ଓ ମୋର ନିଜର ଯାହା ଅଭିଜ୍ଞତା, ଏହି ଯୁବକର୍ମୀମାନେ ଦୃଢ଼ ଓ ଉଗ୍ର ମନୋଭାବ ପୋଷଣ ନକରିଥିଲେ ଆମେ ବ୍ରିଟିଶ ଶକ୍ତି ପାଖରେ ଦୀର୍ଘକାରାଦଣ୍ଡ ଭିତରେ ଅତ୍ୟନ୍ତ ଅପମାନଜନକ ପରିସ୍ଥିତିରେ ସମ୍ମୁଖୀନ ହୋଇପଡ଼ିଥାନ୍ତୁ ।

 

ଆମର ସବୁ ସାଥୀଙ୍କି ଏକାଠି ରଖାଗଲା । ମାହେର୍ ସାହେବ ସମସ୍ତିଙ୍କି ପ୍ରଥମ ଡିଭିଜନର ରାଜନୀତିକ ବନ୍ଦୀ କରିଦେଇଥିବାରୁ ଏପରି ସୁବିଧା ହେଲା । ରାଜବନ୍ଦୀକୁ ସାଧାରଣତଃ କ, ଖ ଓ ଗ ଶ୍ରେଣୀଭୁକ୍ତ କରାଯାଇଥାଏ । ‘କ’ ଶ୍ରେଣୀଭୁକ୍ତ ବନ୍ଦୀଙ୍କର ଖାଇବା ଓ ରହିବାପାଇଁ ଅପେକ୍ଷାକୃତ ଅଧିକ ସୁବିଧା ଥିଲା । ସେମାନେ ଇଚ୍ଛା କଲେ ନିଜ ଲୁଗା ମଧ୍ୟ ପିନ୍ଧିପାରୁଥିଲେ, ନଚେତ୍ ଅନ୍ୟ ଶ୍ରେଣୀର ରାଜବନ୍ଦୀମାନଙ୍କୁ ଜେଲପକ୍ଷରୁ ଦିଆଯାଉଥିବା ଛୋଟ ଜଙ୍ଘିଆ ପିନ୍ଧିବାକୁ ପଡ଼ୁଥିଲା । ତାହାଛଡ଼ା ଦେଖାସାକ୍ଷାତ୍ ଓ ଚିଠିପତ୍ର ବାହାରକୁ ପଠଇବାରେ ଏମାନଙ୍କର ଅଧିକ ସୁବିଧା ଥିଲା । କଟକ ଜେଲରେ ସବୁ ରାଜବନ୍ଦୀ ପ୍ରାୟ ଏକପାଖରେ ଥିଲେ । ମିଳାମିଶା କରିବାର ସୁଯୋଗ ଥିଲା । ଜେଲ କର୍ତ୍ତୃପକ୍ଷ ମଧ୍ୟ ଜାଣିଶୁଣି ଏହା କରିଥିଲେ । ଶାସନ ଦୃଷ୍ଟିରୁ ରାଜବନ୍ଦୀଙ୍କୁ ଏକସାଙ୍ଗରେ ରଖିଲେ ସେମାନଙ୍କ ପକ୍ଷରେ ନିୟନ୍ତ୍ରଣ କରିବା ସହଜ । ରାଜବନ୍ଦୀମାନେ ଯଦି ଅନ୍ୟ ବନ୍ଦୀଙ୍କ ସହ ମିଶନ୍ତି ତେବେ ସେହି ବନ୍ଦୀମାନଙ୍କୁ ଜେଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଉତ୍ସାହିତ ଓ ସଙ୍ଗଠିତ କରିବାର ଆଶଙ୍କା ରହିଥାଏ । ତେଣୁ ସେମାନେ ରାଜବନ୍ଦୀଙ୍କୁ ପ୍ରାୟ ଏକସ୍ଥାନରେ ରଖୁଥିଲେ । କେବଳ ମହିଳା ରାଜବନ୍ଦୀମାନେ ଅନ୍ୟତ୍ର ପୃଥକ୍ ଭାବରେ ରହିଥିଲେ । ୧୯୪୨ ମସିହାବେଳକୁ ଜେଲ ନିୟମରେବି କିଞ୍ଚିତ୍ ପରିମାଣରେ ସଂସ୍କାର ହୋଇଥାଏ–୧୯୨୧, ୩୦ ଓ ୩୨ ପରି କଠୋରତା ନଥାଏ । ୧୯୩୭-୩୮ରେ ଭାରତର କେତେକ ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରିପାରିଥିବାରୁ ରାଜନୈତିକ ବନ୍ଦୀଙ୍କପାଇଁ କେତେକ ସ୍ୱତନ୍ତ୍ର ସୁବିଧା ମଧ୍ୟ ବ୍ୟବସ୍ଥା କରାଯାଇଥିଲା । କାରବରଣ ପୂର୍ବପରି ଯନ୍ତ୍ରଣାଦାୟକ ନଥିଲା । ଆମର ସାଙ୍ଗସାଥୀମାନେ ମିଳିମିଶି ରହିବାର ସମସ୍ତ ସୁଯୋଗ ପାଇଲେ ।

 

ମତେ ଜେଲଦଣ୍ଡ ଦେଇ ସୁଦ୍ଧା ସରକାର ସନ୍ତୁଷ୍ଟ ହୋଇପାରିଲେ ନାହିଁ । ମୋର ସାଙ୍ଗସାଥୀଙ୍କଠାରୁ ମତେ ସ୍ଵତନ୍ତ୍ର କରି ଏକ ସେଲ୍ (ନିର୍ଜନ କୋଠରୀ)ରେ ରଖାଗଲା । ମୋର ଗତିବିଧିକି ସୀମିତ କରିଦିଆଗଲା । ଅନ୍ୟ କାହାରି ସହ ମିଶିବାର ସୁଯୋଗ ଦିଆଗଲା ନାହିଁ । ଜେଲର ବିଭିନ୍ନ ୱାଡ଼୍‍ରେ ସ୍ଵତନ୍ତ୍ର ଜଗୁଆଳି ରହୁଥିଲେ । ତା’ସତ୍ତ୍ୱେ ମତେ ଯେଉଁ ସେଲ୍ ଭିତରେ ରଖାଯାଇଥିଲା ସେଠାରେ ମଧ୍ୟ ୱାଡ଼୍‍ର ଜଗୁଆଳିରୂପେ ରହିଥିଲେ । ହୁଏତ ଇଂରେଜ ସରକାରଙ୍କର ସାଧାରଣ ଜଗୁଆଳିଙ୍କ ଉପରେ ଭରସା ହେଲା ନାହିଁ । ତେଣୁ ଏକେ ତ ଜେଲରେ ରହିଲି, ଜେଲ ଭିତରେ ପୁଣି ନିର୍ଜନ ବାସ । ଦ୍ଵିତୀୟରେ ମୋ ପାଖରେ ଏକ ଖାସ୍ ଜଗୁଆଳି ଯିଏକି ସର୍ବଦା ଡାହାଳକୁକୁର ପରି ମୋ ଆଡ଼କୁ ଅନାଇ ରହୁଥିଲା । ତେଣୁ ମୁହୂର୍ତ୍ତେ ସୁଦ୍ଧା ଆଖିଆଗରୁ ବାହାରେ ରହିବା ସମ୍ଭବ ନଥିଲା । ଅଣ୍ଡରଗ୍ରାଉଣ୍ଡ୍‍ରେ ଥିବା ସମୟରେ ମୋର କିଛି ପରିମାଣରେ ସ୍ୱାସ୍ଥ୍ୟ ଭଗ୍ନ ହୋଇଥିଲା, ରକ୍ତହୀନତା ଦେଖାଦେଇଥିଲା–ମାତ୍ର ମନର ଆବେଗ ହେତୁ ସେଥିପ୍ରତି ବିଶେଷ ନଜର ନଥିଲା । ଜେଲ ଭିତରେ ମୋ ଉପରେ ଖାଲି ଯେ ଏତିକି କଟକଣା ରହିଥିଲା ତା’ନୁହେଁ–ମୁଁ ଅନ୍ୟମାନଙ୍କ ସହ ସ୍ୱଚ୍ଛନ୍ଦରେ କଥାବାର୍ତ୍ତା କରିପାରୁ ନଥିଲି କି ମିଶି ପାରୁ ନଥିଲି । ଏହାରବି ଏକ ପ୍ରତିକ୍ରିୟା ମୋ ମନ ଓ ସ୍ଵାସ୍ଥ୍ୟ ଉପରେ ପଡ଼ିଲା । ସେତେବେଳେ ଡାକ୍ତର ପି.ସି. ରାୟ କଟକ ଜେଲର ସୁପରିଣ୍ଟେଣ୍ଡେଣ୍ଟେ ଥିଲେ । ତାଙ୍କର ବିଶେଷ ଚିକିତ୍ସାରେ ମୁଁ ରହିଲି । କିଛିଦିନ ପରେ ରକ୍ତହୀନତା ବଢ଼ିବାରୁ ଏବଂ ପେଟ ଗୋଳମାଳ ଆରମ୍ଭ ହେବାରୁ ଡାକ୍ତର ପି.ସି. ରାୟ ମତେ ଅନ୍ୟ ବନ୍ଦୀଭାଇମାନଙ୍କ ସହ ମିଶିବାଲାଗି ସୁବିଧା ଦେଲେ । ସେଲ୍‍ରେ ମୁଁ ପୂର୍ବପରି ରହିଲି; ମାତ୍ର ଦିନବେଳେ ଅନ୍ୟ ବନ୍ଦୀମାନଙ୍କ ସହ ସମୟ କଟାଇପାରିଲି ଏବଂ ମିଳିତ ଭାବରେ ହେଉଥିବା ଆଲୋଚନା ଇତ୍ୟାଦିରେ ଯୋଗ ଦେଇ ପାରିଲି । ମାତ୍ର ମୋ ପଛରେ ଯେଉଁ ସ୍ପେଶାଲ ଗାର୍ଡ଼୍ ନିଯୁକ୍ତ ଥିଲା, ମୁଁ ଯେଉଁଠିକି ଯାଉଥିଲି ସେ ବି ମୋ ପଛେ ପଛେ ସେଠିକି ଯାଉଥିଲା ।

 

ଏହି ଅବସ୍ଥା କିୟତ୍ ପରିମାଣରେ ମୋର କାର୍ଯ୍ୟ ସାଧନ କରିବାକୁ ମତେ ସୁବିଧା ଦେଲା । ଛାତ୍ର ଓ ଯୁବକମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କରେ ଆସିପାରିଲି । ସେମାନଙ୍କ ଭିତରୁ ଆଗ୍ରହୀ ଯୁବକମାନଙ୍କୁ ଘେନି ରାଜନୈତିକ କ୍ଲାସ୍ ସବୁ କରାଯାଉଥିଲା । କେତେକଙ୍କୁ ଅଳ୍ପ କେତେ ମାସ ସଜା ମିଳିଥିଲା । ଖଲାସ ହେବାପରେ ସେମାନେ ପୁଣି ପୂର୍ବ ଆନ୍ଦୋଳନକୁ ଯେମିତି ଚାଲୁରଖନ୍ତି ସେଥିଲାଗି ସେମାନଙ୍କୁ ଉତ୍ସାହିତ କଲି । ପ୍ରକୃତରେ ଯେଉଁ କେତେଦିନ ବାହାରେ ଆନ୍ଦୋଳନ ଚାଲୁ ରହିଲା ତାହା ଏହିପରି ଯୁବକମାନଙ୍କର ପ୍ରଚେଷ୍ଟା ଯୋଗୁଁ ।

 

ମୋର ଆଉ ଏକ ସହାୟକ ହେଲେ ମୋର ଜଗୁଆଳିହୋଇ ରହିଥିବା ସ୍ପେଶାଲ ଗାର୍ଡ଼୍‍ମାନେ । ସେମାନେ ଥିଲେ ଜେଲର୍‍ଙ୍କର ବିଶ୍ଵାସୀ ଲୋକ । ସେକାଳରେ ରାଜବନ୍ଦୀମାନେ ଜେଲ ଭିତରେ ଥିବାରୁ ଜେଲୱାଡ଼୍‍ରମାନେ କାଳେ କିଛି ବେଆଇନ କାଗଜପତ୍ର ବା ଚିଠି ଆଦି ବାହାରୁ ନେଇଯାଉଥିବେ ସେଥିଲାଗି ସେମାନଙ୍କ ଉପରେ କର୍ତ୍ତୃପକ୍ଷଙ୍କର ସନ୍ଦେହ ରହିଥାଏ । ଜେଲୱାର୍ଡ଼୍‍ରମାନଙ୍କର ଡିଉଟି ପରିବର୍ତ୍ତନ ହୁଏ–ରାତିଦିନ ସବୁବେଳେ ତ ଜଗିବାକୁ ପଡ଼େ; ତେଣୁ ୨/୪ ଦଳ ହୋଇ ସେମାନେ ଡିଉଟିକି ଆସନ୍ତି । ଏ ପ୍ରଥାଟା ସର୍ବତ୍ର ପ୍ରଚଳିତ । ସେତେବେଳେ ସରକାରଙ୍କର ନିଜର ଜଗୁଆଳିଙ୍କୁ ମଧ୍ୟ ଭୟ ଥିଲା । ତେଣୁ ବାହାରୁ ଆସି ଜେଲଗେଟ୍‍ରେ ପ୍ରବେଶ କରିବାମାତ୍ରେ ସେମାନଙ୍କୁ ଭଲଭାବରେ ଖାନ୍‍ତଲାସ୍ କରିବା ପରେ ଯାଇ ଭିତରକୁ ଛଡ଼ାଯାଉଥିଲା-। ମୋପାଖରେ ଯେଉଁ ସ୍ପେଶାଲ ଗାର୍ଡ଼୍ ଥିଲେ ସେମାନଙ୍କୁ ମୋଟେ କେହି ତଲାସ କରୁ ନଥିଲେ–କାରଣ ସେମାନେ ଥିଲେ ଜେଲର୍‍ଙ୍କର ଅତି ବିଶ୍ଵସ୍ତ ଏବଂ ସେମାନେ ପ୍ରତିଦିନ ଡିଉଟିରୁ ଯିବା ପୂର୍ବରୁ ମୋର ଗତିବିଧିର ରିପୋର୍ଟ ଜେଲର୍‍ଙ୍କୁ ଦେଉଥିଲେ । ପରେ ଜେଲ କର୍ତ୍ତୃପକ୍ଷଙ୍କଠାରୁ ଶୁଣିବାକୁ ପାଇଲି ଯେ ଓଡ଼ିଶା ସରକାରର ବିଶେଷ ହୁକୁମ ଅନୁସାରେ ପ୍ରତିଦିନ ପୁଲିସର ଗୁଇନ୍ଦା ବିଭାଗ କର୍ମଚାରୀମାନେ ଆସି ବିବରଣ ସଂଗ୍ରହ କରି ଯାଉଥିଲେ । ଦିନରାତି ସେମାନେ କେବଳ ମୋ ପାଖରେ ରହୁଥିବାରୁ ମୋ ସହିତ ସେମାନଙ୍କର ଘନିଷ୍ଠତା ବଢ଼ିଯାଇଥିଲା । ସେମାନେ ଆନ୍ଦୋଳନ ବିଷୟରେ ନାନା କଥା ପଚାରି ବୁଝୁଥିଲେ । ମୋ ବିଷୟରେ ଯେଉଁସବୁ କୌତୂହଳପ୍ରଦ ଗଳ୍ପସବୁ ବାହାରେ ପ୍ରଚାର ହୋଇଥିଲା, ତା’ର ସତ୍ୟତା ଜାଣିବାକୁ ଚେଷ୍ଟା କରୁଥିଲେ । ତେଣୁ କ୍ରମେ ସେମାନେ ନିକଟତର ହୋଇଗଲେ ଏବଂ ଜେଲ ଭିତରେବି ମତେ ସବୁପ୍ରକାର ସାହାଯ୍ୟ କଲେ । ଶେଷକୁ ସେହିମାନଙ୍କ ଜରିଆରେ ମୁଁ ପୁଣି ବାହାର ଦୁନିଆ ସହ ସମ୍ପର୍କ ସ୍ଥାପନ କରିପାରିଲି । ଯେଉଁମାନେ ବାହାରେ ରହିଯାଇଥିଲେ ସେମାନଙ୍କ ପାଖକୁ ଏହିମାନଙ୍କ ଜରିଆରେ ସମ୍ବାଦ ପଠାଇଲି–ବାହାରର ଅଭାବ ଅସୁବିଧା ଓ ପୁଲିସର ଗତିବିଧି ସମ୍ବନ୍ଧରେ ଏହିମାନେହିଁ ସବୁ ବିବରଣ ମତେ ଯୋଗାଇଲେ । ଏହା ଏପରି ଶକ୍ତିଶାଳୀ ସଂଯୋଗ ହେଲା ଯେ ମୁଁ ଜେଲ ଭିତରେ ରହିବା ଓ ଅଣ୍ଡରଗ୍ରାଉଣ୍ଡ୍‍ରେ ରହିଥିବା ଭିତରେ ପ୍ରାୟ କିଛି ଫରକ ନଥିଲା କହିଲେ ଚଳେ । କାରଣ ମୁଁ ରୀତିମତ ଚିଠି ଇତ୍ୟାଦିର ଜବାବ ଦେଲି ଏବଂ ବୁଲେଟିନ୍ ସବୁ ଜେଲ ଭିତରୁ ଲେଖି ପଠାଇଲି । ତାହା ଆମର ବାହାର କର୍ମୀମାନେ ଛପାଇ ପୁରୁଣା ରୀତିରେ ବାଣ୍ଟିବାକୁ ଆରମ୍ଭ କରିଦେଲେ । ଠିକ୍ ପୁଣି ପୂର୍ବଭଳି ଭାଷାରେ ବୁଲେଟିନ୍ ପ୍ରକାଶ ପାଇବା ଦେଖି ପୁଲିସ ସନ୍ଦେହରେ ପଡ଼ିଲା । ମତେ ଜଣେ ପୁଲିସ ଅଫିସର ପରେ କହିଲେ ଯେ ଏସବୁ ଦେଖି ତାଙ୍କ ଉପରିସ୍ଥ କର୍ମଚାରୀ ଗୋରାସାହେବ ବିଚାରିଲେ–ଦ୍ୱିବେଦୀ ସିନା ସବୁ ସଂଗଠନ ଠିଆକରାଇଥିଲା; ମାତ୍ର ଏ ବୁଲେଟିନ୍ ଲେଖାରୁ ମନେହେଉଛି ଏଗୁଡ଼ିକର ଲେଖକ ସେ ନୁହେଁ ଆଉ କେହି ଗୁପ୍ତ ଲୋକ ଆଗରୁବି ବୁଲେଟିନ୍ ସବୁ ଲେଖୁଥିଲା ଏବଂ ସେ ନିଶ୍ଚୟ ବାହାରେ ରହିଯାଇଛି । ଏମିତିକା ସନ୍ଦେହ ସେମାନଙ୍କ ମନରେ ଉପୁଜିଲା । ସେମାନେ ଅନୁମାନ କରିପାରି ନଥିଲେ ଯେ ଜେଲ୍‍ଖାନା ଭିତରେ ଏତେ କଟକଣା ସତ୍ତ୍ଵେ ଏପରି ସମ୍ପର୍କ ସ୍ଥାପିତ ହୋଇପାରିଥିଲା-। ଏମିତି କିଛିଦିନ ବେଶ୍ ଚାଲିଲା ।

 

ଏ ହେଲା ବାହାର ସମ୍ପର୍କ । ଜେଲ୍‍ଖାନା ଭିତରେ ମଧ୍ୟ ଜେଲ ଅଫିସ୍‍କୁ କେତେବେଳେ କେଉଁ ଅଫିସର ଆସୁଥିଲେ ଓ ସେମାନଙ୍କ ଭିତରେ କି ଆଲୋଚନା ହେଉଥିଲା, ଏ ସମ୍ବାଦ ପାଇବାର ବ୍ୟବସ୍ଥା ମୁଁ କରିଥିଲି । କଟକ ସହରର ଜଣେ ମୁସଲମାନ ଯୁବକ ସେଠାରେ ସାଧାରଣ ବନ୍ଦୀ ହୋଇ ରହିଥିଲେ । ସେ ଏକ ଗୁରୁତର ଅପରାଧରେ ଦଣ୍ଡିତ ହୋଇଥାନ୍ତି ଏବଂ କଟକରେ ଯେଉଁସବୁ ଜଣାଶୁଣା ଗୁଣ୍ଡା ଶ୍ରେଣୀର ଯୁବକ ସେତେବେଳେ ଥିଲେ, ସେ ଥିଲେ ତାଙ୍କ ଭିତରୁ ଜଣେ । ଜେଲ କର୍ତ୍ତୃପକ୍ଷ ଏଭଳି କଏଦୀମାନଙ୍କୁ ଜବତ କରିବା ନିମନ୍ତେ ଏମାନଙ୍କୁ ଲଗାଉଥିଲେ । ଏହାଙ୍କୁ ବଡ଼ ହାଲୁକା କାମବି କରିବାକୁ ଦିଆଯାଉଥିଲା । ଏହି ଯୁବକର କାର୍ଯ୍ୟ ଥିଲା ଜେଲ ୱାର୍ଡ଼୍‍ମାନଙ୍କରେ ରାତିରେ ଯେତେ ଲଣ୍ଠନ ଟଙ୍ଗା ହେଉଥିଲା ତାହା ସଫା କରିବା ଏବଂ ପୁଣି କିରାସିନି ଇତ୍ୟାଦି ଦେଇ ସଞ୍ଜବେଳେ ୱାର୍ଡ଼୍ ଭିତରେ ବନ୍ଦୀମାନେ ତାଲା ପଡ଼ି ରହିବା ପୂର୍ବରୁ ସେ ସବୁ ଟଙ୍ଗାଇଦେବା । ଏହି କାର୍ଯ୍ୟ ନିମନ୍ତେ ତାଙ୍କୁ ପ୍ରାୟ ପ୍ରତ୍ୟେକ ୱାର୍ଡ଼୍‍କୁ ଯିବାର ସୁଯୋଗ ମିଳୁଥିଲା । ସେ ହେଲା ମୋର ଜଣେ ପ୍ରଧାନ ସାଥୀ । ତା’ରି ଜରିଆରେ ମୁଁ ବିଭିନ୍ନ ୱାର୍ଡ଼୍, ଏପରିକି ମହିଳା ୱାର୍ଡ଼୍‍କୁ ମଧ୍ୟ ସମ୍ବାଦ ପଠାଇ ପାରୁଥିଲି ଏବଂ ସେଠାରୁ ସମ୍ବାଦ ପାଇପାରୁଥିଲି । ସେ ଯୁବକ ଜଣକ ଏକପ୍ରକାର ଗୁପ୍ତ ବିପ୍ଳବୀର କାର୍ଯ୍ୟ କଲେ । ଜେଲ ଗେଟ୍ ଭିତରେ ପୁଲିସ ଓ ଜେଲର୍ କୌଣସି ରାଜବନ୍ଦୀଙ୍କ ବିଷୟରେ କିଛି ଆଲୋଚନା କଲେ ସେ କାନ ପାତି ଶୁଣେ ଏବଂ ମତେ ଆସି କହିଯାଏ । ଲଣ୍ଠନପୋଛା କାମ ଆଳରେ ସେ ଜେଲ ଗେଟ୍‍କୁ ବାରମ୍ଵାର ଯିବା ଆସିବା କରିପାରୁଥଏ ।

 

କେତେଦିନ ପରେ ହଠାତ୍ ଦିନେ ପ୍ରାୟ ସନ୍ଧ୍ୟାବେଳେ ସେ ଆସି ମୋ କୋଠରିରେ ପହଞ୍ଚିଲା । ଦେଖିଲି ସେ ଭାରି ଉତ୍ତେଜିତ । କହିଲା, ବାବୁ, ବାଲେଶ୍ଵରରୁ କେହି ଜଣେ ଧରା ହୋଇ ଆସିଛନ୍ତି । ତାଙ୍କୁ ମର୍ଡ଼ରକେସ୍ ଆସାମୀଙ୍କ ସେଲ୍‍ରେ ରଖାଯାଇଛି । ତାଙ୍କ ସାଙ୍ଗରେ ପୁଲିସ ଆସିଛନ୍ତି । ବହୁତ କାଗଜପତ୍ର ଧରାପଡ଼ିଛି । ଜେଲର୍‍ବାବୁଙ୍କୁ ପୁଲିସ ପଚାରୁଛନ୍ତି ଦ୍ୱିବେଦୀଙ୍କର ହାତଲେଖା ଚିଠି ଆଦି ବାହାରକୁ କିମିତି ଆସୁଛି । କ’ଣ ସବୁ ଭାରି ଗୁପ୍ତ ମନ୍ତ୍ରଣା ଚାଲିଛି ଆପଣଙ୍କୁ ବୋଧହୁଏ କିଛି ଅଧିକା ଦଣ୍ଡ ମସୁଧା ଚାଲିଛି । ମୁଁ ହଠାତ୍ କିଛି ଠଉରେଇ ପାରିଲିନି ।”

 

ଏ ଖବର ପାଇବା ପରେ ଗିରଫ୍‍ ହୋଇ ଆସିଥିବା ବ୍ୟକ୍ତିଙ୍କର ସଠିକ ଖବର ବୁଝିଆସ ବୋଲି ମୁଁ ସେହି ଯୁବକଙ୍କୁ କହିଲି । ସେ ଆସି ମତେ କହିଲା ତାଙ୍କ ନାଁ ହେଉଛି ପ୍ରିୟନାଥ ଦେ । ସେ ଆପଣଙ୍କ ଚିଠି ନେଇ କଲିକତା ଯାଇଥିଲେ । ଗୋଟେ ବଡ଼ ଟ୍ରଙ୍କ୍‍ରେ କିଛି ଲିଫ୍‍ଲେଟ୍ ଓ ବେଆଇନ କାଗଜପତ୍ର ଅରୁଣା ଆସଫ୍ ଅଲ୍ଲିଙ୍କଠାରୁ ଆଣି ଫେରୁଥିଲେ । ଆପଣଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କର ବାଲେଶ୍ଵର ଯିବା କଥା ଥିଲା । ସେ ବାଲେଶ୍ଵର ଷ୍ଟେସନ୍‍ରେ ଓହ୍ଲାଇ ଟ୍ରଙ୍କ୍‍ଟି ଷ୍ଟେସନ୍‍ରେ ରଖିଦେଇ ସହର ଭିତରକୁ ଯାଇଥିଲେ । ସେଠାରେ ଜଣେ ପୁରୁଣା କଂଗ୍ରେସ କର୍ମୀଙ୍କୁ ଆପଣଙ୍କ ଚିଠି ଦେଲେ । ସେ ବାବୁ ଚିଠି ରଖିଲେ ନାହିଁ । ମାତ୍ର ତାଙ୍କ ସହିତ ଆଲୋଚନା କରିସାରି ସେ ବାବୁ ଫେରୁ ନଫେରୁଣୁ ପୁଲିସ ଆସି ତାଙ୍କ ପାଖରେ ହାଜର ହୋଇଗଲେ । ତାଙ୍କୁ ଗିରଫ୍‍ କରିବା ସଙ୍ଗେ ସଙ୍ଗେ ଟ୍ରଙ୍କ୍‍ଟିକୁ ମଧ୍ୟ ଜବତ କଲେ । ସେହି ଟ୍ରଙ୍କ୍‍ରୁ ଛପା ଇଂରେଜୀ ବୁଲେଟିନ୍, କେତେକ କାଗଜପତ୍ର ଓ ଆପଣଙ୍କ ହାତଲେଖା ଚିଠି ପାଇଲେ । ପ୍ରିୟନାଥ ଦେଙ୍କୁ ପୁଲିସ ଖୁବ୍ ମାରଧର କଲେ । ମାତ୍ର କିଭଳି ଭାବରେ ଜେଲ୍‍ଖାନା ଭିତରୁ ଆପଣଙ୍କ ହାତଲେଖା ଚିଠି ପାଇଲେ ତାହା ଘେନି ପୁଲିସଙ୍କ ଭିତରେ ବଡ଼ ଭାଳେଣି ପଡ଼ିଛି ।

 

ଏହି ପ୍ରିୟନାଥ ଦେ ହେଉଛନ୍ତି ତତ୍କାଳୀନ ରେଭେନ୍‍ସା କଲେଜର ଜଣେ ଛାତ୍ର । ସେ ଆଗରୁ ଅଳ୍ପ ଦିନ ଜେଲ ଭୋଗ କରି ଖଲାସ ହୋଇଥିଲେ । ଜେଲ ଭିତରେ ଥିବା ଯେଉଁ ରାଜବନ୍ଦୀ ଯୁବକମାନଙ୍କ କଥା ମୁଁ ଉଲ୍ଲେଖ କରିଛି, ତାଙ୍କ ଭିତରୁ ପ୍ରିୟନାଥ ଦେ ଥିଲେ ଅନ୍ୟତମ ।

 

ପ୍ରିୟନାଥ ଦେ ତ ମୋ ପାଖରୁ ଆଗରୁ ସବୁ ବ୍ୟବସ୍ଥା କରି ଯାଇଥିଲେ; ତେଣୁ ମୁସଲମାନ ଯୁବକଙ୍କଠାରୁ ସବୁ ବିବରଣୀ ଶୁଣି ମୁଁ ସେଭଳି ବିସ୍ମିତ ହୋଇ ନଥିଲି । ମାତ୍ର ଆମ ଯୋଜନା ବିଫଳ ହୋଇଗଲା ଏବଂ ପୁଲିସ ସବୁକଥା ଜାଣିପକାଇଲେ ବୋଲି ଭାବି ମନରେ ଦୁଃଖ ହେଲା । ମୋ ପ୍ରତି ଆଉ କିଛି ଗୁରୁତର ଦଣ୍ଡବିଧାନ ହେବ ବୋଲି ମୁଁ ଧରିନେଲି । ପ୍ରକୃତରେ ତାହାହିଁ ଘଟିଲା । ତା’ ପରଦିନ ସକାଳୁ ମତେ କୋରାପୁଟ ଜେଲକୁ ବଦଳି କରି ଦିଆଗଲା । ଚାରିଜଣ ସଶସ୍ତ୍ର ପୁଲିସ ଓ ଜଣେ ସବ୍ଇନସ୍‍ପେକ୍ଟର ମତେ ଏସ୍‍କର୍ଟ କରି ନେଲେ । ପ୍ରଥମେ ନେଲାବେଳେ ହାତକଡ଼ି ପିନ୍ଧାଇ ନଥିଲେ; କିନ୍ତୁ କଟକ ଷ୍ଟେସନ୍‍ରେ ଟ୍ରେନ୍‍ ଅପେକ୍ଷାରେ ଆମେ ପୁଲିସ ଭ୍ୟାନ୍‍ରେ ବସିଥିବାବେଳେ ସବ୍ଇନସ୍‍ପେକ୍ଟର ବନ୍ଧୁ ଜଣକ ପ୍ଲାଟ୍‍ଫର୍ମ୍ ଆଡ଼ୁ ବୁଲି ଆସି ମୋ ହାତରେ କଡ଼ି ଲଗାଇଲେ । ମତେ କହିଲେ, “ଆମକୁ କଡ଼ା ହୁକୁମ ହୋଇଛି ଆପଣଙ୍କୁ ହାତକଡ଼ା ଲଗାଇ କୋରାପୁଟ ଜେଲ ପର୍ଯ୍ୟନ୍ତ ନେବାଲାଗି । ପାହାଡ଼ କନ୍ଦର ଦେଇ ଯିବୁ; ଆପଣ ହୁଏତ କେତେବେଳେ ଡେଇଁ ପଳାଇଯିବେ ସେହି ଆଶଙ୍କାରେ ଏ ବ୍ୟବସ୍ଥା ହୋଇଛି । ଆପଣଙ୍କଠି ଆମର ପୂରା ବିଶ୍ୱାସ ରହିଛି; ତେଣୁ ହାତକଡ଼ା ପକାଇ ନଥିଲୁ । ଏବେ ଗଭର୍ଣ୍ଣର ଆସୁଥିବାରୁ ପ୍ଲାଟ୍‍ଫର୍ମ୍‍ରେ ଆମ ଆଇ.ଜି., ପୁଲିସ ସୁପରିଣ୍ଟେଣ୍ଡେ ଆଦି ଜମାହୋଇଛନ୍ତି । କାଳେ ଦେଖିପକାଇବେ ଏବଂ ଆମ ଉପରକୁ ବିପଦ ଆସିବ–ସେଇଥିପାଇଁ ହାତକଡ଼ି ପକାଇ ଦେଉଛି; କିଛି ମନେକରିବେନି । ଟ୍ରେନ୍‍ରେ ବସିବା ପରେ ହାତକଡ଼ି ଫିଟେଇ ଦେଇଥିଲେ । ଏଇଠୁ ଆରମ୍ଭ ହେଲା ନିର୍ଜନ କାରାବାସ ।

☆☆☆

 

Unknown

କୋରାପୁଟ ଜେଲରେ ନିର୍ଜନବାସ ଓ ସ୍ଵାସ୍ଥ୍ୟଭଙ୍ଗ

 

ଏକବର୍ଷ ସାତମାସ ପନ୍ଦରଦିନ ପରେ କଟକ ଜେଲ ଛାଡ଼ିବାକୁ ପଡ଼ିଲା । ୧୯୪୩ ଜାନୁୟାରୀ ୪ ତାରିଖରେ ବ୍ରହ୍ମପୁର ଜେଲରୁ କଟକ ଜେଲକୁ ବଦଳି ହୋଇ ଆସିଥିଲି । ୧୯୪୨ ଅକ୍ଟୋବର ମାସରୁ ୧୯୪୩ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଅଟକବନ୍ଦୀ ହୋଇ ରହିଲି । ଜାନୁୟାରୀରେ କଟକକୁ ଆସିଲା ପରେ ମାହେର୍ ସାହେବଙ୍କ ଇଜଲାସରେ ପ୍ରାୟ ୩ ମାସ କାଳ ଆମର ବିଚାର ଚାଲିଲା ଏବଂ ତା୨୩।୩।୪୩ରେ ଜଜ୍‍ସାହେବଙ୍କ ରାୟ ପରେ ମୁଁ ହେଲି ୬ ବର୍ଷ ସଶ୍ରମ କାରାଦଣ୍ଡଭୋଗୀ । ଏହି କାରାଦଣ୍ଡ କଟକ ଜେଲରେ ଅନ୍ୟ ସାଥୀମାନଙ୍କ ସହ ରହି ଭୋଗ କରୁଥିଲି । ଆମ ମକଦ୍ଦମାର ଅନ୍ୟ ସାଥୀମାନେ ଯେମିତି କଟକ ଜେଲରେ ଖଲାସ ହେବା ପର୍ଯ୍ୟନ୍ତ ରହିଲେ ମୁଁ ବୋଧହୁଏ ସେମିତି ରହି ପାରିଥାଆନ୍ତି । ମାତ୍ର ପ୍ରିୟନାଥ ଦେଙ୍କ ଘଟଣାରୁ ସରକାରଙ୍କର ପୂର୍ଣ୍ଣ ବିଶ୍ଵାସ ହୋଇଗଲା ଯେ ମୁଁ କଟକ ଜେଲ ଭିତରେ ରହି ବାହାରେ ଗୁପ୍ତ ଆନ୍ଦୋଳନ ପରିଚାଳନା କରୁଛି; ମତେ ଆଉ କଟକରେ ବା ନିକଟସ୍ଥ କୌଣସି ଜେଲରେ ରଖିବା ବିପଜ୍ଜନକ । ତେଣୁ ଚବିଶିଘଣ୍ଟା ଭିତରେ ବଦଳି ହୋଇଗଲା କୋରାପୁଟ ।

 

ସେତେବେଳକୁ କୋରାପୁଟକୁ ଆଣ୍ଡାମାନ୍‍ସ ବା କଳାପାଣି ପାର ସଙ୍ଗେ ସମାନ ବୋଲି ମନେକରାଯାଉଥିଲା । ଜଳବାୟୁ ଆମମାନଙ୍କ ପକ୍ଷରେ ଆଦୌ ଅନୁକୂଳ ନଥିଲା । ଯାହାଙ୍କ ଦେହରେ ଚଳିଗଲାଣି, ସେହି ସ୍ଥାନୀୟ ଅଧିବାସୀଙ୍କ କଥା ଅଲଗା; ମାତ୍ର ସମତଳ ଅଞ୍ଚଳରୁ ଯେଉଁମାନେ ଯାଉଥିଲେ ସେମାନେ ସେଠାରେ ଖୁବ୍ କଷ୍ଟ ଭୋଗ କରୁଥିଲେ । ଭୀଷଣ ଜର ହେଉଥିଲା । ସେତେବେଳେ ଲୋକେ ତାକୁ କହୁଥିଲେ କଳାଜର । କୋରାପୁଟରେ ବାସ୍ତବିକ ମେଲେରିଆର ପ୍ରାଦୁର୍ଭାବ ବହୁବର୍ଷ ପର୍ଯ୍ୟନ୍ତ ରହିଥିଲା । ଦେଶ ସ୍ଵାଧୀନ ହେବାର ଅନେକ ଦିନ ପରେ ବିଶ୍ଵ ସ୍ଵାସ୍ଥ୍ୟସଂସ୍ଥା (WHO)ର ଏକ ବିଶେଷ ପ୍ରୋଗ୍ରାମ କରାଯାଇ ମେଲେରିଆ ନିବାରଣ କରାଗଲା । ଯେଉଁ ସରକାରୀ କର୍ମଚାରୀମାନେ କୋରାପୁଟ ଯାଉଥିଲେ ସେମାନଙ୍କୁ ଏକ ବିଶେଷ ଭତ୍ତା ଦିଆଯାଉଥିଲା । କିନ୍ତୁ ଇଂରେଜଙ୍କ ଲାଗି ଏହା ଥିଲା ନିଜ ଘର ଜଳବାୟୁ (Home Climate); ଲଣ୍ଡନ ପରି ବର୍ଷସାରା ପ୍ରାୟ କୁହୁଡ଼ି ଏବଂ ପ୍ରଚଣ୍ଡ ଶୀତ । ଇଂରେଜ ଅମଳ ତ ! ପୂର୍ବରୁ ରାଜାଙ୍କର ହେଡ଼୍‍କ୍ୱାଟର୍ ଓ ଅଧିକ ଜନବସତି ସ୍ଥାନ ହୋଇ ସୁଦ୍ଧା ଜୟପୁରକୁ ଜିଲ୍ଲା ହେଡ଼୍‍କ୍ୱାଟର୍ କରାନଯାଇ ସାହେବଙ୍କୁ ସୁହାଇବା ଲାଗି କୋରାପୁଟକୁହିଁ ଜିଲ୍ଲା ହେଡ଼୍‍କ୍ୱାଟର୍ କରାଯାଇଥାଏ । ଏବେବି କୋରାପୁଟରେହିଁ ଜିଲ୍ଲା ହେଡ଼୍‍କ୍ୱାଟର୍ ରହିଛି, ମାତ୍ର ଅବସ୍ଥା ପୂର୍ବଭଳି ନାହିଁ । ଗ୍ରୀଷ୍ମଦିନେ ଏହା ଏକ ମନୋରମ ସ୍ଥାନରେ ପରିଣତ ହେଲାଣି । ସେତେବେଳକୁ ଆନ୍ଧ୍ରପ୍ରଦେଶ ଭିତର ଦେଇ ବସ୍‍ରେ ଯିବା ଛଡ଼ା ଅନ୍ୟ କୌଣସି ଯାତାୟାତ ବ୍ୟବସ୍ଥାବି ନଥିଲା । ଘନ ଜଙ୍ଗଲ ଓ ପାହାଡ଼ କନ୍ଦର ଘାଟି ପାରି ହୋଇ ସେଠିକି କିଏ ବା ସେତେବେଳେ ଯାଆନ୍ତା ? ତେଣୁ ମତେ ଏକପ୍ରକାର ସମସ୍ତଙ୍କଠାରୁ ବିଚ୍ଛିନ୍ନ କରି ରଖିବା ନିମନ୍ତେ କୋରାପୁଟ ପଠାଇ ଦିଆଗଲା । କାର୍ଯ୍ୟତଃ ତାହାହିଁ ଘଟିଲା ।

 

୧୯୪୪ ମସିହା ଜୁଲାଇ ୨୦ ତାରିଖରେ କୋରାପୁଟ ଜେଲରେ ପହଞ୍ଚିଲି । ପୁଲିସ କର୍ମଚାରୀ ମତେ ସେଠା ଜେଲରେ ଦାଖଲ କରିଦେଇ ବିଦାୟ ନେଇ ଆସିଲେ । ମୋ ସାଙ୍ଗରେ କିଛି ବହି ଓ ଖାତା ଥାଏ । କଟକ ଜେଲରେ ମୁଁ ଏକାଦିକ୍ରମେ ପ୍ରାୟ ଦେଢ଼ବର୍ଷରୁ ବେଶି ସମୟ ରହିଥିବାବେଳେ ରୀତିମତ ପଢ଼ାପଢ଼ି ଓ ଲେଖାଲେଖି ଆରମ୍ଭ କରିଦେଇଥିଲି । କିଛି ବହି ମଧ୍ୟ କିଣିଥିଲି । ଗୋଟିଏ ଜେଲରୁ ଆଉ ଏକ ଜେଲକୁ ବଦଳି–ତେଣୁ ସେ ସବୁ ଜିନିଷ ମୋ ସାଙ୍ଗରେ ଯାଇଥିଲା । କଟକ ଜେଲ ରହଣି ଭିତରେ ମୁଁ ଜବାହାରଲାଲ ନେହେରୁଙ୍କର ବିଶ୍ଵ–ଇତିହାସ (Glimpses of World History)ର ଅନୁବାଦ ଶେଷ କରିସାରିଥିଲି । ଆଗରୁ ୧୯୪୦–୪୧ରେ ବ୍ରହ୍ମପୁର ଜେଲ ଭିତରେ ଜବାହାରଲାଲଙ୍କର ଜୀବନୀ ଅନୁବାଦ କରିଥିଲି । ତାହା ପ୍ରକାଶ କରିବା ନିମନ୍ତେ ଦିଆସରିଥିଲା । ମାତ୍ର ବିଶ୍ଵଇତିହାସର ପାଣ୍ଡୁଲିପିଗୁଡ଼ିକ ମୋ ସାଙ୍ଗରେ ଥିଲା ଏବଂ କୋରାପୁଟ ଜେଲ କର୍ତ୍ତୃପକ୍ଷଙ୍କୁ ମୋର ଅନ୍ୟ ସବୁ ଜିନିଷ ଦିଆଯାଇଥିଲା ।

 

ମତେ ସଙ୍ଗେ ସଙ୍ଗେ ଏକ ସେଲ୍‍କୁ ପଠାଇଦିଆଗଲା । ସେ କୋଠରିରେ କିଛିଦିନ ରହିବା ପରେ ମତେ ଜେଲ ଭିତରେ ଏକପ୍ରକାର ଆଉ ଏକ ଜେଲରେ ରଖିଲେ । କୋରାପୁଟ ଜେଲରେ ଏକ ମହିଳା ୱାର୍ଡ଼୍ ଥାଏ । ସେଥିରେ କେହି ମହିଳା ୱାର୍ଡ଼୍ ଥାଏ । ସେଥିରେ କେହି ମହିଳା ବନ୍ଦୀ ନଥାନ୍ତି–ମାତ୍ର ତାହା ଏକ ପ୍ରଶସ୍ତ ସ୍ଥାନ । ଚାରିକଡ଼େ ମେଘନାଦ ପାଚେରୀ । ଜେଲ ଭିତରର ଅନ୍ୟ ଅଂଶ ଆଦୌ ଦେଖାଯାଉ ନଥିଲା କିମ୍ବା କୌଣସି ମଣିଷର ସ୍ୱର ଶବ୍ଦ ଶୁଣାଯାଉ ନଥିଲା । ତାହା ଭିତରେ ଏକ ଛୋଟ କୋଠରି–ଖୁବ୍ ଉଚ୍ଚରେ । ସେଠାରୁ କେବଳ ଦୂରର ବଡ଼ବଡ଼ ପାହାଡ଼ ଦେଖାଯାଉଥିଲା । ଗୋରା ଜିଲା ମାଜିଷ୍ଟ୍ରେଟଙ୍କର କୋଠିରେ ଠିଆ ହେଲେ ଏ ୱାର୍ଡ଼୍ ଦେଖାଯାଉଥିଲା ଏବଂ ମୁଁ ମଧ୍ୟ ବାହାର ଦୁନିଆ ବୋଇଲେ ବୋଧହୁଏ ଚାରିଆଡ଼ର ପର୍ବତମାଳା ଓ କେବଳ ଏହି କୋଠିଟିକୁ ଦେଖିପାରୁଥିଲି । ୨୦ ମାସରୁ ଅଧିକ କାଳ ଏହି କୋଠରିରେ ଆବଦ୍ଧ ରହିଲି ।

 

ଏହା ସାଙ୍ଗକୁ ମୋ ଉପରେ କଟକଣା ଆହୁରି କଡ଼ା କରିଦିଆଗଲା । ମୋର ବହି ଓ ଖାତା ଇତ୍ୟାଦି କିଛି ମତେ ଦିଆଗଲା ନାହିଁ । ଜେଲ୍‍ଖାନାକୁ କୌଣସି ଜିନିଷ ବିନା ଯାଞ୍ଚରେ ଯାଏଁ ନାହିଁ–ସବୁଥିରେ ସୁପରିଣ୍ଟେଣ୍ଡେଣ୍ଟେଙ୍କ ଦସ୍ତଖତ ଓ ମୋହର ଥାଏ । ସେମିତି ଚିଠିପତ୍ରବି ଯାହା ଆସୁଥିଲା ତାକୁ ଜେଲ କର୍ତ୍ତୃପକ୍ଷ ପଢ଼ି ପାସ୍ କରି ଭିତରକୁ ଛାଡ଼ୁଥିଲେ । ମୋ ସାଙ୍ଗରେ କଟକ ଜେଲରୁ ଯାହା କାଗଜପତ୍ର ଆସିଥିଲା ସେଥିରେ ନୂଆ କିଛି ନଥିଲା–ସବୁ ଆଗରୁ ପାସ୍ ହୋଇ ଯାଇଥିଲା । କିନ୍ତୁ ମତେ କୋରାପୁଟ ଜେଲ କର୍ତ୍ତୃପକ୍ଷ ଜଣାଇଲେ ଯେ ନୂତନ ସରକାରୀ ଆଦେଶ ଅନୁସାରେ ମୋର ସବୁ କାଗଜପତ୍ର, ଏପରିକି ଚିଠି ମଧ୍ୟ ପ୍ରଥମେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟେଙ୍କ ପାଖକୁ ଯିବ । ତାଙ୍କଠୁ ପାସ୍ ହୋଇ ଆସିଲେ ମୁଁ ପାଇବି । ସେମିତି ମୁଁ ଲେଖୁଥିବା ଚିଠି ଓ ମୋର ଆତ୍ମୀୟସ୍ୱଜନଙ୍କ ଲିଖିତ ପତ୍ର ଆଦି ପୁଲିସ ଯାଞ୍ଚ ଲାଗି ପଠାଯାଉଥିଲା । ଏହା ଫଳରେ ମୋ ସାଙ୍ଗରେ କିଛି ବହିପତ୍ର ଦିଆଗଲା ନାହିଁ । ମୁଁ ପ୍ରଥମେ ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ଦିନରାତି ଖାଲି ଚୁପ୍ ହୋଇ ଏକୁଟିଆ ବସି ଦିନ କାଟିବା ଛଡ଼ା ଅନ୍ୟ ଉପାୟ ନଥିଲା । ଦୁଇମାସ ପରେ ଯାଇ ଏ ପୁସ୍ତକ ଓ ଖାତା ମତେ ଦିଆଗଲା । ସାରା ଦିନ ଏକୁଟିଆ ଜନମାନବଶୂନ୍ୟ ଏକ କୋଠରିରେ ବସି ରହିବା କି କଷ୍ଟକର, ତାହା ଏବେ ଭାବିଲାବେଳକୁ ଦେହ ଶିହରି ଉଠୁଛି । ୱାର୍ଡ଼୍‍ର ଯେଉଁ ଜଗୁଆଳି ଥିଲେ ସେମାନଙ୍କ ଭିତରୁ ଅଧିକାଂଶ ତେଲେଙ୍ଗା–ଖଣ୍ଡି ଖଣ୍ଡି ଓଡ଼ିଆ କହୁଥିଲେ । ଯିଏବି ଓଡ଼ିଆ ୱାର୍ଡ଼୍‍ର ସେଠିକି ଆସୁଥିଲେ ସେମାନେ ଦିନରେ କେହି ମୋ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ନଥିଲେ–ହୁଏତ କେହି ଦେଖିଲେ ସେମାନଙ୍କ ନାମରେ ରିପୋର୍ଟ ହୋଇଯିବାର ଭୟ ଥିଲା । କେବଳ ରାତିରେ ମୁଁ କୋଠରି ଭିତରେ ବନ୍ଦ ହେବାପରେ କେହି କେହି ଦୁଃଖସୁଖ ହେଉଥିଲେ–କାରଣ ରାତିରେ ଉପର କର୍ତ୍ତୃପକ୍ଷ କେହି ଆସିବାର ସମ୍ଭାବନା ନଥିଲା । କିଛିଦିନ ଏମିତି ଅନୁଭବ କଲି ସତେ କି ମୁଁ ପୂରାପୂରି ବୋକା ହୋଇଗଲିଣି । ମୋର ଗଳା ଶୁଖିଯାଇ ବନ୍ଦ ହୋଇଗଲାଣି ବୋଲି ରାତିରେ କେବେ ସ୍ଵପ୍ନ ଦେଖୁଥିଲି ଏବଂ ଖୁବ୍ ଚିତ୍କାର କରୁଥିଲି । ରାତିରେ ବିଳିବିଳେଇବା ବେମାର ମୋର ଏହିଠାରୁ ଆରମ୍ଭ ହୋଇଯାଇଥିଲା ।

 

ଏଭଳି ମାନସିକ ଓ ଶାରୀରିକ କଟକଣା ଭିତରେ ସ୍ଵାସ୍ଥ୍ୟଭଙ୍ଗ ହେବା ସ୍ୱାଭାବିକ । ପହଞ୍ଚିବାର ମାତ୍ର ସପ୍ତାହକ ପରେ ମୁଁ ଭୀଷଣ ଜ୍ଵରରେ ପୀଡ଼ିତ ହେଲି । ୧୦୬–୧୦୭ପର୍ଯ୍ୟନ୍ତ ଉତ୍ତାପ ଉଠିଲା ଏବଂ ଉପଶମ ହେଲାନାହିଁ । ଜେଲ ଭିତରେ ଏମିତି ରୋଗୀଙ୍କି ସାଧାରଣତଃ ଜେଲ୍‍ଖାନାର ହାସପାତାଳକୁ ନିଆଯାଇ ଚିକିତ୍ସାର ବ୍ୟବସ୍ଥା କରାଯାଇଥାଏ । ମୋର ଦେଖାଚାହାଁ କରିବା ଲାଗି କେହି ଲୋକ ନଥିଲେ, ମୁଁ ପ୍ରାୟ ସଂଜ୍ଞାହୀନ ଅବସ୍ଥାରେ ରହୁଥିଲି । ଏହା ସତ୍ତ୍ୱେ ମୋ କୋଠରିକି ଥରେ ଦି’ଥର ମାତ୍ର ଡାକ୍ତର କମ୍ପାଉଣ୍ଡର ଆସି ଦେଖିଯାଉଥିଲେ, ଚିକିତ୍ସା ଓ ସେବାର କୌଣସି ବ୍ୟବସ୍ଥା କରାଯାଉ ନଥିଲା; ଏପରିକି ରାତିରେ ଚାରିଆଡ଼ ବନ୍ଦ ହୋଇଥିବାବେଳେ ମଧ୍ୟ କୌଣସି ଲୋକକୁ ପାଖରେ ରହିବାଲାଗି ଦିଆଯାଉ ନଥିଲା । ଦିନେ ଦିନେ ରାତିରେ ଉଠିପଡ଼େ ପାଣି ପିଇବାକୁ, ମାତ୍ର ପିଇ ପାରେନାହିଁ । କୋଠରି ଭିତରକୁ ଲାଗି ରହିଥିବା ପାଇଖାନାକୁ ଉଠି ଯିବାଭଳି ଶକ୍ତିବି ନଥିଲା । ଡାକ୍ତର ସନ୍ଧ୍ୟାପୂର୍ବରୁ ଯାହା ଆସି ଦେଖିଯାଉଥିଲେ–ପୁଣି ତା’ ପରଦିନ ଆସିଲେ ଯାହା ବ୍ୟବସ୍ଥା । କୌଣସି ପ୍ରକାରେ ଏ ରୋଗରୁ ମୁକ୍ତ ହେଲି ସତ-ମାତ୍ର ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଗଲା ଏବଂ କୌଣସି ଖାଦ୍ୟ ଭଲରୂପେ ହଜମ ହୋଇ ପାରିଲା ନାହିଁ । ମୋର ସ୍ଵାସ୍ଥ୍ୟ ଭଗ୍ନ ହେବା ଏହିଠାରୁ ଆରମ୍ଭ ହୋଇଗଲା ।

 

ଶେଷକୁ କଟକ ଜେଲରୁ ମୋ ସାଙ୍ଗରେ ଅଣାଯାଇଥିବା ବହିପତ୍ର ପୋଲିସ୍ ପାଖରୁ ଯାଞ୍ଚ ହୋଇ ଆସିଲା । ମାତ୍ର ସେସବୁ ପୁରୁଣା ଓ ପଢ଼ିସାରିଥିବା ବହି । ନୂଆ ବହିଲାଗି ନିବେଦନ କଲି, ପାଇବାର କୌଣସି ସୁବିଧା ନଥିଲା । ଏହି ସମୟରେ ଦୈନିକ ‘ହିନ୍ଦୁ’ ସମ୍ବାଦପତ୍ର ଦିଆଯିବାରୁ ମୁଁ ବାହାର ଦୁନିଆର ସମ୍ବାଦ କିଞ୍ଚିତ୍ ପରିମାଣରେ ଜାଣିପାରିଲି । ମାତ୍ର ସାରା ଦିବସଟି କ’ଣ ଏଇଥିରେ କଟିଯାଇପାରେ ? ପୁଣି ସେମିତି ନିଃସଙ୍ଗ, ଏକୁଟିଆଭାବ । କି ଭୀଷଣ ନିର୍ଜନତା ! ବେଳେବେଳେ ‘ନିର୍ବାସିତର ବିଳାପ’ କବିତାରୁ ମୁଁ ଗାଉଥାଏ–“ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଙ୍ଘି ଭୀଷଣ ଗିରି ସମୁଦ୍ରବକ୍ଷ । ଦେଖନ୍ତି ପ୍ରିୟଜନ ମୁଖକମଳ, ହୁଅନ୍ତା ସନ୍ତପ୍ତ ପ୍ରାଣ ଶୀତଳ ।” ଲୋକ ବୋଧହୁଏ ଏହିଭଳି ପରିସ୍ଥିତିରେ ପଡ଼ି କବିତା ରଚନା କରେ ! ମୋ ଚରିପାର୍ଶ୍ୱରେ ଉଚ୍ଚ ପାହାଡ଼ର ମନୋରମ ଦୃଶ୍ୟ–ବଉଦ ଉପରେ ବଉଦ ଆସି ପାହାଡ଼ରେ ବାଡ଼େଇ ହୋଇଥାଏ । କଳା ସବୁଜିମା ବୃକ୍ଷଲତା ଗହଳିକି ଆଡ଼େଇ ଦେଇ ବର୍ଷା ହେଲେ ପର୍ବତ ଶୃଙ୍ଗରୁ ଝରଣା କଳକଳ ନାଦ କରି ବହିଆସୁଥାଏ । ଘରେ ବେଳେବେଳେ ବ୍ୟଘ୍ର ଆଦି ହିଂସ୍ରଜନ୍ତୁଙ୍କର ଗର୍ଜନବି ମୋର ନୀରବତାକୁ ଭାଙ୍ଗେ । ଥରେ ତ ସକଳବେଳା ଗୋଟିଏ ବାଘ ଜେଲ ପାଚେରି ଉପରକୁ ଉଠି ଆସିଲା ଏବଂ ଜେଲ କର୍ତ୍ତୃପକ୍ଷ ତାକୁ ମାରିବାଲାଗି ଗୁଳି ସଜାଡ଼ୁ ସଜାଡ଼ୁ ସେ ଛେଲାଙ୍ଗ ମାରି ପୁଣି ପଳାଇଗଲା । କିନ୍ତୁ ବାହାରେ ଲୋକେ ତାକୁ ଘଉଡ଼ିଲେ ଓ ମାରିଦେଲେ । ଲୋକର ପ୍ରବୃତ୍ତି ବା ଶକ୍ତି ନଥିଲେ ସୁଦ୍ଧା ଏଭଳି ପରିସ୍ଥିତି ତାକୁ କବି ନା ଲେଖକ କରିଦେବ । ମୁଁ ବି ସେମିତି ହେବାକୁ ବାଧ୍ୟ ହେଲି । ବସି ବସି କରନ୍ତି କ’ଣ ? ‘ବନ୍ଦୀର ଭାବନା’ ବୋଲି ଗୋଟିଏ ଛୋଟ କାବ୍ୟ ଲେଖିଲି । ବହୁତ ଖୋଜାଖୋଜି ପରେ ସେହି ପାଣ୍ଡୁଲିପିଟି ଏବେ ପାଇଲି । ତାହା ଏହି ବହିରେ ଶେଷ ଅଧ୍ୟାୟରୂପେ ଦିଆଯାଇଛି । ସେତିକିବେଳେ କିଛି ଗୀତ ଲେଖିବାକୁବି ଆରମ୍ଭ କରିଥିଲି । ଗୋଟିଏ ଗୀତର ପଦେ ଦୁଇପଦ ଏବେ ଏହା ଲେଖିଲାବେଳକୁ ସ୍ମରଣ ଆସିଯାଉଛି ।

 

“ଥକିପଡ଼ିଲୁକି !

ମୂଲିଆଭାଇ ସ୍ଵରାଜପାଇଁ କରି ଲଢ଼ାଇ

ଥକିପଡ଼ିଲୁକି !

ଏ ଦେଶେ ପରା ତୋହରି ଘର

ବିଦେଶୀ ତୋତେ କରିଛି ପର,

କରିବୁ ଛିନ୍ନ ସେହି ବନ୍ଧନ

ତୋ ଦେଶ ଜାତି ହେବ ସ୍ଵାଧୀନରେ,

ଥକିପଡ଼ିଲୁକି !”

 

ଏହିପରି ଦିନଗୁଡ଼ିକ କୌଣସି ପ୍ରକାରେ କଟୁଥିଲା । ମୋ ଦେହରେ ଏ ଯେଉଁ ଦୁର୍ବଳତା ପ୍ରବେଶ କଲା, ତାହା ଆଉ ଦୂର ହେଲା ନାହିଁ କିମ୍ବା ପୂର୍ବବଳ ଫେରି ପାଇଲି ନାହିଁ । ଆମର ଜଣେ ଓଡ଼ିଆ ଡାକ୍ତର ସୁପରିଣ୍ଟେଣ୍ଡେଣ୍ଟେ ଥିଲେ । ସେ ଜେଲ ଭିତରେ ତାଙ୍କ ପକ୍ଷରେ ଯାହା ସମ୍ଭବ ଭଲ ଖାଦ୍ୟର ବ୍ୟବସ୍ଥା କରି ମୋର ଶକ୍ତି ବଢ଼ାଇବାଲାଗି ଉଦ୍ୟମ କଲେ; ମାତ୍ର ଏଥିଭିତରେ କଟକ ଜେଲରୁ ମୋର ଯେଉଁ ପେଟଗୋଳମାଳ ଆରମ୍ଭ ହୋଇଥିଲା, ତାହା ପୁଣି ଦେଖାଦେଲା । ଭୀଷଣ ଯନ୍ତ୍ରଣା ହେଉଥିଲା । Gastritis ବୋଲି ଅନୁମାନ କରି ଡାକ୍ତର ମତେ ଚିକିତ୍ସା କଲେ । ମୋର ମାନସିକ ପରିବର୍ତ୍ତନ ଲୋଡ଼ା ବୋଲି ବିଚାରି ଜେଲ ସୁପରିଣ୍ଟେଣ୍ଡେଣ୍ଟେ ନିଜ ଦାୟିତ୍ୱରେ କୋରାପୁଟର ଜଣେ କନ୍ଧ ରାଜନୀତିକ ଅଟକବନ୍ଦୀଙ୍କୁ ମୋ ସହ ଆସି ରହିବା ଲାଗି ଅନୁମତି ଦେଲେ । ସେ ମୋ ସାଙ୍ଗରେ ଆସି ରହିବାରୁ ଦୁଃଖସୁଖ ହେବାକୁ ସୁବିଧା ମିଳିଲା-। ସେ ରାଜବନ୍ଦୀ ସତ୍ୟ, ମାତ୍ର ରାଜନୀତି ସହ ସେଭଳି ଜଡ଼ିତ ନଥିଲେ । ସେ ଥିଲେ ଜଣେ ବୁଢ଼ାଲୋକ, ସଂସାରୀ । ସେଥିରେ ପୁଣି ନିଜର କନ୍ଧକୁଳର ସଂସାର ବ୍ୟତୀତ ବାହାର ଦୁନିଆ ସହ ତାଙ୍କର ବିଶେଷ କିଛି ସମ୍ପର୍କ ନଥିଲା । ବଡ଼ ରହସ୍ୟପୂର୍ଣ୍ଣ ଗପ ସବୁ କହି ସେ ମତେ ଖୁସି ମିଜାସରେ ରଖୁଥିଲେ । ମୋ ଦେହ କିଛି ବେଶି ଖରାପ ହେଲେ ପାଟିତୁଣ୍ଡ କରୁଥିଲେ । ଏହା ଫଳରେ ଡାକ୍ତର ବା ଜେଲ କର୍ମଚାରୀ କେହି ଆସି ଉପସ୍ଥିତ ହୋଇଯାଉଥିଲେ । ରୋଗ କିଛିକ୍ଷଣ ଉପଶମ ହୁଏ, ପୁଣି ବାହାରେ । ସମୟ କଟାଇବା ଲାଗି ଓ କୌଣସି ଏକ କାର୍ଯ୍ୟରେ ନିଯୁକ୍ତ ରହିବା ନିମନ୍ତେ ମୁଁ ସେଠାରେ ତେଲଗୁ ଭାଷା ଶିଖିବାକୁ ଆରମ୍ଭ କଲି । କାରଣ ଜାଣିଥିଲି ମୋର ନିଜ ରାଜନୀତିକ କାର୍ଯ୍ୟ ସଂକ୍ରାନ୍ତରେ ଆମ ଓଡ଼ିଶାର ଉପାନ୍ତ ଅଞ୍ଚଳର କେତେକ ସ୍ଥାନରେ ମୋର ଓଡ଼ିଆ ଭାଷଣକୁ ତେଲଗୁରେ ଅନୁବାଦ କରିବାକୁ ପଡ଼ୁଥିଲା । ତେଣୁ ମୁଁ ଭାବିଲି ରାଜନୀତିକ କାର୍ଯ୍ୟ ଦୃଷ୍ଟିରୁ ଏହା ଶିଖିଲେ ମତେ ସୁବିଧା ହେବ । କିଛିଦିନ ଶିଖିଲି–ଲେଖାଲେଖି ଆରମ୍ଭ କରିଥିଲି । ଏକାକୀ ଏବଂ ଆଉ କିଛି ସାହାଯ୍ୟ ନମିଳିବାରୁ ବେଶି ଦୂର ଆଗେଇ ପାରିଲି ନାହିଁ । ଯାହାବି ଶିଖିଥିଲି ଏବେ ଭୁଲିଗଲିଣି ।

 

ଏହି ସମୟରେ କି କିଛିଦିନ ପରେ ମୋର ଠିକ୍ ସ୍ମରଣ ନାହିଁ–ହଠାତ୍ ମୋ ପାଖରେ ଏକ ପାର୍ସଲ ଆସି ପହଞ୍ଚିଲା । ଏଇଟି ଆସିଥିଲା ଦରଦୀ ବନ୍ଧୁ ୟୁସୁଫ ମେହେରଲୀଙ୍କ ପାଖରୁ । ବମ୍ବେରେ ଏହି ମେହେରଲୀଙ୍କ ଘରେ ବସି ଆମେ ଗୁପ୍ତ ଆନ୍ଦୋଳନର ସମସ୍ତ ଯୋଜନା କରିଥିଲୁ-। ମେହେରଲୀ ବମ୍ବେର ମେୟର ଥିବା ଅବସ୍ଥାରେ ଗିରଫ୍‍ ହୋଇ ଯାଇଥିଲେ । ଅଗଷ୍ଟ ୯ ତାରିଖରେ ଗିରଫ୍‍ ହେଲେ । ସେ ଥିଲେ ହୃଦ୍‍ରୋଗୀ–ଜେଲରେ ଅସୁସ୍ଥତା ବଢ଼ିବାରୁ ତାଙ୍କୁ ଖଲାସ କରି ଦିଆଯାଇଥିଲା । ସେ ଏମିତି ବନ୍ଧୁବତ୍ସଳ ଥିଲେ ଯେ ଅସୁସ୍ଥ ଅବସ୍ଥାରେ ଥାଇ ସୁଦ୍ଧା ଜେଲରୁ ବାହାରିବାମାତ୍ରେ କେଉଁ ବନ୍ଧୁ କେଉଁଠି ବନ୍ଦୀ ରହିଥିଲେ ତାହାର ସମ୍ବାଦ ସଂଗ୍ରହ କରିଥିଲେ-। ମୁଁ ମୁକ୍ତ ହେଲାପରେ ସମ୍ବାଦ ପାଇଲି ଭାରତର ପ୍ରାୟ ସବୁ ପ୍ରଦେଶର ବିଶିଷ୍ଟ ସାଥୀମାନଙ୍କୁ ସେ ସେମାନଙ୍କ ମନରୁଚି ପୁସ୍ତକମାନ ଜେଲକୁ ପଠାଇଥିଲେ । ସେ ଜାଣିଥିଲେ ଯେ ମତେ ଅତି ନିଷ୍ଠୁର ଓ କଠୋର କଟକଣା ଭିତରେ ରଖାଯାଇଛି ଏବଂ ରାଜନୀତିକ ପୁସ୍ତକ ପଢ଼ିବାକୁ ଦିଆଯାଉ ନାହିଁ-। ତେଣୁ ସେ ମୋ ପାଖକୁ ସେପରି କୌଣସି ପୁସ୍ତକ ନପଠାଇ ଏକ ଊର୍ଦ୍ଦୁ–ଇଂରାଜୀ–ହିନ୍ଦୀ ଅଭିଧାନ, ଊର୍ଦ୍ଦୁ ଭାଷାର ପ୍ରାଥମିକ ଶିକ୍ଷା ଲାଗି କେତୋଟି ଉପାଦେୟ ପୁସ୍ତକ ଏବଂ ସାକ୍ଷରତା ପ୍ରଚାର ଲାଗି ବାହାରୁଥିବା ଏକ ସରଳ ପାକ୍ଷିକ ଊର୍ଦ୍ଦୁ ପତ୍ରିକା ପଠାଇଥିଲେ । ମୁଁ ତାହା ପାଇ ଖୁବ୍ ଆନନ୍ଦିତ ହେଲି । ଯେ ଜେଲଦଣ୍ଡ ଭୋଗୀ ନାହିଁ ସେ ଏହି ଆନନ୍ଦ ଅନୁଭବ କରିପାରିବ ନାହିଁ କି ବୁଝିପାରିବ ନାହିଁ । ବେଶି ଦିନ ବନ୍ଦୀ ହୋଇ ଏଭଳି ବିଚ୍ଛିନ୍ନ ଅବସ୍ଥାରେ ରହିଗଲେ ଅର୍ଦ୍ଧଚେତନ ମାନସ ଜଗତରେ ଧାରଣା ହୋଇଯାଏ ଯେ ବାହାର ଦୁନିଆରେ କେହି ଆଉ ତାକୁ ମନେ ରଖି ନାହାନ୍ତି–ପାସୋରି ଗଲେଣି । ସୁଦୂର ବମ୍ବେରୁ ମେହେରଲୀ ମନେପକାଇ ବନ୍ଧୁତା ଓ ପ୍ରୀତିର ନିଦର୍ଶନରୂପେ ଏହା ପଠାଇଥିବାରୁ ପାର୍ସଲ ପାଇବାମାତ୍ରେ ମୋ ଆଖିରୁ ଆପଣାଛାଏଁ ଲୁହ ଗଡ଼ିପଡ଼ିଥିଲା । ଯେଉଁ ପୁସ୍ତକଗୁଡ଼ିକ ସାହାଯ୍ୟରେ ଲୋକ ନିଜ ଚେଷ୍ଟାରେ ଊର୍ଦ୍ଦୁ ଶିକ୍ଷା କରିପାରିବ–ଶିକ୍ଷକର ଆବଶ୍ୟକତା ପଡ଼ିବ ନାହିଁ–ମେହେରଲୀ ସେମିତି ବହିସବୁ ବାଛି ପଠାଇଥିଲେ । ମୁଁ ସେଥିରେ କେତେଦିନ ଖୁବ୍ ମନଲଗାଇଲି, ପଢ଼ିଲି, ଲେଖିଲି; କିନ୍ତୁ ମୁଁ ନିଜେ ଯେମିତି ଜଣେ ଅଧାପାଠୁଆ, ସେମତି ଊର୍ଦ୍ଦୁ ଶିକ୍ଷାବି ମୋର ଅଧା ହୋଇ ରହିଗଲା ।

 

କିଛିଦିନ ବିତିଗଲା । ଏତେଦୂରରେ ରହିଥିବାରୁ ମୋର ଆତ୍ମୀୟସ୍ୱଜନ ଆଉ କେହି ସେଠିକି ଯାଇ ପାରିଲେ ନାହିଁ । ମୁଁ ମଧ୍ୟ କାହାରିଠାରୁ କୌଣସି ସମ୍ବାଦ ପାଇପାର ନଥିଲି । ଚିଠି ଲେଖିଥିଲି; ମାତ୍ର ସେମାନେ ପାଉଥିଲେ କି ନାହିଁ ସନ୍ଦେହ । କାରଣ ଦୀର୍ଘ ୨୦ ମାସରୁ ଅଧିକ କାଳ ମୁଁ ଯେ ଏଭଳି ନିର୍ଜନ କାରାଗାରରେ ରହିଲି ଏହା ଭିତରେ କାହାରିଠାରୁ ଖଣ୍ଡେ ହେଲେ ପତ୍ର ପାଇଥିବା ଭଳି ମୋର ସ୍ମରଣ ହେଉ–ନାହିଁ । ଚିଠି ସବୁତ ପୁଲିସ ଯାଞ୍ଚ କରୁଥିଲେ, ତେଣୁ ମୋର ଅସୁସ୍ଥତା ସମ୍ବାଦ କିଛି ଯଦି ଚିଠିରେ ଲେଖୁଥିଲି ପୁଲିସ ତାହା କାଟିଦେଇ ପଠାଉଥିଲେ । ଏହି କାରଣରୁ ମୋର ବାସ୍ତବ ଅବସ୍ଥା ବାହାରେ କେହି ବିଶେଷ ଭାବରେ ଜାଣିପାରୁ ନଥିଲେ ।

 

କ୍ରମେ ପେଟର ଯନ୍ତ୍ରଣା ବଢ଼ି ମୁଁ ଶୀର୍ଣ୍ଣ ହେବାକୁ ଆରମ୍ଭ କଲି । କିଛି ହଜମ ହେଲା ନାହିଁ, ଘନଘନ ବାନ୍ତି ହେଉଥିଲା । ପେଟକୁ ମାରୁଥିଲା । ଥରେ ଦିଥର ପ୍ରଚୁର ରକ୍ତ ବାନ୍ତି କରିଥିଲି-। ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା । ଓଜନରେ ପ୍ରାୟ ୪୫ ପାଉଣ୍ଡ କମ୍ ହୋଇଯାଇଥିଲି-। ସେତେବେଳକୁ ନୂଆ ହୋଇ କଟକର ଡାକ୍ତର ଜଗନ୍ନାଥ ଦାସ ସେଠିକି ସୁପରିଣ୍ଟେଣ୍ଡେଣ୍ଟେଭାବେ ଯାଇଥିଲେ । ସେ ବଡ଼ ସ୍ଵାଧୀନଚେତା ଥିଲେ ଏବଂ ମୋ ପ୍ରତି କୌଣସି ଦୟା ନ ଦେଖାଇବା ନିମନ୍ତେ ସେବାକାଳର ଇଂରେଜ ସରକାରର ନିର୍ଦ୍ଦେଶ ଥିବା କଥା ତାଙ୍କୁ କୋରାପୁଟ ଜେଲ କର୍ତ୍ତୃପକ୍ଷ ଜଣାଇଥିଲେ ସୁଦ୍ଧା ସେ ତାଙ୍କର ସୀମିତ ପରିସର ଭିତରେ ମତେ ଯଥାସମ୍ଭବ ଆରୋଗ୍ୟ କରିବା ନିମନ୍ତେ ଉଦ୍ୟମ କଲେ । ନିଜେ ଦିନକୁ ଥରେ ଦି’ଥର ଦେଖିବାକୁ ଆସୁଥିଲେ । ମହମ୍ମଦ କାଜୀ ନାମକ ଆଉ ଏକ ରାଜନୀତିକ ଅଟକବନ୍ଦୀଙ୍କି ମୋ ସାଙ୍ଗରେ ରହିବାକୁ ଦେଲେ ଏବଂ ଏକ କଏଦୀକୁ ମୋ ପାଖରେ ରଖାଇ ସ୍ଵତନ୍ତ୍ର ରୋଷେଇର ବ୍ୟବସ୍ଥା କଲେ । ଏହା ସତ୍ତ୍ଵେ ରୋଗ ଉପଶମ ହେଲାନାହିଁ । କୌଣସି ରାଜବନ୍ଦୀ ଏଥିଭିତରେ ଜେଲମୁକ୍ତ ହୋଇ ଆସି ବାହାରର ସମ୍ବାଦପତ୍ରରେ ମୋର ଗୁରୁତର ସ୍ଵାସ୍ଥ୍ୟହାନି ସଂକ୍ରାନ୍ତ ସମ୍ବାଦ ପ୍ରକାଶ କରିଦେଲେ; ଫଳରେ ସରକାରୀ ଓ ରାଜନୀତିକ ମହଲରେ ଟିକିଏ ଚାଞ୍ଚଲ୍ୟ ଖେଳିଲା । ଡାକ୍ତର ଜଗନ୍ନାଥ ଦାସ ମତେ ମୃତ୍ୟୁମୁଖରୁ ବଞ୍ଚାଇଦେଲେ ସତ; ମାତ୍ର ମୋର ରୋଗ ଯେ ଭଲ ହୋଇନାହିଁ ଏବଂ ପୁଣି ଯେକୌଣସି ମୁହୂର୍ତ୍ତରେ ଗୁରୁତର ଆକାର ଧାରଣ କରିପାରେ ଏହି ଆଶଙ୍କାରେ ମତେ କଟକ ବଦଳି କରାଯାଇ ଏକ୍ସରେ ପରୀକ୍ଷା କରାଇବା ନିମନ୍ତେ ଓଡ଼ିଶା ସରକାରକୁ ଲେଖିଲେ-। ସେତେବେଳେ ଓଡ଼ିଶାରେ କଟକ ଛଡ଼ା ଆଉ କେଉଁଠି ରଶ୍ମି ପରୀକ୍ଷାର ସୁବିଧା ନଥିଲା । ସରକାର ଡାକ୍ତର ଜଗନ୍ନାଥ ଦାସଙ୍କ ଅନୁରୋଧ ରକ୍ଷା କରିବା ଦୂରେ ଥାଉ, ମୋପରି ଜଣେ ଭୟାନକ ବନ୍ଦୀକୁ ଉତ୍ତମ ଚିକିତ୍ସା ନିମନ୍ତେ କଟକ ବଦଳିପାଇଁ ସୁପାରିସ୍ କରିଥିବାରୁ ତାଙ୍କୁ କୈଫିୟତ୍ ତଲବ କଲେ । ମୋର ତ ବଦଳି ହେଲା ନାହିଁ; ମାତ୍ର ଡାକ୍ତର ଜଗନ୍ନାଥ ଦାସଙ୍କୁ ଆଉ ସିଭିଲ ସର୍ଜନ ପାହ୍ୟା ନ ଦେଇ ସେଠାରୁ ଅନ୍ୟତ୍ର ବଦଳି କରିଦିଆଗଲା । ଡାକ୍ତର ଦାସ ଏଥିଲାଗି ଦୁଃଖିତ ହୋଇ ନଥିଲେ । ସେ ବିଚାରିଲେ ଯେ ନିଜର ମାନବିକ କର୍ତ୍ତବ୍ୟ କରିଛନ୍ତି । ସେ ଆସିଲାବେଳେ ଦୁଃଖ କରି ଆସିଲେ ଏବଂ କହିଲେ, “ମୋର ଯାହାହେଲା ସେଥିଲାଗି ମୁଁ ଚିନ୍ତିତ ନୁହେଁ । ସରକାରୀ ଚାକିରି–ଗୋଟିଏ ସ୍ଥାନରୁ ଯାଇ ଅନ୍ୟତ୍ର ଚାକିରି କରିବାକୁ ହେବ । ମାତ୍ର ଆପଣଙ୍କର ସ୍ଵାସ୍ଥ୍ୟ ଲାଗି କିଛି କରି ନପାରି–ବିଶେଷ ଭାବରେ ଏଭଳି କଠିନ ରୋଗର ମୂଳକାରଣ–ଭିତରେ ଘା’ ହୋଇଛି କି ନାହିଁ ଜାଣି ନପାରି ମୁଁ ଦୁଃଖିତ । ମୁଁ ଗଲାପରେ ଆପଣଙ୍କର କି ଦଶା ହେବ ତାହା ଭାବି ମୁଁ ଅଧିକ ଚିନ୍ତିତ ଓ ବିକଳ ।” ଡାକ୍ତର ଜଗନ୍ନାଥ ଦାସ ଆଉ ଇହଜଗତରେ ନାହାନ୍ତି । ସେ ଏଭଳି ନିର୍ଭୀକତା ଦେଖାଇଥିଲେ ସୁଦ୍ଧା କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହୋଇସାରିବା ପରେବି ଯେତେବେଳେ ସେ ତାଙ୍କର ପଦୋନ୍ନତି ଓ ଅନ୍ୟାନ୍ୟ ବିଷୟରେ ତାଙ୍କ ପ୍ରତି ଇଂରେଜ ସରକାର ଏହି କାରଣରୁ ଅବିଚାର କରିଥିଲେ ବୋଲି ଦର୍ଶାଇ ତା’ର ପ୍ରତିକାର ଲୋଡ଼ିଲେ, କେହି କର୍ଣ୍ଣପାତ କଲେ ନାହିଁ ।

 

ଡାକ୍ତର ଜଗନ୍ନାଥ ଦାସଙ୍କର ଏଭଳି ବଦଳି ଯୋଗୁଁ ଜେଲ କର୍ତ୍ତୃପକ୍ଷଙ୍କର ଆହୁରି ଭୟ ହୋଇଗଲା । ତାଙ୍କ ପରବର୍ତ୍ତୀ ସୁପରିଣ୍ଟେଣ୍ଡେଣ୍ଟେ ମୋ ପ୍ରତି ସହାନୁଭୂତି ଦେଖାଉଥିଲେ ସୁଦ୍ଧା ବର୍ତ୍ତମାନ ସେମାନେ କିଭଳି କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ରହିଛନ୍ତି ତାହା ମତେ କହୁଥିଲେ । ସରକାରର ଏ ମତିଗତିରୁ ପରିଷ୍କାର ବୁଝାପଡ଼ୁଥିଲା ଯେ ଫାଶୀରେ ଝୁଲାଇବା ଉଦ୍ୟମରେ ବିଫଳ ହୋଇ ସରକାର ମତେ ଏମିତି ଅବସ୍ଥାରେ ହତ୍ୟା କରିବା ନିମନ୍ତେ କୋରାପୁଟ ଜେଲକୁ ପଠାଇଥିଲେ । ଏସବୁ ଘଟଣାଗୁଡ଼ିକ ମୋ ମନରେ ଏକ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କଲା । ଯେତେ କଷ୍ଟ ହେଉ ପଛକେ ମୋର ଯେଭଳି ଜେଲରେ ମୃତ୍ୟୁ ନ ଘଟେ ସେଥିଲାଗି ମନରେ ଏକପ୍ରକାର ଦୃଢ଼ତା ଆସିଲା । ସତେ କି ମୃତ୍ୟୁକୁ ମୁଁ ବନ୍ଦ କରିଦେଇପାରିଥାନ୍ତି !

 

ଏତିକିବେଳକୁ ଭାରତର ରାଜନୈତିକ ଆକାଶ କ୍ରମଶଃ ନିର୍ମଳ ହୋଇ ଆସୁଥିଲା । ବ୍ରିଟିଶ ସରକାର କଂଗ୍ରେସ ନେତାମାନଙ୍କୁ ଖଲାସ କରିଦେଇ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ । କେତେକ ସ୍ଥାନରେ ରାଜବନ୍ଦୀମାନେ ଖଲାସ ହୋଇଗଲେ । ବିପ୍ଳବଟି କିଛିଦିନ ଚାଲିଲା ପରେ ମାନ୍ଦା ପଡ଼ିଯାଇଥିଲା । ଓଡ଼ିଶା ତଥା ଭାରତର ଚାରିଆଡ଼େ କଂଗ୍ରେସ ପୁଣି ହୁଏତ ସରକାର ଗଢ଼ିବ ଏବଂ ନିର୍ବାଚନ ହେବ ଏଭଳି ଏକ ପରିସ୍ଥିତିର ସୂଚନା ମିଳିଲା ।

 

ଓଡ଼ିଶାରେ ଶେଷ ଇଂରେଜ ଗଭର୍ଣ୍ଣର ଥିଲେ ସାର୍ ହର୍ଥର୍ଣ୍ଣ ଲୁଇସ୍ । ସେ ଏଭଳି ସମୟରେ କୋରାପୁଟ ରାସ୍ତାରେ ଯାଇଥିଲେ ଏବଂ ଜେଲ ପରିଦର୍ଶନରେ ଆସିଲେ । ସେ ନିଜେ ଇଚ୍ଛା କରି ହେଉ କିମ୍ଵା ଜେଲକର୍ତ୍ତୃପକ୍ଷ ତାଙ୍କୁ ମୋ ପାଖକୁ ଆଣିବା ହେତୁ ହେଉ, ସେ ସଦଳବଳ ଆସି ମୋ ୱାର୍ଡ଼୍‍ରେ ପହଞ୍ଚିଥିଲେ । ସେତେବେଳକୁ ମୁଁ ଜଣେ ଜୀର୍ଣ୍ଣଶୀର୍ଣ୍ଣ ଯୁବକ...ସର୍ବଦା ବଡ଼ ଉତ୍ତେଜିତ ଅବସ୍ଥାରେ ଏକ ଅସ୍ଵାଭାବିକ ପରିସ୍ଥିତିରେ ରହିଥାଏ । ସାର୍ ଲୁଇସ୍ ମୋ ପାଖକୁ ଆସି ମୋ ୱାର୍ଡ଼୍‍ଟି ଦେଖିଲେ ଏବଂ ମତେ ପଚାରିଲେ–“ଆପଣ ଏଠାରେ ଏମିତି ଏକାକୀ ବହୁକାଳ ହେଲା ରହିଛନ୍ତି, ନା ?” ଏହି ପ୍ରଶ୍ନକୁ ମୁଁ ଏକ ଉପହାସ ପରି ମନେକଲି । ମୋ ମନରେ ଭୀଷଣ କ୍ରୋଧ ଜାତହେଲା । ମୁଁ ନିଜକୁ ସମ୍ଭାଳି ନପାରି ଉତ୍ତେଜିତ ହୋଇ ବଡ଼ପାଟିରେ ଚିତ୍କାର କରି ଜବାବ ଦେଲି–‘‘ତୁମେ ସାହେବ, ବହୁତ ବଡ଼କଥା ଆବିଷ୍କାର କଲ । ମୁଁ ଏଇଠି କୋଡ଼ିଏ ମାସ ହେଲା ଶଢ଼ୁଛି । ତୁମେ ଆଣି ମତେ ଏଠି ଏକୁଟିଆ ବନ୍ଦ କରି ରଖିଛ । ମୋର ସ୍ଵାସ୍ଥ୍ୟହାନି ଘଟିଛି । ମୁଁ ମରୁ ମରୁ ବଞ୍ଚିଛି । ଡାକ୍ତରଙ୍କ ପାଖକୁ ଯାଇ ଦେଖନ୍ତୁ ରେକର୍ଡ଼ । କୌଣସି ଚିକିତ୍ସାର ବ୍ୟବସ୍ଥା ନାହିଁ । ଏକ୍ସରେ କରିବା ନିମନ୍ତେ କଟକ ପଠାଗଲା ନାହିଁ । ଯେଉଁ ଡାକ୍ତର ସୁପାରିସ୍ କଲେ ଓଲଟା ତାଙ୍କୁ ବଦଳି କରି ଦିଆଗଲା । ମତେ ଏଠି ତିଳତିଳ କରି ହତ୍ୟା କରିବାର ଏହା ଏକ ଯୋଜନା । ଆଉ ତୁମେ ଆସି କିଛି ନଜାଣିଲାଭଳି ପଚାରୁଛ–ଏକାକୀ ରହିଛ ?”

 

ମୋର ଏଭଳି ଜବାବରେ ସେଠା ବାୟୁମଣ୍ଡଳ ବଡ଼ ଉତ୍ତେଜନାପୂର୍ଣ୍ଣ ହୋଇଗଲା । ଗଭର୍ଣ୍ଣରଙ୍କ ସାଙ୍ଗରେ ଥାଆନ୍ତି ଆଇ.ଜି., ଗୋରା ପୁଲିସ ସୁପରିଣ୍ଟେଣ୍ଡେଣ୍ଟେ ଏବଂ ଗୋରା ଜିଲ୍ଲା ମାଜିଷ୍ଟ୍ରେଟ, ଆହୁରି ମଧ୍ୟ ଜେଲବିଭାଗର ଆଇ.ଜି. ଶ୍ରୀ ଚୋପ୍ରା । ସେମାନେ ବିଚାରିଲେ–କେତେ ବଡ଼ ଆସ୍ପର୍ଦ୍ଧା ! ଜଣେ କଏଦୀ ହୋଇ ଏଭଳି ମୁହେଁ ମୁହେଁ ଜବାବ ଦେଉଛି ! ଏକ ଟୋକା ଇଂରେଜ ଥାଆନ୍ତି କୋରାପୁଟର ଜିଲ୍ଲା ମାଜିଷ୍ଟ୍ରେଟ । ସେ ଏକପ୍ରକାର ଛୁଟିଆସିଲେ ମୋ ପାଖକୁ–ମାରନ୍ତି କି ନମାରନ୍ତି ଏମିତିକା ଅବସ୍ଥା । ଜେଲ୍‍ଖାନାର ନିୟମାନୁସାରେ କଏଦୀମାନଙ୍କୁ ନିଜ ଜେଲଟିକେଟ ଧରି ଛିଡ଼ା ହେବାକୁ ପଡ଼େ । ମତେ ଆଗରୁ ଆଣି ଜେଲ ଟିକେଟ ଦେଇଥିଲେ । ମାତ୍ର ମୁଁ ତାହା ଗ୍ରହଣ କରି ନଥିଲି । ମୁଁ କୋରାପୁଟ ଜେଲରେ ପହଞ୍ଚିବା ସଙ୍ଗେ ସଙ୍ଗେ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିଲି ଯେ–ମୁଁ ଜେଲ ଭିତରେ ତୁମର ନିୟମ ମାନିବାକୁ ବାଧ୍ୟ ନୁହେଁ କିମ୍ବା ତୁମେ ଯାହା ଟିକେଟରେ ଲେଖିବ ତା’ର ଦାୟିତ୍ଵ ନେବାକୁ ପ୍ରସ୍ତୁତ ନୁହେଁ । ତେଣୁ ମୁଁ ଟିକେଟ ନେଇ ନଥିଲି ।

 

କିନ୍ତୁ ଗଭର୍ଣ୍ଣର ଲୁଇସ୍‍ଙ୍କ ଉପରେ ମୋର ଏ ବଚସାର ଅନ୍ୟପ୍ରକାର ପ୍ରତିକ୍ରିୟା ପଡ଼ିଲା-। ସେ ପ୍ରକୃତରେ ସେଠାରୁ ଜେଲ ହାସପାତାଳକୁ ଆସିଲେ । ସେଠାରେ କିଛି ସମୟ ଛିଡ଼ାହୋଇ ମୋର ସମସ୍ତ ବିବରଣ ହାସପାତାଳ ବହିରୁ ଦେଖିଲେ ଏବଂ ସାଙ୍ଗେ ସାଙ୍ଗେ ସେହିଠାରେ ତାଙ୍କ ଷ୍ଟେନୋକୁ ଡାକି ଅଡ଼ର୍ ଦେଲେ ଯେ ଆସନ୍ତା ଚବିଶିଘଣ୍ଟା ଭିତରେ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କୁ କଟକ ବଦଳି କରି ନିଆଯାଉ ଏବଂ କଟକ ହାସପାତାଳରେ ଏକ୍ସରେ ଓ ଚିକିତ୍ସାର ବ୍ୟବସ୍ଥା କରାଯାଉ ।

 

ଯେମିତି ଅଚାନକଭାବରେ କଟକ ଜେଲରୁ କୋରାପୁଟ ଜେଲକୁ ବଦଳି ହୋଇଥିଲା, ସେମିତି ଚବିଶ ଘଣ୍ଟିଆ ନୋଟିସ୍‍ରେ କୋରାପୁଟରୁ କଟକ ବଦଳି ହେଲା । କୋଡ଼ିଏ ମାସରୁ ଅଧିକ କାଳ ମୋର ନିର୍ଜନ କାରାବାସର ଅନ୍ତ ହେଲା–ମାତ୍ର ଫେରିଲି ଏକ ଜୀର୍ଣ୍ଣଶୀର୍ଣ୍ଣ ରୁଗ୍‍ଣ ଶରୀର ଘେନି ।

☆☆☆

 

ମୁକ୍ତ ଗଗନ ତଳେ

 

କଟକ ଜେଲରେ ପହଞ୍ଚିବା ରାତ୍ରିର ପରଦିନ ସକାଳୁ ମତେ କଟକ ଜେନେରାଲ ହସ୍‍ପିଟାଲକୁ ନିଆଗଲା ଚିକିତ୍ସା ନିମନ୍ତେ । ଗଭର୍ଣ୍ଣରଙ୍କ ଅଡ଼ର୍ ଯୋଗୁଁ ଏସବୁ ଅତି ଚଞ୍ଚଳ ହୋଇଯାଇଥିଲା ଏବଂ ଆମେ ପହଞ୍ଚିବା ଆଗରୁ ସକଳ ବ୍ୟବସ୍ଥା କରାଯାଇଥିଲା । ତେଣୁ କଟକ ଜେଲରେ ଥିବା ବନ୍ଦୀଭାଇମାନଙ୍କ ସହ ମୁଁ ଆଉ ସାକ୍ଷାତ୍ କରିପାରି ନଥିଲି କିମ୍ଵା କଥାବାର୍ତ୍ତା କରିବାର ସୁଯୋଗ ପାଇ ନଥିଲି । କଟକ ଜେନେରାଲ ହସ୍‍ପିଟାଲର ଜେନେରାଲ ୱାର୍ଡ଼୍‍ରେ ପୁଲିସ ଜଗୁଆଳ ସହ ଏକ କୋଣରେ ଏକ ବନ୍ଦୀରୋଗୀ ହିସାବରେ ମୋତେ ରଖାଗଲା । ରଶ୍ମି–ପରୀକ୍ଷା ଓ ଅନ୍ୟାନ୍ୟ ଚିକିତ୍ସା ଚାଲିଲା ।

 

ସେତେବେଳକୁ ଅଟକବନ୍ଦୀ ସବୁ ଖଲାସ ହୋଇ ସାରିଥିଲେ । ସାଧାରଣ ନିର୍ବାଚନ ଲାଗି ହୁକୁମ ଦିଆଯାଇଥିଲା । କଂଗ୍ରେସ ନେତାମାନେ ଖଲାସ ହୋଇ ପୁଣି ବିଧିବଦ୍ଧଭାବରେ କଂଗ୍ରେସ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ବହୁ ଯୁବକ ୧୯୪୨ ଆନ୍ଦୋଳନରେ ଏକ ପୂର୍ଣ୍ଣ ବିପ୍ଳବାତ୍ମକ ଭାବନା ଘେନି ଜାତୀୟ ଆନ୍ଦୋଳନକୁ ଆସିଥିଲେ । ନିର୍ବାଚନ ନିମନ୍ତେ କଂଗ୍ରେସ କମିଟିଦ୍ଵାରା ପ୍ରାର୍ଥୀ ବଛାଗଲା । କଂଗ୍ରେସର ଯାହା ପୂର୍ବ ରୀତି ଥାଏ, ସେଥିରେ ବିଶେଷ କିଛି ପରିବର୍ତ୍ତନ ଦେଖାଗଲାନାହିଁ । ଯୁବଶକ୍ତିର ମନର ଭାବ ଓ ପ୍ରତିକ୍ରିୟାକୁ ଗୁରୁତ୍ଵ ଦିଆଗଲାନାହିଁ । ଯୁବକର୍ମୀଙ୍କ ମନରେ ପ୍ରାର୍ଥୀ ନିର୍ବାଚନ ଘେନି ଘୋର ଅଶାନ୍ତି ଓ ଅସନ୍ତୋଷ ଖେଳିଗଲା । ମୁଁ ଡାକ୍ତରଖାନାକୁ ଆସି ଜେଲ ବାହାରେ ଥିବାରୁ ଏବଂ କଂଗ୍ରେସ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ଥିବାରୁ ଆଗ ଯେଉଁ ନିଷେଧାଜ୍ଞା ଓ ବାରଣ ଆଦି ଥିଲା, ତାହା ଆଉ ସେପରି ନଥିଲା । ତେଣୁ ଦଳକୁ ଦଳ ଲୋକ ଯାଇ ମୋ ସହିତ ଡାକ୍ତରଖାନାରେ କଥାବାର୍ତ୍ତା କରୁଥାଆନ୍ତି–ଯାହାସବୁ ଘଟୁଥିଲା ମତେ ଜଣାଉଥାନ୍ତି । ଅନେକଙ୍କ ମନରେ ନିରାଶା ଓ ହତାଶାର ଭାବ ଦେଖିଲି । ମୋ ମନରେ ବିରକ୍ତି ଆସିଲା । ଆମର ଏତେ ତ୍ୟାଗ, କଷ୍ଟଭୋଗ ଏବଂ ଦେଶର ଏଡ଼େବଡ଼ ବିଦ୍ରୋହର ପରିଣତି କ’ଣ ଶେଷକୁ ଏଇଆ ହେବ !

 

ଚିକିତ୍ସିତ ହେବାପରେ ଖଲାସ ହେବାର ପ୍ରାୟ ୪।୫ ଦିନ ଆଗରୁ ମତେ କଟକ ଜେଲକୁ ଫେରାଇ ଅଣାଗଲା । ସେତେବେଳକୁ ମୁଁ ଅପେକ୍ଷାକୃତ ସୁସ୍ଥ ଅବସ୍ଥାରେ ଥାଏ । ଆମ ବିପ୍ଳବର ସଫଳତା ଆଖିଆଗରେ ଦେଖୁଥିବାରୁ ମନ ଆନନ୍ଦିତ ହେଉଥାଏ । କଟକ ଜେଲରେ ରହିଥିବା ବନ୍ଦୀମାନଙ୍କ ଭିତରେ ମଧ୍ୟ ଆନନ୍ଦ କୋଳାହଳ; ମାତ୍ର ଯେଉଁ ବନ୍ଦୀଭାଇମାନେ ୨୦।୨୫ ବର୍ଷ ଲେଖାଏଁ ସଜା ପାଇଥାଆନ୍ତି ସେମାନଙ୍କ ଅବସ୍ଥା ଯେ କ’ଣ ହେବ ସେଥିଲାଗି ସେମାନଙ୍କ ମନରେ ନାନା ଆଶଙ୍କା ରହିଥାଏ ।

 

୨୩–୪–୪୬ରେ ହରେକୃଷ୍ଣ ମହତାବଙ୍କ ନେତୃତ୍ଵରେ ଓଡ଼ିଶାରେ ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ମନ୍ତ୍ରିମଣ୍ଡଳ ସେହି ଦିନ ଶପଥ ଗ୍ରହଣ କରି ଶାସନ କ୍ଷମତା ଗ୍ରହଣକଲେ । ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ଓଡ଼ିଶାର ସବୁ ରାଜବନ୍ଦୀଙ୍କୁ ଖଲାସ କରିଦେବା ନିମନ୍ତେ ନିଷ୍ପତ୍ତି କରାଗଲା ଓ ଆଦେଶ ଦିଆଗଲା । ପ୍ରାୟ ସଞ୍ଜ ପାଖପାଖ ବେଳ । ସେତେବେଳକୁ କଟକ ଜେଲ ବାହାରେ ହଜାର ହଜାର ଲୋକ ଠୁଳ ହୋଇ ଉତ୍ସୁକ ନୟନରେ ଚାହିଁ ରହିଥାଆନ୍ତି । ଧ୍ୱନି ଦେଉଥାନ୍ତି–‘‘ଆମ ବନ୍ଦୀଙ୍କୁ ଖଲାସ କର ।” କଟକ ଜେଲରେ ପାଞ୍ଚଶହରୁ ଅଧିକ ରାଜବନ୍ଦୀ ଥାଆନ୍ତି; କିନ୍ତୁ ସେଦିନ କେବଳ ମତେ ଓ ଆମ ଷଡ଼ଯନ୍ତ୍ର ମକଦ୍ଦମା ସହିତ ସମ୍ପୃକ୍ତ ବନ୍ଦୀ ସାଥୀମାନଙ୍କୁ ଖଲାସ କରିଦେବା ନିମନ୍ତେ ଜେଲକର୍ତ୍ତୃପକ୍ଷଙ୍କ ପାଖକୁ ସରକାରୀ ନିର୍ଦ୍ଦେଶ ଆସି ପହଞ୍ଚିଥିଲା । ଜେଲର୍ ଯାଇ ମତେ ଜେଲ ଭିତରେ ଏକଥା ଜଣାଇଦେଲେ ଏବଂ ତୁରନ୍ତ ପଦାକୁ ବାହାରି ଆସିବା ନିମନ୍ତେ ପ୍ରସ୍ତୁତ ହେବା ଲାଗି କହିଲେ ।

 

ମୁଁ ଯାହା ଅନୁମାନ କରୁଥିଲି ସେଇଆ ହେଲା । ଆମ କେସ୍‍ରେ ଥିବା ବନ୍ଦୀ ସାଥୀମାନଙ୍କ ଭିତରୁ କେବଳ ଭୈରବଚନ୍ଦ୍ର ମହାନ୍ତିଙ୍କୁ ଅସୁସ୍ଥତା ହେତୁ ଆଗରୁ ଖଲାସ କରି ଦିଆଯାଇଥିଲା । ନବଘନ ବେହେରା ମଧ୍ୟ ଢେଙ୍କାନାଳ ଚାଲିଯାଇଥିଲେ ଏବଂ ସେଠାରେ ତାଙ୍କର ପୁନର୍ବାର ବିଚାର କରାଯାଇ ତାଙ୍କୁ ଦଶବର୍ଷ ଜେଲଦଣ୍ଡ ମିଳିଥିଲା । ତାଙ୍କର ମୋଟ ଜେଲଦଣ୍ଡ ହେଲା ଚଉଦବର୍ଷ । ସେ ଢେଙ୍କାନାଳ ଜେଲରେ ରହି ତାହା ଭୋଗ କରୁଥିଲେ । ବାକି ଆମେ ଥିଲୁ ବାରଜଣ । ଏହି ବାରଜଣଙ୍କ ଲାଗି ମୁକ୍ତିର ଆଦେଶ ଆସିଥିଲା । ଏହା ଶୁଣି ଅନ୍ୟ ଯେଉଁ ରାଜବନ୍ଦୀମାନେ ଥିଲେ ସେମାନଙ୍କ ମନରେ ଭୀଷଣ ଉଦ୍‍ବେଗ ଦେଖାଦେଲା । ସେମାନଙ୍କ ଭିତରୁ ଅନେକେ ଆଶଙ୍କା କରୁଥିଲେ ବୋଧହୁଏ ଆଉ ଖଲାସ ହୋଇପାରିବେ ନାହିଁ । ଏ ପରିସ୍ଥିତି ଦେଖି ମୋ ମନରେ ଏକ ଧର୍ମସଙ୍କଟ ଉପୁଜିଲା । ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ଏ ସମସ୍ତଙ୍କର ଜେଲବରଣଲାଗି ମୋର ନୈତିକ ଦାୟିତ୍ୱ ଥିଲା । ଆଗରୁବି ଦୃଷ୍ଟାନ୍ତ ରହିଥିଲା–୧୯୩୧ ଗାନ୍ଧୀ–ଇରଉଇନ୍ ଚୁକ୍ତି ପରେ ପିକେଟିଂ ଇତ୍ୟାଦି ସାଧାରଣ ଅଭିଯୋଗରେ ଯେଉଁମାନେ ଜେଲ ଭୋଗ କରିଥିଲେ ସେମାନଙ୍କୁ ଖଲାସ କରିଦିଆଯାଇଥିଲା; ମାତ୍ର ଅନ୍ୟ ଫୌଜଦାରି ଦଫାମାନଙ୍କରେ ଦଣ୍ଡିତ ହୋଇଥିବା ରାଜବନ୍ଦୀମାନଙ୍କୁ ଖଲାସ କରିବାରେ ବହୁ ଅସୁବିଧା ସୃଷ୍ଟି ହୋଇଥିଲା । ମୋର ଧାରଣା ହେଲା ଯେ ପରିସ୍ଥିତିରେ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ସେହି ଇଂରେଜ ସରକାର ତ ରହିଛି ଏବଂ ଗଭର୍ଣ୍ଣର ହାତରେ ପୂର୍ବଭଳି ଅଖଣ୍ଡ କ୍ଷମତା ରହିଛି । ଏଥରକ ଅଧିକାଂଶ ରାଜବନ୍ଦୀ ବହୁତ ଗୁରୁତର ଫୌଜଦାରି ଦଫାରେ ଦଣ୍ଡିତ ହୋଇଛନ୍ତି ଏବଂ ଦୀର୍ଘ କାରାବାସ ଦଣ୍ଡ ପାଇଛନ୍ତି । ଆମକୁ ଖଲାସ ଦେବାପରେ ସେମାନଙ୍କ କଥା ବିଚାର କରାଯିବ ନାହିଁ କି–ଏହି ପ୍ରଶ୍ନ ମୋ ମନରେ ଖେଳୁଥାଏ ।

 

ମୁଁ ସଙ୍ଗେ ସଙ୍ଗେ ଆମ କେସ୍‍ର ସାଥୀମାନଙ୍କୁ ଡାକିଲି ଓ କହିଦେଲି ଯେ ତୁମମାନଙ୍କର ଯଦି ଇଚ୍ଛା ହେଉଛି ଯାଅ; ମାତ୍ର ଜଣେ ହେଲେ ରାଜବନ୍ଦୀ ଜେଲରେ ଥିବା ପର୍ଯ୍ୟନ୍ତ ମୁଁ ଏଇଠି ରହିଥିବି; ତେଣୁ ଆଜି କୌଣସିମତେ ଯାଉନାହିଁ । ସେମାନେ ମଧ୍ୟ ନଯିବା ଲାଗି ମନସ୍ଥ କରିଦେଲେ । ଏକ ମହାସଙ୍କଟ ଉପୁଜିଲା । ଖଲାସ ହୁକୁମ ଆସିଲା ପରେ ଜେଲ କର୍ତ୍ତୃପକ୍ଷ ଆମକୁ ଆଉ ଭିତରେ ରଖିପାରନ୍ତେ ନାହିଁ; ମାତ୍ର ଆମେ ନଗଲେ ବଳପ୍ରୟୋଗ କରି ମଧ୍ୟ ସେମାନେ ବାହାର କରି ନଥାନ୍ତେ । ଉଛୁର ହୋଇଯାଉଥିବାରୁ ତେଣେ ବାହାରେ ଲୋକେ ଅଥୟ ହୋଇପଡ଼ୁଥିଲେ ଏବଂ ବିଳମ୍ବ ଲାଗି ଜେଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଉଥିଲେ ।

 

କିଛି ଉପାୟ ନ ଦେଖି ଜେଲ କର୍ତ୍ତୃପକ୍ଷ ବାହାରେ ରୁଣ୍ଡ ହୋଇଥିବା ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ନିଜର ଏହି ଅବସ୍ଥା କଥା ଜଣାଇଲେ । ସେମାନେ ଦୌଡ଼ିଗଲେ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପାଖକୁ । ସେ ତାଙ୍କର ଜଣେ ପ୍ରଧାନ ସହଯୋଗୀଙ୍କୁ ଜେଲ ଭିତରକୁ ପଠାଇଲେ । ସେ ଆସି ମତେ କହିଲେ ଯେ ସବୁ ବନ୍ଦୀଙ୍କର ଖଲାସପାଇଁ ଆଦେଶ ହୋଇଯାଇଛି । ତୁମେ ଅଡ଼ି ନବସି ମୋ କଥାରେ ବିଶ୍ଵାସ କର; ଚାଲିଆସ । ଲୋକେ ବାହାରେ ଅସ୍ଥିର ହୋଇପଡ଼ିଲେଣି । ତୁମେ ନଆସିଲେ ଆମେ ଅପଦସ୍ତ ହୋଇ ପଡ଼ିବୁ । ମୁଁ କହିଲି ଯେ ମୁଁ ଚିଫ୍ ସେକ୍ରେଟେରିଙ୍କଠାରୁ ଏ ଅଡ଼ର୍ ହୋଇଥିବା କଥା ନ ଶୁଣିଲେ ତୁମ କହିବା କଥାରେ ବିଶ୍ୱାସ କରିପାରିବିନି । ତା’ପରେ ମତେ ଜେଲ ଅଫିସ୍ ଭିତରକୁ ଅଣାଗଲା ଏବଂ ମୁଁ ଟେଲିଫୋନ୍ ଯୋଗେ ଚିଫ୍ ସେକ୍ରେଟେରିଙ୍କ ସଙ୍ଗରେ କଥାବାର୍ତ୍ତା କଲି । ଚିଫ୍ ସେକ୍ରେଟେରି ମତେ ସରକାରୀ ଅଡ଼ର୍ ପଢ଼ି ଶୁଣାଇଦେଲେ ଏବଂ କହିଲେ ଯେ ରାତିସୁଦ୍ଧା ସବୁ ଜେଲକୁ ସବୁପ୍ରକାର ଦଫାରେ ଦଣ୍ଡିତ ରାଜବନ୍ଦୀଙ୍କୁ ଖଲାସ କରିଦେବା ପାଇଁ ଅଡ଼ର୍ ପହଞ୍ଚାଇ ଦିଆଯିବ । ଜେଲ ନିୟମ ଅନୁସାରେ ରାତିରେ କେହି ଖଲାସ ହୋଇ ପାରିବେ ନାହିଁ । କାଲି ସକାଳେ ନିଶ୍ଚିତ ଭାବରେ ୧୯୪୨ ଆନ୍ଦୋଳନ ସହିତ ସଂଯୁକ୍ତ ସମସ୍ତ ରାଜବନ୍ଦୀଙ୍କୁ ମୁକ୍ତକରିଦିଆଯିବ ।

 

୧୯୩୦ରେ ଆରମ୍ଭ କରିଥିଲି ଇଂରେଜ ଜେଲ୍‍ଖାନାକୁ ମୋର ଯାତ୍ରା । ୧୯୩୨, ୩୩ ଓ ୧୯୪୦ରେ ମଧ୍ୟ ଜେଲ ବରଣ କରିଥିଲି । କିନ୍ତୁ ଏଥରକ ଥିଲା ସବୁଠାରୁ ଦୀର୍ଘ କାରାବାସ । ଗିରଫ୍‍ ହୋଇଥିଲି ଅଟକବନ୍ଦୀ ଭାବରେ ୧୯୪୨ ଅକ୍‍ଟୋବର ମାସରେ; ଷଡ଼ଯନ୍ତ୍ର ମକଦ୍ଦମାର ବିଚାର ହୋଇ ୧୯୪୩ ମାର୍ଚ୍ଚ ୨୩ ତାରିଖରେ ଶାସ୍ତି ଦିଆଗଲା ଛଅବର୍ଷ ସଶ୍ରମ କାରାଦଣ୍ଡ । ୨୩।୪।୪୭ରେ ଏଥିରୁ ୩ ବର୍ଷ ୬ ମାସ ୧୨ ଦିନ ଭୋଗ କରି ମୁକ୍ତ ହେଲି । ଇଂରେଜ ବିରୁଦ୍ଧରେ ସଂଗ୍ରାମ କରି ସର୍ବମୋଟ ଜେଲଦଣ୍ଡ ଭୋଗିଲି ପ୍ରାୟ ଛଅବର୍ଷରୁ ଅଧିକ । ପୂର୍ଣ୍ଣସ୍ୱରାଜର ଶପଥ ନେଇ ମୁଁ ତରୁଣ ବୟସରେ ଝାସ ଦେଇଥିଲି ସ୍ୱାଧୀନତା ସଂଗ୍ରାମର ଉତ୍ତାଳ ତରଙ୍ଗରେ । ବିରାମ ନଥିଲା ସେ ସଂଗ୍ରାମର । ଦୀର୍ଘ ଷୋହଳବର୍ଷକାଳ ଏ ସଂଗ୍ରାମ ଚାଲିଥିଲା ଅବିରାମ ଭାବରେ । ମୁଁ ଥିଲି ସେ ସଂଗ୍ରାମର ଜଣେ ଅବିନୀତ ସୈନିକ ।

 

ଚିଫ୍ ସେକ୍ରେଟେରିଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ମୁଁ ଓ ମୋର ସାଥୀମାନେ ବାହାରକୁ ଆସିଲୁ । ଦିନଟି ଥିଲା ୧୯୪୬ ଏପ୍ରିଲ ୨୩ ତାରିଖ ।

 

ଜେଲ କକ୍ଷରୁ ବାହାରି ଉପରକୁ ଚାହିଁଲି–ଆକାଶ ନିର୍ମଳ । ଆକାଶର ଉଦୟମାନ ନବୀନ ସୂର୍ଯ୍ୟ । ମୁଁ ଆଜି ମୁକ୍ତ ଗଗନ ତଳେ ।

 

ଜେଲର ଲୌହ କପାଟ ଆମପାଇଁ ମୁକ୍ତ । ଧୀର ପଦକ୍ଷେପରେ ବାହାରକୁ ଆସି ଦେଖିଲି ଅପେକ୍ଷା କରି ରହିଛନ୍ତି ବିପୁଳ ଜନତା । ଆନନ୍ଦ ମୁଖର । ଧ୍ୱନିର ବିରାମ ନାହିଁ । ଜୟଜୟକାରରେ ମନେହେଲା ସତେକି ମୁଖରିତ ହୋଇଉଠୁଛି ଗଗନ ପବନ । ଏ ଆନନ୍ଦ ଉଲ୍ଲାସରେ ଯେକୌଣସି ଲୋକ ଅଭିଭୂତ ହୋଇପଡ଼ିବା ସ୍ଵାଭାବିକ ।

 

ଭାବୁଥିଲି କିଛି କହିବି । ଅକୁହା ରହିଯାଇଚି ବହୁକଥା; ମାତ୍ର ଏ ଆନନ୍ଦ କୋଳାହକ, ଏ ଅଭ୍ୟର୍ଥନା, ଏ ପୁଷ୍ପର ସମ୍ଭାରରେ ମୁଁ ନିର୍ବାକ୍ । ମୁଁ ଯେଉଁ ଜନତାକୁ ଭଲପାଇ ଆସିଛି, ଯାହା ଲାଗି କାରାବରଣ ଓ ପେଟର ଯନ୍ତ୍ରଣା ତୁଚ୍ଛ ମନେକରି ଆସିଛି, ସାମନାରେ ସେହି ମୋର ପ୍ରିୟ ଜନତା । ଇଚ୍ଛାହେଉଥାଏ, ଦି’ହାତ ବଢ଼େଇ କୋଳାଗ୍ରତ କରି ନିଅନ୍ତି ସମସ୍ତଙ୍କୁ । ମାତ୍ର ମୁହୂର୍ତ୍ତେବି ଫୁରୁସତ୍ ଦେଲେନି ସେମାନେ, ଟେକି ଟେକି ନେଇଗଲେ ବହୁଦୂର ପର୍ଯ୍ୟନ୍ତ ।

 

....ଜେଲରୁ ସ୍ଵରାଜ ଆଶ୍ରମ ।

 

ଆଶ୍ରମ ଉପରେ ତ୍ରିରଙ୍ଗୀ ଜାତୀୟ ପତାକା । ସାଲୁଟ୍ ଜଣାଇଲି ତାକୁ ।

 

ମନରେ ସାନ୍ତ୍ଵନା ପାଇଲି, ଯାହାହେଉ ଏତେବର୍ଷ ଧରି ଯାହାଲାଗି ବିପ୍ଳବ, ବିଦ୍ରୋହ ତଥା କଠୋର ସଂଗ୍ରାମ ଚଳାଇଥିଲି, ସେ ସ୍ଵାଧୀନତା ଆସନ୍ନ । ତାକୁ ଆଉ କେହି ରୋକିପାରିବେ ନାହିଁ ।

 

ମାତ୍ର ମନରେ ପୁଣି ଏକ ବିରାଟ ପ୍ରଶ୍ନ ? ଜେଲ–ଜୀବନର ପରିସମାପ୍ତି ସିନା ଘଟିଲା; ସଂଗ୍ରାମର ତ ଶେଷ ନାହିଁ ! ଆରମ୍ଭ କରିବାକୁ ପଡ଼ିବ ଏକ ନୂତନ ସଂଗ୍ରାମ–ଦେଶର ଭବିଷ୍ୟତ ଗଠନପାଇଁ, ଏକ ସୁଖୀ ଶ୍ରେଶୀହୀନ ଶୋଷଣହୀନ ନିର୍ମଳ ସମାଜ ଗଠନପାଇଁ ସଂଗ୍ରାମ ଚାଲିଚି–ଚାଲିବ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ।

☆☆☆

 

Unknown

ବନ୍ଦୀର ଭାବନା

 

ଲେଖିବାର କାରଣ ଏହିକି–

 

ପିଲାଦିନେ ସ୍କୁଲ୍‍ରେ ପାଠପଢ଼ିଲାବେଳେ ଅନେକ ଥର ଚେଷ୍ଟା କରିଛି ଦି’ଧାଡ଼ି କବିତା ଲେଖିବାପାଇଁ । କେତେ ଦିନ କେତେ ଘଣ୍ଟା ବସିରହିଛି କାଗଜ କଲମ ଧରି–କିନ୍ତୁ ପଦେ ହେଲେ କିଛି ପଇଟେ ନାହିଁ କି ଦୁଇଧାଡ଼ି ମିଳାଇ ଲେଖିପାରେ ନାହିଁ । ମୋଦ୍ୱାରା କବିତା ଲେଖା ହୋଇପାରିବ ନାହିଁ ବୋଲି ଆଶା ଛାଡ଼ିଦେଲି ଏବଂ କବିତା ଲେଖକମାନଙ୍କୁ ମନେମନେ ଶତ ଧନ୍ୟବାଦ ଅର୍ପଣ କଲି ।

 

ଏବେ କୋରାପୁଟ ଜେଲରେ ୧୦୫ ଡିଗ୍ରୀ ଜର ପରେ ଦୁର୍ବଳ ଅବସ୍ଥାରେ ବିଛଣାରେ ପଡ଼ିଥିଲାବେଳେ ହଠାତ୍ କବିତା ମନକୁ କାହୁଁ ଆସିଲା । ଦୁଃଖବେଳେ କବିତା ଓ ସଙ୍ଗୀତ ପ୍ରାଣରେ ସାନ୍ତ୍ଵନା ଆଣିଦିଏ । ସଙ୍ଗୀତ ଶୁଣାଇ ମନ ଖୁସି କରିବା ସାଥୀ ତ କେହି ନଥିଲେ; ତେଣୁ ନିଜେ ସେ ଅଭାବ ପୂରଣ କଲି । ମନେମନେ ଛନ୍ଦ ଧରି ମନକଥା କବିତା ଆକାରରେ ଗାଇବାକୁ ଚେଷ୍ଟା କଲି । ଦେଖିଲି ଦୁଇ ଚାରିପଦ ଯୋଡ଼ି ବେଶ୍ ଗାଇପାରୁଛି । ମନରେ ସାହସ ବାନ୍ଧି ମନର ଭାବକୁ କବିତା ଆକାରରେ ଲେଖିବାକୁ ଆରମ୍ଭ କଲି ଏବଂ ତାହା ଶେଷ କଲି ।

 

ମୁଁ ସାହିତ୍ୟିକ ଲେଖକ ବା କବି ନୁହେଁ–ଜାଣେନା, ଲେଖକମାନେ ଆଗରୁ କୌଣସି ନିର୍ଦ୍ଦିଷ୍ଟ ଚିତ୍ର ମନ ଭିତରେ ଆଙ୍କି ତା’ପରେ ଲେଖନ୍ତି କି ନାହିଁ ? ସେପରି ନକରୁଥିଲେ ବୋଧହୁଏ ଏଡ଼େ ସୁନ୍ଦର କାବ୍ୟସବୁ ଲେଖିପାରୁ ନଥାନ୍ତେ ? କିନ୍ତୁ ମୋର ଏହି ଲେଖା ପଛରେ କୌଣସି ଚିନ୍ତା, ଯୋଜନା ବା କଳ୍ପନା ନଥିଲା–ସେଥିପାଇଁ ଏହା ଦରଖଣ୍ଡିଆ, ଖାପଛଡ଼ା ହୋଇଥିବ ଓ କବିତା ହିସାବରେ ତ ଶହ ଶହ ତ୍ରୁଟି ଦେଖାଇଦିଆଯାଇପାରିବ । ସେଥିଲାଗି ମୁଁ ଦୁଃଖିତ ନୁହେଁ–ମୋର ନିଜର ଶକ୍ତି ମୋତେ ଜଣା । ମାତ୍ର ଏହା ଲେଖି ମୋର ବନ୍ଦୀଜୀବନରେ ମୁଁ ପରମ ସନ୍ତୋଷ ଲାଭକରିଛି ଓ ଉତ୍ସାହିତ ହୋଇଛି ।

 

ସୁରେନ୍ଦ୍ରନାଥ ଦ୍ଵିବେଦୀ

କୋରାପୁଟ ଜେଲ

ତା ୨୫/୧୦/୪୪

☆☆☆

 

ଦୀପାବଳି ଅମାବାସ୍ୟା

ତା ୧୭ । ୧୦ । ୪୪

(୧)

 

ଓଡ଼ିଶାର କୋରାପୁଟ

ପାହାଡ଼ ଅଞ୍ଚଳ

ଚାରିଆଡ଼େ ଦିଶୁଅଛି

ଗହନ ଜଙ୍ଗଲ । ୧ ।

ବାଘ, ଭାଲୁ, ବାର୍‍ହା ଏଠି

ହୋଇଛନ୍ତି ଭରା,

ମଣିଷ ଶିକାର ତାଙ୍କ

ସବୁଠାରୁ ପ୍ୟାରା । ୨ ।

ଏହିକି କାମନା ତବ

ଆହେ ସରକାର,

କରିଲ କି ସେଥିପାଇଁ

କଟକୁ ଅନ୍ତର । ୩ ।

ମେଲେରିଆ କଳାଜର

କରିଅଛି ଘର

ଭାବିଛି ତା’ ଗ୍ରାସେ ମୁହିଁ

ପଡ଼ିବି ମୁକର । ୪ ।

ବୃଥା ଆଶା ତୁମର ଏ

ଉଦ୍ଭଟ କଳ୍ପନା,

ଲିଭିବ ନାହିଁ ଏ ପ୍ରାଣ

ଲକ୍ଷ୍ୟ ପୂର୍ଣ୍ଣ ବିନା । ୫ ।

ସହି ମାଡ଼ ଅତ୍ୟାଚାର

ହୋଇଛି ଶକତ,

ବହୁଅଛି ଶରୀରରେ

ତପତ ଶୋଣିତ । ୬ ।

ମୋର ଲକ୍ଷ୍ୟ ଏ ଦେଶର

ପୂର୍ଣ୍ଣ ସ୍ଵାଧୀନତା,

ହାସଲ କରିବି ନିଶ୍ଚେ

ଜାଣିଥା ଜାଣିଥା । ୭ ।

ଲାଗିଅଛି ରଣ ଆମ

ହୋଇ ନାହିଁ ଶେଷ,

ସହିଅଛୁ ଶରୀରରେ

କଷଣ ଅଶେଷ । ୮ ।

ହୋଇନାହିଁ ଜୀବନରେ

କେବେହେଁ କାତର,

ତମ କୋକୁଆଭୟକୁ ମୁଁ

କରେନା ଖାତର । ୯ ।

ଥିଲି ମୁହିଁ କଟକରେ

ମହାଆନନ୍ଦରେ

ବନ୍ଧୁମେଳେ ଖେଳୁଥିଲି

ଉଲ୍ଲାସ ମନରେ । ୧୦ ।

ଭେଟୁଥିଲି ପ୍ରିୟଜନେ

ହେଉଥିଲା କଥା;

କିପରି ଅଛନ୍ତି ମୋର

ବୃଦ୍ଧ ପିତାମାତା । ୧୧ ।

ବଡ଼ ଦୁଃଖୀ ବୋଉ ମୋର

କାନ୍ଦୁଥିବ ନିତି

ଭାବି ଭାବି ପୁଅ ତା’ର

ରହିଛି କିମିତି । ୧୨ ।

ବଡ଼ ହୀନିମାନ ତାକୁ

କଲା ଦୁରାଚାର,

ଏ ଦେଶେ ବୋଲାଏ ପୁଣି

ଦୟାଳୁ ସର୍କାର । ୧୩ ।

ଭଣ୍ଡିଖାଇ ଗରିବଠୁଁ

ବଢ଼ାଇଛି ଗଣ୍ଡି,

ଲକ୍ଷ ଚର ଦେଶେ ବୁଲି

କରନ୍ତି ପହଣ୍ଡି । ୧୪ ।

ବଜାଏ ଡିଣ୍ଡିମ ବାଜା

ଗ୍ରାମେ ଘରେ ଘରେ,

ବଡ଼ ସୁଖେ ଛନ୍ତି ପ୍ରଜା

ମୋର ରାଜୁତିରେ । ୧୫ ।

ମୋର ଭୟେ ଅତ୍ୟାଚାରୀ

ଜମିଦାର ଆଦି,

କାଟୁନାହିଁ ଆଉ ତାଙ୍କ

କପଟ ଫିସାଦି । ୧୬ ।

ବନ୍ଧିଛି ଆଇନ ସର୍ବେ

ମୋ ଆଗେ ସମାନ,

ଦୋଷ କଲେ କଚେରିରେ

ହୋଇବ ଶାସନ । ୧୭ ।

ତା’ ସାଥିକି ରଖିଅଛି

ପୁଲିସ ତିଆର,

କରିବ ଦମନ ଦୁଷ୍ଟେ

ନେବ କାରାଗାର । ୧୮ ।

ବଡ଼ଲାଟ ଛୋଟଲାଟ

ଜଙ୍ଘିଲାଟ ଆଦି

ଦିଲ୍ଲୀ ସିଂହାସନେ ମାଡ଼ି

ବସିଛନ୍ତି ଗାଦି । ୧୯ ।

ସବୁଯାକ ଗୋରା, ଜଣେ

ନୁହେଁ କେହି କଳା,

ଏହାଙ୍କ ଶୋଷଣ ଯୋଗୁଁ

ବୁଡ଼େ ଆମ ଭେଳା । ୨୦ ।

ସାଥିରେ ଅଛନ୍ତି ସୈନ୍ୟ

ଅସଂଖ୍ୟ ଅସଂଖ୍ୟ

କରିବାପାଇଁକି ଆମ

ଶକ୍ତିର ପରଖ । ୨୧ ।

ଆମରି ପଇସା ଖାଇ

ଆମ ପରେ ରଜା,

ଆମ ରକ୍ତେ ତାଙ୍କ ସାଜ

ହେଉଅଛି ସଜା । ୨୨ ।

ଆମ ପେଟେ ଭୋକ ଦେହ

ଶୀତେ ଯାଏଁ ଥରି,

ପାଟିକଲେ ତଣ୍ଟି ଚିପି

ପକାଏ ସେ ମାରି । ୨୩ ।

ଆମରି ଆଗରେ ଏକ

ଭାଇ ପଡ଼େ ଟଳି

ଭାତ ନାହିଁ ଘରେ ପିଲା

କରନ୍ତି ବୋବାଳି । ୨୪ ।

ଡହଳବିକଳ ଆଉ

ସହି ନ ପାରିବି,

ପ୍ରାଣ ଆତୁରରେ ଗଙ୍ଗା-

ଜଳେ ଝାସ ଦେବି । ୨୫ ।

(କିନ୍ତୁ) ହେବ କି ସେଥିରେ

ତୋର ମନସାଧ ମେଣ୍ଟ

ଘୁଞ୍ଚିବ କି ପିଲାଙ୍କର

ଅଭାବ ନିଅଣ୍ଟ । ୨୬ ।

ଭୀରୁ କାପୁରୁଷ ପରି

ମରି କିସ ଲାଭ,

ଦେଶରେ ବିସ୍ତରି ଥାଉଁ

ବିପୁଳ ବୈଭବ । ୨୭ ।

ଦଇବେ ଭରସା କରି

ଲାଭ କିଛି ନାହିଁ,

କାହିଁ ସେ ତ ଦିନେ ଦୁଃଖ

ବିଚାରଇ ନାହିଁ । ୨୮ ।

ଶାସୁନାହିଁ ଠକି ଯିଏ

ଖାଏ ଆମ ପାଖୁଁ,

ଦିନ ଦିପହରେ ଲୁଟି

ଆଖି ଆଗେ ଦେଖୁ । ୨୯ ।

ପଡ଼ିଅଛି ଆମ ଭୂଇଁ

ବାପ-ଅଜାଙ୍କର

ମୁଣ୍ଡଝାଳ ତୁଣ୍ଡେ ମାରି

କରଇ ମୁଁ ହଳ । ୩୦ ।

ଭଲ ଭଲ ବିହନ ମୁଁ

ରଖଇ ସାଇତି,

ସଜଡ଼ା ପାଗରେ ବିଲେ

ଦିଏ ତାହା ପୋତି । ୩୧ ।

ଇନ୍ଦର ରଜା ତ ପାଣି

ଢାଳେ ଆକାଶରୁ,

ମାଟି ପାଣି ଖରା ମିଶି

ଭୂଇଁ ହୁଏ ପାରୁ । ୩୨ ।

ତା’ ସାଙ୍ଗକୁ ଭଲ ଖତ

ଦିଅଇ ମିଶାଇ,

ମାତିଉଠେ ଖେତ ମୋର

ସୁନ୍ଦର ଦିଶଇ । ୩୩ ।

ପୋକଜୋକ ଗୋରୁଗାଈ

ସବୁରି ଦାଉରୁ

ସମ୍ଭାଳି ରଖଇ କ୍ଷେତ

ଯେତେ କଷ୍ଟ ପଡ଼ୁ । ୩୪ ।

ଦକ୍ଷିଣା ବାଆରେ କ୍ଷେତ

ଲହଡ଼ି ମାରଇ,

ଚାରିଆଡ଼େ ଭରିଯାଏ

ଶବ୍ଦ ସାଇଁସାଇଁ । ୩୫ ।

ପୂବେଇ ବରଷା ମାଡ଼େ

ନ ପଡ଼ଇ ଟଳି,

ଛାତି ମୋର କୁଣ୍ଢେମୋଟ

ନହୁଅଇ କଳି । ୩୬ ।

ଏତେ ଦଡ଼ମଡ଼ି ସହି

କ୍ଷେତ ଯେବେ ପାଚେ,

ମନ ଉଲ୍ଲାସରେ ମୁହିଁ

ଚାଲେ ବୁଲେ ନାଚେ । ୩୭ ।

କ୍ଷେତ ବିଲୁଁ କାଟି ଯେବେ

ଘରେ କରେ ଠୁଳ

ମୋର ଘରେ ଖେଳିଯାଏ

ଆନନ୍ଦ ହିଲ୍ଲୋଳ । ୩୮ ।

ଘରର ଘରଣୀ ଅତି

ଆମୋଦିତ ହୋଇ,

ସାତପାଞ୍ଚ ତରକାରୀ

ମୋତେ ପରଷଇ । ୩୯ ।

ସତେକି ମେଣ୍ଟିବ ଆମ

ଦୁଃଖ ଦୁରଦଶା,

ସେଥିଲାଗି ଆଜି ଏତେ

ବାନ୍ଧିଅଛି ଆଶା । ୪୦ ।

ସାରା ବର୍ଷ ଖଟି ଖଟି

ପାଇଛି ଏ ଫଳ

ଆମରି ଉଦ୍ୟମେ ଦେଶୁଁ

ଘୁଞ୍ଚିବ ଅକାଳ । ୪୧ ।

କିନ୍ତୁ ହାୟ ! ମୋହର ଏ

କ୍ଷଣିକ ଆନନ୍ଦ,

ମୋର ଧାନ ଦେଖି ତେଣେ

ଲାଗିଯାଏ ଦ୍ୱନ୍ଦ୍ୱ । ୪୨ ।

ମହାଜନ, ଜମିଦାର,

ସାହୁକାର ବସି,

ମୋ ଗଳା ପାଇଁକି

ବୁଣୁଥାନ୍ତି ଜାଲଫାଶୀ । ୪୩ ।

ଚୋର ତସ୍କରଙ୍କୁ ଭାଇ

ନାହିଁ ଡର ମୋର

ଡକାଇତ ଭୟେ ମୁହିଁ

ନହୁଏ କାତର । ୪୪ ।

ନଡ଼ରଇ ପାଇକର

କୋରଡ଼ା ପାହାର,

ନଭାଳଇ ପ୍ରିୟଜନେ

କଲେ ହରବର । ୪୫ ।

ନଟଳେ ତିଳେ ମୁଁ କେଭେଁ

ଧମକେ ଚମକେ,

ନଛାଡ଼ଇ ମୋର ହକ

କାହାରି ଧଡ଼କେ । ୪୬ ।

ସାହୁକାର ଦାଉ ମୁହିଁ

ନପାରେ ସମ୍ଭାଳି,

ଶୁଣେ ନାହିଁ ଜମିଦାର

କଲେ ଯେତେ ଅଳି । ୪୭ ।

ଭୋକିଲା ଶାଗୁଣା ପରି

ଘେରିଯାନ୍ତି ମୋତେ,

ବିଦାରି ପକାନ୍ତି ମୋର

ଦେହେ ଶିରା ଯେତେ । ୪୮ ।

ଜିଅଁନ୍ତା ମଣିଷ ରକ୍ତ

କରନ୍ତି ଆହାର,

ସମାଜରେ ପୁଣି ୟାଙ୍କୁ

ଅଧିକ ଆଦର ! । ୪୯ ।

ସୁଧ ପରେ ସୁଧ ପୁଣି

ସୁଧ ତଥିପରେ,

ଯେତେ ଶୁଖୁଥିଲେ ତାହା

କେଭେ ନାହିଁ ପୂରେ । ୫୦ ।

ମୋର ବାପା ଆଣିଥିଲା

କରଜ ପଚାଶ

ସୁଧ ଦେଇ ଦେଇ ତା’ର

ପୂରିଲା ଆୟୁଷ । ୫୧ ।

ତା’ର ଅନ୍ତେ ହେଲି ମୁହିଁ

ଘରର ମାଲିକ,

ସମର୍ପିଣ ଦେଲା ଯେତେ

ଜିନିଷ ସାବକ । ୫୨ ।

ଭାବିଲି ନୂତନ ଢଙ୍ଗେ

ସଜାଇବି ଘର,

ତୁଟାଇବି ଯେତେ ଋଣ

ରହିଛି ଆଗର । ୫୩ ।

ସବୁ ଝାଡ଼ିଝୁଡ଼ି ଦେଇ

ହୋଇବି ନିଶ୍ଚିନ୍ତ,

ନ ଯୁଟିବ ମୋ କପାଳେ

ଏତେ ହରକତ । ୫୪ ।

ସେଥିଲାଗି ମନ ପ୍ରାଣ

ଢାଳି ଦେଇ ଲାଗେ,

ମୁଣ୍ତ ଟେକି ଛିଡ଼ା ହେବି

ଚାଲିବି ସରାଗେ । ୫୫ ।

ମହାଜନ ଘରେ ଯାଇ

ହୁଅଇ ହାଜର,

ବୁଝାସୁଝା କରିଦିଅ

ପାଉଣା ପୂର୍ବର । ୫୬ ।

ନିଅ ଟଙ୍କା ଯେତେ ଆଉ

ରହିଅଛି ବାକି,

ଆଣିଅଛି ମାଇପର

ଅଳଙ୍କାର ବିକି । ୫୭ ।

ମହାଜନପୁଅ ସେ ତ

ବଡ଼ ହୁସିଆର,

କରୁଅଛି ଦିନରାତି

ମଣିଷ ବେଭାର । ୫୮ ।

ପଇସା କରାଇ ଚାଷ

ପଇସା ପାଇଁକି,

ଲାଭ ହୋଇବ କି

ମିଳିଗଲେ ସବୁ ବାକି । ୫୯ ।

ସିନ୍ଦୁକେ ପଇସା ରଖି

କିସ ଲାଭ ତା’ର,

ଯେତେ ଖେଳାଇବ ତେତେ

ବଢ଼ିବ ବେଭାର । ୬୦ ।

ବଢ଼ିବ ଦେଶରେ ଯେତେ

ଦୁଃଖ ଦୁରଦଶା,

ଧାଇଁବେ ଲୋକେ ପାଖକୁ

ଖୋଲିବ ବେଉସା । ୬୧ ।

ସବୁ ଦେଶେ ମହାଜନ

କରନ୍ତି ଫିକର,

ରଖନ୍ତି ନିଜ ମୁଠାରେ

ସବୁ କାରବାର । ୬୨ ।

ଦେଶଧନ ଏପ୍ରକାରେ

କରନ୍ତି ଆୟତ୍ତ,

ଧନୀ ଧନ ବଢ଼ୁଥାଏ

ଗରିବେ ନୟାନ୍ତ । ୬୩ ।

ବ୍ୟବସାୟ ଫନ୍ଦାସବୁ

ରଖନ୍ତି ହାତରେ,

ଟଙ୍କାବଳେ ବଶ ସର୍ବେ

କେହି ନାହିଁ ତରେ । ୬୪ ।

ଆଜି ଯେ ଲାଗିଛି

ଚାରିଆଡ଼େ ହଣାକଟା,

ଘୋଟିଛି ଦୁନିଆଯାକ

ଯୁଦ୍ଧ ଘନଘଟା । ୬୫ ।

ଦେଶ ପରେ ଦେଶ ଏକ

ହୁଏ ସତ୍ୟାନାଶ,

ଲକ୍ଷ ଲକ୍ଷ ଲୋକ ବୃଥା

ହୁଅନ୍ତି ବିନାଶ । ୬୬ ।

ବହୁ କଷ୍ଟେ ଦେଶେ ଯେଉଁ

ସମ୍ପଦ ବଢ଼ଇ,

ଏକ ବୋମା ଆଘାତରେ

ଧୂଳିସାତ୍ ହୋଇ । ୬୭ ।

କିଛି ନରଖଇ ବାକି

ସର୍ବେ ଏକା ଦଶା,

ଧ୍ୱଂସ ହୋଇଯାଏ ସବୁ

ଉଡ଼ିଯାଏ ହଂସା । ୬୮ ।

ଦେଶରକ୍ଷା ନାମେ

କରାଯାଏ ଦେଶ ଲୁଟ,

ଦେଶରକ୍ଷା ନାମେ ଲୋକ

ହୁଏ ଏକଜୁଟ । ୬୯ ।

କରିବାକୁ ଶତ୍ରୁ ସଙ୍ଗେ

ଶକତ ଲଢ଼ାଇ,

ଚାରିଆଡ଼େ ରକ୍ତନଦୀ

ଦିଅଇ ଭସାଇ । ୭୦ ।

ଲୋକଙ୍କ ବେଉସା ବୁଡ଼େ

ଦେଶ ସର୍ବନାଶ,

କା’ର ଘରେ ହାହାକାର

କା’ର ପୁଷମାସ । ୭୧ ।

ଯୁଦ୍ଧ ନୁହେଁ ଏତ ଏକ

ଭୀଷଣ ପ୍ରଳୟ,

ରକ୍ତ ଲାଗି ଜିଭ ଖାଲି

କରେ ଲହଲହ । ୭୨ ।

ନରକ ବର୍ଣ୍ଣନା ଆମେ

ଶୁଣିଥିଲେ ପୂର୍ବେ,

ଶତଗୁଣେ ଶ୍ରେୟଃ ତାହା

ଧ୍ଵଂସଲୀଳା ଆଗେ । ୭୩ ।

ଧ୍ୱଂସ ଫଳେ ହୁଏ ନାଶ

ପଡ଼ଇ ଅଭାବ,

ମଣିଷ ଫକିର ହୁଏ

ବଢ଼େ ପଶୁଭାବ । ୭୪ ।

ମଣିଷ-ମାଉଁସ ହୁଏ

ଆନନ୍ଦ ଆହାର,

ଏହିକି ସଭ୍ୟତା ତେବେ

ଆମ ଦୁନିଆର । ୭୫ ।

ଏଥିପାଇଁକି ଆମେ

କରିବା କି ରଣ,

ଦୁଆ ଧରି ଚାଲି ଶତ୍ରୁ

କରିବା ଦମନ । ୭୬ ।

ଭଲ ଯୋଦ୍ଧା ସେହି ଯେହୁ

କରେ ନରହତ୍ୟା,

ଯେତେ ଲୋକ ବେଶି ମାରେ

ବଢ଼ଇ ତା’ ଭତ୍ତା । ୭୭ ।

ମଣିଷ ଘୃଣା ଏପରି

ଦେଖିଛ କି କେବେ,

ନରରକ୍ତ ବଳିଦାନ

ବାହାଦୁରି ଏବେ । ୭୮ ।

ଏପରି ରୌରବ ଲୀଳା

ପୈଶାଚିକ କାଣ୍ଡ,

ଦୁନିଆର ଦୁଃଖୀଜନେ

କରେ ଲଣ୍ଡଭଣ୍ଡ । ୭୯ ।

କିଏ କରେ ଯୁଦ୍ଧ ଏହା

ହୁଏ କାହିଁପାଇଁ,

ଭାବିଛି କି ଭାଇ ଥରେ

ଭିତରେ ଅନାଇ । ୮୦ ।

ବୃଥା କଥା କହେ ଯେହୁ

ହିଟଲର ଲାଗି,

ଲାଗୁଛି ଦୁନିଆସାରା

ଏତେ ଜଗାଜଗି । ୮୧ ।

ଭାଙ୍ଗିଲେ ତାହାର ଦର୍ପ

ଆସିବରେ ଶାନ୍ତି,

ଦୁନିଆରେ ବିରାଜିବ

ମହାସୁଖ ଶାନ୍ତି । ୮୨ ।

ହିଟଲର ମାତ୍ର ଏକ

ଶ୍ରେଣୀର ପ୍ରତୀକ,

ତା’ ପଛେ ଅଛନ୍ତି

ସଂସାରର ଯେତେ ଠକ । ୮୩ ।

ଦୁନିଆରେ ଛନ୍ତି ଯେତେ

ଧନୀ ମହାଜନ,

ଏହି ମହାଯୁଦ୍ଧ ଏକା

ତାଙ୍କରି ଭିଆଣ । ୮୪ ।

କୋଟି କୋଟି ଧନ ସେହୁ

ଅସ୍ତ୍ର କାରାଗାରେ,

ଖଟାଇଥାନ୍ତି ଆଗରୁ

ନାନା ବାହାନାରେ । ୮୫ ।

ପଠାନ୍ତି ଦେଶକୁ ଦେଶ

ପ୍ରଚାରକଦଳ,

ଦେଖ ହାବୁଡ଼ିଲା ଆସି

ମହାକାଳ ବେଳ । ୮୬ ।

ଦେଶ ଲୋକେ ସରକାର

ହୁଅରେ ଜାଗ୍ରତ,

ମାଡ଼ିଆସୁଛି ଦେଖ

ଭୀଷଣ ବିପଦ । ୮୭ ।

ଆଗହୁଁ ତମେ ହେ ଯଦି

ନ ହେବ ତିଆର,

ଜାଣିଥା ନିଶ୍ଚେ ଦେଶଟି

ହେବ ଛାରଖାର । ୮୮ ।

ସବୁ କଥା ପଛେ ରଖି

ଯୁଦ୍ଧେ ଯାଅ ମାତି,

ପାଇବ ଯଦି ଏ ମହା-

ବିପଦରୁ ମୁକ୍ତି । ୮୯ ।

ଜାତୀୟତା, ଦେଶପ୍ରେମ,

ମାତୃଭୂମି ରକ୍ଷା,

ଯୁଦ୍ଧଂ ଦେହି, ଯୁଦ୍ଧଂ ଦେହି

ହୋଇଯାଏ ଦୀକ୍ଷା । ୯୦ ।

ଦୁନିଆର ଚାରିଆଡ଼େ

ଲାଗଇ କନ୍ଦଳ,

ବ୍ୟାପିଯାଏ ଦେଶେ ଦେଶେ

ମହାଗୋଳମାଳ । ୯୧ ।

ମଝିରେ ଛେଉକାଦକ

ହୋଇଣ ଅଲଗା,

ବିକନ୍ତି ନିଜର ମାଲ

ଦେଇ ଲୋକେ ଦଗା । ୯୨ ।

ମଣିଷ ମାରିବାପାଇଁ

ଯାବତ୍ ଫିକର,

କାଢ଼ନ୍ତି ଗୋଟିକ ଗୋଟି

ହୋଇ ହୁସିଆର । ୯୩ ।

ଯେତେ ଦିନ ଏହି ଲୀଳା

ଲାଗିଥିବ ଭାଇ

ମଜା ମାରୁଥିବେ ଥୋକେ

ଆମ ଲହୁ ଖାଇ

ମହାଜନ ପୁଅ ମୋତେ

ବୋଇଲା ଆଖର,

ବୃଦ୍ଧିବୃତ୍ତି ସବୁ ଆରେ

ହଜିଲା କି ତୋର ? । ୯୫ ।

ଚୋର ହାତେ ଧନ ମୋର

ଉଜୁଡ଼ିବ ନାହିଁ,

ବୃଥା ଏତେ ତରବର

ହେଉ କାହିଁପାଇଁ । ୯୬ ।

ମାଇପ ଗହଣା ତା’ର

ଆଦରର ଧନ,

ବିକି ଭାଙ୍ଗି କଲୁ ତାକୁ

ଏଡ଼େ ହୀନିମାନ । ୯୭ ।

ଫେରିଯା ଫେରିଯା ଧନ

ଲୋଡ଼ା ନାହିଁ ମୋର,

ଶୁଝିଦବୁ ଯେବେ ହେବ

ସୁବିଧା ତୋହର । ୯୮ ।

ତୋର ବାପ ଶୁଦ୍ଧି ଅଳ୍ପ

ଦିନ ହେଲା ଗଲା,

କାହିଁପାଇଁ ଏଡ଼େ ଚନ୍ଦ୍ରା

ହେଲୁ ତୁହି ଭଲା । ୯୯ ।

ଦେଇଯା ସନ୍ତକଟିଏ

ନୂଆ ତମସୁକେ,

ଘରେ ତୋ ପାଇଟି କର

ନିଶ୍ଚିନ୍ତେ ନିଦକେ । ୧୦୦ ।

ବୁଝି ନପାରିଲି ମୁହିଁ

ତା’ ଛନ୍ଦ କପଟ,

ଲେଖିଦେଲି ତମସୁକ

ତୁଟିଗଲା ଲାଟ । ୧୦୧ ।

ଘରକୁ ଫେରିଲି ସଞ୍ଜବେଳେ

ହୋଇ ଏକା,

ମନେ କିନ୍ତୁ ରହିଗଲା

ମୋର ବଡ଼ ଶଙ୍କା । ୧୦୨ ।

କରିବ କି ପଛନ୍ତରେ

ମୋତେ କଲବଲ,

ଭିଟାମାଟି ନେବା ଲାଗି

ବାନ୍ଧିଲା କି ଜାଲ । ୧୦୩ ।

ଏହିପରି ଭାବି ଭାବି

ଫେରିଲି ଘରକୁ,

ଛାତି ଖାଲି ବେଳେବେଳେ

ହୁଏ ଦୁକୁଦୁକୁ । ୧୦୪ ।

ଯାହା ତ ହେବାର ହେଲା

ଭାବି ଲାଭ ନାହିଁ,

ନିଜ ଦୁଃଖେ ନିଜେ ଲାଗି

ଦିନ କାଟିବଇଁ । ୧୦୫ ।

ଲାଗିଲି ମୋ କ୍ଷେତେ ଖନ୍ଦ

ଫଳିଲା ବିଶେଷ,

ଭାବିଲି ଦୁଃଖ ଯାତନା

ହୋଇଯିବ ଶେଷ । ୧୦୬ ।

ଏତିକିବେଳକୁ କାହିଁ

ମହାଜନ ଘର

ଟାକି ବସିଥିଲା, ତାକୁ

ନ ସହିଲା ତର । ୧୦୭ ।

ନ ମାଗି ମୋତେ ପାଉଣା

ନ କରି ତାଗିଦ,

କଚେରିରେ ମୋର ନାମେ

ହୋଇଲା ଫେରାଦ । ୧୦୮ ।

ଧନ୍ୟ ସେ ହାକିମବାବୁ

ଧନ୍ୟ ସେ କଚେରି,

ମୋର ନାମେ ମକଦ୍ଦମା

ହୋଇଗଲା ଜାରି । ୧୦୯ ।

କସୁର ହୋଇଲା ମୋର

ୠଣ ଦେଇ ନାହିଁ,

ମକଦ୍ଦମା ଖର୍ଚ୍ଚ ପୁଣି

ତା’ ସାଥେ ଭିଡ଼ଇ । ୧୧୦ ।

କରିଲା ନିଲାମ ଜାରି

ଆଣିଲା ପିଆଦା,

ରାତି ନ ପାହୁଣୁ ମୋର

ଘରେ ଆସି ଗଦା । ୧୧୧ ।

କି ହେଲା କି ହେଲା ବୋଲି

ଚମକି ଉଠିଲି,

ପଶିଲେ ମୋ ଘରେ ଯମ

କବାଟକୁ ଠେଲି । ୧୧୨ ।

ନେଲେ ଧାନ ଗୋରୁଗାଈ

ଯାହା ଥିଲା ଘରେ,

ନିଲାମ କରିଲେ ସେଠି

ମୋହରି ଆଗରେ । ୧୧୩ ।

ଦେହରୁ ରକତ ଯେହ୍ନେ

ଗଲା ମୋର ଶୁଖି,

ଜଳିଲା ସାରା ଶରୀର

ଶୁଖିଗଲା ଆଖି । ୧୧୪ ।

“ଧର ଧୈର୍ଯ୍ୟ” ମନେ ତୋର

“ଘେନରେ ସାନ୍ତ୍ଵନା”,

ତୁଟିଯିବ ଦିନେ ନିଶ୍ଚେ

ଦୁଃଖ ନିର୍ଯାତନା । ୧୧୫ ।

ଏକ ପକ୍ଷ ଆଲୁଅ ତ

ଅପର ଅନ୍ଧାର,

କାଳଚକ୍ର ଘୂରେ ଯେହ୍ନେ ।

ଚାହିଁବା ମାତର । ୧୧୬ ।

ନଥିବ ଅନ୍ଧାର ସବୁଦିନେ

ଚୋର ଘରେ,

ଆଲୋକରେଖା ଦେଖିଣ

ପଳାଇବ ଖରେ । ୧୧୭ ।

ଦେଶେ ଛନ୍ତି ଯେତେ ଧନୀ

ଡକାଇତଦଳ,

ପୂରିଲାଣି ଦେଖ ଆସି

ତାଙ୍କ କାଳବେଳ । ୧୧୮ ।

ପର ଶ୍ରମ ରକ୍ତ ପିଇ

ଯେତେ ଛାରପୋକ,

ବଢ଼ନ୍ତି ଏ ଦୁନିଆରେ

ହୋଇଣ ନିଦକ୍ । ୧୧୯ ।

ସରକାର ହେମତରେ

ମାରୁଥିଲେ ହେଣ୍ଡି

ମାରିବ ଗୋଇଠା ତୁମେ

କାଳବେଳ ଉଣ୍ଡି । ୧୨୦ ।

ଆସ ଭାଇ ଆମେ ଦୁଃଖୀ

ବାନ୍ଧିବାରେ ମେଳି,

ନେବା କାଢ଼ି ନିଜ ହକ୍

ନ କରିବା ଅଳି । ୧୨୧ ।

(୨)

ଏକ ଦିନେ କୋରାପୁଟ

ସେଲେ ବସି ଏକା,

ମନେ ମୋର ପହଞ୍ଚିଲା

ଆସି ବଡ଼ ଦକା । ୧୨୨ ।

ଜେଲ୍‍ଖାନା ମଧ୍ୟେ ସେଲ୍

ଅଧିକ ନିର୍ଜନ,

ଚାରିଆଡ଼େ ମନେହୁଏ

ଯେସନେ ଶ୍ମଶାନ । ୧୨୩ ।

ସେଲ୍ ଘର ଚାରିପଟେ

ଅଛି କାନ୍ଥ ଘେରା,

ଜଗିଥାନ୍ତି ସଦା ମୋତେ

ଶକତ ପହରା । ୧୨୪ ।

କ୍ଷଣେ ହେଲେ ବାହାରକୁ

ବାହାରଇ ନାହିଁ,

ବାହାର ହାଉଆ କାଳେ

କରିଦେବ ବାଇ । ୧୨୫ ।

ଶାନ୍ତି କାମନା କରନ୍ତି

ସର୍ବେ ଦୁନିଆରେ,

କବରର ଶାନ୍ତି ହୁଏ

ନାହିଁ ଲୋଡ଼ା କା’ରେ । ୧୨୬ ।

ସେଲ୍ ଚାରିକଡ଼ ଉଚ୍ଚ

ପାଚେରିକି ଡେଇଁ,

ପାହାଡ଼ ଗୋଟିକ ପରେ

ଗୋଟି ଦିଶୁଥାଇ । ୧୨୭ ।

ତୋଳିଛି ମସ୍ତକ ତା’ର

ହୋଇଅଛି ଉଭା,

ଉପରେ ଆକାଶ ଭେଦି

ବାହାରିବ କିବା । ୧୨୮ ।

ନୀରବ ନିଶ୍ଚଳ ସେହୁ

ଅଚଳ ଅଟଳ,

ନିଜ କରତବ୍ୟ କାର୍ଯ୍ୟେ

ନୁହେ ହଲଚଲ । ୧୨୯ ।

କାଟିଲେ ପଥର ଦେହୁ

କ୍ଷୀଣ ହୁଏ ନାହିଁ,

ଅକଳନ ତା’ ଶକତି

ବଳିଛି କି କେହି । ୧୩୦ ।

ଉଠଇ ତା’ ଦେହେ ଛୋଟ ବଡ଼

କେତେ ଗଛ,

ଘୋଡ଼ାଏ ତା’ ଭୀମକାୟ

ଚାରିଆଡ଼େ ଗୁଚ୍ଛ । ୧୩୧ ।

ଦେହଟି ତା’ ପୂରାପୂରି

ହୋଇଥାଏ ଛାଇ,

ଦୂରର ପଥିକ ମନେ

ଭୟ ଉପୁଜାଇ । ୧୩୨ ।

ବାଘ ଭାଲୁ ହରିଣ ତ

କରନ୍ତି ବିହାର,

ନିତିପ୍ରତି କେତେ ନୂଆ

କରନ୍ତି ଶିକାର । ୧୩୩ ।

କେଉଁଠାରେ ନଦୀ

କୁଳୁକୁଳୁ ଶବ୍ଦ କରି,

ବହିଯାଏ ସମତଳେ

ଗହ୍ୱରୁ ବାହାରି । ୧୩୪ ।

ଘନଘନ କଳା ମେଘ

ଧାଇଁ ଆସି ଦୂରୁ,

ବିଚାରଇ ଭାଙ୍ଗିଦବ

ପାହାଡ଼ର ଗରୁ । ୧୩୫ ।

ଏକାମାଡ଼େ ଦର୍ପ ତା’ର

ହୋଇଯାଏ ଚୂର୍ଣ୍ଣ,

ବେଗବତୀ ଦେହ ତା’ର

ହୋଇଯାଏ କ୍ଷୀଣ । ୧୩୬ ।

ବୃଷ୍ଟି ଆକାରରେ ଦେହୁଁ

ଗଳଗଳ ହୋଇ,

ଗଳିପଡ଼େ ମେଘ ଭୂଇଁତଳ

ଓଦା ହୋଇ । ୧୩୭ ।

ସବୁ ଦେଖି ପାହାଡ଼ଟି

ଯେହ୍ନେ ହସୁଥାଏ,

କାହିଁକି ଏମାନେ ହୋନ୍ତି

ପାଗଳ ପରାଏ । ୧୩୮ ।

ନୁହଇ ଏ ଦେହ ମୋର

ଏଡ଼େ ସୁକୁମାର,

ଗଢ଼ା ମୁହିଁ ପରା ସାଥେ

କଙ୍କର ପଥର । ୧୩୯ ।

କେତେ ମାଡ଼ କେତେ ଝଞ୍ଜା

ସହି ବଢ଼ିଅଛି,

ବଡ଼ବଡ଼ ଯୋଦ୍ଧା ମୋର

କରି ନାହିଁ କିଛି । ୧୪୦ ।

ନାହିଁ କାହିଁ ଏ ସଂସାରେ

ଜଣେ କିଏ ବୀର,

କରିଦବ ମୋର ସୁନା

ଦେହ ଚୂରମାର । ୧୪୧ ।

ଗୋଟିଏ ଜିନିଷ ସଦା

ଡରୁଥାଇ ମୁହିଁ,

ହେବ ଯଦି ହଲଚଲ

କେବେ ତଳ ଭୂଇଁ । ୧୪୨ ।

ଉଠେ ଯଦି ଜ୍ଵାଳାମୁଖୀ

ଖୋଲେ ତା’ର ମୁହଁ,

ଥରିଉଠେ ମସ୍ତକ ମୋ

ଜଳିଯାଏ ଦେହ । ୧୪୩ ।

ମୋ ବିଶାଳ ବପୁ କ୍ଷଣେ

ହୁଏ ଖଣ୍ଡଖଣ୍ଡ,

ଭାଙ୍ଗେ ଦର୍ପ କାହିଁ ଲୁଚେ

ମୋର ଗଣ୍ଡି ମୁଣ୍ଡ । ୧୪୪ ।

ବସି ବସି ଭାବେ ମୁହିଁ

ମନେ ଏକାନ୍ତରେ,

ହୋଇବି ଟାଣ ଏସନେ

ନ ଡରିବି କାରେ । ୧୪୫ ।

କରିବି ଦେହକୁ ସ୍ଥିର

ମନେ ହେବ ଜୋର୍,

ସଂସାର ବିପଦେ ନ ହୋଇବି

ମୁଁ କାତର । ୧୪୬ ।

ରଖିବି ଆଦର୍ଶ ଉଚ୍ଚ

ପାହାଡ଼ର ତୁଲ୍ୟ,

ଉଭା ହୋଇଥିବି ସଦା

ନୋହି ଟଳମଳ । ୧୪୭ ।

ଉଦାର ଗମ୍ଭୀର ସଦା

ହସହସ ମୁହଁ,

ମେଲିବ ଶାଖା-ପ୍ରଶାଖା

ଯେହ୍ନେ ମହିରୁହ । ୧୪୮ ।

ଫଳିବ ନିଶ୍ଚୟ ଫଳ

ଦେବେ ସର୍ବେ ଖୁସି,

କରିବେ ସାବାସ ମୋତେ

ମୋର ପାଶେ ଆସି । ୧୪୯ ।

ଯେତେ ଘାତ-ପ୍ରତିଘାତ

ସହି ପାରିବଇଁ,

ତେତେ ଦମ୍ଭେ ମୋର କାର୍ଯ୍ୟ

ମୁହିଁ କରୁଥାଇଁ । ୧୫୦ ।

ଦୃଷ୍ଟି ଯେବେ ଯାଏଁ ପଡ଼ି

ଦୂର ଆକାଶରେ,

ଖଣ୍ଡକୁ ଖଣ୍ଡ ବଉଦ

ଧାଉଁଥାଏ ଖରେ । ୧୫୧ ।

କଳା ଧଳା କେତେ ରଙ୍ଗେ

ହୁଅଇ ବିକାଶ,

ଦେଖି ମୁହିଁ ଭୁଲିଯାଏ

ଦଣ୍ଡ କାରାବାସ । ୧୫୨ ।

ତା’ ସହିତେ ମନ ମୋର

ଧାଇଁଯାଏ ବେଗେ,

ଦୁନିଆ ତ ନୁହେ ସ୍ଥିର

ଘୂରେ ଚାରିଦିଗେ । ୧୫୩ ।

ପଶୁପକ୍ଷୀ ପୋକଜୋକ

ଚାଲଇ ବୁଲଇ,

କେହି ଜଣେ କେଉଁଠାରେ

ସ୍ଥିର ରହିନାହିଁ । ୧୫୪ ।

ମୁହିଁ ଏକା ଥାଏ ବସି

ନିଭୃତ ନିଳୟେ,

ପାଲଟିବି ସ୍ଥାଣୁ ଯଦି

ବେଶି ଦିନ ରହେ । ୧୫୫ ।

ନାହିଁ ନାହିଁ ମୋହର ଏ

ଅହେତୁ ଭାବନା,

ହୋଇଛି ମୂକ କି କେହି

ଭୋଗି ଜେଲ୍‍ଖାନା ? ୧୫୬ ।

କ୍ଷଣିକ ମୋ ବାସ ଏଠି

ଅବାସ୍ତବ ସ୍ଥିତି,

ରଖିଛି ନିଶ୍ଚଳେ ଏଠି

ଅରାତି-ଦୁର୍ନୀତି । ୧୫୭ ।

ଭାଙ୍ଗିବ ଏ ନୀରବତା

ତୁଟିବ ଆଳସ୍ୟ,

ଦୁଃଖୀ-ରଙ୍କୀ-ଦେଶେ ଆମ

ଫୁଟିବରେ ହାସ୍ୟ । ୧୫୮ ।

ସୁନାର ଏ ଦେଶ ଆମ

ପ୍ରକୃତି-ସୁନ୍ଦରୀ,

ନାନା ଅମୂଲ୍ୟ-ସମ୍ପଦ

ରଖିଅଛି ଭରି । ୧୫୯ ।

ଚାଳିଶ କୋଟି ଲୋକ

ଆମେ ସାତ ଲକ୍ଷ ଗ୍ରାମ,

ଦୁଇଶ ପଚାଶ ଜିଲା

କେତେ ସବ୍ଡ଼ିଭିଜନ । ୧୬୦ ।

ଆମ ଦେଶ ମସ୍ତବଡ଼

ଦିଶଇ ପ୍ରକାଣ୍ଡ,

କରିପାରି ନାହିଁ କେହି

ତାକୁ ଖଣ୍ଡଖଣ୍ଡ । ୧୬୧ ।

ପାର୍ସି, ଖ୍ରୀଷ୍ଟିଆନ, ଶିଖ,

ହିନ୍ଦୁ, ମୁସଲମାନ,

ସମସ୍ତଙ୍କ ଲାଗି ଏଠି

ସମାନ ଆସନ । ୧୬୨ ।

ଏ ଦେଶରେ ଜନ୍ମ ସର୍ବେ

ଏ ମାଟିରେ ଘର,

ମାତୃଭୂମି ରକ୍ଷା ଲାଗି

ସଭିଏଁ ତିଆର । ୧୬୩ ।

ଏଡ଼େ ବଡ଼ ଦେଶ ଆମ

ଏଡ଼େ ଦୁଃଖୀ, କାହିଁ,

ଭାବିଛ କି ଭାଇ ଥରେ

ମନପ୍ରାଣ ଦେଇ । ୧୬୪ ।

ନିଜ ଘରେ ରହି କାହିଁ

ଯେହ୍ନେ ପରବାସୀ,

ଆମ ଉପରେ ହାକିମି

କରେ ପରଦେଶୀ । ୧୬୫ ।

ଗ୍ରାମେ ଘରେ ପ୍ରଚଳନ

ବିଦେଶୀର ଛାପ,

ଆମ ପିଲାଏ ଶିଖନ୍ତି

ବିଦେଶୀ ହରପ । ୧୬୬ ।

ବିଦେଶୀ ପୋଷାକ ଆମ

ଆଦରର ଧନ,

ଯେତେ ବଡ଼ ଗୋଲାପ ତ

ସେତିକି ସମ୍ମାନ । ୧୬୭ ।

ପର୍ବ ପଞ୍ଚାୟତ ଗ୍ରାମୁଁ

ଏବେ ଲୋପ ହୋଇ,

ବିଦେଶୀ ସବୁଠି ଆସି

ରାଜୁତି କରଇ । ୧୬୮ ।

ଗାଁର ମାମଲା ଆମ

କଚେରିକି ଯାଏଁ,

ବିଦେଶୀ ବିଚାରେ କିଏ

କାହିଁ ଶାନ୍ତି ପାଏ । ୧୬୯ ।

ଏକପକ୍ଷ ଜିତିଲେ ତ

ଅପର ହାରଇ,

ପ୍ରତିଶୋଧ ଭାବ ମନେ

ସଦା ରହିଥାଇ । ୧୭୦ ।

ସଦା ରହିଥାଏ ସେହୁ

ଉଣ୍ଡି କାଳବେଳ,

କିପରି ଅପର ଜନେ

କରିବ କାଇଲ । ୧୭୧ ।

ମକଦ୍ଦମା ବଢ଼େ ସିନା

କମିବାକୁ ନାହିଁ,

ଖଚମିଛ ଜୁଆଚୋରି

ବିରାଜ କରଇ । ୧୭୨ ।

କେହି କରେ ନାହିଁ ହୃଦେ

ହୃଦ ମିଳାମିଳି,

ଗ୍ରାମ ଗ୍ରାମ ସତ୍ୟାନାଶ

ଲାଗିଥାଏ କଳି । ୧୭୩ ।

ହରିଜନ ଆମ ସମସ୍ତିଙ୍କ

ସେବା କରେ,

ମିଳୁନାହିଁ ସ୍ଥାନ ତାକୁ

ଗ୍ରାମର ମଝିରେ । ୧୭୪ ।

ଦୂର ଦୂର୍ ମାର୍ ମାର୍

ତା’ ସେବାର ଫଳ,

ଯେତେ ଚେଷ୍ଟା ଗାନ୍ଧୀ କରେ

ହୁଅଇ ନିଷ୍ଫଳ । ୧୭୫ ।

ବୁଝୁନାହୁଁ ଆଜି କରୁ

କେଡ଼େ ବଡ଼ ଦୋଷ,

ମଣିଷ ମଣିଷେ କାହିଁ

କରଇ ଅସ୍ପୃଶ୍ୟ ? । ୧୭୬ ।

ଛାଡ଼ ସେ ପୁରୁଣା କଥା

ବାପ-ଅଜାଙ୍କର,

ସେକାଳରେ ଥିଲା ପୂରି

ନାନା କୁସଂସ୍କାର । ୧୭୭ ।

ନୂଆ ଦୁନିଆରେ ସର୍ବେ

ନୂଆ ଢଙ୍ଗେ ପରା,

କରନ୍ତି ବେଭାର ହେଉନାହିଁ

ପତିଆରା । ୧୭୮ ।

ନୂଆ କଥା ବାଜିଲାଣି

ତାଙ୍କରି କାନରେ,

ନ କାଟିଲେ ବାଟ ଆଗୁଁ

ଭୋଗିବୁ ତୁ ପରେ । ୧୭୯ ।

ତାଙ୍କ ଅଧିକାର ସେହୁ

ହାସଲ କରିବେ,

ତାଙ୍କ କାଳବେଳ ଆସି

ପହଞ୍ଚୁଛି ଏବେ । ୧୮୦ ।

ମଣିଷ ନୁହଇ, ହୋଇ

ପାରେନା, କା’ ଦାସ,

ଭାଙ୍ଗିଛି ବନ୍ଧନ

ଆଜି ଖୋଲିଲାଣି ଫାଶ । ୧୮୧ ।

କାଳସ୍ରୋତ ଯାଏଁ ମାଡ଼ି

ପ୍ରଖର ଗତିରେ,

ବାଧା ଦେବ କିଏ କା’ର

ଅଛି ଶକତିରେ । ୧୮୨ ।

ମାନିବାକୁ ପଡ଼ିବରେ

କାଳର ନିର୍ଦ୍ଦେଶ,

ପୂର୍ବକଥା ଧରିବସି

ହେବୁ ସର୍ବନାଶ । ୧୮୩ ।

ପୁରୁଣା ସମାଜ ତୋର

ହେଲାଣି ପୁରୁଣା,

ନୂଆ ଜିନିଷରେ ସୁଖ

ସଦା ମିଳେ ସିନା । ୧୮୪ ।

ପଛକଥା ଛାଡ଼ି ଏବେ

ଆଗକଥା କର,

ଗଢ଼ିବାକୁ ଯଦି ଚାହୁଁ

ସୁଖର ସଂସାର । ୧୮୫ I

ସ୍ଥାନେ ସ୍ଥାନେ କଳି ପୁଣି

ହିନ୍ଦୁ ମୁସଲମାନ,

ଧର୍ମରକ୍ଷା ନାମେ ଭାଇ-

ମୁଣ୍ଡ ଭାଇ ହାଣ । ୧୮୬ ।

କାହିଁ ଧର୍ମ କା’ର ଲାଗି

ଏତେ ମାଡ଼ଗୋଳ,

ବିଦେଶୀ ପାଖରେ ଦାସ

ନାହିଁ ଆତ୍ମବଳ । ୧୮୭ ।

ଗୋଲାମର କେହି ଜାଣ

ଭଗବାନ ନାହିଁ,

ଭଗବାନ ପାଏ ନିଜେ

ବନ୍ଧନ ତୁଟାଇ । ୧୮୮ ।

ମୁସଲମାନ କାଟେ ଗୋରୁ

ପୀର ପୂଜା କରେ,

ହିନ୍ଦୁ ପୁଣି ବଳି ଦିଏ

ଛେଳି ତା’ ଦେବୀରେ । ୧୮୯ ।

ଯେ ଯାହାର ବିଧିମାନ

ପାଳନ କରଇ,

ବୃଥାରେ କଜିଆ କରି

ଲାଭ କିଛି ନାହିଁ । ୧୯୦ ।

ଆମ ଦେଶେ ଏବେ ଗୋରା

ସୈନ୍ୟ ଆସି ଠୁଳ,

ନିତିପ୍ରତି ଲାଗିଅଛି

କେତେ ଗୋଳମାଳ । ୧୯୧ ।

ଲକ୍ଷ ଲକ୍ଷ ଗୋରୁ ତାଙ୍କ

ଦୈନିକ ଆହାର,

ଗ୍ରାମେ ଗ୍ରାମେ ପଡ଼ିଲାଣି

ଏବେ ହାହାକାର । ୧୯୨ ।

ଚାଷ କରିବାକୁ କାହିଁ

ଗୋରୁ ମିଳୁନାହିଁ,

ବଳଦ ଗୋଟାକ କାହିଁ

ଶହକେ ବିକଇ । ୧୯୩ ।

ଧର୍ମ ନଷ୍ଟ କରେ ବୋଲି

ଦିନେ ହେଲେ କେହି,

ଗୋରା ସଙ୍ଗେ ମାଡ଼ଗୋଳ

ଲଗାଏ ତ ନାହିଁ । ୧୯୪ I

ଧଳା ଚମଡ଼ା ଦେଖିଣ

ଡରି ମରୁଥାଉ,

ଧରମ ପଛକେ ଆମ

ଚୁଲିମୁଣ୍ଡେ ଯାଉ । ୧୯୫ ।

କାହୁଁ ଆସେ ସେ ବିଦେଶୀ

ଜଣା ନାହିଁ ତାରେ,

ଆମେ ପୁଣି ତା’ର ପ୍ରଜା

ସେ ଆମକୁ ମାରେ । ୧୯୬ I

ମୁସଲମାନ ଆମ ଭାଇ

ଏକ ଗ୍ରାମେ ଘର,

ଦିନରାତି ତା’ର ସଙ୍ଗେ

କରୁ କାରବାର । ୧୯୭ ।

ଆମରି ପରି ଲଙ୍ଗଳ

ହଳ ଅଛି ତା’ର,

ଚାଷ କରି ମୂଲ ଲାଗି

ପୋଷେ ପରିବାର । ୧୯୮ ।

କେହି କେବେ ଶୁଣିଛ କି

ହିନ୍ଦୁ ଜମିଦାର,

ହିନ୍ଦୁପ୍ରଜା ବୋଲି ଲଘୁ

କରେ କରଭାର । ୧୯୯ ।

ମୁସଲମାନ ମହାଜନ

କେବେ ବା କେଉଁଠି,

ଦୟା ବହି କହେ ଆହା

ମୁସଲମାନ ଭାଇଟି ! ୨୦୦ ।

ହେଉଅଛି କଲବଲ

ଛାଡ଼ିଦେବି ସୁଧ,

କରୁ ପଛେ ମୋ ଆଗରେ

ଯେଡ଼େ ଅପରାଧ । ୨୦୧ ।

ସୁଧ ନିଏ ଗଣି, ଛାଡ଼େ

ନାହିଁ ପାହୁଲାଏ,

ଧର୍ମଧ୍ଵଜା ପୁଣି ସେହି

ରଖଇ ବଜାଏ । ୨୦୨ ।

ଶୁଣାଏ କୋରାନ୍ ଶାସ୍ତ୍ର

ଫନ୍ଦି ନାନା ମତେ,

ସଂସାରେ ଦୁଃଖୀ ହୁଅନ୍ତି

ଋଣୀ ଦୋଷୀ ଯେତେ । ୨୦୩ ।

ଗରିବକୁ ଲୁଟିବାକୁ

ଯେତେକ ଫିକର,

ନବୁଝିପାରି ତା’ ଆମେ

ଦାଣ୍ଡର ଫକିର । ୨୦୪ ।

ଧରମ ନୁହଇ ସେହୁ

ଜହର ଅଫିମ,

ଅଫିମ-ନିଶା ଯେସନେ

ପୋଡ଼ଇ ମରମ । ୨୦୫ ।

ପାକିସ୍ଥାନ ହିନ୍ଦୁସ୍ଥାନ

ଆଦି ହୁରି କରି,

ଭାଇ ଭାଇ ମଧ୍ୟେ ବୃଥା

ହେଉରେ ଭଗାରି । ୨୦୬ ।

ଉପରେ ବସି ବିଦେଶୀ

ଦେଖୁଥାଇ ମଜା,

ଆମ ଘରେ ଘରେ କଳି

ସେହି ହୁଏ ରଜା । ୨୦୭ ।

ଦୁଇଜଣେ କଳି ହେଲେ

ତୃତୀୟର ଲାଭ,

ମୂଷା ଖାଇ ବୋଲାଏ ସେ

ବିରାଡ଼ି ବୈଷ୍ଣବ । ୨୦୮ ।

ଦିଅଇ ଆମ ଭିତରେ

କଳିମଞ୍ଜି ବୁଣି,

ହିନ୍ଦୁ ମୁସଲମାନ ଆମେ

ହେଉ ହଣାହଣି । ୨୦୯ ।

ଦୁନିଆର ଚାରିଆଡ଼େ

ପିଟଇ ଡେଙ୍ଗୁରା,

ଭାରତରେ ଲାଗିଅଛି

ସଦା ହଣାମରା । ୨୧୦ ।

ଆମରି ସାହାଯ୍ୟ ଲୋକ

ସର୍ବଦା ଲୋଡ଼ଇ,

ଆମେ ଯଦି ଚାଲିଆସୁ

ହାଣକାଟ ହୋଇ । ୨୧୧ ।

ହୋଇଯିବ ସୁନା ଦେଶ

ଚୂନା ଏକାଦିନେ,

କ୍ଷଣେ ଚଳି ନ ପାରନ୍ତି

ଆମରି ବିହୁନେ । ୨୧୨ ।

ସାମ-ଦଣ୍ଡ-ଭେଦ ଘେନି

କରୁଛୁ ଶାସନ,

ଦୁଷ୍ଟପାଇଁ କରିଅଛୁ

ଶାସ୍ତିର ବିଧାନ । ୨୧୩ ।

ଅସଭ୍ୟ ଲୋକ ଯେତେକ

ଛନ୍ତି ଦୁନିଆରେ,

ଶିକ୍ଷିତ କରିବୁ ଆମେ

ଅନ୍ୟ ନାହିଁ ପାରେ । ୨୧୪ ।

ଅଶିକ୍ଷିତ ମୂର୍ଖ ଲୋକେ

ଶିକ୍ଷା ଦେବା ଲାଗି,

ଘରଦ୍ୱାର ଦେଶ ଛାଡ଼ି

ଆମେ ବଇରାଗୀ । ୨୧୫ ।

ଭାରତରେ ଲୋକେ ଯେବେ

ହୋଇବେ ଶିକ୍ଷିତ,

ଯେଉଁ ଦିନ ହେବ ଜ୍ଞାନ

ମୋ ଦେଶ ଭାରତ । ୨୧୬ ।

ଯେଉଁ ଦିନ ଦେଶଲୋକେ

ହୋଇବେ ତିଆର,

ସହଜରେ ନ ଛାଡ଼ିବେ

ନିଜ ଅଧିକାର । ୨୧୭ ।

ବାହାର ଶତ୍ରୁକୁ ଘରେ

ଦେବେ ନାହିଁ ସ୍ଥାନ,

ସେଦିନ ଜାଣିଥା ଆମେ

ତେଜିବୁ ଆସନ । ୨୧୮ ।

ଲୁଣ୍ଠନ କରିବା ଆମ

ନୁହେ ଅଭିଳାଷ,

ଜ୍ଞାନାଲୋକ ବିକିରଣେ

ଲଭୁଛୁ ସନ୍ତୋଷ । ୨୧୯ ।

ବେଳ ଥାଉଁ ଭାଇ ଆସ

ହେବା ହୁସିଆର,

ବିଦେଶୀ ବନ୍ଧନ ଜାଲୁଁ

ହୋଇବା ବାହାର । ୨୨୦ ।

ଆମେ ଭାଇ ଭାଇ ଯେବେ

ହେବା ଏକଜୁଟ,

ହଟିବ ତା’ କଳବଳ

ତୁଟିଯିବ ଲଟ । ୨୨୧ ।

ଆମ ଦେଶେ ଯେତେ ଦିନ

ରହିଥିବ ସେହି,

ଆମ ଭାଗ୍ୟେ ସୁଖଶାନ୍ତି

ଜୁଟିବ ତ ନାହିଁ । ୨୨୨ ।

ମିଳିଗଲେ ଆମେ ଭାଇ

ହିନ୍ଦୁ ମୁସଲମାନ,

ଭାରତ ଦେଶ ଆମର

କରିବା ସ୍ଵାଧୀନ । ୨୨୩ ।

ଆମ ଦେଶ ପରି ଦେଶ

ଆଉ ନାହିଁ କାହିଁ,

ନାନା ଜାତି ଫଳପୁଷ୍ପ

ଏଠି ଉପୁଜଇ । ୨୨୪ ।

ଭାରତର ଚାରିଆଡ଼େ

ନଦନଦୀ ଯେତେ,

ଜମା କରିଦିଏ ପାଣି

ଲୋଡ଼ା ହୁଏ ଯେତେ । ୨୨୫ ।

ଚାଷୀ ଏ ଦେଶର ଭାଇ

ଅଟେ ମୂଳପିଣ୍ଡ,

କାଟଇ ପଥର ଭୂଇଁ

କରେ ଖଣ୍ଡଖଣ୍ଡ । ୨୨୬ ।

ଗହନ ଜଙ୍ଗଲ ବିଲ

କାଟଇ ହାଣଇ,

ଖରା ବର୍ଷା-ଶୀତ ସର୍ଦି

କିଛି ମାନେ ନାହିଁ । ୨୨୭ ।

ସଜାଡ଼ି ଦିଅଇ ଭୂମି

କରିଣ ଯତନ,

ନାନାଜାତି ଶସ୍ୟ କ୍ଷେତେ

ହୋଇଯାଏ ପୂର୍ଣ୍ଣ । ୨୨୮ ।

କିନ୍ତୁ ଆମ ସମାଜଟି

ଏଡ଼େ ସ୍ୱାର୍ଥପର,

ଚାଷୀ ହାତେ ଆଜି ନାହିଁ

କିଛି ଅଧିକାର । ୨୨୯ ।

ଏଡ଼େ କଷ୍ଟେ ଯେଉଁ କ୍ଷେତ

ତିଆରି ସେ କରେ,

ସେଥିରେ-ନୁହଇ ପୁଣି

ସେହି ମାଲିକରେ । ୨୩୦ ।

କାଟି ସେ ପାରିବ ନାହିଁ

ମନଇଚ୍ଛା କ୍ଷେତ,

ଦେଇଥାଉ ପଛେ ସେଥି

ନିଜର ରକତ । ୨୩୧ ।

ଜମିଦାର ନାମେ ଜୀବେ

ମଝିରେ ଅଛଇ,

କୁଟା ଖଣ୍ଡିକ ଦି’ଖଣ୍ଡି

କେବେ ନ କରଇ । ୨୩୨ ।

ଦେଖିନାହିଁ ବିଲ ଦିନେ

ଘୁଞ୍ଚିନାହିଁ ଘରୁ,

ଖଟି ଖଟି ଦିନରାତି

ଆମେ ସବୁ ମରୁ । ୨୩୩ ।

ସେ ଅଟେ ଜମି ମାଲିକ

ଆମ୍ଭେ ତା’ର ପ୍ରଜା,

ତାହାରି ପାଉଣା ଲାଗି

ହୋଇଥାଉ ତାଜା । ୨୩୪ ।

ନାନାଭାବେ ସରକାର

ଦିଅଇ ଗଞ୍ଜଣା,

ତା’ ସାଥିକି ପୁଣି

ଜମିଦାରର ପାଉଣା । ୨୩୫ ।

ଯେତେ କ୍ଷେତୁଁ ପାଉନାହିଁ

ଦେଉ ତା ଦି’ଗୁଣ,

ପରେ ଧନ ଗଣି ଗଣି

ବଢ଼ିଯାଏ ଋଣ । ୨୩୬ ।

ଜମି ମୁହିଁ ଚାଷ କରେ

ମୋର ନିଜ ହଳ,

କାହିଁକି ସେଥିରେ ହୁଏ

ଏତେ ଗୋଳମାଳ । ୨୩୭ ।

କିଏ ହୁଏ ମକଦମ

କିଏ ଜମିଦାର,

କାର ପୁଣି ମୁସ୍ତାଜରି

କିଏ ସାହୁକାର । ୨୩୮ ।

ଖଜୁରି ପାହାଚ ପରି

ଗୋଟି ଗୋଟି ହୋଇ,

ମୋର କ୍ଷେତେ ଅଂଶୀଦାର

କେତେ ବାହାରଇ । ୨୩୯ ।

ମୋ କ୍ଷେତ ଫସଲ ଯେବେ

ହାଟେ ବିକ୍ରି ହୁଏ,

ହାଟ ପାନୁ ଠିକାଦାର

ଛଡ଼ାଇଣ ନିଏ । ୨୪୦ ।

ମୋ ମାଲ ବିକେ ଶସ୍ତାରେ

ବଜାର ନପାଇ,

ମୋ ଲୋଡ଼ା ଜିନିଷ ପୁଣି

ମହର୍ଗେ ମିଳଇ । ୨୪୧ ।

ପଡ଼ିଛି ଜଙ୍ଗଲ ମୋର

ଘର ଚାରିଆଡ଼େ,

ନାନା ଜାତି ବଣ ଗଛ

ଆପେଆପେ ବଢ଼େ । ୨୪୨ ।

କେହି ଦିଏନାହିଁ ପାଣି

ନାହିଁ ଜଗୁଆଳ,

ବିନା ଯତନରେ ସେଠି

ମାତିଉଠେ ଶାଳ । ୨୪୩ ।

ମୋର ହଳପାଇଁ ଯେବେ

କାଠ ଖଣ୍ଡେ କାଟେ,

ଘଉଡ଼ାଏ ଜଗୁଆଳ

ଆସେ ବାଟେ ବାଟେ । ୨୪୪ ।

ନ ମାନି ଯେବେ ମୁଁ କେବେ

କାଠ ଆଣିବଇଁ,

ଭାଗ୍ୟେ ଜେଲ୍‍ଖାନା ଦଣ୍ଡ

ରଖା ହୋଇଛଇଁ । ୨୪୫ ।

ଗଛ ପାନୁ ଦେଲେ ଆଉ

କିଛି ନାହିଁ ଦୋଷ,

ଏତିକିରେ ଦୁଃଖ ମୋର

ହୁଏ ନାହିଁ ଶେଷ । ୨୪୬ ।

ଜମିଦାର ଘରେ କିଛି

ପୁଣ୍ୟ ପର୍ବ ହେଲେ,

ସମସ୍ତ ଖରଚ ପ୍ରଜା

ମିଳି ତୁଲାଇଲେ । ୨୪୭ ।

ଆଜି ଯଦି ପୁଅ ବାହା

କାଲି ନାତି ଜନ୍ମ,

କିଛି ନାହିଁ ନୀତି ରୀତି

ନଥାଏ ଲଗାମ । ୨୪୮ ।

ଦଶହରା ସୁନିଆ

ତ ଲାଗିରହିଥାଏ,

ଚାଷୀ ଧନେ ଜମିଦାର

ଘର ଭରିଯାଏ । ୨୪୯ ।

କିଏ ଆଣେ କଖାରୁ ତ

କିଏ ଛେଳି ଦିଏ,

ଦେବୀ ପୂଜା ଉପଚାର

ରଇତ ଯୋଗାଏ । ୨୫୦ ।

ନୁହେ ଦେବୀପୂଜା ଏହା

ଗରିବ ରକତ,

ନେଇ ଜମିଦାର ରଜା

ବଢ଼ାଏ ତା’ ବିତ୍ତ । ୨୫୧ ।

ନୁହେଁ ଦରକାର ଆମ

ଏହି ଦେବଦେବୀ,

ମାରେ ଯେ ଆମକୁ ଧନୀ

ଜମିଦାରେ ସେବୀ । ୨୫୨ ।

ଆମରି ଧନରେ ସର୍ବେ

ମାଲିକ ବୋଲାଇ

ପୃଥିବୀର ଅନ୍ନଦାତା

ମାଗି ବୁଲୁଥାଇ । ୨୫୩ ।

ଉପୁଜାଏ ଅନ୍ନ ଅନ୍ୟେ

ଖୋଇବା ପାଇଁକି,

ପୋଡ଼ୁ ସେ ସମାଜ ଯାହା

ମାନେ ଏ ରୀତିକି । ୨୫୪ ।

କରେ ନାହିଁ ଜମିଦାର

କିଛି ଚାଷବାସ,

ନିଅଇ ଆମଠୁଁ ପୁଣି

ଖଜଣା ବିଶେଷ । ୨୫୫ ।

ଧୋଇମରୁଡ଼ି ଅକାଳ

ବିଚାରଇ ନାହିଁ,

ଫସଲ ନହେଲେ ସୁଦ୍ଧା

କର ଗଣୁଥାଇ । ୨୫୬ ।

ଜମିଦାର ଆମଠାରୁ

ନିଅଇ ଯା କର,

ଦିଏ ଅଳ୍ପ ସରକାରେ

ବାକିତକ ତା’ର । ୨୫୭ ।

କରଇ ନିଜ ଖରଚ

ମହାମଉଜରେ,

ନ ମିଳେ ପ୍ରଜାକୁ ପଛେ

ତୋରାଣି ପେଜରେ । ୨୫୮ ।

କିଏ ଭିଆଇଲା ଏହି

ଜମିଦାର ରଜା,

କିଏ ସେ କଲାରେ ପୁଣି

ରଇତ ପରଜା । ୨୫୯ ।

କିଏ ଦେଶେ ପୂରାଏରେ

ଉଚ୍ଚନୀଚ ଭେଦ,

ସମାଜରେ ଛୋଟ ବଡ଼

ସର୍ବଦା ପ୍ରଭେଦ । ୨୬୦ ।

ନୁହଇ ବଡ଼ ସେ ଯେହୁ

ଖଟିଖାଉଥାଇ,

ନିଜ ପରିଶ୍ରମ ଫଳେ

ଜଗତ ପୋଷାଇ । ୨୬୧ ।

ଯେ କରେନା କିଛି କାମ

ବସି ଖାଉଥାଏ,

ସଂସାରେ ସବୁଠୁ ସେହୁ

ବିଜ୍ଞାନୀ ବୋଲାଏ । ୨୬୨ ।

ସମାଜେ ଯେତେ ଅଛନ୍ତି

ଏପରି ପୁରୁଷ,

କୁଷ୍ଠରୋଗୀ ତୁଲ୍ୟ ସେହୁ

ସମାଜ-କଳୁଷ । ୨୬୩ ।

ବେଳହୁଁ ନାଶ ନ କଲେ

ଘୋଟିବ ଦୁର୍ଦ୍ଦଶା,

ସମାଜ ହୋଇବ ଉଇ

ପିମ୍ପୁଡ଼ିର ବସା । ୨୬୪ ।

ସମାଜେ ନାହିଁ ମଙ୍ଗଳ

ଯେତେ ଦିନ ଯାଏଁ,

ଏପରି ବୈଷମ୍ୟ ତହିଁ

ଘରକରିଥାଏ । ୨୬୫ ।

ଆମ ସାଇପଡ଼ିଶାରେ

ଗଡ଼ଜାତ ଭାଇ,

ଦିନ କାଟେ ବଡ଼ ଦୁଃଖେ

ଅନ୍ଧକାରେ ଥାଇ । ୨୬୬ ।

ଯାଇନାହିଁ ବାଟଘାଟ

ରେଳ ଘୋଡ଼ାଗାଡ଼ି,

ବାଘ ଭାଲୁ ସଙ୍ଗେ

ବାନ୍ଧିଥାଏ ଘରବାଡ଼ି । ୨୬୭ ।

ତାଡ଼ଇ ଜଙ୍ଗଲ, ଖାଏ

ଜଙ୍ଗଲ ଜିନିଷ,

ଏହିପରି ବିତିଲାଣି

ପୁରୁଷ ପୁରୁଷ । ୨୬୮ ।

ଜାଣେନାହିଁ ଭଲମନ୍ଦ

ଖଳ ସଂସାରର,

ବୁଝେନାହିଁ ଦେଶେ ଅଛି

କାହିଁ ସରକାର । ୨୬୯ ।

ତା’ ଦୁଃଖରେ ଦିନରାତି

ଲାଗି ରହିଥାଏ,

ତାକୁ ସୁଦ୍ଧା ଶୋଷୀଦଳ

କରେ ନାହିଁ ଥୟେ । ୨୭୦ ।

ତା’ରି ମୂଲକେ ଜଣେ

ରଜା ବୋଲି ଥାଏ,

ନାମକୁ ଅଟଇ ରଜା

ଗୋଲାମ ପରାଏ । ୨୭୧ ।

ଇଂରେଜ କଥାରେ ସେହୁ

ବସଇ ଉଠଇ,

ଇଂରେଜ ହାଇ ମାରିଲେ

ଫୁଟକି ମାରଇ । ୨୭୨ ।

ବୋଲାଏ ସ୍ଵାଧୀନ ରଜା

ନିଜ ରାଇଜରେ,

ନିରୀହ ରଇତ ଆମେ

ଦେଖାଏ ତେଜରେ । ୨୭୩ ।

ତାଙ୍କ ହାତେ ସରକାର

ଦେଇଛି କ୍ଷମତା,

ନାମେ ପଛେ ଧରିଥାଉ

ରାଜକୀୟ ଛତା । ୧୭୪ ।

ଆୟ ପଛେ ହୋଇଥାଉ

ଏକଶହ ଟଙ୍କା,

ପାଞ୍ଚଶ ହୁଅନ୍ତୁ ପଛେ

ଦେଶ ଲୋକସଂଖ୍ୟା । ୨୭୫ ।

ତା’ହାତେ ରହିଛି

ଦଣ୍ଡ ଫାଶୀ ହୁକୁମରେ,

ପରାକ୍ରମଶାଳୀ ରଜା

ତା’ର ରାଇଜରେ । ୨୭୬ ।

ଏହିପରି ଗଡ଼ଜାତ

ପାଞ୍ଚଶରୁ ବେଶି,

ଭାରତର ଚାରିଆଡ଼େ

ରହିଅଛି ବସି । ୨୭୭ ।

ଆମଠୁଁ ସର୍କାର ତାଙ୍କୁ

କରିଛି ଅଲଗା,

ଶାସନ କରନ୍ତି ତହିଁ

ଅଗା ବଗା ଖଗା । ୨୭୮ ।

ସେ ମୁଲକ ଶାସନରେ

ନାହିଁ ତ ଆଇନ,

ନ ଚଳଇ ସେଠି କିଛି

ନିୟମକାନୁନ । ୨୭୯ ।

ରଜାର ମୁଖର କଥା

ଅଟଇ ଆଇନ,

ଶକତି ନଥାଇ କା’ର

କରିବ ଖଣ୍ଡନ । ୨୮୦ ।

ରଜା ବାହାରନ୍ତି ଯଦି

ଶିକାର ସକାଶେ,

ଘରଦ୍ୱାର ଚାଷ ଛାଡ଼ି

ପ୍ରଜା ବେଗେ ଆସେ । ୨୮୧ ।

ବାନ୍ଧଇ ମଞ୍ଚା ଗଛରେ

ସବୁ ଆୟୋଜନ,

ଘଉଡ଼ାଏ ବାଘ ବୁଲି

ଗହନ କାନନ । ୨୮୨ ।

ମନଇଚ୍ଛା ଶ୍ରୀଛାମୁ

ଯେ କରନ୍ତି ଶିକାର,

ଉଡ଼ିଯାଉଥାଏ ହଂସା

ପ୍ରଜା ବିଚରାର । ୨୮୩ ।

ଘରୁ ଖାଇ ଘୋଡ଼ା ଆଗେ

ନାଚିବାକୁ ହୁଏ,

ଖଟି ଖଟି ବୁଲି ବୁଲି

ବଞ୍ଚି ମରୁଥାଏ । ୨୮୪ ।

(ତେଣେ) ଫସଲ ଉଜୁଡ଼ୁଥାଏ

ଘରେ ହାହାକାର,

କି କରିବ ଗଡ଼ଜାତେ

ବାନ୍ଧିଅଛି ଘର । ୨୮୫ ।

ନାହିଁ କେହି ଜଣେ

ଏଠି ଆହା କରିବାକୁ,

ପ୍ରାଣ ଛାଡ଼ିଯାଏ କ୍ଷଣେ

ଥମିଯାଏ ବୁକୁ । ୨୮୬ ।

ହେଲା ଯଦି ରାଜାଙ୍କର

ନୂତନ ଆଦେଶ,

ପଠାଇଲେ ଚର ରାଜ୍ୟେ

ଦେଇଣ ସନ୍ଦେଶ । ୨୮୭ ।

ଧରି ଆଣ ସବୁ ଘରେ

ଜଣ ଜଣ କରି

ନଅର ପାଇଁକି ରାସ୍ତା

ହୋଇବ ତିଆରି । ୨୮୮ ।

ଆଣିବ ସାଥିରେ ତାଙ୍କ

ନିଜର ରସଦ,

ଯେତେଦିନ ରହିବେ ସେ

ହୋଇବ ବରାଦ । ୨୮୯ ।

କେହି କେହି ଗରିବର

ଚାଷଭୂମି ନାହିଁ,

ନିତିପ୍ରତି ଚଳିବାକୁ

ପରେ ଖଟୁଥାଇଁ । ୨୯୦ ।

ମିଳଇ ଯା ମୂଲ ନିତି,

ସାରା ଦିନ ଖଟି,

ନ ପୂରେ ପିଲାଙ୍କ ପେଟ

ନ ଲୁଚଇ କଟି । ୨୯୧ ।

ଶୀତ ବର୍ଷା ଖରା କିଛି

ଜାଣି ନ ପାରଇ,

ମଣିଷ ଶରୀର ତା’ର

ପଥର ହୁଅଇ । ୨୯୨ ।

ଦିନେ ଯଦି କେବେ କାହିଁ

ବେମାର ପଡ଼ିଲା,

ହଜିଲା ସକଳ ବୁଦ୍ଧି

ଗଡ଼ିମଲେ ପିଲା । ୨୯୩ ।

ଥରେ ଭାବି ଦେଖ ଯେବେ

ମାସ ମାସ ଧରି,

ଏପରି ମଣିଷେ ଘରୁ

ଆସନ୍ତି ବାହାରି । ୨୯୪ ।

କି ହୁଏ ଘରର ଦଶା

ପିଲା କଲବଲ,

ଏପରି ଜୀବନ ପଛେ

ନ ରହିବା ଭଲ । ୨୯୫ ।

କର ଟିକସ ଦାଉ ତ

ଲାଗିରହିଥାଏ,

ବେଠି ଖଟି ଖଟି ପ୍ରଜା

ରକ୍ତ ପାଣି ହୁଏ । ୨୯୬ ।

ଦଣ୍ଡେ ହେଲେ ଜୀବନ ତା’

ନୁହେ ନିରାପଦ,

ବାଘ ଭାଲୁଠାରୁ ରଜା

ଅଧିକ ବିପଦ । ୨୯୭ ।

ରଜା ଯେବେ କେବେ

କଲେ ମଫସଲ ବିଜେ,

ପ୍ରଜାର ଉଡ଼ଇ ହଂସା

ଆତଙ୍କ ବିରାଜେ । ୨୯୮ ।

ଦୁଶ୍ଚରିତ୍ର ମହାପାପୀ

ରଜାର ଦାଉରେ,

କୁଳ ଭୁଆସୁଣୀ ବୋହୂ

ଲାଜେ ଗଡ଼ି ମରେ । ୨୯୯ ।

ଗୁଣ ବାହୁନିଲେ ଦିନ-

ରାତି ନ ଅଣ୍ଟିବ,

ମୂର୍ଖେ ପୁଣି ଏମାନଙ୍କ

ଗାଆନ୍ତି ଗୌରବ । ୩୦୦ ।

ଦୟାଳୁ ଧାର୍ମିକ ରଜା

କରେ ସୁଶାସନ

ପଣ୍ଡିତ ଜନେ ଆଦର

ଦିଏ ତାକୁ ମାନ । ୩୦୧ ।

ପଇସା ଲାଭ ଆଶାରେ

ବିବେକକୁ ବିକି,

କରଇ ଯେ ଯଶଗାନ

ସେହି ପଣ୍ଡିତ କି ? ୩୦୨ ।

ଦେଖେ ନାହିଁ ପ୍ରଜାଜନେ

ହୁଏ କଲବଲ,

ଭାବେ ନାହିଁ ରଜା ଭଲ

କିବା ଅଟେ ଭେଲ । ୩୦୩ ।

ଅନ୍ୟାୟ ବିରୁଦ୍ଧେ ଯଦି

ପ୍ରଜା ଉଠେ ମାତି,

ଜଳନ୍ତା ନିଆଁ ଯେସନେ

ଯଦି ଉଠେ ତାତି । ୩୦୪ ।

ପଡ଼ଇ ଭାଳେଣି ରାଜ୍ୟେ

ଅତ୍ୟାଚାରୀ ଦଳ,

ନାନା କଉଶଳେ ଲାଗେ

ଭାଙ୍ଗିବାକୁ ମେଳ । ୩୦୫ ।

ରଜାର କେତେ ଶକତି

ନିମିତ୍ତ ମାତର,

ନଥାନ୍ତା ଯଦି ତା’ ପଛେ

ବ୍ରିଟିଶ ସର୍କାର । ୩୦୬ ।

ନ ପଠାନ୍ତା ଯଦି ସୈନ୍ୟ

ପ୍ରଜାର ବିରୁଦ୍ଧେ,

ନ ଶାସନ୍ତା ଯେବେ ତାକୁ

ବିନା ଅପରାଧେ । ୩୦୭ ।

କ୍ଷଣକ ଭିତରେ ସବୁ

ମେଣ୍ଟନ୍ତା କନ୍ଦଳ,

ପ୍ରଜା ମିଳି ରାଜବଂଶ

କରନ୍ତେ ନିର୍ମୂଳ । ୩୦୮ ।

ପଶୁ ପରାକ୍ରମ ଆଗେ

ରହିଅଛି ଦବି,

ମନେ ଉପୁଜୁଛି ଭୟ

ଆଗପଛ ଭାବି । ୩୦୯ ।

କିନ୍ତୁ ଭିତରେ ନିଆଁ

ସଦା ହୁହୁ ଜଳେ,

ଲାଗିଯିବ ଯଦି ଥରେ

ଗହନ ଜଙ୍ଗଲେ । ୩୧୦ ।

ଜଙ୍ଗଲର ନିଆଁ କେବେ

ସହଜେ ଲିଭେନା,

ବଡ଼ବଡ଼ ମହାମେରୁ

ପୋଡ଼ିଜାଳି ଚୂନା । ୩୧୧ ।

ନ ମାନିବ ତା’ର ଆଗେ

ପାଣି ପବନରେ,

ନ ଘେନିବ ଅତ୍ୟାଚାରୀ

ପ୍ରାଣ ରୋଦନରେ । ୩୧୨ ।

ବହୁକାଳ ଗଛେ ଗଛ

ଘଷି ହୋଇଥାଏ,

ହୁତାଶନ ସମ ଚାରିଆଡ଼େ

ଖେଦିଯାଏ । ୩୧୩ ।

ଜଙ୍ଗଲ ପୋଡ଼ିଲେ ଆଉ

ଭୟ ନାହିଁ କିଛି,

ବାଘ ଭାଲୁ ଦନ୍ତା କେହି

ନପାରନ୍ତି ବଞ୍ଚି । ୩୧୪ ।

ଉଠାଇ ପାରିବା ଯେବେ

ଜଙ୍ଗଲୀ ଶାସନ,

ହୋଇବ ଆମର ମୁକ୍ତି

ପଶିବରେ ପ୍ରାଣ । ୩୧୫ ।

ଭାରତ ଦେଶ ଆମର

ବିଶାଳ ଆକାର,

ନାନା ଜାତି ଫଳପୁଷ୍ପେ

କିବା ମନୋହର । ୩୧୬ ।

ପୁରାତନ ସଭ୍ୟ ଦେଶ

ବହୁକାଳ ହେଲା,

ଦୂର ସାଗରରେ ଭାସୁଥିଲା

ତା’ର ଭେଳା । ୩୧୭ ।

ଦେଖି ତା’ ସମ୍ପଦ ଶୁଣି

ତା’ର ଗଉରବ,

ବାହାରିଲେ ଗୋରାମାନେ

ଯାତରା ପୂରବ । ୩୧୮ ।

ଧାଇଁଲେ ଗୋରା ବେପାରୀ

ଦଳ ପରେ ଦଳ,

ଖେପିଗଲେ ଦେଶେ ଆମ

ଯେହ୍ନେ ଦସ୍ୟୁପଲ । ୩୧୯ ।

କଳେ ବଳେ କଉଶଳେ

ଆସ୍ଥାନ ଜମାଇ,

ରହିଲେ ଆମ ଦେଶରେ

ଯେସନେ କଂସେଇ । ୩୨୦ ।

ବୋହିନେଲେ ଧନ ଆମେ

ହୋଇଲୁ କାଙ୍ଗାଳ,

ସୁନା ଦେଶେ ପଡ଼ିଗଲା

ଭୀଷଣ ଅକାଳ । ୩୨୧ ।

ମଲେ ଭାରତୀୟ ଲୋକେ

ଲକ୍ଷ ଲକ୍ଷ ହୋଇ,

ମହାମାରୀ ପ୍ରତି ବର୍ଷ

ଦେଶେ ଲାଗିଥାଇ । ୩୨୨ ।

ଆମ ଦେଶୁ କଞ୍ଚାମାଲ

ବିଦେଶକୁ ଯାଏଁ,

ବିଦେଶୀ ଜିନିଷ ବାଧ୍ୟେ

କିଣିବାକୁ ହୁଏ । ୩୨୩ ।

କୁଟୀର ଶିଳ୍ପ ଆମର

କରି ଦେଲା ଧ୍ଵଂସ,

ଶିଳ୍ପ-ଉଦ୍ୟୋଗ ପାଇଁକି

ନ ଜୁଟେ ସାହସ । ୩୨୪ ।

କେହି କାହିଁ ଯଦି କିଛି

ଉଦ୍ୟମ କରଇ,

ନାନା କଟକଣା ତାକୁ

ସ୍ଥବିର କରଇ । ୩୨୫ ।

ବଢ଼ିଲା ଅକର୍ମାଦଳ

ଦେଶସାରା ଆମ,

ନମିଳିଲା ଅନ୍ୟ ଫନ୍ଦା

ମାତ୍ର ଚାଷକାମ । ୩୨୬ ।

ଚାଷବିଲ ଅନୁପାତେ

ଲୋକ ହେଲେ ବେଶି,

ଧନ୍ଦା ନ ପାଇଣ ଲୋକ

ଦିନ କାଟେ ବସି । ୩୨୭ ।

ଆଳସ୍ୟ କରଇ ନାଶ

ମଣିଷ ସ୍ଵଭାବ,

ପରେ ନିର୍ଭର କରିଣ

ବଢ଼ଇ ଅଭାବ । ୩୨୮ ।

ନ ଚାଲଇ ହାତଗୋଡ଼

ନ ଦିଶେ ଫିକର,

ଦୁନିଆର ଗଳଗ୍ରହ

ହେବା ସିନା ସାର । ୩୨୯ ।

ମେରୁଦଣ୍ଡ ଭାଙ୍ଗିଯାଏ

ହୁଅଇ ନିର୍ଜୀବ,

ନିଜଠୁଁ ହରାଏ ଆସ୍ଥା

ବଢ଼େ ଦାସଭାବ । ୩୩୦ ।

ଧନର ଅଭାବେ ଯଦି

ଚୋରି ଆମେ କରୁଁ,

ଜେଲ୍‍ଖାନା ଖଟି ଖଟି

ହୋଇଯାଉ ଗୋରୁ । ୩୩୧ ।

ବିଚିତ୍ର ଆଇନ ଦେଶେ

ଶାସନ କରଇ,

ଧନୀଠୁଁ କାଢ଼ିଲେ ଧନ

ଚୋର ଯେ ବୋଲାଇ । ୩୩୨ ।

ସମାଜେ କରନ୍ତି ତାକୁ

ସର୍ବେ ଛି-ଛି କାର,

ଅପରାଧ ପେଟ ଲାଗି

କରିଲା ଫିକର । ୩୩୩ ।

ଦିନ ଦିପହରେ ଯେହୁ

ଗରିବ ଧନକୁ,

କରୁଥାଇ ଲୁଟି ତାହା

ନ ଦିଶେ କାହାକୁ । ୩୩୪ ।

ଜଣେ ପାଏ ନାହିଁ ପୋଷେ

ବଞ୍ଚିବା ପାଇଁକି,

ଅନ୍ୟ ଜଣେ ସଞ୍ଚି ରଖେ

ଘର ନାହିଁ ବାକି । ୩୩୫ ।

ଲୋଡ଼ା ନହୋଇବା ଧନ

ସାଇତି ରଖିବା,

ଚୋରିମାଲ ବୋଲି ଯଦି

ତାକୁ ନ ଗଣିବା । ୩୩୬ ।

କାରଖାନାରେ ମୂଲିଆ

ଦିନରାତି ଖଟେ,

ପାଏନାହିଁ ଖାଇବାକୁ

କେବେ ପୂରା ପେଟେ । ୩୩୭ ।

ପାଞ୍ଚଅଣା ମୂଲ ଦେଇ

ପାଞ୍ଚଶହ ନିଏ,

କୋଟି କୋଟି ଟଙ୍କା

ଗନ୍ତାଘରେ ଜମା ରହେ । ୩୩୮ ।

ବଡ଼ଲୋକ ବୋଲାଏ ସେ

ସମାଜର ପତି,

ସମାଜେ ସମ୍ମାନ ଯେହୁ

ବଡ଼ ଧନପତି । ୩୩୯ ।

କାହୁଁ ଆଣେ ଧନ କିଏ

ଦିଏ ତା’ର ଘରେ,

ପର ଶ୍ରମ-ରକ୍ତ ଲୁଟି

ନିଜେ ଜମା କରେ । ୩୪୦ ।

ନୁହଇ କି ଚୋରି ଏହା

ନୁହେ ଡକାଇତି,

ଅନ୍ୟ ଜଣେ ଭୋକେ ରହେ,

ମୋର ପାଖେ ଭର୍ତ୍ତି । ୩୪୧ ।

ବିଦେଶୀ କାଇଦା ସବୁ

ଆମ ଦେଶେ ଚଳେ,

ମଜଦୁର ହକ ଲାଗି

ପାଟିତୁଣ୍ଡ କଲେ । ୩୪୨ ।

ଆଇନ ନାମରେ ତାକୁ

ଶାସ୍ତି ଦିଆହୁଏ,

ସରକାର ସଦା ତା’ର

ବିରୁଦ୍ଧରେ ଯାଏଁ । ୩୪୩ ।

ଧନୀ କୋଟିପତି ଯେତେ

ଦେଖୁଛ ଦେଶରେ

ଗରିବ ବିରୁଦ୍ଧେ ଯାଏଁ

ସର୍କାର ପାଶରେ । ୩୪୪

ଶୋଷଣ କଳର ସେହୁ

ଅଟେ ବଡ଼ ଖୁଣ୍ଟ,

ତାଙ୍କରି ବଳରେ ସରକାର

ବାନ୍ଧେ ଆଣ୍ଟ । ୩୪୫ ।

ଲୁଣକର, ଭୂମିକର,

ନିଶାକର ଦେଇ,

ଆମ ଦେଶ ଛାରଖାର

ବିଦେଶୀ ବଞ୍ଚଇ । ୩୪୬ ।

କେତେ ବାଟେ ଧନ ଯାଏଁ

ଆମ ଅଜାଣତେ,

ଦିଆସିଲି କିରାସିନି

କିଣି ଦେଉ କେତେ । ୩୪୭ ।

ନାନା ଭେଳିକି ଲଗାଇ

କରଇ ଅସୁଲ,

ଦେଶୁ ଧନ ବୋହିଯାଏ

ଦେଇ ବଡ଼ ପୋଲ । ୩୪୮ ।

ବର୍ଷେ ପରା ହୋଇନାହିଁ

ବଙ୍ଗଳା ଦେଶରେ,

ଲକ୍ଷ ଲକ୍ଷ ଲୋକ ମଲେ

ଭୋକ ଉପାସରେ । ୩୪୯ ।

ବଙ୍ଗଳା ଅଟଇ

ଭାରତର ଗନ୍ତାଘର,

ଭାରତର ଅଟେ ତାହା

ଶସ୍ୟର ଭଣ୍ଡାର । ୩୫୦ ।

ଗଙ୍ଗା ନଦୀ ଯାଏଁ ବହି

ଉର୍ବରା ଭୂମିରେ,

ଫସଲ ଫଳଇ ସୁଦ୍ଧା

ଉଷର ଜମିରେ । ୩୫୧ ।

ବିଶ୍ୱାସ କି ହେବ ଭାଇ

କହିଲେ ଏ କଥା,

ସେ ଦେଶେ ଧାନ ଅଭାବ

ଚାଷୀ ପିଟେ ମଥା । ୩୫୨ ।

ଗ୍ରାମେ ଗ୍ରାମେ ହାହାକାର

ଘରଦ୍ୱାର ଛାଡ଼ି,

ଚାଲେ ଲୋକ ଭାତ ଆଶେ

ସହରକୁ ଧାଡ଼ି । ୩୫୩ ।

ପେଟ ପୋଡ଼ିଗଲେ ଲାଜ

ସରମବି ଯାଏଁ,

ସ୍ତିରୀ ଲୋକ ଭାତ ବିନା

ଦେହ ବିକି ଖାଏ । ୩୫୪ ।

ପିଲା ହାତ ଟେକି ଧରି

ମାଆ ଖାଇଯାଏ,

କାନ୍ଦି କାନ୍ଦି ପିଲା

ଦରମରା ହୋଇଯାଏ । ୩୫୫ ।

ଯୁବତୀ ଝିଅକୁ ବିକି

ବାପ ଅକାତରେ,

ଆଣଇ ପଇସା କିଛି

ଆପଣା ହାତରେ । ୩୫୬ ।

ସହରରେ ପଡ଼ିଥାଇ

ରାସ୍ତା ଚାରିକଡ଼େ,

କେତେ ମାଡ଼ କେତେ ଗାଳି

କପାଳରେ ପଡ଼େ । ୩୫୭ ।

ମାରେ କେ ଗୋଇଠା କିଏ

ଫୋପାଡ଼େ ଅଇଁଠା,

ସବୁ ସହି ପଡ଼ିଥାଏ

ଯେସନେ ନିଲଠା । ୩୫୮ ।

ପେଟ ଯେବେ ଜଳିଉଠେ

ଦୁନିଆ ନ ମାନେ;

ତୁଚ୍ଛ କରେ ଭାଇବନ୍ଧୁ

ମାନ ଅପମାନେ । ୩୫୯ ।

ମରିଗଲେ ଲୋକ ପଡ଼ି

ପୋକମାଛି ପରି

ମଡ଼ା ବୋହିବାକୁ

ନ ମିଳିଲା ଆଉ ଲରି । ୩୬୦ ।

କଲିକତା ପୁଣି ଧନ

ଦଉଲତେ ଭରା,

ବେପାର ବଣିଜ ଏଠି

ଲାଗିଥାଏ ପରା । ୩୬୧ ।

ଆମ ଦେଶ ଧନୀଯାକ

ଏହିଠାରେ ଠୁଳ,

ସହର ଗଳିରେ ସଦା

ଲାଗେ ଲୋକମେଳ । ୩୬୨ ।

ବଡ଼ବଡ଼ ଶେଠ ଏଠି

କରିଥାନ୍ତି ବାସ,

ବାନ୍ଧିଥାନ୍ତି ପକ୍କାଘର

ସୁନ୍ଦର ଉଆସ । ୩୬୩ ।

ପିଉଥାନ୍ତି ଦୁଧସର

ଖାଉଥାନ୍ତି ପୁରି,

ରଖିଥାନ୍ତି ପରା ଧନ

ଗନ୍ତାଘର ଭରି । ୩୬୪ ।

ଉପବାସୀ ପେଟ ସଦା

ଭୋକେ ଜଳୁଥାଏ,

ଧନ ଦେଖି ଆଖି ଆଗେ

ଚୁପ୍ କାହିଁ ରହେ । ୩୬୫ ।

ପଶେନି ଜବରଦସ୍ତି

ଭାଙ୍ଗି ଧନୀ ଘର,

ପେଟଲାଗି ନେଲେ ଧନ

କହିବ କେ ଚୋର । ୩୬୬ ।

ଦୁଃଖୀଜନେ ପରା ହେବେ

ବିପ୍ଳବେ ଆଗୁଆ,

ଭାଙ୍ଗିବେ ଶୋଷୀ ସମାଜ

ଗଢ଼ିବେରେ ନୂଆ । ୩୬୭ ।

ସଂସାରେ ଯେ ବେଶୀ ଦୁଃଖୀ

ପେଟେ ଅନ୍ନ ନାହିଁ,

ଦୁନିଆରେ ନାନା କଷ୍ଟ

ଉଠାଇ ପାରଇ । ୩୬୮ ।

ନଥିଲା କି ବଙ୍ଗଳାରେ

କେହି ଜଣେ ପୁଅ,

ଉଠ ଭୋକୀ କରି ପାଟି

କରରେ ଅଥୟ । ୩୬୯ ।

ନ ଦେଇ ପାରିଲା କେହି

ଦୁସ୍ଥ ଜନେ କହି,

ତୋର ଝାଳବୁହା ଧନ

ଶତ୍ରୁ ଯାଏଁ ନେଇ । ୩୭୦ ।

ଯାଏଁ ଦୂର ବିଦେଶକୁ

ସଇନ ନିମନ୍ତେ,

ତୁହି ବସି ଭାବୁ ଭାବୁ

ବଢ଼ିଲା କେମନ୍ତେ । ୩୭୧ ।

ତୋର ନାମେ ଯୁଦ୍ଧ ହୁଏ

ତୁହି ନାହିଁ ଜାଣୁ,

ତୋ ଦେଶେ ଯୁଦ୍ଧ ବାଇଦ

ବାଜେ ନାହିଁ ଶୁଣୁ । ୩୭୨ ।

ଯୁଦ୍ଧଲାଗି ତୋ ଦେଶରେ

ଯେତେକ ଦରବ,

ଚାଲିଯାଏ ବିଦେଶକୁ

ଖରବ ଖରବ । ୩୭୩ ।

ଇଉରୋପେ କରି ରଣ

ମରିନାହିଁ ଯେତେ,

ବଙ୍ଗଳା ଦୁର୍ଭିକ୍ଷେ ପଡ଼ି

ମଲେ ଲୋକ ତେତେ । ୩୭୪ ।

ନୁହଇ ଏ ଦୋଷ କା’ର

ମଣିଷର ଗଢ଼ା,

ସଞ୍ଚିତ ସମ୍ପଦ ମିଳେ

ନାହିଁ ଯହିଁ ଲୋଡ଼ା । ୩୭୫ ।

କିଏ କଲା ଏତେ ଦଶା

କାହାଯୋଗୁଁ ଭାଇ,

ଆମେ ହେଉ ଦହଗଞ୍ଜ

ଧନ ଭରା ଥାଇ । ୩୭୬ ।

ଜିନିଷ ହୁଏ ମହଙ୍ଗା

ପଇସା ନ ମିଳେ,

ଆମ ଦେଶ ଲୋକ ପଡ଼େ

ବିଦେଶୀର ପାଲେ । ୩୭୭ ।

ଆମେ ଯଦି ରୋଗେ ପଡ଼ୁ

ନ ମିଳେ ଔଷଧ,

ସହରେ ଗଣ୍ଡାକୁ ଗଣ୍ଡା

ଗ୍ରାମେ ନାହିଁ ବୈଦ୍ୟ । ୩୭୮ ।

ଆମ ପିଲା ପଢ଼ିବାକୁ

ନଥାଏ ସୁବିଧା,

ଦୂର ବିଦେଶେ ଯିବାକୁ

କେତେ ରହେ ବାଧା । ୩୭୯ ।

ଆମର ଇଚ୍ଛା ବିରୁଦ୍ଧେ

ଯୁଦ୍ଧେ ଦିଏ ଠେଲି,

ଆମେ ତାଙ୍କ ଦାସ ହୋଇ

ରହିଅଛୁ ବୋଲି । ୩୮୦ ।

ଆମ ନାମେ ବଡ଼ଲାଟ

କରଇ ଶାସନ,

ଭାରତର ରକ୍ଷା ନାମେ

ହୁଅଇ ଆଇନ । ୩୮୧ ।

ଆମେ ତାଙ୍କ କରଗତ

ସେ ମାର୍ଫତଦାର୍,

ଆସି ରହିଛନ୍ତି ଏଠି

ଉଦ୍ଦେଶ୍ୟ ଉଦାର । ୩୮୨ ।

ଆମ ଦେଶ ଶତ୍ରୁ ହାତେ

ପଡ଼ିଯିବ ବୋଲି,

ଲକ୍ଷ ଲକ୍ଷ ଗୋରା ସୈନ୍ୟ

ରଖେ ଜଗୁଆଳି । ୩୮୩ ।

ସ୍ଥାନେ ସ୍ଥାନେ କାରଖାନା

କେତେ ଖୋଲା ହୁଏ,

ସେଥିଲାଗି କେତେ ଗ୍ରାମ

ଖାଲି କରାଯାଏ । ୩୮୪ ।

ଛାଡ଼ି ବାପା-ଅଜା ଢ଼ିଅ

ଯାଏଁ ଦୂର ଗ୍ରାମେ,

ନାନା କଷ୍ଟେ ଭୋଗୁଥାଇ

ନିନ୍ଦଇ କରମେ । ୩୮୫ ।

ଯେତେ ଦିନ ଦେଶେ ଥିବ

ବିଦେଶୀ ଶାସନ,

ମେଣ୍ଟିବ ନାହିଁ ଦୁର୍ଦ୍ଦଶା ନ

ଯିବ ଶୋଷଣ । ୩୮୬ ।

ଏତେ ଦିନ ନିଜ ଦୁଃଖେ

ଲାଗି ରହି ମୁହିଁ,

ଜାଣୁ ତ ନଥିଲି ଦୁଃଖ

ଭୋଗେ କାହିଁପାଇଁ । ୩୮୭ ।

ତୁଟିଲାଣି ମୋର ମୋହ

ଫିଟିଲାଣି ଆଖି,

ବୁଝିଲିଣି କାହିଁପାଇଁ

ମୁହିଁ ଏଡ଼େ ଦୁଃଖୀ । ୩୮୮ ।

ସମାଜ ବନ୍ଧନ ଆଉ

ନାହିଁ ଡର ମୋର,

କରୁ ପଛେ ଶତ୍ରୁ ମୋତେ

ଯେତେ ଅତ୍ୟାଚାର । ୩୮୯ ।

ବନ୍ଧନୁ ହୋଇବି ମୁକ୍ତ

ଛାଡ଼ିବି ଦାସତା,

ଘରେ ଘରେ ଗ୍ରାମେ ଗ୍ରାମେ

ବାଜିବରେ କଥା । ୩୯୦ ।

ଉଠ ଦୁଃଖୀ ଭୋକୀ ଆଜି

ସାରା ସଂସାରର,

ଭାଙ୍ଗିଦିଅ ଭୟ ବେଗେ

ହୁଅରେ ତିଆର । ୩୯୧ ।

ତୁମ ପରେ ଆଜି ଯେହୁ

ଶାସନ କରଇ,

ତୁମେ ଟାଣ ହେଲେ ଦଣ୍ଡେ

ରହି ନ ପାରଇ । ୩୯୨ ।

ମାନିଯାଉ ବିନା ବାକ୍ୟେ

ତାହାରି ଶାସନ,

ହେଣ୍ଡି ମାରୁଥାଏ ପାଇ

ମୌନ ସମର୍ଥନ । ୩୯୩ ।

ଆସିଛିରେ ଦିନ ଭାଇ

ଏକଜୁଟ ହୋଇ,

ଅତ୍ୟାଚାର ଅନାଚାର

ଦେବାରେ ଉଡ଼ାଇ । ୩୯୪ ।

ବିଦେଶୀ ତଡ଼ିବା ଲାଗି

କରିବାରେ ଦାବି,

ବୃଥା କଷ୍ଟ ଭୋଗୁଁ ଦେଇ

ଅନ୍ୟ ହାତେ ଚାବି । ୩୯୫ ।

ଗଢ଼ିବା ଆମ ସଂସାର

ହୋଇବାରେ ସୁଖୀ,

ହାଟେ ଦାଣ୍ଡେ ନ ବୁଲିବେ

ଆଉ କେହି ରଙ୍କୀ । ୩୯୬ ।

ଶୋଷଣ କଳକୁ ଯଦି

କରିବାରେ ବନ୍ଦ,

ମେଣ୍ଟିଯିବ ସବୁ ଦୁଃଖ

ତୁଟିଯିବ ଦ୍ୱନ୍ଦ୍ୱ । ୩୯୭ ।

ନିଜ ଗୋଡ଼େ ହୁଅ ଛିଡ଼ା

ବାନ୍ଧରେ ସାହସ,

ଦୂରହେବ ଦୁଃଖ କଷ୍ଟ

ଲଭିବ ସନ୍ତୋଷ । ୩୯୮ ।

ପାଶେ ନାହିଁ ଧନ ଆମ

ହରାଇବୁ କିସ,

ଖୁବ୍ ବେଶି ହେଲେ ଆମ

ଛିଣ୍ଡିବରେ ଫାଶ । ୩୯୯ ।

ଡର ନାହିଁ ଡର ନାହିଁ

ଶୁଣାଉଛି ଗାନ୍ଧୀ,

ଆସ ଭାଇ ସର୍ବେ ଏକ

ସୂତ୍ରେ ହେବା ବାନ୍ଧି । ୪୦୦ ।

ବନ୍ଦୀ ପ୍ରାଣ ସଦା ମୋର

ହୁଏ ବ୍ୟାକୁଳିତ,

ହୋଇବିନି ସତେ ବନ୍ଧୁ

ବାନ୍ଧବେ ମିଳିତ । ୪୦୧ ।

ବୁଝିବିନି ଜାଣିବିନି

ଆତ୍ମୀୟସ୍ଵଜନ,

କିପରି ଅଛନ୍ତି କାହିଁ

କାଟନ୍ତି ଜୀବନ । ୪୦୨ ।

ବନ୍ଦୀ ତୁହି ବୃଥା ମନେ

ଆଣୁ କାହିଁପାଇଁ,

ତୁହି ନୋହୁ କା’ର ତୋର

ହୋଇ କେହି ନାହିଁ । ୪୦୩ ।

କରିଯିବୁ କରତବ୍ୟ

ନ ହେବୁ ଆତୁର,

ଚାଲିଥିବୁ ତୋର ଲକ୍ଷ୍ୟ

ହୋଇଥିବ ସ୍ଥିର । ୪୦୪ ।

ଦୀର୍ଘ କାରାବାସ ଭାବି

ହେଉ କି ହତାଶ,

ତୁ ପରା ଗଢ଼ିବୁ ଜାତି

ନୂଆ ଇତିହାସ ! ୪୦୫ ।

ଦାସତ୍ଵ-ଶୃଙ୍ଖଳ ଭାଙ୍ଗି

ହୋଇବୁ ସ୍ୱାଧୀନ,

ନିକାଶ କରିବୁ ଦେଶୁ

ଧନୀର ଶୋଷଣ । ୪୦୬ ।

ତୋ ସମାଜେ ନ ରହିବ

ଭେଦ ବଡ଼ ସାନ,

ସମାଜେ ପାଇବେ ସର୍ବେ

ସମାନ ଆସନ । ୪୦୭ ।

ରାଜା ଜମିଦାର ହୋଇ

କେହି ନ ରହିବେ,

ଦେଶର ଗରିବ ଲୋକେ

ମାଲିକ ବନିବେ । ୪୦୮ ।

ନ ଚଳିବ ବ୍ୟବସାୟ

ନ କରିବେ ଲାଭ,

କେହି ସଞ୍ଚି ନପାରିବ

ବିପୁଳ ବିଭବ । ୪୦୯ ।

ଆମ ଦେଶେ ଏବେ ଯେଉଁ

ବ୍ୟବସ୍ଥାଟି ଚଳେ,

ଧନୀ ମାରୁଥାନ୍ତି ମଜା,

ଦୁଃଖୀ ଗଡ଼ି ମରେ । ୪୧୦ ।

ଖଟି ଖଟି ମରୁଥାନ୍ତି

ସମାଜେ କେତେକ,

ବସି ବସି ଧନ ସଞ୍ଚି

ରଖେ କେତେ ଲୋକ । ୪୧୧ ।

ଶାସନଡ଼ୋରି ତା’ ହାତେ

ଦେଶର ମାଲିକ,

ମୋଡ଼ୁଥାଏ ବଳ ପଛେ

ନଥାଏ ତା’ ଦଳ । ୪୧୨ ।

ତୋ ସମାଜେ ହେବ ପରା

ନୂତନ ଆଇନ,

ବିନା ଶ୍ରମେ ପାଇବନି

କେହି କେବେ ଅନ୍ନ । ୪୧୩ ।

ସମାଜ ସମ୍ପତ୍ତି ହେବ

ସର୍ବସାଧାରଣ,

ବ୍ୟକ୍ତିଗତ ଅଧିକାରେ

ନଷ୍ଟ ଅକାରଣ । ୪୧୪ ।

ଲାଭ ଯୋଗୁଁ ସଂସାରରେ

ଯେତେ ଗଣ୍ଡଗୋଳ,

ଲାଭ କରିବା ମାନସେ

ପଶେ ଦେଶେ ଖଳ । ୪୧୫ ।

ବ୍ୟକ୍ତିଗତ ଲାଭପ୍ରଥା

ଉଠାଇଣ ଦବୁ,

ସରକାର ହାତେ ଚୁଟି

ହେବେ ସବୁ କାବୁ । ୪୧୬ ।

ଗଢ଼ିବୁ ଆମେରେ ଯେଉଁ

ନୂଆ ସରକାର,

ହୋଇବ ନୂତନ ରୂପ

ନୂତନ ପ୍ରକାର । ୪୧୭ ।

ସର୍କାର ବୋଇଲେ

ଏବେ ଆମେ ଡରି ମରୁ,

ଶୋଷଣ ଲୁଣ୍ଠନ

ଲାଗିରହିଛି ବିଚାରୁ । ୪୧୮ ।

ଯାର ହାତେ ରହିଥାଏ

ଶାସନ କ୍ଷମତା,

ରଖଇ ପୁଲିସ ଫୌଜ

କରଇ ବ୍ୟବସ୍ଥା । ୪୧୯ ।

ନିଜ ଅଭିଳାଷ ସିଦ୍ଧି

ମୁଖ୍ୟ ଲକ୍ଷ୍ୟ ତା’ର,

ଲୋକଙ୍କ ବିରୁଦ୍ଧେ ଯାଏଁ

ସର୍ବଦା ସର୍କାର । ୪୨୦ ।

ଆମର ଶାସନେ ଆଉ

ଏହା ନଚଳିବ,

ଜଣେ କେହି ବା କେତେକ

ମାଲିକ ନୋହିବ । ୪୨୧ ।

ଦେଶରେ ଥିବେ ଯେତେକ

ଲୋକ ସାବାଳକ

ଗଢ଼ିବେ ନୂତନ ବିଧି

ଭାଙ୍ଗିବେ ସାବକ । ୪୨୨ ।

ମତ ଦେଇ ବସାଇବେ

ନୂତନ ଶାସନ

ଦେଶଲୋକ ହିତ ଲାଗି

କରିବେ ବିଧାନ । ୪୨୩ ।

ଦେଶେ ଅଛି ଯେତେ

ଧନ ସମ୍ପଦ ଗଚ୍ଛିତ,

ସରକାର ଛଡ଼ା କେହି

ନମାରିବ ହାତ । ୪୨୪ ।

ଆମ ଦେଶ ହାଲ ବୁଝି

କରିବ ଯୋଜନା,

ବସାଇବ ଦେଶେ କେତେ

ନୁଆ କାରଖାନା । ୪୨୫ ।

ଆଜି ଦେଶେ ଧନ ଆମ

ହୋଇଅଛି ଭରା,

ସମାନ ବଣ୍ଟନ ନୋହି

ଦେଶେ ଦୁଃଖୀ ପରା । ୪୨୬ ।

ଯେ ପାରିଲା ଯେତେ ଧନ

ଉତ୍ପନ୍ନ କରିଲା,

ଲାଭ ଉଦ୍ଦେଶ୍ୟରେ

ଭିଆଇଲା ନାନା ପାଲା । ୪୨୭ ।

ନଥାଏ କିଛି ଯୋଜନା

କେହି ବୁଝେ ନାହିଁ,

ନିଜ ନିଜ ସ୍ୱାର୍ଥ ଲାଗି

ସର୍ବେ ଥାନ୍ତି ଧାଇଁ । ୪୨୮ ।

ସରକାର ହାତେ ଗଲେ

ଦେଶର ସମ୍ପତ୍ତି,

ଦେଶ ଅଭାବ ମୋଚନେ

ଲଗାଇବ ମତି । ୪୨୯ ।

ସମାଜରେ ଯେତେ

ଧନ ହୋଇବ ଉତ୍ପନ୍ନ,

କରିବ ସମାନଭାବେ

ଦେଶରେ ବଣ୍ଟନ । ୪୩୦ ।

ଦେଶର ଅଭାବ ଦେଖି

କରିବ ବ୍ୟବସ୍ଥା,

ଦରକାରୀ ଦ୍ରବ୍ୟଲାଗି

ଖଟାଇବ ମଥା । ୪୩୧ ।

ଉତ୍ପନ୍ନ ବଣ୍ଟନ ଯଦି

ହାତେ ଆସେ ଭାଇ,

ଧନୀ ଅକିଞ୍ଚନ ହୋଇ ନ

ରହିବେ କେହି । ୪୩୨ ।

ସର୍କାର ବସାଇ ସ୍କୁଲ୍‍

ପଢ଼ାଇବ ପାଠ

ଦେଶର ପଢ଼ିଲା ପିଲା

ହେବେ ଏକଜୁଟ । ୪୩୩ ।

ପଇସା ଅଭାବୁ କେହି

ନ ହେବେ କାତର

ବିନା ଦରମାରେ ଖଞ୍ଜା

ହୋଇବେ ମାଷ୍ଟର । ୪୩୪ ।

ସକଳେ ହୋଇବେ ବାଧ୍ୟ

ପଢ଼ାଇବା ପାଇଁ,

ମୂର୍ଖ ବୋଲି ଜଣେ ଦେଶେ

ନ ରହିବେ କେହି । ୪୩୫ ।

ଆଜି ପାଠପଢ଼ା କରେ

କିରାଣି ଗୋଲାମି,

ହଜେ ସକଳ ଶକତି

ହୁଅଇ ଅକାମୀ । ୪୩୬ ।

ପୋଥି ଛଡ଼ା ଅନ୍ୟ ଫନ୍ଦା

ତାକୁ ଦିଶେ ନାହିଁ,

କିଛି ଧନ୍ଦା କରିବାକୁ

ବଳବପୁ କାହିଁ ? ୪୩୭ ।

ଭାଙ୍ଗି ଏ ଶିକ୍ଷା ପ୍ରଣାଳୀ

ନୂଆ ଗଢ଼ା ହେବ,

ପିଲାବେଳୁ ଛାତ୍ର ଶ୍ରମ-

ମର୍ଯ୍ୟାଦା ବୁଝିବ । ୪୩୮ ।

ଶ୍ରମ ଉଦ୍ୟମ ହୋଇବ

ତା’ ଶିକ୍ଷାର ମୂଳ,

ଭାଇ ଭାଇ ପ୍ରେମଭାବ

ସୋଦର ସକଳ । ୪୩୯ ।

ସାଇପଡ଼ିଶାରେ କେଭେ

ନକରିବ ଘୃଣା,

ସର୍ବେ ଏକମେଳ ହେଲେ

ଦେଶ ହେବ ସୁନା । ୪୪୦ ।

ନୂତନ ଛାଞ୍ଚରେ ଗଢ଼ା

ହେବେ ଦେଶ ପିଲା,

ଦୁନିଆରେ ହୋଇବ ସେ

ନମ୍ବର ପହିଲା । ୪୪୧ ।

ଯେ ଯାହାର ଖୁସି ପାଠ

ପଢ଼ି ପାରିବଇ,

ଦେଶରେ ସେହି ବ୍ୟବସ୍ଥା

ଆଗୁଁ ଥିବ ହୋଇ । ୪୪୨ ।

କିଏ ହେବ ଡାକ୍ତର ତ

କିଏ ଇଞ୍ଜିନିୟର୍,

ନୂଆ ଆବିଷ୍କାର ଲାଗି

ସର୍ବଦା ତିଆର । ୪୪୩ ।

ନିଜେ ହେବି ବଡ଼ ମୁହିଁ

ଅନ୍ୟେ କରି ଛୋଟ,

ଏପରି ଭାବନା ଲାଗି

ନଥିବରେ ବାଟ । ୪୪୪ ।

ବୁଝିବ ସେ ପରଧନ

ଠକି ଖାଇବାରେ,

ନହେବ ମଙ୍ଗଳ ତାହା

ବିନାଶ ବାଟରେ । ୪୪୫ ।

ଦେଶଲାଗି ଦେବ ପ୍ରାଣ

କରିବ ସେ ସେବା,

ଦେଶରକ୍ଷା ଲାଗି ସଦା

ପ୍ରସ୍ତୁତ ରହିବା । ୪୪୬ ।

ଦେଶର ସନ୍ତାନ ଅଟେ

ଜାତି ମୂଳଦୁଆ,

ନୂଆ ଶିକ୍ଷା ପାଇ ଦେଶେ

ଗଢ଼ିବେରେ ନୂଆ । ୪୪୭ ।

ନ ରହିବ ତୋ ସମାଜେ

ଅକର୍ମା ବେକାର,

ଯୋଗାଇବ ଶ୍ରମକ୍ଷମେ

କାର୍ଯ୍ୟ ସରକାର । ୪୪୮ ।

ଦେଶରୁ ଦୂର କରିବ

ରୋଗ ବଇରାଗ,

ଚିକିତ୍ସା ସଦନ ଗଢ଼ା

ହୋଇଥିବ ଆଗ । ୪୪୯ ।

ନ ହୋଇବ କାର୍ଯ୍ୟ ଶେଷ

ଔଷଧ ବାଣ୍ଟିଣ,

ଲାଗିବେ ଜାଣିବାପାଇଁ

ରୋଗର କାରଣ । ୪୫୦ ।

ମଳୁ ନାଶ ଗଲେ ଦେଶୁଁ

ରୋଗ ବ୍ୟାଧି ବୀଜ,

ସୁସ୍ଥ ସବଳ ହୋଇଣ

ବଢ଼ିବ ସମାଜ । ୪୫୧ ।

ବୃଦ୍ଧ ଅକର୍ମଣ୍ୟ ପାଇଁ

ହୋଇବ ବ୍ୟବସ୍ଥା,

ନିରାଶ୍ରୟଭାବେ ସେହୁ

ନପିଟିବ ମଥା । ୪୫୨ ।

ରେଳପଥ ଯାତାୟାତ

ହୋଇବ ସୁବିଧା,

ଦେଶ ବୁଲି ଦେଖିବାରେ

ନରହିବ ବାଧା । ୪୫୩ ।

ସମାଜର ହିତଚିନ୍ତା

କରିବେ ସକଳ,

ସମାଜ ଉନ୍ନତି ହେଲେ

ହୋଇବ ମଙ୍ଗଳ । ୪୫୪ ।

ଯେତେ ବଡ଼ ହେଉ ଲୋକ

କରୁ ଯେତେ ନାମ,

ସମାଜର ହିତ ସଦା

ହୋଇବ ତା’ କାମ୍ୟ । ୪୫୫ ।

ଶ୍ରେଣୀଶୂନ୍ୟ ସମାଜରେ

ସର୍ବେ ହେବେ ଭାଇ,

ହିଂସାଦ୍ୱେଷ କଳି ଦେଶୁ

ଯିବ ନାଶ ହୋଇ । ୪୫୬ ।

ହସିବ ସମାଜ ଆମ

ତୁଟିବ ଦୁର୍ଦ୍ଦଶା,

ଆଦର୍ଶ ସମାଜପାଇଁ

ବାନ୍ଧିଅଛୁ ଆଶା । ୪୫୭ ।

ନୁହଇ ଏ ପିଲାଖେଳ

ଦିନେଅଧେ ଲାଗି,

ଭାବିଛୁ ହୋଇବ ମୁକ୍ତ

ପାରିବୁ ତୁ ଭୋଗୀ । ୪୫୮ ।

ଶତବର୍ଷର ସଂସ୍କାରେ

ଗଢ଼ା ଏ ସମାଜ,

ଭାଙ୍ଗିବାକୁ ଲୋଡ଼ା ଦମ୍ଭ

ଲୋଡ଼ା ନବତେଜ । ୪୫୯ ।

କରିବୁ ଅନ୍ୟାୟେ ନାଶ

କଠିନ ପ୍ରହାର,

ସହିବା ପାଇଁକି ସଦା

ହେବୁରେ ତିଆର । ୪୬୦ ।

ଶତ ଶତ ବର୍ଷ ଲାଗି

କରିବୁ ସାଧନା,

ତେବେ ସିନା ପୂର୍ଣ୍ଣ ହେବ

ତୋ ମନକାମନା । ୪୬୧ ।

ସ୍ୱାଧୀନତା ସଂଗ୍ରାମର

ସେନାପତି ଗାନ୍ଧୀ,

ଜାଣିଛି ଦେଶର ଦୁଃଖ

ବୁଲି ଅନ୍ଦିକନ୍ଦି । ୪୬୨ ।

ଶୁଣାଏ ଅଭୟବାଣୀ

ଦୁଃଖୀରଙ୍କୀ ଜନେ,

ହୁଅନା କାତର ଦମ୍ଭ ଧର

ତୋର ପ୍ରାଣେ । ୪୬୩ ।

ଅନ୍ୟାୟ ବିରୁଦ୍ଧେ ସେହୁ

ଉଡ଼ାଇଛି ବାନା,

ସହିଲାଣି ସେଥିଲାଗି

ଦେହେ କଷ୍ଟ ନାନା । ୪୬୪ ।

ତ୍ୟାଗ କଷ୍ଟ ଦୁଃଖ ଭୋଗ

ଯେତେ ବେଶି ହେବ,

ବରଣ କରିଣ କ୍ଳେଶ

ଯେତିକି ଭୋଗିବ । ୪୬୫ ।

ସେତିକି ପଡ଼ିବ ଶତ୍ରୁ

ଉପରେ ପ୍ରଭାବ,

ତୁମ କଷ୍ଟେ ତା’ର ହୃଦ

ନିଶ୍ଚେ ତରଳିବ । ୪୬୬ ।

ହିଂସାଦ୍ୱେଷ ଲୋଭପୂର୍ଣ୍ଣ

ଦୁନିଆ ଆଗରେ,

କହଇ ନୂତନ କଥା

ନୂତନ ଢଙ୍ଗରେ । ୪୬୭ ।

ଧନୀ ପଛେ ଲୁଟି ନେଉ

ତୋର ସବୁ ଧନ,

ତା’ର ପ୍ରତିହିଂସାଭାବ

ହୃଦୟେ ନଘେନ । ୪୬୮ ।

ତୁମ ହକ ଲାଗି ତୁମେ

ସଦା ଦୃଢ଼ ରହ,

ଅତ୍ୟାଚାରେ ଅନ୍ୟାୟରେ

ନାହିଁ ବୋଲି କହ । ୪୬୯ ।

ଅତ୍ୟାଚାରୀ ଜନେ ଡାକି

ସତର୍କ କରାଇ,

ଅନ୍ୟାୟ ପଥରେ ତୁହି

ଯାଉ କାହିଁପାଇଁ । ୪୭୦ ।

ତୋ ପାଖେ ସଞ୍ଚିତ ଧନ

ତୋରପାଇଁ ନୁହେଁ,

ଦୁଃସ୍ଥ ଜନେ ଦେବାଲାଗି

ଜମା ପରା ଥାଏ ! ୪୭୧ ।

କରିବୁ ଯଦି ତୁ ଭୋଗ

ନଦେବୁ ତାହାରେ,

ନସହିବ ଧରା ଏହା

ଜଳିବୁ ପାପରେ । ୪୭୨ ।

ମାନ ମୋର ଉପଦେଶ

ଦିଅ ଧନ ବାଣ୍ଟି ,

ନୁହେ ମୋର ଝାଳବୁହା,

ଦେଇଅଛି ମାଟି । ୪୭୩ ।

ଚୋର ଦରକାର ଛଡ଼ା

ଅଧିକ ରଖିଲେ,

ହେବ ନାହିଁ ଯଶ ତାହା

ଯିବ ଚୋରିତଳେ । ୪୭୪ ।

କୋଠଧନ ବ୍ୟୟେ ତୋର

ନାହିଁ ଅଧିକାର,

ଭୋଗବିଳାସ ଛାଡ଼ିଣ

ସରଳତା ଧର । ୪୭୫ ।

ନିଶୁଣିବୁ ଯଦି ତୁହି

ମୋର ଭଲ କଥା,

ମୋର ଅନ୍ତେ ହେବୁ ନିଶ୍ଚେ

ଅତ୍ୟନ୍ତ ହୀନସ୍ତା । ୪୭୬ ।

ଦୁନିଆ କରଇ ଗତି

ଲକ୍ଷ୍ୟ ନାହିଁ କିରେ,

ଶୋଷିତ ଦଳିତ ପ୍ରାଣ

ଡାକଇ କାତରେ । ୪୭୭ ।

ଏତେ ଦିନ ସହିଥିଲୁ

ଧନ୍ୟ ଅତ୍ୟାଚାର,

ବୋହୁଥିଲୁ ଅଙ୍ଗେ ଆମ

ଧନୀର ବେଭାର । ୪୭୮ ।

ଆଉ ଆମେ ଦେବୁ ନାହିଁ

କ୍ଷମା ତାକୁ କ୍ଷଣେ,

କରିବୁ ଜୀବନପାତ

ପଛେ ଜଣେ ଜଣେ । ୪୭୯ ।

ଲାଗିଯାଉ ପଛେ ଦେଶେ

ରକ୍ତାକ୍ତ ଲଢ଼ାଇ,

ମୋର ଦାବି ପୂରା ନିଶ୍ଚେ

କରିବଇ ମୁହିଁ । ୪୮୦ ।

କହେ ଗାନ୍ଧୀ ନୁହେଁ ଭାଇ

ଏହା ମୋର ବାଟ,

ଚାହୁଁ ଯଦି ପାରିହେବୁ

ଜୀବନ-ସଙ୍କଟ । ୪୮୧ ।

ମୋର କଥା ନଶୁଣିଲେ

ବେଳ ଥାଉଁଥାଉଁ,

ମୋର ହାତୁଁ ଯିବ ଖସି

କିକରିବି ଆଉ । ୪୮୨ ।

ଅହିଂସା ମୋ ଯୁଦ୍ଧ-ଅସ୍ତ୍ର

ସତ୍ୟ ମୋର ବ୍ରତ,

ନଛାଡ଼ିବି କ୍ଷଣେ ବଞ୍ଚିଥିବି

ମୁଁ ଯାବତ୍ । ୪୮୩ ।

ଅହିଂସା ବଳରେ ମୁହିଁ

ଅଟେ ବଳିଆର,

କେହି ନୁହେଁ ଶତ୍ରୁ ମୋର

କେ ନୁହଇ ପର । ୪୮୪ ।

ଲୋଡ଼ା ନାହିଁ ମୋର ରଣେ

ହାତହତିଆର,

ଲୋଡ଼ା ନାହିଁ ତୋପ ଗୁଳି

ଗୋଳାବାରୁଦର । ୪୮୫ ।

ଲୋଡ଼ା ନାହିଁ ଅସ୍ତ୍ର, ଲୋଡ଼ା

ନୁହେଁ ତରବାରି,

ଲୋଡ଼ା ନାହିଁ ମୁହିଁ

ହେବାପାଇଁ ଦରବାରୀ । ୪୮୬ ।

ଅହିଂସା ନୁହଇ ଭୀରୁ

କାପୁରୁଷ ଅସ୍ତ୍ର,

ଲଢ଼ାଇ କରିବୁ ଯଥା

ଲଢ଼ାଇ ସଶସ୍ତ୍ର । ୪୮୭ ।

ଅହିଂସା ସମରେ ନାହିଁ

ଦୁର୍ବଳର ସ୍ଥାନ,

ଅହିଂସା ଦିଅଇ ଶକ୍ତି

ବଢ଼ାଏ ସମ୍ମାନ । ୪୮୮ ।

ଲୋଡ଼ା ଅସମ୍ଭବ ଧୈର୍ଯ୍ୟ

କଠିନ ଶୃଙ୍ଖଳା,

ହେବ ବୃଥା ତୋ ସାଧନା

ହେଲେଟି ହୁଗୁଳା । ୪୮୯ ।

ଦୁନିଆର ଚାରିଆଡ଼େ

ହିଂସାନଳ ଜଳେ,

ହିଂସା ଆଚରିଣ କେବେ

ଯଶ ନାହିଁ ମିଳେ । ୪୯୦ ।

ହିଂସାର ମୁକତି ପଥ

ହୁଏନା ସହଜ,

ହିଂସା ସୁଖୀ କରିନାହିଁ

ମାନବ ସମାଜ । ୪୯୧ ।

ହିଂସା ଦ୍ଵେଷ ଭାବ ଯୋଗୁଁ

ଅନର୍ଥ ଲାଗଇ,

ଦେଶେ ଦେଶେ ବଢ଼େ ଶତ୍ରୁ

କଳି ଭାଇ ଭାଇ । ୪୯୨ ।

ନ ଦେଖିଲେ ମୁକ୍ତିବାଟ

ସକଳେ ବିରକ୍ତ,

ମିଶିଲାଣି ମାଟି ଦେହେ

କେତେ ନରରକ୍ତ । ୪୯୩ ।

ବଢ଼ଇ ସଂସାର କ୍ଳେଶ

ଯନ୍ତ୍ରଣା ବିଶେଷ,

ପଦଦଳିତ ମାନବ

ପକାନ୍ତି ନିଃଶ୍ଵାସ । ୪୯୪ ।

ଚାରିଆଡ଼େ ଆଜି ଦେଖ

ପଡ଼ିଅଛି ହୁରି,

ନାହିଁ ଲାଭ ବୃଥା ହୋଇ

ହଣା ମରାମରି । ୪୯୫ ।

ଦୁନିଆରେ ଘୋଟିଲାଣି

ଭୀଷଣ ସଙ୍କଟ,

ହତାଶ ହୋଇଣ ସର୍ବେ

ଖୋଜ ନୂଆ ବାଟ । ୪୯୬ ।

ଭାରତ ଦେଶରେ ଗାନ୍ଧୀ

କରଇ ଲଢ଼ାଇ,

ଦୁନିଆର ଦୁଃଖୀଜନ

ପ୍ରତିନିଧି ହୋଇ । ୪୯୭ ।

ଅହିଂସା ଶାନ୍ତିର ନିଶ୍ଚେ

ହୋଇବ ବିଜୟ

ଶୀତଳ ହୋଇବ ପ୍ରାଣ

ପୃଥ୍ଵୀ ହେବ ଥୟ । ୪୯୮ ।

ଏପରି ମଉକା ଭାଇ

ଛାଡ଼ ନାହିଁ ଦଣ୍ଡେ,

ଗାନ୍ଧୀକଥା ମାନି ଚଳ

ନ ପଡ଼ିବୁ ତଣ୍ଡେ । ୪୯୯ ।

କେହି କହେ ମହାତ୍ମା

ସେ ଯୁଗ ଅବତାର,

ଆମେ କି ପାରିବୁ ପାଳି

ଅହିଂସା ମନ୍ତର । ୫୦୦ ।

ସେ ସାଧନା ପଥେ ଆମ

କାହିଁ ବା ଶକତି,

ମେଣ୍ଟିବ କି ସତେ ଦୁଃଖ

ଲଭିବୁ କି ମୁକ୍ତି । ୫୦୧ ।

ନୁହଇ ମହାତ୍ମା ସେହୁ

ନୁହେ ଅବତାର,

ଜନ୍ମ ତା’ର ଏ ମାଟିରେ

ଅଟଇ ମାଟିର । ୫୦୨ ।

ନିଭାଇଛି ଅଙ୍ଗେ ଦୁଃଖ

ସହିଛି କଷଣ,

ଦୁଃଖୀଜନ ମୁକ୍ତିଲାଗି

କାନ୍ଦେ ତା’ର ପ୍ରାଣ । ୫୦୩ ।

ଦୁନିଆର ଶ୍ରେଷ୍ଠ ଜନ

ବୋଲି ଲୋକ କହେ,

ଭକତି କରିଣ ଖାଲି

ନୀରବରେ ରହେ । ୫୦୪ ।

ଚାହେଁନା ଭକତି ତୋର

ଚାହେଁ ନାହିଁ ପୂଜା,

ନୁହେଁ ସେହୁ ମହାଦେବ

ଅବା ଦଶଭୁଜା । ୫୦୫ ।

ମାନ ତା’ର ବୋଲ ଆଗେ

ପାଳ ତା’ର କଥା,

ମିଳିବ ମୁକତି ନିଶ୍ଚେ

ଜାଣିଥା ଜାଣିଥା । ୫୦୬ ।

ସଂସାର ହୋଇବ ସୁଖୀ

ଦୁଃଖ ଯିବ ଲିଭି,

ଭାରତ ଟେକିବ ମଥା

ସ୍ଵାଧୀନତା ଲଭି । ୫୦୭ ।

ଆସିଲାଣି ଦିନକାଳ

ଡେରି କର ନାହିଁ,

ତ୍ରିରଙ୍ଗ ପତାକାତଳେ

ଠୁଳ ହୁଅ ଭାଇ । ୫୦୮ ।

ହାତମୁଠା ଟାଣ କରି

ହୁଅ ଆଗଭର,

ଉଡ଼ାଅ ମୁକତିବାନା

ଦୁଃଖ କର ଦୂର । ୫୦୯ ।

ଗାଅ ସର୍ବେ ଭାଇ ମିଳି

ଭାରତର ଜୟ,

ଗଉରବେ ଟେକ ମଥା

ହୋଇବ ବିଜୟ । ୫୧୦ ।

Image